ନୈବେଦ୍ୟ

 

 

 

 

 

 

 

 

 

 

ନୈବେଦ୍ୟ

ଯନାଥନ ମହାନ୍ତି

 

 

 

 

 

 

 

 

 

ତାରି ହାତରେ ଏହାକୁ ଦେଲି

ଯାର ଇଚ୍ଛାରେ ଏହି ଅନୁବାଦ

କାର୍ଯ୍ୟରେ ହସ୍ତକ୍ଷେପ କରିଥିଲି ।

 

ଏହି ପୁସ୍ତକ ଖଣ୍ଡିକ Wilson Barrett ଙ୍କର "The Sign of the Cross'ର ଅନୁବାଦ । ଏହାର କେତେକ ଅଂଶ ପ୍ରଥମରେ ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶିତ ହୋଇଥିଲା ଏବଂ ‘‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘର’’ ଆନୁକୂଲ୍ୟରେ ଏହି ପୁସ୍ତକର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ‘‘ସମ୍ମିଳିତ ଉତ୍କଳ ଖ୍ରୀଷ୍ଟିୟ ସାହିତ୍ୟ ସମିତି’’ର ତତ୍ତ୍ୱାବଧାନରେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେଲା । ଇଂରାଜୀ ପୁସ୍ତକର ସତ୍ୱାଧିକାରୀଙ୍କର ଅନୁମତି ପାଇବା ବିଷୟରେ ରେଭେନ୍‍ସା କଲେଜର ଭୂତପୂର୍ବ ପ୍ରିନ୍‌ସିପାଲ ଶ୍ରୀଯୁକ୍ତ ଲମ୍ୱର୍ଟ ସାହେବ ଏବଂ ସ୍ଥାନୀୟ ଭୂତପୂର୍ବ ମିଶନାରୀ ରେଭରେଣ୍ଡ ପାଇକ୍ ମୋତେ ଯଥେଷ୍ଟ ସାହାଯ୍ୟ ପ୍ରଦାନ କରିଥିବାରୁ ମୁଁ, ସେମାନଙ୍କ ନିକଟରେ କୃତଜ୍ଞ । ‘‘ଉତ୍କଳ ସାହିତ୍ୟ” ପତ୍ରିକାର ସୁଯୋଗ୍ୟ ସମ୍ପାଦକ ସାହିତ୍ୟସେବୀ ୰ ଶ୍ରୀଯୁକ୍ତ ବିଶ୍ୱନାଥ କର ମହୋଦୟ ଏହାର ପାଣ୍ଡୁଲିପି ଆମୁଳଚୂଳ ପାଠ କରି ଯଥେଷ୍ଟ ଭ୍ରମ ପ୍ରମାଦ ସଂଶୋଧନ କରିଥିବାରୁ, ମୁଁ ତାଙ୍କ ନିକଟରେ ଚିରଋଣୀ । ‘‘ତ୍ରାଣକାରୀ ଭବାବ୍‌ଧିତରୀ.....” ଇତ୍ୟାଦି ଗୀତାଂଶଟି ମୁଁ ସ୍ଵର୍ଗୀୟ ଦାନିଏଲ ମହାନ୍ତିଙ୍କ ରଚନାରୁ ଉଦ୍ଧୃତ କରିଅଛି ।

 

ସାହିତ୍ୟ ହିସାବରେ ଏ ପୁସ୍ତକର ମୂଲ୍ୟ କଣ, ମୋ କଥା କହିବା ମୋର ଧୃଷ୍ଟତା, ଅନ୍ତତଃ କାହାରି ଅବକାଶରଞ୍ଜନରେ ଲାଗି ପାରିଲେ ଶ୍ରମ ସାର୍ଥକ ମଣିବି । ଇତି ।

 

ପେଟିନ ସାହି

 

କଟକ

ଅନୁବାଦକ

ଜୁଲାଇ ତା ୨୨ରିଖ ୧୯୪୦

 

Image

 

ପ୍ରଥମ ପରିଚ୍ଛେଦ

ମର୍ସିୟା

 

ସୂର୍ଯ୍ୟ ଉଦିତ ମାତ୍ର । ରୋମ ନଗରୀର ଗମନମାର୍ଗରେ ଜନସ୍ରୋତ ପ୍ରବାହିତ ହେବାକୁ ଆରମ୍ଭ କରିଛି । ରୋମୀୟ ବଣିକ ଲୁସିୟସ୍‌ଙ୍କ ଗୃହ ଯଦି ବା ରାଜବର୍ତ୍ତ୍ମର ଅତି ନିକଟରେ, ତଥାପି ଦ୍ୱାରବର୍ତ୍ତୀ ଗୋଟିଏ ବାଳକ ଓ ଗୋଟିଏ ବାଳିକାର କ୍ରୀଡ଼ାଧ୍ୱନିରେ ପ୍ରଭାତର ଏହି ସ୍ୱଳ୍ପ କୋଳାହଳ କ୍ୱଚିତ ଶୁଣାଯାଉଛି ।

 

ବାଳକର ବୟସ ବାର ତେର ମଧ୍ୟରେ । ତାହାର ଗଠନ ବଳିଷ୍ଠ, ଚକ୍ଷୁ ମେଘମୁକ୍ତ ପ୍ରଭାତ ଗଗନ ପରି ନୀଳ ଓ ଉଜ୍ଜ୍ୱଳ, ଦୃଷ୍ଟି ଉତ୍ସୁକ, ମୁଖଶ୍ରୀ ସରଳତାବ୍ୟଞ୍ଜକ । ବାଳିକା ବାଳକଠାରୁ ପାଞ୍ଚବର୍ଷ ସାନ ।

 

ବାଳିକାର କ୍ଷୁଦ୍ର ଶରୀର କ୍ରୀଡ଼ାଚଞ୍ଚଳ, ଯେପରି ପ୍ରଭାତ ବାୟୁବିଧୂନିତ କୋମଳ ଲତିକା, ଚକ୍ଷୁ ପ୍ରଶସ୍ତ ଉଜ୍ଜ୍ୱଳ ଓ ବିସ୍ମୟବିସ୍ଫାରିତ, ଭ୍ରମରକୃଷ୍ଣ କେଶରାଶି ପୃଷ୍ଠୋପରି ଲମ୍ବିତ । ଖେଳୁ ଖେଳୁ ଯେତେବେଳେ ଗହଳ କୁନ୍ତଳ ଚକ୍ଷୁ ମୁଖ ଘୋଡ଼ାଇ ପକାଏ, କ୍ରୀଡ଼ା-ବିହ୍ୱଳା ବାଳିକାର ହାତଦେଇ ଏଡ଼ାଇବାର ଅବସର ନ ଥିବାରୁ ତାକୁ ଏକ ଅପୁର୍ବ ଭଙ୍ଗୀରେ କେବଳ ଗ୍ରୀବା ଦୋହଲାଇ ଅପସାରିତ କରେ । ବାଳିକାର ଓଠ ଦିଓଟି ପାତଳ, ଜୀବନର ଉପଚୟରେ ପକ୍ୱବିମ୍ବ ପରିରଞ୍ଜିତ, ଦେହଟି ଶଙ୍ଖମଲ ପରି ଶୁଭ୍ର ଓ ମସୃଣ, ସେଥିରେ ସ୍ୱାସ୍ଥ୍ୟ ଓ ଶୌଚର ଗୋଲପୀ ଆଭା ।

 

ନବୋଦିତ ସୂର୍ଯ୍ୟର ପ୍ରଥମ କିରଣ ବରଣ୍ଡାର ପୂର୍ବ ତୋରଣ ଦେଇ ବାଳକ ବାଳିକାଙ୍କ କ୍ରୀଡ଼ା ସ୍ଥାନରେ ପଡ଼ିଥିଲା । ପୁଷ୍କରିଣୀର ଦିଓଟି କମଳକଳିକା ପରି ଏମାନେ ପ୍ରଭାତର ତରୁଣ ଅରୁଣରଶ୍ମିରେ ଭାସି ବୁଲୁଥିଲେ ।

 

ବାଳକ ଖେଳୁ ଖେଳୁ କହିଲା, ‘‘ଦେଖ ମର୍ସିୟା, ମୁଁ ଏକା ତତେ ବାହା ହେବି । ମୁଁ ଏହିକ୍ଷଣି ସାନ ପିଲା, ଯେତେବେଳେ ବଡ଼ ହେବି, ସେତେବେଳେ ଯାଇଁ ବାହା ହେବି ।”

 

ବାଳିକା ବିସ୍ମୟବିହ୍ୱଳ ଚକ୍ଷୁ ଉତ୍ତୋଳନ କରି ନିଃସଂକୋଚରେ କହିଲା, “ଛି, ଛି, ତୁ କେମିତି ମୋତେ ବାହା ହେବୁ, ତୁ ମୋ ଭାଇଟା, ଭାଇ ଭଉଣୀ କଣ ବାହା ହୁଅନ୍ତି କି ? ତୁ ଭାରି ହୁଣ୍ଡା ତ !’’

 

ବାଳକ ଟିକିଏ ଇତସ୍ତତଃ ହୋଇ କହିଲା “ତ କିଛି ଜାଣି ନାହୁଁ, ତୁ ଯେତେବେଳେ ବଡ଼ ହେବୁ, ସେତେବେଳେ ଯାଇଁ ନା । ମର୍ସିୟା, ତୁ ନାହିଁ କର ନା ।’’

 

ବାଳିକା କହିଲା, “ନାହିଁ, ନାହିଁ, ମେଲ୍‌ସ, ମୁଁ କେମିତି ତତେ ବାହା ହେବି ? ଇଲୋ ମାଲୋ, ଏଡ଼େ ଲାଜକଥା, ନା ନା ମୁଁ ତତେ କେବେ ବାହା ହୋଇ ପାରିବି ନାହିଁ ।"

 

ବହୁବର୍ଷ ପରେ ମେଲସ୍‍ ଯେତେବେଳେ ପରିଣତ ବୟସ୍କ ଯୁବକ ଏବଂ ମର୍ସିୟା ଯୁବତୀ, ସେତେବେଳେ ମେଲସ୍‍ର ପୁନର୍ବାର ମର୍ସିୟା ସହିତ ଏହିପରି କଥାବାର୍ତ୍ତା ହୋଇଥିଲା, କାରଣ ସେହି ବାଲ୍ୟପ୍ରଣୟ ମେଲସ୍‍ର ହୁଦୟକୁ ଚିରଦିନ ଅଧିକାର କରି ରହିଥିଲା, ସେ ତାହା ଭୁଲି ପାରି ନ ଥିଲା ।

 

ମେଲସ୍‍, ପିତୃମାତୃହୀନ । ଯେଉଁ ଗୃହରେ ସେ ବାସ କରୁଥିଲା, ସେହି ଗୃହରକର୍ତ୍ତାଙ୍କ ସହିତ ତାହାର ପିତାଙ୍କର ଘନିଷ୍ଠ ବନ୍ଧୁତା ଥିଲା । ବନ୍ଧୁଙ୍କ ମୃତ୍ୟୁ ଉତ୍ତାରୁ ଗୃହକର୍ତ୍ତା ଲୁସିୟସ୍ –ବନ୍ଧୁପୁତ୍ରକୁ ନିଜ ଗୃହରେ ରଖି ପୁତ୍ର ନିର୍ବିଶେଷରେ ପାଳନ କଲେ । ଲୁସିୟସ୍‍, ବଣିକ, ସଦ୍‌ବଂଶ ଜାତ । ପରମ୍ପରାଗତ ବଂଶମର୍ଯ୍ୟାଦାରେ ସେ ଅନ୍ୟାନ୍ୟ ପ୍ରାଚୀନ ରୋମିୟବଂଶର ସମକକ୍ଷଥିଲେ ସୁଦ୍ଧା ଦରିଦ୍ର ହୋଇଯିବାରୁ ତାଙ୍କର ବଂଶପ୍ରତିପତ୍ତି ତେଡ଼େ ଅକ୍ଷୂର୍ଣ୍ଣ ରହିଲା ନାହିଁ ।

 

ଲୁସିୟସ୍ ନ୍ୟାୟପରାୟଣ, ବୁଦ୍ଧିମାନ୍ ଓ କଷ୍ଟସହିଷ୍ଣୁ । ବ୍ୟବସାୟ ଉପଲକ୍ଷରେ ସେ ବହୁ ଦେଶ ଭ୍ରମଣ କରିଥିଲେ, ଅନେକ ଲୋକଙ୍କ ସଙ୍ଗରେ ପରିଚିତ ହୋଇଥିଲେ । ସେ ପାଲେଷ୍ଟାଇନକୁ ଯାଇଥିଲେ ଏବଂ ସିଜରିୟା ଦେଶରେ କିଛିଦିନ ବାସ କରିଥିଲେ । ଏଠି ସିଗ୍‌ନିନସ ନାମରେ ଜଣେ ରୋମୀୟ ସେନାପତିଙ୍କ ସଙ୍ଗରେ ତାଙ୍କର ପରିଚୟ ହେଲା । ଏ ସେନାପତି ନିଜ ଚକ୍ଷୁରେ ଯୀଶୁଙ୍କର ମୃତ୍ୟୁଭୋଗ ଦେଖିଥିଲେ । ଦୂର ଦେଶମାନଙ୍କରୁ ଅନେକ ଲୋକ ଏ ସେନାପତିଙ୍କ ଗୃହକୁ ଆସନ୍ତି, ତ୍ରାଣକର୍ତ୍ତା ଯୀଶୁଙ୍କ ବିଷୟରେ ଅନେକ କଥୋପକଥନ କରନ୍ତୁ । ଲୁସିୟସ୍ ମଧ୍ୟ ଏହିପରି ସମୟରେ ଉପସ୍ଥିତଥାନ୍ତି । ସେ ଏହି ନବଧର୍ମର ସମାଚାର ଆଗ୍ରହର ସହିତ ଶୁଣୁଥିଲେ ଏବଂ ଶେଷରେ ତହିଁରେ ଦୀକ୍ଷିତ ହେଲେ ।

 

ଲୁସିୟସ୍ ଗ୍ୟାଲାଟା ନାମ୍ନୀ ଜଣେ ରୋମୀୟ ଯୁବତୀଙ୍କୁ ବିବାହ କରିଥିଲେ । ଗ୍ୟାଲାଟା ସୁନ୍ଦରୀ ଓ ଧାର୍ମିକା । ଗ୍ୟାଲଟାଙ୍କର ବୟସ ଲୁସି୍ୟସ୍‌ଙ୍କ ବୟସ ଅନୁପାତରେ ଢେର କମ୍ । ତାଙ୍କର ପ୍ରଫୁଲ୍ଲ ଓ କୋମଳ ସ୍ୱଭାବ ଲୁସିୟସ୍‌ଙ୍କ ଜୀବନ ମରୂରେ ଆନନ୍ଦର ଉତ୍ସ ଥିଲା । ଲୁସିୟସ୍‍ ଗମ୍ଭୀର ପ୍ରକୃତିର ଲୋକ, କିନ୍ତୁ ଆନନ୍ଦମୟୀ ଗ୍ୟାଲଟାଙ୍କର ସ୍ୱଭାବ ସୁଲଭ ପ୍ରଫୁଲ୍ଲତାର ସଂସ୍ପର୍ଶରେ ଆସି ନିଜର ସ୍ୱଭାବିକ ସଂକୋଚ ସେ କ୍ଷଣକ ନିମିତ୍ତ ଭୁଲି ଯାଉଥିଲେ । ଦାମ୍ପତ୍ୟ ପ୍ରଣୟର ଏତେ ସୁଖ ତାଙ୍କ ଭାଗ୍ୟରେ ଥିଲା ବୋଲି ଲୁସିୟସ୍ ଭାବି ନ ଥିଲେ । ଅନ୍ୟ ପକ୍ଷରେ ତାଙ୍କର ପ୍ରବୀଣତା, ଦୂରଦର୍ଶିତା ଓ ଅପରିସୀମ ଧୈର୍ଯ୍ୟ ତାଙ୍କ ପ୍ରତି ଗ୍ୟାଲଟାଙ୍କର ପ୍ରେମ ଓ ଭକ୍ତି ଆହୁରି ଗଭୀର କରିଥିଲା ।

 

ଗ୍ୟାଲାଟା ସ୍ୱାମୀଙ୍କର ଫ୍ୟାଭିୟସ୍ ନାମକ ଜଣେ ବନ୍ଧୁଙ୍କଠାରୁ ଯୀଶୁଙ୍କ ବିଷୟ ଶୁଣିଥିଲେ । ଫ୍ୟାଭିୟସ୍ ବୃଦ୍ଧ, ପାଣ୍ଡୁଲିପିର ନକଲନବିସ୍ ବ୍ୟବସାୟରେ ଯାହା ଅର୍ଜନ କରୁଥିଲେ, ତହିଁରେ ନିରୁଦ୍‌ବେଗ ଓ ଶାନ୍ତିରେ ତାଙ୍କ ଜୀବନ ଚାଲିଯାଉଥିଲା । ସେ ସ୍ଵଭାବତଃ ଭାବପ୍ରବଣ, ଅନ୍ୟାୟ ଅସହିଷ୍ଣୁ, ଯେଉଁ ଉତ୍ସାହ ସହକାରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ, ସେହି ଉତ୍ସାହ ସହକାରେ ଅନ୍ୟମାନଙ୍କ ନିକଟରେ ତାହା ପ୍ରଚାର ମଧ୍ୟ କରୁଥିଲେ ।

 

ନବଧର୍ମରେ ଏହି ସମବିଶ୍ୱାସ ସ୍ତ୍ରୀ ପୁରୁଷ ଉଭୟଙ୍କୁ ଚତୁର୍ଦ୍ଦିଗର ଦେବପୂଜକମାନଙ୍କଠାରୁ ପୃଥକ୍ କରି ପରସ୍ପରର ସମ୍ବନ୍ଧ ଆହୁରି ଘନିଷ୍ଠ ଓ ଦୃଢ଼ କରିଥିଲା । ରୋମର ଲୋକାରଣ୍ୟର ଅନ୍ତରାଳରେ ଲୁସିୟସ୍ ଓ ଗ୍ୟାଲାଟାଙ୍କର ଏହି ସାମାଜିକ ନିର୍ଜ୍ଜନବାସରେ କନ୍ୟା ମର୍ସିୟା ଜନ୍ମଗ୍ରହଣ କରି ବଢ଼ିବାକୁ ଲଗିଲା ।

 

ମାତାଙ୍କ ପ୍ରଫୁଲ୍ଲତା ଓ ପିତାଙ୍କ ଗାମ୍ଭୀର୍ଯ୍ୟ ଲାଭ କରିଥିବାରୁ ପ୍ରତିବାସୀ ବାଳକ ବାଳିକାମାନଙ୍କ ସହିତ ଖେଳିବାର ସୁଯୋଗ ନ ପାଇଲେ ସୁଦ୍ଧା ମର୍ସିୟାର ବାଲ୍ୟଜୀବନ ନିତାନ୍ତ ନିରାନନ୍ଦମୟ ନ ଥିଲା । ସେ ବାଲ୍ୟବୟସରୁ ନିର୍ଜ୍ଜନତାପ୍ରିୟ । ଏହି କ୍ଷୁଦ୍ର, ବାଳିକାକୁ ଫ୍ୟାଭିୟସ୍ କନ୍ୟା ତୁଲ୍ୟ ସ୍ନେହ କରୁଥିଲେ ଏବଂ ତାହାର ଶିକ୍ଷାର ଭାର ତାହାର ପିତାମାତା ଫ୍ୟାଭିୟସ୍‍ଙ୍କ ହସ୍ତରେ ସମର୍ପଣ କରିଥିଲେ ।

 

ଏହି ତିନି ମହାପ୍ରାଣ ବ୍ୟକ୍ତିଙ୍କ ଉଚ୍ଚ ଆଦର୍ଶରେ ମର୍ସିୟାର ବାଲ୍ୟଜୀବନ ଗଠିତ ହେବାକୁ ଲାଗିଲା । ତାହାର ଶିଶୁକଣ୍ଠ ଦରୋଟି ଭାଷାରେ କଥା କହିବାକୁ ଆରମ୍ଭ କଲାବେଳେ ପ୍ରଭୁ ଶିଷ୍ୟମାନଙ୍କୁ ଯେଉଁ ପ୍ରାର୍ଥନା କରିବାକୁ ଶିଖାଇଥିଲେ, ସେ ପ୍ରାର୍ଥନା ସେ ଆବୃତ୍ତି କରିବାକୁ ଆରମ୍ଭ କରିଥିଲା । ତାହାର ବୋଧୋଦୟ ସଙ୍ଗେ ସଙ୍ଗେ ସେ ତାହା ସକାଶେ ଓ ଜଗତର ତ୍ରାଣ ନିମିତ୍ତ କ୍ରୂଶରେ ପ୍ରାଣ ଦେଇଥିଲେ, ସେହି ତ୍ରାଣକର୍ତ୍ତାଙ୍କ ବିଷୟରେ ସେ ବୋଧ ପାଇଲା । ଯେଉଁମାନଙ୍କ ସହିତ ତାହାର ପିତାମାତା ଭଲ କରି ମିଶୁ ନ ଥିଲେ, ସେମାନଙ୍କ ସହିତ ସେ ମିଶିବାକୁ ସଂକୋଚବୋଧ କରୁଥିଲା । ଏ ସଂକୋଚ ତାହାର ସ୍ୱଭାବଗତ ହୋଇପଡ଼ିଲା । କିନ୍ତୁ ଯେଉଁମାନଙ୍କ ସହିତ ତାହାର ପିତାମାତା ମିଶୁଥିଲେ, ଏପ୍ରକାର ଅନ୍ତରଙ୍ଗ ବନ୍ଧୁବର୍ଗଙ୍କ ମଧ୍ୟରେ ତାହାର କଥୋପକଥନ ସ୍ୱଚ୍ଛନ୍ଦଥିଲା । ଏ ସମସ୍ତଙ୍କ ମଧ୍ୟରେ ସବୁଠାରୁ ବେଶି ବନ୍ଧୁତା ତାହାର ଥିଲା ଜଣକ ସହିତ, ସେ ଫ୍ୟାଭିୟସ୍ ।

 

ନୀରୋ ରୋମର ସିଂହାସନ ଆରୋହଣ କଲାବେଳେ ମର୍ସିୟାର ବୟସ ଆଠବର୍ଷ । ଯଦିବା ଏହି ସମୟରେ ସେ ବାହାର ଜଗତର ଖବର ବେଶୀ କିଛି ପାଉ ନ ଥିଲା ବୁଝୁ ନ ଥିଲା, ତଥାପି ଦେଶର ଶାସନକର୍ତ୍ତା ଓ ଲୋକସାଧାରଣ ଯେ ତାହାର ପିତାମାତା ଓ ସେମାନଙ୍କର କତିପୟ ବନ୍ଧୁଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ, ଏ କଥା ସେ ଅନୁଭବ କରି ପାରିଥିଲା ।

 

କ୍ଲଡିୟସ୍ ବାଦ୍‍ସାହଙ୍କ ସମୟରେ ଖ୍ରୀଷ୍ଟିୟାନମାନଙ୍କର ତାଡ଼ନାର ସୀମା ନ ଥିଲା । କ୍ଲଡିୟସ୍‍ଙ୍କ ପରେ ନୀରୋ ଯେତେବେଳେ ସିଂହାସନରେ ଉପବିଷ୍ଟ ହେଲେ, ତାଙ୍କଠାରୁ ଭିନ୍ନ ବ୍ୟବହାର ପାଇବେ ବୋଲି ଖ୍ରୀଷ୍ଟିୟାନମାନେ ଆଶା କରିଥିଲେ । ନୀରୋ ପରମ ରୂପବାନ୍ ଏବଂ ଲେକମାନେ ତାଙ୍କର ତରୁଣ ଯୌବନ ଓ ବିଦ୍ୟାନୁରାଗ ସମ୍ବନ୍ଧରେ ଯଥେଷ୍ଟ ସୁଖ୍ୟାତି କରୁଥିଲେ । ବିଶେଷତଃ, ସେନେକାଙ୍କ ସତ୍‌ପରାମର୍ଶରେ ଚାଳିତ ହୋଇ ନୀରୋ ଯେ ଦେଶର ସୁଶାସନ ବିଧାନ କରିବେ, ଏ ଆଶା ସମସ୍ତେ ରଖିଥିଲେ ।

 

ମର୍ସିୟାକୁ ଯେତେବେଳେ ବାର ବର୍ଷ, ସେତେବେଳେ ଗ୍ରୀସ୍ ଦେଶର ଜଣେ ରମଣୀ ପଲସ୍‍ଙ୍କଠାରୁ ଖଣ୍ଡେ ପତ୍ରନେଇ ରୋମୀୟ ଖ୍ରୀଷ୍ଟସମାଜକୁ ଆସିଥିଲେ । ପଲସ୍ ପ୍ରଥମରେ ଖ୍ରୀଷ୍ଟିୟାନମାନଙ୍କର ତାଡ଼ନାକାରୀ ଥିଲେ, କିନ୍ତୁ ପରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ସମୟରେ ପ୍ରଧାନ ଖ୍ରୀଷ୍ଟଧର୍ମ ପ୍ରଚାରକ ବୋଲି ବିଖ୍ୟାତ ହୋଇଥିଲେ । ପଲସ୍‍ଙ୍କର ଏହି ପତ୍ର ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଏକ ନବ ଉଦ୍ଦୀପନା ଆଣିଥିଲା ।

 

କାଳଚକ୍ର ଆବର୍ତ୍ତନରେ ଦିନ, ମାସ ବର୍ଷ ଗଡ଼ିବାକୁ ଲାଗିଲା ଏବଂ ତହିଁ ସଙ୍ଗେ ସଙ୍ଗେ ମର୍ସିୟା ମଧ୍ୟ ଷୋଡ଼ଷ ବର୍ଷ, ବୟସରେ ଉପନୀତ ହେଲା । ଚନ୍ଦ୍ରମା ଷୋଳକଳାରେ ପୂର୍ଣ୍ଣ ହେଲା । ମର୍ସିୟା ଅତି ସୁନ୍ଦରୀ, କିନ୍ତୁ ସେ ସୌନ୍ଦର୍ଯ୍ୟରେ ମାଦକତାର ଆଭାସ ନ ଥିଲା । ତାହା ଶାନ୍ତ ଏବଂ ଶାନ୍ତିବିଧାୟକ, ଦେଖିଲେ ଆଖି ତୃପ୍ତ ହୋଇ ଯାଉଥିଲା । ଶରୀର ବୟସ ଅନୁପାତରେ କିଞ୍ଚିତ୍‌ ଅଧିକ ଦୀର୍ଘ, ଦେଖିବାକୁ ଲବଣୀ-ପିତୁଳାଟି, ଯେପରି କି ଉତ୍ତାପ ସ୍ପର୍ଶରେ ତରଳି - ପଡିବ ! ମୁଖ ଦେବଦୂତର ମୁଖପରି ସାତ୍ତ୍ୱିକ । ଗତି ଯୌବନ ଭାରରେ ମନ୍ଥର । ଗମନଭଙ୍ଗୀ ସଙ୍ଗୀତର ଛନ୍ଦପରି ଲୁଣ୍ଠିତ, ଚରଣ ଭୂପୃଷ୍ଠ ସ୍ପର୍ଶ ନ କରି ଯେପରି ବାୟୁଲହରୀରେ ଭାସମାନ । ସତେ ଅବା ସ୍ଵର୍ଗର ଦେବଦୂତ ଧରା ତଳେ ଅବତୀର୍ଣ୍ଣ । ଏ ସୌନ୍ଦର୍ଯ୍ୟସମ୍ଭାର ଯେ ମର୍ତ୍ତ୍ୟର ପ୍ରେମପିପାସା ଆକର୍ଷଣ କରିବ, ତାହା ବଡ଼ ବେଶି ଆଶ୍ଚର୍ଯ୍ୟର ବିଷୟ ନୁହେଁ । କନ୍ତୁ ଏ ଅତୁଳନୀୟ ରୁପର ଅଧିକାରଣୀ ନିଜେ ଏ ବିଷୟରେ ଅନଭିଜ୍ଞ ଏବଂ ଜାଣିବାପାଇଁ ପ୍ରୟାସୀ ମଧ୍ୟ ନ ଥିଲା । ଯଦିବା ଦର୍ଶକ ମନରେ ଏ ରୂପ ଦେଖି ପ୍ରଣୟ ସଞ୍ଚାରିତ ହେଉଥିଲା, ମର୍ସିୟା ତାହାର ଶିକ୍ଷାଦାତା ଓ ପିତାମାତାଙ୍କ ସ୍ନେହରେ ସନ୍ତୁଷ୍ଟ ଥିବାରୁ ଏବଂ ଅନ୍ୟ କୌଣସି ସ୍ନେହର ଅଭିଳାଷିଣୀ ନ ଥିବାରୁ, ଯେଉଁମାନେ ତାହା ପ୍ରତି ପ୍ରଣୟ ପୋଷଣ କରୁଥିଲେ, ସେମାନଙ୍କର ସେ ଆଶା କେବଳ ଆଶାରେ ପର୍ଯ୍ୟବସିତ ହେଉଥିଲା ।

Image

 

ଦ୍ୱିତୀୟ ପରିଚ୍ଛେଦ

ମାର୍କସ୍

 

ଏହି ସମୟରେ ନୀରୋ ମାର୍କସ୍ ନାମରେ ଜଣେ ଉଚ୍ଚବଂଶୋଭବ ଯୁବକକୁ ରୋମର ପ୍ରିଫେକ୍‌ଟ ବା ପ୍ରଧାନ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଥିଲେ । ଏହି ପଦ ସାଧାରଣତଃ ଅନ୍ୟମାନଙ୍କୁ ଯେପରି ଦିଆଯାଏ, ମାର୍କସ୍‌କୁ ମଧ୍ୟ ସେହିପରି ଦିଆଯାଇଥିଲା, ଅର୍ଥାତ୍ ପଦ ଯୋଗ୍ୟତା ଦେଖି ଦିଆ ହେଉ ନ ଥିଲା, କିନ୍ତୁ ସେ ରୋମ ସମ୍ରାଟଙ୍କର ବେଶି ଅନୁଗ୍ରହର ପାତ୍ର, ସେହି କେବଳ ଏ ପଦ ପାଉଥିଲା । ନିଯୁକ୍ତ କଲାବେଳେ ପ୍ରଦପ୍ରାର୍ଥୀର ଦାୟିତ୍ୱବୋଧ କିଞ୍ଚିନ୍ମାତ୍ର ବିବେଚିତ ହେଉ ନ ଥିଲା । ଯେଉଁମାନେ ଉଚ୍ଚକୁଳୋଭବ ସଙ୍ଗତି ସମ୍ପନ୍ନ ଏବଂ ରାଜଦରବାରରେ ଯେଉଁମାନଙ୍କର ପ୍ରତିପିତ୍ତି, ସେହିମାନେ ପାଉଥଲେ । ଏ କ୍ଷେତ୍ରରେ ମାର୍କସର ପିତାର ଅଜସ୍ର ଧନ ସମ୍ପତ୍ତି ସକାଶରୁ -କାରଣ ସେ ତତ୍କାଳୀନ ରୋମର ସର୍ବଶ୍ରେଷ୍ଠ ଧନୀଥିଲେ~ଏବଂ ମାର୍କସ୍, ନିଜେ ନିର୍ଭୀକ, ସ୍ୱାଧୀନଚେତା ଓ କାର୍ଯ୍ୟଦକ୍ଷ ଥିବାରୁ ନୀରୋ ତାହାକୁ ଏ ପଦରେ ନିଯୁକ୍ତ କରିଥିଲେ ।

 

ସେହି ସମୟରେ ରୋମ୍‍ ନଗରୀରେ ମାର୍କସ୍‍ର ଗୃହ ପରି ସୁନ୍ଦର ଗୃହ ଖୁବ୍ କମ୍ ଥିଲା-। ତାହାର ସ୍ଫଟିକ-ଉଜ୍ଜ୍ୱଳ ସ୍ତମ୍ଭ ଓ ଚିତ୍ରିତ ଛାତଠାରୁ ଆରମ୍ଭ କରି ମର୍ମର ପାବଚ୍ଛ ପର୍ଯ୍ୟନ୍ତ ସମସ୍ତ ବିଷୟ ବିଳାସିତା, ଅର୍ଥବ୍ୟୟ, ସୌନ୍ଦର୍ଯ୍ୟବୋଧ ଓ ଶ୍ରେଷ୍ଠ ରୁଚିର ପରାକାଷ୍ଠା ପ୍ରଦର୍ଶନ କରୁଥିଲା । ମାର୍କସ୍‍ର ଗୃହପ୍ରାଙ୍ଗଣ ପୁରୁଷର ଶୌର୍ଯ୍ୟ, ନାରୀର ରୂପଲାବଣ୍ୟ, ଧନୀର ଐଶ୍ଚର୍ଯ୍ୟ, ଜ୍ଞାନୀର ପ୍ରବୀଣତା ଏ ସମସ୍ତର ମିଳନମନ୍ଦର ଥିଲା; କାରଣ ଏଠାରେ ରୋମର ବିଳାସପ୍ରିୟ ଧନୀ ଯୁବକଙ୍କଠାରୁ ଆରମ୍ଭ କରି ରାଜ୍ୟର ଶ୍ରେଷ୍ଠ ସୁନ୍ଦରୀ, ଜ୍ଞାନୀ, ମାନୀ, ସମସ୍ତଙ୍କର ସମାଗମ ଥିଲା । ସେଥିପାଇଁ ବିଳାସିତା ଓ ଅତିଥିସତ୍କାର ଘଟ୍ଟା ମାର୍କସ୍‍ର ଘରେ ଯେପରି ଆଡ଼ମ୍ବର ସହକାରେ ହୋଇଥିଲା, ରୋମର ଅନ୍ୟ କୌଣସି ଧନୀର ଘରେ ସେପରି ହେଉ ନ ଥିଲା ।

 

ମାର୍କସ୍‍ର ପିତୃକୂଳ ରୋମୀୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ସମ୍ପତ୍ତିରେ ମଧ୍ୟ ସର୍ବଶ୍ରେଷ୍ଠ । ଯେଉଁ ପ୍ରାଚୀନ ରୋମୀୟମାନେ ଯୁଦ୍ଧକ୍ଷେତ୍ରରେ ଓ ଧର୍ମାଧିକରଣରେ ରୋମର ଜାତୀୟ ଗୌରବ ଓ ଶକ୍ତି ଅକ୍ଷୂର୍ଣ୍ଣ ରଖିଥିଲେ, ମାର୍କସ୍ ର ପିତା ସେମାନଙ୍କର ସମସ୍ତ ସଦ୍‍ଗୁଣ ପାଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏହି ଗୁଣରାଶିର ସ୍ୱଚ୍ଛନ୍ଦ ପରିଚାଳନ ରୋମରେ ନିରାପଦ ନ ଥିଲା, ସେଥିପାଇଁ ସେସବୁର, ପରିଚାଳନା ନିମିତ୍ତ ସେ ମଧ୍ୟ ଚେଷ୍ଟିତ ନ ଥିଲେ । ରାଜ୍ୟରେ କୌଣସି ବିଶେଷ କାର୍ଯ୍ୟ କରିବେ ବୋଲି ଯେ ସେ ରାଜସରକାରରେ ବିଶେଷ ବିଶେଷ ସ୍ଥାନ ପୂରଣ କରିଥିଲେ, ତାହା ନୁହେଁ, କିନ୍ତୁ ତାଙ୍କର ପୂର୍ବ ବଂଶଧରମାନେ ସେହିସବୁ ସ୍ଥାନ ପୂରଣ କରିଥିଲେ, ସେପରି ନ କଲେ ବଂଶର ନିନ୍ଦା ହେବ ଭାବି ଏ ସବୁ ରାଜକାର୍ଯ୍ୟ ସେ ଗ୍ରହଣ କରିଥିଲେ । ତାଙ୍କର ପାରିବାରିକ ଜୀବନ, ତାଙ୍କର ସମାନସ୍କନ୍ଧ ଅନ୍ୟାନ୍ୟ ରୋମୀୟ ଧନିମାନଙ୍କ ତୁଳନାରେ ଅପେକ୍ଷାକୃତ ଉନ୍ନତ ଥିଲା । ତାଙ୍କ ଚିରିତ୍ରରେ ଅନେକ ଦୋଷଥିଲା, ସେ ସବୁ ତାଙ୍କ ଉଚ୍ଚପଦର ଆନୁଷଙ୍ଗିକ; କିନ୍ତୁ ସେ ସବୁକୁ ସେ ସୀମାର ବାହାରେ ଯିବାକୁ ଦେଉ ନ ଥିଲେ ଅବା ସବୁ ଦ୍ୱାରା ପରିବାରର ଶାନ୍ତିଭଙ୍ଗ ହେବାକୁ ଦେଉ ନ ଥିଲେ । ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ ପରି ଉଚ୍ଚକୁଳୋଭବା, ସୁନ୍ଦରୀ, ଜାତ୍ୟଭୀମାନିନୀ ଏବଂ ଉଚ୍ଚପଦର ସମସ୍ତ ଆଦବକାୟଦାରେ ଅଭ୍ୟସ୍ତ ଥିବାରୁ ସେ ସ୍ୱାମୀଗୃହର ଆଦବକାୟଦା ଓ ପଦମର୍ଯ୍ୟାଦା ଅକ୍ଷୂର୍ଣ୍ଣଭାବରେ ରକ୍ଷା କରିଥିଲେ । ସେ ସମସାମୟିକ ରୋମୀୟ ନାରୀମାନଙ୍କ ଚରିତ୍ରର ଉଚ୍ଛୃଙ୍ଖଳତାକୁ ଘୃଣାଚକ୍ଷୁରେ ଦେଖୁଥିଲେ । ତାଙ୍କ ସ୍ୱାମୀଙ୍କ ଚରିତ୍ରର ଶିଥିଳତା କେବେ ତାଙ୍କର ଦୃଷ୍ଟି ପଥାରୂଢ଼ ହେଉ ନ ଥିଲା ଏବଂ ସ୍ୱାମୀଙ୍କର ଯତ୍‌ସମାନ୍ୟ ପ୍ରଣୟ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବାରୁ ପରିବାର ବାହାରେ ତାଙ୍କ ଚରିତ୍ରର ତତ୍ତ୍ୱ ନେବାକୁ ସେ କେବେ କୌତୁହଳ ଅନୁଭବ କରୁ ନ ଥିଲେ ।

 

ଗୋଟିଏ ବନ୍ଧନ ଏ ଦୁଇ ପ୍ରାଣକୁ ଦୃଢ଼ଭାବରେ ଏକତ୍ର ବାନ୍ଧି ରଖିଥିଲି, ତାହା ଏକମାତ୍ର ପୁତ୍ର ମାର୍କସ୍ ପ୍ରତି ଉଭୟଙ୍କର ଗଭୀର ସ୍ନେହ। ମାକସ୍ ସେମାନଙ୍କର ସମସ୍ତ ଉଚ୍ଚ ଅଭିଳାଷର ଏକମାତ୍ର କେନ୍ଦ୍ର । ସେ ଯେତେ ବୟସ ଓ ଜ୍ଞାନରେ ବଢ଼ିଲା ତାହାପାଇଁ ସେମାନଙ୍କର ସେତେ ଆଶା ଓ ଆକାଂକ୍ଷା ବଢ଼ିଲା । ମାର୍କସ୍ ରୋମର ଲୁପ୍ତ ଗୌରବ ଉଦ୍ଧାର କରିବ ବୋଲି ସେମାନେ ମନେ କରିଥିଲେ, ସେଥିପାଇଁ ଯଥୋପଯୁକ୍ତ ଶିକ୍ଷା ଓ ସୁଯୋଗ ଦେବାକୁ ତ୍ରୁଟି କରି ନ ଥିଲେ ।

 

ସେ ସମୟରେ ରୋମର ଅନ୍ୟାନ୍ୟ ଧନୀ ସନ୍ତାନମାନଙ୍କ ପରି ମାର୍କସ୍‍କୁ କୌଣସି ଗୋଟାଏ ଧାତ୍ରୀ ଓ ଅଜ୍ଞାତକୁଳଶୀଳ କ୍ରୀତଦାସ ହାତରେ ଛାଡ଼ି ଦିଆଯାଇ ନ ଥିଲ, କନ୍ତୁ ତାହାର ତତ୍ତ୍ୱାବଧାନ ନିମନ୍ତେ ଜଣେ ସୁଶିକ୍ଷିତା ଓ ସୁଚରିତ୍ରା ଗ୍ରୀକ୍ ଧାତ୍ରୀ ଓ ପରିଚର୍ଯ୍ୟା ନିମନ୍ତେ ସୁଚରିତ୍ର କ୍ରୀତଦାସ ସବୁ ନିଯୁକ୍ତ ହୋଇଥିଲେ । ମାର୍କସ୍‍କୁ ପାଖଛଡ଼ା କରିବାକୁ ପଡ଼ିବ ବୋଲି ତାହାର ପିତାମାତା ଅନେକ ସମୟରେ ସମାଜର ଖାତିର ଅବା ବନ୍ଧୁବାନ୍ଧବଙ୍କର ନିମନ୍ତ୍ରଣ ରକ୍ଷା କରୁ ନ ଥିଲେ ।

 

ସେମାନେ ଅତୀବ ସତର୍କତା ସହିତ ସନ୍ତାନକୁ ସଦାବେଳେ ନିଜ ନିଜ ଚରିତ୍ରର ଉତ୍କୃଷ୍ଟ ଅଂଶ ଦେଖିବାକୁ ଦେଉଥିଲେ । ତାହାର ଶିକ୍ଷା ନିମନ୍ତେ ବାଛି ବାଛି ଉପଯୁକ୍ତ ଶିକ୍ଷକ ନିଯୁକ୍ତ କରିଥିଲେ । ସେତେବେଳେ ରୋମରେ ଉପଯୁକ୍ତ ଶିକ୍ଷକ ଦୁର୍ଲ୍ଲଭ ହେଲେ ସୁଦ୍ଧା ବହୁ ଅର୍ଥବ୍ୟୟ କରି ସେମାନଙ୍କୁ ଅଣା ହୋଇଥିଲା । ଏମାନଙ୍କ ସାହାଯ୍ୟରେ ମାର୍କସ୍ ରୋମର ସାହିତ୍ୟ ଓ ଇତିହାସ, ଗ୍ରୀକ୍ କାବ୍ୟ, ନାଟକ, ଇତିହାସ ଓ ଦର୍ଶନରେ ବିଲକ୍ଷଣ ବ୍ୟୁତ୍ପତ୍ତି ଲାଭ କରିଥିଲା । ପିତାମାତାଙ୍କଠାରୁ ଅନେକ ବିଷୟରେ ବେଶି ପ୍ରଶୟ ପାଉଥିଲେ ସୁଦ୍ଧା ଉତ୍ତମ ଶିକ୍ଷକଙ୍କ ହାତରେ ପଡ଼ିବାରୁ ସେମାନଙ୍କ ଶାସନରେ ତାହାର ଚରିତ୍ରର ଉଚ୍ଛୃଙ୍ଖଳତା ବହୁପରିମାଣରେ ପ୍ରଶମିତ ହୋଇଥିଲା । ପ୍ରତିଭାର ପରିଚୟ ସେ ବାଲ୍ୟକାଳରୁ ଦେଇଥିଲା । ପଢ଼ିବା ସକାଶେ ତାକୁ ଯଦିବା କୌଣସି ଆଇନ କାନୁନ ଭଲ ଲଗୁ ନ ଥିଲା, ତଥାପି ଯେଉଁ ବିଷୟ ତାହାର ମନୋମତ ହେଉଥିଲା, ସେ ବିଷୟକୁ ଆୟତ୍ତ କରିବା ନିମିତ୍ତ ସେ ଅଧ୍ୟବସାୟର କୌଣସି ତ୍ରୁଟି କରୁ ନ ଥିଲା । ମହତ୍‌ କାର୍ଯ୍ୟର କଥା ପଢ଼ିଲେ ସେହିପରି କାର୍ଯ୍ୟ ସାଧନ କରିବାକୁ ଆକାଂକ୍ଷା ମଧ୍ୟ ଜାଗ୍ରତ ହୋଇ ଉଠୁଥିଲା । ସେ ବାଲ୍ୟଜୀବନ ଯେ କେବଳ ପରିବାରବର୍ଗର ସାହଚର୍ଯ୍ୟ ଓ ଅଧ୍ୟୟନରେ କଟାଉଥିଲା, ତାହାନୁହେଁ, ସମବୟସ୍କ ଯୁବାମାନଙ୍କ ସଙ୍ଗରେ ମଧ୍ୟ ସମୟଯାପନ କରୁଥିଲା ।

 

ମାର୍କସ୍‍ର ପିତାମାତା ପୁତ୍ରର ନୈତିକ ଜୀବନ ଗଠନ କରିବାରେ ତେଡ଼େ ଯତ୍ନଶୀଳ ନ ଥିଲେ; ସେଥିପାଇଁ ତତ୍‍କାଳୀନ ଧନୀ ରୋମକ ସମାଜରେ ଯେଉଁ ସବୁ ଦୋଷ ସର୍ବସାଧାରଣ, ସେ ସବୁ ଦୋଷ ମାର୍କସ୍ ର ଚରିତ୍ରରେ ଦେଖି ସୁଦ୍ଧା ତାହାର ନିରାକରଣରେ ତତ୍ପର ହେଉ ନ ଥିଲେ । କାବ୍ୟ, ଦର୍ଶନ ଆଦି ପଢ଼ିବାଦ୍ୱାରା ଜୀବନର ଆଦର୍ଶକୁ ବାସ୍ତବରେ ପରିଣତ କରିବାର ଇଚ୍ଛା ମାର୍କସ୍ ମନରେ ବଳବତୀଥିଲେ ସୁଦ୍ଧା ଭୌତିକ ଭୋଗସୁଖରେ ଇନ୍ଦ୍ରିୟଲାଳସା ପରିତୃପ୍ତ କରିବାକୁ ତାହାର ଚରିତ୍ରରେ ପଶୁଭାବର ଯଥେଷ୍ଟ ପ୍ରରୋଚନା ମଧ୍ୟ ଥିଲା; ତହିଁ ଉପରେ ଖରଚ ପାଇଁ ହସ୍ତରେ ଯଥେଷ୍ଟ ଅର୍ଥ ଥିବାରୁ ଉପାୟ ଓ ଅବସରର ଅଭାବ ମଧ୍ୟ ନ ଥିଲା; କିନ୍ତୁ ଅନେକ ସମୟରେ ତାହାର ମନୁଷ୍ୟତ୍ୱବୋଧ ସେହି ସମୟର ବିଳାସପ୍ରିୟ ଧନୀଯୁବକଙ୍କର ଅଧୋଗତି କାପୁରୁଷତାରୁ ତାକୁ ରକ୍ଷା କରୁଥିଲା । ଏପ୍ରକାର ଯୁବକମାନଙ୍କ ସଙ୍ଗରେ ସେ କଦାଚିତ୍ ମିଶୁଥିଲା, କାରଣ ତାହା ଅପେକ୍ଷା ବୀରୋଚିତ ବ୍ୟାୟାମ ଓ ଯୁଦ୍ଧବିଦ୍ୟା ଶିକ୍ଷା କରିବାରେ ସେ ଅଧିକ ଆନନ୍ଦ ଅନୁଭବ କରୁଥିଲା । ପ୍ରୟୋଜନ ନ ଥିଲେ ସୁଦ୍ଧା ସେ ସ୍ୱଇଚ୍ଛାରେ ଅନେକଥର ସୀମାନ୍ତ ପ୍ରଦେଶକୁ ଯାଇ ଅସଭ୍ୟ ଜର୍ମାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲା ।

 

ଏମାନଙ୍କ ସହିତ ଯୁଦ୍ଧ କଲାବେଳେ ଏମାନଙ୍କର ରୀତିନୀତିର ଗୋଟିଏ ବିଷୟ ତାହାର ମନୋଯୋଗ ବିଶେଷଭାବରେ ଆକର୍ଷଣ କରିଥିଲା । ତାହା ଜର୍ମାନ ସ୍ତ୍ରୀର ପତିଭକ୍ତି ଓ ଦାମ୍ପତ୍ୟପ୍ରଣୟ । ସେମାନେ ଦୁଃଖ ଓ ବିପଦରେ ସ୍ୱାମୀର ସହଭାଗୀ, ଯୁଦ୍ଧବେଳେ ମଧ୍ୟ ସେମାନଙ୍କର ସହଯୋଗୀ । ଏମାନଙ୍କ ମଧ୍ୟରେ ବ୍ୟଭିଚାରୀର ଦଣ୍ଡ ଆଶୁ ଓ ନିର୍ଦ୍ଦୟ ହେଉଥିଲା । ଏମାନେ ବହୁସ୍ୱାମୀ ବିବାହ କରୁ ନ ଥିଲେ । ଗୋଟିଏ ସ୍ତ୍ରୀର ଗୋଟିଏ ସ୍ଵାମୀ ଏବଂ ସ୍ତ୍ରୀର ସମସ୍ତ ପ୍ରଣୟପରିଧିର କେନ୍ଦ୍ର, ସ୍ୱାମୀ । ରୋମୀୟ ସୈନିକମାନଙ୍କ ଶିବିରରେ ଏହି ସ୍ୱାମୀଭକ୍ତି ଅନେକ ସମୟରେ ଉପହାସର ବିଷୟ ହେଉଥିଲା । ବିଶେଷରେ, ଏହି କଠୋର ସ୍ୱାମୀଭକ୍ତି ଯଦି ରୋମରେ ପ୍ରଚଳିତ ହୁଅନ୍ତା, ତାହାହେଲେ ରୋମର ସମ୍ଭ୍ରାନ୍ତ ମହିଳାମାନଙ୍କ ଜୀବନ କିପରି ନୀରସ ହୋଇଯାନ୍ତା, ତାହା ଭାବି ସେମାନେ ଅନେକ ରହସ୍ୟ କରୁଥିଲେ । କିନ୍ତୁ ମାର୍କସ୍ ର ମହତ୍ ପ୍ରାଣ ସଙ୍ଗଦୋଷରେ କଳୁଷିତ ହେଲେ ସୁଦ୍ଧା ସ୍ତ୍ରୀ ଜୀବନର ଏ ଉଚ୍ଚ ଆଦର୍ଶର ଗୌରବ ଅନୁଭବ କରି ପାରୁଥିଲା । ମାର୍କସ୍ କୁ ସୈନିକ ଜୀବନ ବେଶି ଦିନ ଯାପନ କରିବାକୁ ହୋଇ ନ ଥିଲା । ତାହାର ମାତାଙ୍କର ହଠାତ୍ ମୃତ୍ୟୁ ହେବାରୁ ପିତା ପୁତ୍ରକୁ ନିଜ ପାଖକୁ ଘେନି ଆସିଲେ ।

 

ଅଳ୍ପଦିନ ଉତ୍ତାରୁ ପିତା ମଧ ମାତାର ଅନୁଗାମୀ ହେଲେ । ଏହିପ୍ରକାରେ ପିତା ଓ ମାତା ଉଭୟଙ୍କର ସମ୍ପତ୍ତି ପାଇ ମାର୍କସ୍ ରୋମରେ ସର୍ବଶ୍ରେଷ୍ଠ ଧନୀ ବୋଲି ବିବେଚିତ ହେଲା, ସେଥିପାଇଁ ନୀରୋ ନିକଟରେ ମଧ୍ୟ ତାହାର ସମ୍ମାନ ବଢ଼ିଲା ।

 

ନୀରୋର ଦରବାରରେ ଅନେକ ଜଘନ୍ୟ ଚରିତ୍ର ଅମାତ୍ୟ ଥିଲେ । ଅତି କଷ୍ଟରେ ମାର୍କସ୍, ଏ ପ୍ରକାର ଲୋକଙ୍କ ସଙ୍ଗରୁ ଆପଣାକୁ ରକ୍ଷା କରୁଥିଲା, କିନ୍ତୁ ଏହା କରିବାରୁ ଫଳ ଏହି ହେଲା ଯେ, ଏମାନେ ତାହାର ଚିରଶତ୍ରୁ ହୋଇ ଉଠିଲେ । ଏହି ପ୍ରକାର ଅମାତ୍ୟଙ୍କ ମଧ୍ୟରେ ଟିଗେଲିନସ୍ ପ୍ରଧାନ । ସେ ନୀରୋର ସମସ୍ତ ପାପ କାର୍ଯ୍ୟର ସହାୟ । ସେ ମାର୍କସ୍ ର ପ୍ରଧାନ ଶତ୍ରୁ ହେଲା । ଟିଗେଲିନସ୍ ନିକଟରେ କୌଣସି ପ୍ରକାର ଗହତ କାର୍ଯ୍ୟ ଅସମ୍ଭବ ନ ଥିଲା । ସେ ସ୍ୱାର୍ଥପର ଓ ନିଷ୍ଠୁରତାରେ ପରିପୂର୍ଣ୍ଣ । ମାର୍କସ୍ ନୀରୋର ପ୍ରିୟପାତ୍ର ହୋଇ ଉଠିବାରୁ ଟିଗେଲିନସ୍ ର ହିଂସାର ଅବଧି ରହିଲା ନାହିଁ । କିପରି ତାକୁ ନୀରୋର ବିରାଗଭାଜନ କରିବ, ତାହା ହିଁ ସେ ଖୋଜି ବୁଲିଲା ।

Image

 

ତୃତୀୟ ପରିଚ୍ଛେଦ

ନୀରୋ

 

ନୀରୋର ଅଭ୍ୟର୍ଥନା ପାଇଁ ଟିଗେଲିନସ୍‌ ଗୋଟିଏ ମହାଭୋଜର ଆୟୋଜନ କରିଥିଲା-। ଲୋକମାନେ ପରସ୍ପର ମଧ୍ୟରେ ଶୁଣିବାକୁ ପାଇଲେ, ନୀରୋର ଅଭ୍ୟର୍ଥନା ପାଇଁ ଇତିପୂର୍ବେ ରୋମରେ ଯେତେ ଭୋଜର ଆୟୋଜନ ହୋଇଥିଲା, ଟିଗେଲିନ୍‍ସର ଏ ଭୋଜ ଆଡ଼ମ୍ବର, ଯଥେଚ୍ଛାଚାରିତା ଓ ବୀଭତ୍ସ ବିଳାସିତାରେ ସେ ସମସ୍ତଙ୍କୁ ବଳିଯିବ । ଭୋଜଦିନ ରୋମର ରାଜକାର୍ଯ୍ୟ ବ୍ୟବସାୟ ବାଣିଜ୍ୟ, ସ୍କୁଲ, ସିନେଟ, ସମସ୍ତ ବନ୍ଦ ହେଲା । ଏହି ସମୟର ରୋମୀୟ ଜନସାଧାରଣଙ୍କ ନୈତିକ ଚରିତ୍ରର ଏପରି ଅଧୋଗତି ହୋଇଥିଲା ଯେ, ଯଦିବା ଏ ଭୋଜର ନିର୍ଲ୍ଲଜତା ଓ ବିଭତ୍ସତା ବିଷୟ ସମସ୍ତ ଉତ୍ତମରୁ ଜାଣିଥିଲେ, ତଥାପି ସେମାନେ ଯେପରି ଏହି ବୀଭତ୍ସ ଦୃଶ୍ୟ, ନରକର ଏହି ତାଣ୍ଡବ ଭଲରୂପେ ଦେଖି ପାରିବେ, ଏଥିପାଇଁ ପିତାମାନେ ନିଜ ନିଜ ପିଲାମାନଙ୍କ ନିମନ୍ତେ ଭୋଜର ବହୁଦିନ ପୂର୍ବରୁ ଦେଖିବାର ସ୍ଥାନ ଆୟୋଜନ କରିବାକୁ ଲଗିଲେ । କେବଳ ମୁଷ୍ଟିମେୟ ଖ୍ରୀଷ୍ଟିୟାନ ଏକପ୍ରକାର ଭୋଜକୁ ଘୃଣା ଚକ୍ଷୁରେ ଦେଖୁଥିଲେ । ଟିଗେଲିନସ୍ ର ଏହି ଉତ୍ସବ ଦିନରେ ସେମାନେ ଘରୁ ବାହାରିବେ ନାହିଁ ବୋଲି ସ୍ଥିର କରିଥିଲେ ।

 

ନୀରୋର ଅହଙ୍କାର ସୀମା ଅତିକ୍ରମ କରିବାକୁ ଲଗିଲା । ସମଗ୍ର ରୋମର ଷୋଡ଼ଶୋପଚାର ପୂଜା ତାହା ନିକଟରେ ଯଥେଷ୍ଟ ବୋଲି ବିବେଚିତ ହେଲା ନାହିଁ । ନିଜର ଶୌର୍ଯ୍ୟ, ସମ୍ପଦ ଓ ପଦମର୍ଯ୍ୟଦା ବିଷୟ ଭାବି ଭାବି ସେ ଆପଣାକୁ ଆଉ ମନୁଷ୍ୟ ବୋଲି ମନେ କଲା ନାହିଁ, ମନେ କଲି, କୌଣସି ଦେବତା, ସମ୍ଭବତଃ ପ୍ରଧାନ ଦେବତା, ଶାପଭ୍ରଷ୍ଟ ହୋଇ ପୃଥିବୀରେ ବାସ କରୁଛି । ସେଥିପାଇଁ ଯେଉଁ ଦେବପୂଜାରେ ତାହାର ପୂଜା ହେଉ ନ ଥିଲା, ସେ ଦେବତାର ପୂଜାକାରୀ ଦଣ୍ଡ ପାଉଥଲା । ଏଣିକି ତାହାର ପ୍ରସ୍ତରମୟୀ ମୂର୍ତ୍ତି ନିକଟରେ ଧୂପ ନୈବେଦ୍ୟ ଉତ୍ସର୍ଗ କରାଗଲା । ତାହାର କୌଣସି ଉତ୍ସାବାଦି କୌଣସି ନିମନ୍ତ୍ରିତ ବ୍ୟକ୍ତି ଅନୁପସ୍ଥିତ ହେଲେ ତାହାର ବିଚାର ଆଶୁ ଏବଂ ଦଣ୍ଡ ନିଶ୍ଚିତ ହେଉଥିଲା । ଏମନ୍ତ କି, କୌଣସି ପ୍ରକାର ପରୋକ୍ଷ ଅବମାନନା ନୀରୋର ସହ୍ୟ ହେଉ ନ ଥିଲା, ଫଳସ୍ୱରୂପ ଅବମାନନାକାରୀକୁ ଶୀଘ୍ର କେବଳ ରୋମ ନୁହେଁ, ଇହଜଗତ୍ ପରିତ୍ୟାଗ କରିବାକୁ ହେଉଥିଲା ।

 

ଯାବତୀୟ ଦୁଷ୍କୃତିରେ ଟିଗେଲିନସ୍‍ ନୀରୋକୁ ଟପି ଯାଇଥିଲା । ସେ ଯେପରି ଦୟାମାୟା ବିବର୍ଜିତ, ସେହିପରି ଲଜ୍ଜାଶୂନ୍ୟ । ଅବାରିତ ଲମ୍ପଟତା ଓ ନିଷ୍ଠୁରତାରେ ନୀରୋକୁ ନିମଜ୍ଜିତ କରିବା ନିମିତ୍ତ ପାପବୁଦ୍ଧି ଯେପରି ଟିଗେଲିନସ୍ ର ମୂର୍ତ୍ତି ଧରି ଜନ୍ମଗ୍ରହଣ କରିବାକୁ କେବଳ ତାହାର ଉଦ୍ଭାବନୀଶକ୍ତି ସମର୍ଥ ହୋଇଥିଲା ।

 

ଆଗ୍ରିପା ହ୍ରଦରେ ଏକ ପ୍ରକାଣ୍ଡ ଭେଳା ପ୍ରସ୍ତୁତ ହେଲା । ଏହି ଭେଳାରେ ଭୋଜର ଅୟୋଜନ ହୋଇଥିଲା । ଏଥିରେ ବିଳାସିତାର ସାଜସଜ୍ଜା କବି କଳ୍ପନାକୁ ବଳିଯାଇଥିଲା -ସତେ ଅବା ଦେବଭୋଗ୍ୟ ନନ୍ଦନ ଆଗ୍ରିପାରେ ଭାସି ବୁଲୁଥିଲା । ଉପରେ ସ୍ଫଟିକଯଷ୍ଟି ବିଳମ୍ବିତ ନାନା ବର୍ଣ୍ଣର ଝାଲର ବେଷ୍ଟିତ ମଖମଲ ଚନ୍ଦ୍ରାତପ ଦୀପାଧାରର ଆଲୋକରେ ବିଦ୍ୟୁତ୍ ଖେଳାଉଥିଲା । ଦୀପାଧାରନିଃସୃତ ଗନ୍ଧଲହରୀରେ ବାୟୁମଣ୍ଡଳ ଆଲୋଡ଼ିତ । ତଳେ ଭେଳା ଉପରେ ସୁଖସ୍ପର୍ଶ ଗାଲିଚା; ଗାଲିଚା ଉପରେ ରେଶମାବୃତ ସୁକୋମଳ ଆସନ । ଭେଳାର ଏକଆଡ଼ୁ, ରୋମର ଶ୍ରେଷ୍ଠ ନର୍ତ୍ତକୀର ସ୍ଵରଲହରୀ ତାହାର ନୂପୁରନିକ୍ୱଣରେ ପ୍ରଶମିତ ହୋଇ ଭେଳାଯାକ ଭାସି ବୁଲୁଥିଲା । ସୁନ୍ଦରୀଦଳ ଏ ଭାସମାନ ନନ୍ଦନକୁ ମୃଦୁ ମଧୁର କ୍ଷେପଣୀ କ୍ଷେପଣରେ ଇତସ୍ତତଃ ବାହୁଥିଲେ । ହ୍ରଦର ଉଭୟ କଳରେ ସୁସଜ୍ଜିତ ତମ୍ୱୁମାନଙ୍କରେ ରୋମର ସମ୍ଭ୍ରାନ୍ତ ପୁରନାରୀମାନେ ବିଳାସବ୍ୟସନରେ ବ୍ୟସ୍ତଥିଲେ ।

 

ଭେଳାର ମଧ୍ୟସ୍ଥାନର ଅୟୋଜନ ଓ ସାସଜ୍ଜାର ଆଡ଼ମ୍ବର ଅତୁଳନୀୟ । ସେଠି ସୁକୋମଳ ମଖମଲ ଆସନରେ ଅର୍ଦ୍ଧଶାୟିତ ଅବସ୍ଥାରେ ନୀରୋ ଅଖପାଖରେ ପ୍ରଜାରକ୍ତ ପରିପୁଷ୍ଟ ରାଜପ୍ରସାଦ ଭୋଜୀ ଅଭିଜାତଗଣ, ବାମ ପାଖରେ ସମ୍ରାଜ୍ଞୀ ପୋପୀୟା, ପଦତଳେ ଯାହାକୁ ସେ ମୁକ୍ତି ପ୍ରଦାନ କରିଥିଲା, ସେହି ସୁନ୍ଦରୀଶ୍ରେଷ୍ଠା କ୍ରୀତଦାସୀ ଆକ୍‌ଟେ । ଅଳ୍ପଦୂରରେ ମାର୍କସ୍ ଦଣ୍ଡାୟମାନ, ମୁଖରେ ବିରକ୍ତିର ରେଖା ସୁସ୍ପଷ୍ଟ । ବେଶଭୁଷା ସୁସଙ୍ଗତ ଓ ସୁରୁଚିବ୍ୟଞ୍ଜକ । ଏ ସମସ୍ତ ଚାକଚକ୍ୟ ଓ ଆଡ଼ମ୍ବରର ପ୍ରତିଯୋଗିତା ମଧ୍ୟରେ ମାର୍କସ୍ ର ଅନନ୍ୟ ପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ ବାରି ହୋଇ ପଡ଼ୁଥିଲା ।

 

ପୋପୀୟା ମେଘନିବିଡ଼ ନେତ୍ରପକ୍ଷ ଉତ୍ତୋଳନ କରି ମାର୍କସ୍ ଆଡ଼କୁ ଲାଳସାବିଳୋଳ ବିଦ୍ୟୁତ ବର୍ଷଣକଲା, ତତ୍ପରେ ନୀରୋ ଆଡ଼କୁ ଚାହିଁ କହିଲା, ‘‘ଦେଖୁଛ, ମାର୍କସ ଯେପରି କି ଏକ ଭାବରେ ବିଭୋର; ବଡ଼ ଚୁପ୍‍ ଚାପ୍ ।’’

 

ନୀରୋ ଫେରି ମାର୍କସ୍ ଆଡ଼କୁ ଅନାଇଲା ଓ ପାଖକୁ ଅସିବାକୁ ସଙ୍କେତ କଲା । ମାର୍କସ୍ ଧୀର ଗମ୍ଭୀର ପାଦବିକ୍ଷେପରେ ନୀରୋ ଆଡ଼କୁ ଅସିଲା, ସେଥିରେ ଅନ୍ୟାନ୍ୟ–ଅମାତ୍ୟଙ୍କର ନିକୃଷ୍ଟ ତୋଷାମୋଦର ସାମାନ୍ୟ ଆଭାସ ସୁଦ୍ଧା ନ ଥିଲା ।

 

ନୀରୋ ହ୍ରଦର ତୀରବର୍ତ୍ତୀ ଜଘନ୍ୟ ଦୃଶ୍ୟ ଆଡ଼କୁ ହାତ ବଢ଼ାଇ କହିଲା, ‘‘ମାର୍କସ୍, କିପରି ହୋଇଛି ?"

 

ମାର୍କସ୍ କହିଲା, ‘‘ସିଜର୍, ଏହା ଟିଗେଲିନ୍‍ସର ଉପଯୁକ୍ତ ହୋଇଛି ।'

 

ଟିଗେଲିନସ୍‍ର କହିଲା, “ମାର୍କସ୍‍ର ନୁହେ ପରା ?’’ ମାର୍କସ୍ ଉତ୍ତର ଦେଲା, ‘‘ଅବଶ୍ୟ ମାର୍କସ୍‍ର ମସ୍ତିସ୍କରୁ ଏ ବୁଦ୍ଧି ବାହାରି ପାରି ନ ଥାନ୍ତା, ତାହାର ସେପରି ରୁଚି ନାହିଁ, କି କଳ୍ପନାରେ ସେପରି ଶକ୍ତି ନାହିଁ ।’

 

‘‘ରୁଚି–ମାର୍କସ୍ ର ରୁଚି ଅଛି; କିନ୍ତୁ ସେ ଭିନ୍ନ ପ୍ରକାର । ମାର୍କସ୍‍, ତୁମର ଶେଷ ଥରର ଭୋଜି ବଡ଼ ଚମତ୍କାର ହୋଇଥିଲା, କିନ୍ତୁ ମଜଲିସ୍‍ଟା ଏପରି ସରଗରମ୍‍ ନ ଥିଲା, ବଡ଼ ଥଣ୍ଡା, ମାର୍କସ, ବଡ଼ ଥଣ୍ଡା । ରମଣୀମାନେ ବଡ଼ ସୁନ୍ଦର କେବଳ ଦେଖିବାକୁ; କିନ୍ତୁ ହି, ହି,- ବଡ଼ ନୀରସ, ବଡ଼ ଚୁପ୍‍ଚୁାପ୍‍, ଏପରି ନୁହନ୍ତି । ଦେଖିଲ, -ସେଠି କେମିତି ହସ କୌତୁକର ଫୁଆରା ଫିଟିଛି, ବିଜୁଳି ଖେଳୁଛି ।” ଏହା କହି ନିର୍ଲ୍ଲଜ ଲମ୍ପଟୀ ନୀରୋ ତୀରୋବର୍ତ୍ତୀ ଉନ୍ମୁକ୍ତଦ୍ୱାର ତମ୍ବୁ ମଧ୍ୟରେଥିବା ଦଳେ ଯୁବତୀଙ୍କ ଆଡ଼କୁ ହାତ ବଢ଼ାଇଲା ।

 

ମାର୍କସ୍ ଏକପ୍ରକାର ଘୃଣା ଓ ବିରକ୍ତିର ସହିତ ସେଆଡ଼ୁ ମୁଖ ଫେରାଇ ଆଣିଲା - ଯେ, ତାହା ପୋପୀୟାର ତୀକ୍ଷ୍‍ଣଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ମାର୍କସ୍ ର ଇତର ବିଶେଷ ସମସ୍ତ ପ୍ରକାର ଗତିବିଧିରେ ପୋପୀୟାର ଚାତକ ପ୍ରାଣ ମାର୍କସ୍ ଆଡ଼କୁ ଚାହିଁ ବସିଥିଲା । ମାର୍କସ୍ ର ଏ ଭାବାନ୍ତର କାଳେ ନୀରୋ ଆଖିରେ ପଡ଼ିବ, ଏହି ଭୟରେ ମାର୍କସ୍ କୁ ରକ୍ଷା କରିବାପାଇଁ ପୋପୀୟା ଶୀଘ୍ର ଆପଣାର ହାତପଙ୍ଖା ତଳେ ପକାଇଦେଲା ଏବଂ ତାହା ତଳୁ ଗୋଟାଇ ଦେବାପାଇଁ ମାର୍କସ୍ କୁ ଆହ୍ୱାନ କଲା ।

 

ପୋପୀୟା ଅସାଧାରଣ ସ୍ତ୍ରୀଲୋକ, ନୀରୋ ଉପରେ ତାହାର ପ୍ରଭାବ ଅପ୍ରତିହତ । ନୀରୋ ତାହା ହସ୍ତରେ ଯନ୍ତ୍ରଚାଳିତ ପୁତ୍ତଳି । ଅନ୍ତତଃ ପୋପୀୟା ଓ ଆକ୍‌ଟେ ଚଞ୍ଚଳମତି ନୀରୋର ହୃଦୟରେ ଯେପରି ଆଧିପତ୍ୟ ବିସ୍ତାର କରିଥିଲେ, ତାହାର ଅନ୍ୟ କୌଣସି ପତ୍ନୀ ବା ଉପପତ୍ନୀ ସେପରି କରି ପାରି ନ ଥିଲେ । କିନ୍ତୁ ପୋପୀୟା କ୍ୱଚିତ୍ ନୀରୋକୁ କୌଣସି ହିତକର କାର୍ଯ୍ୟରେ ପ୍ରବୃତ୍ତ କରାଉଥିଲା । ସେ ନିଜେ ଉଚ୍ଚାଭିଳାଷିଣୀ ଆଧିପତ୍ୟ ବିସ୍ତାର ନିମିତ୍ତ ନୀରୋ ପରି ହିତାହିତ ବିଚାରଶୂନ୍ୟ । ପୋପୀୟା ଅସାମାନ୍ୟ, ରୂପବତୀ ସତେ ଅବା ସ୍ଵର୍ଗର ପରୀ । ସ୍ଵର୍ଣ୍ଣାଭ ଗହଳ କୁନ୍ତଳ ଖୋଲି ଯେତେବେଳେ ସେ ପିଠି ଉପରେ ରେଶମର ତରଙ୍ଗ ଖେଳାଏ, ଯେତେବେଳେ ଆକାଶ ପରି ସ୍ୱଚ୍ଛ ଓ ନିର୍ମଳ ଚକ୍ଷୁଦ୍ୱୟ ଉଠାଇ ସେ କଥା କହେ, ସେତେବେଳେ ସେଥିରେ ଯେଉଁ ଶିଶୁସୁଲଭ ଅମାୟିକତା ଫୁଟି ଉଠେ, ତାହା ଦେଖି, ସେଥିରେ ଧୃର୍ତ୍ତତାର ତୀବ୍ର ହଳାହଳ ଯେ ଏପ୍ରକାର ପ୍ରଚ୍ଛନ୍ନ, ଏହା ପୋପୀୟାକୁ ନ ଜାଣିବା ଲୋକ ଶୀଘ୍ର ବିଶ୍ୱାସ କରି ପାରୁ ନ ଥିଲା । ନୀରୋ ପ୍ରତି ତାହା ହୃଦୟରେ ତିଳେମାତ୍ର ପ୍ରେମ ନ ଥିଲା । ପାପପ୍ରବଣତା ଓ ଉଚ୍ଛୃଙ୍ଖଳତାରେ ସେ ନୀରୋ ଅପେକ୍ଷା କୌଣସି ଅଂଶରେ ହୀନ ନ ଥିଲେ ସୁଦ୍ଧା ପାପାନୁଷ୍ଠାର ନିମିତ୍ତ ନୀରୋର ନୀଚତା ସ୍ୱୀକାରକୁ ସେ ଘୃଣାଚକ୍ଷୁରେ ଦେଖୁଥିଲା । ପୋପୀୟାର ପାପାନୁଷ୍ଠାନରେ ଦେଶକାଳ ପାତ୍ରର ବିଚାରଥିଲା, ଆତ୍ମମର୍ଯ୍ୟାଦା ଜ୍ଞାନ ଥିଲା । ନୀରୋକୁ ହାତ ମୁଠାରେ ରଖିବାକୁ ସେ ତାହାର ସମସ୍ତ ନୀଚ ଅଭିଳାଷ ପୁର୍ଣ୍ଣ କରୁଥିଲା, କିନ୍ତୁ ଏପ୍ରକାର ଚତୁରତା ଓ କୁମାରୀସୁଲଭ ଲଜ୍ଜାଶୀଳତା ଓ ବିରକ୍ତିର ଅଭିନୟ କରୁଥିଲା ଯେ ନୀରୋ ତହିଁରେ ବାରମ୍ବାର ପ୍ରତାରିତ ହେଉଥିଲା ।

 

ନୀରୋର ନୀଚାଶୟତା ନିକଟରେ ମାର୍କସ୍‍ର ଉନ୍ନତ ହୃଦୟର ଛବି ଏ ପ୍ରକାର ସୁସ୍ପଷ୍ଟ ହୋଇ ଉଠୁଥିଲା ଯେ, ତାହା ପୋପୀୟା ନିକଟରେ ବହୁଦିନ ଲୁଚି ପାରିଲା ନାହିଁ । ସେଥିପାଇଁ ନାରୀ ହୃଦୟରେ ଯେତେ ପ୍ରେମ ସମ୍ଭବ, ସେ ସମସ୍ତ ଦେଇ ପୋପୀୟା ରୋମର ଏହି ଯୁବକଶ୍ରେଷ୍ଠ ପ୍ରିଫେକ୍‍ଟକୁ ହୃଦୟମନ୍ଦିରରେ ପୂଜା କରୁଥିଲା । ମାର୍କସ୍‍କୁ ଫାନ୍ଦରେ ପକାଇବାକୁ ସେ ଅନେକ ଥର ଚେଷ୍ଟା କରୁଥିଲା, କିନ୍ତୁ ପାରି ନ ଥିଲା । ଏ ପରାଜୟରେ କିନ୍ତୁ ବିଜୟ-ଆକାଂକ୍ଷା ଉତ୍ତରୋତ୍ତର ବୃଦ୍ଧି ପାଇଲା । ମାର୍କସ୍ ର ପ୍ରଣୟ ଲାଭ କରିବା ନିମିତ୍ତ ପେପୀୟା ତାହାର ଶକ୍ତିର ଶେଷସୀମା ପର୍ଯ୍ୟନ୍ତ ଯାଇଥାନ୍ତା, ଯାବତୀୟ ନୀଚତା ସ୍ଵୀକାର କରିଥାନ୍ତା, କେବଳ ସେହି ସମୟର ଲୋକସାଧାରଣ ରାଜପରିବାରବର୍ଗଙ୍କ ଚରିତ୍ରକୁ ସନ୍ଦେହ ଚକ୍ଷୁରେ ଦେଖିଥିବାରୁ ସେ ସେତେଦୂର ଅପ୍ରଚ୍ଛନ୍ନଭାବରେ ଅଗ୍ରସର ହେବାକୁ ସାହସ କଲାନାହିଁ । ମାର୍କସ୍‍ ଯେ ନିର୍ଭୀକ, ପୋପୀୟା ଉତ୍ତମରୂପେ ଜାଣିଥିଲା ଏବଂ ଆହୁରି ଜାଣିଥିଲା ଯେ, ମାର୍କସ୍ ବିରକ୍ତ ହେଲେ ଅଗ୍ରପଶ୍ଚାତ୍‍ ବିଚାରଶୂନ୍ୟ ହୋଇ କାର୍ଯ୍ୟକରେ । ଏହି ସମସ୍ତ ବିଭତ୍ସ ଦୃଶ୍ୟ ଦେଖି ସେ ଯେମନ୍ତ ହଠାତ୍ ସମସ୍ତଙ୍କ ସମକ୍ଷରେ ବିରକ୍ତ ହୋଇ ନ ଉଠେ ଏବଂ ତହିଁ ନିମିତ୍ତ ନୀରୋଦ୍ୱାରା ସମସ୍ତଙ୍କ ସମ୍ମୁଖରେ ତିରଷ୍କୃତ ନ ହୁଏ, ସେଥିପାଇଁ ମାର୍କସର ମନୋଯୋଗ ଅନ୍ୟ ଆଡ଼କୁ ଅକର୍ଷଣ କରିବାପାଇଁ ପୋପୀୟା ତାହା ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା । ପୋପୀୟା ଥରେ ମାର୍କସ୍ ଅଡ଼କୁ, ଥରେ ନୀରୋ ଆଡ଼କୁ ଅନାଏ ଏବଂ ମନେ ମନେ ସେହି ଉଦ୍ଦୀପ୍ତଯୌବନ, ସବଳକାୟ । ମାର୍କସ୍ ସହିତ ନାନା ପାପ ଓ ଅତ୍ୟାଚାରରେ ଅକାଳବୃଦ୍ଧ ଶିଥଳ -ଅଙ୍ଗ ନୀରୋର ତୁଳନା କରେ । ଯଦି ବା ସେତେବେଳେ ନୀରୋର ବୟସ ତିରିଶରୁ ଊର୍ଦ୍ଧ୍ୱ ନଥିଲା, ତଥାପି ଅତ୍ୟଧିକ ଇନ୍ଦ୍ରିୟାଶକ୍ତି ହେତୁରୁ ସେ ଜରାଜର୍ଜ୍ଜ୍ୱର ବୃଦ୍ଧପରି ଦେଖାଯାଉଥିଲା । ଅଙ୍ଗୁରୀୟ ଭାରାକ୍ରାନ୍ତ ଅଙ୍ଗୁଳି ସବୁ ସ୍ନାୟବିକ ଦୁର୍ବଳତାରୁ ସର୍ବଦା ଥରଥର, ମୁଖର କାଳିମାରେ କାମାଗ୍ନିର ଦହନଦାହ ସୁସ୍ପଷ୍ଟ, ଚକ୍ଷୁ ସର୍ବଦା ଚଞ୍ଚଳ, ସେଥିରେ ଥିଲା କାମାତୁରର ଅତୃପ୍ତ ଲାଳସା ଓ ଲାଳସା ପରିତୃପ୍ତି ଉନ୍ମତ୍ତତା । ନୀରୋ ମଧ୍ୟରେ କୃତିତ୍ତ୍ୱର ସମ୍ଭାବନା ଯଥେଷ୍ଟଥିଲା, ତାହା କର୍ତ୍ତୃକ ରୋମର ନିର୍ମାଣ ତାହାର ଉଦାହରଣ । ତାହାର ଅହଙ୍କାର ଓ ଉଚ୍ଚାଭିଳାଷ ଅପରିସୀମ ହୋଇ ଉଠିଲା ଏବଂ ଏହା ହିଁ ତାହାକୁ ଶେଷରେ ଏକପ୍ରକାର ରାକ୍ଷସ କରି ପକାଇଲା ।

 

ଏ ଭୋଜରେ କିନ୍ତୁ ସେ ଅତ୍ୟନ୍ତ କୁତ୍ସିତ ଦେଖା ଯାଉଥିଲା । ମୁହଁ ମଡ଼ା ମୁହଁ ପରି ରକ୍ତଶୂନ୍ୟ, ଶୁଷ୍କ, ଅଙ୍ଗ ପ୍ରତ୍ୟଙ୍ଗ ନିର୍ଜୀବ; ଶରୀର ଗ୍ରନ୍ଥିସବୁ ଶିଥିଳ, ତଳ ପାଟି ଓହଳି ପଡ଼ିଛି; ଯେପରି ସେଥିରେ ବଳ ନାହିଁ; ସୁରା ପ୍ରଭାବରେ ମସ୍ତକ ଅବନତ । ବେଶଭୂଷାର ଆଡ଼ମ୍ବର ଏତେ ବେଶି ହୋଇଥିଲା ଯେ, ସେଥିରେ ରୁଚି ତ ଆଦୌ ନ ଥିଲା, ଥିଲା କେବଳ ବଦ୍‍ରସିକର ହାସ୍ୟୋଦ୍ଦୀପକ ମହାର୍ଘ ସାଜସଜ୍ଜା । ଆଉ ଏହି ଜନ୍ତୁ ରୋମକୁ ବୀଭତ୍ସ ବିଳାସିତାରେ ଏତେ ତଳକୁ ନେଇଯାଇଥିଲା ଯେ, ତାହାର ତୁଳନା ପାଇଁ ସଭ୍ୟଜଗତର ଇତିହାସରେ ସେପରି ଦ୍ୱିତୀୟ ଉଦାହରଣ ନାହିଁ ।

 

ମାର୍କସ୍ ର ମନକୁ ଅନ୍ୟଆଡ଼କୁ ନେବାପାଇଁ ପୋପୀୟା କହିଲା, “ଆହା, ଗୀତଟି କି ଚମତ୍କାର !”

 

ମାର୍କସ୍‍ କହିଲା, ‘‘ଅତି ଚମତ୍କାର, କିନ୍ତୁ ଏ ଗୀତ ଏ ବୀଭତ୍ସ ସ୍ଥାନର ଉପଯୁକ୍ତ ନୁହେଁ ।”

 

ପୋପୀୟା ଗଳା ନରମ କରି କହିଲା, “ଆସ୍ତେ ଆସ୍ତେ ! ଟିକିଏ ସାବଧାନ । ଏ କଥା ନୀରୋ ଶୁଣିଥିଲେ ଆଉ ବାକୀ ରଖି ନ ଥାନ୍ତା । ତୁମେ ଜାଣ, ସିଜରର ଯେତେବେଳେ ହସିବାକୁ ଇଚ୍ଛା ହୁଏ, ସେତେବେଳେ ସେ କାହାରି ଭ୍ରୁକୁଟି ସହ୍ୟକରେ ନାହିଁ ।

 

ମାର୍କସ କହିଲା, ‘‘ମୁଁ ତ ଆଉ ସିଜର ପରି ସୁଆଙ୍ଗ ସାଜେ ନାହିଁ, । ମୋ ମନରେ ଯାହା, ମୁହଁରେ ତାହା ।”

 

ନୀରୋ ମାର୍କସ୍ ର କଥା କିଞ୍ଚିତ ଶୁଣି ପାରି ପଚାରିଲା, ପୋପୀୟ, ମାର୍କସ୍‍ କଣ କହିଲା-?’’

 

ପୋପୀୟା ଉତ୍ତର ଦେଲା, “ତୁମ ଅଭିନୟ କଥା ।”

 

ନୀରୋ କହିଲା, ‘‘ହଁ, ଅଭିନୟ, ମାର୍କସ୍ କଣ ଭାବିଛି ଯେ, ମୁଁ ଅଭିନୟ କରି ଜାଣେ ନାହିଁ ? ଜାଣେ ହେ, ଜାଣେ । ଥରେ ସମସ୍ତ ନେପଲ୍‍ସ ମୋର ଅଭିନୟ ଦେଖିବାପାଇଁ ଏ ପ୍ରକାର ଭିଡ଼ କରିଥିଲେ ଯେ, ସେମାନଙ୍କର ଭାରରେ ରଙ୍ଗମଞ୍ଚର ଭିତ୍ତି ଦୋହଲି ଯାଇଥିଲା । ଯେତେବେଳେ ସେମାନେ ବାହାରି ଗଲେ, ସେମାନଙ୍କ ସଙ୍ଗେ ସଙ୍ଗେ ସମସ୍ତ ରଙ୍ଗମଞ୍ଚ ମଧ୍ୟ ଭାଙ୍ଗି ପଡ଼ିଥିଲା, ଶୁଣିଛ ସେ କଥା ?"

 

ମାର୍କସ୍ ଧୀରଭାବରେ ଉତ୍ତର ଦେଲା, ‘‘ହଁ ସିଜର, ଅନେକ ଥର ଶୁଣିଛି ।’’ ମାର୍କସ୍ ନୀରୋ ମୁଖରୁ ନେପଲ୍‌ ସରେ ତାହାର ଏହି ଅଭିନୟ କଥା ଅନେକ ଥର ଶୁଣିଥିଲା ।

 

ନୀରୋ କହିଲା, ‘‘ଅତିଶୀଘ୍ର ରୋମ ବି ମୋର ଅଭିନୟ ଦେଖିବି । ମୁଁ ଯେ ଅଭିନୟରେ କଣ, ତାହା ରୋମକୁ ଥରେ ଜଣାଇ ଦେବି ।’’ ‘‘ବାଃ ବାଃ–ପୋପୀୟା ଦେଖ, ଦେଖ, ଏହା କହି ନୀରୋ କୂଳରେ ଥିବା ଗୋଟିଏ ତମ୍ବୁ ଆଡ଼କୁ ହାତ ବଢ଼ାଇଲା । ତମ୍ବୁରୁ ଦଳେ ସୁନ୍ଦରୀ ଗୋଟିଏ ହାତରେ ଗୋଲାପର ମାଳା ଅନ୍ୟ ହାତରେ ସୁରାପାତ୍ର ଧରି ଦୋହଲଉଥିଲେ । ତାହା ଦେଖି ନୀରୋ କହିଲା, “ନିମନ୍ତ୍ରଣ ଆସିଲାଣି, ଯିବାକୁ ହେବ । ଟିଗେଲିନସ୍, ଭେଳାକୁ ସେ ଆଡ଼କୁ ଉିଡ଼ିବାକୁ କହ ।’’

 

ତାହା ହିଁ ହେଲା । ନୀରୋ ଢଳି ଢଳି ତମ୍ବୁ ଭିତରକୁ ଗଲା । ସୁନ୍ଦରୀଏ ସୁବର୍ଣ୍ଣଝରିରୁ ସୁବାସ ସୁରା ଢାଳି ପାନପାତ୍ର ପୂର୍ଣ୍ଣକଲେ ଓ ଅବନତଜାନୁ ହୋଇ ନୀରୋ ସମ୍ମୁଖରେ ଧରିଲେ ।

 

ଏହି ସୁଯୋଗରେ ମାର୍କସ୍ ଘରକୁ ଯିବାକୁ ପୋପୀୟା ନିକଟରୁ ବିଦାୟ ମାଗିଲା ଏବଂ ଅସମୟରେ ଭୋଜ ପରିତ୍ୟାଗ କରିବାରେ ନୀରୋ ଯେପରି ଅସନ୍ତୁଷ୍ଟ ନ ହୁଏ, ତହିଁ ନିମିତ୍ତ କ୍ଷମା ପ୍ରାର୍ଥନାର ଭାର ପୋପୀୟା ଉପରେ ଦେଇଗଲା । ତାହାର ଅନୁପସ୍ଥିତି ବେଶି ନିରାପଦ ହେବ ଭାବି ପୋପୀୟା ତାକୁ ଘରକୁ ଯିବାକୁ ଅନୁମତି ଦେଲା । ମାର୍କସ୍‌ କ୍ଷିପ୍ରପଦରେ ସେ ସ୍ଥାନରୁ ବହିର୍ଗତ ହେଲା ।

 

ରାତ୍ରୀ ଯେତେ ଗଭୀର ହେବାକୁ ଲାଗିଲା, ପାପର ଏ ତାଣ୍ଡବ ତେତେ ଉଚ୍ଛୃଙ୍ଖଳ ହେବାକୁ ଲାଗିଲା । ନୀରୋ ଉନ୍ନତ୍ତ ହୋଇ ଉଠିଲା । ତାହାର ବାସନା ପରିତୃପ୍ତ କରିବା ନିମିତ୍ତ ସ୍ତ୍ରୀ ପୁରୁଷମାନଙ୍କ ମଧ୍ୟରେ ଲଜ୍ଜାହୀନତା ଓ ବୀଭତ୍ସତାର ପ୍ରତିଯୋଗିତା ଲାଗିଗଲା । ସତେ ଅବା ଏ ଭୋଜର ମାତ୍ରା ପୂର୍ଣ୍ଣ କରିବାକୁ ନରକ ତାହାର ସମସ୍ତ ଦ୍ୱାର ଖୋଲିଦେଲା ।

 

ଏହି ଦୃଶ୍ୟର ଅଳ୍ପ ଦୂରରେ ମୁଷ୍ଟିମେୟ ଖ୍ରୀଷ୍ଟିୟାନଙ୍କୁ ନେଇ ଫାଭିୟସ ଗୋଟିଏ ଭଗ୍ନ ଅଟ୍ଟାଳିକା ମଧ୍ୟରେ ସେମାନଙ୍କର ଶତ୍ରୁମାନଙ୍କର ସଦ୍‌ଗତି ଓ ପରିତ୍ରାଣ ନିମିତ୍ତ ଗୋପନରେ ପ୍ରାର୍ଥନା କରୁଥିଲେ । ବାସ୍ତବିକ ଏବଂବିଧ ପାପପ୍ରବଣ ଜଗତର ଉଦ୍ଧାର ନିମିତ୍ତ ଏକ ନବଶକ୍ତିର ପ୍ରୟୋଜନ ଥିଲା । ଏହି ଶକ୍ତି ସେହି ସମୟରେ ଜଗତକୁ ବିନାଶରୁ ରକ୍ଷା କରିବା ନିମିତ୍ତ ବିନୀତ ନାଜରିତୀୟ * ଓ ତାହାଙ୍କ ଶିଷ୍ୟମାନଙ୍କ ଦ୍ୱାରା ଆନୀତ ହୋଇଥିଲା ।

 

* ଯୀଶୁଖ୍ରୀଷ୍ଟ ନାଗରିକ ଗ୍ରାମରେ ପାଳିତ ହୋଇଥିବାରୁ ତାଙ୍କୁ ନାଗରୀକୀୟ ବୋଲାଯାଏ !

Image

 

ଚତୁର୍ଥ ପରିଚ୍ଛେଦ

ମେଲସ

 

ମର୍ସିୟାର ଘର ମାର୍କସ୍ ର ଘରଠାରୁ ସବୁ ବିଷୟରେ ଭିନ୍ନ । ସେଠାରେ ବିଳାସ ବ୍ୟସନ ଓ ଐଶ୍ୱର୍ଯ୍ୟର ଆଡ଼ମ୍ବର ନ ଥିଲା, ଥିଲା ଶାନ୍ତିପ୍ରଦ ସୁଲଭ ସାଜସଜ୍ଜା । ସେଠାରେ ଆଳସ୍ୟପରାୟଣ ଧନୀ ପାଟ୍ରିସିୟନ୍‌ମାନଙ୍କର ବ୍ୟର୍ଥ ରହସ୍ୟ ଆଳାପରେ ସନ୍ଧ୍ୟା ଅତିବାହିତ ହେଉ ନ ଥିଲା, କିନ୍ତୁ ଚରିତ୍ରର ପ୍ରତିଷ୍ଠାବର୍ଦ୍ଧକ ଧର୍ମସମ୍ବନ୍ଧୀୟ କଥୋପକଥନ ନିମନ୍ତେ କେତେକ ବିଶିଷ୍ଟ ବନ୍ଧୁ ସେଠାରେ ସମ୍ମିଳିତ ହେଉଥିଲେ ।

 

ଏ ପାର୍ଥକ୍ୟ ସାମାନ୍ୟ ଚାକର ଡାକରାରେ ସୁଦ୍ଧା ପରିଲକ୍ଷିତ ହେଉଥିଲା । ମାର୍କସଙ୍କୁ ପରେ ଅସଂଖ୍ୟ କ୍ରୀତଦାସ, କିନ୍ତୁ ମର୍ସିୟାର ଘରେ ଯଦିବା ଏତେ କ୍ରୀତଦାସ ନଥିଲେ, ତଥାପି ଯେ କେତୋଟି ସ୍ଵାଧୀନ ଚାକର ଥିଲେ, ସେମାନେ ଘରର ଲୋକଙ୍କ ପ୍ରତି ଏପରି ଅନୁରକ୍ତ ଥିଲେ ଯେ, ସେମାନେ ଯେପରି ଶୃଙ୍ଖଳା ଓ ମନପ୍ରାଣ ସହିତ କାର୍ଯ୍ୟ କରୁଥିଲେ, ତାହାର ଶତାଂଶର ଏକାଂଶ ସୁଦ୍ଧା ମାର୍କସ୍ ର ଗୃହରେ ଦେଖାଯାଉ ନ ଥିଲା । ଏହି ଭୃତ୍ୟମାନେ ଗୃହକର୍ତ୍ତା ଓ କର୍ତ୍ତ୍ରୀ ଲୁସିୟସ ଓ ଗ୍ୟାଲାଟାଙ୍କୁ ଭକ୍ତି ଓ ସମ୍ମାନ କରୁଥିଲେ, କିନ୍ତୁ ମର୍ସିୟାକୁ ଦେବତା ତୁଲ୍ୟ ପୂଜା କରୁଥିଲେ । ତାହାର ପ୍ରତ୍ୟେକ ଇଚ୍ଛା ବାକ୍ୟରେ ପ୍ରକାଶିତ ହେଉଣୁ ନ ହେଉଣୁ ପୂରଣ କରିବା ନିମିତ୍ତ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଝଡ଼ ବୋହି ଯାଉଥିଲା; ତାହାର ପ୍ରତ୍ୟେକ କାର୍ଯ୍ୟ ସେମାନଙ୍କର ସମସ୍ତ ଦିନର ଧ୍ୟାନ ଧାରଣା ଓ ଆଲୋଚନାର ବିଷୟ ହେଉଥିଲା । ସେମାନଙ୍କର ତୃପ୍ତି ଥିଲା ତାହାର ସେବାରେ, ସ୍ୱର୍ଗସୁଖ ତାହାର ପ୍ରଶଂସାରେ । ତାହାର ଚିର ପ୍ରଫୁଲ୍ଲତା, ସେମାନଙ୍କ ଆମୋଦ ଆହ୍ଲାଦରେ ତାହାର ଅକୁଣ୍ଠିତ ସହାନୁଭୂତି, ସେମାନଙ୍କର ଯତ୍‌ସାମାନ୍ୟ ଅଭାବ ଅନାଟନ ଓ ଦୁଃଖ ଦୁର୍ଦଶାରେ ତାହାର ସମବେଦନା, ସେମାନଙ୍କ ଦୃଷ୍ଟିରେ ତାକୁ କଲ୍ୟାଣର ଅଧିଷ୍ଠାତ୍ରୀ ଦେବତା କରି ରଖିଥିଲା । ମର୍ସିୟା ନିକଟରେ ସେମାନେ ନିଜ ନିଜର ସୁଖ ଦୁଃଖ ଫେଡ଼ି କହୁଥିଲେ, ସେ ମଧ୍ୟ ସେମାନଙ୍କ ସୁଖ ଦୁଃଖରେ ଏ ପ୍ରକାର ଅଭିନିବେଶ ସହକାରେ ପ୍ରବେଶ କରୁଥିଲା ଯେ, ଏତେ ଅଳ୍ପ ବୟସରେ ତାହାର ଏହି ଅଭିଜ୍ଞତା ଦେଖି ଲୋକେ ଆଶ୍ଚର୍ଯାନ୍ୱିତ ହେଉଥିଲେ । ତାହାର ହୃଦୟ ଦୟା ମାୟା ଓ ସହାନୁଭୂତିରେ ଉଚ୍ଛଳି ପଡ଼ୁଥିଲା, ତାହାର ବନ୍ଧୁବାନ୍ଧବ ଓ ପରିଚିତ ଲେକଙ୍କ ସଂଖ୍ୟା ଅଳ୍ପ ଥିବାରୁ ସେମାନେ ତାହାର ସହାନୁଭୂତିର ଏ ପ୍ରକାର ଉପଚୟ ଭୋଗ କରୁଥିଲେ । ଅତଏବ ସେ ଯେ ସେମାନଙ୍କଠାରୁ ଏ ପ୍ରକାର ଆଦର ଓ ସ୍ନେହ ପାଉଥିଲା, ତାହା ବଡ଼ ବେଶି ଆଶ୍ଚର୍ଯ୍ୟର କଥା ନୁହେଁ ।

 

ମର୍ସିୟାର ଡେସିମା ନାମରେ ଜଣେ ବାଳିକା ଦାସୀ ଥିଲା । ମର୍ସିୟା ପ୍ରତି ତାହାର ଭକ୍ତି କୁକୁରର ପ୍ରଭୃଭକ୍ତିକୁ ବଳି ଯାଇଥିଲା; କିନ୍ତୁ କୁକୁର ପରି ସେ ମଧ୍ୟ ସମୟ ସମୟରେ ଈର୍ଷାପରବଶ ହେଉଥିଲା । ମର୍ସିୟା ଯଦି କାହାରି ପ୍ରତି ଟିକିଏ ବେଶି ସ୍ନେହ ପ୍ରକାଶ କରେ, ତାହା ଡେସିମା ପକ୍ଷରେ ଅସହ୍ୟ ହୁଏ । ସେ ମର୍ସିୟାକୁ ନିଜ ଜୀବନରୁ ଅଧିକ ସ୍ନେହ କରୁଥିଲା ।

 

ମର୍ସିୟା ବସିବା-ଘରେ ବସି ଅରଟରେ ସୂତା କାଟୁଥିଲା । ଘରଟି ଫୁଲଗଛ ଓ ଅନ୍ୟାନ୍ୟ ସାଜସଜ୍ଜାରେ ବଡ଼ ସୁନ୍ଦର ଦିଶୁଥିଲା । କତିରେ ପଥର ଆସନ ଉପରେ ବୀଣାଟି ଥୁଆ ହୋଇଥିଲା । ମର୍ସିୟା ସୂତା କାଟିବାରେ ବ୍ୟସ୍ତ ଥିଲା ଓ ତହିଁ ସଙ୍ଗେ ସଙ୍ଗେ ଗୁଣୁ ଗୁଣୁ ସ୍ୱରରେ ଗୋଟିଏ ଖ୍ରୀଷ୍ଟୀୟ ସଙ୍ଗୀତ ଆବୃତ୍ତି କରୁଥିଲା । ଏହି ସମୟରେ ଡେସିମା ଆସି ମେଲସ୍ ର ଆଗମନ ସମ୍ବାଦ ଦେଲା ।

 

ମେଲସ୍ ଦେଖିବାକୁ ସୁନ୍ଦର, ସବଳକାୟ ଯୁବକ । ମର୍ସିୟା ମେଲସ୍ ର ଅତ୍ୟନ୍ତ ଅନୁଗତ; ତାକୁ ନିଜର ବଡ଼ଭାଇ ପରି ଭକ୍ତି କରେ । ମେଲସ୍ ର ମଧ୍ୟ ଅନେକ ଗୁଣ ସଦ୍‌ଗୁଣ ଥିଲା-। ଫାଭିୟସ୍‌ ମର୍ସିୟାର ଯେପରି, ମେଲସ୍ ର ମଧ୍ୟ ସେହିପରି ଧର୍ମ ସମ୍ବନ୍ଧରେ ଶିକ୍ଷା ଗୁରୁ । ଖ୍ରୀଷ୍ଟଙ୍କଠାରେ ମେଲସର ବିଶ୍ୱାସ ସରଳ ଓ ଭକ୍ତି ଅଚଳା । ରୋମର ସର୍ବପ୍ରଧାନ ଭାସ୍କରର ଘରେ ମେଲସ୍‌ ସମସ୍ତ ଦିନ କାର୍ଯ୍ୟ କରେ ଏବଂ ନିଜ ବ୍ୟବସାୟ ସମ୍ବନ୍ଧୀୟ ଦ୍ୱାରା ସନ୍ଧ୍ୟା ଅତିବାହିତ କରେ ।

 

ମେଲସ୍‌ ଘରେ ପ୍ରବେଶ କରିବା ମାତ୍ରକେ ମର୍ସିୟା ତାହାର ଅଭ୍ୟର୍ଥନା ନିମିତ୍ତ ଉଠି ଆସିଲା । ମେଲସ୍ ର ଏହି ଅପ୍ରତ୍ୟାଶିତ ଆଗମନରେ ମର୍ସିୟାର ସୋତ୍ସୁକ ଦୃଷ୍ଟିରେ ବ୍ୟାକୁଳ ଜିଜ୍ଞାସା ଏ ପ୍ରକାର କରୁଣଭାବରେ ଫୁଟି ଉଠିଲା ଯେ, ତାହା ଦେଖି ମେଲସ୍ ର ହୃଦୟ ନାଚି ଉଠିଲା, ଧମନୀର ଉଷ୍ଣ ଶୋଣିତ ଉଚ୍ଛ୍ୱାସରେ ଗଣ୍ଡସ୍ଥଳ ଲାଲ ହୋଇଗଲା, ବିପୁଳ ପୁଲକରେ ସମସ୍ତ ଶରୀର ସ୍ପନ୍ଦିତ ହେବାକୁ ଲାଗିଲା ।

 

ମର୍ସିୟା ମୃଦୁମଧୁର ସ୍ୱରରେ କହିଲା, “ମେଲସ୍‌, ହଠାତ୍‌ ଆଜି ଏଡ଼େ ସକାଳୁ ଆସିଲ ଯେ !” ଆଜି ମର୍ସିୟାର ଏହି ସାମାନ୍ୟ ସମ୍ଭାଷଣ ମେଲସ୍ କର୍ଣ୍ଣକୁ ବଡ଼ ମଧୁର ଶୁଭିଲା ।

 

ମେଲସ୍‌ କ୍ଷଣକ ନିମିତ୍ତ ଆପଣାକୁ ସମ୍ଭାଳି ନେଇ ଧୀରଭାବରେ କହିଲା, “ମର୍ସିୟା, ତୁମ୍ଭ ସହିତ କଥା କହିବା ପାଇଁ ମୁଁ ଆଜି ଘଣ୍ଟାଏ ଛୁଟି ନେଇଛି ।” ଏହି ଅଳ୍ପ କଥାକୁ ମେଲସ୍‌ ଏପ୍ରକାର ଆବେଗରେ କହିଲା ଯେ, ତାହା ମର୍ସିୟାର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ଏ ଆବେଗର କିନ୍ତୁ କୌଣସି କାରଣ ସେ ଖୋଜି ପାଇଲା ନାହିଁ । ବର୍ତ୍ତମାନ ତାହାର ମନେ ପଡ଼ିଲା, ମା ତାକୁ ଏହି ସମୟରେ ଅନ୍ୟ କୁଆଡ଼େ ନ ଯାଇ ଘରେ ରହିବାକୁ କହିଥିଲେ । ଏହାର କାରଣ କଣ ମର୍ସିୟା କିଛି ବୁଝି ପାରିଲା ନାହିଁ । କିନ୍ତୁ କାରଣ ମେଲସ୍ ଜାଣିଥିଲା । ସେ ପୂର୍ବଦିନ ସନ୍ଧ୍ୟାବେଳେ ମର୍ସିୟା ପ୍ରତି ତାହାର ଗଭୀର ପ୍ରଣୟ କଥା ତାହାର ପିତା ମାତାଙ୍କୁ ଜଣାଇଥିଲା । ସେମାନେ ମଧ୍ୟ ମେଲସ୍ କୁ ପୁତ୍ରବତ୍‌ ସ୍ନେହ କରୁଥିବାରୁ ତାହାର ଏ ପ୍ରସ୍ତାବକୁ ଆନନ୍ଦରେ ଗ୍ରହଣ କରିଥିଲେ ଏବଂ ମର୍ସିୟା ସହିତ ଏ ବିଷୟରେ କଥାବାର୍ତ୍ତା କରିବାକୁ ତାକୁ ଅନୁମତି ଦେଇଥିଲେ ।

 

ମର୍ସିୟା ପଚାରିଲା, ‘‘ମୋ ସଙ୍ଗରେ କଥା କହିବାକୁ ତୁମେ ଏ ଅସମୟରେ ଛୁଟି ନେଇଛ ? ଏପରି ବିଶେଷ କଥା ଅଛି ?’’

 

ମେଲସ୍ ତୁନି ହୋଇ ରହିଲା । ଏହି ମୁହୂର୍ତ୍ତ ଉପରେ ତାହାର ଜୀବନର ସମସ୍ତ ଆଶା ଆନନ୍ଦ ନିର୍ଭର କରୁଥିଲା ଏବଂ ଏଥିପାଇଁ ସେ ଯେ ସମସ୍ତ କଥା କହିବ ବୋଲି ଅତି ସାବଧାନରେ ପ୍ରସ୍ତୁତ ହୋଇ ଆସିଥିଲା, ତାହା ସେ ଏତିକି ବେଳକୁ ଭୁଲିଗଲା । ନିକଟରେ ଥିବା ପଞ୍ଜୁରୀ ଭିତରେ ପକ୍ଷୀଟି ଏପଖରୁ ସେପାଖକୁ ଡିଆଁ ଡେଇଁ କରିବାକୁ ଆରମ୍ଭ କଲା ଓ ରାସ୍ତାର ଅପର ପାର୍ଶ୍ୱରେ ଥିବା ଅଦୂରବର୍ତ୍ତୀ କାରିଗର ଘରୁ ଯନ୍ତ୍ରର ଠକ ଠକ ଶବ୍ଦ ସେ ନୀରବତାରେ ଏପ୍ରକାର ସ୍ପଷ୍ଟ ଶୁଣାଗଲା ଯେ, ମେଲସ୍ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ତାହା ଭୁଲି ପାରି ନ ଥିଲା ।

 

ମେଲସ୍‍କୁ ଏତେବେଳ ପର୍ଯ୍ୟନ୍ତ ଏପ୍ରକାର ନିରୁତ୍ତର ଦେଖି ମର୍ସିୟା କୌଣସି ଅଶୁଭସମ୍ବାଦ ଅବା ଅନ୍ୟ କୌଣସି ବିପଦର ଆଶଙ୍କା କରିବାକୁ ଲାଗିଲା ଏବଂ ସହାନୁଭୂତିରେ ବିଗଳିତ ହୋଇ ମେଲସ୍ ଆହୁରି କତିକୁ ଆସି ତାହାର କାନ୍ଧ ଉପରେ ହାତ ରଖି କହିଲା; ‘‘ମେଲସ୍‌; ତୁମେ କୌଣସି ବିପଦରେ ପଡ଼ିନାହଁ ?’’

 

ସେ ସ୍ପର୍ଶ ମେଲସ୍‌ ର ଶରୀରରେ ବିଦ୍ୟୁତ୍‌ ସଞ୍ଚାରିତ କଲା । ସେ ସୁପ୍ତୋତ୍‌ଥିତ ପରି କହିଲା; ‘‘ଓଃ, ନା, କୌଣସି ବିପଦ ଘଟି ନାହିଁ; ବାସ୍ତବିକ ନିଜକୁ ଆଜି ସମସ୍ତଙ୍କଠାରୁ ଅଧିକ ସୁଖୀ ମନେ କରିବା ମୋର ଉଚିତ ।’’

 

ଉଚିତ୍‌ ? ତେବେ କଣ ତୁମେ ସୁଖୀ ନୁହଁ ?"

 

‘‘ତାହା ମୁଁ ଭଲ କରି ଜାଣେ ନାହିଁ, ମର୍ସିୟା; ଅବଶ୍ୟ ସୁଖୀ ତୁମ କତିରେ ଅଛି ବୋଲି, କିନ୍ତୁ...’’ ଏହି ପର୍ଯ୍ୟନ୍ତ କହି ମେଲସ୍ ଇତସ୍ତତଃ ହେବାକୁ ଲଗିଲା ।

 

କଣ ହୋଇଛି ତୁମର ? ଆସ, ଏଠି ମୋ ପାଖରେ ବସ ଏବଂ କଅଣ ପାଇଁ ତୁମ ସୁଖରେ ବାଧା ପଡ଼ିଛି ତାହା ମୋତେ ଖୋଲିକରି କହ ।" ଏହା କହି ମର୍ସିୟା ମେଲସ୍ ର ହାତ ଧରି ଗୃହ ମଧ୍ୟରେ ଥିବା ପ୍ରସ୍ତର ଆସନକୁ ନେଇଗଲା ଓ ନିଜେ ତାହା ପାଖରେ ବସିଲା ।

 

‘‘ପଦେ କଥା, ମର୍ସିୟା, ଆଉ କିଛି ନୁହେ–ତୁମ ମୁହଁର ପଦେ କଥାରେ ଯେ ସୁଖର ସମସ୍ତ ବାଧା ସମସ୍ତ ବିଘ୍ନ ଘୁଞ୍ଚିଯିବ।’’

 

ମର୍ସିୟା ସବୁ ସଂସାର ସମ୍ବନ୍ଧରେ ଏପ୍ରକାର ଅନଭିଜ୍ଞ ହୋଇ ନ ଥାନ୍ତା, ଯଦି ପ୍ରଣୟାଶକ୍ତି ସାମାନ୍ୟ ଭାବରେ ତାହାର ହୃଦୟକୁ ସ୍ପର୍ଶ କରିଥାନ୍ତା, ତାହାହେଲେ ମେଲସ୍‌ ର ଏହି କଥାର ଅର୍ଥ ବୁଝିବାକୁ ତାହାର ବେଶି ବିଳମ୍ବ ହୋଇ ନ ଥାନ୍ତା; କିନ୍ତୁ ନାରୀ ପ୍ରତି ପୁରୁଷର ପ୍ରଣୟର କୌଣସି ଚିନ୍ତା ଏଯାବତ୍ ତାହାକୁ ଚିତ୍ତାକାଶରେ, ଉଦିତ ହୋଇ ନ ଥିଲା । କିଛି ବୁଝି ନ ପାରିବାରୁ ଏ କଥାରେ ସେ ଟିକିଏ ଅସ୍ଥିର ହୋଇ ଉଠିଲା, କିନ୍ତୁ ପରମୁହୂର୍ତ୍ତରେ ସେ ଯେତେବେଳେ ମେଲସ୍ ଆଡ଼କୁ ମୁହଁ ଟେକି ଚାହିଁଲା ସେଥିରେ ଥିଲା କେବଳ ସ୍ନେହପ୍ରବଣ ବାଳିକାର ସରଳତା ଓ ସ୍ନିଗ୍‌ଧତା । ସେଥିପାଇଁ ଆସନ୍ନ ନୈରାଶ୍ୟର ପ୍ରଥମ ସୂଚନା ମେଲସ୍‌ ପ୍ରାଣରେ ପୀଡ଼ା ଦେବାକୁ ଲାଗିଲା । ଆଉ ଅଧିକ ପଚାରିବା ଦରକାର କଣ ? ସେ କଣ ଏ ଦୃଷ୍ଟିରୁ ଯଥେଷ୍ଟ ଉତ୍ତର ପାଇ ନ ଥିଲା ? ସେ ଆହୁରି ଜାଣିଥିଲା, ମର୍ସିୟାର ଚରିତ୍ରରେ ଛଳନାର ଛାୟା ସୁଦ୍ଧା ନାହିଁ । କିନ୍ତୁ ଯଦି, ସେ ମର୍ସିୟାକୁ ଭୁଲ ବୁଝିଥାଏ ? ହୁଏତ ମର୍ସିୟା ମେଲସ୍ ର ମନର ଭାବ ବହୁଦିନ ପୂର୍ବରୁ ବୁଝି ପାରିଥିଲା, କିନ୍ତୁ ଆପଣାକୁ ସମର୍ପଣ କରିବା ପୂର୍ବରୁ ତାହାର ମୁହଁର ପ୍ରକାଶ୍ୟ ସ୍ୱୀକାରକୁ ଅପେକ୍ଷା କରୁଥିଲା । ଏ ସଂଶୟ ତାହା ପକ୍ଷରେ ଅସହ୍ୟ ହେବାରୁ ଏହାର ଅବସାନ ନିମତ୍ତ ସେ ଦୃଢ଼ ନିଶ୍ଚୟ ହେଲା ।

 

ମର୍ସିୟ। ପଚାରିଲା, “ମୋ ପାଖରେ ଏପ୍ରକାର କେଉଁ କଥା ଅଛୁ, ଯହିଁରେ ତୁମର ସୁଖ ଫେରି ଆସିବ, ଆଉ ମୁଁ ତାହା କହିବାକୁ ମୁହୂର୍ତ୍ତ ମାତ୍ର ବିଳମ୍ବ କରିବି ?”

 

ଏହିଥର ପ୍ରେମ କଥା ଯୋଗାଇଲା । କଥା ଆପେ ଆପେ ମେଲସ୍ ମୁହଁରୁ ବାହାରିଲା, ‘‘ମର୍ସିୟା, ସେହି ପଦକ କଥା, ଯାହା ତୁମ ଏବଂ ମୋ ମଧ୍ୟରେ ଚିରକାଳର ମିଳନ ଘଟାଇବ, ଯେ ମୁଁ ଯେମନ୍ତ ତୁମକୁ ପ୍ରେମ କରେ, ତୁମେ ସେହିପରି ମୋତେ ପ୍ରେମ କର । ଯେଉଁ ପ୍ରେମର ସୀମା ଇହଜଗତର ମୃତ୍ୟୁ ଲଙ୍ଘନ କରି ପରଜଗତ ପର୍ଯ୍ୟନ୍ତ ବିସ୍ତୃତ, ସ୍ୱାମୀ ପ୍ରତି ସ୍ତ୍ରୀର ଯେଉଁ ପ୍ରେମ ସକାଶରୁ ସ୍ୱାମୀ ତାକୁ ନିଜ ହୃଦୟର ଇଷ୍ଟ ଦେବତାର ପରବର୍ତ୍ତୀ ଆସନରେ ଅଧିଷ୍ଠିତ କରେ, ମୁଁ ତୁମ ହୃଦୟର ସେ ପ୍ରେମର ଭିକାରୀ ।’’

 

ମସୀୟା ପାଷାଣବତ୍ ସ୍ଥିର ହୋଇ ରହିଲା, କେବଳ ହୃଦୟର ବିପର୍ଯ୍ୟସ୍ତ ଭାବରାଶିର ତୁମୁଳ ତରଙ୍ଗ ରହି ରହି ତାହାର ସଯତ୍ନ ନିବଦ୍ଧ ଅଧରତଟ କମ୍ପିତ କରିବାକୁ ଲାଗିଲା । ସହାନୁଭୂତି, ଦୁଃଖ, କାତରତା-ଏ ସମସ୍ତ ତାହାର ଦୃଷ୍ଟିରେ ଥିଲା; କିନ୍ତୁ ହାୟ ମେଲସ୍ ପାଇଁ ସେଥିରେ କଣ ମାତ୍ର ପ୍ରେମ ନ ଥିଲା । ସେତେବେଳକୁ ସେ ଆସନ ଛାଡ଼ି ଉଠି ସାରିଥିଲା ତାହାକୁ ଦୃଷ୍ଟି ଦୂର ଦିଗ୍‍ବଳୟର ମହାଶୂନ୍ୟତା ଆଡ଼କୁ ।

 

“କି କୃଷ୍ଟକର ।”

 

‘‘କଷ୍ଟ କଣ ପାଇଁ, ମର୍ସିୟା ?

 

ମର୍ସିୟା ଉତ୍ତର ଦେଲା; ‘‘ଯେ ବନ୍ଧୁତ୍ୱ ଆଜି ଚାଲିଗଲା, ତାହାପାଇଁ । ମୁଁ ଏ କଥା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ।”

 

ମର୍ସିଆ ଆଉ କଣ କହିବାକୁ ଯାଉଥିଲା । ମେଲସ୍‍ ସେଥିରେ ବାଧା ଦେଇ ଅତି କାତର ହୋଇ ମିନତିପୂର୍ଣ୍ଣ କଣ୍ଠରେ କହିଲା, ମୋତେ ଏକାବେଳକେ ନିରାଶ କର ନାହିଁ, ମର୍ସିୟା ! ଏ ବିଷୟ ବର୍ତ୍ତମାନ ଯଦି ଭାବି ନାହଁ , ଆଉ କିଛି ଦିନ ସମୟ ନିଅ, ମୁଁ ଅପେକ୍ଷା କରିବି । ମର୍ସିୟା, ମୋତେ କ୍ଷମା କର । ମୁଁ ମୋର ଉତ୍କଣ୍ଠାରେ ଆଗ ପଛ ବିଚାର ନ କରି ହଠାତ୍‍ ତୁମକୁ ଏକଥା କହି ପକାଇଲି । ଏ ବିଷୟରେ ତୁମେ ଯେମନ୍ତ ମୋର ସମସ୍ତ କଥା ଜାଣିପାର ଓ ଉତ୍ତର ଦେବା ନିମିତ୍ତ ପ୍ରସ୍ତୁତ ହୋଇପାର, ଏଥିପାଇଁ ମୁଁ ପ୍ରଥମରେ ଅନେକ କଥା କହିବାକୁ ଇଚ୍ଛା କରିଥିଲି, କିନ୍ତୁ, ସେ ସମସ୍ତ ମନର କଥା ମନରେ ରହିଲା, ତୁମର ଏହି ସୁନ୍ଦର ମୁଖର ଥରେ ମାତ୍ର ଦର୍ଶନ, ଏହି ସୁକୋମଳ ହସ୍ତର ସ୍ପର୍ଶସ୍ପନ୍ଦନ ମୋର ସମସ୍ତ ବିଷୟ ବିପର୍ଯ୍ୟସ୍ତ କରିଦେଲା, ମୋତେ ସମସ୍ତ ଭୁଲାଇ ଦେଲା । ସେଥିପାଇଁ ମୁଁ ଯେଉଁ କଥାକୁ ସର୍ବଶ୍ରେଷରେ କହିବାକୁ ମନସ୍ଥ କହିଥିଲି; ତାହାକୁ ସର୍ବପ୍ରଥମ କହି ତୁମକୁ ଏପରି ଚମକିତ କରିଦେଲି । ମୋତେ କ୍ଷମା କର, ମର୍ସିୟା !”

 

ଦୁଇ ବିନ୍ଦୁ ଅଶ୍ରୁ ମର୍ସିୟାର ଗୋଲାପବିନିନ୍ଦତ ଗଣ୍ଡରେ ମୁକ୍ତା ଫଳ ପରି ଝଡ଼ି ପଡ଼ିଲା । ସେ କମ୍ପିତ କଣ୍ଠରେ କହିଲା, ‘ମେଲସ ମୋର ଚମକ ଭାଙ୍ଗିଛି, କିନ୍ତୁ ମୋ ବୋଧରେ ମୋର କ୍ଷମା କରିବାକୁ ଅଧିକାର ନାହିଁ, ବରଂ କ୍ଷମା ପାଇବାର ପ୍ରୟୋଜନ ଅଛି । ଏ ବିଷୟରେ ନିଶ୍ଚୟ ମୁଁ ଦୋଷୀ, କାରଣ ।’’

 

ଦୋଷ ତୁମର ? କେମିତି ମର୍ସିୟା ? ‘‘ନିଶ୍ଚୟ, ତୁମ ପ୍ରତି ମୋର ବ୍ୟବହାରରେ ତୁମେ ଏପ୍ରକାର କୌଣସି ବିଷୟ ଦେଖିଛ, ଯାହା ହେତୁରୁ ତୁମ ମନ ମଧ୍ୟରେ ଏପ୍ରକାର ଭାବର ଉଦୟ ହୋଇଛି, କିନ୍ତୁ, ମୁଁ ସତ କରି କହୁଛି ମୁଁ ଜାଣିକରି ଏହା କେବେ କରି ନାହିଁ । ମୋର ନିଜର ସହୋଦର ଭାଇ ନାହିଁ, ସେଥିପାଇଁ ତୁମକୁ ଏଡ଼େ ନିକଟର ବନ୍ଧୁ, ଏଡ଼େ ପ୍ରିୟତମ ଭାଇ ବୋଲି ଭକ୍ତି କରୁଥିଲି । କିନ୍ତୁ ଆଜିଠୁଁ-’ ଏହା କହି ଶୋକ ବେଗ ସମ୍ଭାଳି ନ ପାରି ମର୍ସିୟା ଆସନରେ ବସି ପଡ଼ିଲା ଓ ତପ୍ତଅଶ୍ରୁ ଲୁଚାଇବା ପାଇଁ ଉଭୟ ହସ୍ତରେ ମୁଖ ଢାଙ୍କିଲା ।

 

ହାୟ ! ମେଲସ୍ ର ଆଉ କିଛି ଜାଣିବାକୁ ବାକି ରହିଲା ନାହିଁ । ଜାଣିଲା, ତାହାପାଇଁ ମର୍ସିୟା ବନ୍ଧୁତ୍ୱ, କରୁଣା, ଭକ୍ତ, ସବୁ ଅଛି, କିନ୍ତୁ ଏହାଠାରୁ ଅଧିକ ଆଉ କିଛି ନାହିଁ !

 

ତତ୍‍ପରେ ମେଲସ୍ ଅତି ଗମ୍ଭୀରଭାବରେ କହିଲା, ମର୍ସିୟା, ମୁଁ ସବୁ ବୁଝିଲି । ଏ ବିଷୟରେ ଆଉ କଷ୍ଟ ପାଅ ନାହଁ । ହୃଦୟ ତୁମର ଏହି ସୂତା ଅରଟ ନୁହେ ଯେ ତାକୁ ଯେଉଁଆଡ଼େ ଇଚ୍ଛା ବୁଲାଇବ । ଏତେବେଳେ ବୁଝିଲି, ମୋର ଆସ୍ପର୍ଦ୍ଧା, ମୁଁ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଉଥିଲି । ତୁମେ ବାସ୍ତବିକ୍‍, ମୋଠାରୁ ଏତେ ଉଚ୍ଚରେ, ସଂସାରର ବାସନା ପରିଧି ଏତେ ବାହାରେ ଯେ- “ମେଲସ୍‍, ସେପରି କୁହ ନାହିଁ । ମୋର ଦୁଃଖର ଭାର ଆଉ ଗୁରୁ କର ନାହିଁ, ମୋର ଲଜ୍ଜା ଆଉ ବଢ଼ାଅ ନାହିଁ । ତୁମେ ଯେ ମୋଠାରୁ କେତେ ଉଚ୍ଚରେ, ତାହା କେବଳ ଏ ହୃଦୟ ଜାଣେ । ବାପା ଓ ଫାଭିୟସ୍ ଙ୍କ ପରେ ଏ ହୃଦୟରେ ତୁମର ଆସନ ଯେ କେତେ ଉଚ୍ଚରେ ତାହା ଯଦି ମୋର ହୃଦୟ ଫିଟାଇ ଦେଖାଇବାର ସମ୍ଭବ ହୋଇଥାନ୍ତା ତାହାହେଲେ ଦେଖାଇଥାନ୍ତି । କିନ୍ତୁ ଏ ଯେଉଁ ବିଷୟ ତୁମେ ମୋତେ ମାଗୁଛ, ଏହି ପ୍ରେମର କଥା ଶୁଣି ଭୟରେ ମୋ ପ୍ରାଣ ଅସ୍ଥିର ହେଉଅଛି । ମୁଁ ଏହା ଜାଣି ନାହିଁ, କି ଜାଣିବାକୁ କେବେ କୌତୁହଳ ଅନୁଭବ କରେ ନାହିଁ ଏବଂ ମୋ ଜୀବନରେ ଏ ବିଷୟ ମୁଁ କେତେବେଳେ ଜାଣିବାକୁ ଚାହୁଁ ନାହିଁ । ଏ ବିଷୟ କିନ୍ତୁ ତୁମେ ନୁହ, ମେଲସ୍‍, ଏ ବିଷୟ ମୋ ନିକଟରେ ଅପ୍ରୀତିକର । ମେଲସ୍, ଏ ବିଷୟ ଭୁଲିଯାଅ, ଏ ବିଷୟ ଭୁଲିଯାଅ ।

 

ମର୍ସିୟା ପାର୍ଥିବ ପ୍ରେମର ପ୍ରଥମ ସଂସ୍ପର୍ଶରେ ନିଜ ହୃଦୟର ସରଳତାରେ ଏକପ୍ରକାର, କହିଲା । କିନ୍ତୁ ହାୟ, ଏହି ପ୍ରେମ ଯେ ଅତି ନିକଟ ଭବିଷ୍ୟତରେ ତାକୁ ଏପ୍ରକାର ବିସ୍ମୟ ଓ ଦୁଃଖରେ ଅଭିଭୂତ କରିବ, ତାହା ସେ ଭାବି ନ ଥିଲା, ଆଉ ଯେ ତାହାର ଜୀବନରେ ପ୍ରଥମେ ଏ ପ୍ରଣୟ-ବୀଜ ରୋପିତ ଅଙ୍କୁରିତ କରିଥିଲା, ସେ ଏହି ସାଧୁ ପ୍ରକୃତି ଈଶ୍ୱରପରାୟଣ ମେଲସ୍ ନୁହେଁ, ସେ କ୍ଷୁବ୍‌ଧଚିତ୍ତରେ ଆର୍ତ୍ତ ପରି ତାହାର କଥା ଶୁଣୁଥିଲା ।

 

ମେଲସ୍ ମୁହଁ ଟେକିଲା, ବିଷାଦ-ବିବଶକଣ୍ଠରେ ଅତି ଧୀରେ କହିଲା ‘‘ଭୁଲିଯିବି ? ନା, ମର୍ସିୟା, ସ୍ମୃତି ଯେତେଦିନ ପର୍ଯ୍ୟନ୍ତ ଜାଗ୍ରତ ଥିବ, ସେତେଦିନ ପର୍ଯ୍ୟନ୍ତ ନୁହେଁ । ଏ ମୋର ଖିଆଲ ନୁହେଁ, ମର୍ସିୟା, ଏ ପ୍ରେମ ମୋ ନିକଟକୁ ଦିନକର ପ୍ରବାସୀ ପରି ଆସି ନାହିଁ, ମୋ ହୃଦୟରେ ତାର ଚିରସ୍ଥାୟୀ ଆସନ ପାତିଛି, ଏ ମୋ ପ୍ରାଣର ପ୍ରାଣ । ଯେ ଦେବୀକୁ ମୁଁ ଏ ହୃଦୟ ମନ୍ଦିରରେ ଏତେ ଯତ୍ନରେ ପ୍ରତିଷ୍ଠିତ କରିଛି, ଯାହାର ପବିତ୍ର ସ୍ମୃତି ପାପର ଚିନ୍ତାମାତ୍ରକେ ମୋତେ ଲଜ୍ଜାରେ ଅଭିଭୂତ କରିଦିଏ, ଯାହାର ଚିନ୍ତା ମୋ ଜୀବନର କେନ୍ଦ୍ରରେ ରହି ମୋର ଉଦାମ ଯୌବନର ଯାବତୀୟ ଉଚ୍ଛୃଙ୍ଖଳତାକୁ ଶାସନ ପରିଧିରେ ନିୟନ୍ତ୍ରିତ କରୁଛି, ମୁଁ ତାକୁ ଭୁଲିଯିବ ? ମର୍ସିୟା ମୋ ଜାଗ୍ରତ ଜୀବନ୍ତ ଦେବତାକୁ ଗୃହମନ୍ଦିରରେ ପ୍ରତିଷ୍ଠିତ କରିବା ଭାଗ୍ୟ ମୋର ନାହିଁ ବୋଲି କଣ ଲୋକଲୋଚନ ଅଗୋଚରରେ ହୃଦୟର ନିଭୃତ କନ୍ଦରରେ ତାହାର ସ୍ମୃତିକୁ ପୂଜା କରିବାର ଅଧିକାର ମୋର ନାହିଁ ? ଓଃ । ଏ ଯେ ଅସମ୍ଭବ, ତାହାହେଲେ ଯେ ଏ ସଂସାରରେ ମୋର କର୍ତ୍ତବ୍ୟର ଭାର ଦୁର୍ବହ ହେବ, ମୋ ଜୀବନଗ୍ରନ୍ଥି ଶିଥିଳ ହୋଇଯିବ-’’ ନୈରାଶ୍ୟର ତୀବ୍ର ବେଦନାରେ କଣ୍ଠରୁଦ୍ଧ ହୋଇ ଆସିଲା । ମେଲସ୍ ମର୍ସିୟା ଆଡ଼ୁ ଧୀରେ ଧୀରେ ମୁଖ ଫେରାଇନେଲା ।

 

ପ୍ରଣୟ ପ୍ରକାଶର ଏହି ପ୍ରବଳ ପ୍ରଭଞ୍ଜନ ମର୍ସିୟାର ଜୀବନର ଭିତ୍ତିମୂଳ ପର୍ଯ୍ୟନ୍ତ କମ୍ପିତ କରିଗଲା, କିନ୍ତୁ, ହାୟ ! ତାହାର ଶୂନ୍ୟହୃଦୟରେ ତିଳେମାତ୍ର ପ୍ରତିଧ୍ୱନି ଉଠାଇ ପାରିଲା ନାହିଁ । ଉଭୟେ ନିରୁତ୍ତର ହୋଇ ରହିଲେ, ଅନେକକ୍ଷଣ ପର୍ଯ୍ୟନ୍ତ ରହିଲେ । ସହାନୁଭୂତି ଓ ଦୁଃଖରେ ମର୍ସିୟାରେ ହୃଦୟ ଫାଟିଯାଉଥିଲା, କିନ୍ତୁ ତାହା ଯେ ମେଲସ୍ ର ଦୁଃଖ ହରଣ ନିମିତ୍ତ ଯଥେଷ୍ଟ ନୁହେଁ, ଏହା ଜାଣି ସେ ତାହା ପ୍ରକାଶ କରିବାକୁ ଅଉ ବୃଥା ଚେଷ୍ଟା କଲା ନାହିଁ । ମେଲସ୍ ମଧ୍ୟ ଜାଣିଲା, ଏ ବିଷୟରେ ଆଉ ଚେଷ୍ଟା କରିବା ବୃଥା, କିନ୍ତୁ ସେ ସ୍ଥାନରୁ ହଠାତ୍ ଆପଣାକୁ ଟାଣିନେଇ ଶୁଷ୍କ କର୍ମମୟ ଜଗତର ସମ୍ମୁଖୀନ କରିବାକୁ ସାହସ କରି ପାରିଲା ନାହିଁ ।

 

ମେଲସ୍ ଅତି କଷ୍ଟରେ ମର୍ସିୟା ଆଡ଼କୁ ଅଗ୍ରସର ହେଲା, ଆସ୍ତେ ଆସ୍ତେ ନିଜ ହାତ ଉପରେ ମର୍ସିୟାର ହାତ ରଖିଲା, ହାତ ଉପରେ ନଇଁ ପଡ଼ି ଅତି ଧୀରେ କହିଲା, ‘‘ମର୍ସିୟା, ଯାଉଛି-।” ମେଲସ୍ ଚାଲିଗଲା ।

 

ମର୍ସିୟା ଆସନ ଗଦିରେ ମୁହଁ ଲୁଚାଇ ନୀରବରେ କ୍ରନ୍ଦନ କରିବାକୁ ଲାଗିଲା । ପୋଷା ପକ୍ଷୀଟି ପିଞ୍ଜରାରୁ ବାହାରି ଘରର କୋଣରେ ଚଉକି ଉପରେ ବସିଥିଲା । ସେ ନୀରବରେ ନିରୀକ୍ଷଣ କରିବାକୁ ଲାଗିଲା ।

Image

 

ନୈବେଦ୍ୟ

ପଞ୍ଚମ ପରିଚ୍ଛେଦ

ମର୍ସିୟାର ଦୁଃଖ

 

ପ୍ରଥମ କେତେଦିନ ମର୍ସିୟା ମେଲସ୍ କୁ ଏକାବେଳକେ ଦେଖିବାକୁ ପାଇଲା ନାହିଁ । ମେଲସ୍‌ ମଧ୍ୟ ମର୍ସିୟାର ଘରକୁ ଯାଇ ହଠାତ୍ ପୂର୍ବ ପରି ତାହା ସହିତ କଥୋପକଥନ କରିବାକୁ ଉଚିତ ବିବେଚନା କଲା ନାହିଁ । ମେଲସ୍‌ ର ପ୍ରତ୍ୟାଖ୍ୟାନ ବିଷୟ ଜାଣିଥିବାରୁ ସେମାନେ ଯେତେବେଳେ ଉପାସନା ନିମିତ୍ତ ମନ୍ଦିରରେ ଅନ୍ୟାନ୍ୟ ଲୋକଙ୍କ ସହିତ ଏକତ୍ର ହେଉଥିଲେ, ସେମାନେ ଯେମନ୍ତ ହଠାତ୍ ପରସ୍ପରର ସମ୍ମୁଖୀନ ନ ହୁଅନ୍ତି, ଏଥି ନିମିତ୍ତ ମର୍ସିୟାର ପିତାମାତା ସେମାନଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବାକୁ ଚେଷ୍ଟା କରୁଥିଲେ । ଯେଉଁ ଦୁଃଖ ମେଲସ୍ ର ମନୁଷ୍ୟତ୍ୱ ତାହାକୁ ପ୍ରକାଶ କରିବାକୁ ଦେଉ ନ ଥିଲା, କିନ୍ତୁ ଯେଉଁ ଦୁଃଖ ତାହାର ଯାବତୀୟ ଗତିବିଧିରେ ତାହାର ସ୍ୱଭାବସୁଲଭ ସ୍ୱଚ୍ଛନ୍ଦତାକୁ ସର୍ବଦା ସଂକୁଚିତ କରି ରଖିଥିଲା, ତାହାଦେଖି ମର୍ସିୟା ଅନ୍ତରରେ ବଡ଼ ବ୍ୟଥା ପାଉଥିଲା ।

 

ଯେଉଁ ଅଗ୍ନିକାଣ୍ଡ, ନୀରୋର ରାଜତ୍ୱର ଦଶମ ବର୍ଷରେ ରୋମରେ ଘଟିଥିଲା, ତାହା କେବଳ ସେତିକିରେ ଶେଷ ନ ହୋଇ ଅନ୍ୟାନ୍ୟ ମହାବିଡ଼ମ୍ବନାର କାରଣ ହେଲା । ଏ ଅଗ୍ନିକାଣ୍ଡ ଯେ ନୀରୋର କାର୍ଯ୍ୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ, ସମସ୍ତ ଇତିହାସ ଲେଖକ ଏ ଦୋଷ ନୀରୋ ଉପରେ ଲଦନ୍ତି । କେଉଁ ଉଦ୍ଦେଶ୍ୟର ବଶବର୍ତ୍ତୀ ହୋଇ ସେ ଅଗ୍ନିକାଣ୍ଡ ଘଟାଇଥିଲା, ତାହା ଏପର୍ଯ୍ୟନ୍ତ ଜଣାଯାଇ ନାହିଁ । ଅନେକ ଲୋକ ଏହାର ଅନେକ ପ୍ରକାର କାରଣ ନିର୍ଦ୍ଦେଶ କରନ୍ତି । କେହି କେହି କହନ୍ତି ଯେ, ରୋମର ଅମାତ୍ୟବର୍ଗ ନୀରୋ ପ୍ରତି ଅବଜ୍ଞା ପ୍ରଦର୍ଶନ କରିଥିଲେ, ତାହାର ପ୍ରତିଶୋଧ ନେବା ନିମିତ୍ତ ନୀରୋ ଏହା କରିଥିଲା । ଆଉ କେହି କେହି କହନ୍ତି, ନୀରୋ ରୋମର ଜନସାଧାରଣଙ୍କୁ ଭୟ ପ୍ରଦର୍ଶନ କରି ନିଜର ଶାସନଦଣ୍ଡ ତଳେ ଆହୁରି ଅବନତ କରିବା ନିମିତ୍ତ ଏହା କରିଥିଲା । ପୁଣି ଆଉ କେହି କେହି କହନ୍ତି ଯେ, ଏ ଦୃଶ୍ୟରେ କି ନୂତନତ୍ୱ ଅଛି, ତାହାରି ଆମୋଦ ଅନୁଭବ କରିବା ନିମିତ୍ତ ନୀରୋ ଏ ଅଗ୍ନିଉତ୍ସବର ସୃଷ୍ଟି କରିଥିଲା ।

 

ଦିନେ ସଞ୍ଜବେଳେ ମର୍ସିୟା ତାହାର ପିତାମାତା ଓ ଫାଭିୟସ୍‌ ସହିତ ଘରେ ବସିଛି, ଏପରି ସମୟରେ ହଠାତ୍ ଦୂରରୁ କୋଳାହଳ ଶୁଣାଗଲା ଏବଂ ତାହାର ଅଳ୍ପ ସମୟ ଉତ୍ତାରୁ ଘରପାଖ ରାସ୍ତା ଦେଇ ଅନେକ ରଥ, ଅଶ୍ୱ ଦଉଡ଼ିବାର ଶୁଣାଗଲା । ଏହାର କାରଣ ବୁଝିବା ପାଇଁ ଲୁସିୟସ୍ ଫାଟକ ପାଖକୁ, ଦଉଡ଼ିଯାଇ ଦେଖିଲେ, ରୋମର ପ୍ରଧାନ ନାଟ୍ୟଶାଳା ଆଡ଼ୁ, ଅଗ୍ନିର ଢ଼େଉ ଆସୁଛି । ଏ ଅଗ୍ନିକାଣ୍ଡ ଯେ ଅତି ସହଜ ବ୍ୟାପାର ନୁହେଁ ଏହା ବୁଝିପାରି ଲୁସିୟସ୍‍ଙ୍କୁ ଫାଟକ ପାଖକୁ ଡାକିଲେ ।

 

ଫାଭିୟସ୍ ଅବଚଳିତ ଶାନ୍ତ ସ୍ୱରରେ ପଚାରିଲେ, “ଘଟଣା କଣ ?”

 

“ଦେଖ, ବଡ଼ ଭୟଙ୍କର ଅଗ୍ନିକାଣ୍ଡ । ମାଉଣ୍ଟ ପାଲଟାଇନ ନିକଟରୁ ନିଆଁ ଉଠୁନାହିଁ ?’’

 

“ହଁ, ନାଟ୍ୟଶାଳା ଆଡ଼ୁ ଉଠୁଛି ।'’

 

ସେହି ସମୟରେ ନାଟ୍ୟଶାଳା ଆଡ଼ୁ ମେଘଗର୍ଜନବତ୍‌ ପ୍ରଚଣ୍ଡ ଗୁରୁଗୁରୁ ଶବ୍ଦ ଶୁଣାଗଲା ଏବଂ ତହିଁ ସଙ୍ଗେ ସଙ୍ଗେ ଅଗ୍ନି ଶିଖାର ସହସ୍ର ଜିହ୍ୱା ଆକାଶରେ ଲହ ଲହ ହୋଇ ଉଠିଲା ଏବଂ ଉତ୍କ୍ଷିପ୍ତ ଅଗ୍ନିକଣା ସବୁ ଚତୁର୍ଦ୍ଦିଗରେ ବୃଷ୍ଟି ହେବାକୁ ଲାଗିଲା ।

 

ମର୍ସିୟା କହିଲା, “ବୋଧହୁଏ କୌଣସି ବଡ଼ ଘର ପୋଡ଼ିଗଲା ।’’ ଇତ୍ୟବସରରେ ମର୍ସିୟା ଓ ତାହାର ମାତା ସେମାନଙ୍କ ନିକଟକୁ ଫାଟକ ପାଖକୁ ଆସିଥିଲେ । ଏହି ସମୟରେ ଏକଦଳ ଅଶ୍ୱାରୋହୀ ସୈନ୍ୟ ସେମାନଙ୍କ ସମ୍ମୁଖ ଦେଇ ଅତି ଦ୍ରୁତଗତିରେ ଚାଲିଗଲେ ଏବଂ ସେମାନଙ୍କ ପଛରେ ଅନେକ ଲୋକ ଦଉଡ଼ୁଥିଲେ ।

 

ଦେଖୁ ଦେଖୁ ନିଆଁ ବଢ଼ି ଉଠିଲା ଏବଂ ସହରର ଅନ୍ୟାନ୍ୟ ଦିଗରୁ ମଧ୍ୟ ଘରପୋଡ଼ି ଆରମ୍ଭ ହେଲା ।

 

ଫାଭିୟସ୍‌ କହିଲେ, “ଭାଇ ଲୁସିୟସ୍‌, ଏ ଘଟଣା ‘‘ଆକସ୍ମିକ ନୁହେଁ ସୁଚିନ୍ତିତ । ଓଃ, କି ମହାଉତ୍ପାତ ! ଏ କାର୍ଯ୍ୟ କରିବାର ସମୟ, କଥା କହିବାର ସମୟ ନୁହେଁ । ଶୀଘ୍ର ମୋ ଚାଦରଟା ଦିଅ, ମୁଁ ଯାଏଁ । ଯେଉଁଠାରେ ବିପଦ, ବିଭୀଷିକା, ରକ୍ତପାତ, ମୃତ୍ୟୁ, ସେହିଠାରେ ମୋର କାର୍ଯ୍ୟକ୍ଷେତ୍ର ।

 

ଲୁସିୟସ୍‍ ଗମ୍ଭୀର ଭାବରେ କହିଲେ, ‘‘ହଁ ଭାଇ, କିନ୍ତୁ ତୁମର ଏକା ନୁହେଁ । ମୁଁ ମଧ୍ୟ ଆର୍ତ୍ତର ସାହାଯ୍ୟ ପାଇଁ ତୁମ ସଙ୍ଗରେ ଯିବି ।’’

 

‘‘ସେ ତ ଅତି ଉତ୍ତମ କଥା । କିନ୍ତୁ ଆଉ ସମୟ ନଷ୍ଟ କରିବାର ନୁହେଁ, ପ୍ରତ୍ୟେକ ମୁହୂର୍ତ୍ତରେ ହୁଏତ ଶତ ଶତ ପ୍ରାଣୀ ସଂସାର ତ୍ୟାଗ କରୁଛନ୍ତି, ଶତ ଶତ ଆତ୍ମା ବିନଷ୍ଟ ହେଉଛନ୍ତି ।’’

 

ଗ୍ୟାଲାଟା କହିଲେ, ମୁଁ ମଧ୍ୟ ତୁମ୍ଭମାନଙ୍କ ସଙ୍ଗରେ ଯିବି । ମର୍ସିୟା ଦୌଡ଼ି ଘରେ ଯେତେ କନାପଟା ଅଛି, ନେଇଆ, ସେ ସବୁ ବ୍ୟାଣ୍ଡେଜ ପାଇଁ ଭାରି ଲୋଡ଼ା ହେବ ।

 

ମର୍ସିୟା କହିଲା, ‘‘ମା, ମୁଁ ଯିବି, ମୁଁ ମଧ୍ୟ ତୁମ୍ଭମାନଙ୍କ ସଙ୍ଗରେ ଯାଇ ସାହାଯ୍ୟ କରବି ।’’

 

ପିତା ଉତ୍ତର କଲେ, ‘‘ନା, ମା’ ତୁମେ ଯିବ ନାହିଁ । ତାହାହେଲେ ଘର ଶୂନ୍ୟ ରହିବ । ଏ ସମୟରେ ରାସ୍ତା ଉପରେ ଯିବାର ତୁମ ପକ୍ଷରେ ସୁବିଧାଜନକ ହେବ ନାହଁ । ଆଉ ହୁଏତ କୌଣସି ଆହତ ନିରାଶୟ ଲୋକକୁ ଶ୍ରୁଶ୍ରୂଷା ସକାଶେ ଆମ୍ଭେମାନେ ଏଠାକୁ ପଠାଇ ଦେବୁଁ, ତୁମେ ଘରେ ନ ଥିଲେ ସେମାନଙ୍କର ସେବା କରିବ କିଏ ? ଯାଅ, ମା’ ଘରକୁ ଯାଅ, ପ୍ରଭୁ ଭୁମର ସହବର୍ତ୍ତୀ ହୋଇ ତୁମକୁ ସମସ୍ତ ବିପଦରୁ ରକ୍ଷା କରନ୍ତୁ । ମର୍ସିୟାର ପିତାମାତା ଓ ଫାଭିୟସ ସ୍ନେହ-ନିର୍ଭର ହୃଦୟରେ ମର୍ସିୟାକୁ ବିଦାୟର ଗାଢ଼ ଆଲିଙ୍ଗନ ପ୍ରଦାନ କରି ବ୍ୟାଣ୍ଡେଜ ପ୍ରଭୃତି ନେଇ ଯେଉଁ ଦିଗରୁ ଅଗ୍ନିର ବନ୍ୟା ପ୍ରଖର ଭାବରେ ପ୍ରବାହିତ ହେଉଥିଲା, ସେ ଦିଗକୁ ଧାବମାନ ହେଲେ ।

 

ମନୁଷ୍ୟ, ପଶୁ, ପକ୍ଷୀ, ଘରଦ୍ୱାର, ବୃକ୍ଷଲତା, ସମସ୍ତ ବସ୍ତୁକୁ ଅଗ୍ନି ଲେଲିହାନ ଜିହ୍ୱା ବିସ୍ତାର କରି ଗ୍ରାସ କରିବାକୁ ଲାଗିଲା । ଉତ୍ତାପ ଅସହ୍ୟ ହୋଇ ଉଠିଲା । ଅଗାଧ ଧୂମରାଶିରେ ରୋମର ସାନ୍ଧ୍ୟ ଅନ୍ଧକାର ଗାଢ଼ତର ହେବାକୁ ଲାଗିଲା । ଆବାଳବୃଦ୍ଧବନିତା ଯେ ଯେଉଁଆଡ଼େ ପାରିଲେ, କେବଳ ଛତ୍ରଭଙ୍ଗ ସୈନ୍ୟପରି ରାସ୍ତା ଉପରକୁ ଦଉଡ଼ିଲେ । ଜନତା କ୍ରମେ ବଢ଼ିଲା, ତହିଁ ସଙ୍ଗେ ସଙ୍ଗେ କ୍ଷିପ୍ତ ଜନତାର ତୀବ୍ର ଆର୍ତ୍ତନାଦରେ ଗଗନ ବିଦୀର୍ଣ୍ଣ ହେବାକୁ ଲାଗିଲା । ଚାରିଆଡ଼େ ମହାବିଶୃଙ୍ଖଳା ଘଟିଲା । ଫାଭିୟସ୍, ଲୁସିୟସ୍‌ ଓ ଗ୍ୟାଲାଟା ଅତି କଷ୍ଟରେ ଏ ଜନତା ଭେଦ କରି ଅଗ୍ରସର ହେଲେ । ରାସ୍ତାଧାରରେ ଆସି ଦେଖିଲେ, ଗେଟିଏ ସ୍ତ୍ରୀଲୋକ ବକ୍ଷରେ ରୋରୁଦ୍ୟମାନ ଶିଶୁଟିକୁ ଧରି ଅନ୍ୟ ଶିଶୁମାନଙ୍କୁ ଜ୍ୱଳନ୍ତ ଗୃହ ମଧ୍ୟରେ ଛାଡ଼ି ଆସିଛି ବୋଲି ଚିତ୍କାର କରୁଛି । ନିଜର ବିପଦ ପ୍ରତି ତିଳେମାତ୍ର ଭୃକ୍ଷେପ ନ କରି ଫାଭିୟସ୍ ଓ ଲୁସିୟସ୍‌ ଏକ ଲମ୍ପରେ ଗୃହରେ ପ୍ରବେଶ କର ଲୁପ୍ତଚେତନ ଶିଶୁଦୁହିଁଙ୍କି ସ୍କନ୍ଧରେ ଧରି ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ନିଷ୍କ୍ରାନ୍ତ ହେଲେ ଏବଂ ଶିଶୁଙ୍କୁ ସେମାନଙ୍କର ମାତାର ହସ୍ତରେ ଅର୍ପଣ କରି କାର୍ଯ୍ୟରେ ପୁନର୍ବାର ଅଗ୍ରସର ହେଲେ । ବିଶେଷତଃ, ଫାଭିୟସ୍‌ ଅସୁର ବଳରେ କାର୍ଯ୍ୟ କରୁଥିଲେ । ଧୂମାଗ୍ନିପରିବେଷ୍ଟିତ ହୋଇ ଯେତେବେଳେ ସେ ଏହି ସେବା କାର୍ଯ୍ୟରେ ଆତ୍ମବିସ୍ତୃତ ହୋଇ ପଡ଼ୁଥିଲେ, ସେତେବେଳେ ତାଙ୍କର ତେଜୋଦୀପ୍ତ ଉନ୍ନତବପୁ ବାତ୍ୟାନ୍ଦୋଳିତ ଲମ୍ବଶ୍ମଶ୍ରୁ ଓ କୋଶରାଶି, ସନ୍ଧ୍ୟା ଆକାଶର ଛୟାପଟରେ ଏପରି ପରିଷ୍ଫୁଟ ହୋଇ ଉଠୁଥିଲା ଯେ, ତାଙ୍କୁ ସେ ସମୟରେ ଦେଖିବା ଲୋକେ ମନେ କରୁଥିଲେ, ସତେ ଅବା କଲ୍ୟାଣର କୌଣସି ଦେବତା ଏହି ମହାସଂହାରର ହସ୍ତରୁ ରକ୍ଷା କରିବା ନିମିତ୍ତ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି । ବିପଦ ଯେତେ ବଡ଼ ହେଉ ପଛକେ ତାହା ତାଙ୍କୁ ଏକ ମୁହୂର୍ତ୍ତ ସକାଶେ ବ୍ୟସ୍ତ କି ବିଚଳିତ କରିପାରି ନ ଥିଲା ।

 

ଉତ୍ତାପର ଆତିଶଯ୍ୟରେ ଶ୍ୱାସରୋଧ ହେବାକୁ ଲାଗିଲା, ବିପନ୍ନର ଚିତ୍କାରରେ ଶ୍ରବଣ ବଧିର ହେଲା । ଅଗ୍ନିର ପ୍ରଚଣ୍ଡ ତାପରେ, ଗୃହପ୍ରାଚୀରର ପତନରେ ସ୍ତ୍ରୀ ପୁରୁଷ ବାଳକ ବାଳିକା ଇତସ୍ତତଃ ଦଗ୍‌ଧ ଓ କ୍ଷତବିକ୍ଷତ ହୋଇ ଧରାଶାୟୀ ହେଲେ । ଗ୍ୟାଲାଟା ବ୍ୟାଣ୍ଡେଜ ପାଇଁ ଯେ ସମସ୍ତ ଲୁଗାପଟା ଆଣିଥିଲେ ତାହା ସରିଗଲା, ଶେଷକୁ ସେ ନିଜର ବହିରାବରଣ ଓ ସ୍ୱାମୀଙ୍କର ଉତ୍ତରୀୟ ଚିରି ଲୋକଙ୍କର କ୍ଷତ ବାନ୍ଧିବାକୁ ଲାଗିଲେ ।

 

ଆହତ ଭୟାର୍ତ୍ତଙ୍କୁ ସାହାଯ୍ୟ କରିବାକୁ ଯାଇ ସେମାନଙ୍କୁ ଅନେକ ଥର ମୃତ୍ୟୁର ସମ୍ମୁଖୀନ ହେବାକୁ ହୋଇଥିଲା । ଥରେ ଗୋଟିଏ ବାଳକକୁ ଇଷ୍ଟକସ୍ତପ ମଧ୍ୟରୁ ଉଦ୍ଧାର କରୁଥିଲେ, ଏହିପରି ସମୟରେ ନିକଟବର୍ତ୍ତୀ ଗୃହର ଭିତ୍ତି କମ୍ପି ଉଠିଲା, ମୃତ୍ୟୁ ଓ ସେମାନଙ୍କ ମଧ୍ୟରେ ହସ୍ତ ଦୁଇ ପରିମାଣ ବ୍ୟବଧାନ ରଖି ମହାଶବ୍ଦରେ ଗୃହପ୍ରାଚୀର ପଡ଼ିଗଲା । ଏହିପରି ଅନେକ ଥର ସେମାନେ ଆସନ୍ନ ମୃତ୍ୟୁର ରକ୍ଷା ପାଇଲେ ।

 

ଅଗ୍ନି, ଯେତେ ବଢ଼ିଲା, ଲୋକଙ୍କ ମଧ୍ୟରେ ଉଚ୍ଛୃଙ୍ଖଳାତା ତେତିକି ବଢ଼ିଲା । ଅଗ୍ନି ନିଭାଇବା ପାଇଁ, କି ତାହାର ଗତିରୋଧ କରିବା ପାଇଁ ତିଳେମାତ୍ର ଚେଷ୍ଟା କରାଗଲା ନାହିଁ । ଯଦି କୌଣସି କୌଣସି ସ୍ଥାନରେ ଅଗ୍ନି ନିଭାଇବାର ସାମାନ୍ୟ ଚେଷ୍ଟା କରାଗଲା, କେତେକ ଲୋକଙ୍କ ଦୌରାତ୍ମ୍ୟରେ ତାହା ସୁଦ୍ଧା କରି ହେଲାନାହିଁ । ବାସଗୃହ ଭସ୍ମୀଭୂତ ଓ ପ୍ରିୟଜନଙ୍କ ମୃତ୍ୟୁ ଦେଖି ଲୋକେ ଏପରି କ୍ଷିପ୍ତ ହୋଇ ଉଠିଲେ ଯେ, ବାସଶୂନ୍ୟ ବନ୍ଧୁହୀନ ଜୀବନଠାରୁ ମରଣକୁ ଶ୍ରେୟ ଜ୍ଞାନ କରି ଜ୍ୱଳନ୍ତ ଗୃହରେ ଝାସ ଦେବାକୁ ଆରମ୍ଭ କଲେ ।

 

ମର୍ସିୟା ଆଉ ଘରେ ରହି ପାରିଲା ନାହିଁ, ପିତାମାତାଙ୍କ ନିମିତ୍ତ ଚିନ୍ତା ତାହାର ଅସହ୍ୟ ହେଲା । ସେମାନଙ୍କ ଅନ୍ୱେଷଣରେ ଘରୁ ବାହାରିଲା, କିନ୍ତୁ ଜନତାର ଖର ସ୍ରୋତରେ ଇତସ୍ତତଃ ବିକ୍ଷିପ୍ତ ହେବାକୁ ଲାଗିଲା । ଏହିପରି କ୍ଷତବିକ୍ଷତ ଓ ଇତସ୍ତତଃ ବିକ୍ଷିପ୍ତ ହୋଇ ଅତି କଷ୍ଟରେ ଅଗ୍ରସର ହେଲା । ବାଟ ଚିହ୍ନିବାର ଆଉ ଉପାୟ ରହିଲା ନାହିଁ । ଯେଉଁଠି ଉନ୍ନତ ଅଟ୍ଟାଳିକା ଥିଲା, ସେଠି ଧୂମାୟମାନ ଇଷ୍ଟକସ୍ତୂପ ! ଯେ ଯାହା ଦୁଃଖରେ ବ୍ୟସ୍ତ, ମର୍ସିୟାକୁ ପଚାରୁଛି କିଏ ? ତା ଉପରେ ତାର ମାନସିକ ଅବସ୍ଥା ମଧ୍ୟ ଭଲ ନ ଥିଲା । ମନେ କଲା, ହୁଏତ ଏତେବେଳ ସୁଦ୍ଧା ପିତାମାତା ଘରେ ପହଞ୍ଚି ତା ପାଇଁ ଉଦ୍‌ବିଗ୍ନ ହେଉଥିବେ, କିନ୍ତୁ ଘରକୁ ଯାଉଛି କିପରି, ଭଗ୍ନାବଶେଷର ଏହି ମହାରଣ୍ୟରେ ପଥ ନିର୍ଦ୍ଧାରଣ କରିବା ଦୁଷ୍କର ।

 

ଏଣେ ଜ୍ୱରରେ ଦିହ ଜଳି ଯାଉଛି, ତୃଷ୍ଣାରେ ପ୍ରାଣ ବାହାରି ଗଲା ପରି ଲାଗୁଛି, ଦେହରେ ଆଉ ଶକ୍ତି ନାହିଁ । ତଥାପି ଏହିପରି ଅବସ୍ଥାରେ ସୁଦ୍ଧା ସେ ନିଜର ଶକ୍ତିର ଶେଷସୀମା ପର୍ଯ୍ୟନ୍ତ ପରର ଉପକାର କରିବାରୁ ବିରତ ହେଲାନାହିଁ । ଯେତେବେଳେ ତାହାର ଚେତନା ପ୍ରାୟ ବିଲୁପ୍ତ, ସେତେବେଲେ ସୁଦ୍ଧା ସେ ପତନୋନ୍ମୁଖ ଗୃହପ୍ରାଚୀରର ନିକଟରୁ ଜଣେ ବୃଦ୍ଧାକୁ ଓଟାରି ଆଣିଲା, କିନ୍ତୁ ଏହି ସମୟରେ ସ୍ଖଳିତ ଚ୍ଛଦ କତିକାଷ୍ଠର ଆଘାତରେ କରେ ସଂଜ୍ଞାଶୂନ୍ୟ ହୋଇ ରକ୍ତାକ୍ତ କଳେବରରେ ରାସ୍ତା ଉପରକୁ ଛିଟିକି ପଡ଼ିଲା । ଯଦି କେତେକ ସୈନିକ ଦୟାପରବଶ ହୋଇ ତାକୁ ନିକଟବର୍ତ୍ତୀ ଭଗ୍ନଗୃହର ଦ୍ୱାର ନିକଟକୁ ଯୋଡ଼ିତ ହୋଇ ନ ଥାନ୍ତେ ଲୋକମାନଙ୍କ ପାଦ ପ୍ରହାରରେ ତାର ଜୀବନ ଯାଇଥାନ୍ତା ।

 

ତହିଁ ଆରଦିନ ସକାଳେ ମେଲସ୍‌ ଓ ଫାଭିୟସ୍‌ ତାକୁ ଏହିପରି ସଂଜ୍ଞାଶୂନ୍ୟ ଅବସ୍ଥାରେ ପାଇଲେ ।

 

ଗୋଟିଏ ଭଙ୍ଗା କବାଟ ଉପରେ ଶୁଆଇ ଏହି ଦୁଇଜଣ ତାକୁ ଫାଭିୟସର ଘରକୁ ଆଣିଲେ । ଏମାନଙ୍କର ଶୁଶ୍ରୂଷାରେ ସେ ତାହାର ଜୀବନ ଫେରି ପାଇଲା ହାୟ ! ତାହାର ପିତାମାତା ଯେ ଇହ ସଂସାରରେ ନାହାନ୍ତି, ଏହି କଥା ଜାଣିବାକୁ କେବଳ । କାରଣ, ସେମାନେ ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ନିଜ ଜୀବନ ବିସର୍ଜ୍ଜନ କରିଥିଲେ ।

Image

 

ଷଷ୍ଠ ପରିଚ୍ଛେଦ

ତାଡ଼ନା

 

ଦିବାରାତ୍ର ଛଅ ଦିନ କାଳ ଅଗ୍ନି ସମାନ ତେଜରେ ଜଳିବାକୁ ଲାଗିଲା । ନଗରବାସୀ ସବୁ ଅଗ୍ନି ହସ୍ତରୁ ରକ୍ଷାପାଇବା ପାଇଁ ପର୍ବତ ପ୍ରାନ୍ତରକୁ ପଳାୟନ କଲେ । ଶୁଣାଗଲା ଯେ, ଏହି ଅଗ୍ନି ଦାହ ସମୟରେ ନୀରୋ ରାଜବାଟୀର ଚ୍ଛଦ ଉପରେ ବସି ଏ ତାଣ୍ଡବ ଦେଖୁଥିଲା ଏବଂ ସ୍ଵରଚିତ ଟ୍ରୟ ନଗରର ଅଗ୍ନିଦାହ ସମ୍ବନ୍ଧୀୟ ସଙ୍ଗୀତ ବୀଣାଯନ୍ତ୍ର ସହଯୋଗରେ ଗାନ କରୁଥିଲା ।'

 

ନୀରୋ ଯେତେବେଳେ ଜାଣିପାରିଲା ଯେ, ନରବାସୀ ସମସ୍ତେ ତାଙ୍କୁ ଏ ଅଗ୍ନିକାଣ୍ଡର କାରଣ ବୋଲି ସନ୍ଦେହ କରୁଛନ୍ତି, ସେମାନଙ୍କର ମନୋରଞ୍ଜନ କରିବାକୁ ଚେଷ୍ଟିତ ହେଲା । ଗୃହଶୂନ୍ୟ ଲୋକଙ୍କର ରହିବା ନିମନ୍ତେ ସେ ମାର୍ସ ଦେବତାର ଉଦ୍ୟାନ ଓ ନିଜର ପ୍ରମୋଦ ଉଦ୍ୟାନ ଛାଡ଼ିଦେଲା । ସେ ଅଗ୍ନି ନିଭାଇଲା, କିନ୍ତୁ ତାହା ରୋମର ଚଉଦ ବିଭାଗ ମଧ୍ୟରୁ ଦଶ ବିଭାଗର ଧ୍ୱଂସସାଧନ କରି ସାରିଲା ପରେ । ନଗରର ପୁନଃସଂସ୍ଥାପନରେ ସେ ଲାଗିଲା । ତହିଁରେ ବହୁ ଅର୍ଥ ବ୍ୟୟ କରି ନିଜ ନିମନ୍ତେ ଯେଉଁ ରାଜପ୍ରାସାଦ କରିଥିଲା, ତାହାର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ସୁନା, ରୂପା ଓ ନାନାବିଧ ଜହରତରେ ଗୃହ ମଣ୍ଡିତ ହେଲା, ଗ୍ରୀସର ଶ୍ରେଷ୍ଠ ମର୍ମରମୟୀ ମୂର୍ତ୍ତି ସବୁ ଘରର ଅଗଣା ଯିବା ଆସିବା ବାଟର ଉଭୟ ପାର୍ଶ୍ୱର ଶୋଭା ବଢ଼ାଇଲା । ପ୍ରାସାଦସଂଲଗ୍ନ ପ୍ରଶସ୍ତ ଉଦ୍ୟାନ ସମସ୍ତ ହଦ୍ର, ତଡ଼ାଗ, ପ୍ରସ୍ରବଣରେ ଶୋଭିତ ହେଲା । ଏହିପ୍ରକାର ରାଜପ୍ରାସାଦ ନିର୍ମାଣ କରିବ ବୋଲି ସେ ବହୁଦିନରୁ ଇଚ୍ଛା କରିଥିଲା, ଅବଶେଷରେ ଅପରିମେୟ ରକ୍ତପାତ ଓ ମୃତବ୍ୟକ୍ତିମାନଙ୍କର ବାୟେଜାପ୍ତ ସମ୍ପତ୍ତିରେ ସେ ଆପଣାର ଅଭିଳାଷ ପୂରଣ କଲା ।

 

ନଗରବାସୀଙ୍କ ସନ୍ଦେହ ଧୈର୍ଯ୍ୟର ସୀମା ଅତିକ୍ରମ କରିବାକୁ ଲଗିଲା । ସେମାନଙ୍କ କୋପରୁ ନିଜକୁ ରକ୍ଷା କରିବା ନିମନ୍ତେ ନୀରୋ ଏ ଅଗ୍ନିକାଣ୍ଡର ଦୋଷ ଖ୍ରୀଷ୍ଟିୟାନମାନଙ୍କ ଉପରେ ପକାଇଲା । ବିନା ବିଚାରରେ ସମସ୍ତ ଖ୍ରୀଷ୍ଟିୟାନ ଦୋଷୀ ସାବ୍ୟସ୍ତ ହେଲେ । ସେମାନେ ଯେମନ୍ତ ଏ ଦୋଷକୁ ସ୍ୱୀକାର କରି ନିଅନ୍ତି ଏବଂ ତଦ୍ୱାରା ନୀରୋ ମୁଣ୍ଡରୁ ଦୋଷ ଖସେ, ଏଥିପାଇଁ ସେ ସେମାନଙ୍କୁ କଳ୍ପନାତୀତ ଯନ୍ତ୍ରଣା ଦେବାକୁ ଆରମ୍ଭ କଲା । ସେମାନଙ୍କୁ ରୋମରୁ ନିଃଶେଷରୂପେ ଉଚ୍ଛିନ୍ନ କରିବାକୁ ଆଜ୍ଞା ପ୍ରଚାର କଲା, କାହାରିକୁ ଅବ୍ୟାହତ ଦେଲା ନାହିଁ । ସମସ୍ତ ଖ୍ରୀଷ୍ଟିୟାନ୍‌ଙ୍କ ଉପରେ ମୃତ୍ୟୁଦଣ୍ଡ ଘୋଷିତ ହେଲା । କେତେକଙ୍କୁ ସେ ରୋମର ପ୍ରଧାନ ରଙ୍ଗମଞ୍ଚ ‘‘କଲେସିୟମ୍‌’’ରେ ହିଂସ୍ର ଜନ୍ତୁଙ୍କ ସମ୍ମୁଖରେ ନିକ୍ଷେପ କଲା; ସେମାନଙ୍କ ତ୍ରାଣକର୍ତ୍ତାଙ୍କର ‘‘ତ୍ରୂଶୀୟ’’ ମୃତ୍ୟୁର ଉପହାସ ଛଳନାରେ କାହାକୁ କାହାକୁ ତ୍ରୂଶାରୋପିତ କଲା, କାହାକୁ କାହାକୁ ମଶାଲ କରି ଜାଳିଲା । ସେମାନଙ୍କ ଦେହରେ ତୈଳାକ୍ତ ଲୁଗା ଗୁଡ଼ାଇ ଶ୍ରେଣୀବଦ୍ଧ ସ୍ତମ୍ଭରେ ସେମାନଙ୍କୁ ବାନ୍ଧି ଅଗ୍ନି ସଂଯୋଗ କରି ନୀରବରେ ସେମାନଙ୍କ ମୃତ୍ୟୁଯନ୍ତ୍ରଣାର ଦୃଶ୍ୟ ଉପସ୍ପେଗ କଲା ।

 

କୌଣସି ପ୍ରକାର ଆପତ୍ତି ଶୁଣାଗଲା ନାହିଁ, କି କୌଣସି ଓଜର ଗ୍ରହଣ କରାଗଲା ନାହିଁ-। ସେମାନଙ୍କ ବିରୁଦ୍ଧରେ କୌଣସି ଗୁପ୍ତଚର ଅବା ଯେ କୌଣସି ଲୋକର ସାକ୍ଷ୍ୟ ଯଥେଷ୍ଟ ବୋଲି ବିବେଚିତ ହେଲା, ତହିଁ ସଙ୍ଗେ ସଙ୍ଗେ ଦୋଷୀ ବନ୍ଦିଶାଳାକୁ ନିଆଗଲା ଏବଂ ସେଠାରେ ବିନା ବିଚାରରେ ଅବ। ଅବିଚାରେ ନାନା ଯନ୍ତ୍ରଣା ପାଇ ଦେହତ୍ୟାଗ କଲା । ଏହି ମହାନିଗ୍ରହ ସମୟରେ ଖ୍ରୀଷ୍ଟିୟାନମାନେ ଯେ କେବଳ ତାଙ୍କ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ତାହା ନୁହେଁ, ସେମାନେ ଏ ପ୍ରକାର ଧୀର, ସ୍ଥିର ଓ ଅବିଚଳିତ ଚିତ୍ତରେ ଓ ଅମ୍ଳାନ ବଦନରେ ମୃତ୍ୟୁଯନ୍ତ୍ରଣା ସହ୍ୟକଲେ ଯେ ତାହା ଦେଖି ନୀରୋ ସ୍ତମ୍ଭିତ ହେଲା, କିନ୍ତୁ ତାହାର କ୍ରୋଧ ସେହି ପରିମାଣରେ ବୃଦ୍ଧି ପାଇଲା । ଏହି ସମୟରେ ମର୍ସିୟା ଗୋଟିଏ ଚାକର ନେଇ ରୋମର ଅପେକ୍ଷାକୃତ ନିର୍ଜ୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ନୀରବରେ ବାସ କରୁଥିଲା । ଏବଂ ରୋଗୀମାନଙ୍କୁ ଦେଖିବା ଅବା ଫାଭିୟସ୍‌ଙ୍କ କତିକୁ କଦାଚିତ୍‌ ଯିବା ଛଡ଼ା ଆଉ କେତେବେଳେ ଘରୁ ବାହାରୁ ନ ଥିଲା । ଖ୍ରୀଷ୍ଟିୟାନ ହେବାରୁ ତାକୁ ମଧ୍ୟ ସତର୍କତାର ସହକ ଚଳିବାକୁ ହେଉଥିଲା । ବିଶେଷରେ ତାହାର ନବଯୌବନ ଓ ଅତୁଳ ରୂପରାଶି ପ୍ରତିପାଦ ବିକ୍ଷେପରେ ତାହାର ବିପଦର କାରଣ ହେଲା । ଏପର୍ଯ୍ୟନ୍ତ ଫାଭିୟସ୍‌ ଅବା ତାହା ବିରୁଦ୍ଧରେ କୌଣସି ଅଭିଯୋଗ କରା ହୋଇ ନ ଥିଲା, କିନ୍ତୁ ସେମାନେ ବେଶିଦିନ ପର୍ଯ୍ୟନ୍ତ ଏଥରୁ ନିଷ୍କୃତି ପାଇ ନ ଥିଲେ ।

 

ଅପରାହ୍ନରେ ସୂର୍ଯ୍ୟାସ୍ତର କିଞ୍ଚିତ ପୂର୍ବରୁ ଦୁଇଜଣ ଲୋକ ରୋମର ଗୋଟିଏ ଘରର ଦାଣ୍ଡ ପାହାଚ ଉପରେ ବସିଥିଲେ । ଘରଟି ଦେଖିବାକୁ ସୁନ୍ଦର, ଟାଇବର ନଦୀର ଅତି ନିକଟରେ । ଲୋକ ଦୁଇଜଣ ଅତି ଗରିବ, ଦେହରେ ଛିଣ୍ଡା ଗଇଁଠା ଲୁଗା ଏବଂ ମୁଣ୍ଡରେ ଅପରିଷ୍କୃତ ବାଳ ମଇଳାରେ ଜଟ ବାନ୍ଧି ଯାଇଛି । ତାଙ୍କ ମଧ୍ୟରୁ ଜଣକର ନାମ ସାର୍ଭିଲିୟସ୍‌, ସେ ଦେଖିବାକୁ ଭୀମକାୟ, ବିଶେଷତଃ, ତାହାର ଅର୍ଦ୍ଧ ଉଲଗ୍ନ ଶରୀରରେ ସେ ଉତ୍ତରୀୟ ରୂପେ ଗୋଟାଏ ବାଘ ଛାଲ ପକାଇ ଥିବାରୁ ଅତିଶୟ ଭୟଙ୍କର ଦେଖାଯାଉଥିଲା । ଅପର ଲୋକ ଦେଖିବାକୁ ଟିକିଏ ଲମ୍ବା; କିନ୍ତୁ ମୁଖର ଆକୃତି ଭୀଷଣତର । ହିଂସାବୃତ୍ତି ଓ ଧୂର୍ତ୍ତତାରେ ଉଭୟେ ସମାନ । ଲୋକ ଦେଖିବାରେ ସେମାନେ ଜୂଆଖେଳରେ ନିଯୁକ୍ତ ଥିଲେ, କିନ୍ତୁ ଯେତେବେଲେ ସେମାନେ ସେହି ମାର୍ବୁଲ ପାହାଚ ତଳେ ଜୁଆର ପଟ ପକାଉଥିଲେ ଓ ଦାନ ଚାଲୁଥିଲେ ଓ ଭୟଙ୍କର ଚିତ୍କାର କରି ନାନା ଅଶ୍ରାବ୍ୟ କଥା କହୁଥିଲେ, ସେତେବେଳେ ସେମାନେ ଯେ ପ୍ରକାର ଚକିତ ଚାହାଣୀରେ ବାଟ ଉପରକୁ ଅନାଉଥିଲେ, ତାହା ଦେଖି ସେମାନଙ୍କର ଜୁଆଖେଳ ଯେ ଛଳନା ଏବଂ ଖେଲର ଅଭିପ୍ରାୟ ଅନ୍ୟପ୍ରକାର, ତାହା ସ୍ପଷ୍ଟ ଅନୁମିତ ହେଉଥିଲା । ସେ ସ୍ଥାନର ଘଟଣାଗୁଡ଼ିକ ଲକ୍ଷ କରିବାପାଇଁ ସେମାନେ ଆଖି କାନ ସତର୍କ କରି ରଖିଥିଲେ । ଯଦିବା ସେ ସ୍ଥାନରେ ଲୋକଗହଳ ବେଶି ନ ଥିଲା, ତଥାପି ସହର ମଝି ହେବାରୁ ସେ ବାଟ ଦେଇ ଅନେକ ଲୋକର ଗତିବିଧି ଥିଲା । ନିକଟବର୍ତ୍ତୀ ଟାଇବର ନଦୀର ‘‘ଯେଟି’’ରୁ କୁଲିମାନେ ଜିନିଷପତ୍ର ବୋହି ଆଣୁଥିଲେ, ମଧ୍ୟବିତ୍ତ ଶ୍ରେଣୀର ରମଣୀ ମାନେ ତହିଁ ଆରଦିନ ପାଇଁ ଜିନିଷପତ୍ର କିଣିବାକୁ ସେହି ବାଟ ଦେଇ ବଜାରକୁ ଯିବାଆସିବା କରୁଥିଲେ । ସେହି ବାଟ ଦେଇ ଫୁଲବାଲା, ଭିକାରୀ, କାରବାରୀ ଲୋକ ପ୍ରଭୃତି ଅନେକଙ୍କର ଗତାୟାତ ଥିଲା । ସେମାନଙ୍କ ସମ୍ମୁଖରେ ରାସ୍ତାରେ କେତେଗୁଡ଼ିଏ ସୈନ୍ୟ ଜଣେ ବୃଦ୍ଧକୁ ବନ୍ଦୀ କରି ନେଉଥିଲେ । ଏ ବୃଦ୍ଧର ହାତ ପଛଆଡ଼ୁ ବନ୍ଧା ହୋଇଥିଲା । ସେ ପୀଡ଼ିତ, କ୍ଲାନ୍ତ ଓ ଦୁର୍ବଳ ଦେଖା ଯାଉଥିଲା । ତାହାର ମନ୍ଥର ଗତିରେ ଅଧୈର୍ଯ୍ୟ ହୋଇ ଜଣେ ସୈନିକ ଏପ୍ରକାର ପଦାଘାତ କଲା, ଯେ, ବୃଦ୍ଧ ସମ୍ଭାଳି ନ ପାରି ପଡ଼ିଗଲା । ପଡ଼ିଯିବା ହେତୁରୁ ପୁନର୍ବାର ପଦାଘାତ କରି ବୃଦ୍ଧକୁ ଦୃଢ଼ଭାବରେ ଟାଣି ଛିଡ଼ା କରି ଧକ୍‌କା ଦେଇ ଅଗ୍ରସର ହେବା ନିମନ୍ତେ ଆଦେଶ ଦିଆଗଲା । ଜଣେ ସ୍ତ୍ରୀ ଗୋଟିଏ ରୋରୁଦ୍ୟମାନ ପାଞ୍ଚବର୍ଷର ବାଳିକାର ହାତ ଧରି ସେମାନଙ୍କ ପଛରେ ଚାଲୁଥିଲା । ଏହା ଦେଖି, ବୃଦ୍ଧ ପ୍ରତି ଯେପରି ଟିକିଏ ଦୟା ପ୍ରକାଶ କରାହୁଏ, ସେଥିପାଇଁ ଆଗକୁ ଯାଇ ସେ ସ୍ତ୍ରୀଟି ପ୍ରଧାନ ସୈନିକର ପଦଦ୍ୱୟ ଧରି ଅଶ୍ରୁବିଗଳିତ ଲୋଚନରେ ଅନୁନୟ କରିବାକୁ ଲାଗିଲା । କିନ୍ତୁ ଉତ୍ତର ସ୍ୱରୂପ ସେ ସୈନିକ ତାହାର ଗୋଡ଼ ଛାଟି ନେଲା ଓ ସ୍ତ୍ରୀଟିକୁ ନାନା ଅଶ୍ରାବ୍ୟ କଟୁକ୍ତି କଲା । ରମଣୀ ଭର୍ତ୍ସିତ ହୋଇ ପଛକୁ ଫେରି ଆସିଲା । ସୈନିକମାନେ ବନ୍ଦୀକୁ ନେଇ ଚାଲିଗଲେ ଓ ସ୍ତ୍ରୀ ମଧ୍ୟ କ୍ରନ୍ଦନ କରି କରି ସେମାନଙ୍କ ପଛେ ପଛେ ଗଲା ।

 

ଦୁଇ ଚରଙ୍କ ମଧ୍ୟରେ ଯେ ବେଶି ଲମ୍ବା ସେ କହିଲା, ‘‘ସର୍ଭିଲିୟସ୍, ବୁଢ଼ା ଯୁତା ଠୋକରରେ ଥଣ୍ଡା ହୋଇଗଲା ।” ଅନ୍ୟ ଜଣକ କହିଲା, ‘‘ବୁଢ଼ାଟାର ହାଡ଼ରେ ଟିକିଏ ହେଲେ ତାକତ ନାହିଁ । ଗୋଟାଏ ନାତରେ ଲେଉଟି ପଡ଼ୁଛି ।’’

 

ତାହାର ସଙ୍ଗୀ କେବଳ ଗୋଟାଏ ‘ହୁଁ’ ଶବ୍ଦ କଲା । ସର୍ଭିଲିୟସ୍ ପୁନର୍ବାର କହିଲା, ମୁଁ ତାକୁ ଅନେକ ଦିନରୁ ଆଖେଇଥିଲି, କିନ୍ତୁ ସେ କାୟସ ହାବୁଡ଼ରେ ପଡ଼ିଗଲା ଓ ନୀରୋଠୁଁ ଟଙ୍କାତକ ମାରିନେଲା କାୟସ୍ ।’’

 

‘‘ଖ୍ରୀଷ୍ଟିୟାନ ଶିକାରରେ ଆଜି କାଲି ବେଶ୍‌ ଲାଭ ଅଛି ନା ?"

 

“ସେ କଥା ଆଉ ପଚାରୁଛୁ କାହିଁକି, ଷ୍ଟ୍ରାବୋ, ଲାଭ ତ ଅଛି, ତା’ ସଙ୍ଗେ ସଙ୍ଗେ ମଉଜ ବି ଅଛି । ଜନ୍ତୁ ଶିକାରର ସବୁ ମଉଜଯାକ ଏଥିରେ ଅଛି, କିନ୍ତୁ ତାହାର ଆପଦ ବିପଦ କିଛି ନାହିଁ-।’’ ତହିଁ ଉତ୍ତାରୁ ଟିକିଏ ହସିଦେଇ କହିଲା, “କାରଣ ମୁଁ ଯେତେଥର ସେମାନଙ୍କୁ ମାରିଛି, କି ସାନ, କି ବଡ଼, ଜଣେ ହେଲେ ଫେରି ମୋତେ ଗୋଟାଏ ବିଧା ସୁଦ୍ଧା ମାରି ନାହାନ୍ତି । ତାଙ୍କ ଗୋଷ୍ଠି କାଗୋଷ୍ଠି ଛେରୁଆ ।”

 

ଏହି ସମୟରେ ଦଳେ ସୁସଜ୍ଜିତ ଶରୀରରକ୍ଷୀ ଜଣେ ଅଧ୍ୟକ୍ଷର ପଛରେ ଏହି ବାଟ ଦେଇ ଯାଉଥିଲେ । ଏ ଦୁଇଜଣ ଅତିଶୟ ଆଗ୍ରହ ସହିତ ଏମାନଙ୍କୁ ଦେଖିବାକୁ ଲାଗିଲେ ।

 

ସର୍ଭିଲିୟସ୍ କହିଲା, “ସେ ମାର୍କସ୍ ସୁପର୍ବସ୍‌ର ସୈନଙ୍କର ଅଧ୍ୟକ୍ଷ ଭିଟୁରିୟସ୍ ।"

 

ଷ୍ଟ୍ରାବୋ ଈର୍ଷାନ୍ୱିତ ହୋଇ କହିଲା, “ମୁଁ ଭଲା ମାର୍କସ ସୁପର୍ବସ୍ ହୋଇଥାନ୍ତି !”

ସର୍ଭିଲିୟସ୍‌ ଥଟ୍ଟା କରି କହିଲା, କାହିଁକି, କହୁ ନାହୁଁ–‘‘ମୁଁ ଆପଲ୍ଲୋ, ଯୁପିଟର ଭଲା ହୋଇଥାନ୍ତି ।’ ଶୁଣ, କହୁଛି ପୁଣି, “ମୁଁ ଭଲା ମାର୍କସ୍ ସୁପର୍ବସ୍ ହୋଇଥାନ୍ତି ।’’

ଷ୍ଟ୍ରାବୋ ନିଜର ଅନ୍ନକଷ୍ଟ ବିଷୟ ଚିନ୍ତା କରି କହିଲା, “ବଡ଼ କପାଳିଆ । ଜଣକର ଏତେ, ଆଉ ଜଣକର କିଛି ନାହିଁ ! ଈଶ୍ୱରଙ୍କର ଏ ବଡ଼ ଅନ୍ୟାୟ ।”

‘‘ଭାରି ଭଲ ଲୋକଟା, ଇଶ୍ୱରଙ୍କ କଥା ମନେ ପଡ଼ିଗଲା । ଆମର ଫଟା ପାହୁଲଟାଏ ବି ନାହଁ; ଆଉ ମାର୍କସ୍‍ର ଘୋଡ଼ାମାନଙ୍କର ଗୋଡ଼ ଟାପୁରେ ସୁନାର ଲାଲ ମରା ହୋଇଛି । ସେ ଶେଷ ଥର ନୀରୋକୁ ଯେଉଁ ଭୋଜି ଦେଇଥିଲା, ସେଥିରେ ତାର ଲକ୍ଷେ ଟଙ୍କା ଉପରେ ଖରଚ ହୋଇଥିଲା ।”

ଷ୍ଟ୍ରାବୋ କହିଲା ‘‘ଓଃ ! ଏହି ପୃଥିବୀଟାଯାକରେ ଲକ୍ଷେ ଟଙ୍କା ଅଛି ନା ?"

ସର୍ଭିଲିୟସ୍‌ ଷ୍ଟ୍ରାବୋର ଟିକିଏ କତିକୁ ଲାଗି ଆସି କହିଲା, ‘‘ତତେ ମୁଁ ଦେଖୁଛି, ଓଲୁଙ୍କ ଓସ୍ତାତ୍ । ପୃଥିବାଯାକରେ ଲକ୍ଷେ ଟଙ୍କା ନାହିଁ ? ଆରେ, ଲକ୍ଷେଠୁଁ ଢେର ଢେର ବେଶି ଟଙ୍କା ଅଛି; ଆଉ ଏଥିରୁ ଆମ ହାତକୁ ବି କିଛି ଆସିବ; ଯଦି ଆମେ ଦୁଇ ଚାରିଟା ଖ୍ରୀଷ୍ଟିୟାନଙ୍କୁ ଧରେଇ ଦେଉଁ-। ଚୁପ୍‌ ଚୁପ୍‌, ଏ ଆଡ଼କୁ କିଏ ଦୁଇଜଣ ଆସୁଛନ୍ତି । ଲୁଗାପଟାରୁ ଜଣା ପଡ଼ୁଛି ଯେପରି ଆଉ କେଉଁ ଦେଶର ଲୋକ । ୟାଙ୍କୁ ଟିକିଏ ଆଖେଇବାକୁ ହେବ ।”

ଯେଉଁମାନଙ୍କ ସମ୍ବନ୍ଧରେ ସେମାନେ ଏ ପ୍ରକାର କଥାବାର୍ତ୍ତା କରୁଥିଲେ ସେମାନେ ବିପରୀତ ଦିଗରୁ ପରସ୍ପର ଆଡ଼କୁ ଆସୁଥିଲେ । ଯଦିବା ସେମାନେ ସାଧାରଣ ଭଦ୍ରଲୋକ ପରି ପୋଷାକ ପରିହିତ ହୋଇଥିଲେ, ତଥାପି ସେମାନଙ୍କ ମୁଖର ଭାବରେ ଓ ଚାଲିଚଳଣରେ ଏପ୍ରକାର ଏକ ବିଶେଷତ୍ୱ ଥିଲା, ଯାହା କେବଳ ସତର୍କ ତାର କାହିଁକି, ଅନ୍ୟାନ୍ୟ ଲୋକଙ୍କର ମନୋଯୋଗ ସୁଦ୍ଧା ଆକର୍ଷଣ କରିଥାନ୍ତା । ସେମାନଙ୍କ ମଧ୍ୟରୁ ଯେ ବୟୋବୃଦ୍ଧ, ସେ ଫାଭିୟସ୍ । ତାଙ୍କର ରଜତଶୁଭ୍ର ଲମ୍ବ ଶୁଶ୍ରୂ, ସ୍କନ୍ଧବିଲମ୍ବୀ ଉତ୍ତରୀୟ, ଅର୍ଦ୍ଧମୁକ୍ତ ଅର୍ଦ୍ଧ ଆବୃତ; ହସ୍ତରେ ଯଷ୍ଟ, କିନ୍ତୁ ତହିଁରେ ନିର୍ଭର ନ ଥିଲା; ତୀକ୍ଷଣଦୃଷ୍ଟି କ୍ଷଣକେ ସମସ୍ତ ପଥ ପର୍ଯ୍ୟବେକ୍ଷଣ କରୁଥିଲା । ଯେଉଁ ଅପରିଚିତ ଲୋକଟି ତାଙ୍କ ଆଡ଼କୁ ଅଗ୍ରସର ହେଉଥିଲା, ତାହାକୁ ସେ ଅତ୍ୟନ୍ତ ମନୋଯୋଗ ସହକାରେ ନିରୀକ୍ଷଣ କରୁଥିଲେ । ଏ ଲୋକଟି ଦୂରଦେଶରୁ ଆସିଲା ପରି ଜଣା ପଡ଼ୁଥିଲା, ପଥର ଧୂଳିରେ ପରିଧାନ ଧୂସରିତ । ବୟସ ପଞ୍ଚାଶରୁ ଅଧିକ, ଶରୀର ବଳିଷ୍ଠ, କଷ୍ଟସହିଷ୍ଣୁ ଓ ଶାନ୍ତିସହନକ୍ଷମ । ହାତରେ ଖଣ୍ଡେ ଯଷ୍ଟି । ସେ କ୍ଷିପ୍ରଗତିରେ ଆସୁଥିଲେ, ଯେପରି କୌଣସି ଗୁରୁତର କାର୍ଯ୍ୟ ତାଙ୍କ ସମ୍ମୁଖରେ ଅଛି । ଏ ଉଭୟଙ୍କ ଅନ୍ତରର ଗଭୀର ଶାନ୍ତି ଓ ମନିରୁଦ୍‌ବେଗ ମୁଖରେ ସ୍ପଷ୍ଟ ପ୍ରତିଭାତ । ଯେତେବେଳେ ସେମାନେ ପରସ୍ପର ନିକଟବର୍ତ୍ତୀ ହେଲେ, ସେତେବେଳେ ଯେପରି ଗୋଟାଏ ଅନିର୍ଦ୍ଦିଷ୍ଟ ଆକର୍ଷଣରେ ଉଭୟେ ପରସ୍ପର ପ୍ରତି ଆକୃଷ୍ଟ ହେଲେ; ଦୁଇଜଣଯାକ ଏକ ମୁହୂର୍ତ୍ତ ନିମିତ୍ତ ଛିଡ଼ା ହୋଇଗଲେ । ତା’ ପରେ ନିଜ ନିଜ ବାଟରେ ଚାଲିବାକୁ ଲାଗିଲେ, କିନ୍ତୁ କିଛି ଦୂର ଯାଇ ସେହି ଅନନୁମେୟ ଆକର୍ଷଣର ତାଡ଼ନାରେ ପୁନର୍ବାର ପରସ୍ପର ପ୍ରତି ଫେରିଲେ । ନିକଟବର୍ତ୍ତୀ ହୋଇ ବିଦେଶାଗତ ପଥିକ ହସ୍ତସ୍ଥିତ ଯଷ୍ଟି ସାହାଯ୍ୟରେ ଭୂମି ଉପରେ ଦିଓଟି ଗାର ଟାଣିଲେ ! ଏହା ଦେଖି ଫାଭିୟସ୍ କହିଲେ, “ତ୍ରୂଶ ଚିହ୍ନ ! ତେବେ ତୁମେ କିଏ-?’’

‘‘ଗାଲିଲୀର ଜଣେ ଧୀବର ।’’

“ମୋତେ କେମିତି ଚିହ୍ନିଲ ?’’

‘‘ପ୍ରଭୁଙ୍କର ଚିହ୍ନରୁ ’’।

‘‘କି ଚିହ୍ନ ?’’

ତଦନ୍ତର ଗାଲିଲୀୟ ଧୀରେ ଧୀରେ ଫାଭିୟସ୍‍ଙ୍କ ହାତ ଉପରୁ ଉତ୍ତରୀୟ ଘୁଞ୍ଚାଇ ଦେଲେ ଓ ନିଜ ହାତରୁ ମଧ୍ୟ ଲୁଗା କାଢ଼ି ଦେଲେ । ସେ ଦୁହିଙ୍କ ହାତ ଉପରେ କ୍ରୁଶର ଚିହ୍ନ ଥିଲା । ବନ୍ଧୁତ୍ୱର ପୂର୍ଣ୍ଣ ଆଗ୍ରହରେ ଉଭୟଙ୍କର ହସ୍ତ ମିଳିତ ହେଲା ।

ଫାଭିୟସ୍ ବିଦେଶୀଙ୍କୁ ପଚାରିଲେ, “ତୁମର ନାମ ?’’

ସେ ଉତ୍ତର ଦେଲେ, ‘‘ଟାଇଟସ୍‌ ।’’

‘‘କିଏ ତୁମକୁ ପଠାଇଛି ?''

ଟର୍ସିସର ପଲସ୍‌; ତ୍ରୂଶାର୍ପିତ ପ୍ରଭୁଙ୍କର ପ୍ରେରିତ ।’’

ଫାଭିୟସ୍ କହିଲେ, “ଧୀରେ ଧୀରେ, ରୋମର ପ୍ରସ୍ତରର ମଧ୍ୟ ଶୁଣିବାକୁ କାନ ଅଛି । ଏଠି କଣ ତୁମେ ଅନେକ ଦିନ ରହିବ ?”

 

‘‘ଭ୍ରାତୃଗଣଙ୍କୁ ପଲସ୍‍ଙ୍କ ପତ୍ର ଦେବାକୁ ଯେତିକି ସମୟ ଲାଗିବ, ସେତିକି ସମୟ । ଆଜି ରାତ୍ରି ସେମାନେ କେଉଁଠି ଏକତ୍ର ହେବେ ?’'

 

ଫାଭିୟସ୍‌ ଖୁବ ଧୀରେ କହିଲେ, “ସେଷ୍ଟିୟାନ ସେତୁ ନିକଟବର୍ତ୍ତୀ ଉଦ୍ୟାନରେ ।’’

 

ପତ୍ରବାହକ ମଧ୍ୟ ସ୍ୱର ନୂଆଁଇ ପଚାରିଲେ, ‘‘କେତେବେଳେ ?”

 

‘‘ରାତି ଦଶଟା’’

 

ଚର ଦୁଇଜଣ ଅତି ସତର୍କ ହୋଇ ସେମାନଙ୍କ ଆଡ଼କୁ ଅଗ୍ରସର ହେବାର ଦେଖି ଫାଭିୟସ୍ କହିଲେ, “ଆଉ କଥା କହ ନାହିଁ, ରୋମର କାଠ ପଥରର ମଧ୍ୟ କାନ ଅଛି ।”

 

ଷ୍ଟ୍ରାବୋ ପୁରବାସୀର ସାଧାରଣ ଅଭିବାଦନ କରି କହିଲା, “ସିଜର ଚିରଜୀବୀ ହେଉନ୍ତୁ-।"

 

ଫାଭିୟସ୍‌ ସମ୍ମାନ ସହକାରେ ତାଙ୍କର ପ୍ରତିଧ୍ୱନି କରି ବନ୍ଧୁଙ୍କ ହାତ ଧରି ଯେତେବେଳେ ଅଗ୍ରସର ହେଲେ, ସେତେବେଲେ ସର୍ଭିଲିୟସ୍ ଆସି ତାଙ୍କ ଆଗରେ ବାଟ ଓଗାଳିଲା ଏବଂ ଅଧେ ବନ୍ଧୁତ୍ୱ ଓ ଅଧେ ଭୟ ଦେଖାଇ କହିଲା, ଏତେ ତଡ଼ବଡ଼ ହୋଇ କୁଆଡ଼େ ଯାଉଛ ?"

 

ଫାଭିୟସ୍ ଗମ୍ଭୀର ଭାବରେ ଉତ୍ତର ଦେଲେ, “ନିଜ କାମରେ ।’’

 

“ତୁମ ଘର କେଉଁଠି ?’’

 

“ତାହା ଜାଣିବାର ତୁମର ଦରକାର କଣ ?”

 

ଏପ୍ରକାର ପ୍ରଶ୍ନୋତ୍ତରରେ ସେମାନେ କିଏ ଏ ବିଷୟ ଜାଣିବାର ଉପାୟ ନ ଥିବାରୁ ଚରମାନେ ଅନ୍ୟପ୍ରକାର ପ୍ରଶ୍ନ କରିବାକୁ ଲାଗିଲେ । ସର୍ଭିଲିୟସ୍‌ କହିଲା, ‘‘ତୁମ ବନ୍ଧୁ ପଥଶ୍ରାନ୍ତ ପରି ଦେଖା ଯାଉଛନ୍ତି । ଦୂର ଦେଶରୁ ଆସିଛନ୍ତି ପରା ?’’

 

ବିଦେଶୀ କହିଲେ, “ହଁ, କେତେଦିନ ହେଲା ବାଟ ଚାଲୁଛି ।"

 

ଚର କହିଲା, “ବଡ଼ ତୃଷାର୍ତ୍ତ ଦେଖାଯାଉଛ । ମଦ ନିକଟରେ ମିଳେ । ଆସ, ଦୁଇ ଚାରି ଗ୍ଲାସରେ ପଥଶ୍ରାନ୍ତି ଦୂର କର ।”

 

ପଥିକ ନିକଟବର୍ତ୍ତୀ ଝରଣା ଆଡ଼କୁ ହାତ ବଢ଼ାଇ କହିଲେ, “ସେ ଝରଣାର ଜଳରେ ମୋର ତୃଷାର ଶାନ୍ତି ହେବ । ତୁମର ସହାନୁଭୂତି ପାଇଁ ତୁମକୁ ଧନ୍ୟବାଦ ।

 

ସର୍ଭିଲିୟସ୍‌ କହିଲା “ଯେଉଁ ବିଦେଶୀମାନେ–ବିଶେଷତଃ, ଯେଉଁମାନେ ଗାଲିଲୀରୁ ରୋମକୁ ଆସନ୍ତି, ସେମାନେ ଯେତେଦିନ ରହିବାକୁ ଇଚ୍ଛା କରିଥାନ୍ତି, ତହିଁରୁ ବେଶି ଦିନ ସେମାନଙ୍କୁ ରହିବାକୁ ହୁଏ । ନୀରୋଙ୍କ ଶୁଭଦୃଷ୍ଟି ଗାଲିଲୀୟ ଓ ନାଜରତୀୟଙ୍କ ଉପରେ କିଛି ବେଶି ରକମ ପଡ଼ିଛି । ନୀରୋ ସେମାନଙ୍କ ପାଇଁ ବିଶ୍ରାମର ଆୟୋଜନ କରିବାକୁ ଭୁଲି ନାହାନ୍ତି ।”

 

ପଲସ୍‌ଙ୍କ ପତ୍ରବାହକ କହିଲେ; ‘‘ଏ ସବୁ ମୁଁ ଶୁଣିଛି ।” ଅବଜ୍ଞାର ହାସ୍ୟ ଚାପି ଚର କହିଲା, ‘‘ନୀରୋ ତୁମ ସକାଶେ ମଧ୍ୟ ବିଶ୍ରାମର ଆୟୋଜନ କରିବେ ।’’

 

ଖ୍ରୀଷ୍ଟିୟାନ ଧୀର ଭାବରେ ଉତ୍ତର ଦେଲେ, ‘‘ମୋ ଦିନର କାର୍ଯ୍ୟ ଶେଷ ହେଲେ ମୁଁ ଶାନ୍ତି ଓ ବିଶ୍ରାମ ଆନନ୍ଦରେ ଗ୍ରହଣ କରିବି, ତାହା ଯେଉଁଠାରୁ ଆସୁ ।”

 

‘‘ତୁମର କାର୍ଯ୍ୟ କଣ ?’’

 

“ମୋ ପ୍ରଭୁଙ୍କର ସେବା ।’’

 

‘‘କେଉଁ ପ୍ରଭୁଙ୍କର ତୁମେ ସେବା କର ?’’

 

‘‘ପ୍ରଭୁ ଯୀଶୁ ।”

 

ବିଦାୟର ନମସ୍କାର ସ୍ୱରୂପ ସାମାନ୍ୟ ଭାବରେ ମସ୍ତକ ନୁଆଁଇ ଖ୍ରୀଷ୍ଟିୟାନ ଫାଭିୟସ୍‍ଙ୍କ ହାତ ଧରି ଧୀରେ ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । କ୍ଷଣକ ନିମିତ୍ତ ଚର ଦୁଇଜଣଙ୍କ ଆଡ଼କୁ ଚାହିଁ ରହିଲା । ଅବଶେଷରେ ଷ୍ଟ୍ରାବୋ କହି ଉଠିଲା, ‘‘ପ୍ରଭୁ ଯୀଶୁ, ୟା ମାନେ କଣ ?’’

 

‘ତା ମାନେ ଟଙ୍କା ଆଉ ମଦ, ଷ୍ଟ୍ରାବୋ ।’ ଏହା କହି ଯେଉଁଠାରେ ଖ୍ରୀଷ୍ଟିୟାନ ଦୁଇଜଣ ଛିଡ଼ା ହୋଇ କ୍ରୂଶ ଚିହ୍ନ କାଟିଥିଲେ; ସେଠାକୁ ଯାଇ ନଇଁ ପଡ଼ି ପୈଶାଚିକ ଆନନ୍ଦରେ ନାଚି ଉଠି କହିଲା–

 

‘‘କ୍ରୂଶ ଚିହ୍ନ ! ଏମାନେ ଖ୍ରୀଷ୍ଟିୟାନ । ଷ୍ଟ୍ରାବୋ, ଦଉଡ଼, ସେମାନଙ୍କ ପିଛା ଧର ।” ଦୁଇଜଣଯାକ ଏହି ଖ୍ରୀଷ୍ଟିୟାନଙ୍କର ଅନୁସରଣ କରିବାକୁ ଲଗିଲେ ।

Image

 

ସପ୍ତମ ପରିଚ୍ଛେଦ

ଅଭିଜାତ ବର୍ଗ

 

ଯେଉଁ ଗୃହର ମର୍ମର ପାବଚ୍ଛ ଉପରେ ଚର ଦୁଇଜଣ ଦ୍ୟୁତକ୍ରୀଡ଼ା କରୁଥିଲେ, ସେ ଗୃହ ବାର୍ସିନସ୍‌ ନାମରେ ରୋମର ଜଣେ ଅମାତ୍ୟର । ଏ ବିବରଣ ସହିତ ଏ ଅମାତ୍ୟର ସମ୍ପର୍କ ଯତ୍‌ସାମାନ୍ୟ । କି ଘରେ କି ବାହାରେ କୌଣସି ସ୍ଥାନରେ ତାହାର ପ୍ରତିପ୍ରତ୍ତି ନ ଥିଲା । ଘରେ ଦ୍ୱାବିଂଶବର୍ଷ ବୟସ୍କା ସ୍ତ୍ରୀର କ୍ଷମତା ଅପ୍ରତିହତ । ତାହାର ସମାନସ୍କନ୍ଧ ଲେକଙ୍କ ସହିତ ଓ ତାହାର ପରିଚୟ ଥିଲେ ସୁଦ୍ଧା କେହି ତାହାକୁ ଲୋକ ମଧ୍ୟରେ ଗଣୁ ନ ଥିଲେ; କିନ୍ତୁ ସମସ୍ତେ, ବିଶେଷରେ ପୁରୁଷମାନେ ତାହାର ସ୍ତ୍ରୀ ସହିତ ଘନିଷ୍ଠ ଭାବରେ ପରିଚିତ ଥିଲେ । ତାହାର ଶତ୍ରୁ ମିତ୍ର ସମସ୍ତଙ୍କ ମଧ୍ୟରେ ତା ସମ୍ବନ୍ଧରେ ଯଥେଷ୍ଟ କଥାବର୍ତ୍ତା ହେଉଥିଲା । ଆଉ ଏଥିରେ କୁତ୍ସାର ଅଂଶହିଁ ବେଶି ଥିଲା, କାରଣ ଏପ୍ରକାର କଥାବାର୍ତ୍ତାରେ ସେମାନେ ତାହା ପ୍ରତି କ୍ୱଚିତ୍ ସମ୍ମାନ ପ୍ରଦର୍ଶନ କରୁଥିଲେ-। ତାହାର କୌଣସି କାର୍ଯ୍ୟରେ କୌଣସି ବନ୍ଧୁ କେବେ ଯଦି ତାକୁ ଉତ୍ସାହିତ କରୁଥିଲା, ସେ ବନ୍ଧୁ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାକୁ ସେ ତ୍ରୁଟି କରୁ ନଥିଲା ।

 

ଡାସିୟା (ଏହାହିଁ ବାର୍ସିନସ୍‌ର ସ୍ତ୍ରୀର ନାମ) ରୋମର ବିଳସୀ ଧନୀଙ୍କ ସମ୍ବନ୍ଧରେ ଜାଣୁ ନଥିଲା, ଏପ୍ରକାର କୌଣସି ଖବର ରୋମରେ ନ ଥିଲା । ଡାସିୟା ଚତୁର, ରହସ୍ୟପ୍ରିୟ, ବିବେକଶୂନ୍ୟ । ସଂସାରଟା ତାହା ନିକଟରେ ପ୍ରମୋଦକାନନ, ବସନ୍ତବିଳାସୀ ମତ୍ତ ମଧୁପ ପରି ଫୁଲରୁ ଫୁଲକୁ ଉଡ଼ିବୁଲିବା ତାହା ନିକଟରେ ଜୀବନର ସାର୍ଥକତା । ସେଥିପାଇଁ ଏ ଗଣ୍ଡୁଷ ଜଳର ଶଫରୀ କେବେ ଜୀବନର ଗଭୀରତାର ପରିଚୟ ପାଇ ନଥିଲା ।

 

ସୁନ୍ଦରୀ ଡାସିୟାର ଆଦର ସର୍ବତ୍ର, ସବୁଠି ତାକୁ ପ୍ରଥମେ ଖୋଜା ପଡ଼େ । ରୋମୀୟ ଧନିକମାନଙ୍କର କୌଣସି ସାନ୍ଧ୍ୟମିଳନ, କୌଣସି ପ୍ରକାର ମଜଲିସ୍ ତାହାର ଉପସ୍ଥିତି ବିନ ସମ୍ପୂର୍ଣ୍ଣ ବୋଲି ବିବେଚିତ ହେଉ ନ ଥିଲା । ସୁନ୍ଦରୀ, ପ୍ରଫୁଲ୍ଲଚିତ୍ତ, ଉତ୍ତର ପ୍ରତ୍ୟୁତ୍ତରରେ ସିଦ୍ଧହସ୍ତ ଥିବାରୁ ଓ କଥାବାର୍ତ୍ତାରେ ସଭ୍ୟ ଅସଭ୍ୟର ବାଦ ବିଚାର ନ ଥିବାରୁ, ରୋମର ଧନିଯୁବକମାନେ ଡାସିୟାର ବଚନସୁଧା ପାନ କରିବାକୁ ମଧୁଚକ୍ରର ମଧୁମକ୍ଷିକା ପରି ତାକୁ ଘେରି ବସୁଥିଲେ । ଡାସିୟା ମଧ୍ୟ ଏହି ଯୁବକମାନଙ୍କ ସଙ୍ଗସୁଖ ଅମୋଦଜନକ ମନେ କରୁଥିଲା । ଭାର୍ଯ୍ୟା ନିମନ୍ତେ ଦୋକାନଦାରଙ୍କୁ ଟଙ୍କା ଦେବା ସମୟ ଛଡ଼ା ଅନ୍ୟ କୌଣସି ସମୟରେ ସ୍ଵାମୀ ଭାର୍ଯ୍ୟାର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ, କି ବ୍ୟସ୍ତ ହେଉ ନ ଥିଲେ । ସତ କହିବାକୁ ଗଲେ, ଯେଉଁ ମାସରେ ଟଙ୍କା ଅଧିକ ଦେବାକୁ ପଡ଼ୁଥିଲା, ସେହି ମାସରେ ବାର୍ସିନସ୍‌ ତାକୁ ଯାହା କିଛି କହୁଥିଲେ । ଏହି ପ୍ରକାର ସମୟରେ ହୁଏତ ସ୍ୱାମୀ କ୍ଷଣକ ନିମିତ୍ତ କ୍ରୂଦ୍ଧ ହେଉଥିଲେ ।

 

କିନ୍ତୁ ଏଥିରେ ଡାସିୟା ତିଳେମାତ୍ର ବିଚଳିତ ହେଉ ନ ଥିଲା । କେବଳ ସବୁ କଥା ହସରେ ଉଡ଼ାଇ ଦେଉଥିଲା । ଏହା ଦେଖି ସେହି ସମୟ ନିମନ୍ତେ ସ୍ୱାମୀଙ୍କୁ ଗୃହ ତ୍ୟାଗ କରିବାକୁ ହେଉଥିଲା । ତତ୍ପରେ ଭାର୍ଯ୍ୟା ଗଳ୍ପର ସଭା ଜମାଇବାକୁ ଏବଂ ତହିଁ ସଙ୍ଗେ ସଙ୍ଗେ ଟଙ୍କାର ଯୋଗାଡ଼ କରିବାକୁ ତାହାର ଅସଂଖ୍ୟ ଅନୁଗତମାନଙ୍କ ମଧ୍ୟରୁ କାହାରି ଘରକୁ ନିର୍ବିଘ୍ନରେ ଚାଲିଯାଉଥିଲା । ଅନୁଗତ ଧନିଯୁବକଙ୍କ ମଧ୍ୟରେ ଫିଲୋଡିମିସ୍ ପରି ଅର୍ଥ ସମ୍ବନ୍ଧରେ କେହି ଅଧିକ ମୁକ୍ତହସ୍ତ ନ ଥିଲା । ବସନ ଭୂଷଣ ଓ ଅତର ଏସେନ୍ସର ଘଟ୍ଟାୟାଙ୍କର କିଛି ବେଶୀ ରକମର ଥିଲା । ସ୍ତ୍ରୀ ମହଲରେ ନିଜର ଅପ୍ରତିହିତ କ୍ଷମତା ବିସ୍ତାରର ଶ୍ଳାଘା ଏବଂ ସେମାନଙ୍କ ମଧ୍ୟରେ ସୁରାସକ୍ତ ବୋଲି ପରିଚିତ ହେବାର ବାସନ ଏ ପୁରୁଷପୁଙ୍ଗବଙ୍କ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ । ସେଥିପାଇଁ ଡାସିୟା ହେଉ ଅବା ଅନ୍ୟ କୌଣସି ସ୍ତ୍ରୀ ହେଉ କାହାରି ପ୍ରତି ଗଭୀର ପାପ ଅବା ପୁଣ୍ୟ କୌଣସି ପ୍ରକାର ପ୍ରଣୟ ଅନୁଭବ କରିବା ଭଳି ୟାଙ୍କର ହୃଦୟ କି ମନୁଷ୍ୟତ୍ୱ ନ ଥିଲା । ଅବଶ୍ୟ ପ୍ରତିପତ୍ତିଟା ଅର୍ଥ ସଭାବରୁ ସ୍ତ୍ରୀ ମହଲରେ ଅକ୍ଷୂର୍ଣ୍ଣ ଥିଲା । ୟାଙ୍କର ପ୍ରେମରେ ଦାବୀର ଉଗ୍ରତା ନ ଥିବାରୁ ଏବଂ ପ୍ରତିଦ୍ୱନ୍ଦୀର ପ୍ରଣୟରେ ପ୍ରତିଯୋଗିତା କରିବାକୁ ନିତାନ୍ତ ନାରାଜ ଥିବାରୁ ରୋମୀୟ ରୂପବତୀଙ୍କର କାର୍ଯ୍ୟୋଦ୍ଧାର ନିମନ୍ତେ ଫିଲୋଡିମସ୍ ପରି ବ୍ୟବହାରୋପଯୋଗୀ ଯନ୍ତ୍ର ରୋମରେ ଆଉ ଦ୍ୱିତୀୟଟି ନ ଥିଲା ।

 

ସନ୍ଧ୍ୟାର କିଞ୍ଚିତ୍‌ ପୂର୍ବରୁ ଫିଲୋଡିମସ୍, ଦଳେ ନର୍ତ୍ତକୀ ନେଇ ଡାସିୟା ଘରକୁ ଆସିଲା । ନର୍ତ୍ତକୀଙ୍କର ବେଶଭୂଷାର ଆଡ଼ମ୍ବର ଆଜି ଅନ୍ୟାନ୍ୟ ଦିନ ଅପେକ୍ଷା କିଛି ବେଶି, ପ୍ରତ୍ୟେକର ଗଳାରେ ଗୋଲପର ମାଳା ବଲମ୍ବିତ । ଡାସିୟାର ଦ୍ୱାର ସମୀପରେ ଛିଡ଼ା ହୋଇ ସେମାନେ ପ୍ରଣୟର ସୁରସ ସଙ୍ଗୀତ ଗାନ କରିବାକୁ ଲାଗିଲେ ! ଗାନ ସମୟରେ ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ଗୃହ ପାବଚ୍ଛ ଉପରେ ଲଘୁ ପଦକ୍ଷେପରେ ନୃତ୍ୟ କରୁ କରୁ ପାବଚ୍ଛର ଚତୁର୍ଦ୍ଦିଗରେ ଗୋଲାପ ବର୍ଷଣ କରିବାକୁ ଲାଗିଲା । ସଙ୍ଗୀତ ଶୁଣି ଡାସିୟା ତୋରଣକୁ ବାହାରି ଆସିଲା । ଦୁଇଟସ ବାଳିକା ଦାସୀ ଆସି ଡ଼ାସିୟାର ବସିବା ପୂର୍ବରୁ ମର୍ମର ଆସନରେ ଗଦି ବିଛାଇ ଦେଲେ ଓ ତୋରଣ ସବୁ ଲମ୍ବ ପରଦାରେ ଅର୍ଦ୍ଧମୁକ୍ତ, ଅର୍ଦ୍ଧ ଆବୃତ କରିଦେଲେ । ଆଜି ନୀଳ ରେଶମର ପରିଚ୍ଛଦରେ ଡ଼ାସିୟା ବଡ଼ ସୁନ୍ଦର ଦେଖାଉଥିଲା । ଏହା ତାହାର ଅଙ୍ଗ ସୌଷ୍ଠବର ପରାକାଷ୍ଠା ଏପ୍ରକାର ଭାବରେ ପ୍ରଦର୍ଶନ କରୁଥିଲା ଯେ, ସାମାନ୍ୟ ଆକୁଞ୍ଚନ ପ୍ରସାରଣରେ ଶରୀରର ଲୀଳାତରଙ୍ଗ ବସ୍ତ୍ର ମଧ୍ୟରୁ ସ୍ପଷ୍ଟଭାବରେ ଫୁଟି ଉଠୁଥିଲା । ତାହାର ଅନୁଚର ବାଳିକା ଦାସୀଙ୍କ ସହିତ ସେ ରହସ୍ୟ କରି ହାସ୍ୟ କରୁଥିଲା ଏବଂ ନିଜ ନିମନ୍ତେ ସମ୍ମାନର ଏ ଆୟୋଜନ ଦେଖି ଆନନ୍ଦରେ ତାହାର ଚକ୍ଷୁ ଉଜ୍ଜ୍ୱଳ ହୋଇ ଉଠିଲା ।

 

ନର୍ତ୍ତକୀମାନଙ୍କ ଆଡ଼କୁ ଅନାଇ ସେ କହିଲା, ବେଶ ଗାନ, ତୁମ୍ଭମାନଙ୍କୁ ପଠାଇଛି କିଏ-?” ତଦନ୍ତର ଫିଲୋଡ଼ିମସ୍ ଓ ଗ୍ଲାବ୍ରିଓଙ୍କୁ ନିଜ ଆଡ଼କୁ ଆସିବାର ଦେଖି କହିଲା “ଓଃ, ଫିଲୋଡ଼ିମସ୍ ଗ୍ଲାବ୍ରିଓ !

 

ଫିଲୋଡ଼ିମସ୍ ସୁବର୍ଣ୍ଣ ଓ ମଣିମୁକ୍ତାର ଝାଲରଲଗା ପୀତାଭ ରେଶମର ଆଲଖୋଲା ପରହିତ, ସ୍କନ୍ଧରେ ସେହି ରଙ୍ଗର ଉତ୍ତରୀୟ ଲମ୍ବମାନ । ଦେଖିବାକୁ ଖର୍ବକାୟ, ମୁନମୁଖ, କାର୍ଯ୍ୟକଳାପ ପୁରୁଷାଚାର ବର୍ଜିତ, ଚକ୍ଷୁ ଅଳସତାବିଜଡ଼ିତ ଓ ଶୂନ୍ୟଦୃଷ୍ଟି, ଚାଲିଚଳନର ଉଦାସୀନତାରେ ଶାରୀରିକ ଓ ମାନସିକ ଉଭୟବିଧ ଦୁର୍ବଳତା ପ୍ରକାଶ ପାଉଥିଲା । ତାହାର ସଙ୍ଗୀ ଗ୍ଲାବିଓ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବୟସ ପ୍ରାୟ ପଚାଶ, ଶରୀର ପୃଥୁଳ, ମୁହଁ ସିନ୍ଦୁରୀ ଆମ୍ବ ପରି ଲାଲ, ହାସ୍ୟ କୌତୁକ ରସରେ ଭରା; ସ୍ଵର ଉଚ୍ଚ, କଥା ସ୍ପଷ୍ଟ, ମୁଖ କୋଣରେ ପରିହାସର ରେଖା ସୁସ୍ପଷ୍ଟ ସତେ ଯେପରି ସମସ୍ତ ଜୀବନଟା ଗୋଟାଏ ମସ୍ତ ପରିହାସ, ଆଉ ଏହା ବାସ୍ତବିକ ଗ୍ଲାବ୍ରିଓର ଧାରଣା । ଜୀବନ ଏହା ନିକଟରେ ମହୋତ୍ସବମୟ । ଯେଉଁପରି ଅତୀତ ଜୀବନଯାପନ କରିଅଛି, ମୁତ୍ୟୁଦିନ ପର୍ଯ୍ୟନ୍ତ ଭବିଷ୍ୟର ସମସ୍ତ ଦିନ ସେହପରି ବିଳାସ ବ୍ୟସନରେ ଯାପନ କରିବ ବୋଲି ଏ ବୃଦ୍ଧ ବିସିନିର ବାସନା । ତାହାର କେଶ ବିରଳ ମସ୍ତକରେ ସଦାବେଳେ ସୁର୍ଦେବତା ବ୍ୟାଖସ ପରି ଗୋଲାପଖଚିତ ଦ୍ରାକ୍ଷାପତର ମୁକୁଟ, ମସାଣ କପୋଳ ସୁରାସେବନରେ ଉଜ୍ଜ୍ୱଳ, ନାସିକ-ତିଳପୁଷ୍ପ ସୁରାଆଘ୍ରାଣରେ ପ୍ରଫୁଲ୍ଲ, କଷାୟିତ ଚକ୍ଷୁ ସର୍ବଦା ଢଳୁ ଢଳୁ । ତାହାର ଜୀବନର ଗୋଟାଏ ବଡ଼ ଅହଙ୍କାର ଯେ; ଜଗତରେ ଏ ପର୍ଯ୍ୟନ୍ତ କୌଣସି ତୀବ୍ର ସୁରାର ସୃଷ୍ଟି ହୋଇ ନାହିଁ, ଯାହା ତାକୁ ଉନ୍ମତ୍ତ କରିଦେବ ! ଏହା ଯେ ଏକାବେଳକେ ମିଥ୍ୟା, ତାହା ନୁହେଁ, କାରଣ ସେ ଶୈଶବରୁ ସୁରାସେବନରେ ଏପ୍ରକାର ଅଭ୍ୟସ୍ତ ଯେ, ସୁରା ତାହାର ଅସ୍ଥି ମଜ୍ଜାଗତ ହୋଇ ଯାଇଥିଲା, କିନ୍ତୁ ଏହା ବୋଲି ଅହୋରାତ୍ର ସୁରାସେବନରେ ସେ ଯେ ଉନ୍ମତ୍ତ ହେଉ ନ ଥିଲା, ଏ କଥା ମିଥ୍ୟା, ବରଂ ସେ ଯେ କେତେବେଳେ ପ୍ରକୃତିସ୍ଥ ଥିଲା, ତାହାହିଁ ନିଦ୍ଧାରଣ କରିବା କଠିନ । ତାହାର ପରିଧାନ ମଧ୍ୟ ନିରର୍ଥକ ନ ଥିଲା । ତାହା ତାହାର ସର୍ବାପେକ୍ଷା ପ୍ରିୟ ଯେଉଁ ସୁରା ତାହାରି ପରି କଷାୟିତ, ଲୁଗାର ଧଡ଼ିରେ ସୁନାର ଜରିରେ କାମ କରା ଦ୍ରାକ୍ଷାପତ୍ର । ପଦକ୍ଷେପ ଟଳଟଳାୟମାନ, ବାତପଙ୍ଗୁ ପାଦ ଚିପି ଚିପି ସେ ବାଟ ଚାଲୁଥିଲା ।

 

ସେହି ସମୟର କାପୁରୁଷତାବ୍ୟଞ୍ଜକ ସୂକ୍ଷ୍ମ, ପକ୍ଷନିର୍ମିତ ବ୍ୟଜନ ଉଭୟଙ୍କ ହସ୍ତରେ ଥିଲା ।

 

ଡାସିୟା ଏ ଦୁଇଜଣଙ୍କୁ ଦେଖି କହିଲା, ସ୍ଵାଗତ, ସ୍ଵାଗତ, ଏଆଡ଼େ କି, ମାନସରେ ?

 

ଫିଲୋଡ଼ିମସ୍ ଉତ୍ତର କଲା, “ପୂଜା ମାନସରେ ।”

 

“କେବଳ ନାଜରତୀୟଙ୍କ ଛଡ଼ା ଆଉ ସମସ୍ତଙ୍କୁ ପୂଜା କରିବାର ଅଧିକାର ନୀରୋ ଦେଇଛନ୍ତି । ତେବେ କାହା ପୀଠରେ ପୂଜା ?”

 

ଫିଲୋଡ଼ିମସ୍ “ଭିନସ୍’’ କହି ଡାସିୟା ଆଡ଼କୁ କଟାକ୍ଷରେ ଲାଳସା ବର୍ଷଣ କଲା ।

 

ଗ୍ଲାବିଓ କହିଲା, “ଆଉ ମୁଁ ବ୍ୟାଖସ୍ ।” ଡାସିୟା ପଚାରିଲା, ଗ୍ଲାବିଓ, ତୁମର ବ୍ୟାଖସ୍ ପୂଜା କଣ ଯଥେଷ୍ଟ ହୋଇ ନାହିଁ ?”

 

ଗ୍ଲାବିଓ ପ୍ରଥମରେ ସୁରା ଆସ୍ୱାଦନ କଲା ପରି ପାଟି ଚାକୁଳେଇ, ତଦନ୍ତର ହସି ହସି କହିଲା, ଅନ୍ୟ ଜନ୍ମର କଥା କହି ପାରିବି ନାହଁ; ଏ ଜୀବନରେ ଅନ୍ତତଃ ସେ ପୂଜା ମୋର ଶ୍ରେଷ୍ଠ ହେବ ନାହିଁ । ବ୍ୟାଖସ୍ ବେଦିର ପବିତ୍ର ପାବକ ମୋର ଶିରାପ୍ରଶିରା ଓ ଧମନୀର ରକ୍ତରେ ଜଳୁଅଛି-।” ଟିକିଏ ଢଳି ପଡ଼ି ମହାଆନନ୍ଦରେ ଗୋଡ଼କୁ ଅନାଇ, “ଆଉ ତୁମେ~ଦେଖ୍~ଦେଖି ପାରୁଥିବ, ମୋର ଗୋଡ଼କ୍‍ ବି ଥରେ ଥରେ ସେ ତେଜ ଓହ୍ଲାଇ ଆସେ । ଗୋଡ଼ ଦୁଇଟା ଦେବତାଙ୍କ ଶକ୍ତି ଅନୁଭବ କଲା ଦିନୁ, ମୋ ଶକ୍ତି : ଆଉ ତାଙ୍କର ଭୟ ନାହିଁ । ସେଥିପାଇଁ ଆଜିକାଲି ମୋ କଥା ବେଶି ଶୁଣୁ ନାହାନ୍ତି, ମୋ ଡାହାଣ ଗୋଡ଼ ପୂର୍ବକୁ ଗଲେ, ବାଁ ଗୋଡ଼ ପଶ୍ଚିମକୁ ଯାଏ’’ ଡାୟାସି ହସି ହସି କହିଲା, “ଆଜି ବଡ଼ ଜଲଦି ଗୋଡ଼ ଦୁଇଟା ଅବାଧ୍ୟ ହେଲେଣି-!”

 

‘‘ସତ କହୁଛି, ମାର୍କସ୍‍ର ସେ ଭୋଜି ଦିନଠାରୁ ସେମାନେ ଅବାଧ୍ୟତା ଛଡ଼ା ଆଉ କିଛି ଦେଖାଉ ନାହାନ୍ତି । ଓଃ, ମାର୍କସ; ତାର କୌଣସି ବିଷୟରେ କୃପଣତା ନାହିଁ । କି ସୁରା ସେ–'ଏହା କହବା ମାତ୍ରକେ ମୁଖରେ ଲାଳସ୍ରାବ ହେବାରୁ ତହିଁରେ ଜିହ୍ମା ଲଟପଟ ହେବାକୁ ଲଗିଲା । ‘‘ଆଃ, ସ୍ତ୍ରୀଗୁଡ଼ିକ କି କି ଚମତ୍କାର !’’ ତତ୍ପରେ ପାଶ୍ୱର୍ବର୍ତ୍ତୀ ସଙ୍ଗୀ ଆଡ଼କୁ କୁଟିଳକଟାକ୍ଷ କରି କହିଲା, ‘‘ଏ ଦୁଇ ବଷୟରେ ମାର୍କସ୍‍ର ରୁଚିଜ୍ଞାନ ବେଶ୍ ।’’

 

ଡାସିୟା ହାତରୁ ପଙ୍ଖା ଖସାଇ ଦେଇ ହସି ହସି କହିଲା, ଏ ଦୁଇ ବିଷୟରେ ସେ ନିଜେ କିନ୍ତୁ ଅବିଚଳିତ ।”

 

ଫିଲୋଡ଼ିମସ୍, ମୁହଁ ଲମ୍ବାଇ କହିଲା ଠିକ୍ ଠିକ୍ । ତା ମୁଣ୍ଡ ଲୁହାରେ ତିଆରି, ସେଥିପାଇଁ ସୁରା ତାହାର ମସ୍ତିଷ୍କ ବିଚଳିତ କରି ପାରେ ନାହିଁ, ଆଉ ହୃଦୟ ତାହାର ପ୍ରସ୍ତରମୟ, ସେଥିପାଇଁ କୌଣସି ନାରୀର କଟାକ୍ଷବାଣରେ ତାହା ବଦ୍ଧ ହୁଏ ନାହିଁ ।’’

 

ଗ୍ଲାବ୍ରିଓ ମଦରେ ଟଳି ଟଲି କହିଲା, ଦିନେ ଲୁହା ବ ତରଳିବ, ପଥର ବି ଫାଟିବ; ଆଉ ମାର୍କସ୍ ମହାରାଜ ପେଷା ପକ୍ଷୀଟି ପରି ବୋଲ ମାନିବ ।''

 

ଫିଲୋଡ଼ିସ୍ କହିଲା,“ମାର୍କସ, ? କେବେ ନୁହେଁ ।’’

 

ଇତ୍ୟବସରରେ ଗ୍ଲାବ୍ରିଓ ଡାସିୟା ନିକଟକୁ ଯିବାପାଇଁ ପାବଚ୍ଛ ଉପରେ ଗୋଟାଏ ପାଦ ସ୍ଥାପନ କରିଥିଲା, କିନ୍ତୁ ଅନ୍ୟ ପାଦ ତଳୁ ଉଠିବାକୁ ନାରାଜ ହେବାରୁ ବଡ଼ ବିଭ୍ରାଟରେ ପଡ଼ିଥିଲା । ଏହି ସମୟରେ ଫିଲୋଡ଼ିମସ୍‍ର କଥା ଶୁଣି ତଦବସ୍ଥାରେ ତାହା ଆଡ଼କୁ ଲେଉଟି ଉତ୍ତର ଦେବା ଛଳରେ ନିଜର ଏହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରି କହିଲା

 

ବାବା ମୋର, ଏ ବିଷୟରେ ତୁମଠାରୁ ବୟସରେ ବୃଦ୍ଧ, ଅନୁଭବରେ ବୃଦ୍ଧର କଥା ଟିକିଏ ଶୁଣ । ମୁଁ ଏ ସଂସାରରେ (ଏଠାରେ ପାବଚ୍ଛ ଉପରକୁ ଉଠିବାର ବୃଥା ଚେଷ୍ଟା) ଦୁଇ କୋଡ଼ି ଦଶ ବର୍ଷ ବିତେଇଛି । ବହୁତ କଥା ଶୁଣିଛି, ବହୁତ ବେଶ ଦେଖିଛି; କିନ୍ତୁ ଏହିପର ତେଜୀୟାନ୍ ଯୁବକ କୌଣସି ସୁନ୍ଦରୀ ହାତରେ ବଶ ନ ମାନବାର କେଭେ ଦେଖି ନାହିଁ ।

 

ଫିଲୋଡିମସ୍ କହିଲା, ‘‘ମାର୍କସ୍ ? ମାର୍କସ ଏହା କେଭେ କରିବ ନାହିଁ ।’’

 

ଗ୍ରାବ୍ରିଓ ହସି ହସି କହିଲା ‘‘ଥୟ ଧର ଫିଲୋଡ଼ିମସ , ଥୟ ଧର, ସବୁ ଦେଖିବ !”

 

ରାସ୍ତାର ଗୋଟିଏ କୋଣରୁ ହଠାତ୍ ଗୋଳମାଳ ଉଠିଲା । ଲୋକସବୁ ସେଆଡ଼େ ଦୌଡ଼ିଲେ ! ଏଥିରେ ଏ ବିଳାସୀ ଧନିଙ୍କର ଖୁସ୍‍ ଗପରେ ବାଧା ପଡ଼ିଲା । ସେମାନେ ମଧ୍ୟ କାରଣ ଜାଣିବାପାଇଁ ବରଣ୍ଡାରୁ ନଇଁ ପଡ଼ିଲେ । ଦେଖାଗଲା, ଯେପରି ଅନେକ ଲୋକ ଜଣକୁ ଘେରି ତା ପ୍ରତି ଯଥେଚ୍ଛା ଅତ୍ୟାଚାର ଆରମ୍ଭ କରଛନ୍ତି । ଏମାନଙ୍କ ମଧ୍ୟରେ ଯଦି ବା' ସହରର ଛୋଟ ଲୋକଙ୍କର ସଂଖ୍ୟା ଅଧିକ ଥିଲା, ତଥାପି କମ୍ ଭଦ୍ରଲେକ ସେଥିରେ ଯୋଗ ଦେଇ ନ ଥିଲେ । ସମସ୍ତେ ଯେପରି କ୍ରୋଧରେ ଉନ୍ମତ୍ତ ହୋଇ ଉଠିଥିଲେ ଏବଂ ସଭି ଲିୟସ ଓ ଷ୍ଟ୍ରାଭୋ ପ୍ରଭୃତ ସମସ୍ତେ ଏହି ଲେକଙ୍କୁ ବିବସ୍ତ୍ର ଓ ବିକଳାଙ୍ଗ କରି ରାସ୍ତା ଉପରେ ଓଟାରୁ ଥିଲେ । ସେମାନଙ୍କର କ୍ରୋଧର ପାତ୍ର ବୃଦ୍ଧ ଫାଭିୟମ୍ । ନିକଟବର୍ତ୍ତୀ ଲୋକେ ଠେଙ୍ଗା ବାଡ଼ି ମୁଷ୍ଟି ଯେ ଯେଉଁଥିରେ ପାରିଲେ ପ୍ରହାର କରୁଥିଲେ । ଫାଭିୟମଙ୍କ ମସ୍ତକର ଗଭୀର କ୍ଷତରୁ ରକ୍ତସ୍ରାବ ହେଉଥିଲା ।

 

ଜନତା ତରଙ୍ଗ ଯେତେବେଳେ ଡାସିୟାର ଗୃହ ନିକଟରେ ରାସ୍ତା ମଝିରେ ପହଞ୍ଚିଲା, ସେତେବେଳେ ସେମାନେ ଏ ବୃଦ୍ଧକୁ ଉଠାଇ ଫିଙ୍ଗି ଦେଲେ ଏବଂ ‘ଖ୍ରୀଷ୍ଟୀୟାନକୁ ମାର’ କହି କହି ପଶ୍ଚାତରେ ଧାବିତ ହେଲେ ।

 

କିନ୍ତୁ ସେଠାରେ ତାହାର ମୃତ୍ୟୁ ଘଟିଲେ ଗୁପ୍ତଚରଙ୍କ ଦାନାରେ ଧୂଳି ପଡ଼ିବ ଭାବି ସେମାନେ କହିଲେ, “ବିଚାରକର୍ତ୍ତା କତିକୁ ନେଇ ଚାଲ।"

 

ଗ୍ଲାବ୍ରିଓ ଫାଭିୟୁସ୍‍କୁ ଦେଖି ଟିକିଏ ଦୟାର୍ଦ୍ର ହୋଇ କହିଲେ, “କାହିଁକି ? ଏ ବୁଢ଼ା କଣ କରିଛ ?”

 

ସଭିଲିୟମ୍ କହିଲା, ‘‘ସେ ଖ୍ରୀଷ୍ଟିୟାନ୍, ତାର ଦାମ ଦୁଇଶ ଟଙ୍କା, ଆଉ ନୀରୋର ବେଶ୍ ମଶାଲ ହେବ ?’’

 

ଲୋକ ଗର୍ଜନ କରି ଉଠିଲେ, “ତାକୁ ସିଂହମୁହଁରେ ଦିଅ ।” ଶିକାରର ପଶୁ ପରି ପୁନର୍ବାର ତାକୁ ଆକ୍ରମଣ କରିବାକୁ ଦୌଡ଼ିଲେ । ରାସ୍ତାର ବିପରିତ ଦୁଗରୁ ଜଣେ ଶୁକ୍ଳାମ୍ବରପରିହତା ଯୁବତୀ ତୀରବେଗରେ ଦଉଡ଼ି ଆସିବାର ଦେଖାଗଲା । ଏ ବେଶରେ ମୁଁ ଏ ପାପ ପୃଥିବୀର ମାନବୀ ବୋଲି ବୋଧ ହେଉ ନ ଥିଲା । ଉନ୍ମତ୍ତ ଜନତା ତାକୁ ସ୍ଵର୍ଗର ଦେବତା ବୋଲି ମନେ କଲେ ଏବଂ ମୁହୁର୍ତ୍ତକ ପାଇଁ ପିଛାଇ ଗଲେ । ଏ ମର୍ସିୟା । ସେ ଫାଭିୟସ୍‍ଙ୍କ ଘରକୁ ଯାଉଥିଲା । ଦୂରରୁ ଦେଖିଲା, ଜଣେ ନିରୁପାୟ ହୋଇ ତଳେ ପଡ଼ିଅଛି ଏବଂ ଅନେକ ଲୋକ ତାକୁ ଆକ୍ରମଣ କରୁଛନ୍ତି । ନିଜ କାର୍ଯ୍ୟର ପରିଣାମ ଚିନ୍ତା ନ କରି, ସେ ବିପନ୍ନ ସାହାଯ୍ୟ ଓ ଉଦ୍ଧାର ନିମନ୍ତେ ସେ ଆଡ଼କୁ ଦଉଡ଼ି ଗଲା । ନିଜର କ୍ଷୁଦ୍ର ଶରୀର ଶକ୍ତି ଓ ହୃଦୟର ସାହସରେ ଲୋକଙ୍କୁ ସ୍ତମ୍ଭିତ କରି, ଅମିତ ତେଜରେ ଜନତା-ପ୍ରାଚୀର ଭେଦ କରି ଯେଉଁଠି ଫାଭିୟୁମ୍ ଧରାଶାୟୀ, ସେଇଠି ଯାଇ ଏକାବେଳକେ ଉପସ୍ଥିତ ହେଲା। ଫାଭିୟସଙ୍କ ଆଡ଼କୁ ନଇଁ ପଡ଼ି ଉଭୟ ହସ୍ତ ତାଙ୍କ ଉପରକୁ ବଢ଼ାଇ ଆଢ଼ୁଆଳ କରି ଛିଡ଼ା ହେଲା । ପରେ ଜନତା ଆଡ଼କୁ ମୁଖ ଫେରାଇ ଅନାଇଲା । ଅଞ୍ଚଳ ଅଜ୍ଞାତସାରରେ ତାହାର ସ୍କନ୍ଧଚ୍ୟୁତ ହୋଇ ଧରାବଲୁଣ୍ଠିତ ଫାଭିୟୁସ୍ ଉପରେ ବରାଭୟଦାତ୍ରୀର ଅଭୟବାନାରୁପେ ଉଡ଼ୁଥିଲା, ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଉଥିଲା । ତାହାର ଏ ରୁଦ୍ର ମୂର୍ତ୍ତିରେ ସେ କି ସୁନ୍ଦର, ସ୍ୱର୍ଗୀୟ ଦେଖା ଯାଉଥିଲା । ସମସ୍ତ ମାନବଜାତି ଜ୍ଞାତସାରରେ ହେଉ ଅବା ଅଜ୍ଞାତସାରରେ ହେଉ ସତୀ ପ୍ରତି ଯେଉଁ ଭକ୍ତି ଅର୍ପଣ କରନ୍ତି, ତାହା ଏଠାରେ ପ୍ରତ୍ୟକ୍ଷୀଭୂତ ହେଲା । ବିସ୍ମୟରେ ଜନତା ଚିତ୍ରାର୍ପିତବତ ନୀରବ ନିଶ୍ଚଳ । ତତ୍‍ପରେ ବାଳିକା କଥା କହିଲା । ସେ ନୀରବତାରେ ବାଳିକାର ରୁଦ୍ର ମଧୁର ସ୍ୱର ବାଟର ଏ ପାଖରୁ ସେ ପାଖକୁ ସ୍ପଷ୍ଟ ଶୁଣା ଯାଉଥାଏ । ବାଳିକା ଜୋରରେ ଡାକି କହିଲା ତୁମ୍ଭେମାନେ ମନୁଷ୍ୟ ନା ପଶୁ ? ତୁମ୍ଭେମାନେ କଣ ଅନ୍ଧ ? ରୋମରେ କଣ ପକ୍ୱକେଶର ସମ୍ମାନ ନାହିଁ ? ତତ୍ପରେ ଫାଭିୟସ୍‍ଙ୍କ ଆଡ଼କୁ ନଇଁ ପଡ଼େ ତାଙ୍କୁ ଉଠାଇ ଛିଡ଼ା କରିବାକୁ ଚେଷ୍ଟା କଲା ଏବଂ କପାଳର ଗଭୀର କ୍ଷତ ଦେଖି ବ୍ୟାକୁଳ ହୋଇ ପଚାରିଲା, “କଣ ଭାରି କଷ୍ଟ ହେଉଛି ?’’

 

ନାହଁ ମା, ମୁଁ କିଛି ଅନୁଭବ କରିପାରୁ ନାହିଁ । ବାସ୍ତବିକ ସେ ଅଘାତରେ ଫାଭିୟସ୍ ଏକପ୍ରକାର ହତଜ୍ଞା ଓ ବିହ୍ୱଳ ହୋଇ ପଡ଼ିଥିଲେ।

 

ତୁମ କପାଳରୁ ଯେ ରକ୍ତ ବହୁଛି ! ଦେଖ, ଦେଖ ରୋମର ଲେକେ ! ଏହା କରିବାକୁ କେମିତି ତୁମର ହାତ ଉଠିଲା ?' ଏହା କହି ମର୍ସିୟା ପୁନର୍ବାର ଲୋକମାନଙ୍କୁ ଅନାଇଲା । ତତ୍ପରେ ଫାଭିୟସ୍ ମୁହଁରୁ ଲୁଗାରେ ରକ୍ତ ପୋଛି ଦେଇ, ହାତ ଧରି କହିଲା, “ଚାଲ, ମୁଁ ତୁମକୁ ନେଇଯିବ ।”

 

ଏତେବେଳକେ ସର୍ଭିୟସ୍‍ର ନିଦ ଭାଙ୍ଗିଲା । ଫାଭିୟୁସ୍ ଘରକୁ ବାହାରିବାର ଦେଖି ତାହାର ମୋହଜଡ଼ିମା କଟିଗଲା । ମର୍ସିୟାକୁ ଅଟକାଇ ଶ୍ଳେଷପୂର୍ଣ୍ଣ ସ୍ୱରରେ କହିଲା–

 

“ଏଡ଼େ ଚଞ୍ଚଳ ହେଲେ କଣ ଚଳିବ ? କଣ କହୁଛ ହେ ଲୋକେ, ଚନ୍ଦ୍ର ମାମୁହିଁର ଏ ପଦ୍ମପଲାଶଲେଚନର ଜୋର ବେଶି, ନା ନୀରୋର ଜୋର ବେଶୀ ?”

 

ଷ୍ଟ୍ରାବୋ ନା, ନା'' ଚିତ୍କାର କରି ଅନ୍ୟମାନଙ୍କୁ ଉତ୍ତେଜିତ କରିବାକୁ ଲଗିଲା ।

 

ମର୍ସିୟା ମିନତି କରି କହିଲା, “ତୁମ ଗୋଡ଼ ତଳେ ପଡ଼ୁଛି, ୟାଙ୍କୁ ଛାଡ଼ିଦିଅ, ୟାଙ୍କଠି କୌଣସି ଭୟର କାରଣ ନାହିଁ, ମୁଁ ୟାଙ୍କୁ ଭଲ କରି ଜାଣେ । ଏ କାହାର କୌଣସି ଅନିଷ୍ଟ କରି ନାହାନ୍ତି । କରିଛନ୍ତି ଆର୍ତ୍ତବିପନ୍ନଙ୍କୁ ଉଦ୍ଧାର, ରୋଗୀର ଶୁଶ୍ରୂସା, ନିରାଶ୍ରୟକୁ ଆଶ୍ରୟ ଦାନ । ତୁମ୍ଭେମାନେ ଏଥିପାଇଁ ୟାଙ୍କୁ ବାଧ୍ୟ କରିବ ?

 

ଷ୍ଟ୍ରାବୋ ଓ ସର୍ଭିଲିୟସ୍‍ ଦୁଇଗୁଣ ଜୋରରେ ଚିତ୍କାର କରିବାକୁ ଲାଗିଲେ, ‘‘ସେ ଖ୍ରୀଷ୍ଟିୟାନ, ତାକୁ ସିଂହମୁହଁରେ ଦିଅ ।’’ ଲୋକମାନେ ଫାଭିୟସ୍‍ଙ୍କ ଚାରିଆଡ଼େ ପୁଣି ଭିଡ଼ କରି ଆସିଲେ । ସେମାନଙ୍କ ଆକ୍ରମଣରୁ ରକ୍ଷା କରିବ ବୋଲି ମର୍ସିୟା ଫାଭିୟସଙ୍କୁ ଜାପଟି ଧରିଲା । କିନ୍ତୁ ତାହାର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ନିଷ୍ଠୁରତାର ପ୍ରଳୟ ହୁଙ୍କାର ତାର କର୍ଣ୍ଣରେ ବାଜି ଉଠିଲା, ଶୀଘ୍ର କ୍ଷିପ୍ତ ଜନତାର ବଜ୍ରମୁଷ୍ଟି ତା’ ଉପରେ ପଡ଼ିଲା ଏବଂ ପଲଙ୍କ ମଧ୍ୟରେ ଫାଭିୟସଙ୍କଠାରୁ ବିଚ୍ଛିନ୍ନ ହୋଇ ମର୍ସିୟା ପ୍ରଭଞ୍ଜନାକୁଳିତ ଲତିକା ପରି ଭୂମିରେ ଲୋଟିଲା । ପରମୁହୂର୍ତ୍ତରେ ସେ ଭୀମ ପ୍ରହାରରେ ତାହାର ପ୍ରାଣ ଯାଇଥାନ୍ତା । କିନ୍ତୁ ହଠାତ୍ ପଛରୁ ଦୁନ୍ଦୁଭି ବାଜି ଉଠିଲା, ଶରରକ୍ଷୀଙ୍କ ବର୍ଚ୍ଛାଫଳକ ନିମିଷକେ ଆଲୋକରେ ଝଲସି ଉଠିଲା ଏବଂ ମୁହୂର୍ତ୍ତ ମଧ୍ୟରେ ବର୍ଚ୍ଛାବିଦ୍ଧ ବ୍ୟକ୍ତିଙ୍କର ଗୁରୁଗମ୍ଭୀର ପତନ ଶବ୍ଦ ଶୁଣାଗଲା ! ଭୀରୁ ଜନମଣ୍ଡଳୀ କ୍ଷଣିକରେ ପୃଷ୍ଠ ପ୍ରଦର୍ଶନ କରି ପଳାଇଗଲେ । ମର୍ସିୟା ସୁପ୍ତୋଥିତ ପରି ଦଣ୍ଡାୟମାନ ହେଲା ଏବଂ ଅଶ୍ୱକ୍ଷୁରୋତ୍‍ଥିତ ଧୂଳିପଟଳ ଶାନ୍ତ ହୋଇ ସ୍ୱସ୍ଥାନରୁ ଫେରିଲାରୁ ମର୍ସିୟା ଦେଖିଲା, ରକ୍ଷୀଦଳପରିବେଷ୍ଟିତ ଯୁବକଶ୍ରେଷ୍ଠ ରୋମର ପ୍ରଫେକ୍‍ଟ ଓ ଅଶ୍ୱପୃଷ୍ଠରେ ତାହା ସମ୍ମୁଖରେ ।

 

ଏହିରୂପେ ଜୀବନରେ ଏମାନେ ସର୍ବପ୍ରଥମେ ପରସ୍ପରର ସମ୍ମୁଖୀନ ହେଲେ ଏବଂ ବିସ୍ମୟବହୁଳ ନେତ୍ରରେ ଉଭୟେ ଉଭୟଙ୍କୁ ନିରୀକ୍ଷଣ କଲେ । ଅନେକକ୍ଷଣ ପର୍ଯ୍ୟନ୍ତ ନିରୀକ୍ଷଣ କଲେ । କିନ୍ତୁ ଏ କି ନିର୍ବାକ୍, ନିଷ୍ପନ୍ଦ, ନୀରବ ନିରୀକ୍ଷକ୍ଷଣ ! କାହିଁ, ଯୁବକର ଦୃଷ୍ଟିରେ । ବିପନ୍ମୋଦ୍ଧାରର ସଗର୍ବ ଆତ୍ମପ୍ରସାଦ ନାହିଁ ? ଯୁବତୀର ନୟନ ତ କୃତଜ୍ଞତାରେ କରୁଣ ହୋଇ ଉଠି ନାହଁ ? ଏ ଦୃଷ୍ଟିରେ ଯେ ଅଛି କେବଳ ବିସ୍ମୟ, ବିହ୍ୱଲତା, ଉନ୍ମାଦନା । ହଁ, ଏ ଦୃଷ୍ଟିରେ ବିସ୍ମୟ ବିହ୍ୱଳତାରେ, ବିହ୍ୱଳତା ଉନ୍ମାଦନାରେ ପରିଣତ ହେଉଅଛି । ନୟନର ଗତି ଥରେ ଅଳସ, ଥରେ ଚଞ୍ଚଳ ହୋଇ ଉଠୁଅଛି, ପ୍ରତି କଟାକ୍ଷପାତରେ ନୟନର ଗାଡ଼ ଅନ୍ଧକାରମୟ ସ୍ଥାନ ଭିତର ଦେଇ ବିତ୍ୟୁତ ଶରୀର ସ୍ପନ୍ଦିତ, ନୟନର କରି, ମାନସ ନିହତ କର, ହୃଦୟ କମ୍ପିତ କରି ନିଭୃତନିହତ ପ୍ରଣୟ-ସୁଧା ଉପରକୁ ଉଠାଇଛି, ସେହି ସୁଧା ପ୍ରାଣରେ ଭରି ଉଠିଛି, ସେଥିପାଇଁ ଏ ମୋହାବେଶ, ସେଥିପାଇଁ ଏ ଆତ୍ମବିସ୍ମୃତି । ଏ କି କେବଳ ଚକ୍ଷୁର ମିଳନ ? ଏ ଯେ ହୃଦୟର ମିଳନ, ବିନିମୟ । କ୍ରେତା ଜାଣିବା ପୂର୍ବରୁ ତାହା ନିକଟରେ ଆପଣାର ସମସ୍ତ ସମର୍ପଣ ଏବଂ ପ୍ରତିଗ୍ରହଣରେ କେବଳ ଜୀବନବ୍ୟାପୀ ନୀରବ ପ୍ରତୀକ୍ଷା ।

 

ଆଜି ଏ ଦୁହଙ୍କର ଚାରିଚକ୍ଷୁ ମିଳନରେ ଏହା ହିଁ ଘଟିଲା ! କିନ୍ତୁ ମାର୍କସ ପାଇଁ ଆତ୍ମବିଶ୍ଳେଷଣର ସମୟ ନ ଥିଲା । ଲୋକସାଧାରଣଙ୍କ ରୂଢ଼ ଦୃଷ୍ଟି ସେ ଦୁହିଙ୍କ ଉପରେ ପଡ଼ିଥିବାର ଦେଖି, ସେ ଆତ୍ମସମ୍ବରଣ କରି କ୍ଷମତାନିର୍ଭର କଣ୍ଠରେ ପଚାରିଲା, “ଏ ବୃଦ୍ଧ କଣ କରିଛି ?”

 

ସର୍ଭିଲିୟସ୍ ଚଞ୍ଚଳ ଲୋକଗହଳରୁ ବାହାରି ଆସି ଚିତ୍କାର କରି କହିଲା, “ସେ ଖ୍ରୀଷ୍ଟିୟାନ।’’

 

ମାର୍କସ୍ ଘୋର ବିରକ୍ତି ସହକାରେ ପ୍ରଧାନ ଶରୀରରକ୍ଷୀକୁ କହିଲା, ‘‘ଭିଟୁରିୟସ ଲୋକଟା ବେଜାଏ ଗୋଲମାଳ କରୁଛୁ ।” ଉତ୍ତର ସ୍ୱରୁପ ଭିଟୁରିୟସ୍‍ର ଚପେଟାଘାତରେ ସର୍ଭିଲିୟସ୍ ପୁଣି ପଛକୁ ଘୁଞ୍ଚିଗଲା । ଜନତାର ଇତର ଲୋକେ ପାଟିକଲେ, “ମାର୍କସ୍‍ର ବଡତି ହେଉ ।’’

 

ଲୋକଙ୍କ ଆଡ଼ୁ ନିତାନ୍ତ ଘୃଣାରେ ଦୃଷ୍ଟି, ଫେରାଇ ମାର୍କସ୍ ମର୍ସିୟା ଉପରେ ସ୍ଥାପନ କଲା । ସେପର୍ଯ୍ୟନ୍ତ ମର୍ସିୟାର ମୋହ ଭାଙ୍ଗି ନାହିଁ । ଯେଉଁ ମୂର୍ତ୍ତି ମୃତ୍ୟୁ ଓ ତାହା ମଧ୍ୟରେ ଅନ୍ତରାଳ ହୋଇ ଛିଡ଼ା ହୋଇଥିଲା, ତାହାର ପ୍ରୋଜ୍ଜ୍ୱଳ କାନ୍ତି ସେ ବିଷ୍ଫାରିତ ଲୋଚନରେ ସେତେବେଳେ ପର୍ଯ୍ୟନ୍ତ ଦେଖୁଥିଲା । ବାସ୍ତବିକ ମାର୍କସ ମୂର୍ତ୍ତିମାନ ମନୁଷ୍ୟତ୍ୱ ପରି ଦିଶୁଥିଲା । ତାହାର ସୁସ୍ଥ ସବଳ ଯୌବନର ପୂର୍ଣ୍ଣ ବିକଶିତ ରୂପଶ୍ରୀ, ତାହାର କ୍ଷମତାସ୍ଫୀତ ବିପୁଳ ବକ୍ଷ, ଉତ୍ତେଜନାରେ ତାହାର ଇଷଦାରକ୍ତ ମୁଖମଣ୍ଡଳ ଏବଂ ଗିରିଶୃଙ୍ଗ ପରି ତାହାର ଅଟଳ ଅଚଞ୍ଚଳ ମୂର୍ତ୍ତି ସମ୍ମୁଖରେ ପ୍ରବଳ ଜନତା ବେଳାହତ ତରଙ୍ଗ ପରି ଶତଧା ଲେଉଟି ପଡ଼ିଲା । ମାର୍କସ୍ ଯୋଦ୍ଧ ବେଶରେ ! ଶରୀର ତଳଭାଗ ଗୋଟିଏ ଛୋଟ ଘାଘରାରେ ଆବୃତ, ପ୍ରାୟ ଆଣ୍ଠୁ ପର୍ଯ୍ୟନ୍ତ ପଡ଼ିଅଛି; ବକ୍ଷ ଆବୃତ କରି ଗଳା ପର୍ଯ୍ୟନ୍ତ ଉଜ୍ଜ୍ୱଳ ପିତ୍ତଳର ବର୍ମ ଲମ୍ବିଛି, ବର୍ମ ସ୍ଥାନେ ସ୍ଥାନେ ନାନା ମଣି ମୁକ୍ତାରେ ତାରକିତ, ବର୍ମର ନିମ୍ନ ପ୍ରାନ୍ତର କଟିଦେଶରୁ ସାଦା ଚମଡ଼ାର ପଟି କେତେ ଖଣ୍ଡ ମଧ୍ୟ ମଣିମୁକ୍ତାଖଚିତ ହୋଇ ଜାନୁକୁ ଓହଳିଛି ଛଣା ପିତ୍ତଳର ଶିରସ୍ତ୍ରାଣ ମସ୍ତକରେ ଝକମକ କରୁଛି, ପୀତାଭ ରେଶମର ମହାର୍ଘ ଉତ୍ତରୀୟ ଉପବୀତ ଆକାରରେ ସ୍ପନ୍ଧରେ ଲମ୍ବିଅଛି, ଚରଣର ଚର୍ମାପାଦୁକାର ଅଙ୍ଗୁଳିପ୍ରବେଶ-ଦ୍ୱାର ସୁନରେ ମୋଡ଼ା ହୋଇଛି । ମୁଁ ସୂର୍ଯ୍ୟକିରଣରେ ତାହାର ଅସ୍ତ୍ରଶସ୍ତ୍ର ଓ ବହୁମୂଲ୍ୟ ମଣିମୁକ୍ତରୁ ଅଗ୍ନି ପ୍ରତିଫଳିତ ହୋଇ ଦର୍ଶକର ଚକ୍ଷୁକୁ ଝଲସାଇ ଦେଉଛି । ମର୍ସିୟାର ଚକ୍ଷୁ କିନ୍ତୁ ମାର୍କସ୍‍ର ମୁହଁ ଉପରେ, ଆଉ ମାର୍କସ୍‍ର ଦୃଷ୍ଟି ମର୍ସିୟାର ଅନ୍ତସ୍ଥଳ ଅନ୍ୱେଷୀ । ଗମ୍ଭୀର ଅଥଚ ମଧୁର ସ୍ଵରରେ ସେ ମର୍ସିୟାକୁ ପଚାରିଲା ।

 

‘‘ବାଳିକା, ତୁମର ନାମ କଣ ?” ଏହି କଥା ମର୍ସିୟାର ଶରୀରରେ ବିଦ୍ୟୁତ୍‌ର ସ୍ପନ୍ଦନ ଜନ୍ମାଇ ଦେଲା । ସେଥପାଇଁ ଉତ୍ତର ଦେଲାବେଳେ ସ୍ୱର ଟିକିଏ କମ୍ପିଗଲା । ସେ କହିଲା, “ମର୍ସିୟା-।''

 

ମାର୍କସ୍ ର ମନେ ହେଲା, ସେ ତାର ଜୀବନରେ ଏପ୍ରକାର ସ୍ନିଗ୍‌ଧ ମଧୁର ଅମୃତବର୍ଷୀ କଣ୍ଠସ୍ୱର କେବେ ଶୁଣି ନାହିଁ । ମୁହୂର୍ତ୍ତକ ସକାଶେ ଫାଭିୟସ୍‌ଙ୍କ ଆଡ଼କୁ ମୁହଁ ଫେରାଇ ପଚାରିଲା, ‘‘ତୁମର ନାମ, ବନ୍ଧ ?’’

 

ଉତ୍ତର ହେଲା, ‘‘ଫାଭିୟସ୍ ।’’ ତତ୍‌ପରେ ମାର୍କସ୍‍ର ଚକ୍ଷୁ ପୁନର୍ବାର ମର୍ସିୟା ଆଡ଼କୁ ଲେଉଟି ଆସିଲା ।

 

‘‘ଏ ବାଳିକା କଣ ତୁମର ଝିଅ ?”

 

“ନା, ପ୍ରିଫେକ୍‌ଟ” ଏହା କହି ମର୍ସିୟାକୁ ଏହି ଯୁବକ ପିଫେକ୍‌ଟର ଦୃଷ୍ଟିର ଅନ୍ତରାଳ କରିବାକୁ ଫାଭିୟସ୍‌ ଉଦ୍‌ବିଘ୍ନ ହେଲେ ।

 

ମାର୍କସ୍ ପଚାରିଲା, ‘‘ତେବେ କଣ ତୁମର କୌଣସି ବନ୍ଧୁବାନ୍ଧବ ?"

 

‘‘ନା ।’’

 

ମର୍ସିୟା ବିମର୍ଷ ଭାବରେ ଧୀରେ ଧୀରେ କହିଲା, ‘‘ମୋର କେହି ବନ୍ଧୁବାନ୍ଧବ ନାହାନ୍ତି-!”

 

ମାର୍କସ୍ ମର୍ସିୟା ଉପରେ ପୂର୍ବପରି ଦୃଷ୍ଟି ରଖି ଫାଭିୟସ୍‍ଙ୍କୁ ପଚାରିଲା, ‘‘ତେବେ ଏ ପିଲା । କାହିଁକି ତୁମ୍ଭ ପାଖରେ ଏଠି ?”

 

ଫାଭିୟସ୍ ଉତ୍ତର କଲେ, “ଯେତେବେଳେ ଲୋକମାନେ ମୋତେ ଆକ୍ରମଣ କରିବାକୁ ଘେରିକଲେ, ସେତେବେଳେ ଏ ମୋତେ ଉଦ୍ଧାର କରିବାକୁ ଆସିଥିଲା ।’’

 

ଏ କଥା ଶୁଣି ଈଷତ୍ ହାସ୍ୟରେ ମାର୍କସ୍ ଓଷ୍ଠାଧର କୁଞ୍ଚିତ କରି କହିଲା; “ତୁମକୁ ଉଦ୍ଧାର କରିବାକୁ ! ପତନୋନ୍ମୁଖ ଦେବଦାରୁକୁ ରକ୍ଷା କରିବା କମଳ କଢ଼ୀ !” ମନେ ମନେ ଭାବିଲା, “ଆହା ! ସୁନ୍ଦର ମୁହଁଟି ।'’ ମର୍ସିୟାକୁ ପଚାରିଲା, ‘‘ଏ ବୃଦ୍ଧ ତୁମର କଣ ହୁଅନ୍ତି?’’

 

“ମୋର ଶିକ୍ଷାଗୁରୁ ।’’

 

ମାର୍କସ ଫାଭିୟସ୍‍ଙ୍କ ଆଡ଼କୁ ଅନାଇ କହିଲା, ‘‘ଓ, ତୁମେ ସ୍କୁଲରେ ପାଠ ପଢ଼ାଅ ।”

 

‘‘ନା ।’’

 

‘‘ତୁମେ କେଉଁ ସମ୍ପ୍ରଦାୟଭୁକ୍ତ ?

 

‘‘ମୁଁ ଦାର୍ଶନିକ ।’’

 

ଏତିକିବେଳେ ଲୋକେ ପାଟି କରି ଉଠିଲେ, ‘‘ସେ ଖ୍ରୀଷ୍ଟିୟାନ, ସେ ଖ୍ରୀଷ୍ଟିୟାନ ।’’

 

ମାର୍କସ୍ ଆଜ୍ଞା ଦେଲା, ‘‘ଭିଟୁୟସ୍‌; ରାସ୍ତା ପରିଷ୍କାର କର ।” ସୈନ୍ୟମାନେ ଲୋକଙ୍କୁ ଖେଦି ଗଲେ ।

 

ଗ୍ଲାବ୍ରିଓ ଡାସିୟା ଘରର ପାହାଚ ଉପରୁ ମହାଆନନ୍ଦରେ ଏ ସବୁ ଦେଖୁଥିଲା । ସେ ଫିଲୋଡ଼ିମସ୍ ଆଡ଼କୁ ଅନାଇଁ କହିଲା, “ଦେଖିଲ ସୁନ୍ଦର ମୁହଁର ପରାକ୍ରମ ?”

 

ମାର୍କସ ମର୍ସିୟା ଆଡ଼କୁ ଅନାଇ ଆଗ୍ରହରେ କହିଲା, ‘‘ବାଳିକା, ମୋତେ ତୁମର ବନ୍ଧୁ ବୋଲି ଜାଣିବ । ଆଉ; କେତେବେଳେ ଯଦି ସାହାଯ୍ୟର ପ୍ରୟୋଜନ ହୁଏ, ମୋ ନିକଟକୁ ବିର୍ବିଘ୍ନରେ ଆସିବ ।’’ ଏ କଥା ଶୁଣି ସଙ୍କୁଚିତ ହୋଇ ମର୍ସିୟା ପଛକୁ ଘୁଞ୍ଚିଗଲା । ଫାଭିୟସ୍‌ ମର୍ସିୟା ଆଗକୁ ବାହାରି ପଡ଼ି କହିଲେ, ‘‘ବନ୍ଧୁତା ନିମନ୍ତେ ଭକ୍ଷ୍ୟ ଯିବ ଭକ୍ଷକ ନିକଟକୁ-କପୋତୀ ଯିବ ଶ୍ୟେନ ନୀଡ଼କୁ ?’’

 

ଅବଶ୍ୟ ଶ୍ୟେନ ଯେତେବେଳେ କ୍ଷୁଧିତ ସେତେବେଳେ ନୁହେଁ ।” ତତ୍‌ପରେ ମାର୍କସ ହସି ହସି ପଚାରିଲା, ‘‘ତେବେ ମୁଁ କଣ ଶ୍ୟେନ?’’ ଫାଭିୟସ୍‌ ଉତ୍ତର କଲେ, ‘‘ତୁମେ ମାର୍କସ୍ ସୁପର୍ବସ୍‌ ।''

 

‘‘ତା’ ପରେ ?'

 

‘‘ଗୋଟାଏ ସ୍ତ୍ରୀ କମ ହେଲେ କି ବେଶି ହେଲେ ତୁମର ବିଶେଷ କ୍ଷତି ବୃଦ୍ଧି ହେବ ନାହିଁ, କିନ୍ତୁ ଏ ବାଳିକା ଯେ ନିର୍ମଳ ନିଷ୍କଳଙ୍କ ଅପାର୍ଥିବ ଅମାୟିକତାର ମୂର୍ତ୍ତି ଏ ପ୍ରତ୍ୟକ୍ଷ ପବିତ୍ରତା !”

 

ମାର୍କସ୍ ଟିକିଏ ଶ୍ଳେଷ କରି କହିଲା, ‘‘ନିର୍ମଳ, ନିଷ୍କଳଙ୍କ, ଅମାୟିକ -ଏ ରତ୍ନ ଯେ ରୋମରେ ବଡ଼ ଦୁର୍ଲ୍ଲଭ ।”

 

ଫାଭିୟସ୍ ଗମ୍ଭୀର ଭାବରେ କହିଲେ, “ତୁମେ ତାକୁ ଦୁର୍ବୃତ୍ତମାନଙ୍କଠାରୁ ଉଦ୍ଧାର କରି ଆଜି ତାହାର ମହାଉପକାର ସାଧନ କରିଅଛ, ଏ ଉପକାର ଚିରସ୍ମରଣୀୟ ହୋଇ ରହିବ । ଏ ସ୍ମୃତିକୁ କିନ୍ତୁ ଅଭିଶପ୍ତ କର ନାହିଁ, ବାଳିକାକୁ ବିନା ବାଧାରେ ତାହର ଗୃହକୁ ଯିବାକୁ ଦିଅ ।

 

ବୃଦ୍ଧ ଖ୍ରୀଷ୍ଟିୟାନର ଅନୁରୋଧରେ କାତରତା ମାର୍କସ୍‍ର ହୃଦୟ ସ୍ପର୍ଶ କଲା, କିନ୍ତୁ ତାହାର ନୟନ-ଚକୋର ସେ ରୂପ-ସୁଧାପାନରୁ ବିରକ୍ତ ହେବାକୁ ଶୀଘ୍ର ସ୍ୱୀକୃତ ହେଲା ନାହିଁ । ସେଥିପାଇଁ ସେ ଯିବା ପୂର୍ବରୁ ଅଉ ଥରେ ମର୍ସିୟା ଅଡ଼କୁ ଅନାଇଲ । ତାହାର ନିର୍ଭିକ ନିରୀକ୍ଷ୍ୟମାଣ ନୟନରେ ଯେ କେବଳ ରୂପଜ ମୋହର ଉନ୍ମାଦ ଥିଲା ତାହା ନୁହେଁ, ତହୁଁ ବଳି ଗଭୀରତର ଭାବ ତହିଁରେ ପ୍ରସ୍ଫୁଟିତ ହୋଇଥିଲା । ସେ କଣ ପବିତ୍ରତାର ସମ୍ମାନ ? କଣ ମର୍ସିୟାର ଉନ୍ନତ ଚରିତ୍ରରେ ପ୍ରତୀତି-? କଣ ସେହି ବ୍ୟାକୁଳ ପିପାସା, ଯାହା ମର୍ସିୟା ଭିନ୍ନ ଅନ୍ୟ କେହି ପରିତୃପ୍ତ କରି ପାରିବ ନାହିଁ ? ଏ କଣ, ଏହା ମାର୍କସ୍ ଠିକ୍ କରି ପାରିଲା ନାହିଁ, କିନ୍ତୁ ଜାଣିଲା, କି ଗୋଟାଏ ଅଜ୍ଞେୟ ଅପରିମେୟ ପରିବର୍ତ୍ତନ ତାହା ମଧ୍ୟରେ ସଘଂଟିତ ହେଉଛି । ଏଆଡ଼େ ମର୍ସିୟା ବାହ୍ୟଜ୍ଞାନ ବିରହିତ ହୋଇ ଫାଭିୟସ୍‌ ହାତରେ ଯନ୍ତ୍ରଚାଳିତ ପୁତ୍ତଳିବତ୍ କାର୍ଯ୍ୟ କରୁଥିଲା । ସମ୍ମାନ ସମ୍ଭ୍ରମ ପ୍ରସ୍ତୁତି ଯେଉଁ ସବୁ ଭାବରାଶି ମାର୍କସ୍‍ର ଦୃଷ୍ଟିରେ ଫୁଟି ଉଠି ମର୍ସିୟାକୁ ଅଭ୍ୟର୍ଥିତ କରୁଥିଲା, ମର୍ସିୟାର ଚକ୍ଷୁ ତାହାର ପୂର୍ଣ୍ଣ ଅନୁମୋଦନର ପ୍ରତ୍ୟୁତ୍ତର ଦେଉଥିଲା, କିନ୍ତୁ ଯାହା ନୀଚ, କଳୁଷିତ, ତାହାର ଆଭାସ ସୁଦ୍ଧା ଏ ଦୃଷ୍ଟିରେ ନ ଥିଲା । ସେମାନଙ୍କୁ ଅଧିକ କ୍ଷଣ ଅଟକାଇବାର ଉପାୟାନ୍ତର ନ ଦେଖି ମାର୍କସ୍‌ କହିଲା, ‘‘ମୁଁ ତ ତୁମ୍ଭମାନଙ୍କୁ ବାଧା ଦେଇ ନାହିଁ, ସ୍ଵଚ୍ଛନ୍ଦରେ ଘରକୁ ଯାଅ ।”

 

ଫାଭିୟସ୍ ମିନତିପୂର୍ଣ୍ଣ କଣ୍ଠରେ ଅନୁନୟ କଲେ, ‘‘ପ୍ରିଫେକ୍‌ଟ, ମୋତେ କଥା ଦିଅ-’’ ତାଙ୍କୁ କଥା ଶେଷ କରିବାକୁ ନ ଦେଇ ମାର୍କସ୍‌ ଉତ୍ତପ୍ତ ଭାବରେ କହିଲା, “ଯଥେଷ୍ଟ, ମୁଁ ତାହାର ଏବଂ ତୁମର ଜୀବନ ରକ୍ଷା କରିଅଛି, ଏହାହିଁ ତୁମ ପକ୍ଷରେ ଯଥେଷ୍ଟ, ଘରକୁ ଯାଅ।’’ ଫାଭିୟସ୍‌ ମର୍ସିୟାର ହାତ ଧରି ଧୀର ପାଦ ବିକ୍ଷେପରେ ସସମ୍ଭ୍ରମରେ ସେ ସ୍ଥାନ ପରି ତ୍ୟାଗକଲେ । ମାର୍କସ୍ ଭିଟୁରିୟସ୍‌କୁ ଡାକି କହିଲା, “ଶୀଘ୍ର ଏମାନଙ୍କ ପଛେ ପଛେ ଯାଅ, ଏମାନେ କେଉଁଠି ରହନ୍ତି, ଏ ବାଳିକାର ବଂଶ ପରିବାର କିଏ, ଶୀଘ୍ର ବୁଝି ଆସ ।’’ ସେମାନେ ଚାଲିଗଲେ । ମାର୍କସ୍‌ ମନେ ମନେ ଭାବିଲା “କି ସୁନ୍ଦର ! ଆଉ ଅନବଦ୍ୟାଙ୍ଗୀ ଯୁବତୀ । ଯୁବତୀ ରୂପବତୀ, ପୁଣି ଏକାକୀ–ଏହି ଦୃଦୟଶୂନ୍ୟ ସ୍ୱାର୍ଥପର ରୋମରେ ଏକାକୀ । ମୁଁ ଯେ ସାରା ଜୀବନରେ ଏପରି ସ୍ନିଗ୍‌ଧ, ସୁନ୍ଦର ମଧୁର ନାରୀମୂର୍ତ୍ତି ଦେଖି ନାହିଁ ।’’ ଡାସିୟାର ଡାକରେ ତାହାର ଚିନ୍ତାସ୍ରୋତରେ ବାଧା ପଡ଼ିଲା । ଡାସିୟା ଦାଣ୍ଡ ବାରଣ୍ଡାର ଖିଲାଣ ତଳୁ ଡାକିଲା, ‘‘ମାର୍କସ୍‌ !’’

 

ମାର୍କସ୍‌ ଅଧୈର୍ଯ୍ୟ ହୋଇ ଫେରି ପଡ଼ିଲା, କିନ୍ତୁ ବିରକ୍ତି ଗୋପନ କରି ଡାସିୟାକୁ ଅଭିବାଦନ କରି କହିଲା, “କି ଅଭିପ୍ରାୟରେ ଆହ୍ୱାନ, ସୁନ୍ଦରୀ ? ଓଃ, ଫିଲୋଡ଼ିମସ୍ ଓ ଗ୍ଳାବ୍ରିଓ ଯେ-!”

 

ଗ୍ଳାବ୍ରିଓ ରାସଭବିନିନ୍ଦିତ ସ୍ୱରରେ କହିଲା “ବଡ଼ ଖୁବ୍ ସୁରତ୍ ଶିକାର, ମାର୍କସ୍ ।” ଅଳ୍ପସମୟ ପୂର୍ବରୁ ଗ୍ଳାବିଓ ଯଦି ଅନ୍ୟ କୌଣସି ରମଣୀ ସମ୍ବନ୍ଧରେ ଏପରି କହିଥାନ୍ତା; ମାର୍କସ୍ ତାହା ଅବିଚଳିତ ଚିତ୍ତରେ ଶୁଣିଥାନ୍ତା । କିନ୍ତୁ ଆଜି ଗ୍ଳାବ୍ରିଓର କଥା ମାର୍କସ୍ କାନରେ ବଡ଼ ବିଷମ ଲାଗିଲା, ବଡ଼ ନୀଚ ଅପମାନ ପରି ଜଣାଗଲା । ସେଥିପାଇଁ ସେ ସେ କଥାର ଉତ୍ତର ଦେବାର ହୀନତା ସ୍ୱୀକାର ନ କରି ଡାସିୟା ଆଡ଼କୁ ଫେରି କହିଲା, “କଣ, ମୋଠି କିଛି ଦରକାର ଅଛି, ଡାସିୟା ?” “ତୁମ ସଙ୍ଗ ସୁଖର ଦରକାର ଅଛି, ମାର୍କସ୍; ଆସ, ଦଳର ସଂଖ୍ୟା ପୂର୍ଣ୍ଣ କର ଓ ପାଦରେଣୁରେ ଏ ଗରିବର ଗୃହ ପ୍ରାଙ୍ଗଣ ପବିତ୍ର କର ।''

 

‘‘ସୁନ୍ଦରୀ, କର୍ତ୍ତବ୍ୟର ଆହ୍ୱାନ ନିର୍ମମ, ବନ୍ଧୁର ଆଜ୍ଞା ଲଘଂନ କରି ହେବ, କର୍ତ୍ତବ୍ୟ କିନ୍ତୁ ନାଛାଡ଼େବନ୍ଧା ଆଜି କର୍ତ୍ତବ୍ୟର ଡାକ ପଡ଼ିଛି ଅନ୍ୟଆଡ଼େ ।” ଲଘୁ ଭାବରେ ଏ ଉତ୍ତର ଦେଇ ମାର୍କସ୍‌ ମର୍ସିୟା ଯେଉଁ ଆଡ଼କୁ ଯାଇଥିଲା, ସେ ଆଡ଼କୁ ଅନାଇଲା ।

 

ଡାସିୟା ହସି ହସି କହିଲା, “ଓଃ, ଡର ମାଡୁଛି ପରା ?”

 

‘‘ଡର କାହାକୁ ? ବେରେନିସ୍‍ର ଶାଣିତ ଜିହ୍ୱାକୁ ନୁହେ, ଅବା ତୁମର ଅଧର ବିମ୍ବକୁ ନୁହେ । ବେରନିସ୍‍କୁ ମୁଁ ଶାଣିତ ଜିହ୍ୱାକୁ ନୁହେ, ଅବା ତୁମର ଅଧର ବିମ୍ୱକୁ ନୁହେ । ବେରେନିସ୍‍କୁ ମୁଁ ଭୟ କରିବି କାହିଁକି ?”

 

ଡାସିୟା ଉତ୍ତର କଲା, କିଛି ଯେମିତି ଜାଣ ନା ?’’

 

‘‘କଥା କଣ ?”

 

‘‘ରୋମଯାକ ଯେ ଜାଣନ୍ତି, ଲୁଚାଉଛ କାହିଁକି ?”

 

‘‘ରୋମଯାକ କଣ ଜାଣନ୍ତି ?”

 

‘‘ତୁମେ ବେରେନିସ୍‌କୁ ବିଭା ହେବ ।’’

 

ପ୍ରତ୍ୟୁତ୍ତରରେ ମାର୍କସ୍‌ କହିଲା, ‘‘ସତେ ? ରୋମର ଲୋକଙ୍କର ମୋ ଉପରେ ଭାରି ଅନୁଗ୍ରହ । ମୋତେ ବେରେନିସ୍‍ର ଯୋଗ୍ୟ ବୋଲି ଭାବିଛନ୍ତି ।”

 

ଡାସିୟା କହିଲା, “ମାର୍କସ୍ - ବେରେନିସ୍ ମଣିକାଞ୍ଚନ ସଂଯୋଗ । କେବଳ ଯେ ନୀରୋର ଅନୁଗ୍ରହରେ ତାହା ନୁହେଁ, ଜାଣିଥାଅ, ବେରନିସ୍‍ର ପାଣି ଗ୍ରହଣରେ ମଧ୍ୟ ଟିଗେଲିନସ୍‌ ତୁମର ପ୍ରତିଦ୍ୱନ୍ଦୀ । ମାର୍କସ ଓ ବେରେନିସ୍ ମିଳିତ ହେଲେ ଟିଗେଲିନସ୍ ସକାଶେ ଆଉ କୌଣସି ଭୟ ରହିବ ନାହିଁ । କଣ କହୁଛ, ମାର୍କସ୍ ?”

 

“ମାର୍କସ୍ ଏକାକୀ ଟିଗେଲିନସ୍‍କୁ କେବେ ଭୟ କରିବାକୁ ଶିଖିଲା ?’’

 

ମାର୍କସ୍‍ର ଏ କଥା ଶୁଣି ନ ଶୁଣିଲା ପରି ହୋଇ ଡାସିୟା କହିବାକୁ ଲାଗିଲା, “ସମସ୍ତ ରୋମ ଜାଣେ ଯେ, ଟିଗେଲିନସ୍‌ ଓ ତୁମ ମଧ୍ୟରେ ଏ ପ୍ରତିଯୋଗିତା ଚାଲିଛି, ଆଉ ଟିଗେଲିନସ୍‌ କୌଣସି ସୁବିଧାର ଅପବ୍ୟବହାର କରବା ଲୋକ ନୁହେଁ । ତୁମେ ଦୁହେଁ ଉଚ୍ଚାଭିଳାଷୀ । ବେରେନିସ୍ ଯେ କେବଳ ଧନବତୀ ତାହା ନୁହେଁ, ରୂପବତୀ ଏବଂ ତହିଁ ଉପରେ ଶିକ୍ଷିତା–’’

 

ଗ୍ଳାବ୍ରିଓ ସେ କଥାରେ ବାଧା ଦେଇ କହିଲା, “ବାସ୍ତବିକ ମାର୍କସ୍ , ତୁମର ଗୋଟିଏ ସ୍ତ୍ରୀ ଗ୍ରହଣ କରିବା ଉଚିତ ।’’

 

ମାର୍କସ୍‌ ପଚାରିଲା, ‘‘ଦରକାର କଣ ?’’ ଦର୍‌ - ଦର - ଦରକାର କଣ ? ଆଛା ଲୋକେ ବିଭା ହୁଅନ୍ତି କାହିଁକି ?”

 

ମାର୍କସ୍ ଶୁଷ୍କଭାବରେ ଆବୃତ୍ତି କଲା, ‘‘ହଁ, କାହିଁକି ?”

 

ଡାସିୟା କହିଲା, ‘‘ସ୍ତ୍ରୀ ଗ୍ରହଣ କରିବା ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ ।’’

 

ମାର୍କସ୍ ପଚାରିଲା, ‘‘ଗ୍ରହଣ କରିବା, ନା ବିଭା ହେବା ?”

 

ସୁନ୍ଦରୀ ହସି ହସି କହିଲା, “ଉଭୟ ! ବାସ୍ତବିକ ମାର୍କସ୍ , ତୁମେ ବିଭା କର । ସ୍ତ୍ରୀର ମନୋରଞ୍ଜନ କରିବା ପାଇଁ ତୁମର ରାଜାର ତୁଲ୍ୟ ଅତୁଳ ସମ୍ପତ୍ତି ଅଛି ।”

 

‘‘ଠିକ୍, କିନ୍ତୁ ସେନେକାଙ୍କ ଲେଖା ଅନୁସାରେ ଆଜିକାଲି ରୋମରେ ବନ୍ଧୁର ସ୍ତ୍ରୀର ମନୋରଞ୍ଜନ କରିବା ଅଧିକ ଭଦ୍ରତା ବୋଲି ବିବେଚିତ ହେଉଅଛି । କଣ କହୁଛ, ଫିଲୋଡ଼ିମସ୍ ? ଯେଉଁଠି ସ୍ତ୍ରୀଲୋକେ ତାଙ୍କର ଆୟୁଷକୁ ଦିନ, ମାସ, ବର୍ଷର ସଂଖ୍ୟାରେ ନ ଗଣି କେତେ ପୁରୁଷ କାହାର ଅନୁଗତ ତାହାରି ସଂଖ୍ୟାରେ ଗଣନ୍ତି, ସେଠି ବିବାହ କରିବାଟା କଣ ବଡ଼ ବେଶି ଦରକାର-?”

 

ତେବେ ମଧ୍ୟ ପ୍ରଶମିତ ନ ହୋଇ ଡାସିୟା କହିଲା, “ଠିକ୍ କଥା, ମାର୍କସ, କେତେ ଭଦ୍ର ମହିଳାଙ୍କର ଏକାଧିକ ସ୍ୱାମୀ ଅଛନ୍ତି ?”

 

ମାର୍କସ୍ ସ୍ୱର ନୂଆଇଁ କହିଲା, “ଅନେକଙ୍କର ।”

 

ଡାସିୟା ନୂତନ ପ୍ରସଙ୍ଗ ଆରମ୍ଭ କରି କହିଲା, ‘‘ଲୋକେ କହନ୍ତି-'' କିନ୍ତୁ ଏ କଥାବାର୍ତ୍ତା ମାର୍କସ୍‍ର କ୍ଳାନ୍ତିଜନକ ହେବାରୁ ଡାସିୟାକୁ କଥା କହିବାକୁ ନଦେଇ ଟିକିଏ ରୁଢ଼ଭାବରେ କହିଲା, “ଲୋକେ ଅନେକ କଥା କହନ୍ତି, ଆଉ ତା ଭିତରେ ଅଧିକାଂଶ ମିଛ । ନା, ଡ଼ାସିୟା, ନା, ମୁଁ ଜୀବନରେ ଅନେକ ମୂର୍ଖତାର କାର୍ଯ୍ୟ କରିଛି, କିନ୍ତୁ ବିବାହ କରିବାର ମୁର୍ଖତା ମୋ ଜୀବନରେ କେବେ ଘଟିବ ନାହିଁ ।’’

 

ଡାସିୟା ‘‘ବେରେନିସ୍ ତୁମକୁ ଏ ପ୍ରତିଜ୍ଞାରୁ ନିଶ୍ଚୟ ବିଚ୍ୟୁତ କରିବ” କହି ଘର ଭିତରକୁ ଯିବାକୁ ଉଦ୍ୟତ ହୋଇ ପଶ୍ଚାତ୍‌ ଅନୁସରଣ କରିବାକୁ ବନ୍ଧୁଦ୍ୱୟକୁ ସଙ୍କେତ କଲ । “ନମସ୍କାର, ମାର୍କସ୍ ।”

 

‘‘ନମସ୍କାର, ଡାସିୟା’’ କହି, ମାର୍କସ୍ ଗ୍ଳାବ୍ରିଓ ଫିଲୋଡ଼ିମସ୍‍କୁ ତହିଁ ଆରଦିନ ତାହା ଘରର ଭୋଜିକୁ ଯିବାକୁ ସ୍ମରଣ କରାଇ ଦେଲା ।

 

ତତ୍‌ପରେ ସେମାନେ ଘର ଭିତରକୁ ଗଲେ । ମାର୍କସ୍ ଭାବିବାକୁ ଲଗିଲା, ‘‘ବିବାହ ? କେତେବେଳେ ନୁହେଁ । କିନ୍ତୁ ଏ ବାଳିକା, ତାହାର ମୁହଁ ମୋ ଆଖି ଆଗରେ ଭାସି ବୁଲୁଛୁ । କି ସୁନ୍ଦର ! କି ପବିତ୍ର ! ଏ ଘୃଣିତ ଖ୍ରୀଷ୍ଟିୟାନଙ୍କ ମଧ୍ୟରେ କଣ ଏପରି ପବିତ୍ରତା ରହିବା ସମ୍ଭବ ?”

 

ଭିଟୁରିୟସ୍‌ ଆସି ଅଭିବାଦନ କଲା । ପ୍ରିଫେକ୍‌ଟ ପଚାରିଲା, ‘‘ଭିଟୁରିୟସ୍‌ ବାଳିକାଳୁ କେଉଁଠି ଛାଡ଼ିଲ ?’’

 

ସୈନ୍ୟାଧ୍ୟକ୍ଷ ଉତ୍ତରକଲା, ‘‘ଗୋଟିଏ ଛୋଟ ଘରେ, ହେର୍‌ କୁଲିସ୍‌ ମୂର୍ତ୍ତିର ଦକ୍ଷିଣ ପାଖର ଚତୁର୍ଥଘର ।''

 

“ସେ ଘରର ଲୋକମାନଙ୍କ କଥା କିଛି ଜାଣି ପାରିଲ?’’

 

‘‘ଏ ଘର ଉପରେ ସନ୍ଦେହ ପଡ଼ିଛି ।

 

“କି ସନ୍ଦେହ ?”

 

ଖ୍ରୀଷ୍ଟୀୟାନମାନଙ୍କର ଉପାସନାର ସ୍ଥାନ ବୋଲି ।”

 

ଅନିଶ୍ଚିତ ଆତଙ୍କରେ ମାର୍କସ୍‍ର ଶରୀର ଥରି ଉଠିଲା । ସେ କେବଳ କହିଲା; ‘‘କଣ ସାଧାରଣ ଲୋକଙ୍କର ?”

 

‘‘ନା, ୟାଡ଼ିଲ ଏ ଘରପାଇଁ ବିଶେଷ ପ୍ରହରୀ ନିଯୁକ୍ତ କରିଛନ୍ତି ।’’

 

‘‘ଗୁପ୍ତ ପ୍ରହରୀ ?”

 

‘‘ହଁ’’,

 

“କେଉଁ ୟାଡ଼ିଲ ?’’

 

‘‘ଲିସିନିୟସ୍‌ ।’’

 

‘‘ଲିସିନିୟସ୍‌ ରୋମରେ ସର୍ବାପେକ୍ଷା ଅଧିକ ହୃଦୟହୀନ ରକ୍ତପିପାସୁ ନୃଶଂସ । ଯଦି ତାହାର ସନ୍ଦେହ ନେତ୍ରରେ ଏମାନେ ପଡ଼ିଥାନ୍ତି, ତେବେ ଦେବଗଣ ଛଡ଼ା ଏମାନଙ୍କ ଉଦ୍ଧାରର ଅନ୍ୟ ଉପାୟ କିଛି ନାହିଁ । ଭିଟୁରିୟସ, ଗୁପ୍ତଚରମାନଙ୍କ କତିକୁ ଏହିକ୍ଷଣି ଯାଅ ଏବଂ ସେମାନେ କଣ କରୁଛନ୍ତି, ସେ ସବୁ ବିଷୟରେ ଲକ୍ଷ୍ୟ ରଖ । ଯଦି କୌଣସି ଲୋକକୁ ବନ୍ଦୀ କରିବାର କଥା ହୁଏ, ତତ୍‌କ୍ଷଣାତ୍ ମୋ ନିକଟକୁ ଖବର ପଠାଅ ।”

 

‘‘ଯେ ଆଜ୍ଞା ।’’

 

‘‘ତେବେ ଯାଅ ।’’

 

ଭିଟୁରିୟସ୍ ଫାଭିୟସ୍ ଘର ଆଡ଼କୁ ଚାଲିଗଲା ।

 

ମାର୍କସ୍ ଭାବିଲା, ‘‘ଲିସିନିୟସ୍‌ ର କବଳରୁ କିପ୍ରକାରେ ହେଲେ ଏ ବାଳିକାକୁ ଉଦ୍ଧାର କରିବାକୁ ହେବ । ତା ପାଇଁ ମୁଁ ଅନ୍ୟ ଭାଗ୍ୟ ନିର୍ଣ୍ଣୟ କରିଛି । କି ସୌନ୍ଦର୍ଯ୍ୟ ! କି କୋମଳତା ! ଅନ୍ୟ କୌଣସି ସ୍ତ୍ରୀ ମୋତେ ଏପରି ବିଚଳିତ କରି ନାହିଁ । ମୁଁ ମନେ କରିଥିଲି, ମୋ ନିକଟରେ ସବୁ ସ୍ତ୍ରୀଲୋକ ସମାନ । କିନ୍ତୁ ମୁଁ ଭୁଲ ବୁଝିଥିଲି । ଏ ପୁଣି ଖ୍ରୀଷ୍ଟିୟାନ !’’

 

ମାର୍କସ୍‍ ନିଜର ବିଷୟ ଭାବି ବିସ୍ମିତ ହେଉଥିଲା । ନୀରୋର ମର୍ମରମୟୀ ମୂର୍ତ୍ତିର ପାଦଦେଶରେ ଆଉଜି ପଡ଼ି ଚିନ୍ତା-ସମୁଦ୍ରରେ ଭାସିବାକୁ ଲାଗିଲା । ରୋମର ଲୋକ ସାଧାରଣ କୌତୁହଳ ପରବଶ ହୋଇ ତାହା ଆଡ଼କୁ ବିସ୍ମୟ-ବିସ୍ଫାରିତ ନୟନରେ ଚାହିଁବାକୁ ଲାଗିଲେ; କିନ୍ତୁ ସମ୍ମୁଖରେ ଛିଡ଼ା ହେବାକୁ କି ମୁହୂର୍ତ୍ତକରୁ ବେଶିକ୍ଷଣ ତାହା ଆଡ଼କୁ ଚାହିଁବାକୁ କାହାରି ସାହସ ହେଲା ନାହିଁ । ସେ ଏପ୍ରକାର ତନ୍ମୟ ହୋଇ ଛିଡ଼ା ହୋଇଥିଲା ଯେ, ମୂର୍ତ୍ତି ଉପରେ ଥିବା ପାରା ସବୁ ନିର୍ଭୟରେ ତା ପାଦ ଚାରିପାଖରେ ବୁଲି ନିଜ ନିଜ ଖାଦ୍ୟ ଖୁଣ୍ଟି ଖାଇବାକୁ ଲାଗିଲେ । ‘‘ମର୍ସିୟା, ମର୍ସିୟା’’ ବୋଲି ସେ ନାମକୁ ସେ ମର୍ସିୟା ପରି ଅତି ଧୀରେ ଉଚ୍ଚାରଣ କରି ମର୍ସିୟା କଣ୍ଠୋଚ୍ଚାରିତ ସଙ୍ଗୀତ ତରଙ୍ଗ ଫେରାଇ ଆଣିବାକୁ ଚେଷ୍ଟା କଲା । ମର୍ସିୟାର ସ୍ମୃତିରେ ତାହାର ଧମନୀର ଶୋଣିତ ଖରବେଗରେ ବହିବାକୁ ଲାଗିଲା । ତାହାର ପରିଚିତ ନାରୀମାନଙ୍କ ଛଳନା ଚାତୁରୀ ଦେଖି ସେ କ୍ଳାନ୍ତ ହୋଇ ପଡ଼ିଥିଲା । ସେମାନଙ୍କର ଦୋଷ, ଦୁର୍ବଳତା, ପାପ ସେମାନଙ୍କର ନାନା ପ୍ରଲୋଭନ ପ୍ରଦର୍ଶନ ସହିତ ସେ ସୁପରିଚିତ ଥିଲା । ଏଥିରେ ତାହାର ଶରୀର ସମ୍ମତି ଦେଇଥିଲା, କିନ୍ତୁ ହୃଦୟ ବିଚଳିତ ହୋଇ ନ ଥିଲା । ସେମାନଙ୍କ ମଧ୍ୟରେ ସର୍ବାପେକ୍ଷା ସୁନ୍ଦରୀ, ଚତୁରା ବାକ୍‌ପଟୁ ସହିତ ଆଳାପ ଆଲୋଚନାରେ ସେ ସମୟ ସମୟରେ ଆନନ୍ଦ ଅନୁଭବ କରୁଥିଲା ସତ, କିନ୍ତୁ ସେମାନଙ୍କ ମଧ୍ୟରେ କଣ ଗୋଟାଏ ଅଭାବ ଥିଲା, ଯାହା ଅନୁଭବ କରି ସେ ଅଧିକାଂଶ ସମୟରେ ଅଧୈର୍ଯ୍ୟ ହୋଇ ସେମାନଙ୍କ ସଙ୍ଗ ପରିତ୍ୟାଗ କରୁଥିଲା । ସେମାନେ ସମସ୍ତେ ଯେ ପାପାସକ୍ତ ଥିଲେ, ତାହା ନୁହେଁ, ମାତ୍ର ପାପ ସେମାନଙ୍କ ନିକଟରେ ଘୃଣାର ବିଷୟ ନ ଥିଲା । ସେମାନଙ୍କ ମଧ୍ୟରେ ଯେତେ ଉଚ୍ଚାଭିଳାଷିଣୀ ଥିଲେ, ସେ ସମସ୍ତେ ତାକୁ ସ୍ୱାମୀରୂପେ ବରଣ କରିବାକୁ ନାନା ଫାନ୍ଦ ପାତୁଥିଲେ । ସେ ସମୟରେ ସେ ମନେ ମନେ ଭାବୁଥିଲା, ‘‘ବିବାହ-? ଲମ୍ପଟତା ଓ ଲଜ୍ଜାହୀନତାର ପ୍ରଶସ୍ତ ଉପାୟ । ସ୍ଵାମୀ ? ଭାର୍ଯ୍ୟାର ନିଃସଂକୋଚ ଯଥେଚ୍ଛାଚାରିତାର ପ୍ରଧାନ ସହାୟ ! ନା, ଏ ମୁର୍ଖତାର କାର୍ଯ୍ୟ ଜୀବନରେ କରିବି ନାହିଁ ।’’ କିନ୍ତୁ, ତଥାପି ତାହାର ଗୃହ ଶୂନ୍ୟ, ତାହାର ସମସ୍ତ ଆନନ୍ଦ ଉପଭୋଗ ମଧ୍ୟରେ, ସ୍ତ୍ରୀ ପୁରୁଷ ଉଭୟ ପ୍ରକାର ସଙ୍ଗ ସୁଖର ସମସ୍ତ ପରିବେଷ୍ଟନ ମଧ୍ୟରେ ତାହାର ଜୀବନ ନିତାନ୍ତ ଶୂନ୍ୟ, ନିରାନନ୍ଦ । ସ୍ତ୍ରୀଲେକ ସେମାନଙ୍କର ପଶୁ ପ୍ରବୃତ୍ତିର ପ୍ରରୋଚନାରେ ହେଉ ଅବା ଅର୍ଥଲୋଭରେ ହେଉ, କେବଳ ତାହାର ପଶୁପ୍ରବୃତ୍ତି ଉତ୍ତେଜିତ କରିଥିଲେ । ପାଇବା ନିମନ୍ତେ ତାକୁ କେବଳ ମାଗିବାକୁ ହେଉଥିଲା-। ଯଦିବା କେହି ତୋଷାମୋଦ ଆଶାରେ ତାହାର ପ୍ରଥମ ଯାଚ୍‌ଜ୍ଞା ପ୍ରତ୍ୟାଖ୍ୟାନ କରୁଥିଲା, ସେ ଆଉ ଦ୍ୱିତୀୟ ଥର ଅନୁରୁଦ୍ଧ ହେଉ ନ ଥିଲା । ମାର୍କସ୍ ଅବଜ୍ଞାର ଭୃକୁଟି ପ୍ରଦର୍ଶନ କରି ତାକୁ ପରିତ୍ୟାଗ କରୁଥଲା ଏବଂ ପରମୁହୂର୍ତ୍ତରେ ତାହା ବିଷୟ ଏକାବେଳକେ ବିସ୍ମିତ ହେଉଥିଲା । ଭାବୁଥିଲା, ‘‘ସତୀତ୍ୱ? ବା, ଭୀରୁତାର ଅନ୍ୟ ନାମ । ସତୀତ୍ୱ, ସତୀତ୍ୱ? ଏ ପଦାର୍ଥ ସ୍ତ୍ରୀ ଚରିତ୍ରରେ ନାହିଁ । କିନ୍ତୁ ଏହି ଯୁବତୀ–ଖ୍ରୀଷ୍ଟିୟାନ–ଏହି ମର୍ସିୟା ?’’ ପୁଣି ଗୁଣୁ ଗୁଣୁ ସ୍ୱରରେ କହିବାକୁ ଲାଗିଲା–‘‘ମୁହଁଟି କି ସୁନ୍ଦର - ମର୍ସିୟା ମର୍ସିୟା !'’

Image

 

ନୈବେଦ୍ୟ

ଅଷ୍ଟମ ପରିଚ୍ଛେଦ

ବେରେନିସ୍‌

 

ବୀଣା ବିନିନ୍ଦିତ କଣ୍ଠରେ ମାର୍କସ୍‌ର ନାମ ବାଜି ଉଠିଲା । ସେ ଆହ୍ୱାନରେ ମାର୍କସ୍‍ର ଜାଗ୍ରତ ସ୍ଵପ୍ନ ଭାଙ୍ଗିଗଲା । ମାର୍କସ୍ ଦେଖିଲା, ଭୀମକାୟ ଦୁଇ ଜଣ ନିଗ୍ରୋଙ୍କ କାନ୍ଧରେ ଉନ୍ମୁକ୍ତଚ୍ଛାଦ ପାଲିଙ୍କିରେ ସମାସୀନା ମୂର୍ତ୍ତିମତୀ ରତି, ପାର୍ଶ୍ୱରେ ଯୋଦ୍ଧା ବେଶରେ ଜଣେ ବିଶାଳବପୁ ରୋମୀୟ ସେନାପତି ପଶ୍ଚାତ୍‌ରେ ଟିକିଏ ଦୂରରେ ସୁସଜ୍ଜିତା ଦାସୀଦ୍ୱୟ । ରମଣୀ ସେ ସମ୍ଭ୍ରାନ୍ତବଂଶୀୟା, ଏହା ତାହାର ସମସ୍ତ ବିଷୟ ପ୍ରମାଣ ଦେଉଥିଲା । ସେ ଚୁମ୍ବନ ପାଇଁ ମାର୍କସ୍ ଆଡ଼କୁ ହାତ ବଢ଼ାଇ ଦେଇ ହସି ହସି କହିଲା, “ମାର୍କସ୍, ଭଲ ତ ?” ପ୍ରସାରିତ ହସ୍ତ ଉପରେ ସମ୍ଭ୍ରମର ସହିତ ନଇଁ ପଡ଼ି ମାର୍କସ୍‌, କହିଲା–ଖୁବ୍ ଭଲ ।

 

ଏ ନାରୀ ପାଟ୍ରିସିଅନଙ୍କ ମଧ୍ୟରେ ଶ୍ରେଷ୍ଠ ସୁନ୍ଦରୀ, ବିଂଶତିବର୍ଷିୟା, ଅବିବାହିତା, ପିତୃମାତୃହୀନା । କ୍ଳଡିୟସ୍‌ଙ୍କ ସମୟରେ ତାହାର ପିତା ଜଣେ ସେନାପତି ଥିଲେ ଏବଂ ଅନ୍ୟାନ୍ୟ ସୈନ୍ୟାଧ୍ୟକ୍ଷଙ୍କ ପରି ପ୍ରଭୂତ ଅର୍ଥ ଅର୍ଜ୍ଜନ କରିଥିଲେ । ଏହି ଧନ ନେଇ ସେ ବାଣିଜ୍ୟ ବ୍ୟବସାୟ କରି ଏତେ ଉନ୍ନତି କରିଥିଲେ ଯେ, ତାଙ୍କ ମୃତ୍ୟୁ ପରେ ଏକମାତ୍ର କନ୍ୟା ବେରେନିସ୍ ରୋମରେ ସମସ୍ତ ଧନବତୀଙ୍କ ମଧ୍ୟରେ ସର୍ବଶ୍ରେଷ୍ଠା ହୋଇ ଉଠିଲା !

ବେରେନିସ୍‌ର ମାତା ରୋମୀୟ ନ ଥିଲେ, ଜଣେ ଜର୍ମାନ ସାମନ୍ତର କନ୍ୟା । ଏହି ସାମନ୍ତକନ୍ୟା ରୂପବତୀ ଓ ବିଶୁଦ୍ଧଚରିତ୍ରା ଏବଂ ଏ ଦୁହିଁଙ୍କ ମଧ୍ୟରେ ପ୍ରଣୟ ହେବାରୁ ସାମନ୍ତ ଆନନ୍ଦରେ ରୋମୀୟ ସେନାପତିଙ୍କ ସହିତ କନ୍ୟାର ବିବାହ ଦେଲେ । ସେନାପତି ସ୍ତ୍ରୀକୁ ରୋମକୁ ଘେନି ଆସିଲେ ଏବଂ ଏହିଠାରେ ବେରେନିସ୍‍ର ଜନ୍ମ ହେଲା । କନ୍ୟାର କେଶ ପିତାର କେଶ ପରି କୃଷ୍ଣୋଜ୍ଜ୍ୱଳ, ଚକ୍ଷୁ ମାତାର ଚକ୍ଷୁ ପରି ପ୍ରଶସ୍ତ ଓ ନୀଳ । ସେ ଯେପରି ସୁନ୍ଦରୀ ସେହିପରି ବୁଦ୍ଧିମତୀ-। ଯୁବତୀ ଅଗାଧ ସମ୍ପତ୍ତିର ଅଧିକାରିଣୀ ହେବାରୁ ଓ ରୋମୀୟ ସମାଜରେ ଚରିତ୍ରର ଖ୍ୟାତି ଥିବାରୁ, ବିବାହ ବଜାରରେ ତାହାର ଗ୍ରାହକର ସଂଖ୍ୟା ଦିନକୁଦିନ ବଢ଼ିଲା ।

ଏହି ରମଣୀ ସହିତ ମାର୍କସ୍‍ର ବିବାହର ଜନଶ୍ରୁତି ଡାସିୟ ମାର୍କସକୁ କହିଥିଲା । ଏ ପ୍ରକାର ନାରୀରତ୍ନ ଲାଭରେ ରୋମର ଯେ କୌଣସି ପୁରୁଷ ଆପଣାକୁ ଭାଗ୍ୟବାନ୍ ମନେ କରିଥାନ୍ତା, କିନ୍ତୁ ସତ୍ୟ କହିବାକୁ ଗଲେ, ଏ ରମଣୀର ଉପସ୍ଥିତିରେ କିମ୍ବା ଏହା ସହିତ ବିବାହର ସମ୍ଭାବନା ଚିନ୍ତାରେ ମାର୍କସ୍‌ର ହୃଦୟରେ ସ୍ପନ୍ଦନ ହେଲା ନାହିଁ, କି ନାଡ଼ୀରେ ଶୋଣିତର ବେଗ ବଢ଼ିଲା ନାହିଁ । ସେ ଯେ ବେରେନିସ୍‌କୁ ସମ୍ମାନ କରୁ ନ ଥିଲା, ତାହା ନୁହେଁ; ବରଂ ରୋମର ସମସ୍ତ ପାଟ୍ରିସିଆନ ରମଣୀଙ୍କ ମଧ୍ୟରେ ଏହାର ବିଶୁଦ୍ଧ ଚରିତ୍ର ଯୋଗୁଁ ଏହାକୁ ଅତ୍ୟଧିକ ସମ୍ମାନ ଓ ଆଦର କରୁଥିଲା । ଆଉ ବେରେନିସ୍ ଯେ ମାର୍କସ୍ ପ୍ରତି ଆକୃଷ୍ଟ, ଏ କଥା ସେ ସହସ୍ର ଉପାୟରେ ଜଣାଇ ଦେଉଥିଲା । ମାର୍କସ୍ ମଧ୍ୟ ଉପଢ଼ୌକନ ପ୍ରଭୃତି ପଠାଇବାରେ ବେରେନିସ୍ ପ୍ରତି ନିଜର ବନ୍ଧୁତ୍ୱ ପ୍ରଦର୍ଶନ କରିବାକୁ ଇତସ୍ତତଃ କରୁ ନ ଥିଲା । ମାର୍କସ୍ ପାଇଁ ବେରେନିସ୍ ବିଚଳିତ ହୋଇ ଉଠିଲା, ଏହି ଯୁବକ ଫ୍ରିଫେକ୍‌ଟକୁ ସେ ତାହାର ରୋମୀୟ ହୃଦୟର ସମସ୍ତ ବ୍ୟାକୁଳତା ଓ ଜର୍ମାନ ସ୍ୱଭାବର ସମସ୍ତ ବିଶ୍ୱସ୍ତତା ଦେଇ ପ୍ରେମ କରୁଥିଲା ।

ବେରେନିସ୍, ଶାନ୍ତ ସହନଶୀଳ ପ୍ରକୃତିର ରମଣୀ ନ ଥିଲା । ଜୀବନର ଉପଚୟ, ଯୌବନର ଉତ୍ତାପ ଉତ୍ତେଜନା, ତାହାର ରକ୍ତରେ ପୂର୍ଣ୍ଣମାତ୍ରାରେ ଥିଲା । ତାହାର ଜିହ୍ୱା ସମୟ ସମୟରେ କ୍ଷୁରଧାର ପରି ଶାଣିତ ହୋଇ ଉଠୁଥିଲା ।

ପାଲିଙ୍କିରେ ବସିଥିବା ସମୟରେ ସେ ତାହାର ସମସ୍ତ ଶୋଭା ସମ୍ପଦରେ ରାଣୀ ପରି ଦେଖାଯାଉଥିଲା । ତାହାର ସୌନ୍ଦର୍ଯ୍ୟବୃଦ୍ଧି ନିମିତ୍ତ କୌଣସି ଆଭରଣ ବା ଅଳଙ୍କାରର ପ୍ରୟୋଜନ ନ ଥିଲେ ସୁଦ୍ଧା, ଏ ଉଭୟରେ ସେ ରୁଚିର ସହିତ ବିଭୁଷିତ ଥିଲା, ଆଉ ଯେତେବେଳେ ହସ୍ତି ଦନ୍ତନିର୍ମିତ ସୁବର୍ଣ୍ଣଖଚିତ ଆସନରେ ଆଉଜି ପଡ଼ି ମାର୍କସ ସହିତ କଥାବାର୍ତ୍ତାରେ ନିଯୁକ୍ତ ଥିଲା, ସେତେବେଳେ ମନେ ମନେ ଭାବୁଥିଲା; ତାହାର ଏହି ଦୃଶ୍ୟ ପରି ରୋମର ଅନ୍ୟ କୌଣସି ଦୃଶ୍ୟ ମାର୍କସକୁ ଏଡ଼େ ସୁନ୍ଦର ଦିଶିବ ନାହିଁ । ଏଯାବତ୍ ପାର୍ଶ୍ୱବର୍ତ୍ତୀ ସେନାପତିଙ୍କର ପ୍ରତ୍ୟାଖ୍ୟାତ ପ୍ରଣୟର ଆତ୍ମକାହାଣୀ ତାହାର ଉଦାସ ପ୍ରାଣରେ କେବଳ କ୍ଲାନ୍ତି ଜନ୍ମାଉଥିଲା, କିନ୍ତୁ ମାର୍କସକୁ ଦେଖିବା ମାତ୍ରକେ ତାହାର ଚକ୍ଷୁ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ମାର୍କସ ଯେତେବେଳେ ତାହାର ଅଙ୍ଗୁଳିରେ ଅଧର ସ୍ପର୍ଶ କାଲ, ତାହାର ଶରୀର କଣ୍ଟକିତ ଓ ଗଣ୍ଡସ୍ଥଳ ପାଟଳ ହୋଇ ଉଠିଲା ଏବଂ ତଦୁତ୍ତରରେ ସେ ଯେ କଟାକ୍ଷ ନିକ୍ଷେପ କଲା, ତାହା ଅନ୍ୟ ଯେକୌଣସି ଲୋକର ହୃଦୟର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ବିଦ୍ଧ ହୋଇଥାନ୍ତା ।

ମାର୍କସ୍ ହାତ ଉଠାଇ ପାର୍ଶ୍ୱବର୍ତ୍ତୀ ସେନାପତିଙ୍କୁ ନମସ୍କାର କରି ପଚାରିଲା, ‘‘କେମିତି ଅଛ, ମେଟୁଲସ୍ ?”

ମେଟୁଲସ୍, ପ୍ରତିନମସ୍କାର ଦେଇ କହିଲା, “ବଞ୍ଚି ରହିଛି ।”

ବେରନିସ୍ ପଚାରିଲା, “ଆଜି କାଲିକାର ଖବର କଣ ?

ମାର୍କସ୍ ରହସ୍ୟ କରି କହିଲା, ‘‘ବେରେନିସ୍ ତ ବେରେନିସ୍ ଅଛି ।”

‘‘ଏ କଣ ଖୁବ ବଡ଼ ସୁଖ୍ୟାତି ହେଲା ?”

‘‘ଯଦି ମୁଁ କହେଁ, ସୂର୍ଯ୍ୟ ଏ ପର୍ଯ୍ୟନ୍ତ ସୂର୍ଯ୍ୟ ଅଛି, ସେଥିରେ ସୂର୍ଯ୍ୟର ସୁଖ୍ୟାତି କମିଗଲା, ନା ବଢ଼ିଲା ? ଯଦି ମୁଁ କହେଁ, ଗୋଲାପ ଠିକ୍ ଗୋଲାପି ଅଛି, ତାର ପରିବର୍ତ୍ତନ ହୋଇ ନାହିଁ, ସେଥିରେ କଣ ତାର ଅଖ୍ୟାତି ହେଲା ? ଜଗତରେ ବେରେନିସ୍‍ର ପଟାନ୍ତର ନଦେଖି ଯଦି ମୁଁ ବେରେନିସ୍‍କୁ ବେରେନିସ୍ ସହିତ ତୁଳନା କଲି, ସେଥିରେ କଣ ବେରେନିସ୍‌ର ଅଖ୍ୟାତି ହେଲା ? ଏ ଜଗତରେ ବେରେନିସ୍‍ ଅନନ୍ୟସଦୃଶ—କଣ କହୁଛ, ମେଟୁଲସ୍ ?”

ମାର୍କସ୍‌ର କୌତୁକମୟୀ ରସନା ନୀରସ ପ୍ରାଣ ମେଟୁଲସ୍‍କୁ ବଡ଼ ବରକ୍ତିକର ବୋଧ ହେଉଥିଲା । ସେ କହିଲା, “ମାର୍କସ, ମୁଁ ଖଡ୍‌ଗବ୍ୟବସାୟୀ କଠିନପ୍ରାଣ ସୈନିକ, ବାକ୍‌ଚାତୁରୀ ମୋର ପେଶା ନୁହେଁ । ମୁଁ ଆଜ୍ଞା ଦେଇ ପାରେ ଓ ଆଜ୍ଞା ପାଳନ କରି ପାରେଁ । ମୁଁ ସ୍ତ୍ରୀଲୋକ ସକାଶେ ତରବାରୀ ସାହାଯ୍ୟରେ ଯୁଦ୍ଧ କରି ପାରେଁ, କିନ୍ତୁ ବାଗଯୁଦ୍ଧରେ ମୁଁ ଅପଟ ।”

ମାର୍କସ୍ କହିଲା, “ସେ ନାରୀହୃଦୟରେ ପ୍ରବେଶ କରିବା ପାଇଁ ଅସିଧାରରେ ପଥ ପରିଷ୍କାର କରେ, ସେ ତାହାର ହୃଦୟ ଅଧିକାର କଲାବେଳକୁ ଦେଖିବ ଯେ, ପ୍ରେମକୁ ମଧ୍ୟ ତହିଁ ସଙ୍ଗେ ପରିଷ୍କାର କରି ଦେଇଅଛି ।”

“ଯାହାହେଉ, ସେ ତ ଆଉ କାହାପାଇଁ ସେଠି ପ୍ରେମ ରଖିଯିବ ନାହିଁ ।’’

“କୃତ୍ରିମ ଭୟରେ ସଙ୍କୁଚିତ ହୋଇ ବେରେନିସ୍ କହିଲା; ‘‘ମେଟୁଲସ୍‌ କି ଭୟାନକ ଲୋକ ତୁମେ !’’ ତାପରେ ମାର୍କସ୍‌ ଆଡ଼କୁ କହିଲା, ‘‘ମାର୍କସ୍‌, ଅନୁଗ୍ରହ ହେବ ?’’

‘‘କେମିତି ବେରେନିସ୍‌ ?’’

‘‘ମୋ ସହିତ ଘରକୁ ଯିବାଦ୍ୱାରା ।

ମାର୍କସ୍‌ କହିଲା, ‘‘ନାଁ, ସଙ୍ଗୀ ଯେ ତୁମ ପାଖରେ ।’’ ତତ୍‌ପରେ ଯେଉଁ ବାଟରେ ମର୍ସିୟା ଚାଲି ଯାଇଥିଲା ଆବେଗଭରେ ସେ ଆଡ଼କୁ ଅନାଇଲା ।

“ତେବେ ଆଜି ଆମ ଘରକୁ ଆସିବ ?” “ଆଜି ? ଆଜି ମୁଁ ରାଜକାର୍ଯ୍ୟରେ ବ୍ୟସ୍ତ । ମୋତେ ତେଣୁକରି ଏ ଆନନ୍ଦରୁ ବଞ୍ଚିତ ହେବାକୁ ହେବ ।’’ କ୍ଷଣକ ନିମିତ୍ତ ବେରେନିସ୍‌ ଅଧରେ ଦନ୍ତ ଚାପି ରହିଲା, ତା ପରେ କହିଲା, “ତେବେ କାଲି ?”

“କାଲି କେତେକ ବନ୍ଧୁଙ୍କ ସକାଶେ ମୋ ଘରେ ଭୋଜି ।”

‘‘କିନ୍ତୁ ତୁମେ ମୋତେ ଡାକି ନାହିଁ ?”

‘‘ଏ ଭୋଜି କେବଳ ପୁରୁଷମାନଙ୍କ ପାଇଁ ।'’

‘‘କୌଣସି ସ୍ତ୍ରୀଲୋକ ଆସିବେ ନାହିଁ ?’’

‘‘କେବଳ ନର୍ତ୍ତକୀ ଓ ଗାୟିକା କେତେ ଜଣ, କୌଣସି ଭଦ୍ରମହିଳା ଆସିବେ ନାହିଁ ।

ଡାସିୟାର ଆତିଥ୍ୟରେ ପୂର୍ଣ୍ଣଭାବରେ ସତ୍‌କୃତ ହୋଇ ଗ୍ଳାବ୍ରିଓ ଏତିକିବେଳକୁ ସେ ବାଟ ଦେଇ ଟଳି ଟଳି ଫେରୁଥିଲା । ସାଙ୍ଗରେ ଫିଲୋଡ଼ିମସ୍‌ । ବେରେନିସ୍‌ ଓ ମାର୍କସ୍‍କୁ ଦେଖି ଗ୍ଳାବ୍ରିଓ କହି ଉଠିଲା, ‘‘ଯାହାହେଉ ମାର୍କସ ସରଳ, କିନ୍ତୁ କୌଣସି ଦୋଷ ଲୁଚାଏ ନାହିଁ ।’’ ମାର୍କସ୍ ପଚାରିଲା, ‘‘ପ୍ରେମ କରିବା କଣ ଗୋଟାଏ ଦୋଷ ?’’ ବେରେନିସ ରୋଷଭରେ କହିଲା, “ପ୍ରେମ-? ଏଥିରେ ପ୍ରେମର କିଛି କଥା ଅଛି କି ?”

 

ମାର୍କସ୍ ଲଘୁଭାବରେ ଉତ୍ତର କଲା, ‘‘ପ୍ରେମ ବୋଲି ଧରି ନିଆ ହୋଇଛି ।’’

 

ବେରେନିସ୍ କୋମଳକଣ୍ଠରେ ଜିଜ୍ଞାସା କଲା, ‘‘ମାର୍କସ୍; ତୁମର କଣ ହୃଦୟ ନାହିଁ ? ତୁମେ ଏପରି ଲଘୁଭାବରେ ଏ ସବୁ କଥା କହୁଛ !”

 

ସୁରାସକ୍ତ ଗ୍ଳାବ୍ରିଓ ଢଳି ଢଳି କହିଲା, “ହୃଦୟ ? ମୁଁ ଏ ପର୍ଯ୍ୟନ୍ତ ମନେ କରିଥିଲି, ମାର୍କସ୍‍ର ହୃଦୟ ନାହିଁ ବୋଲି, କିନ୍ତୁ ଆଜି ସୁନ୍ଦରୀର ସୁନ୍ଦର ମୁହଁ ତାହା ମିଥ୍ୟା ବୋଲି ପ୍ରମାଣ କରି–’’

 

ବେରେନିସ୍ ବିସ୍ମୟାନ୍ୱିତ ହୋଇ କହିଲା, ମୁଁ କିଛି ବୁଝି ପାରୁ ନାହିଁ ।’’

 

ନିଶାରେ ବିଭୋର ଗ୍ଳାବ୍ରିଓ ଭଙ୍ଗା ଭଙ୍ଗା ସ୍ୱରରେ କହିଲା, “ଜାଣନା - ସେ ସୁନ୍ଦରୀ ଖ୍ରୀଷ୍ଟିୟାନ–ସେ କଜ୍ଜ୍ୱଳନେତ୍ରୀ ମାର୍କସ୍ ଯାହାକୁ ଉଦ୍ଧାର କଲା ?”

 

ବେରେନିସ୍, ବ୍ୟସ୍ତ ହୋଇ ପଚାରିଲା, ‘‘ଖ୍ରୀଷ୍ଟିୟାନ ? ସୁନ୍ଦରୀ ? ୟାମାନେ କଣ, ମାର୍କସ ?”

 

“ୟାମାନେ ଗ୍ଳାବ୍ରିଓର ମସ୍ତିଷ୍କର ବିକୃତି, ସୁରାଦେବୀ ପୂଜାର ପ୍ରସାଦ ।’’

 

ଗ୍ଳାବ୍ରିଓ କହିଲା, “କଣ କହିଲ ? ବିକୃତି ? ତାହା ନୁହେଁ,’’ ତତ୍‌ପରେ କାଶି କାଶି ଡାକିଲା, ଫିଲୋଡ଼ିମସ୍‌, କୁଆଡ଼େ ଗଲ ? ଏଆଡ଼କୁ ଆସ । ଫିଲୋଡ଼ିମସ୍‌ କହିଲା, ‘‘ଚାଲି ନ ପାରିବ ତ ଘରୁ ଉଠି ଆସିଲ କାହିଁକି ?’’

 

ଗ୍ଳାବ୍ରିଓ ଉତ୍ତର କଲ, ‘‘ଟିକିଏ ପବନ ଖାଇବାକୁ, ଆଉ କାହିଁକି ? ଆଚ୍ଛା ଆଜି ସୁନ୍ଦର ମୁହଁ ପରାସ୍ତ କରିଛି କି ନାହିଁ ?’’

 

‘‘ନିଶ୍ଚୟ ।”

 

ବେରେନିସ୍‍ର ନୟନରେ ଈର୍ଷାର ବହ୍ନି ଜଳୁଥିଲା, ସେ ପଚାରିଲା, ‘‘ଏ ସୁନ୍ଦରୀ, ଏ ଖ୍ରୀଷ୍ଟିୟାନ କିଏ, ଫିଲୋଡ଼ିମସ୍ ?”

 

ଗ୍ଳାବ୍ରିଓ କଣ ଉତ୍ତର ଦେବାକୁ ଯାଉଥିଲା, ସେଥିରେ ମାର୍କସ ବାଧା ଦେଇ କହିଲା,

 

‘‘ଯଥେଷ୍ଟ ହେଲାଣି ଗ୍ଳାବିଓ ! ଏ ପରିହାସ ବଡ଼ ବେଶି ହୋଇ ପଡ଼ିଲାଣି । ତୁମେ ସୁରା ଉପରେ ପ୍ରଭୃତ୍ୱ କରିବା ଦୂରେ ଥାଉ, ସୁରା ତୁମ ଉପରେ ପ୍ରଭୁତ୍ୱ କଲାଣି । ଯାଅ ବିଶ୍ରାମ କରିବ । ଫିଲୋଡ଼ିମସ୍, ଗ୍ଳାବ୍ରିଓଙ୍କ ହାତ ଧରି ଘେନିଯାଅ ।

 

ମାର୍କସ୍‍ର ଭାବ ଗତି ଦେଖି ଫିଲୋଡ଼ିମସ୍ କହିଲା, “ଆସ, ଗ୍ଲାବ୍ରିଓ ।’’

 

‘‘କି ସୁନ୍ଦର-ଆଖି, କି ସୁନ୍ଦର - ଖ୍ରୀଷ୍ଟ୍ରିୟାନ ବାଳିକା’’ ଗ୍ଲାବ୍ରିଓ ବକିବାକୁ ଲାଗିଲା ।

 

ଫିଲୋଡ଼ିମସ୍–‘‘ସେ କଥା ତୁମ ଆମ ମଧ୍ୟରେ ନା ?’’ ‘‘ତୁମ ଆମ ମଧ୍ୟରେ କାହିଁକି ? ମୁଁ ବେରେନିସ୍‍କୁ ଏହି ସୁନ୍ଦରୀ ଖ୍ରୀଷ୍ଟିୟାନର କଥା-’’ କିନ୍ତୁ ମାର୍କସ୍‍ର ଦୃଷ୍ଟି ଏହି ସମୟରେ ଏପରି ତୀକ୍ଷ୍‍ଣ ଓ କୁଟିଳ ହୋଇ ଉଠିଲା ଯେ, ତାହା ଦେଖି ଫିଲୋଡ଼ିମସ୍ ଶୀଘ୍ର ଗ୍ଲାବ୍ରିଓକୁ ଟାଣି ନେଇ ଚାଲିଗଲା । କିନ୍ତୁ ମାର୍କସ୍‍ର ଭାବ ଗତିରେ ଏ ସବୁ ପରିବର୍ତ୍ତନ ବେରେନିସ୍‍ର ଦୃଷ୍ଟି ଏଡ଼ାଇ ପାରି ନ ଥିଲା । ମାର୍କସ୍ ଏ ପ୍ରକାର ଅଧୈର୍ଯ୍ୟ ହେବାର ଓ କ୍ରୋଧ ପ୍ରକାଶ କରିବାର ସେ କେବେ ଦେଖି ନଥିଲା । ତେବେ ଏ ଖ୍ରୀଷ୍ଟିୟାନ ଯୁବତୀ କିଏ ? ଏବଂ ମାର୍କସ ସହିତ ଏହାର ସମ୍ବନ୍ଧ କଣ ? ସେ ମାର୍କସ୍‍ ଆଡ଼କୁ ଅନାଇ ପଚାରିଲା,

 

‘‘ଗ୍ଲାବ୍ରିଓ ସ୍ପଷ୍ଟ ଭାବରେ କହିଦେବ ବୋଲି କଣ ଭୟ ହେଲା ?”

 

‘‘ସ୍ପଷ୍ଟ କଥାକୁ ଭୟ ନୁହେଁ, ମାତ୍ର ତା ତହୁଁ ବେଶି କଥାକୁ ।”

 

ଆଉ ଏ ଯୁବତୀ ଖ୍ରୀଷ୍ଟିୟାନ ?”

 

‘‘ସେ ଖ୍ରୀଷ୍ଟିୟାନ ବୋଲି ପ୍ରମାଣ ନାହିଁ । ଜଣେ ବୃଦ୍ଧ ଓ ସେ ଯୁବତୀ ଦୁବୃର୍ତ୍ତଙ୍କଦ୍ୱାରା ବାଟରେ ଆକ୍ରାନ୍ତ ହୋଇଥିଲେ । ମୋର ସୈନ୍ୟମାନେ ସେମାନଙ୍କୁ ଉଦ୍ଧାର କଲେ । ଘଟଣାର ଆଦ୍ୟ ପ୍ରାନ୍ତ ଏହି । ଗ୍ଲାବ୍ରିଓ ଯେଉଁ ଅବସ୍ଥାରେ ଥିଲା, ହୁଏତ ସେଥିରେ ଦେଖିଲା ବେଶି, ଶୁଣିଲା କମ୍ ।

 

‘‘ନିଶା ଜୋରରେ ମନୁଷ୍ୟ ସତ୍ୟ କଥାହିଁ କହେ, ମାର୍କସ୍‍ ।

 

‘‘ଆଉ ଗୋଟାଏ ପ୍ରବାଦ କହେ–ସୁରା ଭିତରକୁ ଗଲେ ବୁଦ୍ଧିବୃତ୍ତି ବାହାରକୁ ଯାନ୍ତି ।”

 

ଅବଶ୍ୟ ଗ୍ଲାବ୍ରିଓର ପ୍ରଳାପରେ ବିଶ୍ୱାସ କରିବା ଲୋକ ବେରେନିସ୍ ନୁହେଁ, କିନ୍ତୁ ତାହା ସହିତ ମାର୍କସ୍‍ର ପରିବର୍ତ୍ତିତ ଭାବ ବେରେନିସ୍‍କୁ ଚିନ୍ତାନ୍ୱିତ କଲା । ମାର୍କସ ବାସ୍ତବିକ ଅସ୍ଥିର, ଅଧୈର୍ଯ୍ୟ ଓ ଅସହିଷ୍ଣୁ ହୋଇଥିଲା, ଆଉ ସେପରି ହେବାର କାରଣ ମଧ୍ୟ ଯଥେଷ୍ଟ ଥିଲା । କୌଣସି ଲୋକ ଖ୍ରୀଷ୍ଟିୟାନ, ଏ କଥା ଘୃଣାକ୍ଷରରେ ସୁଦ୍ଧା ଜଣା ପଡ଼ିଲେ ତାହାର ଜୀବନକୁ ଏପ୍ରକାର ବିପଦସଙ୍କୁଳ କରୁଥିଲାଯେ ତାହା ଭାବି ମାର୍କସ ମର୍ସିୟା ସକାଶେ ଉଦ୍‌ବିଗ୍ନ ହୋଇଥିଲା । ସେ ଜାଣିଥିଲା, ତାହାର କାର୍ଯ୍ୟ ଏପ୍ରକାର, ଲୋକଙ୍କୁ ଦଣ୍ଡ ନିମନ୍ତେ ବିଚରାଧୀନ କରିବାକୁ ବାଧ୍ୟ କରାଇବ, କିନ୍ତୁ ଏ କଥା ସେ ମର୍ସିୟା ସମ୍ବନ୍ଧରେ ଭାବିବାକୁ ମଧ୍ୟ ଭୟରେ ଅସ୍ଥିର ହେଉଥିଲା । ପୁଣି ପରେ ଭାବିଲା, ଭୟ କରିବାର ଦରକାର କଣ ? ଯେ କୌଣସି ଉପାୟରେ ସେ ମର୍ସିୟାକୁ ରକ୍ଷା କରିବ ଏବଂ ନୀରୋ ତାହାର ଏ ବାସନାରେ କେତେବେଳେ ହସ୍ତକ୍ଷେପ କରିବ ନାହିଁ । ଆହୁରି ମଧ୍ୟ ମନେ କଲା, ତାହାର ଇଙ୍ଗିତ ମାତ୍ରକେ ମର୍ସିୟ। ତାହାର ପଶ୍ଚାଦ୍‍ବର୍ତ୍ତୀ ହେବ । ହଁ ପଥ ତ ସମ୍ମୁଖରେ ପରିଷ୍କାର । ସେ ମର୍ସିୟାର ତତ୍ତ୍ୱ ନେବ, ନିଜର ପ୍ରଣୟ ଓ ସମ୍ପଦର ଛାୟାରେ ତାଙ୍କୁ ଆଶ୍ରୟ ଦେବ । ବିପଦରୁ ରକ୍ଷା ପାଇବା ପାଇଁ ମର୍ସିୟା ନିଶ୍ଚୟ ତାହାର ଆଦର ଅଭ୍ୟର୍ଥନ। ଆଗ୍ରହରେ ଗ୍ରହଣ କରିବ । ଏ କ୍ଷେତ୍ରରେ ପ୍ରତିରୋଧ ହେବ ସତ, ପ୍ରତିରୋଧ ଟିକିଏ ବେଶିକ୍ଷଣ ସ୍ଥାୟୀ ହେବ ସତ, କିନ୍ତୁ ମର୍ସିୟା ପରି ଅବଲମ୍ବନହୀନା ଯୁବତୀ ନିଶ୍ଚୟ ରାଜି ହେବ; ଚିନ୍ତା ନାହିଁ, ଜୟ ଅବଶ୍ୟମ୍ଭାବୀ । ନା, ରାଜ୍ୟର ଆଇନ ତାକୁ ସ୍ପର୍ଶ କରି ପାରିବ ନାହିଁ, ଶତବାହୁ ବିସ୍ତାର କରି ସେ ତାକୁ ଆବୃତ କରି ରଖିବ । ଇତ୍ୟାଦି ଚିନ୍ତାରେ ମାର୍କସ୍ ଅନ୍ୟମନସ୍କ ।

 

ବେରେନିସ୍ ଧୀରଭାବରେ କହିଲା, “ମାର୍କସ୍, ବଡ଼ ନୀରବ ଯେ । ଭାବୁଛ କଣ ?’’

 

ଉତ୍ତର ଉଭାବନ କରିବା କଷ୍ଟରୁ ମାର୍କସ୍ ରକ୍ଷା ପାଇଲା । ଏହି ସମୟରେ ଦଳେ ସୈନ୍ୟ ନେଇ ଟିଗେଲିନସ୍ ସେହି ବାଟଦେଇ ଯାଉଥିଲା । ମାର୍କସ୍‍କୁ ବେରେନିସ୍‍ର ଏତେ ନିକଟରେ ଛିଡ଼ା ହୋଇ କଥା କହିବାର ଦେଖି ଈର୍ଷାରେ ଟଗେଲିନସ୍‍ର ପ୍ରାଣ ଜଳିଗଲା, କିନ୍ତୁ ସେ ମାର୍କସ୍‍କୁ ଭଦ୍ରଜନୋଚିତ ଅଭିବାଦନ କରି କହିଲା, “ଭଲ ତ ?” ମାର୍କସ୍ ପ୍ରତିନମସ୍କାର କଲା ।

 

ତତ୍‍ପରେ ଟିଗେଲିନସ୍ ବେରେନିସ୍ ନିକଟରୁ ଆସି କହିଲା, ସୁନ୍ଦରୀ, ସବୁ କୁଶଳ ? ନମସ୍କାର ମେଟୁଲସ୍ । ପ୍ରିଫେକ୍‍ଟ, ମୁଁ ତୁମରି ପାଖକୁ ଯାଉଥିଲି । ସମ୍ରାଟ ତୁମକୁ ନମସ୍କାର ଦେଇଅଛନ୍ତି ଏବଂ ଏହା ପଠାଇ ଅଛନ୍ତି, ଏହା କହି ଖଣ୍ଡେ ପତ୍ର ମାର୍କସ୍‍କୁ ବଢ଼ାଇଦେଲା ।

 

ମାର୍କସ୍ ସଗର୍ବରେ କହିଲା, “ଏହା କଣ ଖୁବ୍‍ ଜରୁରି ?’’ ‘‘ଖୁବ୍‍ ଜରୁରି ।”

 

ମାର୍କସ ହାତରେ ପତ୍ର ନେଇ ବେରେନିସ୍‍କୁ ଅନାଇ କହିଲା, “ମୋତେ ଟିକିଏ କ୍ଷମା କରିବାକୁ ହେବ ।’’ ତତ୍ପରେ ପତ୍ର ଫିଟାଇ ପଢ଼ିବାକୁ ଲଗିଲା ।

 

ପତ୍ରରେ ଥିଲା–“ପ୍ରିୟ ମାର୍କସ୍, ତୁଷ୍ଟ ଖ୍ରୀଷ୍ଟିୟାନମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଅଛି । ସେମାନେ ମୋହ ରାଜ୍ୟର ବିନାଶ ସାଧନ ନିମିତ୍ତ ଷଡ଼ଯନ୍ତ୍ର କରୁଅଛନ୍ତି । ସେମାନେ ମୋ ନିକଟରେ ପ୍ରଣିପାତ କରିବେ ନାହଁ, କି ମୋତେ ସିଜର୍‍ ବୋଲି ସ୍ୱୀକାର କରିବେ ନାହଁ, କି ରାଜସ୍ୱ ଦେବେ ନାହିଁ । ପୁରୁଷ, କି ସ୍ତ୍ରୀ, କି ଶିଶୁ ସନ୍ତାନ, କାହାରି ପ୍ରତି ମମତା କରିବ ନାହିଁ, ସମସ୍ତଙ୍କର ବିନାଶ ସାଧନ କରିବ । ଯେଉଁମାନେ ବେଶି ବିପଜ୍ଜନକ, ସେମାନଙ୍କୁ ଖଡ଼୍‍ଗଧାରରେ ବଧ କରିବ, ଅନ୍ୟମାନଙ୍କୁ ମୁଁ ରଙ୍ଗଭୂମିରେ ହିଂସ୍ରଜନ୍ତୁଙ୍କୁ ଭକ୍ଷ୍ୟ କରିବି । କାହାରି ପ୍ରତି ଦୟା ପ୍ରଦର୍ଶନ କରିବନାହିଁ ! ଏ ବିଷୟରେ ତୁମ ପ୍ରାଣର ଦ୍ୱାହି ଦେଇ ମୁଁ କହୁଅଛି ଯେ, ତୁମେ ବିଶ୍ୱସ୍ତତା ସହିତ କାର୍ଯ୍ୟ କରିବ ।”

 

ମାର୍କସ ପଢ଼ିସାରି ଶୂନ୍ୟ ଦୃଷ୍ଟିରେ ଆକାଶ ଆଡ଼କୁ ଚାହିଁ ରହିଲା । ବେରେନିସ୍ ଟିଗେଲିନସ୍‍କୁ କହିଲା, “ତୁମେ ଅଣିଥିବା ଖବର ମାର୍କସକୁ ଅତ୍ୟଧିକ ବ୍ୟସ୍ତ କରି ପକାଇଅଛି ।’’

 

ମାର୍କସ୍ ଆଡ଼କୁ ଅନାଇ ସନ୍ଦେହର କଟାକ୍ଷପାତ କରି ଟିଗେଲିନସ୍ କହିଲା ମୁଁ ବୋଧ କରେ, ତାହା ନୁହେଁ । ଖ୍ରୀଷ୍ଟିୟାନଙ୍କୁ ନିପାତ କରିବା ପାଇଁ ଏ ଆଦେଶ ନୀରୋ ନିକଟରୁ ଦ୍ୱିତୀୟ ଥର ଆସିଅଛି, ଆଉ ଏହି କାର୍ଯ୍ୟର ଭାର ମାର୍କସ ଉପରେ ପଡ଼ିଅଛି ।”

 

‘‘ଯେକୌଣସି ଉପାୟରେ ଖ୍ରୀଷ୍ଟିୟାନମାନଙ୍କୁ ସମୂଳେ ନିପାତ କରିବାକୁ ହେବ ।”

 

“ହଁ, ବେରେନିସ୍ ! ଏହି ଦଳର ବିଶ୍ୱାସଘାତକ ଲୋକେ ସମ୍ରାଟଙ୍କୁ କହିଅଛନ୍ତି ଯେ, ଏମାନେ ତାଙ୍କ ଜୀବନ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଅଛନ୍ତି । ତାଙ୍କର ଏ ଆଦେଶରେ ବାହାରିଅଛି, ଯେକୌଣସି ଲୋକ ଏମାନଙ୍କ ସହିତ ଉପାସନା କରିବ ଅବା ଏମାନଙ୍କୁ ସାହାଯ୍ୟ କରିବ, ତାକୁ ମଧ୍ୟ ନାନା ଯନ୍ତ୍ରଣା ଦେଇ, ମାରିବାକୁ ହେବ ।”

 

‘‘ଯନ୍ତ୍ରଣା ଦେଇ ମାରିବାକୁ ହେବ ? ଏହା କହି ବେରେନିସ୍‍ ମାର୍କସ୍‍ ଆଡ଼କୁ ଅନାଇଲା-। ମାର୍କସ ଟିଗେଲିନସ୍‍ ଆଡ଼କୁ ଅନାଇ କହିଲା, “ଟିଗେଲିନସ୍‍, ସମ୍ରାଟଙ୍କ ଆଜ୍ଞାପତ୍ର ମୁଁ ଚୁମ୍ୱନ କରୁଛି ।”

 

ଆଉ ତାହା ପାଳିବ ତ ?

 

ମାର୍କସ ବିଦ୍ରୂପ କରି ପଚାରିଲା, “କାହିଁକି ? ସେଥିରେ କଣ ସନ୍ଦେହ ଅଛି କି ?

 

ଟିଗେଲିନସ୍ ଫେରିପଡ଼ି ବେରେନିସ୍‍କୁ କହିଲା, “କଣ ଘରକୁ ଯାଉଛ ? ମୁଁ ସଙ୍ଗରେ ଯାଏଁ ?”

 

ସେ କହିଲା, “ସ୍ଵଚ୍ଛନ୍ଦରେ । ନମସ୍କାର ମାର୍କସ୍ । ସମ୍ରାଟ ବଡ଼ ବୁଦ୍ଧି ମାନର କାର୍ଯ୍ୟ କରିଅଛନ୍ତି । ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତ ଖ୍ରୀଷ୍ଟିୟାନଙ୍କୁ ଯନ୍ତ୍ରଣା ଦେଇ ମାରିବା ଉଚିତ । ବଡ଼ ଉପଯୁକ୍ତ ଆଦେଶ, ବଡ଼ ସମୟୋପଯୋଗୀ । ନମସ୍କାର ମାର୍କସ୍ ।ଏହା କହି ଅନାଇ ଅନାଇ ବେରେନିସ୍‍ ଟିଗେଲିନସ୍ ପ୍ରଭୃତିଙ୍କ ସମଭିବ୍ୟାହାରରେ ଚାଲିଗଲା । ମାର୍କସ ବେରେନିସ୍‍ର ଏ ଦୃଷ୍ଟିର ଅର୍ଥ ବୁଝିଲା ।

 

ସେମାନେ ଚାଲିଗଲାରୁ ମାର୍କସ୍ ପୁନର୍ବାର ପତ୍ର ଫିଟାଇ ପଢ଼ିବାକୁ ଲାଗିଲା । କି ପୁରୁଷ, କି ସ୍ତ୍ରୀ, କି ଶିଶୁ ସନ୍ତାନ, କାହା ପ୍ରତି ମମତା କରିବ ନାହିଁ...ତୁମ ପ୍ରାଣର ଦ୍ୱାହି । ଏ ପ୍ରକାର ରାଜାଙ୍କପ୍ରତି ବିଶ୍ୱସ୍ତତା ! ଆଉ ଏହି ସୁନ୍ଦରୀ, କୋମଳ ଅନାଘ୍ରାତ ପୁଷ୍ପ, ଏ କଣ ଖ୍ରୀଷ୍ଟିୟାନ ?

 

ମାର୍କସ ଧୀର ପଦବିକ୍ଷେପରେ ମାର୍ଗ ପରିକ୍ରମଣ କରିବାକୁ ଲଗିଲା । ସମ୍ମୁଖରେ ଭିଟୁରିୟସ ଆସି କହିଲା, “ମଣିମା, ସେହି ଯୁବତୀ–’’

 

ମାର୍କସ ବ୍ୟସ୍ତ ଭାବରେ ପଚାରିଲା, ‘‘ମର୍ସିୟ। ?”

 

‘‘ହଁ ମଣିମା ଯେପରି ମୋତେ ଆଦେଶ ଦେଇଥିଲେ, ମୁଁ ସେହିପରି ତାଙ୍କ ଘର ଜଗିଥିଲି । ଘରର ଦ୍ୱାର ଅତି ସତର୍କତା ସହିତ ଫିଟିଲା ଗୋଟିଏ ବାଳକ ବାହାରି ଆସିଲା, ଆଉ ସତର୍କତା ସହିତ ତତୁର୍ଦ୍ଦିଗ ନୀରିକ୍ଷଣ କଲା । ମୋତେ ଦେଖି ନ ପାରି ସେ ସଙ୍କେତ କଲା, ଆଉ ମର୍ସିୟା ଦେହରେ ଚାଦର ଦେଇ ତାହା ସହିତ ବାହାରି ଆସିଲା । ଏହି ଦେଖ, ସେମାନେ ଏଆଡ଼େ ଆସୁଛନ୍ତି ।

 

ମାର୍କସ ରାସ୍ତାର ଅନ୍ୟ ଦିଗରୁ ମର୍ସିୟାକୁ ଗୋଟିଏ ବାର ବର୍ଷର ବାଳକ ସହିତ ଆସୁଥିବାର ଦେଖିଲା । ବାଳକ ବେକରୁ ଆଣ୍ଠୁ ପର୍ଯ୍ୟନ୍ତ ଗୋଟିଏ ଘାଘରା ପିନ୍ଧି ଥିଲା । କଟିଦେଶରେ ଚର୍ମ ପଟୁକା ବନ୍ଧା; ମୁହଁଟି ବଡ଼ ସୁନ୍ଦର । ତାହାର କନକକାନ୍ତି ଲମ୍ବକେଶ ପ୍ରଶସ୍ତ କପାଳ ଉପରେ ଗୁଚ୍ଛ ଗୁଚ୍ଛ ହୋଇ ପଡ଼ିଅଛି । ଆଖି ଦିଓଟି ସରଳ ଓ ସ୍ନେହସିକ୍ତ । ମୁହଁ ଉପରେ ଅଧର ରେଖାଟି ଧନୁ ଆକାରରେ ଟଣା । ଚିବୁକଟି କିଏ ଯେପରି ଟାଣି କରି ଟିକିଏ ଲମ୍ବ କରି ଦେଇଅଛି । ସେ ମର୍ସସିୟାର ହାତ ଧରି ତାହା ସହିତ ମହାଆନନ୍ଦରେ କଥା କହି କହି ଚାଲୁଥିଲା । ସେମାନେ ଯେତେବେଳେ ନିକଟବର୍ତ୍ତୀ ହୋଇ ଆସିଲେ, ମାର୍କସ୍ ଓ ଭିଟୁରିୟସ ଆସ୍ତେ ଆସ୍ତେ ନୀରୋର ମୂର୍ତ୍ତି ପଛରେ ଲୁଚିଗଲେ ।

 

ସୂର୍ଯ୍ୟ ବୁଡ଼ିଯାଉଥିଲା, ତାହାରି ଗୋଲାପୀ ଆଭାରେ ବାଟଘାଟ ଘର ଦୁଆର ସବୁ ହାସ୍ୟୋଜ୍ଜଳ ହୋଇ ଉଠିଥିଲା । ମର୍ସିୟା ଶୁଭ୍ର ପରିଚ୍ଛଦ ପରିହିତ, ଈଷତ୍ ବେଗୁନିଆ ରଙ୍ଗର ଚାଦରରେ ମୁହଁଟି ଛାଡ଼ି ଦେଇ ଦେହର ଉପର ଅର୍ଦ୍ଧ ସମସ୍ତ ଘୋଡ଼ାଇ ହୋଇଅଛି । ସେମାନେ ମୂର୍ତ୍ତି ନିକଟରେ ପହଞ୍ଚିଲାରୁ ମର୍ସିୟା ଛିଡ଼ା ହେଲା ଏବଂ ଯେଉଁ ସ୍ଥାନରେ ଅଳ୍ପ ସମୟ ପୂର୍ବରେ ମାର୍କସ ସହିତ ତାହାର ସାକ୍ଷାତ୍ ହୋଇଥିଲା ସେହି ଆଡ଼କୁ ଅନାଇ ଧୀରେ ଦୀର୍ଘନିଶ୍ୱାସ ନିକ୍ଷେପ କଲା । ତା’ ପରେ ବାଳକକୁ କହିଲା “ଷ୍ଟାଫିନସ୍‍, ଏଣିକି ଆଉ ଭୟ ନାହିଁ । ମୋ ସାଙ୍ଗରେ ଆଉ ଆସିବା ଦରକାର ନାହଁ । ଘରକୁ ଯା, ଫାଭିୟସ ଏକାକୀ ଅଛନ୍ତି ।

 

ବାଳକ ପୁରୁଷୋଚିତ ଦାବୀ ଜାହିର କରି କହିଲା, ନା, ନା, ମୁଁ ତୁମକୁ ଏକାଟିଆ ଯିବାକୁ ଦେବି ନାହିଁ, ତୁମକୁ ତୁମ ଘରେ ନ ପହଞ୍ଚାଇବା ପର୍ଯ୍ୟନ୍ତ ମୁଁ ତୁମ ସଙ୍ଗ ତ୍ୟାଗ କରିବି ନାହିଁ-। ଆଜିକାଲି ରୋମରେ ଏକା ଯା’ଆସ କରିବା ତୁମ ପକ୍ଷରେ ନିରାପଦ ନୁହେ ।”

 

ମାର୍କସ ମୂର୍ତ୍ତି ପଛଆଡ଼ୁ ବାହାରି ପଡ଼ି ସମ୍ମୁଖରେ ଛିଡ଼ା ହୋଇ ସେମାନଙ୍କ କଥାରେ ବାଧା ଦେଇ ଧୀରେ ଧୀରେ କହିଲା, “ନା, ବାଳକ, ରୋମର ବାଟ ନିରାପଦ ନୁହେଁ, ତୁମ ପାଇଁ ମଧ୍ୟ ନୁହେଁ ।”

 

ବାଳକ କହିଲା, ମୁଁ ମୋ ପାଇଁ ଚିନ୍ତା କରୁ ନାହିଁ । ତତ୍‍ପରେ ମର୍ସିୟା ଆଡ଼କୁ ହାତ ବଢ଼ାଇ କହିଲା, “କେବଳ ତାଙ୍କ ପାଇଁ ।’’

 

ମର୍ସିୟା ଉଦ୍‍ବିଗ୍ନ ହୋଇ କହିଲା “ଷ୍ଟିଫାନସ୍, ଆ ଯିବା” ତତ୍‍ପରେ ଆଗ ବଢ଼ିବାକୁ ଚେଷ୍ଟା କଲା ।

 

ମାର୍କସ୍ ଅତ୍ୟନ୍ତ ଭଦ୍ରତା ସହକାରେ କହିଲା, “ମୋତେ ତୁମ ସହିତ ଯିବାକୁ ଅନୁମତି ଦିଅ । ରୋମର ରାସ୍ତାରେ ଏ ବାଳକ ତୁମର ସାହାଯ୍ୟ ପକ୍ଷରେ ଯଥେଷ୍ଟ ହେବ ନାହିଁ ।

 

ମର୍ସିୟ। କହିଲା, “ତୁମର ଅନୁଗ୍ରହ ସକାଶେ ତୁମ ନିକଟରେ ମୁଁ ଖୁବ, କୃତଜ୍ଞ, କିନ୍ତୁ ତୁମର ସାହାଯ୍ୟ ମୋର ପ୍ରୟୋଜନ ନାହିଁ । ଏହା କହିବା ପରେ ଯେତେବେଳେ ମାର୍କସ ତାହା ଆଡ଼କୁ ଟିକିଏ ଅଗ୍ରସର ହେଲା, ସେ ଭୟରେ ସଙ୍କୁଚିତ ହୋଇଗଲା । ଏହା ଦେଖି ମାର୍କସର ମନ ଏ ଦବିଗଲା । ସେ କହିଲା, ତୁମେ କଣ ମୋତେ ଭୟ କରୁଛ ?”

 

ସେ ସରଳ ଭାବରେ କହିଲା, “ତୁମଠୁ ଦୂରରେ ରହିବା ନିମନ୍ତେ ମୋତେ କୁହା ହୋଇଛି।” “ବୃଦ୍ଧ ଫାଭିୟସ ବୋଧହୁଏ କହିଛନ୍ତି ?” “ସେ, ଆହୁରି ଅନ୍ୟାନ୍ୟ ଲୋକ ମଧ୍ୟ” ଏହା କହି ମର୍ସିୟା ଅତି ମ୍ଳାନ ଦୃଷ୍ଟିରେ ମାର୍କସ ଆଡ଼କୁ ଅନାଇଲା ।

 

ମାର୍କସ ଟିକିଏ ନୀରବ ରହି ପରମୁହୂର୍ତ୍ତରେ ହସି ହସି ପଚାରିଲା, ଓଃ, ମୋର ଖୁବ, ଅଖ୍ୟାତି ଅଛି, ନା ? ମର୍ସିୟା ଧୀର ଭାବରେ ଅଥଚ ଦୃଢ଼ତା ସହିତ କହିଲା, ହଁ । ମାର୍କସ ନମ୍ରତାର ଅଭିନୟ କରି ମୁଣ୍ଡ ଟିକିଏ ତଳକୁ ପୋତି ଦେଇ କହିଲା, ହୁଏତ ଏକଥା ମୋ ପକ୍ଷରେ ସତ୍ୟ ନୁହେଁ । ହୁଏତ ସଙ୍ଗ ଦୋଷରେ ମୁଁ କଳୁଷିତ । ମୋର ଏପରି କୌଣସି କାରଣ , କି ବ୍ୟାଘାତ ଘଟି ନାହିଁ, ଯାହାପାଇଁ ମୁଁ ମୋର ବାସନା ପରିତୃପ୍ତ କରି ନାହିଁ । ଆଜି କିନ୍ତୁ ମୋର ଚକ୍ଷୁ ଫିଟି ଯାଇଛି ।’’ ଏହାପରେ ତାହାର ଲାଳସାବିଜଡ଼ିତ ସ୍ୱରରେ ଗମ୍ଭୀର ହୋଇ ଆସିଲା ! “ଏ ସମଗ୍ର ରୋମରେ ମୁଁ ଆଜ ଗୋଟିଏ ବିଷୟ ଚାହେଁ ଏବଂ ତାହା ପାଇବାକୁ ମୁଁ ମନସ୍ଥ କରିଛି । ଏ ବିଷୟଟି କଣ, ତାହା ତୁମେ ଅନୁମାନ କରି ପାରୁଛ ?

 

‘‘ଅନୁସନ୍ଧାନ କରିବାକୁ ମୋର ଇଚ୍ଛା ନାହିଁ । ଅନୁଗ୍ରହ କରି ମୋତେ ଯିବାକୁ ଦିଅ ।”

 

ମାର୍କସ୍ ମର୍ସିୟାର ପଥରୋଧ କରି ମିନତିପୂର୍ଣ୍ଣ କଣ୍ଠରେ କହିଲା “ମୋତେ ରୁମ ସଙ୍ଗରେ ଯିବାକୁ ଦିଅ । ଏପରି ରତ୍ନ ବିନା ପ୍ରହରୀରେ ବାହାରକୁ ଆସିବା ନିରାପଦ ନୁହେଁ ।

 

ଏହି କଥା କହୁଥିବା ସମୟରେ ଟିଗେଲନସ୍ ଓ ସର୍ଭିଲିୟସ ବାଟ ମୁଣ୍ଡରେ ଦେଖାଗଲେ ଏବଂ ଶୀଘ୍ର ଅଜ୍ଞାତ ଭାବରେ ଆସି ମାର୍କସ ନିକଟରେ ପହଞ୍ଚିଲେ ।

 

ଟିଗେଲିନସ୍ ଯେତେବେଳେ ମାର୍କସର ସମ୍ମୁଖବର୍ତ୍ତୀ ହେଲା, ସର୍ଭିଲିୟସ ଚୋରଙ୍କ ପରି ନୀରୋର ମୂର୍ତ୍ତିର ପଛକୁ ଯାଇ କହିଲା, “ଏ ସେହି ବାଳିକା; ହଜୁର ।

 

ପୂରା ଗର୍ବରେ ଟିଗେଲିନସ୍‍, ପଚାରିଲା, “ପ୍ରିଫେକ୍ଟ ଏ ସ୍ତ୍ରୀଲୋକ କିଏ ?

 

ମାର୍କସ୍‍ର ଉଦ୍ଧତ ଦୃଷ୍ଟିରେ ଟିଗେଲିନସ୍‍, ତାହାର ଆସ୍ପାର୍ଦ୍ଧାର ଯୋଗ୍ୟ ଉତ୍ତର ପାଇଲା । ମାର୍କସ ଗମ୍ଭୀର ଭାବରେ କହିଲା, ଏ ଭଦ୍ରମହିଳାଙ୍କ ନାମ ମର୍ସିୟା ।

 

ଏ ଖ୍ରୀଷ୍ଟିୟାନ ବୋଲି ସେ ଲୋକ ପ୍ରମାଣ ଦେଉଛି । ଯଦି ତାହା ହୁଏ, ତାହାହେଲେ ୟାକୁ ବନ୍ଦୀ କରିବା ତୁମର ଉଚିତ । ମାର୍କସ୍‍ର ହାତ ଶୀଘ୍ର କୋଷସ୍ଥିତ ଖଡ଼୍‍ଗ ଉପରେ ପଡ଼ିଲା, ଅସି ଝନ୍‍ ଝନ୍‍ ହୋଇ ଉଠିଲା, ଗୁପ୍ତଚର ସ୍ତମ୍ଭିତ ହେଲା ଏବଂ ଟିଗେଲିନସ୍‍ର ମୁହଁ ଶୁଖିଗଲା । କିନ୍ତୁ ମାର୍କସ୍‍ ମର୍ସିୟା ଆଡ଼କୁ ଅନାଇ ନିଜର କ୍ରୋଧ ସମ୍ଭାଳି ନେଇ କହିଲା, “ଟିଗେଲିନସ୍‍, ମୋର କର୍ତ୍ତବ୍ୟ ମୁଁ ଭଲ କରି ଜାଣେ ।” ତା ପରେ ଭିଟୁରିୟସ ଆଡ଼କୁ ଅନାଇ କହିଲା, ‘‘ଏ ଭଦ୍ରମହିଳାଙ୍କୁ ଘରେ ପହଞ୍ଚାଇ ଦେଇ ଆସ ।’’

 

ତାହାର ଏହି ଅବିଚଳିତ ଭାବ ଟିଗେଲିନସ୍‍ର ଅସହ୍ୟ ବୋଧ ହେଲା । ସେ କହିଲା, “ମାର୍କସ, ସାବଧାନ, ଯଦି ସିଜରର ଆଜ୍ଞା ନ ପାଳ–’’

 

ମାର୍କସ ସତେଜରେ କହିଲା, ‘‘ବାସ୍‍, ବେଶି ବକ ନାହିଁ ।’’ ତା’ପରେ ଭିଟୁରିୟସକୁ କହିଲା, “ଯଦି ଏହି ଭଦ୍ରମହିଳାଙ୍କର ସ୍ୱାଧୀନତାରେ କେହି ହସ୍ତକ୍ଷେପ କରେ, ତାହାପାଇଁ ମୁଁ ତୁମ୍ଭଙ୍କୁ ଦାୟୀ କରିବି । ଯାଅ, ୟାଙ୍କୁ ଶୀଘ୍ର ଘରେ ପହଞ୍ଚାଇ ଦିଅ ।

 

ତା’ପରେ ମର୍ସିୟାକୁ ସମ୍ମାନ ପୁରଃସର ବିଦାୟ ଅଭିବାଦନ ପ୍ରଦାନ କରି କହିଲା, ‘‘ଏହି ସେନାପତି ସହିତ ସ୍ୱଚ୍ଛନ୍ଦରେ ଘରକୁ ଯାଅ ।”

 

ମର୍ସିୟା ଷ୍ଟିଫାନ୍‍ସର ହାତ ଧରି ଭିଟୁରିୟସ ସମଭିବ୍ୟାହାରରେ ଧୀରେ ଧୀରେ ନିଜ ଗୃହ ଆଡ଼କୁ ଅଗ୍ରସର ହେଲା ।

Image

 

ନବମ ପରିଚ୍ଛେଦ

ଷ୍ଟିଫାନ୍‍ସ

 

ଚିନ୍ତାଭିଭୂତ ମାର୍କସ୍ ଧୀରେ ଧୀରେ ଆପଣା ଘରକୁ ଫେରିଲା । ଚିନ୍ତାନ୍ୱିତ ହେବାପାଇଁ କାରଣ ମଧ୍ୟ ଯଥେଷ୍ଟ ଥିଲା । ଏହି କେତେ ଘଣ୍ଟାର ଅଭିଜ୍ଞତା ତ’ ପକ୍ଷରେ ସମ୍ପର୍ଣ୍ଣ ନୂତନ । ସ୍ତ୍ରୀ ଲୋକଙ୍କ ସମ୍ପର୍କରେ ଅନେକ ଥର ଆସିଥିଲେ ସୁଦ୍ଧା, ଏ ପ୍ରକାର ଆକର୍ଷଣ ସେ କେବେ ଅନୁଭବ କରି ନ ଥିଲା । ପ୍ରେମର ଅସ୍ତିତ୍ୱ ସମ୍ବନ୍ଧରେ ସନ୍ଧିହାନ ନ ହେଲେ ସୁଦ୍ଧା ନିଜ ଜୀବନରେ ଯେ କେବେ ଏ ପ୍ରକାର ପ୍ରେମ ଅନୁଭବ କରିବ, ତାହା ଅନେକ ଦିନରୁ ଅସମ୍ଭବ ବୋଲି ମନେ କରିଥିଲା । ସେ ଚେଷ୍ଟା କଲେ ସୁଦ୍ଧ। ହୃଦୟର ସମସ୍ତ ଭାବରାଶିକୁ ଚିନ୍ତାରେ ବିଶେଷିତ କହିପାରୁ ନ ଥିଲା; କାରଣ, ଏ ସବୁ ତାହାର ଚିନ୍ତାର ସାମଗ୍ରୀ ନ ଥିଲେ, ଉପଭୋଗର ! ମର୍ସିୟା ମାର୍କସ୍‍ର ହୃଦୟରେ ସାର୍ବଜନୀନ ସୌହାର୍ଦ୍ଦ୍ୟ ଜନ୍ମାଇଥିଲା । ଟିଗେଲିନସ୍‍ ମର୍ସିୟାକୁ ଆକ୍ରମଣ କରି ନଥିଲେ; ସେ ବୋଧହୁଏ ବନ୍ଧୁତାର ଆଲିଙ୍ଗନରେ ତାକୁ ଆବଦ୍ଧ କରିବାକୁ କୁଣ୍ଠିତ ହୋଇ ନଥାନ୍ତା । ମର୍ସିୟା ! ମର୍ସିୟାର ଅନୁଧାବନ କରିବାକୁ ତାହାର ପ୍ରାଣ ବ୍ୟାକୁଳ । କାହିଁକି ସେ ତାହା କଲା ନାହିଁ ? ନିଜେ ନ ଯାଇ କି ମୁର୍ଖପରି ସେ ଭିଟୁରିୟସକୁ ତା ସାଙ୍ଗରେ ପଠାଇ ଦେଲା ! ଓଃ ! ସେ ନିଜେ କାହିଁକି ନ ଗଲା ? ସତ, ମର୍ସିୟା ତାହାର ଉପଯାଚିତ ସହଗମନରେ ଆପତ୍ତି ଉଠାଇଥିଲା; କିନ୍ତୁ ଟିଗେଲିନସ୍‍ଠାରୁ ତାକୁ ରକ୍ଷା କରିବା ପୂର୍ବରୁ ସେ ସେପ୍ରକାର ପ୍ରତ୍ୟାଖ୍ୟାନ କରିଥିଲା ସିନା ! ଆଉ ଥରେ ପ୍ରସ୍ତାବ କରିଥିଲେ ମର୍ସିୟା ନିଶ୍ଚୟ ଆପତ୍ତି କରି ନ ଥାନ୍ତା । ଓଃ ! ମର୍ସିୟା କେଉଁ ଆଡ଼କୁ ଗଲା; ଏ କଥା ସୁଦ୍ଧା ସେ ଜାଣି ପାରିଲା ନାହିଁ ଏବଂ ଭିଟୁରିୟସ ନ ଆସିବା ପର୍ଯ୍ୟନ୍ତ ଜାଣିବାର ଅନ୍ୟ ଉପାୟ ମଧ୍ୟ ନ ଥିଲା ।

ଭିଟୁରିୟସ ଫେରିଅଛି କି ନାହିଁ ଜାଣିବା ପାଇଁ ସେ ଜଣେ କ୍ରୀତଦାସକୁ ପଠାଇଲା । ନା ସେ ପର୍ଯ୍ୟନ୍ତ ଭିଟୁରିୟସ ଆସି ନାହିଁ । ଘରର ମାର୍ବଲ ଚଟାଣ ଉପରେ ଅଧୈର୍ଯ୍ୟ ଭାବରେ ପରିକ୍ରମଣ କରିବାକୁ ଲାଗିଲା । ସେତେବେଳେ ରାତ୍ରି, ବାଳେନ୍ଦୁର ସ୍ନିଗ୍‍ଧ ଜ୍ୟୋତ୍ସାରେ ରୋମ ପୁଲକିତ, କିନ୍ତୁ ସଂଶୟର କି ଗଭୀର ଅନ୍ଧକାରରେ ତାହାର ହୃଦୟ ଆଚ୍ଛନ୍ନ ! ବାତାୟନ ନିକଟକୁ ଯାଇ ଯେଉଁଆଡ଼େ ମର୍ସିୟା ଯାଇଥିଲା ବୋଲି ମନେ କରିଥିଲା, ସେହି ଆଡ଼କୁ ନିରୀକ୍ଷଣ କରିବାକୁ ଲାଗିଲା । ମନରେ କେବଳ ଚିନ୍ତା, କେମିତି ଆଉ ଥରେ ତାକୁ ଦେଖିବାପାଇଁ ତ ମର୍ସିୟା କୌଣସି ପ୍ରକାର ଉତ୍ସାହ ବା ଆଶା ତାକୁ ଦେଇ ନାହିଁ । ସେ ଯେତେଥର ମର୍ସିୟା ସହିତ ମିଶିବା ପାଇଁ ଚେଷ୍ଟା କରିଅଛି, ସେତେଥର କେବଳ ପ୍ରତ୍ୟାଖ୍ୟାତ ହୋଇଅଛି, କିନ୍ତୁ ତଥାପି ସେ ମର୍ସିୟାର ଅନ୍ତରର ଭାବ ବୁଝିଅଛି । ମର୍ସିୟାର କଥାରେ ବା କାର୍ଯ୍ୟରେ ଯେ ପ୍ରକାର ଭାବ ଦେଖାଯାଉ ପଛକେ, ସେ ତ ତାହାର ଦୃଷ୍ଟିର ଅର୍ଥ ବୁଝିଅଛି । ମର୍ସିୟା ସହିତ ନ ଯାଇଥିବାରୁ ସେ ପୁନର୍ବାର ଆପଣାକୁ ଧିକ୍‍କାର କରିବାକୁ ଲାଗିଲା । କିନ୍ତୁ ଟିଗେଲିନସ୍‍ ଯେ, ଟିଗେଲିନସ୍‍ ତାହାର କଣ କରି ପାରିଥାନ୍ତା ? ସିଜରକୁ କହି ଦେଇଥାନ୍ତା ? କହୁ ନା ! “କିନ୍ତୁ ଟିଗେଲିନସ୍‍ ଯଦି ସିଜରଠାରୁ କ୍ଷମତା ନେଇ ମର୍ସିୟା ଓ ତାହାର ବନ୍ଧୁମାନଙ୍କର ତାଡ଼ନା ଆରମ୍ଭ କରେ ? ସେ ନିଶ୍ଚୟ ମର୍ସିୟାକୁ ସତର୍କ କରିଦେବ–କିନ୍ତୁ କରିବ କିପରି ? ମର୍ସିୟା ଯେ କେଉଁଠି, ଏହା ତ ସେ ଜାଣେନାହିଁ । ହେରକୁଲିସ ନିକଟରେ ଯେଉଁ ଘର ନଜରବନ୍ଦୀରେ ଅଛି, ସେ ଘରେ ସେ ନାହିଁ, ଏ କଥା ନିଶ୍ଚିତ । ତେବେ ସେ ରହେ କେଉଁଠି ? ଭିଟୁରିୟସ୍‍ କାହିଁକି ଫେରିଲା ନାହିଁ ? ଭିଟୁରୟସ୍, ସେତେବେଳୁ ଗଲାଣି । ଏତେବେଳକୁ ତ ସେ ରୋମର ଏ ପାଖରୁ ସେ ପାଖକୁ ଦୁଇଥର ଯିବା ଆସିବା କରି ପାରିଥାନ୍ତା । ତେବେ କିପରି ମର୍ସିୟାକୁ ସତର୍କ କରିବ ? ଅବଶ୍ୟ ପତ୍ର ଦେଇ ନୁହେଁ । ସେ ବ୍ୟବସ୍ଥାର ରକ୍ଷାକର୍ତ୍ତା, ବ୍ୟବସ୍ଥାଲଙ୍ଘନ କରିବାକୁ ସତର୍କ କରାଇ ଦେବ ଓ ସେମାନଙ୍କର ପଳାୟନରେ ସାହାଯ୍ୟ କରିବ ! ତାହା ତ ହୋଇ ପାରିବ ନାହିଁ । କିନ୍ତୁ ସେ ପୁଣ୍ୟମୟୀ, ସେ କୋମଳକଳିକା, କ୍ରୂର ଟିଗେଲିନସ୍‍ର କବଳରେ ଯେ ପଡ଼ିବ, ତାହା ମଧ୍ୟ ହୋଇ ପାରିବ ନାହିଁ । ଆଃ, ସେ କିପରି ପବିତ୍ର ! ସେଥିରେ ଆସେ କେତେ ଯାଏ କେତେ ? ମର୍ସିୟା ସହିତ ତାହାର ପଡ଼ିବ କିପରି ? ତାହାର ତ ପବିତ୍ର ଅପବିତ୍ର କିଛି ବିଚାର ନାହିଁ, ଆଉ ଏହା ସତ୍ତ୍ୱେ; ମର୍ସିୟା ହେବ ତାହାର ନିଜସ୍ୱ ? ଏକଥା ନିଶ୍ଚିତ ଯେ, ମର୍ସିୟା ଠିକ୍ ତା ପାଖକୁ ଆସିବ । କିନ୍ତୁ ବାସ୍ତବିକ କଣ ସେ ଏ ବିଷୟରେ ନଶ୍ଚିନ୍ତ ? ସେ ଉଜ୍ଜ୍ୱଳ ଦୃଷ୍ଟିରେ ଯାହା ଦେଖିଅଛି, ସେଥିରୁ ଥରେ ଥରେ ତାହାର ମନେ ହୁଏ, ଯେପରି ମର୍ସିୟା ସହଜରେ ଏ ପ୍ରକାର ବିଷୟରେ ସମ୍ମତ ହେବ ନାହିଁ । ତାର ଘର ତାକୁ କି ଶୂନ୍ୟ ଲାଗୁଥିଲା -ନିଜ ମଧ୍ୟରେ ସେ କି ପ୍ରକାର ନିର୍ଜ୍ଜନତା ଅନୁଭବ କରୁଥିଲା ! ସେ କି ଭୁଲ କରିଅଛି; ଆଜି ରାତି ପାଇଁ ସେ କାହିଁକି ଭୋଜିର ବନ୍ଦୋବସ୍ତ ନ କଲା ? ଦୂରାଗତ ସହରର କ୍ଷୀଣ କୋଳାହଳ ଛଡ଼ା ଆଉ କଛି ଶୁଣାଯାଉ ନ ଥିଲା । ଏ ନିର୍ଜ୍ଜନତାରେ ସେ ଅସ୍ଥିର ହୋଇ ଉଠିଲା । ମନେ କଲା କୌଣସି ବନ୍ଧୁ ଗୃହକୁ ଯିବ । କିନ୍ତୁ କାହା ଘର ? କାହା ଘରକୁ ଗଲେ ସେ ଶାନ୍ତି ପାଇବ ? ବେରେନିସ୍ ? ନା, ତାହାର ଶେଷ ଉପପତ୍ନୀ ରକ୍ଷିତା ଆନକାରୀୟା ? –ନା, ବର୍ତ୍ତମାନ ଆନ୍‍କାରୀୟା ତାହା ନିକଟରେ କି କଦର୍ଯ୍ୟ, କୁତ୍ସିତ ବୋଲି ମନେ ହେଲା । ଭିଟୁରିୟସ କଣ କରୁଅଛି ? ସେ କାହିଁକି ଆସିଲା ନାହିଁ ? ଅଧୈର୍ଯ୍ୟ ହୋଇ ସେ ଜୋରରେ ଘଣ୍ଟା ବଜାଇଲା । ନିଗ୍ରୋ ଦାସ ଗଲଲଗ୍ନବାସ ହୋଇ ସଭୟରେ ତା’ ଆଡ଼କୁ ଅଗ୍ରସର ହେଲା ।

 

‘‘ଭିଟୁରିୟସ୍‍ ଆସିଛି ?”

 

‘‘ନା, ମଣିମା !”

 

‘‘ସେ ଯେଉଁ ମୁହୂର୍ତ୍ତରେ ଆସିବ ସେହି ମୁହୂର୍ତ୍ତରେ ମୋ ନିକଟକୁ ପଠାଇ ଦିଅ ।’’

 

‘‘ଆଜ୍ଞା” କହି କ୍ରୀତଦାସ ଚାଲିଗଲା । ମାର୍କସ୍ ପୁନର୍ବାର ଏକାକୀ । ଏକାକୀ ? ହାୟ, ତାର ଦେବତାଏ ଦେଖିଲେ ସେ କି ପ୍ରକାର ଏକାକୀ । କିନ୍ତୁ ଏକାକୀ କାହିଁକି ? ତେବେ କଣ ଏହା ସତ୍ୟ ଯେ, ସେ ଏତେ ଦିନରେ ତାର ଜୀବନର ଅପର ଅର୍ଦ୍ଧର ଦେଖା ପାଇଲା; କିନ୍ତୁ ତାହା ସେହି ସମୟ ନିମିତ୍ତ ତାହାର ଦୃଷ୍ଟିର ଅନ୍ତରାଳ ହେବାରୁ ପ୍ରାଣ ତାହାର ଏ ପ୍ରକାର ନିଃସଙ୍ଗ ଏ ପ୍ରକାର ପରିତ୍ୟକ୍ତ ବୋଧ ହେଉଥିଲା ? କଣ ! ଏ ଖ୍ରୀଷ୍ଟିୟାନ ବାଳିକା ତାହାର ଜୀବନର ଅପର ଅର୍ଦ୍ଧ ?

 

ନିଗ୍ରୋ କ୍ରୀତଦାସ ନିଃଶବ୍ଦରେ ଗୃହରେ ପ୍ରବେଶ କରି ପ୍ରଣିପାତପୂର୍ବକ କହିଲା–

 

“ଭିଟୁରିୟସ୍‌, ମଣିମା ।’’ ଭିଟୁରିୟସ୍‌ର ପ୍ରବେଶ ସଙ୍ଗେ ସଙ୍ଗେ ସେ ଘରୁ ବାହାରିଗଲା ।

 

ମାର୍କସ୍ ଦୀର୍ଘନିଃଶ୍ଵାସ ନିକ୍ଷେପ କରି କହିଲା, “ଭିଟୁରିୟସ୍‌, ଖବର କଣ ?

 

‘‘ମୁଁ ମର୍ସିୟା ଓ ବାଳକ ସହିତ ମର୍ସିୟାର ଘରକୁ ଗଲି । ଘର ପାଲେଟାଇନ୍‌ ପାଖରେ I’’

 

‘‘ସେ ନିରାପଦରେ ଅଛି ?’’

 

‘‘ବର୍ତ୍ତମାନ ସେ ନିରାପଦରେ, କିନ୍ତୁ ତାହାର ଘର ମଧ୍ୟ ନଜରବନ୍ଦୀରେ । ମୁଁ ଫେରିଲାବେଳେ ତା ଘର ପାଖରେ ଚିର ସର୍ଭିଲିୟସ୍‍କୁ ଦେଖିଲି ।”

 

‘‘ସର୍ଭିଲିୟସ୍‌ ? ଏ ସେହି ଲୋକ, ଯେ ଟିଗେଲିନସ୍‌ ସଙ୍ଗରେ ଥିଲା ?’'

 

“ହଁ, ମଣିମା ।’’

 

‘‘ତେବେ ଟିଗେଲିନସ୍‌ର ଅଭିପ୍ରାୟ ନିଶ୍ଚୟ ମନ୍ଦ । ଆଉ କିଏ ମର୍ସିୟା ସାଙ୍ଗରେ ଅଛି-?”

 

‘‘ତାହାର ଚାକର ଓ ଜଣେ ସଙ୍ଗୀ ସ୍ତ୍ରୀଲୋକ, ଆଉ କେହି ନାହାନ୍ତି ।’’

 

“ତେବେ ମୋତେ ତାକୁ ସତର୍କ କରି ଦେବାକୁ ହେବ । ଟିଗେଲିନସ୍‌ ଯଦି ପାରିବ ତ କେଜାଣି ଏହିକ୍ଷଣି ତାକୁ ବନ୍ଦୀ କରିବ । ମୋତେ ବର୍ତ୍ତମାନ ତା ନିକଟକୁ ଯିବାକୁ ହେବ ।”

 

‘‘ମଣିମା, ଅଧୀନର ଦୋଷ ଘେନା ନ ହେଉ । କିନ୍ତୁ ଆପଣଙ୍କର ସେଠାରୁ ଯିବା କଣ ଉଚିତ ବା ନିରାପଦ ହେବ ? ଟିଗେଲିନସ୍‍ର ଈର୍ଷା ତ ଆପଣ ଜାଣନ୍ତି । ଯଦି ସମ୍ଭବ ହୁଏ, ନିଜର ଉନ୍ନତି ପାଇଁ ସିଜର୍‌ ସମ୍ମୁଖରେ ଆପଣଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିବ ।”

 

‘‘ଭିଟୁରିୟସ୍‌, ମୁଁ ସେ ସବୁ ଜାଣେ, କିନ୍ତୁ ମୋର ଅନିଚ୍ଛାସତ୍ତ୍ୱେ ଏ କ୍ଷେତ୍ରରେ ମୋତେ ତା ବିରୁଦ୍ଧରେ ଛିଡ଼ା ହେବାକୁ ହେବ । ଇତ୍ୟବସରେ ସୈନ୍ୟମାନଙ୍କୁ ସର୍ବଦା ପ୍ରସ୍ତୁତ କରି ରଖ । ଯେକୌଣସି ଉପାୟରେ ମୁଁ ଏହିକ୍ଷଣି ଏ ବାଳିକା ନିକଟକୁ ଯିବି । ତୁମେ ଟିକିଏ ଦୂରରେ ରହି ମୋ ପଛେ ପଛେ ଆସ, ଯେପରି ମୋ ଶବ୍ଦ ଶୁଣିଲାକ୍ଷଣି ମୋ ନିକଟରେ ଉପସ୍ଥିତ ହେବ । ସୈନ୍ୟମାନଙ୍କ ମଧ୍ୟରେ ଯେଉଁମାନେ ସାହସୀ, ସେହିମାନଙ୍କୁ ସଙ୍ଗରେ ନେବ, ଅସ୍ତ୍ରଶସ୍ତ୍ର ସମସ୍ତ ସଙ୍ଗରେ ଥିବ । ଯାଅ ସମୟ ନଷ୍ଟ କରନାହିଁ । ଏ ସମସ୍ତର ଅୟୋଜନ କର ।”

 

“ଆଜ୍ଞା” କହି ପ୍ରଭୃଗତପ୍ରାଣ ବୀର ଭିଟୁରିୟସ୍‍ ଚାଲିଗଲା ।

 

ବୃଦ୍ଧ ଫାଭିୟସ୍‌ ଦୁର୍ବୃତ୍ତମାନଙ୍କ ହସ୍ତରୁ ରକ୍ଷା ପାଇ ନିଜ ଘରକୁ ଗଲେ । ସେଠାରେ ଗାଲିଲୀୟ ଧୀବର ତାଙ୍କୁ ଅପେକ୍ଷା କରୁଥିଲେ । ସେତେବେଳେ ରାତି ୮ଟା । ମର୍ସିୟାକୁ ଘରେ ପହଞ୍ଚାଇ ଦେଇ ଷ୍ଟିଫାନ୍‌ସ ମଧ୍ୟ ଫେରି ଆସିଥିଲା । ଗୃହ ଦୀପାଧାରର କ୍ଷୀଣ ଆଲୋକରେ ଈଷତ୍ ଆଲୋକିତ । ମୃଦୁ ଅନୁଜ୍ଜ୍ୱଳ ଆଲୋକରେ ଘର ଭିତରର ସମସ୍ତ ଜିନିଷ ଅସ୍ପଷ୍ଟ ଦେଖାଯାଉଥିଲା । ଫାଭିୟସ୍ ମେଜ ପାଖରେ ବସିଥିଲେ । ଟାଇଟସ୍ ଫାଭିୟସ୍‍ଙ୍କ ପଛରେ ଛିଡ଼ା ହୋଇଥିଲେ । ଉଭୟେ ଷ୍ଟିଫାନ୍‌ସ ଫାଭିୟସ୍‌ଙ୍କ ସମ୍ମୁଖରେ କାନୁପାତି ବସିଥିଲା । ଉଭୟେ ଷ୍ଟିଫାନ୍‌ସର କଥା ନିବିଷ୍ଟଚିତ୍ତରେ ଶୁଣୁଥିଲେ ।

 

ଫାଭିୟସ୍‌ କହିଲେ, “ଆଉ ମାର୍କସ୍ ତୁମ୍ଭମାନଙ୍କ ସଙ୍ଗରେ ଯିବାକୁ ତାହାର ସୈନ୍ୟମାନଙ୍କୁ ଆଦେଶ ଦେଲା ?’’

 

ଷ୍ଟିଫାନ୍‌ସ କହିଲା, “ହଁ ।’’

 

‘‘ସେ କଣ ମର୍ସିୟା ସହିତ ସତ କଥା କହିଥିଲା ?”

 

‘‘ପଦେ ଦୁଇପଦ ।”

 

‘‘ଯାହା ତୁମେ ବର୍ତ୍ତମାନ ଆମ୍ଭମାନଙ୍କୁ କହିଛ ?’’

 

‘‘ହଁ ।’’

 

“ତୁମେ ଟିଗେଲିନସ୍ ଅବା ଚରକୁ ଆଉ ଦେଖି ନାହଁ ?”

 

‘‘ନା ।’’

 

‘‘ଷ୍ଟିଫାନ୍‌ସ, ତୁମେ ସାନ ପିଲା; କିନ୍ତୁ କଣ ଭଲ, କଣ ମନ୍ଦ, ତାହା ତୁମେ ଜାଣ ?”

 

ହଁ ପିତା,’ ଏହା କହି ବାଳକ ଭକ୍ତିନମ୍ର ଚକ୍ଷୁରେ ଶିକ୍ଷାଦାତାଙ୍କ ଆଡ଼କୁ ଅନାଇଲା ।

 

“ତୁମେ ମର୍ସିୟାକୁ ଭଲପାଅ ?’’

 

‘‘ମୁଁ ମର୍ସିୟାକୁ ଖୁବ୍‌ ଭଲପାଏଁ ।”

 

‘‘ଷ୍ଟିଫାନ୍‌ସ; ମର୍ସିୟାର ବଡ଼ ବିପଦ ।’’ ଏହା ଶୁଣି ବାଳକ ଚମକି ଉଠିଲା । ଫାଭିୟସ୍ କିଛିକ୍ଷଣ ଇତସ୍ଥତଃ ହୋଇ କହିଲେ, “ଏହି ମାର୍କସ୍ ମନ୍ଦ ଅଭିପ୍ରାୟରେ ମର୍ସିୟାର ପଛେ ପଛେ ବୁଲୁଛି ।”

 

କିଛି ବୁଝି ନ ପାରି ଷ୍ଟିଫାନ୍‌ସ କହିଲା, ‘‘କଣ ମର୍ସିୟାକୁ ମାରିବାକୁ ?’’ ଫାଭିୟସ୍‌ କହିଲେ, “ଏ ଲୋକ ସାହାସୀ, ଦୂର୍ଦ୍ଦାନ୍ତ, ପ୍ରତାପଶାଳୀ ଓ ହିତାହିତ ବିଚାରଶୂନ୍ୟ । ମର୍ସିୟା ଯେ ଖ୍ରୀଷ୍ଟିୟାନ, ଏକଥା ସେ ଏ ପର୍ଯ୍ୟନ୍ତ ଜାଣେ ନାହିଁ । କିନ୍ତୁ ଲୋକଙ୍କର ସନ୍ଦେହ ଦୃଷ୍ଟି ମର୍ସିୟା ଉପରେ ପଡ଼ିଛି । ତୁମେ ତା ସହିତ ଯାଇଥିଲ, ତେଣୁ ହୁଏତ ସେମାନେ ତୁମକୁ ଧରି ନେଇଯିବେ । ତୁମେ ସାନ ପିଲା । ମର୍ସିୟା ଓ ମୋ କଥା ସବୁ ତୁମଠାରୁ କାଢ଼ି ନେବା ପାଇଁ ହୁଏତ ସେମାନେ ଅନେକ ଚେଷ୍ଟା କରିବେ; ଅନେକ ପ୍ରକାର କଷ୍ଟ ଦେବେ ।’'

 

ଷ୍ଟିଫାନ୍‌ସ ଉତ୍ତପ୍ତ ହୋଇ କହିଲା, ମୁଁ ତୁମମାନଙ୍କ କଥା ସେମାନଙ୍କୁ କହିଦେବି ? କେତେବେଳେ ନୂହେଁ ।”

 

ବୃଦ୍ଧ ଗମ୍ଭୀରଭାବରେ କହିଲେ, “ତୁମେ ଜାଣ, ପ୍ରଭୁ ତୁମ ସକାଶେ କଣ କରିଛନ୍ତି ?’’ ସେ ଉତ୍ତର କଲା, ମୋ ପାଇଁ ପ୍ରଭୁ ମରିଛନ୍ତି ।’’ ଏହା କହିବା ସଙ୍ଗେ ସଙ୍ଗେ ସାତ୍ତ୍ୱିକ ଆନନ୍ଦରେ ବାଳକର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା ।

 

ଟାଇଟସ୍ ଧୀରେ ଧୀରେ କହିବାକୁ ଲାଗିଲେ, “ତୁମେ ଯଦି ପ୍ରଭୁଙ୍କର କ୍ଷୁଦ୍ରତମ ଦାସ ପ୍ରତି ବିଶ୍ୱାସଘାତକତା କର, ତାହା ପ୍ରଭୁଙ୍କ ପ୍ରତି କରିବା ପରି ହେବ ।’’

 

ବାଳକ କହିଲା, ‘‘ହଁ, ମୁଁ ଜାଣେ ।’’

 

ଟାଇଟସ୍ ପଚାରିଲେ, ‘‘ତାହାହେଲେ ତୁମେ ବିଶ୍ୱସ୍ତ ରହିବ ?'’

 

ବାଳକ ବକ୍ଷୋପରି ହସ୍ତ ରଖି ଊର୍ଦ୍ଧ୍ୱମୁଖ ହୋଇ କହିଲା, “ମୃତ୍ୟୁ ପର୍ଯ୍ୟନ୍ତ ।’’

 

ସ୍ନେହରେ ବାଳକର ମସ୍ତକରେ ହସ୍ତାର୍ପଣ କରୁ କରୁ ଫାଭିୟସ୍ ତାକୁ ଦ୍ୱାରସମୀପକୁ ନେଇ କହିଲେ–

 

‘‘ବର୍ତ୍ତମାନ ଶୀଘ୍ର ମେଲସ୍ କତିକି ଯାଅ । କହ ଯେ ଭ୍ରାତୃଗଣ ରାତି ଦଶଟାବେଳେ ସେଷ୍ଟିୟାନ ଉଦ୍ୟାନ ନିକଟରେ ଉପାସନା ପାଇଁ ମିଳିତ ହେବେ, ତାଙ୍କୁ ଉପସ୍ଥିତ ହେବାକୁ ହେବ । ବାବା ମୋର, ବାଟରେ ସତର୍କ ହୋଇ ଯିବ । ଗଳି ବାଟରେ ଯିବ, ସଦର ରାସ୍ତାରେ ଯିବ ନାହିଁ । ଯେଉଁ ପ୍ରଭୁଙ୍କର ସେବା ଆମ୍ଭେମାନେ କରୁଛୁଁ, ସେହି ପ୍ରଭୁ ତୁମର ସହବର୍ତ୍ତୀ ହେଉନ୍ତୁ ।”

 

ବାଳକ ଗମ୍ଭୀର ଭାବରେ କହିଲା, ‘ଆମେନ୍'।

 

କବାଟ ପାଖକୁ ଆସି ସତର୍କତା ସହିତ ରାସ୍ତାର ଚାରିଆଡ଼େ ନିରୀକ୍ଷଣ କରି ଷ୍ଟିଫାନ୍‌ସ ଦୌଡ଼ିବାକୁ ଲଗିଲା । ଫାଭିୟସ୍‌ ମୁହୂର୍ତ୍ତକ ସକାଶେ ଦଉଡ଼ୁଥିବା ବାଳକ ଆଡ଼କୁ ଅନାଇ ଅତି ସାବଧାନରେ ଦ୍ୱାର ବନ୍ଦ କଲେ ଓ ନିଜ ବସିବା ସ୍ଥାନକୁ ଫେରି ଆସି ସ୍ମିତମୁଖରେ କହିଲେ–

 

‘‘ପିଲାଟି ବଡ଼ ସାହସୀ ଓ ବିଶ୍ୱସ୍ତ ।''

 

ଟାଇଟସ୍ ଚିନ୍ତିତ ହୋଇ କହିଲେ, “କିନ୍ତୁ ଯେତେହେଲେ ପିଲା ତ । ମୋ ବିଚାରରେ ଏ କାର୍ଯ୍ୟରେ ଏଡ଼େ ସାନ ପିଲାକୁ ପଠାଇବା ବୁଦ୍ଧିମାନର କାର୍ଯ୍ୟ ହୋଇ ନାହିଁ ।’’

 

‘‘ତାକୁ କେହି ସନ୍ଦେହ କରିବେ ନାହିଁ ବୋଲି ପଠାଇଲି । କାରଣ ଆଜି ଉପରଓଳି ମର୍ସିୟା ସଙ୍ଗରେ ଯିବା ଛଡ଼ା ଆଉ କୌଣସି ସମୟରେ ତାକୁ କେହି ଭାତୃଗଣଙ୍କ ସଙ୍ଗରେ ଦେଖି ନାହିଁ ।”

 

ଏହି ସମୟରେ କବାଟରେ ତିନିଥର ଖଟ୍‌ ଖଟ୍‌ ଶବ୍ଦ ହେଲା, ଓ ‘ବାବା, କବାଟ ଫିଟାଅ’ ବୋଲି ମର୍ସିୟା ଡାକିଲା । ଫାଭିୟସ୍ ବ୍ୟସ୍ତଭାବରେ କବାଟ ଫିଟାଇ ମର୍ସିୟାକୁ ଘରଭିତରକୁ ଆଣିଲେ । ମର୍ସିୟା ଉତ୍ତେଜନା ଓ ଭୟରେ ଥରୁଥିଲା । ସେ ତାର ଘୋଡ଼ାଇ ହୋଇଥିବା ଚାଦର ଖୋଲି ରଖିଲା । ଫାଭିୟସ୍‌ ପଚାରିଲେ–

 

“କଣ ହୋଇଛି, ମା ?"

 

ମର୍ସିୟା ଶାନ୍ତଭାବରେ ନିକଟବର୍ତ୍ତୀ ଆସନରେ ବସି ପଡ଼ି କହିଲା, “ମୋ; ପଛରେ ଲୋକ ଗୋଡ଼ାଇଛନ୍ତି ।

 

‘‘କିଏ ?’’

 

“ମୁଁ ଜାଣି ନାହିଁ । ମୁଁ ଯେମିତି ଘରୁ ବାହାରି ରାସ୍ତାରେ ଚାଲିବାକୁ ଆରମ୍ଭ କଲି, ପଛରୁ ଅନାଇଁ ଦେଖିଲି, ଗୋଟାଏ ଲୋକ ମୁହଁରେ ଲୁଗା ଘୋଡ଼ାଇ ଗୋଟିଏ ସ୍ତମ୍ଭ ପଛରୁ ବାହାର ପଡ଼ିଲା । ତାକୁ ପଛରେ ପକାଇ ଆଗ ବଢ଼ି ଚାଲିବାକୁ ଅନେକ ଚେଷ୍ଟା କଲି, କିନ୍ତୁ ଯେତେବେଳେ ଦେଖିଲି, ତେବେ ସୁଦ୍ଧା ମୋ ପାଖକୁ ଲାଗି ଆସୁଛି, ମୁଁ ବାଟ ପାଖରେ ଜଣକର ଦୁଆରବନ୍ଧ ପାଖରେ ଲୁଚି କରି ଛିଡ଼ା ହେଲି । ସେ ଯେତେବେଳେ ମୋତେ ଟପି ଚାଲିଗଲା, ମୁଁ ଦଉଡ଼ିବାକୁ ଲାଗିଲି ।”

 

ଫାଭିୟସ୍ ଚିନ୍ତିତ ହୋଇ ପଚାରିଲେ, “ସେ ତୁମକୁ ଏଠିକି ଆସିବାର ଦେଖି ନାହିଁ ?’’

 

“ବୋଧହୁଏ ଦେଖି ନାହିଁ ।’’

 

ଫାଭିୟସ ଟାଇଟସ୍ ଆଡ଼କୁ ଫେରି ଅତିଦୁଃଖରେ କହିବାକୁ ଲାଗିଲେ, ‘‘ଭାଇ ଟାଇଟସ୍, ରୋମରେ ଭାତୃଗଣଙ୍କର ଅବସ୍ଥା ବୁଝି ପାରୁଛ ? ସେମାନଙ୍କ ସମ୍ବନ୍ଧରେ ସ୍ତ୍ରୀ ପୁରୁଷ ଓ ବୟସର ଭେଦ ବିଚାର ନାହିଁ, ସମସ୍ତେ ପଶୁ ପରି ତାଡ଼ିତ ଓ ଲାଞ୍ଛିତ । ନୀରୋର ଶେଷ ଉତ୍ସବରେ ସେ ନାଟ୍ୟଶାଳାରେ କ୍ଷୁଧିତ ବ୍ୟାଘ୍ର ସମ୍ମୁଖରେ ଖ୍ରୀଷ୍ଟିୟ ଯୁବତୀମାନଙ୍କୁ ନିକ୍ଷେପ କରିଥିଲା ଓ ମହାଆନନ୍ଦରେ ବ୍ୟାଘ୍ରଙ୍କର ରକ୍ତପାନ ଦେଖିଥିଲା । ସେମାନେ କିନ୍ତୁ ସ୍ତବଗାନ କରୁ କରୁ ଦେହତ୍ୟାଗ କରିଥିଲେ । ବୃଦ୍ଧ ଖ୍ରୀଷ୍ଟିୟାନମାନଙ୍କୁ ତାହାର ଶିକ୍ଷିତ ଗ୍ଲାଡିଏଟରଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆଦେଶ ଦେଲା, ଏବଂ ସେତେବେଳେ ସେମାନେ ଅସ୍ୱୀକୃତ ହେଲେ, ଗ୍ଲାଡିଏଟରମାନେ ସେମାନଙ୍କୁ ହତ୍ୟା କଲେ, ଆଉ ଭ୍ରାତୃଗଣ ତାଡ଼ନାକାରୀର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରୁ କରୁ ଜୀବନ ଉତ୍ସର୍ଗ କଲେ । ଯେଉଁମାନେ ପ୍ରଭୁଙ୍କୁ ଅସ୍ୱୀକାର ନ କଲେ, ସେମାନଙ୍କ ଦେହରେ ତୈଳାକ୍ତ ବସ୍ତ୍ର ଗୁଡ଼ାଇ ସେମାନଙ୍କୁ ମଶାଲ କରି ଜାଳିଲା । କିନ୍ତୁ ଏ ସମସ୍ତେ ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କ ପ୍ରଶ୍ନ ବିଶ୍ୱସ୍ତ ରହିଲେ ।’’ ଏହା କହିବା ସମୟରେ ବିଶ୍ୱାସର ତେଜରେ ଫାଭିୟସ୍‌ଙ୍କ ମୁଖ ଉଦ୍ଦୀପ୍ତ ହୋଇ ଉଠିଲା ।

 

ଟାଇଟସ୍‌ ମଧ୍ୟ ଉତ୍ତପ୍ତ ଭାବରେ କହିଲେ, “ଭାଇ, ତୁମକୁ ମଧ୍ୟ - ମା ତୁମକୁ ମଧ୍ୟ ସମୟରେ ଏହିପରି ଜ୍ୱଳନ୍ତ ଜୀବନ୍ତ ସାକ୍ଷ୍ୟ ପ୍ରଦାନ କରିବାକୁ ହେବ । ହଁ, ସାଧୁଙ୍କ ରକ୍ତରେ ଏହି ଜଗତର ମୁକ୍ତିପତ୍ର ଲଖିତ ହେବ ଏବଂ ଏ ସଂସାରରେ ଯେତେ ଜନ୍ମିଛନ୍ତି ଏବଂ ଜନ୍ମିବେ, ସେମାନଙ୍କ ନିମନ୍ତେ ଜୀବନ ଦେଇଛନ୍ତି, ଯେପରି ସେମାନେ ଜୀବନ ଲାଭ କରନ୍ତି ।”

 

ତାଙ୍କର କଥା ଶେଷ ନ ହେଉଣୁ ବାହାରେ କବାଟରେ କିଏ ଅଧୈର୍ଯ୍ୟ ଭାବରେ ସଜୋରେ ଆଘାତ କରିବାକୁ ଲାଗିଲା । ଏହି ଅଧୈର୍ଯ୍ୟ ଆଘାତ ମଧ୍ୟରେ ଭାତୃଗଣଙ୍କ ମଧ୍ୟରେ ପ୍ରଚଳିତ ସଙ୍କେତ ନ ଥିଲା । ଫାଭିୟସ୍ ଦ୍ୱାର ନିକଟକୁ ଯାଇ ପଚାରିଲେ, “କିଏ?’’

 

ବାହାରୁ ଶବ୍ଦ ହେଲା, “ଫିଟାଇ ଦେଖ ।” ସ୍ଵର ଦୁର୍ବଳ ଓ କମ୍ପିତ, ମନେ ହେଲା ଯେପରି ଜଣେ ବୃଦ୍ଧର ।

 

ଫାଭିୟସ୍‍ ପଚାରିଲେ କଣ ‘‘ଚାହୁଁଛ ?” ଉତ୍ତର ହେଲା ‘‘ଫାଭିୟସଙ୍କ ସହିତ କଥା କହିବାକୁ ।”

 

‘‘ମୁଁ ତୁମ୍ଭଙ୍କୁ ଚିହ୍ନେ ?

 

‘‘ଫିଟାଇ ଦେଖ ।’’

 

ଟାଇଟସ୍‌ ପଚାରିଲେ ସ୍ୱରରୁ କିଛି ବୁଝି ପାରୁଛ ?’’ ମର୍ସିୟା କହିଲା ‘‘ଏ ସ୍ଵରରୁ ମୁଁ ମନେ କରୁଛି–’’ କିନ୍ତୁ ଆଘାତ ଏ ପ୍ରକାର ଘନ ଘନ ହେବାକୁ ଲଗିଲା ଯେ, ଟାଇଟସ୍‍ କହିଲେ, ‘‘ବରଂ କବାଟ ଖୋଲିଦିଅ ।’’

 

ଫାଭିୟସ୍‌ କହିଲେ, “ତାହାହିଁ କରିବାକୁ ହେବ । କିନ୍ତୁ ମର୍ସିୟା, ତୁମେ ଘର ଭିତରକୁ ଯାଅ ।” ମର୍ସିୟା ଘର ଭିତରକୁ ଗଲାରୁ ଫାଭିୟସ୍‌ ଅତି ସାବଧାନରେ କବାଟ ଫିଟାଇଲେ । ଜଣେ ବୃଦ୍ଧ ପ୍ରବେଶ କଲା, ମୁଣ୍ଡର ଲୁଗା ତାହାର ମୁହଁକୁ ପ୍ରାୟ ଘୋଡ଼ାଇ ପକାଇଥିଲା । ସେ ଘରେ ପ୍ରବେଶ କରି ଫାଭିୟସ୍‌ଙ୍କୁ ନମସ୍କାର କଲା ।

 

ଫାଭିୟସ୍ କବାଟ ଆଉଯାଇ ଦେଇ କହିଲେ, “ତୁମେ କିଏ ?”

 

ଆଗନ୍ତୁକ କିଛି କହିଲା ନାହିଁ, କିନ୍ତୁ ଟାଇଟସ୍‌ ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇ ପଚାରିଲା, “ଏ ଲୋକ କିଏ ?”

 

ଫାଭିୟସ୍–‘‘ମୋର ଜଣେ ବନ୍ଧୁ ।”

 

ଆଗନ୍ତୁକ–‘‘କଣ ରୋମର ଲୋକ ?”

 

ଟାଇଟସ୍ ନିଜେ କହିଲେ, “ନା ।

 

ତତ୍‌ପରେ ବୃଦ୍ଧ ଫାଭିୟସଙ୍କୁ ପଚାରିଲା, ‘‘ମୁଁ ତାଙ୍କ ସାକ୍ଷାତରେ କଥା କହି ପାରେଁ ?’’

 

ଫାଭିୟସ୍–‘‘ସ୍ଵଚ୍ଛନ୍ଦରେ । କିନ୍ତୁ ପ୍ରଥମେ କହ, ତୁମେ କିଏ ।”

 

ବୃଦ୍ଧ କହିଲା, ‘‘ମୋର ନାମ ଟାଇରସ୍ । ମୁଁ ଟାଇବର ନଦୀରେ ନାବିକ କାର୍ଯ୍ୟ କରେଁ, କିନ୍ତୁ ବାର୍ଦ୍ଧକ୍ୟ ହେତୁରୁ ବଳ ହଟୁଛି ଏବଂ ଏବଂ କାର୍ଯ୍ୟ ମଧ୍ୟ ସେପରି କରି ପାରୁ ନାହିଁ ।”

 

ଫାଭିୟସ୍‌ ତାକୁ ବସିବାକୁ ଆସନ ଦେଇ କହିଲେ, “ଟାଇରସ୍‌ କଣ କହିବ କହ ।’’

 

ବସିବାବେଳେ ଆସନ ଉପରେ ମର୍ସିୟାର ଉତ୍ତରୀୟ ଦେଖି ବୃଦ୍ଧ ଚମକି ଉଠିଲା, କିନ୍ତୁ ପରମୁହୂର୍ତ୍ତରେ ଆତ୍ମସମ୍ବରଣ କହିଲା, ‘‘ଆଜି ତୁମକୁ ଖ୍ରୀଷ୍ଟିୟାନ ବୋଲି ଦୋଷୀ କରା ହୋଇଛି ?”

 

ଫାଭିୟସ୍‌ କହିଲେ “ହଁ ।”

 

“ତେବେ କଣ ତୁମେ ଖ୍ରୀଷ୍ଟିୟାନ ?”

 

ଉତ୍ତର ଦେବା ପୂର୍ବରୁ ଫାଭିୟସ୍ ଜିଜ୍ଞାସୁ ନେତ୍ରରେ ଆଗନ୍ତୁକକୁ ଉତ୍ତମରୂପେ ନିରୀକ୍ଷଣ କରିବାକୁ ଲାଗିଲେ । ତତ୍‌ପରେ କହିଲେ, ‘‘ଏହା ପଚାରିବାର ମାନେ କଣ ?” ଆଗନ୍ତୁକ କହିଲା, “ମୁଁ ତୁମକୁ ସାହାଯ୍ୟ କରିବାକୁ ଚାହେଁ ।’’

 

ସେହି ଲୋକର ଦରିଦ୍ର ବେଶ ଲକ୍ଷ୍ୟ କରି ଫିଭିୟସ୍‌ କହିଲେ “ତୁମେ କେମିତି ମୋର ସାହାଯ୍ୟ କରିବ ?’’

 

‘‘ତୁମକୁ ବୋଧହୁଏ ଅସମ୍ଭବ ଲାଗିବ, କିନ୍ତୁ ଯେଉଁମାନଙ୍କ ସହିତ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କର ପରିଚୟ ଅଛି, ଏ ପ୍ରକାର ଲୋକଙ୍କୁ ମୁଁ ଜାଣେ । ଅବଶ୍ୟ ସେମାନଙ୍କ ମଧ୍ୟରୁ କେହି କେହି ଖ୍ରୀଷ୍ଟିୟାନ ସ୍ପର୍ଶକୁ ଘୃଣା କରନ୍ତି ।’’

 

ଫାଭିୟସ୍‍ କହିଲେ, ‘‘ତାହା ତ ସମସ୍ତେ ଜାଣନ୍ତି ।’’

 

ଆଗନ୍ତୁକ ପୁନର୍ବାର କହିଲା–

 

‘‘କିନ୍ତୁ ଅନ୍ୟାନ୍ୟ କେତେକ ଏ ପକ୍ଷ ନୁହନ୍ତି, କି ସେ ପକ୍ଷ ନୁହନ୍ତି । ଖ୍ରୀଷ୍ଟିୟାନମାନଙ୍କର ଭଲମନ୍ଦରେ ସେମାନଙ୍କର ଭ୍ରୂକ୍ଷେପ ନାହିଁ । ସେମାନେ କେବଳ ଆଜ୍ଞା ମାନି କାର୍ଯ୍ୟ କରନ୍ତି ।”

 

‘‘ଆଚ୍ଛା ।’’

 

‘‘ଏବଂ ଆହୁରି କେତେକ ଅଛନ୍ତି, ଯେଉଁମାନେ ବୁଝି ବିଚାର କାର୍ଯ୍ୟ କରନ୍ତି । ଯଦି କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଅନ୍ୟର ପ୍ରବର୍ତ୍ତନାରେ ଦୋଷଜନକ କାର୍ଯ୍ୟ କରେ, ସେମାନେ ତାହାର ସେ ଦୋଷ ଧରନ୍ତି ନାହିଁ ।” ଏହା କହି ସାରି ଆଗନ୍ତୁକ ଭିତରଘର ଆଡ଼କୁ ଅନାଇଲା, ଯେପରି ଏ କଥା ସେ ତନ୍ମଧ୍ୟସ୍ଥ କୌଣସି ବ୍ୟକ୍ତି ପ୍ରତି ଲକ୍ଷ୍ୟ କରି କହିଥିଲା ।

 

‘‘ବର୍ତ୍ତମାନ ତୁମେ କଣ କରିବାକୁ ଚାହଁ ?”

 

“ଏହି ବିଧର୍ମୀ ପୂଜା, ଏହି ବିଦେଶୀୟ ସଂସ୍କାର ସମ୍ବନ୍ଧରେ–’’

 

ଫାଭିୟସ୍ ଗମ୍ଭୀର ଭାବରେ ଈଷତ୍ ହାସ୍ୟ କରି କହିଲେ, “ଯାହା କହୁଛ, ସେ ବିଷୟରେ ତୁମେ କଛି ଜାଣ ?”

 

‘‘ମୁଁ ଜାଣେ ଯେ, ଖ୍ରୀଷ୍ଟିୟାନମାନେ ବିଦେଶୀ ଦେବତାମାନଙ୍କର ପୂଜା କରନ୍ତି ଏବଂ ସିଜରଙ୍କର ରାଜ୍ୟ ଓ ଜୀବନ ବିରୁଦ୍ଧରେ ଗୋପନ ଷଡ଼ଯନ୍ତ୍ର କରନ୍ତି ।’’

 

ଫାଭିୟସ୍ ତୀବ୍ରଭାବରେ କହିଲେ, “ମୁଁ ଏପ୍ରକାର କିଛି ଶୁଣି ନାହିଁ । ମୁଁ ଜାଣେ, ସେମାନେ ଅଦ୍ୱିତୀୟ ଅନାଦି ଅନନ୍ତ ଈଶ୍ୱରଙ୍କର ପୂଜା କରନ୍ତି, ସେମାନେ କାହାର ଅନିଷ୍ଟ କଳ୍ପନା କରନ୍ତି ନାହିଁ, ଏମନ୍ତ କି, ତୁମ୍ଭମାନଙ୍କର ରାଜା ନୀରୋ ପରି ପିଶାଚର ମଧ୍ୟ ନୂହେଁ–ନୀରୋ, ଯାହାର ମୁଖ ଅଶୁଚି ବାକ୍ୟର ଗହ୍ୱର, ଯାହାର ଚରଣ ନିର୍ଦ୍ଦୋଷ ରକ୍ତପାତ ପାଇଁ ଧାବମାନ,ଯାହାର ଲମ୍ପଟତା ଓ ମତ୍ତତାର ଲୀଳାକ୍ଷେତ୍ର ରୋମ ଖ୍ରୀଷ୍ଟିୟାନମାନଙ୍କୁ ଏ ନିମନ୍ତେ ଷଡ଼ଯନ୍ତ୍ର କରିବାକୁ ହେବ ନାହିଁ, ଏ ପାପ ନିଜେ ତାହାର ପରିଣାମ ଆନୟନ କରିବ ।’’ ଏହା କହିବା ସମୟରେ ଫାଭିୟସ୍‌ ନିଜର ଅଜ୍ଞାତସାରରେ ଉଠି ଛିଡ଼ା ହୋଇଥିଲେ ଏବଂ ତାଙ୍କର ଉନ୍ନତ ଶରୀର ଆଗନ୍ତୁକ ଉପରକୁ ପତନ୍ନୋନ୍ମୁଖ ଗିରିଶୃଙ୍ଗ ପରି ଝୁଙ୍କି ପଡିଲା ।

ଏହା ଶୁଣି ଆଗନ୍ତୁକ ଜୋରରେ କହିଲା, “ବୃଦ୍ଧ, ଦେଖୁଛି, ତୁମର ସାହସ କିଛି କମ୍‌ ନୁହେଁ । ଯେଉଁ ସବୁ କଥା ବର୍ତ୍ତମାନ କହିଲ, ତାହା ଯଦି ମୋ ଭିନ୍ନ ଅନଁ କାହାରି କାନରେ ପଡ଼ିଥାନ୍ତା ତାହାହେଲେ, ତୁମର ଏବଂ ତୁମ ସଂସର୍ଗରେ ଯେଉଁମାନେ ଅଛନ୍ତି ସେ ସମସ୍ତଙ୍କର ମୃତ୍ୟୁ ଘଟାଇଥାନ୍ତା ।’’

ଆଗନ୍ତୁକର, ଏ ସତର୍କବାଣୀ ଶୁଣି ନ ଶୁଣିଲା ପରି ହୋଇ ଫାଭିୟସ୍‌ ଟିକିଏ ବିରକ୍ତିର ସହିତ କହିଲେ, ‘‘କେଉଁ କଥା କହିବାକୁ ଆସିଛ, ଟାଇରସ୍‌ ?’’

‘‘ମୁଁ ତୁମକୁ ସତର୍କ କରିଦେବାକୁ ବନ୍ଧୁ ଭାବରେ ଏଠାକୁ ଆସିଛି । ତୁମେ ନଜରବନ୍ଦୀରେ ଅଛ । ଟିଗେଲିନସ୍‍ ଓ ଲିନିୟସଠାରୁ ସତର୍କ ହୋଇ ରହ, କାରଣ ସେମାନେ ତୁମର ଏବଂ ତୁମେ ଯେଉଁ ଯୁବତୀକୁ ମର୍ସିୟା ବୋଲି ଡାକ, ତାହାର ପ୍ରାଣହରଣର ଚେଷ୍ଟାରେ ଅଛନ୍ତି । ଲୋକମାନେ ତୁମକୁ ଯାହା ସନ୍ଦେହ କରନ୍ତି, ତୁମେ ଯଦି ସେହି ଖ୍ରୀଷ୍ଟିୟାନ ହୁଅ, ତାହାହେଲେ ଏ ଯୁବତୀର ମଙ୍ଗଳ ନିମନ୍ତେ ତାକୁ ତୁମଠାରୁ ଦୂରରେ ରଖ । ମୋ ପରି ତୁମେ ବୃଦ୍ଧ ଏବଂ ତୁମର ଜୀବନପଥ ଶେଷ ହୋଇ ଆସିଲାଣି, କିନ୍ତୁ ସେ ଯୁବତୀ ଜୀବନର ଦ୍ୱାରଦେଶରେ । ତାକୁ ତାହାର ଜୀବନକୁ ସୁଖରେ ଅତିବାହିତ କରିବାକୁ ଛାଡ଼ି ଦିଅ ।’’

ଫାଭିୟସ୍‌ ପଚାରିଲେ, ‘‘ସୁଖ ? ସୁଖ କଣ ତାହା ଜାଣ ?’’ ତତ୍ପରେ ଭିତର ଘରର ଦ୍ୱାର ସମୀପକୁ ଯାଇ ଡାକିଲେ, ‘‘ମର୍ସିୟା !’’

 

ମର୍ସିୟା ଉତ୍ତର କଲା, ‘‘ବାବା’’ସ୍ୱର ଯେଉଁଆଡ଼ୁ ଆସୁଥିଲା, ସେ ଆଡ଼କୁ ଆଗନ୍ତୁକ ଆଗ୍ରହ ସହକାରେ ଅନାଇବାକୁ ଲାଗିଲା ।

 

ଫାଭିୟସ୍‌ କହିଲେ, ‘‘ଏ ଆଡ଼କୁ ଆସ ।’’ ଆଗନ୍ତୁକ ମର୍ସିୟାକୁ ଅଭିବାଦନ କଲା, କିନ୍ତୁ ମର୍ସିୟା ତାହାର କୌଣସି ଉତ୍ତର ଦେଲା ନାହିଁ, କେବଳ କୌତୂହଳପୂର୍ଣ୍ଣ ଦୁଷ୍ଟିରେ ତାକୁ ନିରୀକ୍ଷଣ କରିବାକୁ ଲାଗିଲା ।

 

ଫାଭିୟସ୍‌ କହିଲେ, ‘‘ଏ ଲୋକ କହୁଛି ତୁମକୁ ମୋ ପାଖରୁ ଦୂରରେ ରଖିବାକୁ ।’’

 

ମର୍ସିୟା ଚମକି ପଡ଼ିଲା ଏବଂ ବିସ୍ମିତ ହୋଇ ପଚାରିଲା, ‘‘କାହିଁକି, ବାବା ?’

 

‘‘ଯେଉଁମାନେ ସତ୍ୟ ନ ଜାଣନ୍ତି, ସେମାନଙ୍କ ପରି ତୁମେ ଜଗତ୍‌ ସକାଶେ ଜଗତରେ ସୁଖରେ ରହିବ । ଏହି ପ୍ରକାର ଜୀବନଧାରଣ କରିବାକୁ କଣ ତୁମର ଇଚ୍ଛା ?’ ମର୍ସିୟା ସୁସ୍ଥିର ଏବଂ ଦୃଢ଼ଭାବରେ କହିଲା, ‘‘ନା, ବାବା ।’’

 

‘‘ସେ କହୁଛି, ଜଗତରେ ଖୁବ୍‌ ସୁଖ ଅଛି ।’’

 

ମର୍ସିୟା ଆଗନ୍ତୁକର ସମ୍ମୁଖୀନ ହୋଇ ଗଭୀର ଉଚ୍ଛ୍ୱାସର ସହିତ କହିଲା ‘‘ସେ କଣ କହୁଛି, ତାହା ସେ ଜାଣେ ନାହିଁ । ଈଶ୍ୱରଙ୍କ ରାଜ୍ୟରେ ଖାଦ୍ୟ ପାନୀୟରେ ଆନନ୍ଦ ନାହିଁ, ଶାନ୍ତି ଓ ଧାମକତାରେ ।’’ ହଠାତ୍‌ ଅଟକି ଯାଇ କହିଲା, ‘‘ବାବା, ଏହି ଲୋକ ମୋର ଅନୁସରଣ କରୁଥିଲା-।’’

 

ଫାଭିୟସ୍‌ ପଚାରିଲେ, ‘‘ଟାଇଟସ୍‌, ତୁମେ କହିଁକି ଏ ବାଳିକାର ଅନୁସରଣ କରୁଥିଲା-?’’

 

ମର୍ସିୟା କହିଲା, ‘‘ସେ ଟାଇବରର ଟାଇଟସ୍‌ ନୁହେଁ, ସେ ମାର୍କସ ସୁପର୍ବସ୍‌, ରୋମର ପ୍ରିଫେକ୍‌ଟ ।’’

 

ଫାଭିୟସ୍‌ ଚମକି ପଡ଼ିଲେ । ତାପରେ କହିଲେ, ‘‘ପ୍ରିଫେକ୍‌ଟ ମାର୍କସ ?’’ ସେହି ବସ୍ତ୍ରାବଗୁଣ୍ଠ ତ ମୂର୍ତ୍ତିଆଡ଼କୁ ବ୍ୟସ୍ତ ଭାବରେ ଅନାଇ କହିଲେ, ‘‘ମାର୍କସ୍‌ ?’’

 

ମର୍ସିୟା ଅତି ଧୀରେ ଧୀରେ ଆଗନ୍ତୁକକୁ କହିଲା, ‘‘ତୁମେ କଣ ଅସ୍ୱୀକାର କରୁଛ ?’’

 

ମାର୍କସ୍‌ ଅବିକୃତ କଣ୍ଠରେ ଉତ୍ତର ଦେଲା, ‘‘ଯୁବତୀ, ତୁମର ଦୃଷ୍ଟି ଯେପରି ସୁନ୍ଦର ସେହିପରି ତୀକ୍ଷଣ୍‌ ।’’ ଏହା କହି ଏକ ନିମିଷରେ ଆବରଣ ଉନ୍ମୋଚନ କରି ମାର୍କସ୍‌ ସମାନ୍ୟ ଦରିଦ୍ରର ବେଶରେ ସେମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲା ।

 

ମର୍ସିୟା ସ୍ୱଭାବତଃ ସଂକୁଚିତ ହୋଇ ଫାଭିୟସଙ୍କ ଆଡ଼କୁ ଘୁଞ୍ଚି ଆସିଲା ।

 

ଫାଭିୟସ୍‌ କ୍ରୁଦ୍ଧ ହୋଇ ଅବଜ୍ଞାଭରେ କହିଲେ, ‘‘ମୁଁ ମନେ କରିଥିଲି, ମାର୍କସ ଅନ୍ୟମାନଙ୍କୁ ଚରକାର୍ଯ୍ୟରେ ନିଯୁକ୍ତ କରେ ।’’

 

ମାର୍କସ ଉତ୍ତର କଲା, ‘‘ବୃଦ୍ଧ, ଅନ୍ତର୍ଯ୍ୟାମୀ ଜାଣନ୍ତି, ମାର୍କସ୍‌ ତାହାହିଁ କରେ, ନିଜେ କେଭେ ନିଜ ପାଇଁ ଚରବୃତ୍ତିର ହୀନତା ସ୍ୱୀକାର କରେ ନାହିଁ । କିନ୍ତୁ ଏଠି ଜଣେ ଅଛି, ଯାହାକୁ ଦେଖିବା ପାଇଁ ସେ ସମସ୍ତ କରିପାରେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଇପାରେ । ଯଦିବା ଟାଇରସ ବୋଲି କେହି ନାହିଁ, ତଥାପି ତାହାର ପରିବର୍ତ୍ତରେ ମାର୍କସ ଆନନ୍ଦରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବ-। କିନ୍ତୁ ବାଳବୃଦ୍ଧ ନିବର୍ବିଶେଷରେ ସମସ୍ତ ଖ୍ରୀଷ୍ଟିୟାନଙ୍କୁ ଧ୍ୱଂସ କରିବାର ଆଜ୍ଞାପତ୍ର ସିଜର ତାହାରି ହାତରେ ସମର୍ପଣ କରିଅଛି । ବର୍ତ୍ତମାନ ତୁମ୍ଭେମାନେ ଯେ ଖ୍ରୀଷ୍ଟିୟାନ, ଏହାର ପ୍ରତ୍ୟକ୍ଷ ପ୍ରମାଣ କିଛି ତୁମ୍ଭମାନଙ୍କ ବିରୁଦ୍ଧରେ ନାହିଁ, ଆଉ ଈଶ୍ୱର କରନ୍ତୁ କୌଣସି ପ୍ରମାଣ ଯେପରି ନ ମିଳେ, କାରଣ ମୋତେ ସିଜରର ଆଜ୍ଞା ପାଳନ କରିବାକୁ ହେବ । ସେଥିପାଇଁ ମୁଁ ପୁନର୍ବାର ସମୟ ଥାଉଁ ଥାଉଁ ସତର୍କ କରାଇ ଦେଉଛି ।

 

ଏହାର କୌଣସି ଉତ୍ତର ଦେବା ପୂର୍ବରୁ ଦ୍ୱାରରେ କରାଘାତ ହେଲା ଏବଂ ସାଙ୍କେତିକ ଶବ୍ଦ ଶୁଣାଗଲା । ଫାଭିୟସ୍‍ ପଚାରିଲେ, ‘‘କିଏ ସେ ?’’

 

ଉତ୍ତର ଦେଲା, ‘‘ତୁମ୍ଭର ବନ୍ଧୁ ମେଲସ୍‌, ଶୀଘ୍ର ଖୋଲ, ସଂବାଦ ବଡ଼ ଖରାପ ।’’

 

ଫାଭିୟସ୍‌ ଦ୍ୱାର ଫିଟାଇ କହିଲେ, ‘‘ଆସ ।’’ ମେଲସ୍‌ ଝଡ଼ ପରି ଘରେ ପଶି ଉତ୍ତେଜିତ ଭାବରେ କହିଲା, ‘‘ଲିସିନିୟସ୍‌ ଷ୍ଟିଫାନ୍‌ସକୁ ବନ୍ଦୀ କରି ନେଇଯାଇଛି ।’’

 

ମର୍ସିୟା କାନ୍ଦ କାନ୍ଦ ହୋଇ କହିଲା, ‘‘ଷ୍ଟିଫାନସ୍‌ ବନ୍ଦୀ ?’’

 

ମେଲସ୍‌ କହିଲା, ‘‘ହଁ ଆହୁରି ମଧ୍ୟ–’’ ଏତିକି କହି ଦରିଦ୍ର ବେଶଧାରୀ ମାର୍କସ୍‌କୁ ଦେଖି ପଚାରିଲା, ‘‘ଏ କିଏ ?’’

 

ମାର୍କସ୍‌ ଉତ୍ତର କଲା, ‘‘ରୋମର ପ୍ରିଫେକ୍‌ଟ ମାର୍କସ୍‌ ସୁପର୍ବସ୍‌ ।’’ ମେଲସ୍‌ ବିସ୍ମିତ ହୋଇ ପଚାରିଲା, ‘‘ତାଙ୍କର ଏଠି କି ଦରକାର ?’’

 

ମାର୍କସ୍‌ କହିଲା, ‘‘ସେ କଥା ପରେ ହେବ ।’’ ତାପରେ ମର୍ସିୟା ଆଡ଼କୁ ଅନାଇ ପଚାରିଲା, ‘‘ଏ ଷ୍ଟିଫାନ୍‌ସ କିଏ ? ଯେଉଁ ପିଲାକୁ ମୁଁ ତୁମ ସଙ୍ଗରେ ଦେଖିଥିଲି ?’’

 

ମର୍ସିୟା କାନ୍ଦ କାନ୍ଦ ହୋଇ କହିଲା, ‘‘ହଁ, ସେହି ।’’ ମାର୍କସ୍‌ ମେଲସ୍‌କୁ ପଚାରିଲା, ‘‘କେତେବେଳେ ଧରା ପଡ଼ିଲା ?’’

 

ମେଲସ୍‌ ଉତ୍ତର କଲା, ‘‘ଏହିକ୍ଷଣି ।’’ ‘‘କଣ ଲିସିନିୟସ୍‌ ନିଜେ ଧରି ନେଇ ଯାଇଛି ?’’

 

ମାର୍କସ ଶତ୍ରୁ କିମିତ୍ର, ଏହା ନ ଜାଣିବାରୁ ମେଲସ୍‌ ଉତ୍ତର ଦେବାକୁ ଇତସ୍ତତଃ କରିବାକୁ ଲାଗିଲା ।

 

ମାର୍କସ୍‌ ଏଥିରେ ବିରକ୍ତି ହୋଇ ଜୋରରେ କହିଲା, ‘‘ଶୀଘ୍ର କହ, କିଏ ଧରି ନେଇଯାଇଛି ?’’

 

‘‘ହଁ, ଲିସିନିୟସ୍‌ ନିଜେ ଧରି ନେଇଯାଇଛି ।’’

 

‘‘ତାକୁ ସେ କେଉଁଠାକୁ ନେଇଛି ଜାଣ ?’’

 

‘‘ଜିଲ୍ଲାର କାରାଗୃହକୁ ।

 

‘‘ଆଉ କିଛି କହିବା ଦରକାର ନାହିଁ ।’’ ମର୍ସିୟା ଓ ତାହାର ବନ୍ଧୁମାନଙ୍କ ଆଡ଼କୁ ଫେରି ପଡ଼ି କହିଲା, ‘‘ଯଦି ସେ ପିଲା ତୁମମାନଙ୍କ ବିରୁଦ୍ଧରେ କିଛି ଜାଣିଥାଏ, ତାହାହେଲେ ଏହି ମସୟରୁ ଦେଶତ୍ୟାଗ କରି ପଳାୟନ କର, କାରଣ ନାନା ଯନ୍ତ୍ରଣା ଦେଇ ସେ ପିଲା ମୁହଁରୁ ଯେ କୌଣସି ଉପାୟରେ ଲିସିନିୟସ୍‌ କଥା କାଢ଼ିବ । ମୁଁ ଯାଉଛି ଲିସିନିୟସ ନିକଟକୁ । ତାହାର କର୍ତ୍ତବ୍ୟରେ ମୁଁ ବାଧା ଦେଇ ପାରିବି ନାହିଁ । କିନ୍ତୁ ଯନ୍ତ୍ରଣାର ହସ୍ତରୁ ପିଲାକୁ ହୁଏତ ଉଦ୍ଧାର କରି ପାରିବି । ମୋ ପରାମର୍ଶ ଅବହେଳା କର ନାହିଁ, ନମସ୍କାର । ଆଉ ଭଦ୍ରେ, ମୋତେ ତୁମର ଅନୁଗତ ବୋଲି ଜାଣିବ ।’’ ଏହା କହି ମର୍ସିୟା ପ୍ରତି ମସ୍ତକ ଅବନତ କରି ମାର୍କସ୍‌ ଶୀଘ୍ର ସେ ସ୍ଥାନରୁ ବାହାରିଗଲା ।

 

ମର୍ସିୟା ଯେ ମାର୍କସର ପ୍ରତ୍ୟେକ କଥା ମନୋଯୋଗ ସହକାରେ ଶୁଣୁ ନ ଥିଲା, କି ଅବା ତାହାର ପ୍ରତ୍ୟେକ କାର୍ଯ୍ୟ ଲକ୍ଷ୍ୟ କରୁ ନ ଥିଲା, ତାହା ନୁହେଁ, କିନ୍ତୁ ସେ ସମୟରେ ସେ ଷ୍ଟିଫାନ୍‌ସ ପାଇଁ ବଡ଼ ବ୍ୟାକୁଳ ହୋଇଥିଲା, ସେଥିପାଇଁ କହିଲା, ‘‘ବାବା, ଷ୍ଟିଫାନ୍‌ସର କଣ ହେବ-? ତାକୁ ସାହାଯ୍ୟ କରିବାର କୌଣସି ଉପାୟ ନାହିଁ ?’’ ଫାଭିୟସ୍‌ ଗମ୍ଭୀର ଭାବରେ କହିଲେ, ‘‘ଆମ୍ଭେମାନେ ତାହାର କୌଣସି ସାହାଯ୍ୟ କରି ପାରିବା ନାହିଁ ’’ ଏବଂ ଉପର ଆଡକୁ ହାତ ବଢ଼ାଇ କହିଲେ, କିନ୍ତୁ ସେ କରିବେ ।’’

 

ମର୍ସିୟା ଅଶ୍ରୁପୂର୍ଣ୍ଣ ଲୋଚନରେ କହିଲା, ‘‘ଆହା, ମୁଁ ଭଲା ଏତେବେଳେ ତା ପାଖରେ ଥାଇ ତାର ବେଦନାର ଅଂଶ ନେଇଥାନ୍ତି ।’’

 

ଫାଭିୟସ୍‌ ଅତି ସ୍ନେହରେ ଉତ୍ତର କଲେ, ‘‘ମା ତୁମପାଇଁ ଅନ୍ୟ କାର୍ଯ୍ୟ ରହିଅଛି । ଜଣେ ଲୋକ ପତିତ ହେଲା ବୋଲି ଆମ୍ଭମାନଙ୍କର ଯାତ୍ରା ସ୍ଥଗିତ ରହିବ ନାହିଁ । ତୁମେ କଣ ଭୟ ପାଉଛ, ମା ?’’

 

ସାତ୍ତ୍ୱିକ ଅନୁପ୍ରାଣନାରେ ମର୍ସିୟାର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା, ସେ କହିଲା, ‘‘ନା ବାବା ମୁଁ ଭୟ କରୁ ନାହିଁ । ପ୍ରଭୁ ଯାହା କରିବାକୁ ଆଦେଶ ଦେବେ, ତାହା ଯେଡ଼େ କଷ୍ଟକର ହେଉ ପଛକେ ମୁଁ କରିବି, ମୁଁ ଲଙ୍ଗଳରେ ହାତଦେଇ ପଛକୁ ଅନାଇବି ନାହିଁ ।’’

 

‘‘ତୁମ ସମ୍ମୁଖରେ ମୃତ୍ୟୁ ଓ କବର ଉପସ୍ଥିତ ହେଲେ ମଧ୍ୟ ପଛକୁ ଅନାଇବ ନାହିଁ ।

 

‘‘ମୃତ୍ୟୁ ଓ କବର ଉପସ୍ଥିତ ହେଲେ ମଧ୍ୟ ପଛକୁ ଅନାଇବି ନାହିଁ ।’’

 

ପୃଥିବୀରେ ତୁମ ଜୀବନର ପରମ ପ୍ରିୟତମର ଆହ୍ୱାନରେ ସୁଦ୍ଧା ପଛକୁ ଅନାଇବ ନାହିଁ-।’’

 

‘‘ଏ ପୃଥିବୀରେ ମୋ ଜୀବନର ପରମ ପ୍ରିୟତମର ଆହ୍ୱାନରେ ସୁଦ୍ଧା ପଛକୁ ଅନାଇବି ନାହିଁ ।’’

 

ଏକ ମୁହୂର୍ତ୍ତ ନୀରବ ରହି ଫାଭିୟସ୍‌ କହିଲେ, ‘‘ତେବେ ଚାଲ, ଏଠୁଁ ଯିବା । ଅନ୍ୟାନ୍ୟ ଭାଇମାନେ ହୁଏତ ଏତେବେଳ ସୁଦ୍ଧା ଟାଇବର ତଳେ ପ୍ରାର୍ଥନା ସ୍ଥାନକୁ ଯାତ୍ରା କଲେଣି । ଚାଲ, ସେମାନଙ୍କ ସଙ୍ଗେ ପ୍ରାର୍ଥନା କରିବାକୁ ଅବା ଦୁଃଖ ଭୋଗ କରିବାକୁ ଆମ୍ଭମାନଙ୍କ ପାଇଁ ଈଶ୍ୱରଙ୍କର ଯେପରି ଅଭିପ୍ରାୟ, ତାହା ଗ୍ରହଣ କରିବାକୁ ଅଗ୍ରସର ହେଉଁ । ଯଦିବା ଦୁଷ୍ଟ ଲୋକେ ଆମର ଚତୁଃପାର୍ଶ୍ୱରେ ଘେରି ରହିଅଛନ୍ତି, ସେ ଇଚ୍ଛା କଲେ ଆମ୍ଭମାନଙ୍କର ଚାରିଆଡ଼େ ପରିତ୍ରାଣର ଅଗ୍ନିମୟ ପ୍ରାଚୀର ହୋଇ ଆମ୍ଭମାନଙ୍କୁ ରକ୍ଷା କରିବେ ।’’

 

ତତ୍‌ପରେ ସେଷ୍ଟିୟାନ ସେତୁ ଆଡ଼କୁ ସେମାନେ ଏକତ୍ର ଯାତ୍ରା କରିବାକୁ ଆରମ୍ଭ କଲେ, କିନ୍ତୁ ହାୟ ! ଜାଣି ନ ଥିଲେ ଯେ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନିମନ୍ତେ ଏ ଯାତ୍ରା ଶେଷଯାତ୍ରା ।

 

Image

 

ଦଶମ ପରିଚ୍ଛେଦ

ଷ୍ଟିଫାନ୍‌ସକୁ ଯନ୍ତ୍ରଣା ପ୍ରଦାନ

 

ଫାଭିୟସ୍‌ଙ୍କଠାରୁ ବିଦାୟ ନେଇ ଷ୍ଟିଫାନ୍‌ସ ମେଲସ୍‌ ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା, କିନ୍ତୁ ଅତି ଦ୍ରୁତବେଗରେ ଦୌଡ଼ିଲେ ସୁଦ୍ଧା ସର୍ଭିଲିୟସ୍‌କୁ ପଛରେ ପକାଇ ପାରିଲା ନାହିଁ । କାରଣ ସର୍ଭିଲିୟସ୍‌ ଏଯାବତ୍‌ ଫାଭିୟସ୍‌ଙ୍କ ଘର ପଛଆଡ଼େ ଲୁଚିଥିଲା, ଷ୍ଟିଫାନ୍‌ସକୁ ବାହାରିବାର ଦେଖି ସେ ମଧ୍ୟ ତାହାର ଅନୁଧାବନ କଲା । ଦୌଡ଼ିବାବେଳେ ସେ ବରାବର ଆପଣାକୁ ଗୋପନରେ ରଖି ଷ୍ଟିଫାନ୍‌ସର ଗତିବିଧି ଲକ୍ଷ୍ୟ କରୁଥିଲା ଏବଂ ସମସ୍ତ ପଥ ଏହିପରି ତାକୁ ଆଖି ଆଗରେ ରଖିଥିଲା । ଷ୍ଟିଫାନ୍‌ସ ମେଲସ୍‌ର ଘରର ନିକଟବର୍ତ୍ତୀ ହେବାବେଳକୁ ମେଲସ୍‌ ଘରୁ ବାହାରି ପଡ଼ିଲା ଏବଂ ବାଟ ପାଖରେ ବରଣ୍ଡା ନିକଟରେ ଷ୍ଟିଫାନ୍‌ସ ସଙ୍ଗରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲା । ଇତ୍ୟବସରରେ ସର୍ଭିଲିୟସ୍ ନିକଟରେ ଥିବା ସ୍ତମ୍ଭ ଉଢ଼ାଳରେ ରହି ସେମାନଙ୍କ କଥା ଶୁଣିବାକୁ ଲାଗିଲା । ଷ୍ଟିଫାନ୍‌ସ ଯେତେବେଳେ ମେଲସ୍‌କୁ ଖ୍ରୀଷ୍ଟିୟାନମାନଙ୍କର ସେହି ରାତ୍ରିର ସଭା ବିଷୟ କହିବାକୁ ଯାଉଥିଲା, ସେତେବେଳେ ସେ ରହି ଚରକୁ ସ୍ତମ୍ଭ ଆଡ଼ୁ ମୁହଁ ଗଳେଇ କଥା ଶୁଣିବାର ଦେଖି କଥା କହିବା ବନ୍ଦ କରି ଦେଲା ଏବଂ ମେଲସ୍‌କୁ ରାସ୍ତାର ଅପର ପାର୍ଶ୍ୱକୁ ଟାଣିନେଲା । ସର୍ଭିଲିୟସ୍‌ କଥା ଶୁଣିବାର ଅନ୍ୟ ଉପାୟ ନ ଦେଖି ଜିଲ୍ଲାଦାର ଲିସିନିୟସ ନିକଟକୁ ଦଉଡ଼ିଲା ଏବଂ ଯାହା ଦେଖିଥିଲା ଓ ଶୁଣିଥିଲା, ସେ ସମସ୍ତ ତାକୁ ଜଣାଇଲା । ଲିସିନିୟସ ଷ୍ଟଫାନସକୁ ଧରିବା ପାଇଁ ଚାରିଆଡ଼େ ସୈନ୍ୟ ପଠାଇଲା ।

 

ମେଲସ୍‌ ଅନ୍ୟାନ୍ୟ ଭ୍ରାତୃଗଣଙ୍କୁ ସଭାର ଏ ସମ୍ବାଦ ଦେବାକୁ ଚାଲିଗଲାରୁ ଷ୍ଟିଫାନସ ସେଷ୍ଟିୟାନ ସେତୁ ଆଡ଼କୁ ଏକାକୀ ଚାଲିବାକୁ ଲାଗିଲା, କିନ୍ତୁ ବେଶି ଦୂର ନ ଯାଉଣୁ ଲିସିନିୟସର ଦୁଇଜଣ ସୈନ୍ୟଙ୍କ ହାତରେ ଧରା ପଡ଼ି ବନ୍ଦୀ ଘରକୁ ଅଣାଗଲା । ବନ୍ଦୀ ହେବାର କୌଣସି କାରଣ ତାକୁ ଜଣାଇ ଦିଆଗଲା ନାହିଁ, କି ତାହାର କୌଣସି ପ୍ରଶ୍ନର ଉତ୍ତର ସେ ପାଇଲା ନାହିଁ । ଲିସିନିୟସର ଇଚ୍ଛା ଥିଲା ତାକୁ ଭୟ ପ୍ରଦର୍ଶନ କରି ତାହାର ସଙ୍ଗୀମାନଙ୍କର ସମସ୍ତ କଥା ତା ମୁହଁରୁ ଶୁଣିବ । ଏଥିପାଇଁ ସେ ବାଳକର ଦୁଇ ହାତ ଶିକୁଳିବଦ୍ଧ କରି ନଦୀ ତୀରରେ ନିମ୍ନତମ ଭୂମଧ୍ୟବର୍ତ୍ତୀ କରାଗୃହରେ ତାକୁ ନିକ୍ଷେପ କଲା । ଏ ସ୍ଥାନର ଅନ୍ଧକାରକୁ ଭୀଷଣତର କରିବାକୁ ଗୋଟିଏ ଅତି କ୍ଷୀଣ ପ୍ରଦୀପ ଜଳୁଥିଲା । ତଳ ଚଟାଣ ଶୈବାଳମୟ, କାରଣ ସଦାବେଳେ ସନ୍ତସନ୍ତିଆ, ସେଥିପାଇଁ ବାଳକ ଛିଡ଼ା ହେବା ସକାଶେ ଯେତେ ଚେଷ୍ଟାକଲା, କେବଳ ତାହାର ପାଦ ଖସିବାକୁ ଲାଗିଲା । ଆର୍ଦ୍ରତା ଯୋଗୁଁ ସେ ଶୟନ କରି ପାରିଲା ନାହିଁ, ସ୍ଥାନ ଅପରିସର ଥିବାରୁ ଚଲାବୁଲା କରି ପାରିଲା ନାହିଁ । ଶୈବାଳ ପ୍ରସ୍ତର ଭେଦ କରି ଗୃହ ପ୍ରାଚୀରରେ ସ୍ୱୀୟ ଜାଲ ବିସ୍ତାର କରିଥିଲା ଏବଂ ଆର୍ଦ୍ରତାର ତୀବ୍ର ଚତୁର୍ଦ୍ଦିଗରୁ ଉଠୁଥିଲା ।

 

ଷ୍ଟିଫାନସ ଧରାପଡ଼ିବାର ସମ୍ବାଦ ଲିସିନିୟସ୍‌ ତତ୍‌କ୍ଷଣାତ ଟିଗେଲିନସ୍‍ ନିକଟକୁ ପଠାଇଲା ଏବଂ ମାର୍କସ୍‌ ଅନ୍ୟ ଦିନ ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ରକ୍ଷା କରିଥିଲା ସେମାନଙ୍କ ସମ୍ବନ୍ଧରେ ଷ୍ଟିଫାନ୍‌ସ ଯେ ଅନେକ ପ୍ରୟୋଜନୀୟ ସମ୍ବାଦ ଦେଇ ପାରିବ ଏହା ଜଣାଇ ଟିଗେଲିନସ୍‌ ଯେପରି ବନ୍ଦୀ ବାଳକର ଏଜାହାର ସମୟରେ ଉପସ୍ଥିତ ହୋଇପାରିବ, ଏଥିନିମିତ୍ତ ମଧ୍ୟ ଅନୁରୋଧ କରି ପଠାଇଲା । ଯଦିବା ତାକୁ କେହି କିଛି କହି ନ ଥିଲେ, ସେ କଣ ପାଇଁ ବନ୍ଦୀ ହୋଇଥିଲା, ତାହା ଷ୍ଟିଫାନ୍‌ସ ଜାଣି ପାରିଥିଲା ଖ୍ରୀଷ୍ଟିୟାନମାନଙ୍କ ସହିତ ତାହାର ସଂସ୍ରବ ଯେତେବେଳେ ଧରା ପଡ଼ିଛି, ସେତେବେଳେ ଯେ ତାହାର ବାଲ୍ୟବୟସ ପ୍ରତି କୌଣସି ମମତା ପ୍ରଦର୍ଶିତ ହେବ ନାହିଁ, ଏହା ସେ ଉତ୍ତମ ରୂପେ ଜାଣିଥିଲା । ସେ କଥା ଭାବି ତାହାର ଦେହ ଥରି ଉଠିଲା । ତାହାର ମନେ ପଡ଼ିଲା, ତାହାର କେତେ ବନ୍ଧୁ ଏହିପରି ହଠାତ୍‌ ରୋମରୁ ଅଦୃଶ୍ୟ ହୋଇ କଲେସିୟମର ରଙ୍ଗମଞ୍ଚରେ ବନ୍ୟପଶୁର ଆହାର ହୋଇଛନ୍ତି, କେତେ ନୀରୋର ଭୋଜରାତ୍ରିରେ ମଶାଲ ହୋଇଛନ୍ତି । ସେ ହିଂସ୍ରପଶୁ, ଗ୍ଳାଡିଏଟର ପ୍ରଭୃତିଙ୍କ ସମ୍ବନ୍ଧରେ ଯାହା ଶୁଣିଥିଲା, ମରଣର ସେ ସମସ୍ତ ବିଭୀଷିକା ବର୍ତ୍ତମାନ ତାହା ନିକଟରେ ଏପରି ସ୍ପଷ୍ଟଭାବରେ ଉପସ୍ଥିତ ହେଲା ଯେ, ସେ ଭୟରେ କମ୍ପିବାକୁ ଲାଗିଲା । ଭୟରେ ସେ ଚିତ୍କାର କରିଥାନ୍ତା, କିନ୍ତୁ ଫାଭିୟସ୍‌ଙ୍କ ନିକଟରେ ସେ ଯେଉଁ ପ୍ରତିଜ୍ଞାରେ ଆବଦ୍ଧ ହୋଇଥିଲା, ସେହି ପ୍ରତିଜ୍ଞା ବର୍ତ୍ତମାନ ତାହାର ମନେ ପଡ଼ିଲା, ‘‘ପିତଃ, ମୁଁ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବି ।’’

 

ସେ ଭାବିଲା–‘‘ମରଣ ପର୍ଯ୍ୟନ୍ତ ?’’ ମରଣ କିନ୍ତୁ ବଡ଼ ଭୟଙ୍କର, ମାତ୍ର; ଏ ପାତାଳଗୃହ–ଯଦି ମୋତେ ନ ମାରିବେ, ମୋତେ କଣ ବରାବର ଏଠି ପକାଇ ରଖିବେ ? ଏହା ଅପେକ୍ଷା ମୃତ୍ୟୁ କଣ ଶ୍ରେୟସ୍କର ନୁହେଁ ? ‘‘ମରଣ ପର୍ଯ୍ୟନ୍ତ ?–ମୁଁ ତ ଶିକ୍ଷା ପାଇଅଛି, ଉଚ୍ଚତର ଜୀବନରେ ପ୍ରବେଶ କରିବା ନିମନ୍ତେ ମରଣ ଅମୃତର ସୋପାନ । ଏହି ଜୀବନ ପ୍ରଦାନ କରିବାକୁ ପରା ପ୍ରଭୁ ନିଜର ପ୍ରାଣ ଦେଇଅଛନ୍ତି? ତେବେ ମୁଁ ମରଣକୁ ଡରିବି କାହିଁକି ? ମୁଁ ପ୍ରଭୁଙ୍କ ସକାଶେ ସମସ୍ତ ନିର୍ଭୟରେ ସହିବି ।’’ ଇତ୍ୟାଦି ପ୍ରକାର ଚିନ୍ତା ଓ ସଂକଳ୍ପ କରି ସୁଦ୍ଧା ଅଳ୍ପବୟସ୍କ ଥିବାରୁ ଭୟରେ ଥରିବାକୁ ଲାଗିଲା ।

 

ମାର୍କସ୍‌ ପ୍ରତି ନୀରୋର ସ୍ନେହକୁ କିପରି ଘୃଣାରେ ପରିଣତ କରିବ, ଏଥିପାଇଁ ଟିଗେଲିନସ୍‌ ଉପାୟ ଖୋଜି ବୁଲୁଥିଲା । ଖ୍ରୀଷ୍ଟିୟାନମାନଙ୍କ ପ୍ରତି ମାର୍କସ୍‌ର ପକ୍ଷପାତିତା ଦେଖି ଏଥିରେ ନିଜର ଅଭୀଷ୍ଟ ସାଧନର ସମ୍ଭାବନା ଦେଖିଲା । ସେଥିପାଇଁ ଯେତେ ବେଳେ ସେ ଷ୍ଟିଫାନ୍‌ସ ସମ୍ବନ୍ଧରେ ଲିସିନିୟସ୍‍ଠାରୁ ସମ୍ବାଦ ପାଇଲା, ତତ୍‌କ୍ଷଣାତ୍‌ ରକ୍ଷୀଦଳ ପରିବେଷ୍ଟିତ ହୋଇ କରାଗୃହ ଆଡ଼କୁ ଅଗ୍ରସର ହେଲା ।

 

ଲିସିନିୟସ୍‌ ସମ୍ଭ୍ରାନ୍ତବଂଶୀୟ ୟାଡ଼ିଲ ନ ଥିଲା, ସାଧାରଣ ପ୍ରଜାଙ୍କ ମଧ୍ୟରୁ ଏ ପଦକୁ ଉନ୍ନୀତ ହୋଇଥିଲା । ଏହି ପଦପ୍ରାପ୍ତ ଲୋକକୁ ଅନେକ କାର୍ଯ୍ୟ କରିବାକୁ ହୁଏ । ଜିଲ୍ଲାର ସମସ୍ତ ସରକାରୀ ଗୃହ, ଦେବ ମନ୍ଦିର, ନାଟ୍ୟଶାଳା, ସ୍ନାନାଗାର, ରାସ୍ତା, ଘାଟ, ନାଳ, ନର୍ଦ୍ଦମା ଏ ସମସ୍ତ ତାହାର ତତ୍ତ୍ୱାବଧାନରେ । ତାକୁ ବଜାର ଓ ବିକ୍ରୟାର୍ଥ ରକ୍ଷିତ ସମସ୍ତ ଦ୍ରବ୍ୟ ପରୀକ୍ଷା କରିବାକୁ ହୁଏ-। ସେ କରଜ ନିଆ ହୋଇଥିବା ଟଙ୍କାର ସୁଧ ନିର୍ଣ୍ଣୟ କରେ, ବିଚାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିର ନିର୍ବାସନ ବିଧାନ କରେ ଏବଂ ନୂତନ ଦେବ ଦେବୀ ଅବା ଧର୍ମ ଯେପରି ସ୍ଥାପିତ ନ ହୁଏ, ଏଥି ନିମିତ୍ତ ସତର୍କତା ଅବଲମ୍ବନ କରେ । ସେଥିପାଇଁ ଏହି ପଦସ୍ଥ ଲୋକମାନଙ୍କ ଉପରେ ଖ୍ରୀଷ୍ଟିୟାନମାନଙ୍କୁ ଜଗିବା ଓ ଧରିବାର ଭାର ଅର୍ପଣ କରା ହୋଇଥିଲା । ଆଇନ ଅନୁସାରେ ପ୍ରିଫେକ୍‌ଟରଙ୍କ ବିନା ଅନୁମତିରେ ୟାଡ଼ିଲମାନଙ୍କର କାହାରିକୁ ବନ୍ଦୀ କରିବାର ଅଧିକାର ନ ଥିଲା, କିନ୍ତୁ ଖ୍ରୀଷ୍ଟିୟାନମାନେ ଏ ପ୍ରକାର ଅବଜ୍ଞାତ ଏବଂ ଘୃଣିତ ହୋଇଥିଲେ ଯେ, ସେମାନଙ୍କ ସମ୍ବନ୍ଧରେ ଏ ବ୍ୟବସ୍ଥାର ଲଘଂନକୁ କର୍ତ୍ତୃପକ୍ଷ ଦୋଷ ବୋଲି ବିବେଚନା କରୁ ନଥିଲେ । ସେଥିପାଇଁ ଅନେକ ସମୟରେ ୟାଡ଼ିଲମାନେ ପ୍ରିଫେକ୍‌ଟର ଅନୁମତି ନ ନେଇ ସୁଦ୍ଧା ଖ୍ରୀଷ୍ଟିୟାନମାନଙ୍କୁ ବନ୍ଦୀ କରୁଥିଲେ ଏବଂ ଦଣ୍ଡ ଦେଉଥିଲେ ।

 

ଏହି ୟାଡ଼ିଲ ଲିସିନିୟସ୍‌ ସ୍ୱଭାବତଃ ଦୟାମୟା ବିବର୍ଜିତ, ପଦବୃଦ୍ଧି ଆଶାରେ ନାନା ପିଶାଚାଧମ କାର୍ଯ୍ୟ କରୁଥିଲା, ସେଥିପାଇଁ ସମସ୍ତଙ୍କ ଅପେକ୍ଷା ଖ୍ରୀଷ୍ଟିୟାନମାନଙ୍କୁ ଅଧିକ ନିର୍ଦ୍ଦୟରୂପେ ତାଡ଼ନା କରୁଥିଲା, ସେଥିପାଇଁ ସମସ୍ତଙ୍କ ଅପେକ୍ଷା ଖ୍ରୀଷ୍ଟିୟାନମାନଙ୍କୁ ଅଧିକ ନିର୍ଦ୍ଦୟରୂପେ ତାଡ଼ନା କରୁଥିଲା । ଟିଗେଲିନସ୍‌ ତାହାର ପଦବୃତ୍ତିରେ ସାହାଯ୍ୟ କରିବାକୁ ଆଶା ଦେଇଥିବାରୁ, ଲିସିନିୟସ ଆପଣାକୁ ତାହା ହସ୍ତରେ ଯନ୍ତ୍ରଚାଳିତ ପୁତ୍ତଳିକା ପରି ଛାଡ଼ି ଦେଇଥିଲା ।

 

ଷ୍ଟିଫାନ୍‌ସ ଏହପରି ଲୋକର ହାତରେ ପଡ଼ିଥିଲା, ଆଉ ବାସ୍ତବିକ୍ ତାହାର ଭୟ କରିବାର ଯଥେଷ୍ଟ କାରଣ ଥିଲା । ଉପର ଘରେ ଟିଗେଲିନସ୍ ଓ ୟାଡ଼ିଲ ଚରକୁ ପ୍ରଶ୍ନ ପଚାରିବାରେ ବ୍ୟସ୍ତ । ସ୍ୱପ୍ନପଦୋପଯୋଗୀ ପୋଷାକ ପରିହତ ହୋଇ ଏହି ଦୁଇ ନିର୍ମମ ହୃଦୟ ରାଜକର୍ମଚାରୀ ଭୀଷଣ କୃତାନ୍ତ ପରି ମେଜ ପାଖରେ ବସି ଅଛନ୍ତି, ପଦପ୍ରାନ୍ତରେ ତୋଷାମୋଦଜୀବି ଚର ସର୍ଭିଲିୟସ୍‌ ପ୍ରଭୁପଦଲେହନଶୀଳ କୁକୁର ପରି ବିଶ୍ୱସ୍ତତାର ଅସ୍ଫାଳନ ଅଭିନୟ କରୁଅଛି, ଦ୍ୱାର ନିକଟରେ ରକ୍ଷୀଗଣ ବର୍ମାବୃତ ପ୍ରସ୍ତର ମୂର୍ତ୍ତିପରି ନିରବ ନିଶ୍ଚଳ ଭାବରେ ଦଣ୍ଡାୟମାନ । ଦୀପଧାରର ଅଲୋକସିଖା କ୍ଷୀଣଭାବରେ ଜଳୁଅଛି ଏବଂ ବାହାରର ଦମକା ପବନରେ, ଇତସ୍ତତଃ ହୋଇ ଗୃହଭିତ୍ତିଠାରୁ ଆରମ୍ଭ କରି ପ୍ରାଚୀର ଓ ଛାଦ ସମସ୍ତ ସ୍ଥାନରେ କ୍ଷଣେ କ୍ଷଣେ କିମ୍ଭୁତ କିମ୍ବାକାର ରହସ୍ୟମୟ ଚଞ୍ଚଳ ଛୟାପତ କରୁଛି । ଯଦିବା କର୍ମଚାରୀମାନେ ରୁଦ୍ଧକଣ୍ଠରେ କଥାବାର୍ତ୍ତା କରୁଅଛନ୍ତି, ସେମାନଙ୍କ ସ୍ୱରରେ କର୍ତ୍ତୃତ୍ୱବ୍ୟଞ୍ଜକ ଦୃଢ଼ତା ପୂର୍ଣ୍ଣମାତ୍ରାରେ ଅଛି । ସେମାନେ ଚରକୁ ପ୍ରଶ୍ନ ଉପରେ ପ୍ରଶ୍ନ ପ୍ରଚାରି ସମସ୍ତ ଶୁଣି ଅବଶେଷରେ ପଚାରିଲେ, ତାପରେ ?

 

ସର୍ଭିଲିୟସ୍ କହିଲା, ତା ପରେ ମୁଁ ତାକୁ ମେଲସ୍, ନାମରେ ଜଣେ ଲୋକ ମୃତ ମହିତ ମୁଁ କଥାବର୍ତ୍ତା କରିବାର ଦେଖିଲି । ଯାଇଁ ଶୁଣିଲି ଯେ, ସେ କହୁଛି; ଭ୍ରାତୃଗଣ ଆଜି ଏକତ୍ରିତ ହେବେ । ଏତିକି କହି ସେ ମୋତେ ଦେଖିପାରି କଥାବାର୍ତ୍ତା ବନ୍ଦ କରି ଦେଲା । ତା ପରେ ମୁଁ ଆସି ୟାଡ଼ିଲଙ୍କୁ ଖବର ଦେଲି ।

 

ଟିଗେଲିନସ୍ ଲିସିନିୟସ୍‍କୁ ପଚାରିଲେ, ‘‘ତୁମ୍ଭେ ସେ ପିଲାକୁ ଦେଖିଲଣି ?’’ ଲିସିନିୟସ୍‍ କହିଲା, ‘ନା'

 

ଟିଗେଲିନସ୍ ଆଜ୍ଞା ଦେଲା, ତାକୁ ଏଠାକୁ ଘେନି ଆସ । ରକ୍ଷୀଗଣ ଆଣିବାକୁ ଉଠିଗଲେ । ତତ୍ପରେ ଟିଗେଲିନସ୍ କହିଲା; ‘ବାଳକ ଯେପରି ସସସ୍ତ ସ୍ୱୀକାର କରେ, ଏଥିନିମିତ୍ତ ତାଳୁ ଭୟ ଦେଖାଇବାକୁ ହେବ । ଆଉ ଏହି ଯୁବତୀ ମର୍ସିୟା ଯଦି ଥରେ ଆମ ହାତରେ ପଡ଼େ, ତାହାହେଲେ ବଡ଼ କାର୍ଯ୍ୟରେ ଆସିବ ।'

 

ରକ୍ଷୀଗଣ ଷ୍ଟାଫିନ୍‍ସକୁ ଘେନି ଆସିଲେ । ବାଳକର ମୁଖ ଯଦିବା ଭୟରେ ବିବର୍ଣ୍ଣ, ତଥାପି ଦୃଷ୍ଟିରେ ଅଟଳ ପ୍ରତିଜ୍ଞା ସୁସ୍ପଷ୍ଟ । ତାହାର ପଛରେ କାରାରକ୍ଷକ ଆସୁଥିଲା । ସେ ଦେଖିବାକୁ କଦାକାର, ରୁକ୍ଷ କୃଷ୍ଣ ଶ୍ମଶ୍ରୁ, ତାକୁ ଯମଦୂତ ପରି ଦେଖାଉଥିଲା । ହସ୍ତରେ ଗ୍ରନ୍ଥିବହୁଳ କଶାଗୁଚ୍ଛ । ରକ୍ଷୀମାନେ ଷ୍ଟିଫାନ୍‍ସକୁ ଘର ଭିତରକୁ ଠେଲି ଦେଲେ । ଟିଗେଲିନସ୍ ପ୍ରଶ୍ନ ପଚାରିବା ପୂର୍ବରୁ ଆଡ଼େଇ କରି ଆଗେ ଟିକିଏ ତାକୁ ଅନାଇଲା, ତା ପରେ ପଚାରିଲା - ତୋ ନାମ କଣ ?

 

ସେ ଉତ୍ତର କଲା–ଷ୍ଟିଫାନ୍‍ସ ।

 

ତୁ ଖ୍ରୀଷ୍ଟିୟାନ ?

 

ଷ୍ଟିଫାନ୍‍ସ ମୂହୂର୍ତ୍ତକପାଇଁ ଇତସ୍ତତଃ ହେଲା, କାରଣ ଏହା ସ୍ୱୀକାର କଲେ ମୃତ୍ୟୁ ନିଶ୍ଚିନ୍ତ-। ସେ ଉତ୍ତର କଲା–ମୁଁ ମୋ ପ୍ରଭୁଙ୍କର ସେବା କରେ ।

 

ସେ କେଉଁଠି ଥାନ୍ତି ?

 

ଭୟକାତର ବାଳକ କମ୍ପିତ କଣ୍ଠରେ ସ୍ୱୀକାର କଲା - ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ।

 

ଲିସିନିୟସ୍ କହିଲା–ନିର୍ବୋଧ ବାଳକ, ଗାଲଭୁରଡ଼ ରଖ, ସିଧା ସିଧା ଉତ୍ତର ଦେ, ନୋହିଲେ କାରାରକ୍ଷକର ଚାବୁକ ପିଠରେ ପଡ଼ିବ । ତୁ ଖ୍ରୀଷ୍ଟିୟାନ ? କଣ କହୁଛୁ ?

 

ଷ୍ଟିଫାନ୍‌ସ ଗୁଣଗୁଣ ହୋଇ କହିଲା - ମୁଁ ତ କହିଲି ।

 

ଟିଗେଲିନସ୍ କ୍ରୁର ହୋଇ କହିଲା - ଚଞ୍ଚଳ ଉତ୍ତର ଦେ, ତୁ କଣ ଏହି ଦେଶୀୟ ଦେବତା ଆନାକାଇଟସ୍‍କୁ ପୂଜା କରୁ ?

 

ବାଳକର ଅଧରପ୍ରାନ୍ତ କମ୍ପିବାରୁ ଲାଗିଲା । ଏ ଦୁଇ ନିଷ୍ଠୁର ବ୍ୟକ୍ତି ତାହାର ସମସ୍ତ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ । ତାକୁ ଏମାନେ, ଏହି ରକ୍ଷୀଦଳ ଓ କାରାରକ୍ଷକ, ବିକ୍ରମରେ ଦୈତ୍ୟ ପରି ଦେଖାଗଲେ ଓ ସେ ଆପଣାକୁ ମଶା ବୋଲି ମନେ କଲା । ସେ କାତର ହୋଇ ଚାରିଆଡ଼କୁ ଦୀନୟନର ଅନାଇବାକୁ ଲଗିଲେ–ସତେ ଅବା ପଳାୟନର ପଥ ଖୋଜୁଅଛି ! କିନ୍ତୁ ସେ ଯେ ଏକାବେଳକେ ନିରୂପାୟ, ଏ କଥା ତାହା ନିକଟରେ ଏ ସ୍ପଷ୍ଟ ହୋଇ ଉଠିଲା ଯେ, ତାହା ଭାବି ଭୟରେ ତାହାର କଣ୍ଠରୁଦ୍ଧ ହୋଇ ଆସିଲା; ସେଥିପାଇଁ ସେ ଟିଗେଲିନ୍‍ସର ପ୍ରଶ୍ନର ଉତ୍ତର ହଠାତ୍ ଦେଇ ପାରିଲା ନାହିଁ ।

 

ପ୍ରଶ୍ନର ଉତ୍ତର ଶୀଘ୍ର ନ ପାଇବାରୁ ଟିଗେଲିନସ୍‍ ପୁନର୍ବାର ତୀବ୍ରଭାବରେ କହିଲା–ମୋ କଥା ଶୁଭୁଛି ? ଏହି ବିଦେଶୀୟ ଦେବତା ଆନାକାଇଟସ୍‌କୁ ତୁ ପୂଜା କରୁ ?

 

ତାହାର ଧର୍ମଶିକ୍ଷା ଏହି ସମୟରେ ତାହାର ମନେ ପଡ଼ିଲା; ସେ ଉତ୍ସାହରେ କହିଲା-ନା, କୌଣସି ହସ୍ତନିର୍ମିତ ପ୍ରତିମା ନୁହେଁ, ମାତ୍ର ମୁଁ ଜୀବନ୍ତ ଈଶ୍ୱରଙ୍କର ପୂଜା କରେ ।

 

ଲିସିନିୟସ୍ ଆସନରୁ ଅଧା ଉଠି ପଡ଼ି ଭ୍ରୁକୁଟିକୁଟିଳ ରୋଷକଷାୟିତ ଲୋଚନରେ ପଚାରିଲା, ତୁ ଏହି ନାଜରତୀୟ–ଏହି ଖ୍ରୀଷ୍ଟର ଉପାସକ କି ନା ? ଏହି କଥା ସଫା ସଫା କହ ।

 

ସେହି ବିକଟ ମୁଖଭଙ୍ଗୀ ଦେଖି ଷ୍ଟିଫାନ୍‍ସର ସର୍ବାଙ୍ଗ ଥରିଗଲା, ସେ ନୀରବ ହୋଇ ରହିଲା । ଲସିନିୟସ୍, କାରାରକ୍ଷକୁ ଇଙ୍ଗିତ କଲା । କାରାରକ୍ଷକର ହସ୍ତ ଉତ୍ତୋଳିତ ହେଲା, ପରମୁହୂର୍ତ୍ତରେ ଜ୍ୱାଳାମୟୀ କଶା ବିକଟ ଶବ୍ଦରେ ବାଳକର ଅନାବୃତ ସ୍କନ୍ଧ ଉପରେ ପତିତ ହେଲା ଏବଂ ଅଗ୍ନିମୟ ସର୍ପପରି ବାହୁ ବକ୍ଷ ବେଷ୍ଟନ କରି ତାହାର କୋମଳ ଶରୀର ଦଗ୍‍ଧ କରିବାକୁ ଲାଗିଲା । ଆହତ ପଶୁ ପରି ବାଳକ ଗଁ ଗଁ ଶବ୍ଦ କରିବାକୁ ଲାଗିଲା, କିନ୍ତୁ ଅନ୍ୟ କୌଣସି ଶବ୍ଦ ତାହାର ରକ୍ତଶୂନ୍ୟ ଓଷ୍ଠାଧାରରୁ ନିର୍ଗତ ହେଲା ନାହିଁ ।

 

ଲିସିନିୟସ୍ ଗର୍ଜନ କରି ଉଠିଲା - ଶୀଘ୍ର କହ, ତୁ ଏହି ଖ୍ରୀଷ୍ଟର । ପୂଜା କରୁ ?

 

ଯାତନା ଅସହ୍ୟ ହୋଇଥିଲା, କିନ୍ତୁ ଓଷ୍ଠରେ ଦନ୍ତ ଚାପି ସେ ତାହା ଗୋପନ, କରି ରଖିଲା, ପରେ କହିଲା, ମୁଁ ମୋର ପ୍ରଭୁକୁ ଅସ୍ୱୀକାର କରିବି ନାହିଁ, ହଁ, ମୁଁ ତାଙ୍କୁ ପୂଜା କରେ ।

 

ପରିତୃପ୍ତିର ଆନନ୍ଦରେ ପିଶାଚର ମୁଖ ପ୍ରଫୁଲ୍ଲ ହୋଇ ଉଠିଲା । ସେ ବିଦ୍ରୁପ କରି କହିଲା, ଏବେ ବାବୁ ବାଟକୁ ଆସିଲେ । ଟିଗେଲିନସ୍‍ ପୁନର୍ବାର ପ୍ରଶ୍ନ କରିବାକୁ ଆରମ୍ଭ କଲା–

ଆଜି ସଞ୍ଜବେଳେ ତୁ ମେଲସ୍‍କୁ ଭ୍ରାତୃଗଣଙ୍କ ସଭା ସମ୍ବନ୍ଧରେ କଣ କଣ କହୁଥିଲୁ, ଏ କଥା ଏ ଲୋକ ଶୁଣିଛି । ଏ ଭ୍ରାତୃଗଣ କିଏ ?

ସେ କଥା ମୁଁ କହିବି ନାହିଁ ।

ସେ ସଭା କେଉଁଠି ହେବ ?

ତାହା ମୁଁ କହିବି ନାହିଁ ।

ତାହା ତୁ ଜାଣୁ ?

ହଁ, ମୁଁ ଜାଣେ ।

ଲିସିନିୟସ୍‌ ଉପରେ ପଡ଼ି କହିଲା, ତେବେ ତୋତେ କହିବାକୁ ହେବ ।

ମୁଁ ତାହା କହିବି ନାହିଁ ।

ଲିସିନିୟସ୍‍ କ୍ରୋଧରେ ଚିତ୍କାର କରି ଉଠିଲା, ତାକୁ ଆଉଥରେ ଚାବୁକ୍ ଚଖାଅ । ପୁନର୍ବାର କାରାରକ୍ଷକର କଶା ବାଳକ ଉପରେ ପଡ଼ିଲା, ସେ ଯନ୍ତ୍ରଣାରେ ଅର୍ତ୍ତନାଦ କରି ତଳେ ପଡ଼ିଗଲା ।

ଲିସିନିୟସ୍ କହିଲା–ଯଦି ନ କହିବୁ, ତୋତେ ମାରି ପକାଇବି ।

 

ବାଳକ କ୍ଷୀଣସ୍ୱରରେ କହିଲା, ମୋର ଦେହକୁ ସିନା ମାରିବ, ଅତ୍ମାକୁ ମାରି ପାରିବ ନାହିଁ ।

 

ଟିଗେଲିନସ୍ କହିଲା ଅକାରଣରେ କାହିଁକି ଏ ଯନ୍ତ୍ରଣା ଭୋଗୁଛୁ, କହିଦେ ।

 

ବାଳକ କାନ୍ଦ କାନ୍ଦ ହୋଇ କହିଲା -ଯେଉଁ ପ୍ରଭୁ ମୋ ପାଇଁ ଯନ୍ତ୍ରଣା ସହିଥିଲେ, ସେ ମୋତେ ସାହାଯ୍ୟ କରିବେ ।

 

ଟିଗେଲିନସ୍‌ ମନେ ମନେ କହିଲା, ଏହି ଧର୍ମପାଗଳ ଖ୍ରୀଷ୍ଟିୟାନମାନଙ୍କର ଧୈର୍ଯ୍ୟ ଅପରିସୀମ !

 

ଲିସିନିୟସ୍‌ କହିଲା–ତାକୁ ରାକ୍‌ରେ (Rack) ଚଢ଼ାଅ, ତାହାହେଲେ ତା ଧୈର୍ଯ୍ୟ ଭାଙ୍ଗିଯିବ ।

 

ଟିଗେଲିନସ୍‌ କହିଲା -ଟିକିଏ ରହ, ଆଉଥରେ ମୁଁ ତାକୁ ପଚାରେଁ । ତା ପରେ ବାଳକ ଆଡ଼କୁ ଅନାଇ କହିଲା, ଦେଖ, ତୁ ଯଦି ସେହି ଭାତୃଗଣଙ୍କ ନାମ ଓ ସେମାନେ ଯେଉଁଠାରେ ଆଜି ରାତ୍ରରେ ଏକତ୍ର ହେବେ, ସେ ସ୍ଥାନର ନାମ କହିଦେବୁ, ତାହାହେଲେ ତୋତେ ଆମ୍ଭେମାନେ କ୍ଷମା ଦେବା, ଆଉ କଷ୍ଟ ଦେବା ନାହିଁ ।

 

ଉତ୍ତର ଦେଲା- ତୁମେ ସିନା ମୋତେ କ୍ଷମା କରିବ, ମୋ ବିବେକ ମୋତେ କ୍ଷମା କରିବ ନାହିଁ ।

 

ଲିସିନିୟସ୍ ପଚାରିଲା, ତାହାହେଲେ ତୁ କହିବୁ ନାହିଁ ?

 

ବାଳକ ଯଦିବା ଥରୁଥିଲା, ତଥାପି ଦୃଢ଼ଭାବରେ କହିଲା–ନା ।

 

ଲିସିନିୟସ୍‍ କହିଲା - ଯଥେଷ୍ଟ । ତାକୁ ରାକ୍‌ରେ ଚଢ଼ାଅ ।

 

ରାକ୍‌ ! ରାକ୍ କଣ ? ଏହି ରାକ୍‌ର ଯନ୍ତ୍ରଣା କଥା ଷ୍ଟିଫାନ୍‌ସ ଅନେକ ଥର ଶୁଣିଲା, କିନ୍ତୁ ଏଯାବତ୍ ଏହାକୁ ଦେଖି ନ ଥିଲା । ତାକୁ ରକ୍ଷୀମାନେ ପାଖ ଘରକୁ ଘୋଷାଡ଼ି ନେଲେ, ଟିଗେଲିନସ୍ ଲିସିନିୟସ୍ ଓ ସର୍ଭିଲିୟସ୍‌ ତା ପଛେ ପଛେ ସେ ଘରେ ପଶିଲେ । ଘରର ଭିତ୍ତି ଓ ପ୍ରାଚୀର ପ୍ରସ୍ତରମୟ । ପ୍ରାଚୀର ଗାତ୍ରରେ କିମ୍ଭୁତ କିମ୍ବାକର ଯନ୍ତ୍ର ସବୁ ଟଙ୍ଗା ହୋଇଥିଲା । ବନ୍ଦୀ କୌଣସି ବିଷୟ ସ୍ୱୀକାର କରିବାକୁ ଅନିଚ୍ଛୁକ ହେଲେ, ତାକୁ ସ୍ୱୀକାର କରାଇବାକୁ ବାଧ୍ୟ କରିବା ନିମନ୍ତେ ସେଠାରେ ନାନାପ୍ରକାର ଯନ୍ତ୍ରଣାଦାୟକ ଯନ୍ତ୍ର ଥିଲା । ସେଠି ଏକ ପ୍ରକାର ଲୁହାର ଯୋତା ଥିଲା, ତାକୁ ପିନ୍ଧାଇ ଉପରୁ ପେଚ ମୋଡ଼ି ପାଦ ଧୀରେ ଧୀରେ ନିଷ୍ପେଷିତ ହୋଇ କେବଳ ମାଂସ ପେଣ୍ଡୁଳା ଅବଶିଷ୍ଟ ରହେ । ଗୋଟାଏ ପ୍ରକାଣ୍ଡ ଚକ୍ରାକାର ପଦାର୍ଥ ଥିଲା । ଏହା ଉପରେ ବନ୍ଦୀ ବନ୍ଧା ହୋଇ ପ୍ରବଳ ବେଗରେ ଘୂର୍ଣ୍ଣିତ ହୁଏ ଏବଂ ଯେପର୍ଯ୍ୟନ୍ତ ମୃତ୍ୟୁ କିମ୍ବା ମୂର୍ଚ୍ଛା ଆସି ତାହାର ଚେତନା ହରଣ ନ କରେ, ସେପର୍ଯ୍ୟନ୍ତ ସେ ଦୁଃସହ କଷ୍ଟ ଭୋଗ କରୁଥାଏ । ଘର ମଝିରେ କଡ଼ି କାଠ ପରି ଦୁଇଟା ବଡ଼ ବଡ଼ କାଠରେ ତିଆରି ହୋଇଥିବା ସିଡି ପରି ଗୋଟାଏ ଯନ୍ତ୍ର ଥିଲା । ଏହାର ନାମ ‘ରାକ୍’ । ଏହି ସିଡି ଉପରେ ବନ୍ଦୀକୁ ଲମ୍ବଭାବରେ ଶୁଆଇ ଦିଆଯାଏ । ସିଡିର ଉଭୟ ପାର୍ଶ୍ୱରେ ଦୁଇଟା କାଠର ଚକ । ଏହି ଦୁଇଚକ ଉପରେ ଶକ୍ତ ଦଉଡ଼ି ଗୁଡ଼ିଆ । ଉଭୟ ଦିଗର ଦଉଡ଼ି ଟାଣି ଆଣି ବନ୍ଦୀର ଦୁଇ ହାତରେ ମଣିବନ୍ଧ ଓ ଗୋଡ଼ର ବଳାଗଣ୍ଠିରେ ବାନ୍ଧି ଦିଆଯାଏ । ତା ପରେ ଧୀରେ ଧୀରେ କାରାରକ୍ଷକ ଓ ତାହାର ଲୋକେ ଉଭୟ ଦିଗର ଚକକୁ ବିପରୀତ ଦିଗରେ ଘୂରାଇବାକୁ ଆରମ୍ଭ କରନ୍ତି । ଚକ ଘୂରିଲେ ଦଉଡ଼ି ଓଟାରି ହୁଏ, ତହିଁ ସଙ୍ଗେ ସଙ୍ଗେ ବନ୍ଦୀର ଶରୀରର ଗ୍ରନ୍ଥି ଓ ମାଂସପେଶୀ ସମସ୍ତ ପରସ୍ପରଠାରୁ ବିଚ୍ଛିନ୍ନ ହୁଅନ୍ତି ଏବଂ ବନ୍ଦୀ ଅକଥନୀୟ ଯନ୍ତ୍ରଣା ପାଇ ପ୍ରାଣ ବିସର୍ଜ୍ଜନ କରେ ।

 

ଏହି ‘ରାକ୍‌’ ଯେତେବେଳେ ଅନ୍ୟାନ୍ୟ ଲୋକେ ଷ୍ଟିଫାନ୍‌ସ ନିମିତ୍ତ ସଜାଡ଼ୁଥିଲେ, ଟିଗେଲିନସ୍, ଧୀରେ ଧୀରେ ଲିସନିୟସ୍‌କୁ କହିଲା, ଆହା, ଯଦି ଥରେ ମାର୍କସ୍‍କୁ ଏଥିରେ ପକାଇ ପାରନ୍ତୁ ।

 

ଲିସିନିୟସ୍ କହିଲା, ନୀରୋ ତାହାର ଦୋସ୍ତ ବିରୁଦ୍ଧରେ କୌଣସି ଦୋଷାରୋପ ଶୁଣିବ ନାହିଁ ।

 

ଟିଗେଲିନସ୍, ଉତ୍ତର କଲା, ନୀରୋର ଭୟର ଉଦ୍ରେକ କରି ପାରିଲେ ତାକୁ ଯାହା ବିଶ୍ୱାସ କରିବାକୁ କହିବ, ସେ ତାହା କରିବ । ସେ ଛାଇ ଦେଖିଲେ ଡେଉଁଛି, ସାମାନ୍ୟ ପତର ଖଡ୍‌ ଖଡ୍‌ ହେଲେ ଭୟରେ ଅସ୍ଥିର ହେଉଛି, ବୁଦା ମୂଳରେ ଗୁପ୍ତ ଘାତକର ଆଶଙ୍କା କରୁଛି, ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ବିଷପ୍ରୟୋଗ ସନ୍ଦେହ କରୁଛି, ସେ ଯେଉଁମାନଙ୍କୁ ହତ୍ୟା କରିଛି, ତାହାର ଚତୁର୍ଦ୍ଦିଗର ବାୟୁମଣ୍ଡଳରେ ସେମାନଙ୍କ ପ୍ରେତାତ୍ମା ଦେଖୁଛି ।

 

ଆଚ୍ଛା ତା ପରେ ?

 

ମୋର ସମ୍ପୂର୍ଣ୍ଣ, ବିଶ୍ୱାସ, ମାର୍କସ୍ ଏହି ଯୁବତୀ ମର୍ସିୟା ପ୍ରତି ଆସକ୍ତ । ତାହାହେଲେ ମର୍ସିୟାକୁ ଯେକୌଣସି ଉପାୟରେ ବନ୍ଦୀ କରିବାକୁ ହେବ । ସେ ନୀରୋ ହେଉ ଅବା ଯେକେହି ହେଉ, ମାର୍କସ୍‌ର କାର୍ଯ୍ୟରେ କେହି ହସ୍ତକ୍ଷେପ କରିବ, ଏ କଥା ମାର୍କସ୍‌ ସହ୍ୟ କରି ପାରିବ ନାହିଁ । ତେଣୁ ଏ ଯୁବତୀକୁ ରକ୍ଷା କରିବା ନିମିତ୍ତ ସେ ଯତ୍‌ପରୋନାସ୍ତି ଚେଷ୍ଟା କରିବ, କୌଣସି ବିପଦକୁ ଭୟ କରିବ ନାହିଁ । ଅତଏବ ତାକୁ ଏ ପ୍ରକାର ଅବସ୍ଥାରେ ପକାଇବାକୁ ହେବ, ଯହିଁରେ ସେ ଏଭଳି ଅସାବଧାନତା ବା ଅବାଧ୍ୟତାର କାର୍ଯ୍ୟ କରିବ, ଯାହାପାଇଁ ନୀରୋ ନିକଟରେ ତାକୁ ଅପମାନିତ ହେବାକୁ ହେବ–କିନ୍ତୁ, ହେଇ ସେମାନେ ରାକ୍ ଠିକ୍ କରି ସାରିଲେଣି । ଏହା କହି ଟିଗେଲିନସ୍‌ ରାକ୍‌ ଆଡ଼କୁ ଗଲା ଏବଂ ତା ଉପରେ ବନ୍ଧା ହୋଇଥିବା ବାଳକ ଆଡ଼କୁ ନଇଁ ପଡ଼ି କହିଲା–

 

‘‘ବାଳକ, ଏତେବେଳେ ମଧ୍ୟ ସେ କଥା କହି ଆପଣକୁ ଉଦ୍ଧାର କରିବାର ସମୟ ଅଛି । ଅସ୍ୱୀକାର କଲେ କାରାରକ୍ଷୀଗଣ ଚକ ଘୂରାଇ ଦେବେ, ଆଉ ତୋର ହାତ ଗୋଡ଼ ଖଣ୍ଡ ଖଣ୍ଡ ହୋଇ ଛିଡ଼ି ପଡ଼ିବ । ଉତ୍ତର ଦେବୁ ?’’

 

ଷ୍ଟିଫାନ୍ସର ପ୍ରାଣ ଅସ୍ଥିର ହୋଇ ଉଠିଲା, କିନ୍ତୁ ସେ ଦୃଢ଼ଭାବରେ କହିଲା- ନା ।

 

ଟିଗେଲିନସ୍ କାରାରକ୍ଷୀଗଣଙ୍କୁ ଆଦେଶ ଦେଲା । ସେମାନେ ଦୁଇ ଚକକୁ ଜୋରରେ ଦୁଇଥର ଘୂରାଇ ଦେଲେ, ଦଉଡ଼ି କଟ୍‌ କଟ୍‌ ଡାକିଲା ଏବଂ ବାଳକର ହାତର ମଣିବନ୍ଧ ଏବଂ ପାଦର ଅସ୍ଥି, ମାଂସପେଶୀ ଓ ଗ୍ରନ୍ଥି ସମସ୍ତ ଅକର୍ଷଣର ତୀବ୍ର । ତାଡ଼ନାରେ ସ୍ଥାନଚ୍ୟୁତ ହେବାକୁ ଲାଗିଲା । ଦୁଇ କଡ଼ି କାଠ ଫାଙ୍କ ହୋଇଗଲା ମଝିରେ ବାଳକର ଶରୀର କେବଳ ଦୁଇମୁଣ୍ଡର ଦଉଡିରେ ଝୁଲିଲା । ବେଦନା ଅସହ୍ୟ ହୋଇ ଉଠିଲା, ବେଦନାରେ ବ୍ୟାକୁଳ ହୋଇ ବାଳକ ଯେ ବିକଳ ଆର୍ତ୍ତନାଦ କଲା, ଘରର ଭିତ୍ତି ତହିଁରେ କମ୍ପିତ ହେଲା, ମାତ୍ର ଏ ପିଶାଚମାନଙ୍କ ହୃଦୟରେ ଟିକିଏ ସ୍ପନ୍ଦନ ହେଲା ନାହିଁ । ସ୍ୱେଦ ବାରି ବଡ଼ ବଡ଼ ଟୋପାରେ ବାଳକର ମୁଖରୁ ଓ ଶରୀରରୁ ବୋହି ପଡ଼ିଲା, କପାଳର ଶିରା ସବୁ ସ୍ଫୀତ ହେଲା । ବେଦନା ସମ୍ଭାଳି ନ ପାରି ବାଳକ ଦନ୍ତରେ ଦନ୍ତ ଘର୍ଷଣ କଲା ।

 

ଏହା ଦେଖି ଲିସିନିୟସ୍ ସ୍ମିତମୁଖରେ ପଚାରିଲା-ଏବେ ଉତ୍ତର ଦେବୁ ?

 

ଷ୍ଟିଫାନ୍‌ସ ପ୍ରଶ୍ନ ଶୁଣିଲା କି ନାହିଁ ଜଣା ନାହିଁ, କିନ୍ତୁ କାତରକଣ୍ଠରେ କହିଲା, ମୁଁ ଆଉ ସହି ପାରୁ ନାହିଁ, ମୋତେ ଦୟା କର, ଦୟା କର ।

 

ଟିଗେଲିନସ୍‌ କହିଲା–ତେବେ ଉତ୍ତର ଦେ । ବାଳକ ବାଷ୍ପରୁଦ୍ଧ କଣ୍ଠରେ କହିଲା, ତାହା ମୁଁ କହି ପାରିବି ନାହିଁ ।

 

ଲିସିନିୟସ୍‌ କାରାରକ୍ଷୀଙ୍କ ଆଡ଼କୁ ହାତ ହଲାଇ କହିଲା-ଆଉ ଥରେ ଚକ ବୁଲାଅ । ଚକ ପୁନର୍ବାର ବୁଲିଲା । ବାଳକର ଶରୀରର ପ୍ରତ୍ୟେକ ଅଂଶ ସେ ଆକର୍ଷଣରେ ଛିଡ଼ିବାକୁ ଲାଗିଲା, ବେଦନା ସହି ନ ପାରି ବାଳକ ଭୟଙ୍କର ଚିତ୍କାର କରି ମୂର୍ଚ୍ଛାଗଲା ।

 

ଟିଗେଲିନସ୍‌ ନଇଁପଡ଼ି ନିତାନ୍ତ ଉଦାସୀନତାର ସହିତ କହିଲା–ସେ ମୂର୍ଚ୍ଛା ଗଲାଣି, ଫିଟାଇ ଦିଅ ।

 

ଶୀଘ୍ର, କାରାରକ୍ଷୀଗଣ ବନ୍ଧନ ଫିଟାଇ ଦେଲେ ଏବଂ ମୁହଁରେ ପାଣି ଛିଞ୍ଚି ତାହାର ସଂଜ୍ଞାହୀନ ଶରୀରକୁନେଇ ଟିଗେଲିନସ୍ ଓ ଲିସିନିୟସ୍ ସଙ୍ଗରେ ଅନ୍ୟ ଘରକୁ ଗଲେ । ତଳେ ବାକକକୁ ରଖିଦେଇ ସେମାନେ ପୁନର୍ବାର ବାହାରକୁ ଗଲେ ।

 

ଲିସିନୟସ୍ ଆଣ୍ଠୋଇ ପଡ଼ି ବାଳକର ମସ୍ତକକୁ ଉଠାଇଲା ଏବଂ ଅନ୍ୟ ହାତ ତାହାର ହୃତ୍‌ପିଣ୍ଡ ଉପରେ ଦେଇ କାରାରକ୍ଷୀଙ୍କୁ କିଛି ମଦ୍ୟ ଆଣିବାକୁ କହିଲା ।

 

ମଦ୍ୟ ନେଇ ବାଳକର ମୁହଁ ଚିରି ପିଆଇବାକୁ ଲାଗିଲା ଏବଂ ଟିଗେଲିନସ୍‌ ହାତରେ ପ୍ରଦୀପ ଧତି ତାହାର ଚେତନାର ଲକ୍ଷଣ ଲକ୍ଷ୍ୟ କରିବାକୁ ଲାଗିଲା । ବାଳକର ଶରୀର ଥରି ଉଠିଲା, ମୁଁଣ୍ଡ ଗଡ଼ି ପଡ଼ିଲା । ଏବଂ ଅତି ଧୀର କୁନ୍ଥନ ଶବ୍ଦ ମୁଖରୁ ନିର୍ଗତ ହେଲା । ଏହା ଦେଖି ଟିଗେଲିନସ୍, କହିଲା, ଚେତନା ଫେରି ଆସୁଛି ।

 

ଷ୍ଟିଫାନ୍‍ସ ଅବଶକଣ୍ଠରେ ବ୍ୟାକୁଳ ଭାବରେ କହିଲା, ମୋତେ ଦୟା କର, ଦୟା କର ।

 

ତେବେ ଉତ୍ତର ଦେ ।

 

ବାଳକର ଓଷ୍ଠାଧର ଯନ୍ତ୍ରଚାଳିତବତ୍ ବିଚଳିତ ହେଲା, ସେ ବିହ୍ୱଳ ପରି କହିଲା -

 

ତୋଟାରେ ।

 

କେଉଁଠି ?

 

ସେଷ୍ଟିୟାନ ସେତୁ ନିକଟରେ ।

 

କେତେବେଳେ ?

 

‘ଦଶଟା’ ଏହା କହି ଷ୍ଟିଫାନ୍‌ସ ଚଟାଣ ଉପରେ ଶୋଇ ପଡ଼ିଲା । ଲିସିନିୟସ୍ ଆନନ୍ଦରେ ନାଚି ଉଠି କହିଲା ଟିଗେଲିନ୍‌ସ, ଏଥର ତାଙ୍କୁ ତ୍ରାହି ନାହିଁ । ତା ପରେ ଷ୍ଟିଫାନ୍‌ସକୁ ପଚାରିଲା–

 

ସେମାନଙ୍କର ନାମ କଣ ?

 

ଷ୍ଟିଫାନ୍‌ସ ମୁଁ ବ୍ୟାକୁଳ ଭାବରେ କହିଲ।-ମୁଁ ତାହା କହି ପାରିବି ନାହିଁ ।

 

ତୋତେ ଅବଶ୍ୟ କହିବାକୁ ହେବ ।

 

କିନ୍ତୁ ଷ୍ଟିଫାନ୍‌ସ ଚିତ୍କାର କରି ଉଠିଲା–ମୁଁ କେବେ କହିବି ନାହିଁ, ମୋତେ ମାରି ପକାଅ, ମୋତେ ମାରି ପକାଅ ।

 

ଲିସିନିୟସ୍ କହିଲା–ବାଃ, ମଲା ଲୋକ କଣ କଥା କହିବ ? ତୋର କଥାରେ ଆମର ଦରକାର, ଆଉ ତାହା ନିଶ୍ଚୟ ତୋ ମୁହଁରୁ କାଢ଼ିବାକୁ ହେବ । ଭଲ, ଅଛି ତ ଏହି ଖ୍ରୀଷ୍ଟିୟାନମାନଙ୍କ ନାମ କହିଦେ । ଷ୍ଟିଫାନ୍‌ସ କହିଲା-ମୁଁ ମରିଗଲେ ସୁଦ୍ଧା କହିବି ନାହିଁ । ଏଥିରେ ଲିସିନିୟସ୍‍ର କ୍ରୋଧ ଚତୁର୍ଗୁଣ ପ୍ରଜ୍ୱଳିତ ହୋଇ ଉଠିଲା । ସେ ଷ୍ଟିଫାନ୍‌ସକୁ ପୁନର୍ବାର ରାକ୍‌ରେ ଦେବାକୁ କାରାରକ୍ଷୀଙ୍କୁ ଆଦେଶ ଦେଲା, କିନ୍ତୁ ସେମାନେ ଆଦେଶ ପାଳନ କରିବା ପୂର୍ବରୁ ବାହାର ବାରଣ୍ଡାରୁ କାହାର କ୍ଷିପ୍ର ପାଦ ବିକ୍ଷେପର ପ୍ରତିଧ୍ୱନି ଶୁଣାଗଲା । କବାଟ ଫିଟିଲା ଏବଂ ଗୃହ ମଧ୍ୟରେ ମାର୍କସ ପ୍ରବେଶ କଲା । ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ କହିଲା–ଏ ସାନ ପିଲାପାଇଁ ରାକ୍‌, ଲଜ୍ଜା ନାହିଁ ! ପିଲାକୁ ସେଇଠି ରଖ ।

 

ଲିସିନିୟସ୍ ଚିତ୍କାର କରି ଉଠିଲା - କାରାରକ୍ଷୀ, ମୋର କଥା ଅନୁସାରେ କାର୍ଯ୍ୟକର ।

 

ମାର୍କସ୍ ଧିରେ ଅଥଚ ଦୃଢ଼ଭାବରେ କହିଲା-ଶୀଘ୍ର ପିଲାକୁ ତଳେ ରଖ ।

 

କାରାରକ୍ଷୀମାନେ ଇତସ୍ତତଃ ହେଲେ । କାହାର କଥା ମାନିବେ ଠିକ୍ କରି ପାରିଲେ ନାହିଁ । ଟିଗେଲିନସ୍‌ ଭ୍ରୂକୁଟିକୁଟିଳ ମୁଖରେ କହିଲା–କେଉଁ ସାହସରେ ତୁମେ ଏପରି କରୁଛ ?

 

ମାର୍କସ୍ ତାଚ୍ଛିଲ୍ୟ ଭାବରେ କହିଲା–କେଉଁ ସାହସରେ ? ତତ୍‌ପରେ କାରାରରୀକ୍ଷଙ୍କ ଆଡ଼କୁ ଅନାଇ କହିଲା, ଶୀଘ୍ର ସେ ପିଲାକୁ ନେଇ ଆସ, ନତୁବା ବିଳମ୍ବ କଲେ ମୁଁ ସିଜରର ଦ୍ୱାହି ଦେଇ କହୁଛି, ତୁମ୍ଭମାନଙ୍କୁ ତାହାର ସ୍ଥାନ ଅଧିକାର କରିବାକୁ ହେବ ।

 

କାରାରକ୍ଷୀଗଣ ବାଳକକୁ ଆସ୍ତେ ତଳେ ରଖିଦେଲେ ।

 

ଟିଗେଲିନସ୍‌ କ୍ରୋଧାନ୍ଧ ହୋଇ କହିଲା–ଏ ସିଜରର ବିରୁଦ୍ଧାଚରଣ, ଆଉ ସିଜରର ଦ୍ୱାହି, ତୁମ୍ଭଙ୍କୁ ନିଶ୍ଚେ ଏହାର ଉତ୍ତର ସିଜରକୁ ଦେବାକୁ ହେବ ।

 

ସେ ମୋର ଇଚ୍ଛାଧୀନ । ସିଜରର ଆଦେଶ ମୋ ହାତରେ, ତୁମ ହାତରେ ନାହିଁ । ମୋତେ ଯେପରି ଭଲ ଦିଶିବ, ସେପରି କରିବି, କାହାରି ପରାମର୍ଶ ମୋର ଲୋଡ଼ା ନାହିଁ ।

 

ଲିସିନିୟସ୍ କହିଲା–ମାର୍କସ୍, ତୁମ୍ଭେ ସିଜରର ଆଦେଶ ପାଳନ କରୁ ନାହଁ । ତୁମ୍ଭେ ଏହି ଖ୍ରୀଷ୍ଟିୟାନମାନଙ୍କର ପୋଷକତା କରୁଛ, ତୁମ୍ଭେ ନିମକହାରାମ୍‌ ପରି କାର୍ଯ୍ୟ କରୁଛ ।

 

ତାହା ନିକଟକୁ ଯାଇ ଅସି ନିଷ୍କାସିତ କରି ମାର୍କସ୍ ବଜ୍ରଗମ୍ଭୀର ସ୍ୱରରେ କହିଲା- ଯାହା ଏହିକ୍ଷଣି କହିଲୁ, ତାହା ପ୍ରତ୍ୟାହାର କର, ଶୀଘ୍ର ପ୍ରତ୍ୟାହାର କର ନତୁବା ୟାଡ଼ିଲ ଫ୍ୟାଡ଼ିଲ ମାନିବି ନାହିଁ, ଏହି ଖଣ୍ଡାରେ ଏହି ମୁହୂର୍ତ୍ତରେ ତୋର ମୁଣ୍ଡଛେଦ କରିବି ।

 

ଟିଗେଲିନସ୍‌ ବାହାରିପଡ଼ି କହିଲା–ପ୍ରିଫେକ୍‌ଟ, ଲିସିନିୟସ୍‌ ଟିକିଏ ଅବିବେଚନାର କାର୍ଯ୍ୟ କରିଛି, ଅବଶ୍ୟ ସେ ଯାହା କହିଲା, ଠିକ୍‌ ତାହା ମନରେ କରିନଥିଲା ।

 

ମାର୍କସ କହିଲା, ମୁଁ ତୁମର କ୍ଷମା ପ୍ରାର୍ଥନା ଚାହେଁନା, ତାହାର । ନିମକ ହରାମ୍, ଏହି କଥା ଶୀଘ୍ର ପ୍ରତ୍ୟାହାର କର ।

 

ଟିଗେଲିନସ୍‌ ୟାଡ଼ିଲର କାନରେ କହିଲା, ବୃଥା ବିଳମ୍ବ କରିବା ଦରକାର ନାହିଁ, ପ୍ରତ୍ୟାହାର କର, ଆମ୍ଭେମାନେ କଣ ସହଜରେ ୟାଙ୍କୁ ଛାଡ଼ିବା ?

 

ଲିସନିୟସ କୁଣ୍ଠିତ ହୋଇ କହିଲା–ମୁଁ ଅବିବେଚନାର କାର୍ଯ୍ୟ କରିଛି, ସେଥିପାଇଁ ଦୁଃଖିତ ।

 

ଅତ୍ୟନ୍ତ ଅବଜ୍ଞାର ସହିତ ହାତ ହଲାଇ ସେ ଦୁଇଜଣଙ୍କୁ ସେଠାରୁ ଚାଲିଯିବାକୁ ମାର୍କସ୍ ଆଦେଶ ଦେଲା । ଯଦିବା ସେମାନେ କୁପିତ ଫଣୀ ପରି କ୍ରୋଧରେ ଫୁଲି ଉଠୁଥିଲେ, ତଥାପି ଉପାୟାନ୍ତର ନ ଦେଖି ସେ ସ୍ଥାନ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ । ଟିଗେଲିନସ୍ ଲିସିନିୟସ୍‍ର ହାତ ଧରି ଟାଣି ଆଣି କହିଲା, ଲିସିନିୟସ୍ , ଆମ୍ଭମାନଙ୍କୁ ଆଜି ଅନେକ କାମ କରିବାକୁ ହେବ । ତତ୍‌ପରେ ନିଜର ସୈନ୍ୟାଧ୍ୟକ୍ଷଙ୍କୁ କହିଲା; ସୈନ୍ୟମାନଙ୍କୁ ନେଇ ମୋ ପଛରେ ଆସ । ପୁଣି ଲିସିନିୟସ୍‌କୁ କହିଲା–ଚଞ୍ଚଳ ଚାଲ, ବିଳମ୍ବ ହୋଇଯିବ ।

 

ଇତ୍ୟବସରରେ ମାର୍କସ୍ ଅବଶଶରୀର ଷ୍ଟିଫାନ୍‌ସ ନିକଟକୁ ଯାଇ ଅତି ଯତ୍ନରେ ତାହାର ମସ୍ତକ ଉଠାଇ ନିଜ ହସ୍ତରେ ସ୍ଥାପନ କଲା । କରାଧ୍ୟକ୍ଷ ଆଡ଼କୁ ଅନାଇ କହିଲା–

 

‘‘ମଦ୍ୟ ନିକଟରେ ଅଛି ?

 

ହଁ, ପ୍ରିଫେକ୍‌ଟ ।'

 

‘ମୋ କତିକୁ ଆଣ । ସେମାରେ କଣ ୟାକୁ ରାକ୍‌ରେ ଦେଇଥିଲେ ?’

 

‘ହଁ ପ୍ରିଫେକଟ ।’

 

‘କାପୁରୁଷ, ଭୀରୁ!' ତତ୍ପରେ ବାଳକ ଆଡ଼କୁ ଅନାଇ ଅତିଆଦରରେ କହିଲା, ‘‘ବାଳକ, ଏଥିରୁ ଟିକିଏ ଖାଅ ।’’

 

ବାଳକ କହିଲା, ‘ଓଃ; କି କଷ୍ଟ, କି କଷ୍ଟ !’

 

ସହାନୁଭୂତିରେ ବିଗଳିତ ହୋଇ ମାର୍କସ୍ କହିଲା, ‘‘ତାହା ମୁଁ ଜାଣେ, ଭଲ କରି ଜାଣେ, କିନ୍ତୁ ଏଥିରୁ ଟିକିଏ ପିଇଲେ ତୁମ୍ଭକୁ ଭଲ ଲାଗିବ ।’’

 

‘ନା, ମୋତେ ମରିବାକୁ ଦିଅ, ମୋତେ ଦୟା କରି ମାରି ପକାଅ । ମୁଁ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି ।’’

 

ମାର୍କସ୍ ବିସ୍ମିତ ହୋଇ ପଚାରିଲା; ‘ତୁମେ କଣ କହୁଛ ?’

 

‘ମୋ ହୃଦୟ ଏ କଥା କହି ନାହିଁ, ମୋ ଜିହ୍ୱା କହିଛି । ଭ୍ରାତୃଗଣ ଆଜି ରାତିରେ ସଭାସ୍ଥାନରେ ମିଳିତ ହେବେ ବୋଲି ମୁଁ କହି ଦେଇଛି ।’

 

‘ଭ୍ରାତୃଗଣ କିଏ ?’

 

‘ଓଃ, ମୋତେ କହିବାକୁ ଭୟ ଲାଗୁଛି—କିନ୍ତୁ ତୁମେ ଯଦି ମର୍ସିୟାକୁ ରକ୍ଷା -

 

‘ମର୍ସିୟା, ମର୍ସିୟା କଣ ? ଏହା କହି ବିସ୍ମୟରେ ଓ ଅଶୁଭ ଆଶଙ୍କାରେ ମାର୍କସ ଚମକି ଉଠିଲା । ଭାବିଲା ମର୍ସିୟା କଣ ବିପଦରେ ପଡ଼ିଛି । ସେ ତ ଅଳ୍ପକ୍ଷଣ ହେଲା ତାକୁ ପଳାୟନ କରିବା ସତର୍କ କରି ଦେଇ ଆସିଛି । ମାର୍କସ ବ୍ୟସ୍ତ ସମସ୍ତ ହୋଇ କହିଲା, ‘ମର୍ସିୟା ? ମର୍ସିୟାର କଣ ହୋଇଛି ?’

 

‘ମର୍ସିୟା ମଧ୍ୟ ସେଠାକୁ ଯିବ ।’

 

‘କେଉଁଠିକି ?

 

ସେଷ୍ଟିୟାନ ସେତୁ ନିକଟରେ ଥିବା ଉଦ୍ୟାନକୁ ।’

 

‘ତୁମେ କଣ ଏହା ଟିଗେଲିନସ୍‍କୁ କହିଛ ?’

 

ମୁଁ କାହାରି ନାମ କହି ନାହିଁ, କିନ୍ତୁ ସଭାର ସ୍ଥାନ ଜଣାଇ ଦେଇଛି ।’

 

‘ମାର୍କସ ମନେ ମନେ ଭାବିଲା, ଏ ଦୁଇଜଣ ମଧ୍ୟ ସେଠାକୁ ଯିବେ, ହୁଏତ ମର୍ସିୟାକୁ ବନ୍ଦୀ କରିବାକୁ ଚେଷ୍ଟା କରିବେ । ପୁନର୍ବାର ପଚାରିଲା, ମର୍ସିୟା ମଧ୍ୟ ସେଠାକୁ ଯିବ ?

 

ହଁ, ମୋତେ ମାରି ପକାଅ, କିନ୍ତୁ ତାକୁ ରକ୍ଷା କର, ସେ ସ୍ଵର୍ଗର ଦୂତ, ତାକୁ ରକ୍ଷା କର, ତାକୁ ରକ୍ଷା କର' କହି ମୁଁ ଷ୍ଟିଫାନ୍‌ସ ବ୍ୟାକୁଳଭାବରେ କାନ୍ଦିବାକୁ ଲାଗିଲା ।

 

ମାର୍କସ୍ ଭିଟୁରିୟସ୍‌କୁ ନିକଟକୁ ଡାକି ଆଜ୍ଞା ଦେଲା–‘ସୈନ୍ୟମାନଙ୍କୁ ନେଇ ସେଷ୍ଟ ୟାନ ଉଦ୍ୟାନରେ ମୋ ସହିତ ସାକ୍ଷାତ କର । ସେଠି ଖ୍ରୀଷ୍ଟିୟାନମାନଙ୍କର ସଭା ହେଉଛି, ଆଉ ସେମାନଙ୍କ ମଧ୍ୟରେ ବାଳିକା ମର୍ସିୟା ଅଛି ।’ ମର୍ସିୟାର ନାମ ଗ୍ରହଣ କଲାବେଳେ ତାହାର କଣ୍ଠସ୍ୱର କମ୍ପିତ ହୋଇ ଉଠିଲା । ‘ତାକୁ ଟିଗେଲିନସ୍ ହସ୍ତରୁ ରକ୍ଷା କରିବାକୁ ହେବ । ଏଥିରେ ନୀରୋ ଯଦି କ୍ରୁଦ୍ଧ ହୁଏ; ତଥାପି ମର୍ସିୟାକୁ ଉଦ୍ଧାର କରିବାକୁ ହେବ । ଏଥିରେ ନୀରୋ ଯଦି କ୍ରୁଦ୍ଧ ହୁଏ; ତଥାପି ମର୍ମିୟାକୁ ଉଦ୍ଧାର କରିବାକୁ ହେବ । ଭିଟୁରିୟସ୍‌ ଶୀଘ୍ର ସେଠାକୁ ଯାଅ ।’

 

ଭିଟୁରିୟସ୍‌ ଗଲା ଉତ୍ତାରେ ମାର୍କସ ନିଜ ହସ୍ତରେ ବାଳକକୁ ଉଠାଇ ଦ୍ୱାର ନିକଟକୁ ଘେନି ଯାଉ ଯାଉ କହିଲା, ‘ଆସ ଘରକୁ ଯିବା ।’ ଷ୍ଟିଫାନ୍‌ସ କେବଳ କ୍ରନ୍ଦନ କରୁଥିଲା ଓ କହୁଥିଲା, ‘ମୋତେ ମାରି ପକାଅ, ମୋତେ ମାରି ପକାଅ ।’

 

ଯଦିବା ତାହାର ଶରୀରର ଯାତନା ବର୍ଣ୍ଣନାତୀତ, ତଥାପି ତାହାର ମାନସିକ ଯାତନା ତା ତହୁଁ ଅଧିକ କଷ୍ଟ ଦେଉଥିଲା, ଆଉ ବାଳକ ବାସ୍ତବିକ୍ ସତ୍ୟ କହିଥିଲା; ‘ମୋର ହୃଦୟ ନୁହେଁ , ମାତ୍ର ମୋର ଜିହ୍ୱା କହି ଦେଲା ।’

Image

 

ନୈବେଦ୍ୟ

ଏକାଦଶ ପରିଚ୍ଛେଦ

ଫାଭିୟସ୍‌ଙ୍କ ମୃତ୍ୟୁ

 

ଫାଭିୟସ୍‍ଙ୍କ ନେତୃତ୍ୱରେ ଏହି ଖ୍ରୀଷ୍ଟିୟାନ ସଭା ସମିତି ପ୍ରଥମରେ ପାଲେଟାଇନ୍‌ରେ ହେଉଥିଲା, କିନ୍ତୁ ଏହାର ସନ୍ଧାନ ପାଇ ନୀରୋ ସେ ସ୍ଥାନ ଜଗିବାରୁ ସଭାର ସ୍ଥାନ ଭିନ୍ନ ଭିନ୍ନ ସମୟରେ ପରିବର୍ତ୍ତିତ ହେବାକୁ ଲାଗିଲା । ଫାଭିୟସ୍‌ ଟାଇଟସ୍‌ଙ୍କୁ କହିବା ପ୍ରମାଣେ ଆଜି ରାତ୍ରିର ସଭା ସେଷ୍ଟିୟାନ୍‌ ସେତୁ ନିକଟବର୍ତ୍ତୀ ଉଦ୍ୟାନରେ ହେବାର ଧାର୍ଯ୍ୟ ହୋଇଥିଲା । ଲୋକଙ୍କର ସନ୍ଦେହ ଦୃଷ୍ଟି ଯେପରି ସେମାନଙ୍କ ଉପରେ ନ ପଡ଼େ, ଏଥିପାଇଁ ଭ୍ରାତୃଗଣ ଗୋଟି ଗୋଟି ହୋଇ ଭିନ୍ନ ଭିନ୍ନ ସ୍ଥାନରୁ ସଭାସ୍ଥାନ ଆଡ଼କୁ ଅଗ୍ରସର ହେଲେ ।

 

ଅନେକ ଗୁରୁତର ବିଷୟରେ କଥାବାର୍ତ୍ତା କରିବାକୁ ଥିବାରୁ ଫାଭିୟସ୍‌ ଓ ଟାଇଟସ୍‌ ଆଗରେ ଗଲେ, ମର୍ସିୟାକୁ ଛାଡ଼ିଗଲେ ମେଲସ୍ ସହିତ ଆସିବାକୁ । ଅନେକ ଦିନ ହେଲା ଦୁଇଜଣଙ୍କର ଦେଖା ସାକ୍ଷାତ୍ ନ ଥିଲା । ପ୍ରତ୍ୟାଖ୍ୟାନ ଉତ୍ତାରେ ନିଜର ଅବାରିତ ଉପସ୍ଥିତିରେ ମର୍ସିୟାକୁ କଷ୍ଟ ଦେବାଟା ମେଲସ୍ ମନୁଷ୍ୟୋଚିତ କାର୍ଯ୍ୟ ହେବ ବୋଲି ମନେ କରୁ ନ ଥିଲା । ସେ ମର୍ସିୟାକୁ ଏପରି ପ୍ରେମ କରୁଥିଲା ଯେ, ନିଜର ବ୍ୟବହାରରେ ଯେପରି ମର୍ସିୟାର ସାମାନ୍ୟ କଷ୍ଟ ସୁଦ୍ଧା ନ ହୁଏ ଏଥିପାଇଁ ସର୍ବଦା ସତର୍କ ହୋଇ ଚଳୁଥିଲା । ଫାଭିୟସ୍‍ଙ୍କ ଆଦେଶ ଅନୁସାରେ ଆଜି ମର୍ସିୟାକୁ ତାହା ସହିତ ସଭାସ୍ଥାନକୁ ଯିବାର ଦେଖି ମେଲସ୍‍ର ପ୍ରାଣ ଆନନ୍ଦରେ ନାଚି ଉଠିଲା । ସେଥିପାଇଁ ଆଜି ଯେତେବେଳେ ଦୁଇଜଣ ଯାଉଥିଲେ, ମେଲସ୍‌ ଷ୍ଟିଫାନ୍‌ସର ବନ୍ଦୀ ହେବା କଥା, ଭାତୃଗଣଙ୍କ ବିପଦ ଆପଦ ବିଷୟ ମର୍ସିୟାର ଚିତ୍ତବିନୋଦନ ପାଇଁ ଅନ୍ୟାନ୍ୟ ସମସ୍ତ କଥା କହୁଥିଲା; କିନ୍ତୁ କହୁ ନ ଥିଲା କେବଳ ତାହାର ହୃଦୟର ଅତି ନିକଟରେ ଯେଉଁ କଥା ଥିଲା, ମର୍ସିୟା ପ୍ରତି ତାହାର ଯେଉଁ ଗଭୀର ଓ ଚିରସ୍ଥାୟୀ ପ୍ରେମ, ତାହାରି ବିଷୟ । ମର୍ସିୟା କିନ୍ତୁ ନୀରବ ଓ ଅନ୍ୟମନସ୍କ । ପ୍ରଥମର ମେଲସ୍‌ ମନେ କଲା, ଏ ନୀରବତା ଓ ଅନ୍ୟମନସ୍କତା ଷ୍ଟିଫାନ୍‌ସ: ଧରା ପଡ଼ିବା ଯୋଗୁଁ; ଯଦିବା ସେ ଜାଣୁଥିଲା ଯେ, ଏ ବାଳକର ବନ୍ଦୀଦଶା ମର୍ସିୟାର କୋମଳ ପ୍ରାଣକୁ ବଡ଼ ସ୍ପର୍ଶ କରିଅଛି, ତଥାପି ଅଳ୍ପକ୍ଷଣ ଉତ୍ତାରେ ଅନ୍ତର୍ଯ୍ୟାମୀ ପ୍ରେମ ତାକୁ କହିଦେଲା, ମର୍ସିୟାର ଏ ଅନ୍ୟମନସ୍କତା ଓ ଉଦାସୀନତାର ଅନ୍ୟ ଗଭୀରତର କାରଣ ଅଛି । ଅନେକ ଥର ସେ କଥା କହିବା ସମୟରେ ମର୍ସିୟା କଥାର ଉତ୍ତର ଦେଉ ନ ଥିଲା । ସେମାନଙ୍କୁ ଅନେକ ଅପରିସର ଗଳି ମଧ୍ୟରେ ଯିବାକୁ ହୋଇଥିଲା, ଏବଂ ଯେତେ ସେମାନେ ସେତୁର ନିକଟବର୍ତ୍ତୀ ହେଲେ, ରାସ୍ତାର ଉଭୟ ପାର୍ଶ୍ୱର ଗୃହଶ୍ରେଣୀ ସେତେ ଗହଳ ହୋଇ ଉଠିଲା । ସେତେବେଳେ ଶରତ୍‍ ଋତୁର ଆରମ୍ଭ-। ଦିନବେଳେ ଟିକିଏ ଗରମ ପଡ଼ିଥିଲା, ସେହି ହେତୁରୁ ରାତ୍ରି ବସନ୍ତ ନିଶୀଥ ପରି ଉଷ୍ମ-ମଧୁର ହୋଇଥିଲା । ଅକାଶରେ ଚନ୍ଦ୍ର ହସୁଥିଲା, ଟାଇବରର ବାଷ୍ପରାଶି ନଦୀପୃଷ୍ଠ ଓ ନଦୀସୈକତ ଆଚ୍ଛାଦନ କରି, ଚନ୍ଦ୍ରାଲୋକରେ ସ୍ନିଗ୍‌ଧ ଶୁଭ୍ରତା ବିଚ୍ଛୁରିତ କରି ଯେପରି ଦିକ୍‌ଚକ୍ରବାଳର ଅନନ୍ତ ନୀଳିମାରେ କେଉଁଆଡ଼େ ଏକମୁହାଁ ହେଇ ଚାଲିଯାଇଛି !

 

ରୋମ ନିସ୍ତବ୍‌ଧ । କେବଳ କଦାଚିତ୍‌ ଦୂରରୁ ପ୍ରହରୀର ସତର୍କବାଣୀ, ଅବା ସଙ୍ଗୀତର ତାନ ଲହରୀ ଭାସି ଆସୁଅଛି, ଅଥବା କେତେବେଳେ ଶୁପ୍ତୋଥିତ ଶିଶୁର କ୍ରନ୍ଦନରୋଳ ନୈଶାକାଶର ଗଭୀର ନିସ୍ତବ୍‌ଧତା ଭାଙ୍ଗି ଦେଉଛି । ମର୍ସିୟା ଓ ମେଲସ୍‌, ମଧ୍ୟ ନୀରବରେ ଆସି ଟାଇବର ସେତୁ ନିକଟରେ ପହଞ୍ଚିଲେ । ସେତୁର ମଧ୍ୟସ୍ଥଳ ପର୍ଯ୍ୟନ୍ତ ନ ଯାଉଣୁ ସେମାନଙ୍କ ପଛଆଡ଼ୁ ସହରରୁ ଗଭୀର ତୂର୍ଯ୍ୟଧ୍ୱନି ଉଠିଲା; ମର୍ସିୟା ଛିଡ଼ା ହୋଇଗଲା ଏବଂ ଫେରି ପଡ଼ି ସହର ଆଡ଼କୁ ଅନାଇଲା ।

 

ସେ ପଚାରିଲା, ‘ଏ କଣ ?’

 

ମେଲସ୍ ଉତ୍ତର କଲା; ‘ରାତ୍ରିର ପ୍ରହରୀମାନଙ୍କୁ ବୋଧ ହୁଏ ଏକତ୍ର କରାଯାଉଛି ।’

 

ଭୟଚକିତ ହୋଇ ମର୍ସିୟା ଅଞ୍ଚଳ ଗୋଟାଇଲା, ଏବଂ କହିଲା, ‘ମୋତେ ଏ ମୃତ୍ୟୁର ଆହ୍ୱାନ ପରି ଜଣାଗଲା ।’ ମେଲସ୍‌ ମର୍ସିୟା କଥାରେ ଯେତେ ବିଚଳିତ ନ ହେଲା, ତାହାର ହାବଭାବରେ ସେତେ ହେଲା । ତାହାର ନିଜର ପ୍ରାଣ ମଧ୍ୟ ବିଷାଦରେ ଅବସନ୍ନ ହୋଇ ଆସିଲା, କିନ୍ତୁ କାହିଁକି ଏ ପ୍ରକାର ହେଲା, ସେ ଜାଣି ପାରିଲା ନାହିଁ । ମର୍ସିୟା ବିହ୍ୱଳପ୍ରାୟ ହୋଇ ସହରକୁ ଅନାଇଲା । ପାଶ୍ୱବର୍ତ୍ତୀ କୌଣସି ବିଷୟର ଜ୍ଞାନ ତାହାର ନ ଥିଲା । ଏହା ଦେଖି ମେଲସ୍‌ ଧୀରେ ତା ବାହୁ ଉପରେ ନିଜ ହାତ ଥୋଇଲା । ମେଲସ୍‌ର ସ୍ପର୍ଶରେ ତାହାର ଚମକ ଭାଙ୍ଗିଲା , ସେ ଧୀରେ ଦୀର୍ଘନିଶ୍ୱାସ ତ୍ୟାଗ କରି କହିଲା ‘କ୍ଷମା କର ମେଲସ୍‌, ଆଜି ମୁଁ ମୋ ଭିତରେ ନାହିଁ, ମୁଁ ଭାବୁଥିଲି କେଜାଣି ସେ ।’

 

‘ସେ କିଏ ମର୍ସିୟା ?’

 

ମର୍ସିୟା ଉତ୍ତର ଦେଇ ପାରିଲା ନାହିଁ, ଲଜ୍ଜାରେ ତାହାର ମୁଖ ଲାଲ ହୋଇଗଲା, ଆଉ ମୁହୂର୍ତ୍ତ ମଧ୍ୟରେ ମେଲସ୍‌ ଜାଣିଲା ଯେ, ସେ ମାର୍କସ୍ ବିଷୟ ଭାବୁଥିଲା । ଏହା ମେଲସ୍‌ର ପ୍ରାଣରେ ଶେଳ ବିନ୍ଧିବାକୁ ଲାଗିଲା । ଏହି କଣ ତାହାର ସମସ୍ତ ଆଶା, ସମସ୍ତ ଧୈର୍ଯ୍ୟର ପରିଣାମ ? ବର୍ତ୍ତମାନ ସେ ବୁଝି ପାରିଲା, ଆଉ ସେ ବୁଝିପାରିଲା ବୋଲି ମର୍ସିୟା ମଧ୍ୟ ଜାଣିଲା । ମେଲସ୍ ସମ୍ମୁଖରେ ମର୍ସିୟାର ଚକ୍ଷୁ ଅବନତ ହୋଇ ଆସିଲା । ମେଲସ୍‌ କେବଳ ମର୍ସିୟାକୁ ଦୀନନୟନରେ ନିରୀକ୍ଷଣ କରିବାକୁ ଲାଗିଲା । ସେମାନଙ୍କ ପାଦତଳେ ବୃଦ୍ଧ ଟାଇବର ଅଳସ ମନ୍ଥର ଗତିରେ ନୀରବରେ ପ୍ରବାହିତ ହେଉଥିଲା, ସେତୁସ୍ତମ୍ଭରେ କ୍ଷୀଣ ତଙ୍ଗରର ଆଘାତ ସେ ନୀରବତାରେ ସ୍ପଷ୍ଟ ଶୁଣା ଯାଉଥିଲା । ଆଉ, ଏହି ଦୁଇଜଣ–ଜଣକର ହୃଦୟ ନାନା ବିଭୀଷିକାର ଆଶଙ୍କାରେ ବିକ୍ଷୁବ୍‌ଧ, ଅନ୍ୟର ହୃଦୟ ନୈରାଶ୍ୟର ତୀବ୍ର ତାଡ଼ନାରେ ଫାଟି ପଡ଼ୁଅଛି; କିନ୍ତୁ ଉଭୟେ ନିର୍ବାକ୍, ନିସ୍ତବ୍‌ଧ । କେବଳ ସେମାନଙ୍କର ଅନ୍ତର୍ଯ୍ୟାମୀ ସେହି ଜୋତ୍ସ୍ନା ପୁଲକିତ ନୀଳଗଗନ ତଳେ ସେମାନଙ୍କର ଅନ୍ତର କଥା, ମର୍ମବ୍ୟଥା ଜାଣିଲେ । ମେଲସ୍ ଯେତେବେଳେ ଭାବିଲା ଯେ, ମାର୍କସ୍ କେବଳ ମର୍ସିୟାକୁ ଦେଖିବାକୁ ଛଦ୍ମବେଶ ଧରି ଫାଭିୟସ୍ ଘରକୁ ଆସିଥିଲା, ସେତେବେଳେ ତାହାର ହୃଦୟରେ ଈର୍ଷାର ତୋଫାନ ବହିଗଲା । ସେ ପ୍ରିଫେକ୍‌ଟରେ ଚରିତ୍ର ଭଲ କରି ଜାଣିଥିଲା-। ତାହା ନିକଟରେ ମର୍ସିୟା କେବଳ ଦିନକର କ୍ରୀଡ଼ାର ସାମଗ୍ରୀ । ମର୍ସିୟାର ପବିତ୍ର କୌମାର୍ଯ୍ୟ କେବଳ ମୁହୂର୍ତ୍ତକ ନିମିତ୍ତ ମାର୍କସ୍‍ର ଉପଭୋଗ ସ୍ପୃହା ଉବ୍ଦୀପ୍ତ କରିପାରେ, କିନ୍ତୁ କୌଣସି ସ୍ତ୍ରୀ ପ୍ରତି ଚିରକାଳ ବିଶ୍ୱସ୍ତ ରହିବା ମାର୍କସ୍‍ର ଚରିତ୍ରରେ ନ ଥିଲା । ସେ ବିଚାରଶୂନ୍ୟ, ବିଶେଷତଃ ସ୍ତ୍ରୀ ଲୋକ ସମ୍ବନ୍ଧରେ ହିତାହିତ ଜ୍ଞାନଶୁନ୍ୟ । ଆଉ ଏହି ଆତୁଳ ସୌନ୍ଦର୍ଯ୍ୟ, ଅନବଦ୍ୟ ଅଙ୍ଗସୌଷ୍ଠବ, ହୃଦୟର ସ୍ନେହସମ୍ଭାର ଏହି କାମୁକ ଅମାତ୍ୟର ବିଳାସସ୍ପୃହାର କ୍ରୀଡ଼ନକ ହେବ ? ରୋମର ରୂପ ଉଦ୍ୟାନରେ ଏପରି କୌଣସି କୁସୁମକଳିକା ନ ଥିଲା, ଯାହାର ସୌନ୍ଦର୍ଯ୍ୟ ମାର୍କସ୍‍ର ଦୃଷ୍ଟି ଏଡ଼ାଇ ଥିଲା । ଆଉ ଏହି ଅନାଘ୍ରାତ ସ୍ଫୁଟନୋନ୍ମୁଖ ପୁଷ୍ପକୋରକକୁ ବୃନ୍ତଚ୍ୟୁତ ନ କରିବା ପର୍ଯ୍ୟନ୍ତ ମାର୍କସ୍ ଯେ ଆପଣାକୁ ବିଶ୍ରାମ ଦେବ ନାହିଁ, ଏ କଥା ମେଲସ୍‌ ବୁଝିପାରିଲା ।

 

ହାୟ ! ପ୍ରଣୟର ଗତି କି କୁଟିଳ ! ପ୍ରଣୟ ଯଦି କେବଳ ସ୍ୱଜାତୀୟତା ବା ସାମଞ୍ଜସ୍ୟ ଉପରେ ନିର୍ଭର କରିଥାନ୍ତା, ତାହାହେଲେ ନିଶ୍ଚୟ କରିଥାନ୍ତା, ତାହାହେଲେ ନିଶ୍ଚୟ ମେଲସ୍‌ ଓ ମର୍ସିୟା ମଧ୍ୟରେ ପ୍ରଣୟ ସମ୍ଭବିଥାନ୍ତା । ମେଲସ୍‌ ସାଧୁ, ସତ୍‌ପୁରୁଷର ସମସ୍ତ ସଦ୍‌ଗୁଣରେ ଭୂଷିତ; ମର୍ସିୟା ପବିତ୍ରତା, କୋମଳତା, ମଧୁରତା ପ୍ରଭୃତି ନାରୀସ୍ୱଭାବର ଯାବତୀୟ ରତ୍ନର ଅଧିକାରିଣୀ । ସେମାନଙ୍କର ଧର୍ମବିଶ୍ୱାସ, ସେମାନଙ୍କର ଆଶା, ସେମାନଙ୍କର ଜୀବନସ୍ରୋତ ଏକତ୍ର ପ୍ରବାହିତ ହେଉଥିଲା, କିନ୍ତୁ ସେମାନଙ୍କ ହୃଦୟ ପରସ୍ପରଠାରୁ ଯେତେ ଦୂରରେ ଥିଲା, ବୋଧହୁଏ ସୁମେରୁଠାରୁ, କୁମେରୁ ସେତେ ଦୂରରେ ଅବସ୍ଥିତ ନୁହେଁ ।

 

ମେଲସ୍‌ ଏହିପରି ଭାବୁଥିଲା । ଆଉ ମର୍ସିୟା- ସେ କଣ ଭାବୁଥିଲା ? ଯାହା ସେ ଏତେଦିନ ପର୍ଯ୍ୟନ୍ତ ବିଶ୍ଳେଷି କରି ନ ଥିଲା, ସେହି ଭାବର ପୂର୍ଣ୍ଣ ଅବଧାରଣ ଆଇ ମେଲସ୍‍ର ନୀରବ ଦୃଷ୍ଟି ତାକୁ ପ୍ରଦାନକଲା -ଯେ ସେ ସେହି ବିଚାରଶୂନ୍ୟ, ବିବେକଶୂନ୍ୟ, ଉଦ୍ଧତ, ମାର୍କସ୍‌କୁ ଆପଣା ହୃଦୟ ସମର୍ପଣ କରିଅଛି । ଏହି ନିଶ୍ଚିତ ଜ୍ଞାନ ତାହାର ଉପଲବ୍‌ଧି ହେବା ମାତ୍ରକେ ଲଜ୍ଜାରେ ତାହାର ମସ୍ତକ ଅବନତ ହୋଇଗଲା ଏବଂ ଏହି ସମ୍ବନ୍ଧର ହୀନତା ସ୍ମରଣ କରି ତାହାର ସମସ୍ତ ଶରୀର ସଙ୍କୁଚିତ ହୋଇ ଆସିଲା । ତାହାର ମନେ ହେଲା, ଯେପରି ସେ କୌଣସି ନିତାନ୍ତ ନୀଚ କାର୍ଯ୍ୟ, କୌଣସି ମହାପାପ କରିଅଛି । ସେ ପ୍ରେମ କରିବ ଏହି ଲୋକକୁ, ଯାହାର ଚରିତ୍ରହୀନତା ବିଷୟରେ ସେ ଏତେ କଥା ଶୁଣିଅଛି ! ସେ ପ୍ରେମ କରିବ ଏହି ଭ୍ରଷ୍ଟ ଲମ୍ପଟକୁ, ଯାହାର ଆଚରଣ ତାହାର ଅବାଲ୍ୟପ୍ରାପ୍ତ ସମସ୍ତ ସଦୁପଦେଶ, ସମସ୍ତ ନୀତିର ବିରୁଦ୍ଧ ! ଯେଉଁ ନୀରୋ ତାହାର ପିତାମାତା ଓ ବନ୍ଧୁବର୍ଗର ବିନାଶ ସାଧନ କରିଅଛି, ତାହାରି ବନ୍ଧୁ ଖ୍ରୀଷ୍ମଧର୍ମର ଏହି ତାଡ଼ନାକରୀକୁ ସେ ପ୍ରେମ କରିବ । ଓଃ ! କି ଲଜ୍ଜା । କୌଣସି ସେ ତାହାର ହାତରେ ମୁହଁ ଲୁଚାଇ ସେ ସ୍ଥାନରୁ ପଳାଇ ଯାଇଥାନ୍ତା, କିନ୍ତୁ–ମେଲସ୍‌ର ହସ୍ତର ମୃଦୁ ସ୍ପର୍ଶ ତାକୁ ତାହାର ଉଦ୍‌ବେଳ ଭାବରାଶି ସଂଯତ କରିବାକୁ ସତର୍କ କରିଦେଲା । ମେଲସ ଅତି ଧୀରେ କହିଲା -

 

‘ମର୍ସିୟା, ଆସ, ଆହୁରି ଅନେକ ବାଟ, ଯିବାକୁ ଅଛି, କେଜାଣି ବିଳମ୍ବ ହୋଇଯିବ ।’

 

ଯେଉଁ ଅନତିକ୍ରମଣୀୟ ନିୟମରେ ନଦୀ ପୂର୍ବେ ପ୍ରବାହିତ ହେଉଥିଲା ଏବଂ ଭବିଷ୍ୟତରେ ପ୍ରବାହିତ ହେଉଥିବ, ସେହି ନିୟମ ଅନୁସରଣ କରି ଟାଇବର ଆଜି ଅବିଶ୍ରାନ୍ତ ଗତିରେ ସମୁଦ୍ର, ଅଭିମୁଖରେ ପ୍ରଧାବିତ, ଆଉ ସେହି ନିୟତିର ଅଲଙ୍ଘ୍ୟ ନିୟମରେ ଏହି ଦୁଇ ଜୀବନର ସ୍ରୋତ ନୀରବରେ କିନ୍ତୁ କ୍ଷିପ୍ରଗତିରେ ନିଜ ନିଜ ପରିଣାମ ଆଡ଼କୁ ଅଗ୍ରସର ହେଲା । ମର୍ସିୟା ପ୍ରେମ କଲା ମାର୍କସ୍‍କୁ, କାରଣ ତାହା ନ କରି ରହି ରହି ପାରି ନ ଥାନ୍ତା, ଏହା ତାହାପାଇଁ ବିଧିର ଅନନୁମେୟ ବିଧାନ, ଜଗତର ପତ୍ତନ ପୂର୍ବରୁ ନିର୍ଦ୍ଦିଷ୍ଟ ।

 

ବିଚରା ମେଲସ୍‌ ! ମେଲସ୍‌, ଜାଣିଲା, ମର୍ସିୟା ତାହାର ଜୀବନ ପରିଧିର ଅନେକ ଉପରେ, ତାହାର ଆକାଂଙ୍‌କ୍ଷା ଗଣ୍ଡିର ବାହାରେ । ସେ ଜାଣିଥିଲା, ମାର୍କସ ଏ ରତ୍ନର ଅଯୋଗ୍ୟ, ଏହାର ମୂଲ୍ୟ ବୁଝିବ ନାହିଁ । ମନେ କଲା, ଏ କଥା ମର୍ସିୟାକୁ କହିବ, କିନ୍ତୁ କି ଫଳ ହେବ ? ନା, ଟାଇବରର ଗତିକୁ ରୋଧିବା ଯେପରି, ପ୍ରେମର ଏ ସ୍ରୋତରେ ବାଧା ଦେବାର ଚେଷ୍ଟା ସେହିପରି ବୃଥା, ତେଣୁ ନୀରବରେ ମର୍ସିୟାର ମଙ୍ଗଳ ନିମିତ୍ତ ଜାଗ୍ରତ ରହି ପ୍ରାର୍ଥନା କରିବାକୁ ସ୍ଥିରକଲା ।

 

ଆଉ ଅନ୍ୟ ବାକ୍ୟ ବ୍ୟୟ ନ କରି ନୀରବରେ ଏହି ଦୁଇ ଭିନ୍ନହୃଦୟ ପ୍ରାଣୀ ସଭାସ୍ଥାନ ଆଡ଼କୁ ଅଗ୍ରସର ହେଲେ । ସେମାନେ ଯାହା ବିଷୟରେ ଏ ପ୍ରକାର ଚିନ୍ତା କରୁଥିଲେ, ସେହି ମାର୍କସ୍‌ ଏଥି ମଧ୍ୟରେ ସ୍ଵହସ୍ତରେ ଷ୍ଟିଫାନ୍‌ସକୁ ବହନ କରି ନିଜ ରଥରେ ବସାଇ ରଥଚାଳକକୁ ତାକୁ ଘରକୁ ନେଇ ଶୁଶ୍ରୂଷା କରିବାକୁ ଆଦେଶ ଦେଲା ଏବଂ ଯେଉଁଠାରେ ଭିଟୁରିୟସ୍‌ ସୈନ୍ୟ ସହ ଅପେକ୍ଷା କରିବାକୁ କହିଥିଲା, ନିଜେ ସେ ସ୍ଥାନକୁ କ୍ଷିପ୍ରଗତିରେ ଯିବାକୁ ଲାଗିଲା ।

 

ଭିଟୁରିୟସ୍‌ ସମସ୍ତ ସୈନ୍ୟ ସହିତ ପ୍ରସ୍ତୁତ ହୋଇ ମାର୍କସ୍ ନିମନ୍ତେ ଅଶ୍ୱ ସଜ୍ଜିତ କରି ଅପେକ୍ଷା କରୁଥିଲା । ଏକ ଲମ୍ପରେ ଅଶ୍ୱାରୋହଣ ମରି ମାର୍କସ ସୈନ୍ୟସହ ସେଷ୍ଟିୟାନ୍‌ ସେତୁ ଆଡ଼କୁ ଅଗ୍ରସର ହେଲା । ହୃଦୟରେ ଆଶଙ୍କା ଏବଂ ଉତ୍ତେଜନାର ତୋଫାନ ବହୁଛି । ଭାବନା କେବଳ-ସେ କଣ ମର୍ସିୟାକୁ ଉଦ୍ଧାର କରିବାକୁ ଠିକ୍‌ ସମୟରେ ପହଞ୍ଚି ପାରିବ ? ଭାବିଲା-ଅନ୍ୟ କୌଣସି କାରଣ ନ ଥିଲେ ସୁଦ୍ଧା ଅପରାହ୍ନରେ ମର୍ସିୟାକୁ ରକ୍ଷା କରିବା ସମୟରେ ସେ ଟିଗେଲିନିସର ପ୍ରଥମେ ଯେଉଁ ଅପମାନ କରିଥିଲା, କେବଳ ତାହାରି ପ୍ରତିଶୋଧ ନିମନ୍ତେ ଟିଗେଲିନିସ୍‌, ପ୍ରଥମେ ମର୍ସିୟାକୁ ଆକ୍ରମଣ କରିବ । ଏଥିପାଇଁ ସିଜରକୁ ଟିଗେଲିନସ୍‌ର କୌଣସି ଉତ୍ତର ଦେବାର ପ୍ରୟୋଜନ ହେବ ନାହିଁ, ଟିଗେଲିନସ୍ ନିର୍ବିଘ୍ନରେ ଏହା କରିବ । କାଳେ ପହଞ୍ଚିବାରେ ବିଳମ୍ବ ହୋଇଯିବ, ଏହି ଚିନ୍ତା ମାର୍କସ୍‌କୁ ପାଗଳ କରି ପକାଇଲା ।

 

ମାର୍କସ୍ ଅଧୈର୍ଯ୍ୟ ହୋଇ ଚିତ୍କାର କରିବାକୁ ଲାଗିଲା, “ଚଞ୍ଚଳ କର, ଚଞ୍ଚଳ କର !’’ ପଦପ୍ରହାରରେ ଅଶ୍ୱମାନେ ବିଦ୍ୟୁଦ୍‌ବେଗରେ ଛୁଟିବାକୁ ଲାଗିଲେ । କିନ୍ତୁ ଗନ୍ତବ୍ୟ ସ୍ଥାନର ସେମାନେ ଯେତେ ନିକଟବର୍ତ୍ତୀ ହେବାକୁ ଲାଗିଲେ, ମାର୍କସର ଉଦ୍‌ବେଗ ତେତେ ଅଧିକ ବଢ଼ିବାକୁ ଲାଗିଲା, ସେ ପ୍ରତିମୁହୁର୍ତ୍ତର ଗଣୁଥିଲା, ଅଶ୍ୱପଦବପତନ ଉତ୍‌ଥାନ ଗଣୁଥିଲା ଏବଂ ପ୍ରତି ପଦବିକ୍ଷେପରେ ସେଷ୍ଟିୟାନ ସେତୁର ଦୂରତ୍ୱ କଳନା କରୁଥିଲା ।

 

ହଠାତ୍ ବାଟରେ ମୋଡ଼-ମୁଣ୍ଡରୁ ଏକଦଳ ଭଦ୍ରମହିଳା ଓ ଅମାତ୍ୟବର୍ଗଙ୍କର ରଥମାନ ଦେଖାଗଲା । ହଠାତ୍ ଆସି ଏମାନେ ସେହି ରଥଗୁଡ଼ିକର ସମ୍ମୁଖୀନ ହୋଇଗଲେ ସର୍ବାଗ୍ର ରଥ ଉପରେ ଯେପରି ତାହାର ଘୋଡ଼ା ଚଢ଼ି ନ ଯାଏ, ତହିଁ ପାଇଁ ଏଡ଼େ ଜୋରରେ ଲଗାମ ଟାଣିବାକୁ ହୋଇଥିଲା ଯେ, ତାହାର ଘୋଡ଼ା ଦୁଇଗୋଡ଼ରେ ଛିଡ଼ା ହୋଇଗଲା । ରଥାରୋହୀ ଭୟରେ ଚିତ୍କାର କରି ଉଠିଲା ଏବଂ ମାର୍କସ୍‌ ରଥାରୋହୀକୁ ପରମୁହୂର୍ତ୍ତରେ ସାମ୍ରାଜ୍ଞୀ ପୋପିୟା ବୋଲି ଚିହ୍ନି ପାରିଲା । ପୋପିୟା ଅମାତ୍ୟବର୍ଗଙ୍କୁ ସହିତ ବନଭୋଜିରୁ ଫେରୁଥିଲା ।

 

ପୋପିୟା ଈଷତ୍‌ ହାସ୍ୟ କରି କହିଲା, ବାବା, କି ତେଜ ! ମାର୍କସ୍, ଆଜି କେଉଁ ପ୍ରେମିକାର ନିମନ୍ତ୍ରଣ ରକ୍ଷା କରିବାକୁ ଯାଉଛ ଯେ, ଆମ ଉପରେ ସୁଦ୍ଧା ଘୋଡ଼ା ଚଳାଇବାକୁ ଯାଉଥିଲ ?

 

ଏହି ଅଶୁଭ ମିଳନ ପାଇଁ ମାର୍କସ୍ ମନେ ମନେ ନିଜର ମନ୍ଦଭାଗ୍ୟକୁ ଅଭିଶାପ ଦେଲା-। ଅଧୈର୍ଯ୍ୟ ଓ ଅସନ୍ତୋଷ ଗୋପନ କରି କହିଲା, କ୍ଷମା କର ରାଜ୍ଞୀ, ମୁଁ ବାସ୍ତବିକ୍‌ ବଡ଼ ଜରୁରୀ କାର୍ଯ୍ୟରେ ବାହାରିଛି, କାହାରି ପ୍ରେମ ନିମନ୍ତ୍ରଣରକ୍ଷା କରିବାକୁ ନୁହେଁ । ମୋ ଉପରେ ଜଣକର ଜୀବନ ମରଣ ନିର୍ଭର କରୁଛି, ମୋତେ ଶୀଘ୍ର ଯିବାକୁ ହେବ । ଏହା କହି ମାର୍କସ୍ ଆଗ ବଢ଼ିବାକୁ ଉଦ୍ୟତ ହେଲା, କିନ୍ତୁ ମାର୍କସ୍‍କୁ ଏଡ଼େ ଚଞ୍ଚଳ ଛାଡ଼ି ଦେବାକୁ ପୋପିୟାର ଇଚ୍ଛା ନ ଥିଲା-। ପୋପିୟା ମାର୍କସ୍‍ର ସାକ୍ଷାତ ଲାଭ କରିବାକୁ ଏଯାବତ୍ ନାନା ପ୍ରକାର ଉପାୟ ଉଦ୍ଭାବନ କରିଥିଲା, କିନ୍ତୁ କୃତକାର୍ଯ୍ୟ ହୋଇପାରି ନ ଥିଲା । ଆଜି ଏ ଆକସ୍ମିକ ସାକ୍ଷାତରେ କୌଣସି ଲୋକ ନିନ୍ଦାର ଭୟ ନ ଥିବାରୁ ପୋପିୟା ଏ ସୁଯୋଗର ପୂର୍ଣ୍ଣ ସଦ୍‍ବ୍ୟବହାର କରିବାକୁ ଇଚ୍ଛା କରିଥିଲା । କିନ୍ତୁ ମାର୍କସ୍‌ ମର୍ସିୟାଗତପ୍ରାଣ, ମର୍ସିୟାର ବିପଦ ଆଶଙ୍କା ତାଙ୍କୁ ଅସ୍ଥିର କଲା, ଏ ଅସ୍ଥିରତା ସେ ଆଉ ଗୋପନ କରି ପାରିଲା ନାହିଁ ।

 

ସାମ୍ରାଜ୍ଞୀ ପଚାରିଲା, କାହାର ଜୀବନ ମରଣ ତୁମର ଏ ଯାତ୍ରା ଉପରେ ନିର୍ଭର କରୁଛି, ମାର୍କସ୍‌ ?

 

‘ସାମ୍ରାଜ୍ଞୀ, ମୁଁ ତାର ନାମ କହିଲେ ମଧ୍ୟ ତୁମେ ତାକୁ ଚିହ୍ନି ପାରିବ ନାହିଁ, ମୋତେ ଅନୁଗ୍ରହ କରି ବିଦାୟର ଅନୁମତି ଦିଅ । ଏହା କହି ଉତ୍ତରର ଅପେକ୍ଷା ନ କରି ମାର୍କସ ଜୋରେ ଅଶ୍ୱ ପାର୍ଶ୍ୱରେ ପଦ ପ୍ରହାର କଲା ଏବଂ ହାତ ହଲାଇ ସୈନ୍ୟମାନଙ୍କୁ ପଶ୍ଚାଦ୍‌ଗାମୀ ହେବାକୁ ସଙ୍କେତ କଲା । ଏହିପରି ସେମାନେ ବାୟୁବେଗରେ ସେଷ୍ଟିୟାନ୍‌ ସେତୁ ଆଡ଼କୁ ଅଗ୍ରସର ହେଲେ-

 

କ୍ରୋଧରେ ପୋପିୟାର ସର୍ବାଙ୍ଗ ଜଳିଗଲା । ସେ ଭାବିଲା ମାର୍କସ୍‌ କେଉଁ ସାହସରେ ତାହାର ବନ୍ଧୁମାନଙ୍କ ସାକ୍ଷାତରେ ତାକୁ ଏପରି ଅବଜ୍ଞା କଲା ! ସେ କିଏ, ଯାହାପାଇଁ ମାର୍କସ୍‌ ଆଜି ତାର ସଙ୍ଗସୁଖ ତ୍ୟାଗ କଲା । ଆଉ ସେ ଯଯି ସ୍ତ୍ରୀଲୋକ ହୋଇଥାଏ, ତାହାହେଲେ ସେ ନିଶ୍ଚୟ ଏହି ଅବଜ୍ଞାର ପ୍ରତିଶୋଧ ଏହି ସ୍ତ୍ରୀଲୋକଠାରୁ ଗ୍ରହଣ କରିବ । ଏହିପରି ମର୍ସିୟା ଅଜ୍ଞାତ ଭାବରେ ରୋମର ସବୁଠାରୁ ଅଧିକ ଦୁର୍ଦ୍ଦାନ୍ତ ରମଣୀକୁ ନିଜର ଶତ୍ରୁ କରି ପକାଇଲା । କାରଣ ପୋପିୟା ଅନତି ବିଳମ୍ବରେ ଜାଣି ପାରିଥିଲା, ମାର୍କସ୍‌ ଖ୍ରୀଷ୍ଟିୟାନ ଯୁବତୀ ମର୍ସିୟାକୁ ରକ୍ଷା କରିବା ପାଇଁ ତାକୁ ପରିତ୍ୟାଗ କରି ଚାଲି ଯାଇଥିଲା ।

 

ଉଦ୍ୟାନର ମଧ୍ୟବର୍ତ୍ତୀ ଗୋଟାଏ ପ୍ରକାଣ୍ଡ ଗର୍ତ୍ତରେ ସଭା ବସିଥିଲା । ଏ ସ୍ଥାନ ଏପରି ଲୁକ୍‌କାୟିତ ଯେ, ଏହାର ନିକଟକୁ ନ ଆସିଲେ ବାହାରୁ କେହି ଏହାର ସତ୍ତା ଜାଣିପାରିବ ନାହିଁ । ବୃକ୍ଷଲତା, ଗୁଳ୍ମ, ଏହାକୁ ନଦୀ ତୀର ଆଡ଼ୁ ଘୋଡ଼ାଇ ରଖିଥିଲା । ସମ୍ମୁଖରେ ପ୍ରକାଣ୍ଡ ଢିପ ଥିବାରୁ ଏହା ବାହାରକୁ ମଧ୍ୟ ଦେଖାଯାଉ ନ ଥିଲା । ପୂର୍ଣ୍ଣିମାର ପ୍ରଫୁଲ୍ଲ ଚନ୍ଦ୍ର ଉଦ୍ୟାନର ତରୁତନୁଜଡ଼ିତ ଅସଂଖ୍ୟ ଲତାର ଅକୃତ୍ରିମ କୁଞ୍ଜରେ ଜ୍ୟୋତ୍ସ୍ନାର ତରଙ୍ଗ ଢାଳି ସେ ଅନ୍ଧକାର ମିଶା ଜ୍ୟୋତ୍ସ୍ନା ଓ ଜ୍ୟୋତ୍ସ୍ନାମିଶା ଅନ୍ଧକାରର ଯେପରି ବିଷାଦର ଲଳିତ ମଧୁର ମୂର୍ତ୍ତି ସୂଜନ କରିଥିଲା । ସେହି ଅସ୍ପଷ୍ଟ ଚନ୍ଦ୍ରାଲୋକରେ ଆବାଳବୃଦ୍ଧବନିତା ପ୍ରାୟ ଶତାଧିକ ଖ୍ରୀଷ୍ଟିୟାନ ଭକ୍ତିପୂର୍ଣ୍ଣ ହୃଦୟରେ ଈଶ୍ୱରଙ୍କ ଉପାସନା ନିମିତ୍ତ ସେହି କୁଞ୍ଜ ତଳେ ସମ୍ମିଳିତ ହୋଇଥିଲେ । ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଭକ୍ତ ଫାଭିୟସ୍ ଦଣ୍ଡାୟମାନ ହୋଇଥିଲେ, ତାଙ୍କର ଟିକିଏ ତଳକୁ ଟାଇଟସ୍ ଛିଡ଼ା ହୋଇଥିଲେ, ଫାଭିୟସ୍‌ଙ୍କ ପାର୍ଶ୍ୱରେ ମର୍ସିୟା ଅବନତଜାନୁ ହୋଇ ଦକ୍ଷିଣହସ୍ତରେ ଦୀପଶିଳୀକା ଓ ବାମହସ୍ତରେ ନିକଟବର୍ତ୍ତୀ ବୃକ୍ଷଡାଳରେ ସଦ୍ୟ ପ୍ରସ୍ତୁତ ଖଣ୍ଡେ ‘କ୍ରୂଶ’ ଧରିଥିଲା । ସଭା ବସିବା ପୂର୍ବରୁ ଦୁଇଖଣ୍ଡ ଡାଳ ଭାଙ୍ଗି ଲତାତନ୍ତୁ ସାହାଯ୍ୟରେ କ୍ରୂଶ ପ୍ରସ୍ତୁତ କରା ହୋଇଥିଲା, କାରଣ ଧର୍ମର ଏହି ଚିହ୍ନ ରୋମରେ ପ୍ରକାଶ୍ୟଭାବରେ ବହନ କରିବା ନିରାପଦ ନ ଥିଲା । କୌଣସି ଶତ୍ରୁ ବା ଅପରିଚିତର ଆଗମନ ସମ୍ବାଦ ଦେଇ ଯେମନ୍ତ ସତର୍କ କରିଦେବେ, ଏଥିପାଇଁ ମେଲସ୍ ପ୍ରଭୃତି କେତେକ ବିଶ୍ୱସ୍ତ ଭ୍ରାତା ସ୍ଥାନେ ସ୍ଥାନେ ପ୍ରହରୀର କାର୍ଯ୍ୟ କରୁଥିଲେ ।

 

ଦୃଶ୍ୟ ବଡ଼ ମଧୁର । ଖ୍ରୀଷ୍ଟିୟାନମାନେ ଜାନୁପାତପୂର୍ବକ ଭକ୍ତିପୂର୍ଣ୍ଣଚିତ୍ତରେ ଐକକେନ୍ଦ୍ରିକ ବୃତ୍ତାର୍ଦ୍ଧ ଆକାରରେ ଫାଭିୟସ୍‌ଙ୍କ ସମ୍ମୁଖରେ ବସିଥିଲେ । କେନ୍ଦ୍ରରେ ଫାଭିୟସ୍ ଫାଭିୟସ୍‌ ନିକଟରେ ପ୍ରଥମ ଧାଡ଼ିରେ ପିଲାମାନେ, ତାପରେ ସ୍ତ୍ରୀଲୋକ, ସର୍ବଶେଷରେ ପୁରୁଷମାନେ । ଚନ୍ଦ୍ରକିରଣ ବୃକ୍ଷଲତାନ୍ତରାଳ ଦେଇ ଝରି ପଡ଼ୁଅଛି । ସମସ୍ତଙ୍କର ସାଜସଜ୍ଜା ସାଦାସିଧା । ମର୍ସିୟା ଶୁକ୍ଳାମ୍ବରପରିହିତା, ତାହାର ଶୁଭ୍ରମୂର୍ତ୍ତି ଦୂରରୁ ସ୍ଵର୍ଗର ଦୂତ ପରି ଦେଖାଯାଉଥିଲା; ତାହାରି ପଶ୍ଚାଦ୍‌ଭାଗରେ ଉପବନର ଛାୟାଲୋକବିଭର୍ଡିତ ନିବିଡ଼ ପୂର୍ଣ୍ଣଜାଲ । ସେମାନେ ଗୋଟିଏ ଗୀତ ଗାଇଥିଲେ ।

 

ଗୀତ ଶେଷ ହେବାରୁ ମର୍ସିୟା ଉଠି ହାତରେ ଥିବା ପ୍ରଦୀପ ଟେକି ଧରିଲା । ଫାଭିୟସ୍‌ ଆସିଥିବା ପତ୍ର ଫିଟାଇବାକୁ ଲାଗିଲେ । ସେବକ ଦଳ ପାଠ ପତ୍ର ଶୁଣିବା ପାଇଁ ନୀରବରେ ଉଦ୍‌ଗ୍ରୀବ ହୋଇ ରହିଲେ । ଫାଭିୟସ୍ ପତ୍ରପାଠ ଆରମ୍ଭ କଲେ–ଭାତୃଗଣ, ଶେଷ ପର୍ଯ୍ୟନ୍ତ ବିଶ୍ୱାସ ଧରି ରଖ । ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳକାମନା କର, ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରନ୍ତି, ସେମାନଙ୍କର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କର । ତୁମ୍ଭେମାନେ ପରସ୍ପରକୁ ପ୍ରେମ କର । ଦୁଃଖଭୋଗରେ ଧୈର୍ଯ୍ୟ ଧର । ଯେଉଁମାନେ ଆନନ୍ଦ କରନ୍ତି ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ କ୍ରନ୍ଦନ କରନ୍ତି, ସେମାନଙ୍କ ସହିତ କ୍ରନ୍ଦନ କର । ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ ଥାଏ, ତାକୁ ଭୋଜନ କରାଅ, ଯଦି ସେ ତୃଷିତ ଥାଏ, ଜଳପାନ କରାଅ । ତୁମ୍ଭମାନେ ଅନ୍ୟମାନଙ୍କ ପ୍ରତି ସେହିପରି ବ୍ୟବହାର କର, ସେମାନଙ୍କଠାରୁ ଯେ ପ୍ରକାର ବ୍ୟବହାର ପ୍ରତ୍ୟାଶା କର । ମନବମାତ୍ରକୁ ଆତ୍ମତୁଲ୍ୟ ପ୍ରେମ କର, କାରଣ ଏହି ବିଷୟ ଶିକ୍ଷା ଦେବାକୁ ତ୍ରାଣକର୍ତ୍ତା ଜଗତକୁ ଆସିଥିଲେ । ଆଉ ତାଙ୍କର ପୂର୍ଣ୍ଣ ଶାନ୍ତି ତୁମ୍ଭମାନଙ୍କ ମଧ୍ୟରେ ସଦାସର୍ବଦା ଥାଉ ।

 

ସମସ୍ତେ ଧୀରସ୍ୱରରେ କହିଲେ, ‘ତଥାସ୍ତୁ’ । ପଲସ୍‌ଙ୍କର ପତ୍ରବାହକ ଟାଇଟସ୍ ତହିଁ ଉତ୍ତାରୁ କଥା କହିବାକୁ ଆରମ୍ଭ କଲେ–

 

ଭାତୃଗଣ, ଜାତିଗଣ ସତ୍ୟଜ୍ୟୋତିଃ ଅଭାବରୁ ଅନ୍ଧକାରରେ ଭ୍ରମଣ କରୁଅଛନ୍ତି । ଆଉ ଏ ରଜନୀ ପ୍ରଭାତ ପ୍ରାୟ । କିନ୍ତୁ ଏହି ସତ୍ୟର ସୂର୍ଯ୍ୟୋଦୟ ପୂର୍ବରୁ ଆକାଶ ପୃଥିବୀ ଉଷାରାଗରଞ୍ଜିତ ହେବ–ଖ୍ରୀଷ୍ଟିୟାନ ସାଧୁମାନଙ୍କର ରକ୍ତ ଏ ରଞ୍ଜନ ଯୋଗାଇବ । ସେଥିପାଇଁ ଧନହୀନ ଲୋକେ ତୁମ୍ଭଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରିବେ, କିନ୍ତୁ ସେଥିରେ ଭୀତ ହେବାର କୌଣସି କାରଣ ନାହିଁ, କାରଣ ମୃତ୍ୟୁ ଅନନ୍ତ ଜୀବନରେ ପ୍ରବେଶ କରିବାର ଦ୍ୱାର । ସେଥିପାଇଁ ଧୈର୍ଯ୍ୟ ଧର, ଦୁଃଖଭୋଗରେ କାତର ନ ହୁଅ ।’

 

ତାଙ୍କର ଏହି ଭବିଷ୍ୟତବାଣୀ ନିକଟ ଭବିଷ୍ୟତରେ ଫଳିଲା । ସେହି ରାତ୍ରିର ଅବସାନ ସଙ୍ଗେ ସଙ୍ଗେ ସାଧୁମାନଙ୍କ ଶୋଣିତରେ ପୃଥିବୀ ରଞ୍ଜିତ ହେଲା । ଶତ୍ରୁ ସେମାନଙ୍କର ନିକଟବର୍ତ୍ତୀ ହେଉଥିଲେ, ଘାତକର ଶାଣିତ କୃପାଣ ଅଦୂରବର୍ତ୍ତୀ ପଥପାର୍ଶ୍ୱରେ ଚନ୍ଦ୍ରାଲୋକରେ ଜକ୍‌ ଜକ୍‌ ହେଉଥିଲା । ମେଲମ୍ ଋର୍ଦ୍ଧ୍ୱାଶ୍ୱାସରେ ଦଉଡ଼ି ଆସି କହିଲା, ‘ବାବା ଫାଭିୟସ୍‌, ମର୍ସିୟା, ଭ୍ରାତୃଗଣ, ଆମ୍ଭେମାନେ ‘ଶତ୍ରୁହସ୍ତଗତ ।’ କେହି କେହି କ୍ଷୀଣପ୍ରାଣ ସ୍ତ୍ରୀଲୋକ ଚିତ୍କାର କରି ଉଠିଲେ, ‘ଶତ୍ରୁ ହସ୍ତଗତ !’ ‘ଟିଗେଲିନିସ ଓ ତାହାର ସୈନ୍ୟମାନେ ଆସୁଅଛନ୍ତି, ପଳାଅ, ପଳାଅ, ନିଜ ନିଜକୁ ରକ୍ଷା କର ।’

 

ଆତ୍ମରକ୍ଷାପାଇଁ ସମସ୍ତେ ପଳାଇବାକୁ ବ୍ୟତିଗ୍ରସ୍ତ ହେଲେ । ଶିଶୁମାନେ ଭୟରେ ମାତାଙ୍କ ଅଞ୍ଚଳ ଓଟାରୁଥିଲେ, ପୁରୁଷମାନେ ଶିଶୁମାନଙ୍କୁ ଶାନ୍ତ କରି ସ୍ତ୍ରୀଲୋକଙ୍କ ପଳାୟନର ବନ୍ଦୋବସ୍ତ କରିବାରେ ତତ୍‌ପର ହେଲେ, କିନ୍ତୁ ରକ୍ଷା ଅସମ୍ଭବ ଜାଣି ମର୍ସିୟା ଊର୍ଦ୍ଧ୍ୱକୁ ‘କ୍ରୂଶ’ ଉଠାଇ ଚିତ୍କାର କରି କହିଲା–

 

‘ଭ୍ରାତୃଗଣ, ମୁଁ ତୁମ୍ଭମାନଙ୍କୁ କ୍ରୂଶର ଦ୍ୱାହି ଦେଇ ମିନତି କରୁଅଛି, ପଳାଅ ନାହିଁ । ଖ୍ରୀଷ୍ଟିୟାନ ପରି ଶତ୍ରୃ ମାନଙ୍କର ସମ୍ମୁଖୀନ ହୁଅ । ଭୟ କର ନାହିଁ ।’

 

ନିମିଷ ମଧ୍ୟରେ ସେହି କ୍ଷୁବ୍‌ଧ ଜନସଂଘ ଶାନ୍ତ ହେଲେ ଏବଂ ଭୂମିରେ ଜାନୁପାତ କରି ଭକ୍ତିଗଦ୍‌ଗଦ କଣ୍ଠରେ ଗାନ କରି ନିଜ ନିଜକୁ ଈଶ୍ୱରଙ୍କ ଚରଣରେ ନିବେଦନ କଲେ ।

 

ଏହି ନିରୀହ ଭକ୍ତ ଖ୍ରୀଷ୍ଟିୟାନଙ୍କ ଉପରେ ଟିଗେଲିନସ୍‌, ଲିସିନିୟସ୍‌ ଓ ସୈନ୍ୟମାନେ ଝଡ଼ପରି ଆସି ପଡ଼ିଲେ । ରକ୍ତ ପିପାସୁ ଲିସିନିୟସ୍‌, ‘‘ମାର, ମାର’ ବୋଲି ଗର୍ଜନ କରି ଉଠିଲା ଏବଂ ଟିଗେଲିନସ୍ ଚିତ୍କାର କରି କହିଲା, ‘ଏ କୁକ୍‌କରଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ବାଦ୍‌ ଦିଅ ନାହିଁ ।’ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ ଗୋଟିଏ ଚିତ୍କାର ସୁଦ୍ଧା ଶୁଣାଗଲା ନାହିଁ । ଖଡ଼୍‌ଗାଧାରରେ ପଡ଼ିବା ପର୍ଯ୍ୟନ୍ତ ସେମାନେ ଗାନ କରୁ କରୁ ସେମାନଙ୍କ ପ୍ରଭୁଙ୍କ ହସ୍ତରେ ନିଜ ନିଜ ଆତ୍ମା ନିବେଦନ କଲେ-। ଯେତେବେଳେ ଘାତକର ଖଡ୍‌ଗ କୌଣସି ସ୍ତ୍ରୀଲୋକ ପ୍ରତି ଉଦ୍ୟତ ହେଉଥିଲା, ସେତେବେଳେ କୌଣସି ପୁରୁଷ ଆସି ସ୍ତ୍ରୀଲୋକର ସମ୍ମୁଖରେ ଛିଡ଼ା ହେଉଥିଲା ଏବଂ ଆପଣା ସ୍କନ୍ଧରେ ନୀରବରେ ଖଡ୍‌ଗ ପ୍ରହାର ଗ୍ରହଣ କରୁଥିଲା; ମାତା ନିଜର ଶିଶୁସନ୍ତାନକୁ ରକ୍ଷା ଦେବା ନିମନ୍ତେ ତାକୁ ଉହାଡ଼ କରି ଉତ୍‌ଥିତ ତରବାରୀ ତଳକୁ ଆପଣା ବେକ ବଢ଼ାଇ ଦେଉଥିଲା, କିନ୍ତୁ ହାୟ ! ଏ ସମସ୍ତ ସ୍ୱାର୍ଥତ୍ୟାଗ ବୃଥା ହେଲା । କାରଣ ପୁରୁଷ ସ୍ତ୍ରୀ ବୃଦ୍ଧ ବାଳକ ନିର୍ବିଶେଷରେ ସମସ୍ତେ ଖଡ଼୍‍ଗ ମୁଖରେ ପତିତ ହେଲେ । କିନ୍ତୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିର୍ଭୟରେ ମୃତ୍ୟୁବିଧାନ ଗ୍ରହଣ କଲେ । ସେମାନଙ୍କ ମଧ୍ୟରେ ଆତଙ୍କ ନ ଥିଲା, ସମସ୍ତେ ସେମାନଙ୍କର ପ୍ରଭୁଙ୍କ ନିମନ୍ତେ ମରିବାକୁ ପ୍ରସ୍ତୁତ ଥିଲେ ଏବଂ ବିନା ବଚସାରେ ପ୍ରାଣ ବିସର୍ଜ୍ଜନ କଲେ । ସ୍ଵାମୀ ସ୍ତ୍ରୀ ମୃତ୍ୟୁର ଆଲିଙ୍ଗନରେ ପରସ୍ପରକୁ ଆଲିଙ୍ଗନ କଲେ; ଯେଉଁ ବାଳକ ବାଳିକାଙ୍କ ଉପରେ ସେପର୍ଯ୍ୟନ୍ତ ଖଡ୍‌ଗ ପଡ଼ି ନ ଥିଲା, ସେମାନେ ସେମାନଙ୍କ ପିତାମାତାଙ୍କ ମୃତ ଦେହ ନିକଟରେ ନୀରବରେ ପ୍ରାର୍ଥନା କରିବାକୁ ଲାଗିଲେ । ଜଣେ ହେଲେ ପ୍ରତିରୋଧ କଲା ନାହିଁ । ବାସ୍ତବିକ୍ ସର୍ଭିଲିୟସ୍‌ ଯାହା କହିଥିଲା-ଏ ଶିକାରରେ ଆପଦର ଭୟ ନାହିଁ, ତାହା ନିତାନ୍ତ ସତ୍ୟ ।
 

ଲିସିନିୟସ୍‌ ଟାଇଟସ୍‍ଙ୍କ ବକ୍ଷରେ ବର୍ଚ୍ଛା ବିଦ୍ଧ କଲା ଏବଂ ଭକ୍ତ ସାମାନ୍ୟ ଆର୍ତ୍ତନାଦ ସୁଦ୍ଧା ନ କରି ପ୍ରାଣତ୍ୟାଗ କଲେ, ମୃତଶରୀର ଲିସିନିୟସ୍‍ର ପଦତଳେ ପଡ଼ିଗଲା । ଟିଗେଲିନସ୍‍ ଫାଭିୟସଙ୍କ ଆଡକୁ ପ୍ରଧାବିତ ହେଲା, କିନ୍ତୁ ମର୍ସିୟା ଆସି ପଥରୁଦ୍ଧ କରି କହିଲା ‘ନା, ନା, ମୋ ପ୍ରାଣ ନିଅ ପଛେ ତାକୁ ଛାଡ଼ିଦିଅ ।’

 

କିନ୍ତୁ ଲିସିନିୟସ୍‍ ଆସି ମର୍ସିୟାକୁ ଟାଣି ନେଇ କହିଲା, ‘ଏ ବୁଢ଼ାକୁ ଆଗେ ଶେଷ କର-।’ ଟିଗେଲିନସ୍‍ କମରରୁ ଛୁରୀ କାଢ଼ି ଫାଭିୟସଙ୍କ ଛାତିରେ ବସାଇ ଦେଲା, ବୃଦ୍ଧ ଉର୍ଦ୍ଧ୍ୱମୁଖ ହୋଇ ଢିପିସାନୁ ଉପରେ ପଡ଼ିଗଲେ ଏବଂ ତାଙ୍କ ଚକ୍ଷୁର ତାରା ଶରତର ପର୍ଣ୍ଣଚନ୍ଦ୍ର ଉପରେ ପଡ଼ି ସ୍ଥିର ହୋଇ ଆସିଲା । ମର୍ସିୟାକୁ ଧରୁ ଧରୁ ଲିସିନିୟସ୍‍ର ଗୋଡ଼ ଖସିଗଲା, ମୁଁ ନିଜକୁ ରକ୍ଷା କରିବାକୁ ଯାଇ ମର୍ସିୟାର ହାତ ଛାଡ଼ି ଦେଲା, କିନ୍ତୁ ତାହାର ଶୁଭ୍ର ମୂର୍ତ୍ତି ଟିଗେଲିନିସ୍‍ର ଚକ୍ଷୁରେ ପଡ଼ିଲା ଏବଂ ସେ ତାହା ଆଡ଼କୁ ତୀରବେଗରେ ଧାଇଁ ଆସିଲା । ସେହି ମୂହୁର୍ତ୍ତରେ ଲିସିନିୟସ୍‍ ମଧ୍ୟ ତାହା ଆଡ଼କୁ ପ୍ରଧାବିତ ହେଲା; କିନ୍ତୁ ପରମୁହୂର୍ତ୍ତରେ ସେମାନଙ୍କ ହାତରୁ ଖଡ଼୍‍ଗ ଖସି ପଡ଼ିଲା-। ମାର୍କସ ଚକ୍ଷୁର ପଲକରେ ମର୍ସିୟାର କଟି ଧରି ପତନୋନ୍ମୁଖ ଖଡ୍‍ଗ ତଳୁ ଟାଣି ନେଲା ଓ ନିଜ ହସ୍ତର ଅସି ପ୍ରହାରରେ ଘାତକଙ୍କ ଖଡ଼ଗ ହସ୍ତଚ୍ୟୁତ କଲା ।

 

ମାର୍କସ ବଜ୍ରନିର୍ଘୋଷରେ ଆଦେଶ ଦେଲା, ‘କ୍ଷାନ୍ତ ହୁଅ । ମାର୍କସ୍‍ର ସୈନ୍ୟମାନେ ଟିଗେଲିନସ୍‍ର ସୈନ୍ୟମାନଙ୍କ ମଧ୍ୟରେ ପ୍ରବେଶ କରି ସେମାନଙ୍କୁ ଛିନ୍ନଭିନ୍ନ କରିବାକୁ ଲାଗିଲେ ଏବଂ ଯେଉଁଠାରେ ସେମାନେ ପ୍ରତିରୋଧ କଲେ, ସେଠାରେ ଅସିମୁନରେ ସେମାନଙ୍କୁ ବଶ୍ୟତା ସ୍ୱୀକାର କରାଇଲେ । ଟିଗେଲିନସ୍ ଓ ଲିସିନିୟସ୍ କିନ୍ତୁ ଶାଣିତ ପିପାସାରେ ଉନ୍ମତ୍ତ ହୋଇଥିଲେ, ତେଣୁ ମାର୍କସ୍‍ର ଏହି ବ୍ୟାପାରେ କ୍ଷିପ୍ତ ହୋଇ ଉଠିଲି । ଟିଗେଲିନସ୍ ଚିତ୍କାର କରି ନିଜର ସୈନ୍ୟମାନଙ୍କୁ ପୂର୍ବ ପରି ହତ୍ୟାକାର୍ଯ୍ୟ କରିବାକୁ ଆଦେଶ ଦେଲା । କିନ୍ତୁ ମାର୍କସ୍‍ର ଗମ୍ଭୀର ସ୍ୱର ତୁର୍ଯ୍ୟଧ୍ୱନିବତ୍ ନିନାଦିତ ହେବାକୁ ଲାଗିଲା ।

 

“ଅସି କୋଷବଦ୍ଧ କର, ନତୁବା ମୁଁ ସିଜରଙ୍କ ଦ୍ୱାହି ଦେଇ କହୁଅଛି, ଯଦି କୌଣସି ଲୋକ ଏମାନଙ୍କ ଉପରେ ଆଉ ଥରେ ଅସି ଚଳ।ଏ, ତାହାହେଲେ ତାହାର ମୃତ୍ୟୁ ନିଶ୍ଚିତ ।

 

ଉଭୟ ପକ୍ଷର ସୈନ୍ୟମାନେ ପ୍ରିଫେକ୍‍ଟରୁ ଉତ୍ତମରୂପେ ଜାଣିଥିଲେ; ସେମାନେ କୋଷରେ ଖଡ୍‍ଗ ପୂରାଇଲେ ।

 

ଟିଗେଲିନସ୍ ପଚାରିଲା, “ପ୍ରିଫେକ୍‍ଟ, ଏହି ଦସ୍ୟୁମାନଙ୍କୁ ଛାଡ଼ିଦେବ ?’’

 

ମାର୍କସ କହିଲା, ‘ନା, ଏ ମୋର କାର୍ଯ୍ୟ, ମୁଁ ବୁଝିବି । ଆହତ ଲୋକମାନଙ୍କର ତତ୍ତ୍ୱ ନିଅ, ବାକି ସମସ୍ତଙ୍କୁ ବନ୍ଦୀ କର । ଯାଅ, ସମସ୍ତେ ଯାଅ’ ତତ୍ପରେ ଟିଗେଲିନସ୍, ଲିସିନିୟସ୍‍ ଓ ସେମାନଙ୍କ ଲେକମାନଙ୍କ ଆଡ଼କୁ ଅନାଇ ମାର୍କସ୍ କହିଲା, ‘ଏମାନଙ୍କ ସକାଶେ ସିଜର ନିକଟରେ ମୁଁ ଦାୟୀ । ତୁମ୍ଭମାନଙ୍କର ଭୟ କରିବାର କୌଣସି କାରଣ ନାହିଁ; ଏମାନଙ୍କ ପ୍ରତି ଉପଯୁକ୍ତ ବିଚାର କିରାଯିବ ।’’

 

ମାର୍କସର କର୍ତ୍ତୃତ୍ୱରେ ହସ୍ତକ୍ଷେ କରିବା ଟିଗେଲିନସ୍‍ ପକ୍ଷରେ ଅସାଧ୍ୟ ଥିଲା, ତହିଁ ଉପରେ ମାର୍କସ୍‍ର ସୈନ୍ୟସଂଖ୍ୟା ଅଧିକ ଦେଖି ସେ ନିଜର ଲୋକମାନଙ୍କୁ ଘେନି ପ୍ରସ୍ଥାନ କଲା । ଆହତ ଓ ମୁମୂର୍ଷ ଲୋକଙ୍କ ନିକଟରେ କେବଳ ମାର୍କସ୍ ଓ ତାହାର ସୈନ୍ୟମାନେ ରହିଲେ । ମର୍ସିୟା ମୁମୂର୍ଷ ଫାଭିୟସ୍‍ଙ୍କ ନିକଟକୁ ଦଉଡ଼ିଗଲା ଏବଂ ତାଙ୍କର ପଳିତକେଶ ମସ୍ତକ ନିଜ କ୍ରୋଡ଼ରେ ସ୍ଥାପନ କରି ମୁଖ ଓ କପାଳରୁ ମରଣର ସ୍ୱେଦବାରି ପୋଛିବାକୁ ଲାଗିଲା । ଫାଭିୟସ୍, ପବିତ୍ର ମୃଦୁ ହାସ୍ୟରେ କେବଳ ଧନ୍ୟବାଦ ଜ୍ଞାପନ କଲେ । ସେ କଥା କହି ପାରୁ ନଥିଲେ କିନ୍ତୁ ଚକ୍ଷୁ ତାଙ୍କର କଥା କହୁଥିଲା ଏବଂ ଯାହାକୁ ସେ ଆବାଲ୍ୟରୁ ସ୍ନେହ କରି ଆସୁଥିଲେ, ସେ ବାଳିକା ଉପରେ ଚକ୍ଷୁସ୍ୱର୍ଗୀୟ ପ୍ରୀତି ଓ କରୁଣା ବର୍ଷଣ କରୁଥିଲା । ହଠାତ୍ ସେ ଅତ୍ୟନ୍ତ ବ୍ୟାକୁଳ ଭାବରେ ମର୍ସିୟାକୁ ଆଡ଼କୁ ଅନାଇଲେ; ମନେହେଲା, ଯେପରି ମୃତ୍ୟୁଦ୍ୱାରରେ ପ୍ରବେଶ କରିବା ପୂର୍ବରୁ ସେ ମର୍ସିୟାର ଭବିଷ୍ୟତ ଜାଣିବାକୁ ବ୍ୟଗ୍ର ହୋଇଥିଲେ । ତାଙ୍କର ଜୀବନ ପ୍ରଦୀପ ସେକେ କ୍ଷୀଣ ହୋଇ ଆସିଲା, ସେ ତତେ ମର୍ସିୟାକୁ ଅଧିକ ଯତ୍ନରେ ନିରୀକ୍ଷଣ କରିବାକୁ ଲାଗିଲେ । ମାର୍କସ୍‍କୁ ସାହାଯ୍ୟ କରିବାପାଇଁ ଆସିବାର ଦେଖି ଏ ମୁମୂର୍ଷ ସାଧୁଙ୍କ ଦୃଷ୍ଟି ସେ ଆଡ଼କୁ ଆକୃଷ୍ଟ ହେଲା । ମୁହୂର୍ତ୍ତକ ପାଇଁ ତାଙ୍କର ମୁଖ ଅନ୍ଧକାରାଚ୍ଛନ ହେଲା ଏବଂ ଅଶୁଭ ସମ୍ଭାବନାରେ ଚକ୍ଷୁ ବିଷାଦମୟ ହୋଇ ଉଠିଲା । ତତ୍ପରେ ଜଣାଗଲା, ଯେପରି ତାଙ୍କର ଚକ୍ଷୁ ଏମାନଙ୍କୁ ଅତିକ୍ରମ କରି କେଉଁ ଭବିଷ୍ୟତକୁ ନିର୍ନିମେଷ ଲୋଚନରେ ନିରୀକ୍ଷଣ କରୁଅଛି ।

 

ପୁନର୍ବାର ଯେତେବେଳେ ସେ ଏ ଦୁହିଁଙ୍କ ଉପରେ ଚକ୍ଷୁ ସ୍ଥାପନ କଲେ, ସେତେବେଳେ ତାହା ବିର୍ଣ୍ଣନାତୀତ ଶାନ୍ତି ଓ ଆନନ୍ଦରେ ଉଦ୍ଭାସିତ । ସେ କଣ ଦେଖିଲେ କେଜାଣି, ହୃଦୟ ଏ ପ୍ରକାର ଶାନ୍ତିରସରେ ଅଭିଷିକ୍ତ ହୋଇଗଲା ? ଭବିତବ୍ୟର ଏହି କେଉଁ ଗୁପ୍ତଦ୍ୱାର ତାଙ୍କ ଦୃଷ୍ଟିସମ୍ମୁଖରେ ଖୋଲିଗଲା ? ଭବିଷ୍ୟତ୍‍ ଏହି ପୁରୁଷ ଓ ସ୍ତ୍ରୀ ପାଇଁ କଣ ତାହା ଗର୍ଭରେ ଲୁକ୍‌କାୟିତ କରି ରଖିଅଛି, ତାହା କଣ ସେ ଦିବ୍ୟଦୃଷ୍ଟିରେ ଦେଖିଲେ ? ଯଦି ତାହାହିଁ ହୁଏ, ତାହାହେଲେ ଏହି ଭବିଷ୍ୟତ ଦର୍ଶନ ତାଙ୍କ ପ୍ରାଣକୁ ପ୍ରଫୁଲ କରିଥିଲା । ଗଭୀର ଆନନ୍ଦରେ ତାଙ୍କ ମୁଖଶ୍ରୀ ଉଜ୍ଜ୍ୱଳ ହେଲା ଏବଂ ନିକଟରେ ଅବନତଜାନୁ ମାର୍କସ୍‍ର ହସ୍ତ ଧିରେ ଧିରେ ନିଜ ହସ୍ତରେ ଗ୍ରହଣ କରି ଅଭ୍ୟର୍ଥନାର ମୃଦୁମର୍ଦ୍ଦନ ପ୍ରଦାନ କଲେ । ତାଙ୍କର ଅନ୍ୟ ହସ୍ତ ମର୍ସିୟାର ହସ୍ତରେ ଥିଲା, ସେ ମଧ୍ୟ ତାଙ୍କ ଜୀବନର ଶେଷ ସ୍ପନ୍ଦନ ଅନୁଭବ କଲା । ଏହିରୂପେ ଜୀବନ-ସନ୍ଧ୍ୟାରେ ନିର୍ମଳ ଆକାଶରେ ମରଣର ଗଭୀର ଛାୟା ଧୀରେ ଧୀରେ ଓହ୍ଲାଇ ଆସିଲା ଏବଂ ଭକ୍ତ ପ୍ରାଣ ଜଗତର ସମସ୍ତ ଜ୍ଵଳା ଯନ୍ତ୍ରଣାରୁ ନିଷ୍କୃତି ପାଇ ସେହି ପୁଣ୍ୟମୟ ନିରାମୟ ଧାମରେ ଅନନ୍ତ ବିଶ୍ରାମରେ ପ୍ରବେଶ କଲା ।

Image

 

ଦ୍ୱାଦଶ ପରିଚ୍ଛେଦ

ବେରେନିୟସର ପ୍ରଣୟ

 

ଫାଭିୟସ୍‍ଙ୍କ ଜୀବନର ଶେଷ କେତେକ ମୁହୂର୍ତ୍ତ ମାର୍କସ୍‍କୁ ବିଶେଷଭାବରେ ସ୍ପର୍ଶ କରିଥିଲା । ତାଙ୍କ ମୃତ୍ୟୁର ଗଭୀର ଗୌରବ ତାକୁ ବିସ୍ମିତ କରିଥିଲା । ଜୀବଦ୍ଦଶାରେ ସେ ଫାଭିୟସ୍‍ଙ୍କ ପ୍ରଭାବର ସମ୍ୟକ୍ ପରିଚୟ ପାଇଥିଲା, କିନ୍ତୁ ମରଣରେ ତାହା ଆହୁରି ଉଜ୍ଜ୍ୱଳ, ଆହୁରି ଅପ୍ରତିହତ ହୋଇ ଉଠିଲା । ଖ୍ରୀଷ୍ଟିୟାନମାନେ ତେବେ କଣ ଏହିପରି ମରି ପାରନ୍ତି । ମରଣ ଦୃଶ୍ୟ ତାହା ନିକଟରେ ନୂତନ ନଥିଲା । ସେ ତ ଏହି ଭୀମମୂର୍ତ୍ତି ଯମଦୂତ ଅନେକ ବେଶରେ ଦେଖିଅଛି, କିନ୍ତୁ କେବେ ତ ତାହାର ଶାନ୍ତି ଓ ଆନନ୍ଦର ଏପରି ବାର୍ତ୍ତାବହ ଦେଖି ନାହିଁ ।

ମର୍ସିୟା ଫାଭିୟସଙ୍କ ମୃତଶରୀର ନିକଟରେ ଅବନତଜାନୁ ହୋଇ ନୀରବରେ ପ୍ରାର୍ଥନା କରୁଥିଲା । ମାର୍କସ୍‍ ମୃତବ୍ୟକ୍ତିର ଉପଯୁକ୍ତ ସତ୍କାର ନିମନ୍ତେ ଆଦେଶ ଦେଲା ଏବଂ ବନ୍ଦୀମାନଙ୍କ ସହିତ ନିଆ ହୋଇଥିବା ଆହତମାନଙ୍କର ଶୁଶ୍ରୁଷା ନିମନ୍ତେ ସୂଚାରୁ ବନ୍ଦୋବସ୍ତ କରିଦେଲା । ଏହି ଅଦ୍ଭୁତ ପ୍ରକୃତିର ବନ୍ଦୀମାନେ କୌଣସି ପ୍ରକାର ଚିତ୍କାର କି ଅବା କୌଣସି ପ୍ରକାର କ୍ରନ୍ଦନ ବିଳାପ କଲେ ନାହିଁ, କେବଳ ନୀରବରେ ଦୁଃଖଭାର ବହିଲେ ।

ସମସ୍ତ କାର୍ଯ୍ୟ ଶେଷ ହେଲାରୁ ମାର୍କସ୍ ମର୍ସିୟାକୁ ତାହା ସହିତ ଯିବାକୁ ଆହ୍ୱାନ କଲା । ବର୍ତ୍ତମାନ ମର୍ସିୟା ମାର୍କସ୍‍ର ବନ୍ଦୀ । ତାହାର ଆବାଲ୍ୟବନ୍ଧୁ ବୃଦ୍ଧ ଅଭିଭାବକଙ୍କ ଆଡ଼କୁ ଶେଷଥର ଚାହିଁ, ଦୁଃଖର ମହାଭାର ଅନ୍ତରରେ ନେଇ ମର୍ସିୟା ମାର୍କସ୍‍ ସହିତ ସହରକୁ ଯିବା ନିମିତ୍ତ ଫେରିଲା-। ଯେଉଁ ମହତ୍ମା ତାହାର ବାଲ୍ୟ ଓ ଯୌବନକୁ ଏ ପ୍ରକାର ଆନନ୍ଦମୟ ସତ୍‍ପଥରେ କଢ଼ାଇ ନେଇଥିଲେ, ସେ ଯେ ଏଡ଼େ ହଠାତ୍ ତାକୁ ଏକାକୀ ପରିତ୍ୟାଗ କରି ଚାଲିଗଲେ, ଏହାଭାବି ତାହାର ହୃଦୟ ଫାଟି ଯାଉଥିଲା, କିନ୍ତୁ ସେ ଚିନ୍ତାରେ ମୁଦ୍ଧା ଈଶ୍ୱରଙ୍କ ଇଚ୍ଛାର ବିଦ୍ରୋହୀ ହେଲା ନାହିଁ, କେବଳ ନୀରବରେ ପ୍ରାର୍ଥନା କଲା–‘ପ୍ରଭୁ, ତୁମର ଇଚ୍ଛା ସଫଳ ହେଉ।’

ମାର୍କସ୍ ଅତ୍ୟନ୍ତ ଅଭିନିବେଶସହକାରେ ମର୍ସିୟାକୁ ଆଲେଚନା କରୁଥିଲା । ତାହାର ଏ ଦୁଃଖରେ ତାକୁ କୌଣସି ପ୍ରକାର ସାନ୍ତନ୍ୱାର କଥା କହିବାରୁ ମଧ୍ୟ ସେ ସଙ୍କୋଚ ବୋଧକଲା । ଆହୁରି ମଧ୍ୟ ମର୍ସିୟାର ଦୃଷ୍ଟିରେ ସେ ଏକପ୍ରକାର ବିଷୟ ଦେଖିଥିଲା, ଯାହା ମର୍ସିୟା ଏବଂ ତାହାର ମଧ୍ୟବର୍ତ୍ତୀ ବ୍ୟବଧାନକୁ ଆହୁରି ଅନତିକ୍ରମଣୀୟ କରି ପକାଇଲା । ସେ ବିଷୟ କଣ ? ତାହା ସେହି ଗଭୀର ନୀରବତାର ସୁଷମା, ସେହି ଶାନ୍ତିପୂତି ସହିଷ୍ଣୁତା, ଯାହା ଫାଭିୟସଙ୍କ ଜୀବନର ଶେଷ ମୁହୂର୍ତ୍ତରେ ତାଙ୍କ ଦୃଷ୍ଟିରେ ଭାସି ଉଠିଥିଲା । ମର୍ସିୟାର ଏହି ଦୃଷ୍ଟିରେ ମାର୍କସର ନିୟମପାତ ହେବା ମାତ୍ରକେ ବାହାର ଅନ୍ତରର ସମସ୍ତ ପ୍ରସକଳ୍ପ ଯେପରି ଦୁଃମହ ଲଜ୍ଜାରେ ଦହି ହେଉଥିଲା, ସମସ୍ତ ସାଧୁଭାବରେ ଉଦ୍‍ବୁଦ୍ଧ ହେଉଥିଲା । ଯଦିବା କାରଣ ଜାଣି ନ ଥିଲା, ତଥାପି ମର୍ସିୟାର ଏହି ଅଦ୍ଭୁତ ଧର୍ମବିଶ୍ୱାସର ଶକ୍ତି ଅନୁଭବ କରୁଥିଲା । ଏହି ପ୍ରଭାବ ମର୍ସିୟାକୁ ଘେରି ରହିଥିଲା, ଆଉ ସେ ବେଷ୍ଟନ ଭେଦ କରିବା ମାର୍କସ୍ ପକ୍ଷରେ ଅସମ୍ଭବ ହେଲା । ଏହି ସରଳ ବାଳିକାର ଉପସ୍ଥିତି ତାକୁ ଅତ୍ମଗ୍ଲାନିରେ ଅଭିଭୂତ କଲା । ସେ ଯେ ମର୍ସିୟା ସମ୍ମୁଖରେ କାହିଁକି ଏହି ହୀନତା ଅନୁଭବ କରୁଥିଲା, ତାହା ବୁଝିପାରିଲା ନାହିଁ । ସେ ତ ମର୍ସିୟାର, କୌଣସି କ୍ଷତି କରି ନାହିଁ, ବରଂ ନିଜର ପଦମର୍ଯ୍ୟାଦା ଓ ମାନ ସମ୍ଭ୍ରମ ବିପଦଗ୍ରସ୍ତ କରି ତାକୁ ଏବଂ ତାହାର ବନ୍ଧୁମାନଙ୍କୁ ସତର୍କ କରିବାକୁ ଯାଇଥିଲା । ମର୍ସିୟାର ମଙ୍ଗଳ ସକାଶେ କରି ନାହିଁ, ଏ ପ୍ରକାର କୌଣସି କାର୍ଯ୍ୟ ସେ ଖୋଜି ପାଇଲା ନାହିଁ । କିନ୍ତୁ କାର୍ଯ୍ୟର ଉଦ୍ଦେଶ୍ୟ ? ଆଃ ! ଉଦ୍ଦେଶ୍ୟରେ କଣ ଅଛି ? ମର୍ସିୟାକୁ ସେ ଯେତେ ବେଳେ ପୁନର୍ବାର ଅନାଇଲା, ଉଷ୍ଣଶୋଣିତରେ ତାହାର ମୁଖ ଉଚ୍ଛ୍ୱସିତ ହୋଇଗଲା । ସେ ତାହାର ଅନ୍ତରର ଅନ୍ତରତମ ପ୍ରଦେଶରେ ବେଦୀ ଜାଣିପାରିଲା, ମର୍ସିୟାକୁ ସେ ଅନ୍ୟାନ୍ୟ ସମସ୍ତ ସ୍ତ୍ରୀଲୋକଙ୍କ ଅପେକ୍ଷା ଅଧିକ ଲୋଡ଼େ । କିନ୍ତୁ ଏପ୍ରକାର ସମୟରେ ଏ ନୀଚଭାବକୁ ମନରେ ସ୍ଥାନ ଦେବା କଣ ନିତାନ୍ତ ପଶୁର କାର୍ଯ୍ୟ ନୁହେଁ ? ବାଳିକା ଯେ ପୁଷ୍ପପରି ପବିତ୍ର ଜ୍ୟୋତ୍ସାପରି ନିଷ୍କଳଙ୍କ, ଆଉ କିଛି ନ ଥିଲେ ସୁଦ୍ଧା ତାହାର ଏହି ଗଭୀର ଦୁଃଖ ତାକୁ ମାର୍କସ୍‍ର ସମ୍ମାନର ପାତ୍ର କରିଥାନ୍ତା । କିନ୍ତୁ ଟିଗେଲିନସ୍‍ର ଖଡ଼ଗ୍‍ ତଳୁ ଓଟାରି ଆଣିଲାବେଳ ସେ ମର୍ସିୟାର ଯେଉଁ ସ୍ପର୍ଶ ଲାଭ କରିଥିଲା, ତାହା ତାକୁ ଏପ୍ରକାର ବ୍ୟାକୁଳ କଲା ଯେ, ସେ ନିଜେ ତହିଁରେ ବିସ୍ମିତ ହେଲା । ସେ ଭାବିଲା, ଏ ଖ୍ରୀଷ୍ଟିୟାନ ଯେଡ଼େ ସୁନ୍ଦରୀ ହେଉ ପଛକେ, ସେ ତାକୁ କେତେବେଳେ ପ୍ରେମ କରି ପାରିବ ନାହିଁ । ସେ ଯେ ପ୍ରେମ କରିବ ଏ ଚିନ୍ତା ତାକୁ ନିତାନ୍ତ ଅସଙ୍ଗତ ବୋଧ ହେଲା । ତଥାପି ତାହାର ହୃଦୟର ଏହି ଗଭୀର ଆନ୍ଦୋଳନ ଯଦି ପ୍ରେମ ନୁହେଁ, ତେବେ ଆଉ କଣ ? ମର୍ସିୟାକୁ ସହରକୁ ନେବାବେଳେ ଏହିପରି ନାନା ଚିନ୍ତା ତାକୁ ବ୍ୟସ୍ତ କଲା । ଅତି ସାଧାରଣ କଥାବର୍ତ୍ତା ଭିନ୍ନ ଅନ୍ୟ କୌଣସି ପ୍ରକାର କଥାବାର୍ତ୍ତା କରି ପାରିଲା ନାହିଁ । ସେ ସ୍ପଷ୍ଟରୂପେ ବୁଝିପାରିଥିଲା, ମର୍ସିୟାର ଏହି ଗଭୀର ଦୁଃଖରେ ତାହାର ହୃଦୟରେ ସାନ୍ତ୍ୱନାର ସାହଚର୍ଯ୍ୟ ଥିଲା ଏବଂ ତାହା ସମ୍ମୁଖରେ ତାହାର ସାନ୍ତ୍ୱନା ଦେବାର ଚେଷ୍ଟା ଅତି ତୁଚ୍ଛ । ସେଥିପାଇଁ ସେମାନେ ପ୍ରାୟ ନିରବରେ ସହରକୁ ଫେରିଗଲେ ।

ଯଦ୍ୟପି ମର୍ସିୟା ବାକ୍ୟରେ ଅବା ହାବଭାବରେ ପ୍ରକାଶ କରୁ ନ ଥିଲା, ତଥାପି ସେ ଯେ ଫାଭିୟସ୍‌ଙ୍କ ମୃତ୍ୟୁରେ ଅତ୍ୟନ୍ତ କାତର, ତାହାର ନୀରବ ବ୍ୟବହାର ତାହା ପ୍ରକାଶ କରି ଦେଉଥିଲା । କିନ୍ତୁ ଏ ମହାଦୁଃଖରେ ସୁଦ୍ଧା ତାହା ପାଖରେ ବସିଥିବା ପୁରୁଷର କଥା ସେ ଏକାବେଳକେ ଭୁଲିଯାଇ ନ ଥିଲା । ଏହି ଦୁଃଖରେ ମାର୍କସ୍ ତାହା ପ୍ରତି ଯେପରି ନୀରବ ସମବେଦନା ଓ ଆହତ ଭ୍ରାତୃଗଣ ପ୍ରତି ସଦୟ ବ୍ୟବହାର ପ୍ରକାଶ କରିଥିଲା; ତାହା ନିମନ୍ତେ ମର୍ସିୟା ମନେ ମନେ ତାହା ପ୍ରତି କୃତଜ୍ଞତା ନିବେଦନ କଲା । ଭାବିଲା, ଏହି କଣ ସେହି ଉଚ୍ଛୃଙ୍ଖଳ ମାର୍କସ୍, ଯାହାର ସମସ୍ତ ମନ୍ଦ କାର୍ଯ୍ୟର କଥା ତାକୁ କୁହା ହୋଇଥିଲା ଏବଂ ଯାହା ସମ୍ବନ୍ଧରେ ତାକୁ ଏପ୍ରକାର ସତର୍କ କରିଦିଆ ହୋଇଥିଲା ?’ ନିଶ୍ଚୟ ସେ କେବେ ଏପ୍ରକାର ଭୟାନକ ଲୋକ ହୋଇପାରେ ନା । ମର୍ସିୟା ସଂସାର ସମ୍ବନ୍ଧରେ ଅତ୍ୟନ୍ତ ଅନଭିଜ୍ଞ ଥିଲେ ସୁଦ୍ଧା ଏବଂ ମାର୍କସ୍‍ର ଯାବତୀୟ କାର୍ଯ୍ୟ ମଧ୍ୟରେ ତାହାର ମହତ୍ତ୍ୱ ଦେଖି ପାରିଥିଲା ।

ମର୍ସିୟା ସମ୍ବନ୍ଧରେ କି ବ୍ୟବସ୍ଥା କରିବ, ତାହା ଭାବି ମାର୍କସ, ଥଳକୂଳ ପାଇଲା ନାହିଁ । ତାହାର ଅନ୍ୟାନ୍ୟ ବନ୍ଧୁମାନଙ୍କ ସହିତ ମର୍ସିୟା ସମାନଭାବରେ କାରାଗାରରେ ରହିବ, ଏ ଚିନ୍ତା ସୁଦ୍ଧା କରିବା ତାହା ପକ୍ଷରେ ଅସମ୍ଭବ । କିନ୍ତୁ ତାହାର କର୍ତ୍ତବ୍ୟ ? ନୀରୋର ଇଚ୍ଛା ଜାଣିବା ପର୍ଯ୍ୟନ୍ତ ମର୍ସିୟାକୁ ଏବଂ ତାହାର ବନ୍ଧୁଗଣଙ୍କୁ କାରାଗାରରେ ରଖିବା ତାହାର କର୍ତ୍ତବ୍ୟ । ଖ୍ରୀଷ୍ଟିୟାନମାନଙ୍କୁ ସମୂଳରେ ବିନାଶ କରିବାକୁ ତାହାର କ୍ଷମତା ଥିଲା, କିନ୍ତୁ ସେ ତାହାର ଇଚ୍ଛାର କଥା, ଇଚ୍ଛା ନ କଲେ ସେ ବିନାଶ କରି ନ ପାରେ । କିନ୍ତୁ ସେ ମର୍ସିୟା ହେଲେ ସୁଦ୍ଧା ବନ୍ଦୀକୁ ଛାଡ଼ିଦେବା ତାହାର କ୍ଷମତାର ବହିର୍ଭୂତ । ନୀରୋ ନିକଟରେ ଏ ବନ୍ଦୀମାନଙ୍କ ନିମନ୍ତେ ଦାୟୀ ହେବ ବୋଲି ଟିଗେଲିନସ୍‌କୁ କହିଥିଲା । ସେଥିପାଇଁ ଏତେବେଳେ ନିଜ କଥା ବିରୁଦ୍ଧରେ ଯିବା ତା ପକ୍ଷରେ ଅସମ୍ଭବ । ଆଉ, ମର୍ସିୟାକୁ ମଧ୍ୟ ସାଧାରଣ କାରାଗାରରେ ରଖି ପାରିବ ନାହିଁ । ନୀରୋ ସହିତ ସାକ୍ଷାତ୍ କରି ତାହାର ମୁକ୍ତି ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ ସେ ମର୍ସିୟାକୁ ନିଜ ପ୍ରାସାଦରେ ବନ୍ଦୀ କରିବ ବୋଲି ସ୍ଥିର କଲା ।

ମାର୍କସ୍‌ର ଗୃହର ଗୋଟିଏ ଅଂଶରେ ମର୍ସିୟା ରହିଲା । ଘର ଅଗଣା ଅନ୍ୟ ପାଖରେ କରାଗାରରେ ତାହାର ବନ୍ଧୁମାନେ ବନ୍ଦୀ । ରାତ୍ରିର ନିସ୍ତବ୍‌ଧତାରେ ମର୍ସିୟା ସେମାନଙ୍କର ଧର୍ମ ସଙ୍ଗୀତ ଶୁଣେ ଏବଂ ମନେ ମନେ ସେହି ଗାନରେ ଯୋଗ ଦିଏ ।

ମାର୍କସ୍‌ର ବିଶେଷ ଆଦେଶ ଅନୁସାରେ ସମସ୍ତ ପ୍ରକାର ଶୁଶ୍ରୂଷା ପାଇ ବାଳକ ଷ୍ଟିଫାନ୍‌ସ ମଧ୍ୟ ସୁସ୍ଥ ହେବାକୁ ଲାଗିଲା । କାରାଗାରରେ ଯନ୍ତ୍ରଣା ଷ୍ଟିଫାନ୍‌ସ ସ୍ନାୟୁମଣ୍ଡଳୀକୁ ଏ ପ୍ରକାର ଆଘାତ କରିଥିଲା ଯେ, ଯଦିବା ସୁସ୍ଥ ହୋଇ ଆସୁଥିଲା, ତଥାପି ସମୟ ସମୟରେ ସେ ଅସହ୍ୟ ସ୍ନାୟୁବିକ ଯନ୍ତ୍ରଣା ଅନୁଭବ କରୁଥିଲା । କିନ୍ତୁ ଏ ବେଦନା ମଧ୍ୟ ଅନେକ ଦିନ ରହିଲା ନାହିଁ-। ତାହାର ବିକାଶୋନ୍ମୁଖ ନବଯୌବନରେ ଏହି ନଷ୍ଟ ସ୍ୱାସ୍ଥ୍ୟର ଉଦ୍ଧାର ପାଇଁ ଯଥେଷ୍ଟ ସଞ୍ଜିବନୀ ଶକ୍ତି ଥିଲା ।

 

ମର୍ସିୟା ସମସ୍ତ ସୁବିଧା ଓ ସ୍ଵଚ୍ଛନ୍ଦତାର ବନ୍ଦୋବସ୍ତ କରି ଦେଇ ଅନ୍ୟାନ୍ୟ ବନ୍ଦୀମାନଙ୍କୁ ପ୍ରହରୀ ହସ୍ତରେ ସମର୍ପଣ କରି ମାର୍କସ ନିଜ କାମଡ଼ାକୁ ଫେରି ଆସିଲା, କିନ୍ତୁ ନିଦ୍ରାଦେବୀର ସାକ୍ଷାତ ପାଇଲା ନାହିଁ । ସମସ୍ତ ରାତ୍ରି ଗୃହ ମଧ୍ୟରେ ପଦଚାରଣ କରି କଟାଇଲା ଏବଂ ଗତଦିନର ସମସ୍ତ ଘଟଣା ଏବଂ ବିଶେଷରେ, ନିଜ ହୃଦୟର ଭାବବିପର୍ଯ୍ୟୟ ବିଷୟ ସ୍ତମ୍ଭିତ ହୋଇ ଚିନ୍ତା କରିବାକୁ ଲାଗିଲା ।

 

ବେରେନିସ୍‌ର ମଧ୍ୟ ସେ ରାତ୍ରି ସୁଖରେ କଟିଲା ନାହିଁ । ଏହି ଖ୍ରୀଷ୍ଟିୟାନ ବାଳିକା ମର୍ସିୟା ସମ୍ବନ୍ଧରେ ଲୋକମୁଖରୁ ଯେ ଯାହା ଶୁଣିଥିଲା, ସେ ସବୁ ଚିନ୍ତା ତାହାର ବିଶ୍ରାମ ହରଣ କଲା । ସେ ଜାଣିଥିଲା ଯେ, ବାସନା ଚରିତାର୍ଥ କରିବା ନିମନ୍ତେ ସ୍ତ୍ରୀଲୋକଙ୍କୁ ମାର୍କସ୍ କ୍ରୀଡ଼ାର ପୁତ୍ତଳିକା ତୁଲ୍ୟ ବ୍ୟବହାର କରେ ଏବଂ ବେରେନିସ୍, ତତ୍କାଳୀନ ସମାଜର ଭ୍ରଷ୍ଟାଚାର ପ୍ରଭାବର ବହିର୍ଭୁକ୍ତ ନ ଥିବାରୁ ଏବଂ ସେହିପ୍ରକାର ଅନୁନ୍ନତ ନୈତିକ ଶିକ୍ଷାରେ ପ୍ରତିପାଳିତ ହୋଇଥିବାରୁ ଯେ କୌଣସି ସ୍ତ୍ରୀଲୋକ ସହିତ ମାର୍କସ୍ ଆପଣା ବାସନା ପରିତୃପ୍ତ କରୁ ପଛକେ ଯେ ପର୍ଯ୍ୟନ୍ତ ସେହି ସ୍ତ୍ରୀକୁ ନିଜର ହୃଦୟ ସମର୍ପଣ ନ କରିଅଛି ସେପର୍ଯ୍ୟନ୍ତ ସେ ମାର୍କସ୍‌ର ଏ ପ୍ରକାର କୌଣସି କାର୍ଯ୍ୟରେ କ୍ଷୁବ୍‌ଧ ହେଉ ନ ଥିଲା । ରୋମର ସ୍ତ୍ରୀ ଲୋକମାନଙ୍କର ଗୋଟିଏ ଧାରଣା ଥିଲା, ପୁରୁଷ, ପୁରୁଷ ପୁରୁଷ ପକ୍ଷରେ ପୁଣି ଗୋଟାଏ ପବିତ୍ରତା କଣ ! ବାସ୍ତବିକ କୌଣସି ପୁରୁଷ ଯଦି କେବେ ବା ଏ ପ୍ରକାର ଶୁଦ୍ଧ ଚରିତ୍ର ହେବାକୁ ଚେଷ୍ଟା କରୁଥିଲା, ସେ କେବଳ ସମାଜରେ କାପୁରୁଷ ଭୀରୁ ବୋଲି ହାସ୍ୟସ୍ପଦ ହେଉଥିଲା । ସେଥିପାଇଁ ମାର୍କସ୍ ସମ୍ବନ୍ଧରେ ଏ ପ୍ରକାର ଉଚ୍ଛୃଙ୍ଖଳତାର କଥା ଶୁଣିଲେ ବେରେନିସ୍ ଦୁଃଖିତ ହେଉ ନ ଥିଲା । କିନ୍ତୁ ଏ କ୍ଷେତ୍ରରେ ସେ ମାର୍କସ୍‌ର ବ୍ୟବହାରରେ ଏପ୍ରକାର କୌଣସି ବିଷୟ ଦେଖିଲା, ଯେଉଁଥିରୁ ଏହି ଖ୍ରୀଷ୍ଟିୟାନ ବାଳିକା ପ୍ରତି ମାର୍କସ୍‌ର ଆର୍କଷଣ ଯେ ସାଧାରଣ ନୁହେଁ, ଏହା ସେ ବୁଝି ପାରିଲା । ସେଥିପାଇଁ ତାହାର ପ୍ରାଣ ଏପରି ଚିନ୍ତାକୁଳ । ପ୍ରଭାତରେ ଅତି ତିକ୍ତ ହୃଦୟରେ ସେ ଶଯ୍ୟା ତ୍ୟାଗ କଲା ।

 

ସମୟ ସମୟରେ ବେରେନିସ୍ ବଡ଼ ମୁଖରା ଓ ଦୁର୍ଦ୍ଧଶ ହେଉଥିଲା । ଏପ୍ରକାର ସମୟରେ ଦାସ ଦାମୀମାନେ ପ୍ରମାଦ ଗଣୁଥିଲେ । ମାର୍କସ୍‍ର ସମସ୍ତ କାର୍ଯ୍ୟ ଉପରେ ଦୃଷ୍ଟି ରଖିବା ନିମନ୍ତେ ସେ ଅନେକ ଗୁପ୍ତଚର ନିଯୁକ୍ତ କରିଥିଲା, ସେମାନେ ତାହା ନିକଟରେ ମାର୍କସ ନାମରେ ନାନାଦି ସତ ମିଛ କହି ନିଜ ନିଜ ନିମନ୍ତେ ଜୀବିକାର ଉପାୟ କରୁଥିଲେ ।

 

ମାର୍କସ୍ ଯେ ସେଷ୍ଟିୟାନ ଉଦ୍ୟାନକୁ ଯାଇ ସେହି ଖ୍ରୀଷ୍ଟିୟାନ ଯୁବତୀକୁ ଉଦ୍ଧାର କରିଥିଲା, ଏ କଥା ଶୁଣିବାକୁ ବେରେନିସ୍‍ର ବେଶି ବିଳମ୍ବ ହେଲା ନାହିଁ । ସେ ଆହୁରି ମଧ୍ୟ ଶୁଣିଥିଲ ଯେ, ଏହି ଯୁବତୀ ନିମିତ୍ତ ମାର୍କସ୍ ସାମ୍ରାଜ୍ଞୀ ପୋପିୟାକୁ ମଧ୍ୟ ଅବଜ୍ଞା ପ୍ରଦର୍ଶନ କରିବାକୁ କୁଣ୍ଠିତ ହୋଇ ନ ଥିଲା । ମାର୍କସ୍‍ ଯେ ଏହି ଖ୍ରୀଷ୍ଟିୟାନକୁ ପ୍ରେମ କରୁଅଛି, ଏ ବିଷୟରେ ଆଉ ତାହାର ସନ୍ଦେହ ରହିଲା ନାହିଁ । ମର୍ସିୟାର ପ୍ରେମରେ ମାର୍କସ୍ କେତେଦୂର ଜଡ଼ିତ; ତାହା ମାର୍କସ୍‍ର ଆଳାପ ଓ ହାବଭାବରୁ ଜାଣିବା ପାଇଁ ତାକୁ ଦେଖିବାକୁ ବେରେନିସ୍, ଅସ୍ଥିର ହେଲା, କିନ୍ତୁ ମାର୍କସ୍‍ ବିଚାରାଳୟରେ ଥିବାରୁ ସେ ତାହା ନିକଟରେ ଭୃତ୍ୟ ହାତରେ ନିମନ୍ତ୍ରଣ ପଠାଇ ପାରିଲା ନାହିଁ । କିନ୍ତୁ ବିଚାରାଳୟର କାର୍ଯ୍ୟ ଶେଷ ହେଲାଣିକି ନାହିଁ, ଜାଣିବା ପାଇଁ ଭୃତ୍ୟକୁ ବାରମ୍ବାର ପଠାଉଥିଲା ଏବଂ ଅଧୀର ଭାବରେ ଭୃତ୍ୟର ଆଗମନ ପ୍ରତୀକ୍ଷା କରୁଥିଲା ।

 

ଯେଉଁ ଗୃହରେ ସେ କେବଳ କତିପୟ ବଶିଷ୍ଟ ବନ୍ଧୁଙ୍କ ସହିତ ସାକ୍ଷାତ୍ କରେ, ତେହା ବହୁ ଅର୍ଥ ବ୍ୟୟରେ ସଜ୍ଜିତ । ସେ ଗୃହର ସମସ୍ତ ବିଷୟ ବିଳାସ ଓ ସୁରୁଚିର ପରିଚୟ ପ୍ରଦାନ କରୁଥିଲା । ନାନାପ୍ରକାର ଆସନ, ପ୍ରତିମୂର୍ତ୍ତି ଓ ଚିତ୍ର ପ୍ରଭୃତିରେ ଗୃହଟି ପରିପାଟିରୂପେ ସଜ୍ଜିତ ।

 

ଏହି ଗୃହ ମଧ୍ୟରେ ଆସନରେ ଅର୍ଦ୍ଧଶାୟିତ ଅବସ୍ଥାରେ ଯେତେବେଳେ ବେରେନିସ୍ ଦର୍ପଣ ସାହାଯ୍ୟରେ ନିଜର ବେଶବିନ୍ୟାସ ପର୍ଯ୍ୟାଲୋଚନା କରୁଥିଲା, ସେତେବେଳେ ଗୋଟିଏ ଛବି ପରି ଶୋଭା ପାଉଥିଲା । ଦାସୀ ଜୋନା ତାହାର । ଭ୍ରୁଲତାର ରଙ୍ଗ ତୂଳି ଦେଇ ଆହୁରି ଗାଢ଼ କରୁଥିଲା । ଅବଶ୍ୟ ଏପରି କୃତ୍ରିମ ଉପାୟରେ ଶୋଭା ବର୍ଦ୍ଧନ କରିବାର ପ୍ରୟୋଜନ ତାହାର କିଛି ନଥିଲା, ତଥାପି ପ୍ରକୃତି ସ୍ତ୍ରୀଲୋକକୁ ଯେଡ଼େ ସୁନ୍ଦରୀ କରିଥାଉ ପଛକେ, କୃତ୍ରିମ ଉପାୟରେ ସୌନ୍ଦର୍ଯ୍ୟ ବଢ଼ାଇବାର ରୋଗ ସମସ୍ତ ସ୍ତ୍ରୀଜାତିର ଅସ୍ଥି ମଜ୍ଜାଗତ । ବେରେନିସ୍‍ ଏ ରୋଗରୁ ମୁକ୍ତ ନ ଥିଲା । ବୋଧହେଲା ଯେପରି ଜୋନାର କାର୍ଯ୍ୟ ବେରେନିସ୍‍ର ମନ ମତ ହେଲା ନାହିଁ, କାରଣ ସେ ବିରକ୍ତ ହୋଇ କହିଲା, ଜୋନା, ମୋତେ ତୂଳି ଦେ, ଆଜି ତୁ ବଡ଼ ଅନ୍ୟମନସ୍କ ।

 

ବାଳିକା ଆସନ ନିକଟରେ ଆଣ୍ଠୋଇ ଥିଲା, ସେ ମୁହଁ ଟେକି କହିଲା ନାହିଁ ତ, ମୁଁ- କିନ୍ତୁ ତାହାର କଥା ଆଉ ଶେଷ ହେଲା ନାହିଁ । ଶୀଘ୍ର ବେରେନିସ୍‍ର କୁସୁମକୋମଳ ହାତର ଚପେଟାଘାତ ତା ମୁଖରେ ପଡ଼ିଲା । ଦାସୀ ତଳକୁ ମଥା ପୋତି ବିମର୍ଷଭାବରେ ମୁଁହ ଆଉଁସିବାକୁ ଲାଗିଲା । ବେରେନିସ୍ କହିଲା - ମୋ କଥାରେ ଜବାବ ଦେବାକୁ ସାହସ ! ଏ ପାଖ ଭୁରୁକୁ କଣ କରି ସାରଲୁଣି ? ତୋର ଆଜି କଣ ହୋଇଛି କି ଲୋ ? କଣ ପୀଡ଼ିତ ହୋଇଛୁ-ପ୍ରେମରେ ?

 

ଜୋନା ଉତ୍ତର ନ ଦେଇ ନିଜ ମୁହଁ ଆଉଁସିବାରେ ବ୍ୟସ୍ତ ରହିଲା । ଉତ୍ତର ନ ପାଇବାରୁ ବେରେନିସ୍‍ର ରାଗ ଆହୁରି ବଢ଼ିଲା । ସେ ଜୋରରେ ପଚାରିଲା–

 

ଗଧ, କଥା କହୁ ନାହୁଁ କାହଁକି ?

 

ଜୋନା କହିଲା, ତୁମେ ମୋତେ ଜବାବ ଦେବାକୁ ଯେ ନିଷେଧ କଲ ?

 

ଅବଶ୍ୟ ଏହା ସତ୍ୟ ଉପରେ ବେରେନିସ୍ ଆଉ କିଛି କହି ପାରିଲା ନାହିଁ । ସ୍ୱରବଦଳାଇ କହିଲା, ଆଚ୍ଛା, କହିଲୁ ଭଲା, ମୁଁ ଆଜି ସକାଳେ କେମିତି ଦିଶୁଚି ?

 

 

ବେରେନିସ୍‍ର ସନ୍ତୋଷବିଧାନ କିପରି କରିବାକୁ ହୁଏ ଜାଣିଥିବାରୁ ଚତୁରା, ଜୋନା ଆଡ଼ନୟନରେ ଚାହିଁ କହିଲା; ଆଜି ତୁମକୁ ବଡ଼ ସୁନ୍ଦର ମାନୁଛି । ମାର୍କସ୍ ମଣିଷ ନୂହେଁ, ପଥର ।

 

ବେରେନିସ୍ କହିଲା, ଯାଃ, ତତେ ମାର୍କସ୍ କଥା କହିବାକୁ କିଏ କହିଛି ? କିନ୍ତୁ ଦାସୀ କିପରି ମାର୍କସ୍ କଥା ଆହୁରି କହିବ, ଏହା ତାହାର ସମସ୍ତ ହୃଦୟ ଚାହୁଁଥିଲା । ମାତ୍ର ସେ ଭାବ ଲୁଚାଇ କହିଲା, ମାର୍କସ୍ କଣ ରୋମରେ ଏକା ଅଛି ? ଶହ ଶହ ଲୋକ ମୋର ଏ ରୂପ ପାଇଁ ପ୍ରାଣ ଦେବେ । ଚତୁରା ବାଳିକା କହିଲା, ଶହ ଶହ, ଲକ୍ଷ ଲକ୍ଷ ଲୋକ ଏ ପାଦତଳେ କୁକ୍କୁର ହୋଇ ରହିବେ, ତୁମକୁ ପାଇଲେ ଜୀବନ ସାର୍ଥକ ମଣିବେ । ମେଟୁଲସ୍‍ ତ - ବେରେନିସ୍ ଅସଂଯତ ଚୂର୍ଣ୍ଣକୁନ୍ତଳକୁ ମସ୍ତକର ଯଥା ସ୍ଥାନରେ ମହାଯତ୍ନରେ ସ୍ଥାପନ କରି ମୁହଁ ଛିଞ୍ଚାଡ଼ି କହିଲା, ମେଟୁଲସ୍ ! ତାକୁ ମୁଁ ଦି ଆଖିରେ ଦେଖି ପାରେ ନାହିଁ - ସେଇଟା ଗୋଟାଏ ଗଧ ।

 

ବାଳିକା ମହାଆଡ଼ମ୍ବରରେ କହିଲା, ହଁ, ମେଟୁଲସ୍‍ ପୁଣି ତୁମ ହାତ ଧରିବ ? ତାହାହେଲେ ବାମନ ଚନ୍ଦ୍ରକୁ ଛୁଇଁବ । କିନ୍ତୁ ଟିଗେଲିନସ୍ ପରି–

 

ବେରେନିସ୍, ଅଳ୍ପକେ ଶେଷ କରିଦେଲା, କହିଲା, ସେଇଟା ତ ପଶୁ !

 

ଦାସୀ ଧୀରେ ଧୀରେ କହିଲା, ପଶୁ ତ ଭଲ ପୋଷା ମାନିବ ।

 

ସେମାନଙ୍କର ତୋଷାମଦ ଶୁଣି ଶୁଣି ମୁଁ କ୍ଲାନ୍ତ ହୋଇଗଲିଣି । ଆହା ମାର୍କସ୍ ! ମାର୍କସ୍‍ର ନାମ ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ବେରେନିସ୍‍ର କଣ୍ଠସ୍ୱର ଲାଳସାରେ ବଡ଼ ମୃଦୁ, ବଡ଼ ଦ୍ରବ ହୋଇ ଆସିଲା । ଜୋନା ବେରେନିସ୍‍ର ମନ ଯୋଗାଇବା ବିଷୟରେ ସିଦ୍ଧହସ୍ତ ଥିବାରୁ ଏ ଭାବ ପରିବର୍ତ୍ତନ ଲକ୍ଷ୍ୟ କରି ମହାଆଡ଼ମ୍ବରରେ କହିଲା, ମଲା, ମାର୍କସ୍‍ ସଙ୍ଗେ ପୁଣି କିଏ ସରି ହେବ ମ ? ସେମାନଙ୍କ ପରି ହଜାରେ ନା ଲକ୍ଷେ ? ମାର୍କସ୍ ଯେତେବେଳେ ଲୋକମାନଙ୍କ ମଧ୍ୟରେ ଛିଡ଼ା ହୋଇଥାନ୍ତି, ଆହା, ଯେମନ୍ତ ସ୍ଵର୍ଗର ଦେବତା । ସେ ଭଲା ତୁମର ଏ ରୂପ ଦେଖିବାକୁ ଏତେବେଳେ ଥାନ୍ତେ !

 

ଅନ୍ତତଃ ଜୋନାର ଚାଟୁବାଦର ଶେଷ ଅଂଶ ମିଥ୍ୟା ନ ଥିଲା । ସେ ଦିନ ବେରେନିସ୍‍ ଅତି ସୁନ୍ଦର ଦିଶୁଥିଲା । ତାହାର ପୋଷାକ ଧପ ଧପ ସାଦା ରେଶମର, ତାହାର ବକ୍ଷ ନାନା ବର୍ଣ୍ଣର ମଣିମୁକ୍ତାର ମଳାରେ ଶୋଭିତ ଏବଂ ନିଶ୍ୱାସ ପ୍ରଶ୍ୱାସର ଉତ୍‍ଥାନ ପତନ ସଙ୍ଗେ ସଙ୍ଗେ ମନେ ହେଉଥିଲା, ଯେପରି ରତ୍ନଦୀପ ଶିଖା କ୍ଷଣକେ ନିଭି କ୍ଷଣକେ, ଜଳି ଉଠୁଅଛି । ନିତମ୍ୱିନୀର ସୂକ୍ଷ୍ମକଟୀରେ ନାନା ରତ୍ନଖଚିତ ହାର, ବାହୁରେ ମହାର୍ଘ ବାଜୁବନ୍ଧ, କେଶ ରତ୍ନତାରକିତ, ସ୍ଫୁରିତାଧରର ଶୋଭାରେ ଗୋଲାପ ଲାଞ୍ଛିତ । ବାହାରେ ଘଣ୍ଟା ବାଜିଲା । ବେରେନିସ୍ ଉତ୍କଣ୍ଠିତ ହୋଇ ଉଠିଲା, କହିଲା ଆସ । ଆଉ ଜଣେ ଦାସୀ ଘରେ ପ୍ରବେଶ କଲା ଏବଂ କଥା କହିବା ସକାଶେ ଆଦେଶର ଅପେକ୍ଷା କରିବାକୁ ଲଗିଲା । ବେରେନିସ୍ ଆସନ ଛାଡ଼ି ପଚାରିଲା–ଖବର କଣ ?

 

ମାର୍କସ ବିଚାରାଳୟରେ ଅଛନ୍ତି, କିନ୍ତୁ ଖବର ଦେଇଛନ୍ତି ଯେ, ଯେଉଁ ମୁହୂର୍ତ୍ତରେ ତାଙ୍କର କାର୍ଯ୍ୟ ଶେଷ ହେବ, ସେହି ମୂହୁର୍ତ୍ତରେ ସେ ତୁମ ନିକଟକୁ ଆସିବେ ।

 

ବେରେନିସ୍‍ ଆଶାରେ ବଞ୍ଚିତ ହୋଇ ମହାଅବସାଦରେ ପୁନର୍ବାର ଆସନ ଗ୍ରହଣ କଲା-

 

ତାପରେ ଦାସୀକୁ ବିଦାୟ ଦେଇ ନିଜ ମନକୁ କହିବାକୁ ଲଗିଲା–ଯେତେବେଳେ କାମ ସରିବ ! କାମ ଶୀଘ୍ର ସରିବ ନାହିଁ, ମାର୍କସ୍ ବି ଶୀଘ୍ର ଆସିବନାହିଁ । ସେ ଇଚ୍ଛା କରି ମୋତେ ଉପେକ୍ଷା କରୁଛି । କିନ୍ତୁ ମୁଁ କେବେ ଛାଡ଼ିବି ନାହିଁ । ସେ ମୋତେ ପ୍ରେମ କରିବ, ନିଶ୍ଚୟ କରିବ । ତାପରେ ଦର୍ପଣରେ ପୁନର୍ବାର ମୁଖ ଦେଖିବାକୁ ଲାଗିଲା । ଦର୍ପଣରେ ନିଜ ମୁଖ ଆଲୋଚନା କରି ବୋଧହୁଏ ସେ ସନ୍ତୁଷ୍ଟ ହେଲା । କାରଣ, ପରମୁହୂର୍ତ୍ତରେ ତାହାର ଅଧରପ୍ରାନ୍ତରେ ହାସ୍ୟ ଦେଖା ଦେଲା ଏବଂ ସେ ପୁନର୍ବାର କହିଲା, ସେ ମୋତେ ନିଶ୍ଚୟ ପ୍ରେମ କରିବ ।

 

ଏ ପ୍ରକାର ଭାବିବାର ମଧ୍ୟ ତାହାର ଯଥେଷ୍ଟ କାରଣ ଥିଲା । ଦର୍ପଣରେ ପ୍ରତିମୂର୍ତ୍ତି ଦେଖି ଆନନ୍ଦରେ ତାହାର ଚକ୍ଷୁ ଉଜ୍ଜ୍ୱଳ ହୋଇ ଉଠିଲା । ହଁ; ସେ ବାସ୍ତବିକ ସୁନ୍ଦରୀ, ସେ ବିଷୟରେ ସନ୍ଦେହ ନ ଥିଲା -ଆଉ ସେ ମନେ କଲା, ମାର୍କସ୍ ନିଶ୍ଚେଁ ତାହାର ପଦାନତ ହେବ । ସେ ମନେ ମନେ ଭାବି ସ୍ଥିର କଲା, ଏହି ଖ୍ରୀଷ୍ଟିୟାନ ଯୁବତୀ ଯେପରି ଧନସମ୍ପଦରେ ନୁହେଁ, ସେହପରି ରୂପସମ୍ପଦରେ ମଧ୍ୟ ତାହାର ସମକକ୍ଷ ହୋଇ ପାରିବ ନାହିଁ । ପୁଣି ଯେତେବେଳେ ସେ ନିଜର ପ୍ରତିମୂର୍ତ୍ତି ଏହିପରି ଦର୍ପଣରେ ନିରୀକ୍ଷଣ କରିବାରେ ନିଯୁକ୍ତ ଥିଲା, ତାହାର ଏହି ଅପେକ୍ଷାକୃତ ନୀଚକୁଳୋଭବ ପ୍ରତିଦ୍ୱନ୍ଦୀ ପ୍ରତି ତାଚ୍ଛିଲ୍ୟର ତାହାର ହୃଦୟ ପୂର୍ଣ୍ଣ ହୋଇଗଲା । ହାୟ, ଏଇଠି ସେ ଭୁଲ କଲା । ରମଣୀ ଯେଡ଼େ ଉଚ୍ଚକୁଳୋଭବ ହେଉ, ତାହାର ପ୍ରତିଦ୍ୱନ୍ଦୀକୁ ଜନ୍ମର ସ୍ଥାନ କାଳ ପାତ୍ର ସକାଶେ ତୁଚ୍ଛ କରିବା ତାହା ପକ୍ଷରେ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ । ପୁରୁଷମାନେ ଅଦ୍ଭୁତ ପ୍ରକୃତିବିଶିଷ୍ଟ ଏବଂ ଅଦ୍ଭୁତ ଭାବପ୍ରଣୋଦିତ ହୋଇ ଏ ପ୍ରକାର କାର୍ଯ୍ୟ କରନ୍ତି, ଯାହା ସ୍ତ୍ରୀଲୋକ କଳ୍ପନାରେ ସୁଦ୍ଧା ଭାବି ନ ଥାଏ ।

 

ଏତେ ସମୟ ସେ ଦର୍ପଣରେ ଆପଣାର ପ୍ରତିମୂର୍ତ୍ତିର ଆଲୋଚନାରେ ବ୍ୟସ୍ତ ଥିଲା ଯେ, ତାହାର ଏହି ସୌନ୍ଦର୍ଯ୍ୟ ପ୍ରସଙ୍ଗରେ ଉଦାସୀନ ଦାସୀ ଆସନ ନିକଟରେ ପ୍ରସାରିତ ବ୍ୟାଘ୍ରଚର୍ମ ଉପରେ ଆପଣାର ଅଙ୍ଗ ଢାଳି ଦେଇ ବ୍ୟାଘ୍ର ମୁଖକୁ ଉପାଧାନ କରି ସ୍ଵଚ୍ଛନ୍ଦରେ ନିଦ୍ରା ଯାଇଥିଲା । ବାହାରର ଘଣ୍ଟାର ସଜୋର ଆଘାତ ଦାସୀର ସୁଖନିଦ୍ରା ଓ ବେରେନିସ୍‌ର ସୁଖ ସ୍ୱପ୍ନ ଭାଙ୍ଗି ଦେଲା; ବେରେନିସ୍ ଉଦ୍‌ବିଗ୍ନ ହୋଇ କହିଲା–

 

ବୋଧହୁଏ ମାର୍କସ୍ । ଜୋନା, ଚଞ୍ଚଳ ଏ ସବୁ ଜିନିଷ ନେଇ ଯା ।

 

ଜୋନା କ୍ଷିପ୍ରହସ୍ତରେ ବେଶବିନ୍ୟାସର ସମସ୍ତ ଉପକରଣ ଗୋଟାଇ ନେଲା । ତତ୍ପରେ ବେରେନିସ୍ କହିଲା–ବୀଣା ଧରି ବଜା ।

 

ଜୋନା ଆସନର ପାଦଦେଶରେ ବସି ବୀଣା ତାରରେ ଆଘାତ କରିବାକୁ ଲାଗିଲେ ଏବଂ ବେରେନିସ୍ ପ୍ରଲୋଭନର ପସରା ଫିଟାଇ ମହାଅଳସଭରେ ଆସନରେ ଆଉଜି ପଡ଼ିଲା । ତା ପରେ କହିଲା, ଆସ ।

 

ଅନୁମତି ପାଇ ଦାସୀ ଭିତରକୁ, ଆସି ଖବର ଦେଲା,

 

‘ଶ୍ରୀମତୀ ଡାସିୟା ।’

 

କ୍ରୋଧରେ ଅଧୀର ହୋଇ ବେରେନିସ୍ ଆସନରେ ଉଠି ବସିଲା ଓ ତୁଚ୍ଛ ଭାବରେ କହିଲା, ଡ଼ାସିୟା ! ଉଠ୍‌ ଜୋନା । ମୁଁ ମନେ କରିଥିଲି, ମାର୍କସ୍ । ବୀଣା ରଖି ଦେ । ଡାସିୟା ସକାଶେ ପୁଣି ବୀଣା ବାଜିବ ! ମାର୍କସ୍‌ର ନୟନରଞ୍ଜନ ସକାଶେ ଯେ ସମସ୍ତ ଆୟୋଜନ ହୋଇଥିଲା, ତାହା କ୍ଷଣକେ ଅଦୃଶ୍ୟ ହେଲା । ଏଥିରେ କିନ୍ତୁ ଡାସିୟା ଦବିବା ଜନ୍ତୁ ନୁହେଁ ।

 

ଏ ରମଣୀ ଏପରି ହଲି ହଲି ଘରେ ପ୍ରଦେଶ କଲା ଯେ, ତାହାର ଗମନର ଆଡ଼ମ୍ବରରେ ଘରେ ରଖା ହୋଇଥିବା ଫୁଲଗଛର ଡାଳପତ୍ର ସବୁ ହଲି ଉଠିଲା । ସାଜମଜ୍ଜାରେ କିଛି ମାତ୍ର ତ୍ରୁଟି ନ ଥିଲା । ପରିଧାନରେ ଗୋଲାପି ରେଶମ, କନକ କେଶରେ ପଦ୍ମରାଗ ମଣିର ହାର ବିଜଡ଼ିତ, ମସ୍ତକର ଉଭୟ ପାର୍ଶ୍ୱର କେଶରେ ଗୋଲାପି ଗୁନ୍ଥା । ଯେତେବେଳେ ବେରେନିସ୍‌ର ଆସନ ଆଡ଼କୁ ସେ ଅଗ୍ରସର ହେଲା, ସେ ଏ ବେଶରେ ଚିନ୍ତାଶୂନ୍ୟ ନିର୍ବୋଧ ଆମୋଦର ଅବତାରସ୍ୱରୂପ ଦେଖା ଯାଉଥିଲା । ସେ ଅଭିବାଦନ କରି କହିଲା, ବେରେନିସ୍, ଭଲ ତ ?

 

ପ୍ରତ୍ୟୁତ୍ତରରେ ବେରେନିସ୍ ଅଳସଭରେ କହିଲା, ତୁମର ସବୁ ଭଲ ତ, ଡାସିୟା ? କଣ ମନେ କରି ଏଆଡ଼େ ଆଜି ?

 

ମନଟା ଭଲ ଲାଗିଲା ନାହିଁ, ସେଥିପାଇଁ ଏଣିକି ଗଡ଼ି ପଡ଼ିଲି ! ଏହା କହି ଡାସିୟା ଟିକିଏ ହସି ଦେଲା, କିନ୍ତୁ ଏ ଅବସ୍ଥାରେ ହସ ବଡ଼ ଖାପ୍‍ଛଡ଼ା ବୋଧ ହେଲା ।

 

ବେରେନିସ୍ ତାହାର ବନ୍ଧୁର ବାହାର ଭିତର ସବୁ ଜାଣିଥିବାରୁ ନିତାନ୍ତ ସହଜ ଭାବରେ ପଚାରିଲା, ଏଥର ଜୁଆଖେଳରେ ହାରିଛ ପରା ?

 

ଅବସ୍ଥା ତା ତହୁଁ ମନ୍ଦ, ବେରେନିସ୍, ତା ତହୁଁ ମନ୍ଦ । ଏହା କହି ଡାସିୟା ବେରେନିସ୍‌ର ଆସନ ଚତୁର୍ଦ୍ଦିଗରେ ବୁଲିବାକୁ ଲାଗିଲା ଏବଂ କହିଲା, ହାରିବା ମୋତେ ବାଧନ୍ତା ନାହିଁ, କିନ୍ତୁ ଫିଲୋଡ଼ିମସ୍‌ଟା କହୁଛି ଯେ, ମୁଁ ହାରିଲେ ସେ ଆଉ ଏଣିକି ମୋତେ ଟଙ୍କା ଯୋଗାଇ ପାରିବ ନାହିଁ-

 

ବେରେନିସ୍ କହିଲା, ସ୍ୱାମୀଙ୍କୁ ମାଗୁ ନାହଁ ?

 

ମୁଁ ମାଗିଥିଲି, କିନ୍ତୁ ସେ କହିଲା, ଯଦି ଫିଲୋଡ଼ିମସ୍‌ ଦେଇ ନ ପାରିଲା ଯେ ଦେଇ ପାରିବ ଏପରି ଅନ୍ୟ କୌଣସି ପ୍ରଣୟୀର ସନ୍ଧାନ କର । ଦେଖୁଛ, ସରଳ ଭାବରେ ତୁମ ପ୍ରଣୟୀର କଥା ତୁମ ସ୍ୱାମୀକୁ କହିବାର ଫଳ ଏହି ! ଆଉ ମୋର ସ୍ୱାମୀର ମଧ୍ୟ ଟଙ୍କା ପଇସାର ଟଣାଟଣି । ଟଙ୍କା ପଇସାର ଏପରି ଅଭାବ କାହିଁକି, ତାହା ମଧ୍ୟ ତୁମେ ବୁଝି ପାରୁଛ । ଭିସିନିୟସ୍‌ର ସେହି କିମ୍ଭୀରଦାନ୍ତୀ ଭାର୍ଯ୍ୟା ମୋ ସ୍ୱାମୀର ସତ୍ୟାନାଶ କରି ସାରିଲାଣି । ସେ ସ୍ତ୍ରୀଲୋକ ତ ପକା ଖଲିପା-। ଏ ପୁରୁଷଗୁଡ଼ାକ ଯେ ତାଠି କଣ ଦେଖି ରସନ୍ତି, ତାହା ମୁଁ ଠିକ୍‌ କରିପାରୁନାହିଁ । ଏ ଦୁଇବର୍ଷ ମଧ୍ୟରେ ଭିସିନିୟସ୍ ହେଉଛି ତାର ଚତୁର୍ଥ ପକ୍ଷର ସ୍ଵାମୀ–ସେ ଆଉ କେତେ ସ୍ଵାମୀ କରିବ କେଜାଣି-

 

ବେରେନିସ୍ ଭୁଲ ସଂଶୋଧନ କରି କହିଲା, ଚତୁର୍ଥ ନୁହେଁ, ତୃତୀୟ ପକ୍ଷ ।

 

ତୃତୀୟ ପକ୍ଷ ? ମୁଁ ମନେ କରିଥିଲି ଏ ତାହାର ଚତୁର୍ଥ ପକ୍ଷର ସ୍ୱାମୀ ।

 

ବେରେନିସ୍‌ ହାଇ ମାରି କହିଲା, ନାହିଁ, କେବଳ ତୃତୀୟ ପକ୍ଷ ।

 

ଅବଶ୍ୟ ଥରେ ଦୁଇ ଥର ସ୍ଵାମୀ ବଦଳାଇଲେ ସିନା କିଛି କ୍ଷତି ନାହିଁ,–ଏହା ବୋଲି ତିନିଥର ବଦଳାଇବ ? ଏହା କହି ଡାସିୟା ହାତରୁ ଦ୍ରାକ୍ଷାଫଳର ଥାଳି ତଳକୁ ପକାଇ ଦେଲା । ଏହିପରି ଜିନିଷପତ୍ର ତଳକୁ ଖସାଇ ଦେବା ଡାସିୟାର ଅଭ୍ୟାସ ହୋଇ ଆସୁଥିଲା ଏବଂ ଏ ଅଭ୍ୟାସ ହୃତସର୍ବସ୍ୱ ଫିଲୋଡ଼ିମସ୍ ପକ୍ଷରେ ବଡ଼ ଶୁଭଲକ୍ଷଣ ନ ଥିଲା । ତେଣୁ ଅବଶିଷ୍ଟ ସମ୍ପତ୍ତି ସାହାଯ୍ୟରେ ନଷ୍ଟ ସମ୍ପତ୍ତିର ପୁନରୁଦ୍ଧାର କରିବ, ନା ସର୍ବସ୍ୱ ବ୍ୟୟ କରି ଶେଷରେ ଡାସିୟାର ପରିତ୍ୟକ୍ତ ବିସ୍ମୃତ ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି କରିବ, ଏ କଥା ଫିଲୋଡିମସ୍‌ର ଭାବିବାର ସମୟ ଆସିଥିଲା ।

 

ମୁଣ୍ଡରେ ରକ୍ତବର୍ଣ୍ଣ ଗୋଲାପ ମାନିବ ନାହିଁ, ଏ ବିଷୟରେ ବେରେନିସ୍ ଇତସ୍ତତଃ କରୁଥିଲା ଏବଂ ତାହା ପରୀକ୍ଷା କରିବା ସକାଶେ ଆହୁରି ଥରେ ମୁଣ୍ଡରେ ଖୋସି ଦର୍ପଣରେ ଦେଖିଲା । ଡାସିୟା କଥା ଶୁଣି ନିତାନ୍ତ ଅନ୍ୟମନସ୍କ ଭାବରେ କହିଲା, ତାହାପରି ଆହୁରି ମଧ୍ୟ ଅନେକ ସ୍ତ୍ରୀଲୋକ ଅଛନ୍ତି ।

 

ତାଠୁଁ ଅଧିକ ନା ବେରେନିସ୍ ! ଏହା କହି ଯେଉଁ ଫୁଲଦାନିରୁ ବେରେନିସ୍‌ ମୁଣ୍ଡରେ ଖୋସିବା ପାଇଁ ଗୋଲାପ ନେଇଥିଲା, ସେହି ଫୁଲଦାନିକୁ ହାତରେ ଧରୁ ଧରୁ ତଳେ ପକାଇ ଦେଲା, ଫୁଲଦାନି ଭାଙ୍ଗି ଟିକ୍‌ଟିକ୍‌ ହୋଇଗଲା । ଏଥିରେ ସେ ତିଳେମାତ୍ର ବିଚଳିତ ନ ହୋଇ ଭଙ୍ଗା ଫୁଲଦାନି ଆଡ଼କୁ ଅନାଇ କହିଲା, ମଲା ମଲା, ଭାଙ୍ଗିଗଲା ପରା !

 

କିନ୍ତୁ କଥା ବନ୍ଦ ହେଲା ନାହିଁ । ବେରେନିସ୍ ତାହାର ସୌଖୀନ ଜିନିଷଟି ଏପ୍ରକାର ନଷ୍ଟ ହେବାର ଦେଖି ଯେତେବଳେ ଦୁଃଖରେ ଦୀର୍ଘନିଶ୍ୱାସ ନିକ୍ଷେପ କଲା, ସେତେବେଳେ ଡାସିୟା କହିଲା, ଆଉ ଆଡ୍ରସ୍‌ଟିଆ ! ସେ ଯେ କେମିତି ଲୋକଙ୍କ ନିକଟରେ ମୁହଁ ଦେଖାଉଛି, ମୁଁ ତାହା ଭାବି ପାରୁ ନାହିଁ ।

 

ସେ ତାହାର ସ୍ୱାମୀ ହେଲାଡ଼ିୟସ୍‍ର ବନ୍ଧୁ ଆଡ଼ୋନୋକସ୍‌କୁ ବିଭା ହେବ ବୋଲି ହେଲାଡ଼ିୟସ୍‌ର ବିବାହର ବନ୍ଧନ ଛିନ୍ନ କଲା, ଅଡ଼ୋନୋକସ୍‌ର ସର୍ବନାଶ କରି ତାହାର ଛାଡ଼ପତ୍ର ନେଇ ସିମନସ୍‌କୁ ବିଭା ହେଲା, ତାହାର, ସମ୍ପତ୍ତି ନଷ୍ଟ କରି ତାକୁ ଛାଡ଼ି ପୁଣି ନିଜର ପ୍ରଥମ ସ୍ୱାମୀ ହେଲାଡ଼ିୟସ୍‌କୁ ବିଭା ହେଲା, ପୁଣି ପରିତ୍ୟକ୍ତ ଦୁଇ ସ୍ଵାମୀଙ୍କୁ ବିବାହ ଭୋଜିରେ ଯୋଗଦାନ କରିବାକୁ ନିମନ୍ତ୍ରଣ କଲା । ଇସ୍, ଥରେ ତା କଥା ଭାବି ଦେଖିଲ !

 

ଏହା କହି ଡାସିୟା ନିତାନ୍ତ ଅସାବଧାନ ହୋଇ ମଣିମୁକ୍ତାଖଚିତ କାଚର ଗୋଟିଏ ସୁନ୍ଦର ଗ୍ଲାସକୁ ହାତରେ ନେଇ ନଚାଇବାକୁ ଲାଗିଲା । ବେରେନିସ୍ ଧୀରେ କିନ୍ତୁ ଜୋରରେ ଡାସିୟା ହାତରୁ ଗ୍ଲାସ କାଢ଼ି ନେଇ ଯେଉଁଠିକି ତା ହାତ ଯାଇ ପାରିବ ନାହିଁ, ଏପରି ଜାଗାରେ ରଖିଦେଲା । ଏଥିରେ ତିଳେମାତ୍ର ଅପ୍ରତିଭ ନ ହୋଇ ଡାସିୟା ପଚାରିଲା, ତା କଥା ତୁମକୁ କେମିତି ଲାଗୁଛି ?

 

ବେରେନିସ୍‌ କହିଲା, ଏହା ତାହାର ସ୍ୱାଧୀନ ଚିତ୍ତର ପରିଚୟ ଦେଉଛି । ତୁମ ବନ୍ଧୁ ଆମ୍ବାସକସ୍‍ର ଖବର କଣ ? ଏହି କଥା ବେରେନିସ୍ ଟିକିଏ ଶ୍ଳେଷରେ ପଚାରିଥିଲା, କାରଣ ଡାସିୟାର ଅସଂଖ୍ୟ ପ୍ରଣୟୀ ମଧ୍ୟରେ ଏ ଅନ୍ୟତମ ।

 

ଡାସିୟା ହସି ହସି କହିଲା, ତା କଥା ମୋତେ କହନା ।

 

କାହିଁକି, କଣ ହେଲା କି ? ବାସ୍ତବିକ୍ ସେ ତୁମକୁ ପ୍ରେମ କରେ ବୋଲି ମୁଁ ମନେ କରିଥିଲି ।

 

ସେ ଛୋଟଲୋକଟା ତାହା କରେ, କିନ୍ତୁ ଲୁଚି ଲୁଚି, ବିବାହିତା ସ୍ତ୍ରୀଲୋକ ସହିତ ସର୍ବସମକ୍ଷରେ ପ୍ରଣୟ କରିବାକୁ ତା କଲିଜାରେ ଜୋର ନାହିଁ । ଏପ୍ରକାର ଲୋକେ କେବଳ ଦାସୀ–ବାଳିକା ଚାହାଁନ୍ତି ଏ କଥା କହୁଁ କହୁଁ ମୋର ମନେ ପଡ଼ୁଛି ମାର୍କସ୍–

 

ମାର୍କସ୍ ? ମାର୍କସ୍ କଣ ? ଅବଶେଷରେ ଏତେବେଳକେ ବେରେନିସ୍‌ର ମନୋଯୋଗ ଆକୃଷ୍ଟ ହେଲା ।

ଡାସିୟା କଛି ନ ଜାଣିଲା ପରି ପଚାରିଲା, ତୁମେ କଣ କିଛି ଶୁଣି ନାହଁ ? କଣ ଶୁଣିବି-?

ସେହି ଖ୍ରୀଷ୍ଟିୟାନ ଯୁବତୀ ସମ୍ବନ୍ଧରେ -ଯାହାପାଇଁ ମାର୍କସ୍ ପାଗଳ ? ରୋମର ଘରେ ଘରେ ଏ କଥା, ଆଉ ତୁମେ ଶୁଣି ନାହଁ ?

ବେରେନିସ୍‌ର ମୁହଁ ଲାଲ ହୋଇ ଆସିଲା, କିନ୍ତୁ ସେ ଅତ୍ୟନ୍ତ ସହଜ ସ୍ୱରରେ ପଚାରିଲା କେଉଁ କଥା ?

ଡାସିୟା କହିଲା ବଡ଼ ଆଶ୍ଚର୍ଯ୍ୟ, ତୁମ୍ଭେ ଏହା ଶୁଣି ନାହଁ । ଯାହାହେଉ ଏ କଥା ତେବେ ବାସ୍ତବିକ ସତ୍ୟ, ସ୍ୱାମୀ ଅବା ପ୍ରେମିକପ୍ରେମିକା ତାଙ୍କର ପ୍ରେମିକପ୍ରେମିକାଙ୍କ ପ୍ରତାରଣା କଥା ସର୍ବଶେଷରେ ଶୁଣନ୍ତି ।

କିନ୍ତୁ ମାର୍କସ୍ ଓ ଖ୍ରୀଷ୍ଟିୟାନ ଯୁବତୀ କଥା କଣ ହେଲା ?

ଟିଗେଲିନସ୍ ତୁମକୁ ସବୁ କହିବ ।

ମୁଁ ଟିଗେଲିନସ୍‌କୁ ଦୁଇଦିନ ହେଲା ଦେଖି ନାହିଁ । କଥା କଣ ?

କଥା କଣ୍‌କି, ଟିଗେଲିନସ୍‌ ଏହି ଦୁର୍ବୃତ୍ତ ଖ୍ରୀଷ୍ଟିୟାନମାନଙ୍କ ଉପରେ ପଡ଼ି ତାଙ୍କୁ ନିଃଶେଷ କରିଥାନ୍ତା, କିନ୍ତୁ ଇତ୍ୟବସରରେ ମାର୍କସ୍ ଯାଇ ସେଥିରେ ବାଧା ଦେଇ ତାଙ୍କ ମଧ୍ୟରୁ ଜଣେ ଯୁବତୀକୁ ରକ୍ଷା କରି ନିଜ ଘରକୁ ନେଇ ଆସିଛି ।

ବେରେନିସ୍‌ ବିସ୍ମିତ ହୋଇ କହିଲା, କଣ ?

 

ଏଥିକି ଟିଗେଲିନସ୍‌ ଶପଥ କରିଛି ଯେ ସେ ଏ ବିଷୟ ନୀରୋକୁ ଜଣାଇବ । କିନ୍ତୁ ନୀରୋର ଅବସ୍ଥା ରୋମରେ ସମସ୍ତେ ଜାଣନ୍ତି । ଆଉ ସମ୍ରାଜ୍ଞୀ ପୋପୀୟୀ ଯେ ନୀରୋକୁ ଆଙ୍ଗୁଠି ଅଗରେ ଚଳାନ୍ତି, ସେ ନିଜେ ମାର୍କସ ପ୍ରତି ପ୍ରେମାସକ୍ତ–

 

ବେରେନିସ୍‌ କଥାରେ ବାଧା ଦେଇ କହିଲା, ଏହି ଯେ ଖ୍ରୀଷ୍ଟିୟାନ ବାଳିକା ଏହାର ନାମ କଣ ?

 

ସେଇଟାର ନା ମର୍ସିୟା ବୋଧହୁଏ ।

 

ବେରେନିସ୍‌ ଭୟ କମ୍ପିତ କଣ୍ଠରେ କହିଲା, ତେବେ ସେଇ ତ !

 

ତୁମେ କଣ ଜାଣ ?

 

ହଁ, ମୁଁ ତା ବିଷୟ ଶୁଣିଛି । ସେ ଦେଖିବାକୁ କେମିତି ! ବେରେନିସ୍ ଯେତେ ଚେଷ୍ଟା କଲେ ମଧ୍ୟ ଅବିଚଳିତ କଣ୍ଠରେ ଏ କଥା କହି ପାରିଲା ନାହିଁ, କିନ୍ତୁ ଏହି ସମୟରେ ଡାସିୟା ବେରେନିସ୍‌ର ଦର୍ପଣ ନେଇ ନିଜ ମୁଖ ଦେଖିବାରେ ବ୍ୟସ୍ତ ଥିଲା । ତାହାର ବିଚଳିତ ଭାବ ଲକ୍ଷ୍ୟ କରି ପାରିଲା ନାହିଁ । ସେ ନିତାନ୍ତ ଅନ୍ୟମନସ୍କ ଭାବରେ କହିଲା–ପୁରୁଷ ଲୋକଙ୍କ ଦୃଷ୍ଟିରେ ସେ ଭାରି ସୁନ୍ଦରୀ । ଫିଲୋଡିମସ୍‌ କହୁଥିଲା, ମାର୍କସ୍‍ ତା ପାଇଁ ପାଗଳ । ସେ କିନ୍ତୁ ସତୀତ୍ୱ ଓ ଧାର୍ମିକତାର ବଡ଼ ଅଭିନୟ କରୁଛି, ଆଉ କୁଆଡ଼େ ମାର୍କସ୍‌କୁ ଧରାଛୁଆଁ ଦେଉନାହିଁ ।

 

ମର୍ସିୟାର ସାମାନ୍ୟ ରୂପର କଥା ଶୁଣି ବେରେନିସର୍‍ ମନଟା ଛୋଟ ହୋଇଗଲା । ସେ ଅତ୍ୟନ୍ତ ତିକ୍ତତାର ସହିତ କହିଲା ଏ ପୁରୁଷଗୁଡ଼ାକ ଏତିକି ସୌନ୍ଦର୍ଯ୍ୟରେ ଭୁଲି ଯାଉଛନ୍ତି ।

 

ଏହା ଶୁଣି ଡାସିୟା ମଧ୍ୟ ଟିକିଏ ଜୋରରେ କହିଲା, ମୁଁ ବି ଠିକ୍ ସେଇୟା କହେଁ ।

 

ବାହାରେ ଘଣ୍ଟା ପୁନର୍ବାର ବାଜିଲା, ଦାସୀ ଘରେ ପ୍ରବେଶ କଲା । ବେରେନିସ୍ ମାର୍କସ୍ ଆସିଅଛି ବୋଲି ଆଶା କରି ପଚାରିଲା–କିଏ ?

 

ଦାସୀ କହିଲା, ଟିଗେଲିନସ୍‌ ଓ ଲିସିନିୟସ୍‌ । ବେରେନିସ୍‌ ବିଫଳ ମନୋରଥ ହୋଇ କହିଲା, ଆଚ୍ଛା ଆସିବାକୁ କହ । ମନେ କଲା, ମାର୍କସ୍ ଓ ମର୍ସିୟା ସମନ୍ଧରେ ଏମାନେ ମୋତେ କେଜାଣି ନୂଆ ଖବର ଦେଇ ପାରିବେ । ଆସନରେ ଆଉଜି ପଡ଼ି ଟିଗେଲିନସ୍‌ ଓ ଲିସିନିୟସ୍‌ ଆଡ଼କୁ ହାତ ବଢ଼ାଇ କହିଲା, ଆସ, ଆସ, ଏହିକ୍ଷଣି, ତୁମମାନଙ୍କ ନାମ ଆମ ମୁହଁରେ ଥିଲା । ଟିଗେଲିନସ୍‌ ବେରେନିସ୍‌ର ହସ୍ତ ଚୁମ୍ବନ କରି କହିଲା, ବଡ଼ ଭାଗ୍ୟ ଆମର, ଭଲା ଯେଉଁଠି ଆମର ନାମ ଥିଲା, ସେଠି ଆମର ଓଷ୍ଠାଧର ଥାନ୍ତା ।

 

ବେରେନିସ୍‌ ହସି ହସି କହିଲା, କଣ ସ୍ତ୍ରୀଲୋକଙ୍କ ନିକଟରେ ରହସ୍ୟ କରିବା ପାଇଁ ଗୁରୁତର ରାଜକାର୍ଯ୍ୟ ଛାଡ଼ି ଆସିଛ ?

 

ଟିଗେଲିନସ୍‌ ଉତ୍ତର କଲା, ଆଜି ଦିନର ବିଚାର କାର୍ଯ୍ୟ ଶେଷ ହୋଇଛି, ବର୍ତ୍ତମାନ ଛୁଟି-। ବେରେନିସ୍‌ ଉଦାସୀନତାର ଅଭିନୟ କରି ପଚାରିଲା, ଆଜିର କାର୍ଯ୍ୟ ଶେଷ ହେଲଣି ? ପ୍ରିଫେକ୍‌ଟ ମାର୍କସ୍‌ କଣ ବିଚାରାଳୟରୁ ଗଲେଣି । ବେରେନିସ୍‌ର ଏ ଭଣ୍ଡ ଉଦାସୀନତା କିନ୍ତୁ ଟିଗେଲିନସ୍‌ର ଚକ୍ଷୁରେ ଧୂଳି ଦେଇପାରିଲା ନାହିଁ । ସେ କହିଲା–ହଁ, ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ସେ ମଧ୍ୟ ବିଚାରାଳୟରୁ ଚାଲିଗଲେ ।

 

ବେରନିସ୍‌ ପଚାରିଲା କେତେବେଳେ ? ସେହିପରି ଅନ୍ୟମନସ୍କ ଭାବରେ ଟିଗେଲିନସ୍‌ ମଧ୍ୟ ଉତ୍ତର କଲା; ବେଶୀ ନୁହେ, ଅଧଘଣ୍ଟାଏ ହେଲା ।

 

କ’ଣ ଅଧଘଣ୍ଟା ? ମୁଁ ମନେ କରିଥିଲି, ଯେମିତି-ଏତିକି କହି ବେରେନିସ୍‌ ଚୁପ୍‌ ହୋଇ ରହିଲା ।

 

‘ଯେମିତି’ କଣ ?

 

ସେ ଯାହା ହେଉ ମୋ କଥା ଶୁଣିବା ତୁମର ଦରକାର ନାହିଁ । ତାପରେ ହସି ହସି କହିଲା, ଆଜିକାଲି ରୋମର ଖବର କ’ଣ ?

 

ଟିଗେଲିନସ୍‌ ଅଭିପ୍ରାୟ ବୁଝିପାରି ଘୋର ବିଦ୍ରୂପାତ୍ମକସ୍ୱରରେ କହିଲା, ମାର୍କସ୍ ଗୋଟିଏ ନୂଆ ଖେଳନା ଆଣିଛି ।

 

ବେରେନିସ୍‌ ଜାଣିଶୁଣି ପଚାରିଲା, ସତେ ? ସେ ପୁଣି କଣ ?

 

ଟିଗେଲିନସ୍‌ ବିସ୍ମୟାନ୍ୱିତ ହେଲା ପରି ହୋଇ କହିଲା, ତୁମେ ଏପର୍ଯ୍ୟନ୍ତ କିଛି ଶୁଣି ନାହଁ-? ବଡ଼ ଆଶ୍ଚର୍ଯ୍ୟ ! ସୁନ୍ଦରୀ ଡାସିୟା ଥାଉଁ ଥାଉଁ ତୁମକୁ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି ?

 

ବେରେନିସ୍ କହିଲା, ଡାର୍ସିୟା ତ ମୋତେ ଅନେକ କଥା କହିଛନ୍ତି । ତୁମେ କେଉଁ କଥା କହୁଛ ?

 

ମୁଁ କାହାକୁ ମନ୍ଦ ଖବର ଦେବାକୁ ଚାହେଁ ନାହିଁ । ତୁମେ ଯଦି ଏପର୍ଯ୍ୟନ୍ତ କିଛି ଜାଣି ନାହଁ, ତେବେ ମୁଁ–

 

ଜାଣିବି କଣ ? ଯେତେବେଳେ ତୁମେ ଏପ୍ରକାର ଇତସ୍ତତଃ କରୁଛ, ଏଥିରୁ କଣାଯାଉଛି, ବିଷୟ ବଡ଼ ଗୁରୁତର । ମୋର କେଉଁଠି ସମତ୍ତି ନଷ୍ଟ ହୋଇଗଲା, ନା କୌଣସି ବନ୍ଧୁର ମୃତ୍ୟୁ–

 

ଟିଗେଲିନସ୍‌ ନିର୍ଦ୍ଦୟଭାବରେ କହିଲା, ନାହିଁ, ସେ ସବୁ କିଛି ନୁହେଁ, କେବଳ, ପ୍ରେମିକ ବିଶ୍ୱାସଘାତକ ହୋଇଛି ।

 

ପ୍ରେମିକ ବିଶ୍ୱାସଘାତକ ? ମାର୍କସ୍ କେବେ– ! ଟିଗେଲିନସ୍ ହସି ହସି କହିଲା, ଆଚ୍ଛା ଦେଖ ତ, ମୁଁ ଭଲ ମାର୍କସ୍‍ର ନାମ ଉଚ୍ଚାରଣ କରିଥାନ୍ତି !

 

ବେରେନିସ୍‌ ବ୍ୟସ୍ତ ହୋଇ ପଚାରିଲା, ତେବେ କାହା କଥା କହୁଥିଲ ?

 

ଏତେ ବ୍ୟସ୍ତ ହୁଅ ନାହଁ, ମୁଁ ତାଙ୍କର କଥା କହୁଥିଲି । କିନ୍ତୁ ସେଥିରେ କିଛି ଫୁଳ ନାହିଁ । ଆସ, ଅନ୍ୟ କଥା ପକାଅ । ଦେଖୁଛି, ମାର୍କସ୍ ଓ ଏହି ଖ୍ରୀଷ୍ଟିୟାନ ଯୁବତୀ କଥା ତୁମକୁ ଭଲ ଲାଗୁ ନାହିଁ । ଏହା କହି ଟିଗେଲିନସ୍‌ ଡାସିୟା ଆଡ଼କୁ ଅନାଇ ରହିଲା ।

 

ବେରେନିସ୍‌ କହିଲା ପ୍ରେମର କାହାଣୀ ଶୁଣିବାକୁ ସ୍ତ୍ରୀଲୋକମାନଙ୍କୁ କେତେବେଳେ ଖରାପ ଲାଗେ ନାହିଁ । ଲିସିନିୟସ୍‌ କହିଲା, ଏ କିନ୍ତୁ ଅଦ୍ଭୁତ ରକମର କାହାଣୀ । ଲୋକେ କହୁଛନ୍ତି, ମାର୍କସ ଗୋଟାଏ ଖ୍ରୀଷ୍ଟିୟାନ ବାଳିକା ପାଇଁ ପାଗଳ, ଆଉ ବେରେନିସ୍‌ ମାର୍କସ୍ ପାଇଁ ପାଗଳ ।

 

ଏହି ନିଷ୍ଠୁର ବାକ୍ୟରେ ଅଭୀସ୍ପିତ ଫଳ ଫଳିଲା । ଏଥର ବେରେନିସ୍ କ୍ରୋଧରେ ପ୍ରଜ୍ଜ୍ୱଳିତ ହେଲା, ଆଉ ବେରେନିସ୍‍ର ଏହି କ୍ରୋଧ ଓ ଈର୍ଷାକୁ ନେଇ ଏହି ଦୁଇଜଣ କ୍ରୀଡ଼ା କରିବାକୁ ଲାଗିଲେ ।

 

ଏହା ଶୁଣିବା ମାତ୍ରକେ ବେରେନିସ୍‌ର ସର୍ବାଙ୍ଗ ଜଳିଗଲା, ତାହାର ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଲା । ସେ କହିଲା, କଣ ! ଲୋକଙ୍କର ଏତେ ସାହସ, ମୋ ସମ୍ବନ୍ଧରେ ଏପରି କଥା କହିବେ ?

 

ଯଦି ଥରେ ସ୍ତ୍ରୀଲୋକର ଈର୍ଷା ଉତ୍ତେଜିତ କରିପାର, ତାହାହେଲେ ସେ ଯେଡ଼େ ଚତୁର, ଯେଡ଼େ ଶକ୍ତ ହେଉ ସମସ୍ତ ଭୁଲିଯିବ, ଈର୍ଷାରେ ଅନ୍ଧ ହୋଇଯିବ, ଆଉ ଠିକ୍ ଯେଉଁ ବିଷୟ ଶୁଣିଲେ ତାହାର ପ୍ରାଣରେ ଆଘାତ ଲାଗିବ, ସେହି କଥାକୁ ସେ ଶୁଣିବାକୁ ଇଚ୍ଛା କରିବ ଓ ତାହା ଆଗେ ବିଶ୍ୱାସ କରିବ ।

 

ତାହାର ବନ୍ଧୁ ମହଲରେ ତା ବିଷୟ ନେଇ କିପରି ପରିହାସ, ଇଙ୍ଗିତ, ହସ କୌତୁକ ଚଳୁଥିଲା, ତାହା ସେ କଳ୍ପନା ନେତ୍ରରେ ଦେଖିବାକୁ ଲାଗିଲା । ଏକଥା ଭାବିବା ମଧ୍ୟ ତାହା ପକ୍ଷରେ ଅସହ୍ୟ ହେଲା । ଏଥିରେ ତାହାର ଅହଙ୍କାରରେ, ବିଶେଷତଃ ତାହାର ପ୍ରେମରେ ବଡ଼ ଆଘାତ ଲାଗିଲା । ଏହା ଉପରେ ତାହା ବନ୍ଧୁ ଡାସିୟା ସ୍ତ୍ରୀସୁଲଭ ସମସ୍ତ କ୍ଷିପ୍ରତା ସହ ଏହି ତୀକ୍ଷ୍‌ଣ ଧାର ଶରକୁ ହୃଦୟରେ ଆମୂଳ ବିଦ୍ଧ କରିବାକୁ ଭୁଲି ନ ଥିଲା । ସେ କହିଲା -

 

ଠିକ୍ କଥା, ମାର୍କସ୍ ପ୍ରତି ତୁମର ସମସ୍ତ ପ୍ରେମ ଓ ପୂଜା ସକାଶେ ସେମାନେ ତୁମକୁ ପରିହାସ କରନ୍ତି ।

 

ବେରେନିସ୍‌ର କଷ୍ଟ ସହଜରେ ଅନୁମେୟ । ସେ ଏ ପ୍ରକାର ବିଦ୍ରୂପ ଓ କୃପାର ପାତ୍ର ହୋଇଅଛି ବୋଲି ବିଶ୍ୱାସ କରି ପାରିଲା ନାହିଁ । ସମସ୍ତ ପୁରୁଷଙ୍କର ଅନୁସୃତ ହେବାରୁ ସେ ଆପଣାକୁ ରୋମର ସ୍ତ୍ରୀଲୋକଙ୍କ ମଧ୍ୟରେ ଭାଗ୍ୟବତୀ ବୋଲି ମନେ କରୁଥିଲା । ଭାବିଲା, ତାହାର ଏ ଅପମାନ ଆଜି କାହା ସକାଶେ ହେଲା ? ଯଦି ତାହାର ସମାନସ୍କନ୍ଧ କୌଣସି ରମଣୀ ସକାଶେ ମାର୍କସ ତାକୁ ଏ ପ୍ରକାର ଅବହେଳା କରିଥାନ୍ତା, ତାହାହେଲେ ସେ ଅବା କିଞ୍ଚିତ୍‌ ସହ୍ୟ କରି ପାରିଥାନ୍ତା, କିନ୍ତୁ ତାହା ତୁଳନାରେ ଏ ଖ୍ରୀଷ୍ଟିୟାନ୍‌ ବାଳିକା କେଡ଼େ ହୀନ, ନୀଚ, ପୁଣି ଯେଉଁ ଦୁର୍ବୃତ୍ତମାନେ ରୋମରେ ଏପ୍ରକାର ଅଗ୍ନୁତ୍ପାତ ଘଟାଇଲେ, ଯେଉଁମାନଙ୍କର ଉପାସନାପଦ୍ଧତି ଏପ୍ରକାର ଘଣାର୍ହ ଯେ, ଉପାସନା କରିବା ନିମିତ୍ତ ରାତ୍ରି ଦ୍ୱିପ୍ରହରରେ ଗୋପନରେ ଏକତ୍ରିତ ହୁଅନ୍ତି, ଏପ୍ରକାର ଲୋକମାନଙ୍କର ସାହାଯ୍ୟ କରେ ଏ ନାରୀ, ଆଉ ଏହା ସକାଶେ ମାର୍କସ୍‌ ତାକୁ ପରିତ୍ୟାଗ କଲା । ଏହା ଭାବି କ୍ରୋଧରେ ତାହାର ସର୍ବାଙ୍ଗ ଜଳିବାକୁ ଲାଗିଲା ।

 

ସେଥିପାଇଁ ବେରେନିସ୍ ଟିଗେଲିନସ୍‌କୁ ତୀବ୍ର ଭାବରେ ପଚାରିଲା, ଏହି କଥା କହିବା ପାଇଁ ଏଠିକି ଆସିଥିଲ ?

 

ଟିଗେଲିନସ୍ ମହା ଆଗ୍ରହରେ କହିଲା, ତାହା ନୁହେ, ତୁମର ସେବା କରିବାକୁ ଆସିଛି ।

 

କି ସେବା କରିବ ?

 

ପ୍ରତିଶୋଧ ନେବାକୁ ତୁମକୁ ସାହାଯ୍ୟ କରିବି ।

 

ବେରେନିସ୍ ଅତ୍ୟନ୍ତ ଘୃଣାର ସହିତ କହିଲା, ଏହି ଛୋଟଲୋକ ଖ୍ରୀଷ୍ଟିୟାନଟାର ପ୍ରତିଶୋଧ ?

 

ଚତୁର ଟିଗେଲିନସ୍ କହିଲା; ତାହା ସହିତ ମାର୍କସ୍‌ର ମଧ୍ୟ ।

 

କେମିତି ? କିନ୍ତୁ ବେରେନିସ୍‍ର ହୃଦୟ ତାକୁ କହିଦେଲା ଯେ, ମାର୍କସ୍‌ ପ୍ରତି ତାହା କ୍ରୋଧ ଯେତେ ବେଶି ହେଉ, ତାହାପାଇଁ ସେ ମାର୍କସ୍‌ର କୌଣସି କ୍ଷତି, କରି ପାରିବ ନାହିଁ ।

 

ଟିଗେଲିନସ୍ କହିଲା, ବୋଧହୁଏ, ତୁମେ ଜାଣ ଯେ, ଏହି ଖ୍ରୀଷ୍ଟିୟାନମାନଙ୍କର ବିଚାର ଓ ଦଣ୍ଡବିଧାନ କରିବାର ସମ୍ପୂର୍ଣ୍ଣ ଏ କ୍ଷମତା ମାର୍କସ୍‍କୁ ଦିଆ ହୋଇଛି । ଏହି ବନ୍ଧୁମାନଙ୍କ ମଧ୍ୟରୁ ସେ ମର୍ସିୟାକୁ ରକ୍ଷା କରି ନିଜ ଗୃହରେ ରଖିଛି ।

 

ବେରେନିସ୍‌ ତିକ୍ତଭାବରେ କହିଲା, ଯାଅ, ଯାଅ, ମୋତେ କାହିଁକି କହୁଛ, ନୀରୋ ଆଗରେ କହିବ ।

 

ବାଃ !

 

‘ବାଃ’ କଣ ?

 

ଆଉ ପୋପୀୟା ? ଏହା କହି ଟିଗେଲିନସ୍ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଲିସିନିୟସ୍ ଆଡ଼କୁ ଅନାଇଲା । ତତ୍‌ପରେ ପୁନର୍ବାର କହିଲା, ପୋପୀୟା ଯଦି ଶୁଣିବ ଯେ, ମୁଁ ମାର୍କସ୍‌ର କ୍ଷତି କରିବାକୁ ଚେଷ୍ଟା କରୁଛି, ତାହାହେଲେ ମୋ କାନ୍ଧ ଉପରେ ଆଉ ମୁଣ୍ଡ ରହିବ ନାହିଁ ।

 

ବେରେନିସ୍‌ ପଚାରିଲା, ତେବେ ତୁମର ଅଭିପ୍ରାୟ କଣ ?

 

ତୁମେ ନିଜେ ପୋପୀୟା ନିକଟକୁ ଯାଇ ମାର୍କସ୍‍ର ଏହି ପ୍ରେମର କଥା କହ ଏବଂ ପୋପୀୟା ଯେମନ୍ତ ଏ ଖ୍ରୀଷ୍ଟିୟାନକୁ ସିଂହ ମୁଖରେ ବିକ୍ଷେପ କରିବ, ତାହାରି ଯୋଗାଡ଼ କର ।

 

ଯଦିବା ବେରେନିସ୍ ବଡ଼ ବେଶି କ୍ରୂଦ୍ଧ ହୋଇଥିଲା, ଯଦିବା ମାର୍କସ୍‍ର ଏହି ଅପମାନର ପ୍ରତିଶୋଧ ନେବା ନିମନ୍ତେ ସେ ଅତ୍ୟନ୍ତ ଅଧୀର ହୋଇ ଉଠୁଥିଲା, ତଥାପି ତାହାର ଯଥେଷ୍ଟ ଆତ୍ମମର୍ଯ୍ୟାଦାଜ୍ଞାନ ଥିବାରୁ କାହାରି ଅଜ୍ଞାତସାରରେ ତାହା ବିରୁଦ୍ଧରେ ଏ ପ୍ରକାର ଦୋଷାରୋପ କରିବା ଅତିହୀନ କାର୍ଯ୍ୟ ବୋଲି ସେ ମନେ କରୁଥିଲା । ସେଥିପାଇଁ ସେ ଦର୍ପର ସତ କହିଲା, ସେ ଛୋଟଲୋକି ବେରେନିସ୍ ଏପର୍ଯ୍ୟନ୍ତ ଶିଖି ନାହିଁ । ଏହା କହି ବେରେନିସ୍ ଆସନ ଛାଡ଼ି ଉଠିଲା; ବୋଧହେଲା, ଯେପରି ସେ ଏହିଠାରେ ସମସ୍ତ କଥାବାର୍ତ୍ତା ଶେଷ କରିବାକୁ ଇଚ୍ଛା କରିଥିଲା ।

 

ଟିଗେଲିନସ୍‍ କିନ୍ତୁ ଛାଡ଼ିବାର ପାତ୍ର ନୁହେଁ । ଏଠାକୁ ଆସିବାର ତାହାର ବିଶେଷ ଅଭିପ୍ରାୟ ଥିଲା-ଅଭିପ୍ରାୟ ବେରେନିସ୍‍ର ସାହାଯ୍ୟରେ ନୀରୋ ଉପରୁ ପୋପୀୟାର ପ୍ରଭାବ ଓ ବିଦୂରିତ କରିବା । ଏହି କାର୍ଯ୍ୟ ଯେପର୍ଯ୍ୟନ୍ତ ସାଧନ ନ କରିଛି, ସେପର୍ଯ୍ୟନ୍ତ ବେରେନିସ୍‍ର ଗୃହ ପରିତ୍ୟାଗ କରିବ ନାହିଁ ବୋଲି ମନସ୍ଥ କରିଥିଲା । ବେରେନିସ୍‍ର ଆତ୍ମସମ୍ମାନର ଆବରଣ ଭେଦ କରିବାକୁ ବିଦ୍ରୂପର ବାଣ ନିକ୍ଷେପ କଲା; କହିଲା, ତେବେ ମର୍ସିୟା ସୁଖରେ ଥାଉ, ଆଉ ବେରେନିସ୍‌ ରୋମର କୃପାରପାତ୍ର ହେଉଥାଉ । ଏହା କହି ସାରି ଟିଗେଲିନସ୍‍ ଖିଡ଼ିକି ଆଡ଼କୁ ଯାଇ ବାହାରକୁ ଅନାଇଲା, ମନେ ହେଲା, ଯେପରି ବେରେନିସ୍ ପ୍ରତି ରୋମର କୃପାଦୃଷ୍ଟି ନିକ୍ଷେପଟା ସେ ସେହି ବାଟ ଦେଇ ଦେଖିଥିଲା ।

 

ମାର୍କସ୍ ଓ ମର୍ସିୟା ମଧ୍ୟରେ ବିଚ୍ଛେଦ ଘଟାଇବାକୁ ଡାସିୟା ଯେ ବେରେନିସ୍‍କୁ ଏପ୍ରକାର ଉତ୍ତେଜିତ କରୁଥିଲା, ସେଥିରେ ତାହାର କୌଣସି ବିଶେଷ ଉଦ୍ଦେଶ୍ୟ ନ ଥିଲା । ବୋଧହୁଏ ଅନଧିକାର ଚର୍ଚ୍ଚା କରିବାର ସ୍ପୃହା ସ୍ୱଜାତିର ସ୍ୱଭାବ, ସେଥିପାଇଁ ଡାସିୟା କହିଲା–

 

ବେରେନିସ୍, ଏତିକିରେ ଦବି ଯାଉଛି କଣ ! ମୁଁ ପରା କହୁଛି ଯଦି ମୁଁ ହୋଇଥାନ୍ତି, ମୁଁ ଦେଖି ନିଅନ୍ତି, ମୋତେ ମୁଁ କେମିତି କିଏ ଗୋଟାଏ ଖ୍ରୀଷ୍ଟିୟାନ ବାଳିକା ସକାଶେ ଏପରି ଫୋପାଡ଼ି ଦିଅନ୍ତା ।

 

ଅପମାନ ଓ କ୍ଷୋଭରେ ବେରେନିସ୍‍ର ହୃଦୟ ଫାଟି ଯାଉଥିଲା; ସେ ଆହତ ପଶୁ ପରି ଚିତ୍କାର କରି ପଚାରିଲା, ତେବେ ମୁଁ କଣ କଣ କରିବି ?

ଟିଗେଲିନସ୍‍ ଉତ୍ତର କଲା, ତୁମର ଏ ଅପମାନର ପ୍ରତିଶୋଧ ନିଅ । ଏହି ମାର୍କସଟାର କଥା ଶେଷ ନ କରି ଅପ୍ରତିଭ ହୋଇ ଚୁପ୍ ହୋଇ ରହିଲା । କାରଣ ଇତ୍ୟବସରେ ମାର୍କସ୍ ଗୃହ ମଧ୍ୟରେ ପ୍ରବେଶ କରିଥିଲା । ସେ ଟିଗୋଲିନସ୍ ଆଡ଼କୁ ମହା କୌତୁକରେ ଅନାଇଲା । ସମସ୍ତେ ଚୁପଚାପ୍‍ ହୋଇଗଲା । ଡାସିୟା କିନ୍ତୁ ତିଳେମାତ୍ର ବିଚଳିତ ହୋଇ ନ ଥିଲା, ସେ ପାତ୍ରରୁ ଅଙ୍ଗୁର ନେଇ ମହାଆନନ୍ଦରେ ଚୋବାଇବାକୁ ଲାଗିଲା । କଥାରେ ଏପ୍ରକାର ବାଧା ପଡ଼ିବାରୁ ଟିଗେଲିନସ୍ ଓ ଲିସିନିୟସ୍ ରୁଦ୍ଧବୀର୍ଯ୍ୟ ସର୍ପପରି ଫୁଲିବାକୁ ଲାଗିଲେ ଏବଂ ମାର୍କସର ଶତ୍ରୁମାନଙ୍କ ସହିତ ମାର୍କସ ବିଷୟରେ କଥାବାର୍ତ୍ତା କରିବାବେଳେ ଧରା ପଡ଼ିବାରୁ ବେରେନିସ୍ ଅତ୍ୟନ୍ତ ଲଜ୍ଜା ଅନୁଭବ କରୁଥିଲା । ମାର୍କସ୍ ଯଥାକମେ ସମସ୍ତଙ୍କ ମୁହଁକୁ ଅନାଇଲା । ତତ୍‍ପରେ ବିଦ୍ରୂପାତ୍ମକ ସ୍ୱରରେ ପଚାରିଲା, କଣ ମୁଁ ଆସିବାରୁ କିଛି ଅସୁବିଧା ହେଲା, ବେରେନିସ୍ ?

ବେରେନିସ୍‍ର ହୋଇ ଟିଗେଲିନସ୍ ଅତ୍ୟନ୍ତ ରୂଢ଼ଭାବରେ ଉତ୍ତର ଦେଲା; ଅବଶ୍ୟ ସ୍ତ୍ରୀଲୋକଙ୍କ ଉପସ୍ଥିତି ଯୋଗୁଁ ସେ ଏକପ୍ରକାର ରୂଢ଼ତା ପ୍ରକାଶ କରିବାକୁ ଦ୍ୱିଧା ବୋଧ କଲା ନାହିଁ, ନଚେତ୍ ଅନ୍ୟତ୍ର ଏକପ୍ରକାର ରୂଢ଼ତା ପ୍ରକାଶ କରିବାକୁ ତାହାର ସାହାସ ହୋଇ ନ ଥାନ୍ତା । ସେ କହିଲା, ମୁଁ ଦେଖୁଛି, ଅନ୍ୟର କଥା ଶୁଣିବାର ଚୌର୍ଯ୍ୟବୃତ୍ତିରେ ମଧ୍ୟ ତୁମେ ସିଦ୍ଧହସ୍ତ ।

ଟିଗେଲିନସ୍‍ର ଏ ବିଦ୍ରୂପ ମାର୍କସ ସହ୍ୟ କରି ନେଲା କହିଲା, ମୁଁ ତୁମ୍ଭମାନଙ୍କ କଥା ଶୁଣିନାହିଁ । କାହିଁକି ? ମୋହର ବିଷୟରେ କଥାବାର୍ତ୍ତା ଚାଲିଥିଲା କି ? ତତପରେ ବେରେନିସ୍ ଆଡ଼କୁ ଅନାଇ କହିଲା, ଟିଗେଲିନସ୍‍ କଣ ମୋତ ପ୍ରଶଂସାରେ ପୋତି ପକାଉଥିଲେ ? କାରଣ ମୁଁ ଜାଣେ, ସେମାନେ ମୋର ଭାରି ଉପକାରୀ ବନ୍ଧୁ । କି ଲିସିନିୟସ୍‍, ବଡ଼ ଚୁପଚାପ ଯେ । କଣ ସେହି ବଗିଚାର ଗୋଳମାଳରେ ଯେ ବେଦମ୍ ହୋଇ ଯାଇଥିଲା, ସେ ଦମ୍ ଏତେବେଳ ପର୍ଯ୍ୟନ୍ତ ଅଟକି ଯାଇଛି ?

ଉଦ୍ୟାନର ଗୋଳମାଳ କଥା ସ୍ମରଣ କରି ଲିନିୟସର ମୁହଁ ଟିକିଏ ହୋଇଗଲା । ଏହି ହେତୁରୁ ସେ ମୁହଁ ବଙ୍କାଇ କହିଲା, ପ୍ରିଫେକଟ, ମୋ ବଞ୍ଚିବା ପକ୍ଷରେ ଦେହରେ ଦମ ଯଥେଷ୍ଟ ଅଛି-

ମାର୍କସ୍ ଉତ୍ତର କଲା, ଦେଖ ସାବଧାନ । ସାନ ପିଲା ଆଉ ଅବଳା ବାଳିକା ଛଡ଼ା ଯେମନ୍ତ ଆଉ କାହାକୁ ଆକ୍ରମଣ ନ କର, ତାହାହେଲେ ବଞ୍ଚିବା ସକାଣେ ଦେହରେ ଯଥେଷ୍ଟ ଦମ୍ ରହିବ ନାହିଁ ।

ଲିସିନିୟସ୍ କର୍କଶଭାବରେ କହିଲା, ସେ ବାଳକବାଳିକା ରାଜଦ୍ରୋହୀ । ମୁଁ କେବଳ ମୋ କର୍ତ୍ତବ୍ୟ କରିଛି ।

କର୍ତ୍ତବ୍ୟ ? ଜାଣ, ଏହି କର୍ତ୍ତବ୍ୟର ନାମରେ ରୋମରେ କେତେ ଅନ୍ୟାୟ ଅତ୍ୟାଚାର ଅନୁଷ୍ଠିତ ହେଉଛି ? ଏହା କହି ମାର୍କସ୍ ସେମାନଙ୍କ ଆଡ଼କୁ ପୃଷ୍ଠ ପ୍ରଦର୍ଶନ କରି ବେରେନିସ୍‍କୁ ଅନାଇ ପଚାରିଲା–ମୁଁ କଣ ତୁମ କଥବାର୍ତ୍ତାରେ ବାଧା ଦେଉଛି ? ବେରେନିସ୍ ଅତି ଚଞ୍ଚଳ କହି ଉଠିଲ, ନା ମାର୍କସ୍, କେତେବେଳେ ନୁହେ, ଦୟା କରି ରହ, ତୁମ ସାଙ୍ଗରେ ମୋର କଥା ଅଛି ।

ତତ୍‍ପରେ ବେରେନିସ୍ ଡାସିୟା ଆଡ଼କୁ ଅର୍ଥପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କଲା, ଡାସିୟା ଆସନ ଛାଡ଼ି ଉଠି କହିଲା, ମାର୍କସ୍, ତୁମେ ଆସିଲାବେଳକୁ ମୁଁ ଯିବାକୁ ବାହାରିଥିଲି । ବେରେନିସ୍‍, ମୋର ଅନୁପସ୍ଥିତି କ୍ଷମା କରିବାକୁ ହେବ, ମୁଁ ଆଉ ରହି ପାରିବି ନାହିଁ । ତତ୍‌ପରେ ଟିଗେଲିନସ୍‍ ଓ ଲିସିନିୟସ୍‍ ଆଡ଼କୁ ଅନାଇ ହସିବାକୁ ଲାଗିଲା, କାରଣ, ସେମାନେ ଯେପରି ତୀବ୍ରଦୃଷ୍ଟିରେ ମାର୍କସକୁ ଅନାଇଥିଲେ, ସେଥିରେ ସେ ନ ହସି ରହି ପାରିଲା ନାହିଁ । ତାଙ୍କୁ ଡାକି କହିଲା, ମହାଶୟମାନେ, କଣ ମୋ ସହିତ ଯିବ ? ତୁମ୍ଭେମାନେ ଯେପରି ଭୀଷଣ ଦେଖାଯାଉଛି, ସେଥିରେ ମାର୍କସ୍ ନିକଟରେ ତୁମ୍ଭମାନଙ୍କୁ ଛାଡ଼ି ଯିବାକୁ ମୋର ଭୟ ହେଉଛି ।

ଅପ୍ରଚ୍ଛନ୍ନ ଅବଜ୍ଞାର ସହିତ ମାର୍କସ୍‍ କହିଲା, ସୁନ୍ଦରୀ, ମୋ ସକାଶେ ଭୟ କରିବାର କୌଣସି କାରଣ ନାହିଁ । ସେମାନେ ମୋର ଅନୁପସ୍ଥିତିରେ ଯାହା କିଛି ଅନିଷ୍ଟ କରିବେ । ଟିଗେଲିନସ୍ ଓ ଲିସିନିୟସ୍‍କୁ ଭୟ କରିବ ଘାତକର ଗୁପ୍ତ ଅସ୍ତ୍ର ପାଇଁ, ସୈନିକର ତରବାରୀ ସକାଶେ ନୁହେଁ ।

ଏ ଅପମାନରେ ଟିଗେଲିନସ୍ ହୃଦୟରେ ଶେଳବିଦ୍ଧ ହୋଇଗଲା । ସେ ଖଡ଼୍‍ଗ ନିଷ୍କାସିତ କରି ଆକ୍ରମଣ କରିବାକୁ ଉଦ୍ୟତ ହେଉଥିଲା, କିନ୍ତୁ ବେରେନିସ ଉଠି ଆସି କହିଲା–ଟିଗେଲିନସ୍, ବୋଧହୁଏ ଭୁଲିଯାଇଛ ଯେ, ଏ ମୋର ଘର । ଏଠି ମୁଁ କୌଣସି ପ୍ରକାର ବିବାଦ କରିବାକୁ ଦେବି ନାହିଁ । ଅନୁଗ୍ରହ କରି ଯାଅ ।

ଟିଗେଲିନସ୍ ପ୍ରଚଣ୍ଡ କ୍ରୋଧରେ ମାର୍କସ୍ ଆଡ଼କୁ ଅନାଇଥିଲା, କିନ୍ତୁ ମାର୍କସ୍ ନିଶ୍ଚିତଭାବରେ ତା ଆଡ଼କୁ ଅନାଇ ହସୁଥିଲା । ବେରେନିସ୍ ହାତ ବଢ଼ାଇ ଟିଗେଲିନସ୍‍କୁ ଦ୍ୱାର ଦେଖାଇ ଦେଲା । ଟିଗେଲିନସ୍ ବାଧ୍ୟ ହୋଇ କହିଲା, ତେବେ ମୁଁ ଯାଉଛି ।

ମାର୍କସ୍‍, ନିତାନ୍ତ ଲଘୁ ଭାବରେ ହସି ହସି କହିଲା, ଓହୋ ! ବଡ଼ ବାଧ୍ୟ କି ନା ସେଥିପାଇଁ ବଡ଼ଆନନ୍ଦରେ ଅଦେଶ ପାଳନ କରୁଛନ୍ତି ।

ଅଗ୍ନିରେ ଘୃତାହୁତି ପଡ଼ିଲା, ଟିଗେଲିନସ୍‍ର ମୂର୍ତ୍ତି ଏହା ଶୁଣି ଅହୁରି ଉଗ୍ର ହୋଇ ଉଠିଲା, କିନ୍ତୁ ଡାସିୟା ତାହାର ବାହୁ ଧରି କହିଲା, ଆସ, ଆସ, ମୁଁ ବଡ଼ ବ୍ୟସ୍ତ, ଆଉ ଅପେକ୍ଷା କରି ପାରିବି ନାହିଁ ।

 

ଟିଗେଲିନସ୍ ମହାଆଡ଼ମ୍ବରରେ ଖୁବ୍ ଜୋରରେ ଖଡ଼୍‍ଗ ଖୋଳରେ ରଖିଲା ଓ ଦୁଆରବନ୍ଧକୁ ଯାଇ ଡାସିୟା ସକାଶେ ଅପେକ୍ଷା କଲା ।

 

ଡାସିୟା ବେରେନିସ୍‍ରୁ ବିଦାୟ ନେଇ ମାର୍କସ୍ ଠାରୁ ବିଦାୟ ନେଲାବେଳେ କହିଲା–

 

ପ୍ରିଫେକ୍‌ଟ ଖ୍ରୀଷ୍ଟିୟାନ ସୁନ୍ଦରୀ ଟିକିଏ ଯତ୍ନରେ ରଖିଥିବ, ଯେମିତି ସେ ତା ସଙ୍ଗେ ସଙ୍ଗେ ତୁମକୁ ମଧ୍ୟ ନେଇ ନୀରୋର କ୍ରୋଧର ସମ୍ମୁଖରେ ଉପସ୍ଥିତ ନ କରେ । ଅଳ୍ପ ସମୟର କ୍ରୀଡ଼ା ନିମନ୍ତେ ଏହି ସାମଗ୍ରୀପାଇଁ କାରାଗାରରେ ଯେଉଁ ମୂଲ୍ୟ ଦେବାକୁ ପଡ଼ିବ, ସେ କିଛି କମ ନୁହେଁ । ଅତଏବ ସାବଧାନ !

 

ମାର୍କସ୍ ଉତ୍ତର କଲା, ସେଥିପାଇଁ କିଛି ଭାବନା ନାହିଁ, ଖୁବ୍ ସାବଧାନ ହେବି । କିନ୍ତୁ ମର୍ସିୟା ବିଷୟରେ ଡାସିୟା ଏପ୍ରକାର ଲଘୁ ଭାବରେ କଥା କହିବାରୁ ମାର୍କସ୍‍ ମନେ ମନେ ଅସନ୍ତୁଷ୍ଟ ହେଲା । ତତ୍‍ପରେ ଟିଗେଲିନସ୍‍ ଓ ଡାସିୟା ମାର୍କସ୍ ଓ ବେରେନିସ୍‍କୁ ଏକାକୀ ରଖି ଚାଲିଗଲେ ।

 

ବେରୋନିସ୍‍, ଯେ କାହିଁକି ମାର୍କସ୍‍କୁ ଡକାଇଛି, ସେ କଥା ମାର୍କସ୍ ଜାଣି ନ ଥିଲା ଅବା ଜାଣିବା ପାଇଁ ଚେଷ୍ଟା କରି ନ ଥିଲା । ତାହାର ସମସ୍ତ ଚିନ୍ତାସ୍ରୋତ ଅନ୍ୟ ଆଡ଼େ ପ୍ରବାହିତ । ବିଚାରାଳୟରେ ସୁଦ୍ଧା ସେ ନିତାନ୍ତ ଅନ୍ୟମନସ୍କ ଥିଲା । ସେମାନେ ଗଲା ଉତ୍ତାରେ ସେହି ସବୁ ଚିନ୍ତାରେ ତାହା ମନ ଆନ୍ଦୋଳିତ ହେବାକୁ ଲାଗିଲା । ଫାଭିୟୁସ୍‍ର ମୃତ୍ୟୁ ତାକୁ ଗଭୀର ଭାବରେ ସ୍ପର୍ଶ କରିଥିଲା । ବୃଦ୍ଧ ଗୋଟିଏ ହେଲେ କଥା ଉଚ୍ଚାରଣ କରି ନାହିଁ, ଛୁରିକାବିଦ୍ଧ ହୋଇ ପଡ଼ିବା ସ୍ଥାନରୁ ମୃତ୍ୟୁ ପର୍ଯ୍ୟନ୍ତ ତିଳେମାତ୍ର ବିଚଳିତ ହୋଇ ନାହିଁ, କିନ୍ତୁ ଯେତେବେଳେ ଜୀବନଶକ୍ତି ହ୍ରାସ ହୋଇ ଆସୁଥିଲା, ସେତେବେଳେ କି ଅପାର୍ଥିବ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଫୁଟି ଉଠିଲା–ଏହା ହିଁ ମାର୍କସ୍‍କୁ ବିଶେଷ ଭାବରେ ବିସ୍ମିତ, କରିଥିଲା । ସେ ଭାବିଲା, ଜଣେ ରାଜଦ୍ରୋହୀ ଦେଶଦ୍ରୋହୀ କ’ଣ ଏପରି ଭାବରେ ମରିପାରେ ? ଷଡ଼ଯନ୍ତ୍ରକାରୀ ଘାତକର ପ୍ରାଣରେ କଣ ମୃତ୍ୟୁ ସମୟରେ ଏପରି ଶାନ୍ତି ଥାଇ ପାରେ ? ଏହା ତାକୁ ଅସମ୍ଭବ ଲାଗିଲା । ମର୍ସିୟା ଜୀବନରେ ଯେପରି, ସେହି ବୃଦ୍ଧ ଜୀବନରେ ମଧ୍ୟ ସେହିପରି ଏକପ୍ରକାର କୌଣସି ବିଷୟ ଥିଲା, ଯାହା ଏ ପାପ ପୃଥିବୀରେ ଦୁର୍ଲ୍ଲଭ । ସେ ତେବେ କଣ ? ଏହି ସବୁ ବିଷୟ ଚିନ୍ତା କରୁ କରୁ କେଉଁ ସ୍ଥାନରେ ଅଛି, ମାର୍କସ୍‍ ତାହା ମଧ୍ୟ ଭୁଲି ଯାଇଥଲା ।

 

ଏହି ସମୟରେ କିନ୍ତୁ ବେରେନିସ୍ ମାର୍କସ୍‍କୁ ଅତ୍ୟନ୍ତ ସତର୍କତା ସହିତ ନିରୀକ୍ଷଣ କରୁଥିଲା । ସେ ମାର୍କସ୍‍କୁ ଡକାଇଥିଲା, ମାର୍କସ ମଧ୍ୟ ଆସିଥିଲା । କିନ୍ତୁ ବର୍ତ୍ତମାନ ସେ ମାର୍କସ୍‍କୁ କଣ ଯେ କହିବ, କଥା ଖୋଜି ପାଇଲା ନାହିଁ । ବେରେନିସ୍‍, ମନେ ମନେ ଜାଣିଲା, ମାର୍କସ୍ ଅନିଚ୍ଛାରେ ଆସିଅଛି । ମାର୍କସ୍‍ ଯେ ଅନ୍ୟମନସ୍କ ଓ ବିଦାୟ ନେବା ପାଇଁ ଉଦବିଗ୍ନ ହେଉଛି, ଏକଥା ବେରେନିସ୍‍ ଜାଣିପାରିଲା । ଏହା ଦେଖି ତାହାର ବଡ଼ ରାଗ ହେଲା । ରାଗ ଦମନ କଲା ଏବଂ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ସଂକଳ୍ପ କଲା ।

 

ମାର୍କସ୍ ଚକ୍ଷୁ ଫେରାଇ ଦେଖିଲା, ବେରେନିସ୍‍ ତାକୁ ଲକ୍ଷ୍ୟ କରୁଅଛି । ଅନ୍ୟାନ୍ୟ ଚିନ୍ତାରୁ ମନକୁ ନିବୃତ୍ତ କରି ଅତି ସହଜସ୍ୱରରେ ପଚାରିଲା, ବେରେନିସ୍‍ ମୋତେ ଡକାଇଥିଲ ?

 

ହେଲା ଏବେ ! ବେରେନିସ୍ ତାକୁ ଡକାଇଥିଲା, ଏହା ବୋଲି କଣ ସେ କଥା ମାର୍କସ୍‍, ତାକୁ ସ୍ମରଣ କରାଇଦେବ ? ପ୍ରେମିକ କଣ ତାହାର ପ୍ରେମର ପାତ୍ରକୁ କହିବ ଯେ, ସେ କେବଳ ତାହାର ଆଜ୍ଞା ମାନି ଆସିଅଛି ? ସେଥିପାଇଁ ବେରେନିସ୍, ମାର୍କସ୍‍ର ଏ ସମ୍ଭାଷଣର ଶୁଷ୍କତା ବୁଝିପାରିଲା ଏବଂ ଉତ୍ତର କଲା–

 

ହଁ, ମୁଁ ଡାକିଛି, ଆଉ ତୁମେ ବଡ଼ ଅନିଚ୍ଛାରେ ଆସିଛ, ନା ?

 

ମାର୍କସ୍‍ ସେହି ସୁନ୍ଦରୀକୁ ଅନାଇଲା ଏବଂ ନିଜର ନିଜର ତା ନିଷ୍ଠୁରତା ନିମିତ୍ତ ଟିକିଏ ଦୁଃଖିତ ହେଲା । ଏ ସ୍ତ୍ରୀଲୋକ ଯଦିବା ଏକାବେଳକେ ତାହାର ଆଦର୍ଶସ୍ଥାନୀୟା ନୁହେଁ; ତଥାପି ଏ ତ ସମ୍ମାନର ଯୋଗ୍ୟ । ଆଉ ବେରେନିସ୍‍ ପୂର୍ବେ ତା ପ୍ରତି କିପରି କୋମଳ ଓ ସଦୟ ବ୍ୟବହାର କରିଅଛି, ତାହା ସ୍ମରଣ କରି ନିଜେ ପ୍ରଶ୍ନର ଉଦାସୀନତା ନିମିତ୍ତ ଲଜ୍ଜିତ ହେଲା । ସେଥିପାଇଁ ଯେତେବେଳେ ଉତ୍ତର ଦେଲା, ତାହାର ସ୍ଵର ମଧୁର ହୋଇ ଉଠିଲା । ସେ କହିଲା–

 

ଅନିଚ୍ଛାରେ ? ନା, ବେରେନିସ୍‍ କଣ କହୁଛି, ସେ ତାହା ନିଜେ ବୁଝି ନାହିଁ ।

 

ବେରେନିସ୍‍ ପ୍ରଣୀର ଉତ୍କୀର୍ଣ୍ଣ ପ୍ରାଣରେ ଏ କଥା ଶୁଣିଲା ଏବଂ ଏହି ମଧୁର କଥାରେ ଉଦ୍ଦେଶ୍ୟ ଯେଉଁ ହୃଦୟରୁ ଏ କଥା ବାହାରିଲା, ସେଥିରେ ମଧୁରତାର ଗଭୀରତା ନ ଥିଲା, ତାହା ବୁଝି ପାରିଲା । ସେଥିପାଇଁ ବେରେନିସ୍ ମାର୍କସ୍‍ର କଥାର ଉତ୍ତର ନ ଦେଇ ତାହାର ହୃଦୟର ଭାବର ଉତ୍ତର ଦେଲା–

 

ମାର୍କସ୍‍ର ଶୁଷ୍କ ଶିଷ୍ଟାଚାର ବେରେନିସ୍ ଚାହେଁ ନାହିଁ । ଆଉ ଏ ଯେ ଶିଷ୍ଟାଚାର ଭିନ୍ନ ଆଉ କିଛି ନ ଥିଲା, ମାର୍କସ୍‍ ମଧ୍ୟ ତାହା ଜାଣିଥିଲା । ଯେତେବେଳେ ଜଣେ ଯୁବତୀ, ରୁପବତୀ ସଦ୍‍ଗୁଣସମ୍ପନ୍ନା ରମଣୀ ଜଣେ ପୁରୁଷଠାରୁ ଶିଷ୍ଟାଚାର ଅପେକ୍ଷା ଅଧିକ କିଛି ଚାହେଁ, ସେତେବେଳେ ସେ ପୁରୁଷ ଯେ କି ଅବସ୍ଥାରେ ଅବସ୍ଥିତ, ତାହା ସହଜରେ ଅନୁମେୟ । ତହିଁ ଉପରେ ଯଦି ରମଣୀ ତାହାର ଯୋଗ୍ୟ ହୁଏ, ଯଦି ସରଳ ହୁଏ, ଆଉ ପୁରୁଷ ପ୍ରତି ତାହାର ବ୍ୟକ୍ତ ଅବା ଗୁପ୍ତ ପ୍ରେମ ବ୍ୟସ୍ତବିକ ଗଭୀର ହୁଏ, ଆଉ ପୁରୁଷ ଏହି ପ୍ରେମର ପରିଚୟ ପାଏ, ସେତେବେଳେ ବାସ୍ତବିକ୍ ପୁରୁଷର ଅବସ୍ଥା କଷ୍ଟକର । ସେ ସେ ରମଣୀ ପ୍ରତି କେତେଦୂର ସଦୟ ହେଲେ ନିର୍ଦ୍ଦୟ ହୁଏ ଏବଂ କେତେଦୂର ନିର୍ଦ୍ଦୟ ହେଲେ ସଦୟ ହୁଏ, ଏହା ବୁଝିବା ତାହା ପକ୍ଷରେ କଷ୍ଟକର । ମାର୍କସ୍ ସ୍ୱଭାବତଃ ନିଷ୍ଠୁର ପ୍ରକୃତି ନ ଥିଲା, ବରଂ ଦୟାପରବଶ ହୋଇ ଅନେକ ସମୟରେ ଅନ୍ୟାୟର ପ୍ରଶୟ ଦେଉଥିଲା । ସେଥିପାଇଁ ବେରେନିସ୍‍ର ଚକ୍ଷୁରେ ଯେ ବ୍ୟାକୁଳତା ସ୍ପଷ୍ଟଭାବରେ ଫୁଟି ଉଠିଲା, ତାହା ଦେଖି ମାର୍କସ୍ ବ୍ୟଥିତ ହୋଇ ପଚାରିଲା, ମୋତେ କଣ କରିବାକୁ କହୁଛ; ବେରେନିସ୍ ? ତୁମେ ଜାଣ, ମୋର ଯାହା କିଛି ଅଛି, ସେ ସମସ୍ତ ଦେଇ ତୁମର ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ।

 

ତଥାପି ବେରେନିସ୍, ବୁଝିଲା, ଏ ବ୍ୟଥା; ସେ ଯାହା ଚାହେଁ, ଏ ସେହି ସର୍ବଗ୍ରାସୀ ପ୍ରେମ ନୁହେ । ସେ ନିତାନ୍ତ ସହଜଭାବରେ କହିଲା–

 

ଯାହାହେଉ, ମାର୍କସ, ମାର୍କସ୍ ପରି କଥା କହିଲେ, ଏତେବେଳେ ମାର୍କସଙ୍କର ଭଣ୍ଡାର ଫିଟିଛି, ଖାଲି କେତେ ଦରକାର କହିବାକୁ ହେବ ।

 

ମାର୍କସ୍ କହିଲା, ନା, ଏ କଥା ନିଶ୍ଚୟ, ମୋର ଅର୍ଥରେ ବେରେନିସ୍‍ର ପ୍ରୟୋଜନ ନାହିଁ-

 

ବେରେନିସ୍ ଆସନ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ କହିଲା, କିନ୍ତୁ ମୋର ଯଦି ତାହାହିଁ ପ୍ରୟୋଜନ ହୁଏ ?

 

ମାର୍କସ୍ ନିଷ୍କପଟ ଚିତ୍ତରେ କହିଲା–ଯଦି ତାହାହିଁ ହୁଏ, ତାହାହେଲେ କହିବି ନାହିଁ କେତେ ଦରକାର, କିନ୍ତୁ କହିବି, “ମୋର ଯାହା କିଛି ଅଛି, ସେ ସମସ୍ତ ତୁମର”–କାରଣ ମୁଁ ଠିକ୍ ଜାଣେ, ତୁମେ ସେ ସବୁ ମୋତେ ପୁନର୍ବାର ଫେରାଇ ଦେବ ।

 

ତଥାପି ବେରେନିସ୍ ଜାଣିଲା, ଏ ବନ୍ଧୁର କଥା, ପ୍ରେମିକର ନୁହେଁ । ସେ ଦୀର୍ଘଶ୍ୱାସ ନିକ୍ଷେପ କରି କହିଲା–

 

ହାୟ ! ମୁଁ ମଧ୍ୟ ମନେ କରିଥିଲି ଯେ ମୋର ଯାହା କିଛି ସେ ସମସ୍ତ ତୁମର–କିନ୍ତୁ ଜାଣି ନ ଥିଲି ଯେ, ତୁମେ ଫେରାଇ ଦେବ !

 

ବେରେନିସ୍‍କୁ ଭୁଲ ବୁଝିବାର ଆଉ ଉପାୟ ରହିଲା ନାହଁ । ମାର୍କସ୍ କଣ କରିବ, କଣ ବା କହିବ ଠିକ୍ କରି ପାରିଲା ନାହିଁ । ତେଣୁ ଉତ୍ତରରେ ଯାହା ସତ୍ୟ ନୁହେ, ତାହା ହିଁ କହିଲା । ସେ କହିଲା, ମୁଁ ତୁମ କଥା ବୁଝି ପାରୁ ନାହିଁ ।

 

ମୁଁ ତ ଜାଣେ, ତୁମେ ବୁଝିପାରିବ ନାହିଁ ।

 

ହଠାତ୍ ମାର୍କସ୍ ମୁହଁରୁ ତାହାର ଅଜ୍ଞାତସାରରେ ବାହାରିଗଲା, ବୋଧହୁଏ । ନ ବୁଝିପାରିବା ହିଁ ମଙ୍ଗଳଜନକ ହେବ ।

 

କାହିଁକି ? ମୋଠି ଏତେ ଅମଙ୍ଗଳର ଅଶଙ୍କା ? ଅନ୍ୟମାନେ ସେପରି ଭାବନ୍ତି ନାହିଁ ।

 

ଅନ୍ୟମାନେ ? କୌଣସି ପାଟ୍ରିସିୟାନ ପରିବାରରେ ଯେ ବେରେନିସ୍ ପରି କନ୍ୟା ନାହିଁ, ଏ କଥା ସମଗ୍ର ରୋମ ଏକ ବାକ୍ୟରେ କହିବ ।

 

ବେରେନିସ୍‍, ଅତ୍ୟନ୍ତ ଜୋରରେ ସହିତ କହିଲା, ‘ପାଟ୍ରିସିୟାନ ପରିବାର: ତତ୍‍ପରେ ଅବେଗମୟୀ ଦୃଷ୍ଟି ପକାଇ କହିଲା, ମାର୍କସ୍‍ କିନ୍ତୁ ତହିଁର ନିମ୍ନ ଶ୍ରେଣୀକୁ ଓହ୍ଲାଇ ପାରିବ ନାହିଁ ।

 

ଏ କଥା ମାର୍କସ୍‍, ପ୍ରାଣରେ ବଡ଼ ଆଘାତ ଦେଲା, କାରଣ ‘ପାଟ୍ରିସିୟାନ ପରିବାର କହିବାବେଳେ ତା ମନରେ ମର୍ସିୟା ଥିଲା । ମାର୍କସ୍‍ର ମୁହଁ ଟିକିଏ ଲାଲ ହୋଇଗଲା, କିନ୍ତୁ ସେ ନିରବ ରହି ବୁଦ୍ଧିମାନର କାର୍ଯ୍ୟ କଲା । ବେରେନିସ୍ ପୁନର୍ବାର କହିବାକୁ ଲଗିଲା, କିନ୍ତୁ ଏଥର ମାର୍କସ୍ ଆଡ଼କୁ ମୁହଁ ଫେରାଇବାକୁ ସାହସ କରି ପାରିଲା ନାହିଁ ।

 

ମାର୍କସ୍, ଆମେ ଦୁହେଁ ଧନୀ, ଆଉ ଆମ ଦୁହିଙ୍କର ଧନ ସମ୍ପତ୍ତି ମିଳିତ ହେଲେ ଗୋଟାଏ ସାମ୍ରାଜ୍ୟ ତହିଁରେ କଣି ହେବ ।

 

ଏ କଥା ଅତି ସତ୍ୟ । ମାର୍କସ୍‍ର ଯଦି ଉଚ୍ଚାଭିଳାଷ ଥାନ୍ତା, ଏ ସମ୍ପତ୍ତିର ଅଧିକାରୀ ହୋଇ ସେ ଯାହା ଇଛା ତାହା କରି ପାରିଥାନ୍ତା, ସେମାନଙ୍କର ସମ୍ମିଳିତ ସମ୍ପତ୍ତିର ଅର୍ଦ୍ଧେକ ମୂଲ୍ୟରେ ରାଜସିଂହାସନର କ୍ରୟ ବିକ୍ରୟ ହୋଇ ପାରିଥାନ୍ତା । ମାର୍କସ୍‍ ପୁଣି ବିପଦରେ ପଡ଼ିଲା, କଣ କରିବ ସ୍ଥିର କରି ପାରିଲା ନାହିଁ । ପୂରୁଷର ପ୍ରେମ ପ୍ରସ୍ତାବନା ପ୍ରତ୍ୟାଖାନ କରିବା ସ୍ତ୍ରୀଲୋକ ପକ୍ଷରେ ସହଜ, ପୁରୁଷ ପ୍ରଣୟ ସ୍ୱୀକାର କାର୍ଯ୍ୟରେ ବେଶିଦୂର ଅଗ୍ରସର ନ ହେଉଣୁ ସେ ତାକୁ ନିବୃତ୍ତ କରିପାରେ । କିନ୍ତୁ ଅବସ୍ଥା ଯେତେବେଳେ ଠିକ୍ ଏହାର ବିପରୀତ, ଯେତେବେଳେ ସ୍ତ୍ରୀ ପ୍ରଣୟପ୍ରାର୍ଥିନୀ, ପୁରୁଷ ପକ୍ଷରେ ପ୍ରତ୍ୟାଖ୍ୟାନ ବଡ଼ ସହଜସାଧ୍ୟ ହୁଏ ନାହିଁ । ବେରେନିସ୍‍ର କଥାର ଅର୍ଥ ବୁଝିବାକୁ ତାହାର ଆଉ ବାକି ରହିଲା ନାହିଁ । କିନ୍ତୁ ସେ କହିବ ବା କରିବ ଠିକ କରି ପାରିଲା ନାହିଁ ।

 

ସେଥିପାଇଁ ସେ କେବଳ କହିଲା, ବେରେନିସ୍ ।

 

ବେରେନିସ୍‍ର ଧୈର୍ଯ୍ୟ ସୀମା ଲଘଂନ କଲା । ସେଦିନ ସକାଳେ ସେ ବଡ଼ କଷ୍ଟ ପାଇଥିଲା । ତାହାର ପ୍ରାଣ ନିଷ୍କପଟ । ସେଥିପାଇଁ ବର୍ତ୍ତମାନ ମାର୍କସ୍ ପାଇଁ ବ୍ୟକୁଳତା ତାହାର ପ୍ରେମ ପରି ଦୁର୍ଜ୍ଜୟ ହୋଇ ଉଠିଲା । ମାର୍କସ୍ ଯେ ଅନ୍ୟର ପ୍ରଣୟ ନିମିତ୍ତ ପାଗଳ, ଏହି ଚିନ୍ତାର ତରଙ୍ଗ ସମ୍ମୁଖରେ ତାହାର ସ୍ତ୍ରୀ ହୃଦୟର ସମସ୍ତ ଧୈର୍ଯ୍ୟର ବନ୍ଧ ଅକାରଣ ହେଲା, ଆଜି ଏ ବ୍ୟାକୁଳତାରେ ସେ ନିଜର ଲାଜ, ସମ୍ଭ୍ରମ, ମାନ, ଅପମାନ, ସମସ୍ତ ଜଳାଞ୍ଜଳି ଦେଲା । ମାର୍କସ୍ ଆଡ଼କୁ ଦରବିଗଳିତ ଲୋଚନରେ ଅନାଇ ବାଷ୍ପରୁଦ୍ଧ କଣ୍ଠରେ କହିଲା–

 

ମାର୍କସ୍, ମାର୍କସ୍, ଏ ହୃଦୟର ଭାବ କଣ ଦେଖିପାରୁ ନାହଁ ? କଣ ଜାଣିପାରୁ ନାହଁ ଏ ବାଳିକା-ସୁଲଭ ପ୍ରଣୟର କଳ୍ପନା ନୁହେ, ମାତ୍ର ନାରୀହୃଦୟର ଅଗାଧ ଅସୀମ ପ୍ରଥମ ପ୍ରେମ ? ମାର୍କସ୍ , କଣ ମନେ ନାହିଁ, ମୋର ଜୀବନ ପ୍ରଭାତରେ ବାଲ୍ୟସୁଷୁପ୍ତିର ମୋହ ନ କାଟୁଣୁ କାହାର ମୁଖ-ମୟୁଖ ମୋର ସମସ୍ତ ସଂସାର ହିରଣ୍ମୟ କରିଦେଲା ? ମୁଁ ଯେ ପ୍ରଥମ ଯୌବନରେ ପ୍ରଣୟ କଣ ଜାଣି ନ ଥିଲି । ମୋର ପ୍ରଥମ ଯୌବନ-ନଦୀ ଶାନ୍ତଭାରେ ପ୍ରବାହିତ ହେଉଥିଲା । ଯେ ତାହା ଆଡ଼କୁ ଅନାଉଥିଲା କେବଳ ଛାୟାପାତ କରି ଯାଉଥିଲା, ତରଙ୍ଗ ଉଠାଇ ନ ଥିଲା । କିନ୍ତୁ ଯେଉଁଦିନ ତୁମର ଚନ୍ଦ୍ରବଦନ ମୋର ନୟନାକାଶରେ ଦେଖା ଦେଲା, ସେହିଦିନ ମୋର ଯୌବନନଦୀରେ ଜୁଆର ପଡ଼ିଲା, ପ୍ରଥମ ତରଙ୍ଗ ଉଠିଲା ଆଉ ଆଜି ଦେଖ, ସେ ବନ୍ୟାର ବେଗ କିପରି କୂଳ ଇଙ୍ଗିଛି-ନିନ୍ଦା, ଲଜ୍ଜା, ମାନ, ଅପମାନ, ସମସ୍ତ କିପରି ଭସାଇ ଦେଇଛି । ଦୟା କର ମାର୍କସ୍, କ୍ଷମା କର । ଏହା କହି ଆସନ ଗତିରେ ମୁହଁ ଲୁଚାଇ ବେରେନିସ୍ କ୍ରନ୍ଦନ କରିବାକୁ ଲାଗିଲା ।

 

ମାର୍କସ୍ ଅତ୍ୟନ୍ତ ବିଚଳିତ ହେଲା । ବିଚଳିତ ନ ହେବ କିପରି ? ବେରେନିସ୍ ସାମାନ୍ୟ ରମଣୀ ନୁହେଁ । ସେଥିପାଇଁ ବେରେନିସର ଏ ପ୍ରଣୟ ସ୍ୱୀକାର ତାହାର ଅନ୍ତସ୍ଥଳ ପର୍ଯ୍ୟନ୍ତ କମ୍ପିତ କରିଦେଲା । ସେହି ହେତୁରୁ ସେ ଯଥାର୍ଥରେ କହିଲା–

 

ବେରେନିସ୍, ଆଜି ମୁଁ ବଡ଼ କଷ୍ଟ ପାଇଲି ଓ ଲଜ୍ଜିତ ହେଲି । ତୁମେ ପ୍ରେମଦାନରେ ଏପରି ମୁକ୍ତହସ୍ତ, ଆଉ ମୁଁ ଗ୍ରହଣରେ ଏପରି–

 

ମାର୍କସ୍ !

 

ବିଶ୍ୱାସ କର, ଆଉ ମୁଁ ଏଥିନିମିତ୍ତ ବଡ଼ ସମ୍ମାନିତ ଓ କୃତଜ୍ଞ, ଆଉ ପୁରୁଷ ହୃଦୟରେ ନାରୀ ପ୍ରତି ଯେତେ ଭକ୍ତି ଓ ବନ୍ଧୁତା, ମୁଁ ଆଜି–

ବେରେନିସ୍, ଅତ୍ୟନ୍ତ ତିକ୍ତତା ସହିତ କହିଲା–ବନ୍ଧୁତା । ମୁଁ ପ୍ରେମର ଭିଖାରୀ ଆଉ ତୁମେ ବନ୍ଧୁତା ଦେଉଛ !

ମାର୍କସ୍ ଗମ୍ଭୀର ଭାବରେ ଯଥୋଚିତ ସମ୍ମାନ ସହିତ କହିଲା - ମୋର ଯାହା ସାଧ୍ୟ, ମୁଁ ତାହା ହିଁ ତୁମକୁ ଦେଲି ।

ବେରେନିସ୍‍ର ସମସ୍ତ ଚେଷ୍ଟା ବିଫଳ ହେଲା । ସେ ନାରୀର ଆତ୍ମସମ୍ମାନରେ ଜଳାଞ୍ଜଳିଦେଇ ଉପଯାଚକ ହୋଇ ପ୍ରେମ ଭିକ୍ଷା କରିଥିଲା, କିନ୍ତୁ ପ୍ରତ୍ୟାଖ୍ୟାତ ହେଲା । ଲଜ୍ଜାରେ ଓ ଅପମାନରେ ତାହାର ମୁଣ୍ଡ ଛିଡ଼ି ପଡ଼ୁଥିଲା । ସେ ଏତେଦୂର ଆପଣକୁ ଭୁଲି ଯାଇଥିଲା ଯେ, ମାର୍କସ୍‍ର ପାଦ ଧରି ପ୍ରଣୟ ଭିକ୍ଷା କରିଥିଲା, କିନ୍ତୁ ତଥାପି ବଞ୍ଚିତ ହେଲା । ଏହି କଥା ଚିନ୍ତା କରି ଅବିଳମ୍ବେ ଦଣ୍ଡାୟମାନ ହୋଇ କୁପିତା ଫଣିନୀ ଯଦି ଗର୍ଜି ଉଠିଲା–

ଯାହା ସାଧ୍ୟ ? ମୋରି ବେଳକୁ ଯାହା ସାଧ୍ୟ–ଆଉ ଏହି ଖ୍ରୀଷ୍ଟିୟାନ ବାଳିକା ବେଳକୁ ?

ବେରେନିସ୍ ଏପ୍ରକାର ତାଚ୍ଛଲ୍ୟ ସହକାରେ ‘ଖ୍ରୀଷ୍ଟିୟାନ’ ଶବ୍ଦ ଉଚ୍ଚାରଣ କଲା ଯେ, ତାହା ଶୁଣି ମାର୍କସ୍ ମଧ୍ୟ କ୍ରୂଦ୍ଧ ହୋଇ ଉଠିଲା । ମର୍ସିୟା, ସମ୍ବନ୍ଧରେ ବେରେନିସ୍‍ର ଏହି କଟୁକ୍ତି ମାର୍କସ୍‍ର ଅସହ୍ୟ ହେଲା; ସେଥିପାଇଁ ସେ କର୍କଶ କଣ୍ଠରେ ପ୍ରଚାରିଲା - ମୋତେ କଣ ଏ ସକାଶେ ଡାକିଥିଲା ?

 

ବେରେନିସ୍ କହିଲା, ନା, ନା ମୁଁ ଏହି ବାଳିକା କଥା ଶୁଣିବା ପୂର୍ବରୁ ତମକୁ ଡାକିଥିଲି; ଏହା ତେବେ ସତ୍ୟ ? ତୁମେ ଏହି ମର୍ସିୟାକୁ ପ୍ରେମ କରୁଛି ? ନିଶ୍ଚୟ, ନିଶ୍ଚୟ ତୁମେ ଏହାକୁ ପ୍ରେମ କରୁଛ । ଅବଶେଷରେ ମାର୍କସ୍ ଗୋଟାଏ କୁଆଡ଼ର ଖ୍ରୀଷ୍ଟିୟାନ ବାଳିକାର ଫାନ୍ଦରେ ପଡ଼ିଲା-। ଏହା କହି ବେରେନିସ୍ ପାଗଳ ପରି ହସିବାକୁ ଲାଗିଲା । କିନ୍ତୁ ସେ ହାସ୍ୟ ଅଶ୍ରୁଭାରାକ୍ରାନ୍ତ ହୃଦୟର ତେଡ଼େ ବିଶ୍ୱସ୍ତ ଆବରଣ ନ ଥିଲା । ତତ୍‍ପରେ ପୁନର୍ବାର କହିବାକୁ ଲାଗିଲା - ଯେ ଭିକ୍ଷୁକଠୁଁ ମଧ୍ୟ ହୀନ, ଯାହାର ଜୀବନ ଜୀଣ୍ଡର ଅଧୀନ, ଶେଷରେ ମାର୍କସ୍ ପ୍ରେମ କଲା ତାକୁ ! ଯେ ଖ୍ରୀଷ୍ଟିୟାନ ଲୋକରେ ଘୃଣିତ, ନିନ୍ଦିତ–ରୋମର ଆବର୍ଜନା-ସ୍ୱରୂପ-ଚୋର ଡକାଇତଙ୍କର ସହଯୋଗୀ-ଷଡ଼ଯନ୍ତ୍ରକାରୀ ରାଜଦ୍ରୋହୀ–

 

ପବିତ୍ରପ୍ରାଣୀ ବାଳିକାର ଏକପ୍ରକାର ଅପମାନ ମାର୍କସ୍ ସହି ପାରିଲା ନାହଁ, ସେ ତୀବ୍ର ଭାବରେ କହିଲା–ବେରେନିସ୍‍, ସେତିକି ଥାଉ, ମୁଁ ଆଉ ଶୁଣି ପାରିବି ନାହିଁ ।

 

କିନ୍ତୁ ବେରେନିସ୍ ସହଜରେ ଦବିବା ଲୋକ ନୁହେଁ । ରାଗରେ ତାହାର ସର୍ବାଙ୍ଗ ଥରୁଥିଲା, ଈର୍ଷାରେ ତାହାର ଚକ୍ଷୁ ଜଳୁଥିଲା । ସେ ତାର ସ୍ୱରରେ କହିଲା–ତୁମକୁ ଶୁଣିବାକୁ ହେବ-

 

ମୁଁ ଶୁଣିବି ନାହିଁ । ତାହାହେଲେ ମୋତେ ଏଠାରୁ ଚାଲିଯିବାକୁ ହେବ । ଏହା କହି ମାର୍କସ୍ ଦ୍ୱାର ଆଡ଼କୁ ଅଗ୍ରସର ହେଲା । କିନ୍ତୁ ବେରେନିସ୍ କବାଟ ସମ୍ମୁଖରେ ପଥରୋଧ କରି ଛିଡ଼ା ହେଲା–ଅବଗୁଣ୍ଠନ ସ୍କନ୍ଧଚ୍ୟୁତ ହୋଇ ଭୂମିରେ ଲୋଟୁଛି, ଆଲୁଳାୟିତ କେଶରୁ ଅର୍ଦ୍ଧେକ ସମ୍ମୁଖ ଦେଇ ବକ୍ଷବାହୀ ଘନଜଘନ ଉପରେ ଇତସ୍ତତଃ ପଡ଼ୁଛି, ଭିତରେ ପ୍ରବଳ ପ୍ରଭଞ୍ଜନ ବହୁଛି, ହୃଦୟବିଲମ୍ବୀ ମଣିହାର ଖରନିଶ୍ୱାସରେ ଉଠୁଛି ପଡ଼ୁଛି । କିନ୍ତୁ ବେରେନିସ୍‍ର ସେ ଆଡ଼କୁ ନଜର ନାହିଁ । ପଳାୟନତତ୍‍ପର ଶିକାର ଉପରେ ଏ ସିଂହୀର ଚକ୍ଷୁ ସ୍ଥିର ହୋଇ ରହିଛି । ଚକ୍ଷୁ କେବଳ ତାହାର ଗତିବିଧି ଅନୁଗମନ କରୁଛି । ଓଃ ! ନାରୀଚରିତ୍ରର ସେ କି ଅସୀମ ଉଦ୍ଦାମ ଅଭିବ୍ୟକ୍ତି, କିବା ସେହି ନୈରାଶ୍ୟପୀଡ଼ିତ ପ୍ରାଣର ଆକାଂକ୍ଷାମୟୀ ବ୍ୟାକୁଳତା । ଆଉ ମାର୍କସ୍, ସୈନିକପ୍ରବର ମାର୍କସ୍ କଣ ପଛକୁ ହଟି ଯାଇ ଭୀତ ଚକିତ ନେତ୍ରରେ ଏହା ହିଁ ଦେଖୁଥିଲା? ବେରେନିସ୍ କହିଲା, ମୋର ସମସ୍ତ କଥା ନ ଶୁଣିବା ପର୍ଯ୍ୟନ୍ତ ତୁମେ ଯାଇପାରିବ ନାହିଁ । ପ୍ରେମ ଓ ଘୃଣା ମଧ୍ୟରେ ବ୍ୟବଧାନ ଅତି ଅଳ୍ପ । ତିଳେ ମାତ୍ର ଏପାଖ ସେପାଖ ହେଲେ ପ୍ରେମ ଘୃଣାରେ ପରିଣତ ହୁଏ । ସେଥିପାଇଁ ମାର୍କସ୍, ସାବଧାନ । ବେରେନିସ୍ ଅବଜ୍ଞାତ ହେବ ଓ ନୀରବରେ ସବୁ ସହ୍ୟ କରିବ, ଏ ପ୍ରକାର ଜନ୍ତୁ ବେରେନିସ୍, ନୁହେଁ ।

 

କ୍ଷଣକାଳ ନିସ୍ତବ୍‌ଧ ରହି ପ୍ରକୃତିସ୍ଥ ହୋଇ ମାର୍କସ୍ ଉତ୍ତର ଦେଲା ବେରେନିସ୍ କଣ ଭୟପ୍ରଦର୍ଶନ-ରୂପ ନୀଚତା ସ୍ୱୀକାର କରେ ?

 

‘ନୀଚତା ? ଉପରକୁ ଅନାଇ କହିଲା, ହେ ମୋର ଅନ୍ତର୍ଯ୍ୟାମି । ମୁଁ ଯେ କେଡ଼େ ବଡ଼ ନୀଚତା ସ୍ୱୀକାର କରିଛି ତାହା ତୁମେ ଏକା ଜାଣ । ତତ୍‍ପରେ ନିଜ ଆଡ଼କୁ, ଅନାଇ ଆପଣାକୁ ମାର୍କସ୍‍କୁ ଦେଖାଇ କହିଲା–‘କଣ ଏହାଠାରୁ ବେଶି ନୀଚ ହୋଇ ପାରିବ ?’

 

ହଁ ବେରେନିସ୍, କାରଣ ପ୍ରକୃତ ପ୍ରେମରେ ମାନହାନୀ ନାହିଁ, ବିଶ୍ୱାସଘାତକତାରେ ଅଛି-

 

ବେରେନିସ୍ ଅତ୍ୟନ୍ତ ଦୁଃସାହସରେ କହିଲା - ତା ପାଇଁ ମୋର ଚିନ୍ତା ନାହିଁ ।

 

ଏ ଅବସ୍ଥାରେ ନ୍ୟାୟ ଅନ୍ୟାୟ ବିଚାର କରିବାର ଜ୍ଞାନ ତାହାର ନଥିଲା, କେବଳ ଏ ବିଷୟରେ ଜ୍ଞାନ ତାହାର ଥିଲା, ସେ ତାହାର ନିଷ୍ଫଳ ଚେଷ୍ଟା । ଯେ ତାକୁ ତାହାର ପ୍ରେମାସ୍ପନଦଠାରୁ ପୃଥକ କରି ରଖିଥିଲା, ସେହି ବାଳିକା ପ୍ରତି ତାହାର କ୍ରୋଧ ସୀମା ଲଙ୍ଘନ କରିଥିଲା । ସେଥିପାଇଁ ସେ କହିଲା, ହେଲେ ପ୍ରେମ କରିବି, ନ ହେଲେ ଘୃଣା କରିବି, ଏ ସମ୍ବନ୍ଧରେ ମୋ ଚରିତ୍ରରେ ଅନ୍ୟ ତୃତୀୟ ବିଷୟ ନାହିଁ । ତୁମେ କଣ ଅନ୍ଧ, ନା ସମସ୍ତ ରୋମକୁ ଅନ୍ଧ ଭାବିଛ ? ମନେ କରିଛି, ସେ ବାଳିକାକୁ ଘରେ ରଖିବା କଥା କେହି ଜାଣନ୍ତି ନାହିଁ ।

 

ମାର୍କସ ଅତ୍ୟନ୍ତ ହେୟ ଭାବରେ କହିଲା–ସେଥିପାଇଁ ମୋର ଚିନ୍ତା ନାହିଁ ।

 

ଏହା ଶୁଣି କ୍ରୋଧାନ୍ଧ ରମଣୀ ପଚାରିଲା - ତେବେ କଣ ଏ କଥା ସତ ?

 

ମାର୍କସ୍ ଉତ୍ତର ଦେଲା–ଏ କଥା ସତ । ମୁଁ ମର୍ସିୟାକୁ ପ୍ରେମ କରେ–କିନ୍ତୁ ମୋର ସମସ୍ତ ପ୍ରାର୍ଥନା ତାହା ନିକଟରେ ବିଫଳ ।

 

ଏ ଉତ୍ତର ଶୁଣି ଏ ଅବସ୍ଥାରେ ନାରୀର ଆତ୍ମମର୍ଯାଦା-ଜ୍ଞାନ ତାକୁ ଅନ୍ୟ ଅବିମୃଷ୍ୟକାରିତାରୁ ଉଦ୍ଧାର କରିଥାନ୍ତା, କିନ୍ତୁ ଅନେକ ସମୟରେ ପ୍ରୟୋଜନୀୟ ଅସ୍ତ୍ର କାର୍ଯ୍ୟକାଳରେ ହାତ ପାଖରେ ମିଳେ ନାହିଁ । ଏହା ଶୁଣି ତାହାର ସମସ୍ତ ଅହଙ୍କାର, ସମସ୍ତ ଅତ୍ମସମାନ, କ୍ରୋଧ, ଘୃଣା, ଈର୍ଷା, ଲଜ୍ଜା, ନୈରାଶ୍ୟର ସ୍ରୋତରେ ଭାସିଗଲା, ସେ ନିତାନ୍ତ ଅସହାୟ ପରି ଆପଣାକୁ ଆସନ ଉପରେ ପକାଇ ଦେଇ ବ୍ୟାକୁଳଭାବରେ କ୍ରନ୍ଦନ କରିବାକୁ ଲାଗିଲା ।

 

କୌଣସି ରକ୍ତମାଂସବିଶିଷ୍ଟ ମନୁଷ୍ୟ କି ଏହାଠାରୁ ଅଧିକ ଶୋଚନୀୟ ଅବସ୍ଥାରେ ପଡ଼ିପାରେ ? ସୁନ୍ଦରୀ ରମଣୀ ତାହାର ନାରୀ-ହୃଦୟର ଆକୁଳ ଆବେଗରେ ପୁରୁଷ ନିମନ୍ତେ କ୍ରନ୍ଦନ କରୁଛି, ଆଉ ସେ ପୁରୁଷର ସେହି ଶୋକକାତରା ରମଣୀକୁ ବକ୍ଷରେ ଧରି ସାନ୍ତ୍ୱନା ଦେବାର ଶକ୍ତି ନାହିଁ । ମୁଁ କେବଳ ନିରୁପାୟ ହୋଇ ତାହା ସମ୍ମୁଖରେ ଛିଡ଼ା ହୋଇ ରହିଛି । ଏ ଅବସ୍ଥାରେ ବେରେନିସ୍‍କୁ ଏକାକୀ ଛାଡ଼ିଯିବା ମାର୍କସ୍ ପକ୍ଷରେ ବୁଦ୍ଧିମାନ ର କାର୍ଯ୍ୟ ହୋଇଥାନ୍ତା, କିନ୍ତୁ ଏହା ତାହା ନିକଟରେ ବଡ଼ ନିଷ୍ଠୁର ବୋଧ ହେଲା । ମାର୍କସ୍ ଧୀରେ ଧୀରେ ବିରେନିସ୍‌ ନିକକୁ ଯାଇ ଆସନ ପାର୍ଶ୍ୱରେ ପଡ଼ିଥିବା ତାର ଅଯତ୍ନନ୍ୟସ୍ତ ହସ୍ତକୁ ଧରି କହିଲା –ବେରେନିସର କ୍ରୋଧ ଚତୁର୍ଗୁଣ ବଢ଼ିଗଲା । ସେ ଶୀଘ୍ର ଆସନରୁ ଉଠି ତାହା ଆଡ଼କୁ ଗଭୀର ଅବଜ୍ଞା ମହିତ ଅନାଇ କହିଲା–ମାର୍କସ୍ ଗୋଟାଏ କୁଳଟା ଖ୍ରୀଷ୍ଟି ୟାନ ସ୍ତ୍ରୀଲୋକ ନିକଟରେ ପ୍ରେମ ଭିକ୍ଷା କରି ଅଗ୍ରାହ୍ୟ ହୁଏ !

 

ଏ କ୍ଷେତ୍ରରେ ବେରେନିସ୍ ମାର୍କସ୍ ଅପେକ୍ଷା ଅଧିକ ନିର୍ବୁଦ୍ଧିତାର କାର୍ଯ୍ୟ କଲା । ନିଜର ପ୍ରେମପାତ୍ରୀ ରମଣୀ ପ୍ରତି ଏପ୍ରକାର ଦୋଷାରୋପ କୌଣସି ପୁରୁଷ ସହି ପାରିବ ନାହିଁ-ଏପରିକି, ସେ ସ୍ତ୍ରୀ ସେହି ଦୋଷାରୋପର ଯୋଗ୍ୟ ହେଲେ ମଧ୍ୟ । ମର୍ସିୟାର ଚରିତ୍ର ଉପରେ ଏ ଦୋଷାରୋପ, ଏ ଅପବାଦ ମାର୍କସ୍‌ର ଅସହ୍ୟ ହେଲା । ତାକୁ ଏହି ଈଶ୍ୱର ନିନ୍ଦା ପରି ଶୁଭିଲା । ଯେ ଯଦିବା କ୍ରୁଦ୍ଧ ହୋଇଥିଲା, ତଥାପି ଯଥେଷ୍ଟ ସମ୍ମାନ ସହିତ ବେରେନିସ୍‍କୁ କହିଲା–ରୋମ ମୋ ବିଷୟରେ କଣ କହେ, ସେଥିପାଇଁ ମୋର କିଛି ଭାବନ ନାହିଁ, କିନ୍ତୁ ରୋମ ଏବଂ ବେରେନିସ୍ ଏହି ଯୁବତୀ ସମ୍ବନ୍ଧରେ ଯାହା କହନ୍ତି, ସେଥିପାଇଁ ମୋର ଯଥେଷ୍ଟ ଭାବନା । ସେ ଛଳନାପ୍ରିୟ ନୀଚ ସ୍ତ୍ରୀଲୋକ ନୁହେଁ । ଯଦି ପୂଣ୍ୟଶୀଳା ସତୀ ରୋମରେ ଥାଏ, ତେବେ ସେ ମର୍ସିୟା । ଏ ଖ୍ରୀଷ୍ଟଧର୍ମ କଣ ମୁଁ ଜାଣେ ନାହିଁ, କିନ୍ତୁ ଏତିକି ଜାଣେ, ଯଦି ଏହା ମର୍ସିୟା ପରି ଆହୁରି ଅନେକ ସ୍ତ୍ରୀଲୋକ ଉତ୍ପନ୍ନ କରେ, ତେବେ ରୋମ କାହିଁକି, ସମସ୍ତ ଜଗତ ସେଥିରେ କେବଳ ଅଧିକ ସୁନ୍ଦର, ଅଧିକ ପବିତ୍ର ହୋଇଯିବ ।

 

ରାଗରେ ବେରେନିସ୍‍ର ଶ୍ୱାସରୁଦ୍ଧ ହୋଇ ଆସୁଥିଲା, ସେ କହିଲା, କଣ, ତୁମର ଏତେ ସାହସ ? ଏହି ସ୍ତ୍ରୀଲୋକ ବିଷୟ ମୋ ସମ୍ମୁଖରେ ଏପରି ଭାବରେ କହୁଛି ?

 

ସାହସ ? ସାହସ କାହିଁକି ହେବ ନାହିଁ ?

 

ଆଚ୍ଛା, ଯଦି ମୁଁ ଠିକ୍ ତୁମରି କଥା ଆବୃତ୍ତ କରେ ?

 

ଯଦି ତୁମର ଇଚ୍ଛା ହୁଏ କରିପାର ।

 

ନୀରୋ ନିକଟରେ ।

 

ତାହାହେଲେ ହେବ କ’ଣ?

 

ବାସ୍ତବିକ କଣ ହେବ, ଏ କଥା ଭାବି ମାର୍କସର ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ । ଅବଶ୍ୟ ନିଜ ପାଇଁ ମାର୍କସ୍ ଚିନ୍ତା କରୁ ନ ଥିଲା, କେବଳ ମର୍ସିୟା ପାଇଁ । କେଉଁ ମନ୍ଦଗ୍ରହର ଦୃଷ୍ଟି ମାର୍କସ୍ ଉପରେ ପଡ଼ିଥିଲା କେଜାଣି, ସେ ଏହି ବାଳିକାର ମଙ୍ଗଳ କରିବା ନିମନ୍ତେ ଯେତେ ଚେଷ୍ଟା କଲା, ସମସ୍ତେ କେବଳ ତାହାର ଅମଙ୍ଗଳ ଘଟାଇଲା । ସେ ବେରେନିସ୍‍କୁ ମର୍ସିୟାର ଭୟଙ୍କର ଶତ୍ରୁ କରି ପକାଇଲା । ଏହା ଉପରେ ନୀରୋର ଶତ୍ରୁତା ତ ଆସୁଛି । ସେଥିପାଇଁ ମାର୍କସ ବିରୁଦ୍ଧରେ ଗୋଇନ୍ଦାଗିରି କରିବାର ନୀଚତା ସ୍ୱୀକାର କରିବ ନାହିଁ ।

 

ବେରେନିସ୍ ପଚାରିଲା–ଏ ବାଳିକାକୁ ଛାଡ଼ି ଦେବ ?

 

ମାର୍କସ୍‍ ଦୃଢ଼ ଭାବରେ କହିଲା–ନା, କେତେବେଳେ ନୁହେଁ ।

 

ଅବଶ୍ୟ ଛାଡ଼ିବାକୁ ହେବ । ମୁଁ ଜୋର କରି ଛଡ଼ାଇ ଦେବି । ସାବଧାନ ମାର୍କସ୍ ! ତୁମର ସଂକଳ୍ପ ଦ୍ୱାରା ମୋର ସଙ୍କଳ୍ପର ପରିମାଣ କର, ତା’ଉପରେ ସେ ବାଳିକା ପ୍ରତି ମୋର ଯେଉଁ ଘୃଣା ଓ ତୁମ ଉପରେ ନୀରୋର ଯେଉଁ କ୍ଷମତା, ସେ କଥା ଚିନ୍ତା କର ।

 

ମୁହୂର୍ତ୍ତକ ପାଇଁ ମାର୍କସ୍‍ ବେରେନିସ୍‍କୁ ନୀରବରେ ଲକ୍ଷ୍ୟ କଲା, ତା ପରେ ସୁସ୍ପଷ୍ଟ କଣ୍ଠରେ ଦୃଢ଼ ଭାବରେ କହିଲା–ବେରେନିସ୍ ତୁମର କ୍ରୋଧ, ଘୃଣା, ଅବା ନୀରୋର ସହସ୍ର ଅକ୍ଷୌହିଣୀ ମର୍ସିୟାକୁ ମୋ ନିକଟରୁ ପୃଥକ୍ କରି ପାରିବେ ନାହିଁ । ମୋର ଶରୀରରେ ଏ ପ୍ରକାର ସ୍ନାୟୁ ଚିନ୍ତା ନାହିଁ, ଯାହା ମର୍ସିୟା ପାଇଁ ବ୍ୟାକୁଳ ନୁହେଁ, ମୋର ମସ୍ତିସ୍କରେ ଏ ପ୍ରକାର ଚିନ୍ତା ନାହିଁ, ଯାହା ମର୍ସିୟା ଆଡ଼କୁ ପ୍ରଭାବିତ ହେଉ ନାହିଁ । ଯାହା ସତ୍ୟ ତାହା ହିଁ ତୁମକୁ କହିଲି, ମୁଁ ଯାଉଛି, କାରଣ ରହିଲେ ବେଶି କିଛି ଫଳ ହେବ ନାହିଁ । ନମସ୍କାର ।

 

ମାର୍କସ୍ ଏପ୍ରକାର କ୍ରୁଦ୍ଧ ହୋଇ ଚାଲିଯିବାର ଦେଖି, ନିଜ ପ୍ରତି ତାହାର ଏ କ୍ରୋଧ ଶାନ୍ତ କରିବା ମାନସରେ ଆହୁରି କିଛି କହିବ ବୋଲି, ବେରେନିସ୍ କହିଲା - ମାର୍କସ୍, ଆଉ ଟିକିଏ ରହ ।

 

ଯାହା ଅନେକ ଆଗରୁ ମାର୍କସ୍‍ର କରିବାର ଉଚିତ ଥିଲା, ତାହା ସେ ବର୍ତ୍ତମାନ କଲା । ସେ ରହିବାକୁ ଦୃଢ଼ ନାସ୍ତି କରି କହିଲା–ମୋର ଯେତେକ୍ଷଣ ରହିବାର ଉଚିତ ଥିଲା, ତହିଁରୁ ଅନେକ ବେଶି ରହିଛି । କୌଣସି ପୁରୁଷର ସ୍ତ୍ରୀଲୋକ ସହିତ ଯୁଦ୍ଧ କରିବା ଉଚିତ ନୁହେ, ବିଶେଷତଃ ବାଗ୍‍ଯୁଦ୍ଧ । ନମସ୍କାର । ଏହା କହି ମସ୍ତକ ଅବନତ କହି ସମ୍ମାନପୁରଃସର ବିଦାୟର ଅଭିବାଦନ କରି ମାର୍କସ୍ ଚାଲିଗଲା ।

 

ବେରେନିସ୍ ଆସନକୁ ଫେରି ଆସିଲା ଓ ନିତାନ୍ତ କରୁଣ ଭାବରେ କ୍ରନ୍ଦନ କରିବାକୁ ଲଗିଲା । ଜଗତ ତା ପ୍ରତି ଶୂନ୍ୟ । ଯେଉଁ ପୁରୁଷକୁ ସେ ଦେବତା ବୋଲି ପୂଜା କରୁଥିଲା ଏବଂ ଯାହାର ପୂଜାରେ ସେ ଆପଣାର ସମସ୍ତ ସମ୍ମାନ, ସମ୍ପତ୍ତି, ସୌନ୍ଦର୍ଯ୍ୟ ଅର୍ଘ୍ୟରୂପେ ଉତ୍ସର୍ଗ କରିଥିଲା, ସେ ଦେବତା ଯେତେବେଳେ ବିମୁଖ ହେଲେ, ପୂଜାର ଏ ସମସ୍ତ ଉପକରଣ ସେତେବେଳେ ତାକୁ ବିଷତୁଲ୍ୟ ବୋଧହେଲା । ଅନେକକ୍ଷଣ ପର୍ଯ୍ୟନ୍ତ ସେ ପ୍ରତ୍ୟାଖାନର ପୀଡ଼ାରେ ଅଭିଭୂତ ହୋଇ ରହିଲା, କିନ୍ତୁ ଅବଶେଷରେ ପ୍ରତ୍ୟାଖ୍ୟାନର ପ୍ରତିଶୋଧ-ଇଚ୍ଛା ଆସିଲା । ସେ ତୀରବେଗରେ ଆସନରୁ ଉଠି ନିଜ ମନକୁ କହିବାକୁ ଲାଗିଲା–ଫେରାଇ ଦେଲା । ଗୋଟାଏ ‘ଯା-ପାରି-ତା’ ଭଣ୍ଡ ଖ୍ରୀଷ୍ଟିୟାନର ସାଧୁତାର ଭଡ଼ଙ୍ଗ ଦେଖି ମୋର ପ୍ରଣୟ-ଉପହାର ଫେରାଇ ଦେଲା । ସେଇଟା ସକାଶେ ମୋର ଅପମାନ କଲା । କେଉଁଆଡ଼ର ଗୋଟାଏ ମର୍ସିୟା ପାଇଁ ବେରେନିସ୍‍ର ଅପମାନ କଲା । ଓଃ । ମୋତେ ସେ ଯେମିତ ଆଜି ଗୋଡ଼ରେ ଠେଲି ଯାଇଛି, ମୁଁ ଯଦି ତାକୁ ଯେମିତି ପୋକ ପରି ଗୋଡ଼ରେ ନ ଦଳେ, ତେବେ ମୋର ନାମ ବେରେନିସ୍ ନୁହେଁ ।

 

ଆଉ ଜଣେ ରମଣୀ, ସେ ତାହାରି ପରି ମାର୍କସ୍‍ର ପ୍ରଣୟାକାଂକ୍ଷିଣୀ, ସେହି ସାମ୍ରାଜ୍ଞୀ ଗୋପୀୟା କଥା ବେରେନିସ୍‌ର ମନେ ପଡ଼ିଲା; ମନେ କଲା, ପୋପୀୟା ମଧ୍ୟ ଏହି ଖ୍ରୀଷ୍ଟିୟାନ୍‍ ରମଣୀ କଥା ଶୁଣିଲେ ତା ସହିତ ଏ ପ୍ରତିଶୋଧ ନେବାରେ ଯୋଗଦାନ କରିବ । ବେରେନିସ୍ ଜାଣିଥିଲା, ନୀରୋ ଉପରେ ପୋପୀୟାର ଅପ୍ରତିହିତ ପ୍ରଭାବ । ସେଥିପାଇଁ ଟିଗେଲିନସ୍‍ର ପ୍ରସ୍ତାବ ଅନୁଯାୟୀ ସେ ପୋପୀୟା ନିକଟରୁ ଯିବା ସ୍ଥିର କଲା । ନୀରୋର ସହାୟତାରେ ମର୍ସିୟାର ବିନାଶସାଧନ କରିବା ତାକୁ ଆଉ ନୀଚତାର କାର୍ଯ୍ୟ ବୋଲି ବୋଧ ହେଲା ନାହିଁ । କେବଳ ସେହି ବାଳିକାର ବିନାଶସାଧନ କରିବା ମୁଖ୍ୟଉଦ୍ଦେଶ୍ୟ ହୋଇ ଉଠିଲା, ସେଥିପାଇଁ ଯେ କୌଣସି ଉପାୟ ଉଦ୍ଭାବନ କରିବାକୁ ସେ ପରାଙ୍‍ମୁଖ ହେଲା ନାହିଁ । କେବଳ ମର୍ସିୟାକୁ ସିଂହ ମୁଖରେ ଅବା ଅଗ୍ନିରେ ଦେବାକୁ ଉତ୍ତେଜିତ ହୋଇ ଉଠିଲା । ମନେ କଲା, ସେ ଯେଉଁ କଷ୍ଟ ଆଜି ପାଇଲା, ମର୍ସିୟାର ମୃତ୍ୟୁଯନ୍ତ୍ରଣା ତହିଁରୁ ଅଧିକ କଷ୍ଟଜନକ ହେବ ନାହିଁ । ଅବଶ୍ୟ ଗୋଟାଏ ଖ୍ରୀଷ୍ଟିୟାନ ବେଶି କିମ୍ବା କମ୍ ହେଲେ ତାହାର କିଛି କ୍ଷତି ବୃଦ୍ଧି ନାହିଁ । କିନ୍ତୁ ମର୍ସିୟାର ମୃତ୍ୟୁ ଯେ ମାର୍କସ୍‍ର ଅପମାନର ଯୋଗ୍ୟ ପ୍ରତିଶୋଧ ହେବ, ସେଥିରେ ମାର୍କସ୍‍ର କଷ୍ଟ ହେବ । ସେ କଷ୍ଟ ପାଇବ, ସମସ୍ତ ରୋମର ଉପହାସ ଅବା କୃପାର ପାତ୍ର ହେବ, ଆଉ ମାର୍କସ୍‍ ତାହାର ପ୍ରେମିକାକୁ ନେଇ ଆନନ୍ଦରେ ରହିବ, ଏ ଚିନ୍ତା ତାହା ପକ୍ଷରେ ଅସହ୍ୟ ହେଲା । ତେଣୁ ନୀରୋ ଓ ପୋପୀୟା ନିକଟକୁ ଯିବା ସେ ଦୃଢ଼ସଂକଳ୍ପ ହେଲା । ସଂକଳ୍ପରେ ବାଧା ଦେବାକୁ କିଛି ନ ଥିଲା । ତେଣୁ କ୍ରୋଧ ଶାନ୍ତ ନ ହେଉଣୁ ସଙ୍ଗେ ସଙ୍ଗେ ରଥ ସାଜିବା ନିମନ୍ତେ ବେରେନିସ୍ ଭୃତ୍ୟକୁ ଆଦେଶ ଦେଲା । ପୋପୀୟାର ପ୍ରାସଦଆଡ଼କୁ ରଥ ତୀରବେଗରେ ଦୌଡ଼ିଲା ।

Image

 

ନୈବେଦ୍ୟ

ତ୍ରୟୋଦଶ ପରିଚ୍ଛେଦ

ବ୍ୟସ୍ତତା

 

ବେରେନିସ୍ ନିକଟରୁ ବାହାରି ଆସି ମାର୍କସ୍ ନାନା ପ୍ରକାର ଚିନ୍ତାରେ ବ୍ୟସ୍ତ ହେବାକୁ ଲାଗିଲା । ସର୍ବୋପରି ମର୍ସିୟା ଯେ ତା’ ଉପରେ ଏପରି କ୍ଷମତା ବିସ୍ତାର କରିଛି ଏହାହିଁ ମାର୍କସ୍‌କୁ ବଡ଼ ଉଦବିଗ୍ନ, କରିବାକୁ ଲାଗିଲା । ଅଳ୍ପ ସମୟ ପୂର୍ବରେ ମର୍ସିୟାର ଅସ୍ତିତ୍ୱ ସୁଦ୍ଧା ତାକୁ ଜଣା ନ ଥିଲା । କିନ୍ତୁ ଏହି ଅଳ୍ପ ସମୟର ପରିଚୟ ମଧ୍ୟରେ ସେ ଯେ କିପରି ତାହାର ସମସ୍ତ ଚିନ୍ତା, ସମସ୍ତ କାର୍ଯ୍ୟ ଉପରେ ଏପରି ଆଧିପତ୍ୟ ବିସ୍ତାର କଲା, ତାହା ହିଁ ଭାବିବାକୁ ଲାଗିଲା । ତା’ ସକାଶେ ସେ ନୀରୋର ଆଦେଶ ପ୍ରାୟ ଅବହେଳା କରିଛି, ସମ୍ରାଜ୍ଞୀ ପ୍ରତି ଅତ୍ୟନ୍ତ ଅଭଦ୍ରତା ପ୍ରଦର୍ଶନ କରିଛି, ଟିଗେଲିନସ୍‍ର ଅପମାନ କରିଛି ଏବଂ ବେରେନିସ୍ ସହିତ ବିବାଦ କରିଛି । ଆଉ ବର୍ତ୍ତମାନ ତା’ନିମନ୍ତେ ଏପ୍ରକାର ବିପଦଗ୍ରସ୍ତ ହୋଇ ସୁଦ୍ଧା ସମସ୍ତ ଚିନ୍ତା ଅଭିମୁଖରେ ପ୍ରଧାବିତ । ବାସ୍ତବିକ୍ ମାର୍କସ୍ ତାହାର ସମସ୍ତ ମନ ପ୍ରାଣ ଦେଇ ମର୍ସିୟାକୁ ପ୍ରେମ କରୁଥିଲା । ମାର୍କସ୍ ପରି ଯେଉଁମାନଙ୍କର ପ୍ରଥମ ଯୌବନର ଚଞ୍ଚଳତା ସ୍ଥିର ହୋଇ ଆସିଥାଏ, ଯେତେବେଳେ ପ୍ରେମ ସେମାନଙ୍କ ପରି ଲୋକମାନଙ୍କ ନିକଟକୁ ଆସେ, ତାହା ମହାବନ୍ୟାର ଶକ୍ତି ନେଇ ଆସେ । ସେଥିପାଇଁ ମାର୍କସ୍‌ର ଚକ୍ଷୁରେ ମର୍ସିୟାର ରୂପରେଖା, କର୍ଣ୍ଣରେ ମର୍ସିୟାର କଣ୍ଠସ୍ୱର, ମାନସରେ ମର୍ସିୟାର ଚିନ୍ତା ସର୍ବଦା ଲାଗି ରହିଥିଲା । ତାହାର ଭାବପ୍ରବଣ ପ୍ରାଣରେ ପ୍ରଥମ ପ୍ରେମର ପ୍ରବଳ ବନ୍ୟା ପ୍ରବାହିତ ହେବାକୁ ଲାଗିଲା । ସେ ସ୍ପଷ୍ଟରୂପେ ଜାଣିପାରିଲା ମର୍ସିୟାକୁ ସମସ୍ତ ସ୍ତ୍ରୀଲୋକଙ୍କ ଅପେକ୍ଷା ଅଧିକ ଚାହେଁ, କିନ୍ତୁ ଯେଉଁ ଉପାୟରେ ପ୍ରଣୟପିପାସା ପରିତୃପ୍ତ କରିବାକୁ ଇଚ୍ଛା କରିଥିଲା ତାହା ଯେ ମର୍ସିୟା ନିକଟରେ ସମ୍ଭବ ହେବ ନାହିଁ, ଏହା ହିଁ ସେ ଜାଣିପାରିଲା ନାହିଁ । ଜାଣି ନ ଥିଲା ଯେ ମର୍ସିୟା ପ୍ରତି ତାହାର ଏହି ପ୍ରେମ ଦିନେ ଏ ପ୍ରକାର ପ୍ରବଳ ହୋଇ ଉଠିବ ସେ ତାହା ନିକଟରେ ସେ ଆପଣାର ଜୀବନ ମରଣ ସର୍ବସ୍ୱ ସମର୍ପଣ କରିବ । ଏକଥା ଯଦି ବର୍ତ୍ତମାନ ତାକୁ କେହି କହିଥାନ୍ତା, ତାକୁ ସେ ହସରେ ଉଡାଇ ଦେଇଥାନ୍ତା । ଭାବିଥାନ୍ତା -କଣ ମାର୍କସ୍‌, ସମସ୍ତ ରୋମରେ ସମ୍ପତ୍ତିରେ ଶ୍ରେଷ୍ଠତମ, ଜାତ୍ୟଭିମାନରେ ଜ୍ୟେଷ୍ଠତମ ମାର୍କସ୍, ଏହି ଅଜ୍ଞାତକୂଳଶୀଳା ଖ୍ରୀଷ୍ଟିୟାନ ରମଣୀ ନିକଟରେ ଚିରଜୀବନ ଆବଦ୍ଧ ରହିବ ? ଘରେ ଆସି ପହୁଞ୍ଚିବା ପରେ ପୁଣି ମର୍ସିୟା ବିଷୟ ଭାବିବାକୁ ଲାଗିଲା ଏବଂ ସତ୍ୟ, ମର୍ସିୟାର ଦେହର ସୌନ୍ଦର୍ଯ୍ୟ ପ୍ରଥମରେ ତାର ମନଯୋଗ ଆକର୍ଷଣ କରିଥିଲା, ତଥାପି ଏ ଆକର୍ଷଣ କେବଳ ରୂପମୋହର ନୁହେଁ । ମନରେ ପ୍ରଶ୍ନ ଉଠିଲା, ଏ ତେବେ କଣ ? ମର୍ସିୟା କତିକୁ ଯାଇ ପୁନର୍ବାର ତାକୁ ଦେଖିବାକୁ ସ୍ଥିର କଲା, ମନେ କଲା, ଦୂରରୁ ଯେ ମୂର୍ତ୍ତି ମୟାମାୟୀ ପରି ଦେଖାଯାଉଛି, ହୁଏତ ନିକଟ ପରିଚୟରେ ତାହା ଚକ୍ଷୁର ଭ୍ରାନ୍ତି ବୋଲି ଜଣା ପଡ଼ିବ ? ହୁଏତ ନାରୀ ଜାତିର ଆଉ ଏକ ଛଳନା, ଯାହାର ନୂତନତ୍ୱ ତାକୁ ଏପ୍ରକାର ଅଭିଭୂତ କରିଛି । ମର୍ସିୟାର ଏ ମୋହିନୀ ଶକ୍ତିର ରହସ୍ୟ ଉଦ୍‍ଘାଟନ କରିବା ଯଦି ସମ୍ଭବ ହୁଏ, ସେହି ଚେଷ୍ଟା କରିବାକୁ ସେ ପୁନର୍ବାର ଶୀଘ୍ର ତା ନିକଟକୁ ଯିବାକୁ ମନସ୍ଥ କଲା ।

 

ମର୍ସିୟାର ମଧ୍ୟ ନାନା ଚିନ୍ତାରେ ଉତ୍ପୀଡ଼ିତ ହେଉଥିଲା । ତାହାର ଆପଣାକୁ ପରୀକ୍ଷା କରିବାର ସମୟ ଉପସ୍ଥିତ ହୋଇଥିଲା, କିନ୍ତୁ ଏ ଆତ୍ମପରୀକ୍ଷାରେ ସେ କେବଳ କଷ୍ଟ ପାଇଲା । ସେ ମାର୍କସ୍‌କୁ ପ୍ରେମ କରୁଥିଲା ବୋଲି ଜାଣିଥିଲା । ଏହି ଜ୍ଞାନ ପ୍ରତିମୁହୂର୍ତ୍ତ ତାର ଅତ୍ମଗ୍ଳାନିରେ ଲଜ୍ଜାଭିଭୁତ କରୁଥିଲା । ପିତାମାତା ଓ ଅଭିଭାବକମାନଙ୍କଠାରୁ ଯେଉଁ ସବୁ ସତର୍କବାଣୀ ଶୁଣିଥିଲା, ସେହି ସବୁର ଅର୍ଥ ସେ ଏତେବଳେ ହୃଦୟଙ୍ଗମ କଲା । ତା ନିକଟରେ ପୂର୍ବରେ ଯାହା ନିତାନ୍ତ ଅସମ୍ଭବବୋଧ ହେଉଥିଲା, ବର୍ତ୍ତମାନ ସେ ସବୁର ଯଥେଷ୍ଟ ସମ୍ଭାବନା ଦେଖ ସେ ଭୟରେ ଅସ୍ଥିର ହେବାକୁ ଲାଗିଲା ।

 

ସମସ୍ତ ସୁବିଧା ସୁଯୋଗ, ସମସ୍ତ ଅବସ୍ଥା ମାର୍କସ୍‌ର ଅନୁକୂଳ । ମର୍ସିୟା ତା ଘରେ ନିଗଡ଼ବଦ୍ଧ, ସମ୍ପୂର୍ଣ୍ଣରୂପେ ତାର କରାୟତ୍ତ । ମାର୍କସ୍ ସମୃଦ୍ଧ, ଶରୀର ଅସୁର ବଳରେ ବଳୀୟାନ୍‍, ମନର ଦୁର୍ଦ୍ଦମନୀୟ ଲାଳସା, ପଶୁପ୍ରବୃତ୍ତିର ଉତ୍ତେଜନାବେଳେ କୌଣସି କର୍ତ୍ତୃତ୍ୱ ଅବା ନୈତିକ ନିଷେଧ ପ୍ରତି ତାର ଯଥେଷ୍ଟ ଅବଜ୍ଞା ମର୍ସିୟା ସହିତ ଏ ଯୁଦ୍ଧରେ ମାର୍କସ୍‌ର ପ୍ରଧାନ ଅସ୍ତ୍ରସ୍ୱରୂପ । ଏତଦୁପରି ମାର୍କସ୍ ପ୍ରତି ମର୍ସିୟାର ପ୍ରେମ ମର୍ସିୟାକୁ ସର୍ବଦା ଦୁର୍ବଳ କରି ରଖିଥିଲା ।

 

ମର୍ସିୟା ପକ୍ଷରେ ଥିଲା କେବଳ ତାର ପବିତ୍ର ହୃଦୟ ଏବଂ ଧର୍ମରେ ତାର ଦୃଢ଼ ବିଶ୍ୱାସ-। କିନ୍ତୁ ଏମାନେ କଣ ବିପକ୍ଷର ଏ ପ୍ରକାର ପ୍ରତିକୂଳତାରେ ତାକୁ ରକ୍ଷା କରିବାକୁ ସମର୍ଥ ହେବେ ? ବାସ୍ତବିକ୍ ଏ ପ୍ରକାର ଅସମାନ ଯୁଦ୍ଧରେ ମର୍ସିୟାର ଜୟର ସମ୍ଭାବନା ଅଳ୍ପ ଥିଲା ।

 

ମାର୍କସ୍‌ର ଆଦେଶ ଅନୁସାରେ ମର୍ସିୟା ପ୍ରତି ଯେ ସମସ୍ତ ସେବା ଓ ଯତ୍ନ ପ୍ରଦର୍ଶିତ ହେଉଥିଲା, ତାହା ତା’ ନିକଟରେ କାରାଗୃହର ଜ୍ୱାଳା ୟନ୍ତ୍ରଣା ଅପେକ୍ଷା ଅଧିକ କଷ୍ଟକର ହୋଇଥିଲା । ମାର୍କସ୍‍ର ଏହି ପ୍ରସାଦ ଭୋଗରେ ଆପଣାକୁ ସମ୍ମାନିତ ମନେ କରିବା ଦୂରେ ଥାଉ, ଏହି ବିଷାଦମୟ ସୁଖର ବିଷଦଂଶନରେ ତାର ପ୍ରାଣ ଅସ୍ଥିର ହୋଇ ଉଠିଲା । ଦାସଦାସୀଙ୍କର ଆଦର ଅଭ୍ୟର୍ଥନା ସେ ଘୃଣାର ସହିତ ଅପେକ୍ଷା କରୁଥିଲା । କାରଣ, ମାର୍କସ୍‍ର ପ୍ରସାଦ ଭୋଗୀ ଯେତେ ସ୍ତ୍ରୀଲୋକ ତା ପୂର୍ବରୁ ସେ ଘରେ ସ୍ଥାନ ପାଇଥିଲେ, ଏହି ଦାସୀମାନଙ୍କ ଦୃଷ୍ଟିରେ ସେହି ସବୁ ସ୍ତ୍ରୀଲୋକ ଓ ତା ମଧ୍ୟରେ ଯେ କୌଣସି ପ୍ରଭେଦ ନ ଥିଲା, ଏହା ମର୍ସିୟା ଉତ୍ତମରୂପେ ଜାଣିଥିଲା । ସେ ବନ୍ଦୀ, ଅଭ୍ୟାଗତ କିବା ଅତିଥି ନୁହେଁ । ସେଥିପାଇଁ ତାର ଗୋଟିଏ ମାତ୍ର ଆକିଞ୍ଚନ ଥିଲା, ତାହା ତାହାର ବର୍ତ୍ତମାନ ଅବସ୍ଥାର ବିଳାସ ପରିବର୍ତ୍ତେ କାରାଗୃହର ନିର୍ଯ୍ୟାତନ ଭୋଗ । ଅବଶ୍ୟ ଦାସଦାସୀମାନେ ତାହାର ଏହି ଅଭିଳାସ ପୂରଣରେ ସାହାଯ୍ୟ କରି ନ ଥିଲେ । ସେଥିପାଇଁ ଏ ବିଳାସଭବନରୁ ଉଦ୍ଧାରର ଉପାୟ ତାକୁ ନିଜେ ଚେଷ୍ଟା କରିବାକୁ ହୋଇଥିଲା ।

 

ସେଥିପାଇଁ ସ୍ୱର୍ଣ୍ଣପିଞ୍ଜରାବଦ୍ଧ ଏହି ପକ୍ଷୀ ନିତାନ୍ତ ଶ୍ରାନ୍ତ ଭାବରେ ଗୃହର ପ୍ରାଚୀର କବାଟ ପ୍ରଭୃତି ସମସ୍ତ ବିଷୟ ପରୀକ୍ଷା କରିବାକୁ ଲାଗିଲା, କିନ୍ତୁ ପଳାୟନର କୌଣସି ପଥ ପାଇଲା ନାହିଁ-। ସେବାନିପୁଣ ଦାସଦାସୀମାନେ ମର୍ସିୟାର ଆଦେଶ ଜାଣିବା ପାଇଁ ପ୍ରତ୍ୟେକ ଘଣ୍ଟାରେ କବାଟ ଫିଟାଉଥିଲେ । କିନ୍ତୁ କୌଣସି ଆଦେଶ ନ ପାଇଲେ ନିଃଶବ୍ଦରେ କବାଟ ବନ୍ଦ କରି ପୁନର୍ବାର ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଦ୍ୱାର ପିତ୍ତଳନିର୍ମିତ, ବନ୍ଦ ହେଲେ ଫିଟିବାର ଉପାୟ ନ ଥିଲା । ଗୃହର ଚଟାଣ ଓ କାନ୍ଥ ମାର୍ବଲରେ ମଣ୍ଡିତ । ଗୃହର କେବଳ ଗୋଟିଏ କ୍ଷୁଦ୍ର ଗବାକ୍ଷ ଚଟାଣଠାରୁ ଏଗାର ଫୁଟ ଉଚ୍ଚରେ ଅବସ୍ଥିତ ।

 

କ୍ରୀତଦାସ କବାଟ ଫିଟାଇଲା, କିନ୍ତୁ ଆଦେଶ ନ ପାଇ ଫେରିଗଲା । ମର୍ସିୟା ବର୍ତ୍ତମାନ ଏକଘଣ୍ଟା ଏକାକୀ । ମନେ କଲା, ଖିଡିକି ଥରେ ପରୀକ୍ଷା କରିବ । ପ୍ରଥମରେ ଖିଡିକି ତଳକୁ ଗୋଟିଏ କାଉଚ ଟାଣି ଆଣିଲା, ଏହା ଉପରେ ଗୋଟିଏ ଛୋଟ ମେଜ ରଖିଲା । ଯଦି ବା ଜାଣିଲା ମେଜ ତାର ଭାରବହନକ୍ଷମ ନୁହେଁ, ତଥାପି ଚେଷ୍ଟା କରିବାରୁ ବିରତ ହେଲା ନାହିଁ । ଆରୋହଣ କଲାବେଳେ ପତନର ଭୟ କ୍ଷଣେ କ୍ଷଣେ ହେବାକୁ, ଲାଗିଲା, କିନ୍ତୁ ଅତି ସନ୍ତର୍ପଣରେ ମେଜ ଉପରକୁ ଉଠିଲା; ଉଠି ଦେଖିଲା ଖିଡିକି ଉପରକୁ ହାତ ପାଇବାକୁ ଆହୁରି ଫୁଟେ ଅଛି । ମନେ କଲା, ଯଦି ଲମ୍ପପ୍ରଦାନ କରି ଉନ୍ମୁକ୍ତ ଖିଡିକିର ମଧ୍ୟରେ ଥିବା ଲୁହାଗରାଦକୁ ଧରି ପାରିବ, ତାହାହେଲେ ତହିଁ ମଧ୍ୟ ଦେଇ ପଳାୟନ କରିପାରିବ । କିନ୍ତୁ ନ ଧରି ପାରିଲେ ପତନରେ ଆଘାତ ସାଙ୍ଘାତିକ ହେବ । ତଥାପି ପ୍ରିଫେକ୍‍ଟର ଆକ୍ରମଣ ତୁଳନାରେ ଶରୀରର ଆଘାତ ତା ନିକଟରେ ସାମାନ୍ୟ ବୋଧ ହେଲା । ତେଣୁ ଏ ଚେଷ୍ଟା କରିବାକୁ ସେ କୃତନିଶ୍ଚୟ ହେଲା ।

 

ସମସ୍ତ ଶକ୍ତି ଓ ସ୍ଫୁର୍ତ୍ତି ଆହରଣ କରି ମର୍ସିୟା ଖିଡିକି ଆଡ଼କୁ ଇମ୍ପପ୍ରଦାନ କଲା ଏବଂ ଗରାଦ ଧରିବାରେ ସମର୍ଥ ହେଲା । ଲମ୍ପଜନିତ ପଦାଘାତରେ ମେଜ ସଶବ୍ଦରେ ମାର୍ବଲ ଚଟାଣରେ ପଡ଼ିଲା । ଏହି ଶବ୍ଦ ଦ୍ୱାରରକ୍ଷୀଙ୍କୁ ସତର୍କ କରି ଦେବ ଭାବି ସେ ଭୟରେ କମ୍ପିବାକୁ ଲାଗିଲା । କିନ୍ତୁ ମର୍ସିୟା ଯେ ପଳାୟନ କରିବା ନିମିତ୍ତ ଉପାୟ ଅନ୍ୱେଷଣ କରିବ, ଏ କଥା ଦ୍ୱାରରକ୍ଷୀମାନେ ମୁହୂର୍ତ୍ତକ ସକାଶେ ମଧ୍ୟ ଭାବି ନ ଥିଲେ । ସେଥିପାଇଁ ମେଜର ପତନ ଶବ୍ଦ ଶୁଣିଥିଲେ ମଧ୍ୟ ସେମାନେ ଦ୍ୱାର ଫିଟାଇ ଗୃହକୁ ଆସିବାର ଆବଶ୍ୟକତା ବୋଧ କରି ନ ଥାନ୍ତେ । ମର୍ସିୟା ତାର କୋମଳ କ୍ଷୁଦ୍ର ଶରୀରକୁ ଖିଡିକିର ଫାଙ୍କ ଭିତର ଦେଇ ନେଇ ଯିବାକୁ କୌଣସି କଷ୍ଟ ଅନୁଭବ କରି ନ ଥିଲା, କିନ୍ତୁ ଆର ପାଖରେ ଦେଖିଲା, ଖିଡିକି ରାସ୍ତାଠାରୁ ପ୍ରାୟ ପନ୍ଦର ଫୁଟ ଉପରେ । ଭାବିଲା ଏତେ ଉଚ୍ଚରୁ ଡେଇଁଲେ ନିଶ୍ଚୟ ଆଘାତ ପାଇବ । ସେଥିପାଇଁ ନିଜର ଉତ୍ତରୀୟ କାଢ଼ି ଖିଡିକି ଗରାଦରେ ଗଳାଇଲା ଏବଂ ଉତ୍ତରୀୟର ଦୁଇମୁଣ୍ଡ ତଳକୁ ଓହଳାଇ ଦେଲା, ତତ୍‌ପରେ ଦେଖିଲା ରାସ୍ତାରେ କେହି ଅଛନ୍ତି କି ନାହିଁ । ସେତିକିବେଳକୁ ଦୁର୍ଭାଗ୍ୟବଶତଃ ପ୍ରିଫେକ୍‌ଟର ଦୁଇ ଶରୀରରକ୍ଷୀ ରାସ୍ତାରେ ଛିଡ଼ା ହୋଇ କଥାବାର୍ତ୍ତା କରୁଛନ୍ତି । ସେମାନେ ନ ଯିବା ପର୍ଯ୍ୟନ୍ତ ଅଧୀର ଭାବରେ ଅପେକ୍ଷା କରିବାକୁ ଲାଗିଲା । ମିନିଟ ସବୁ ଘଣ୍ଟା ପରି ବୋଧ ହେଲା । ଅବଶେଷରେ ରକ୍ଷୀ ଦୁଇଜଣ ଚାଲିଗଲେ । ରାସ୍ତା ଲୋକଶୂନ୍ୟ ଦେଖି ଉତ୍ତରୀୟ ଧରି ତଳକୁ ଓହ୍ଲାଇଲା ଏବଂ ରାସ୍ତାରେ ପହଞ୍ଚି ଗୋଟାଏ ହାତରୁ ଲୁଗା ଛାଡ଼ି ଦେଇ ଅନ୍ୟ ହାତରେ ଥିବା ଲୁଗାକୁଟାଣି ଆଣିଲା । ତତ୍‌ପରେ ରାସ୍ତା ଉପରେ ଅତି ଦ୍ରୁତ ଚାଲିବାକୁ ଲାଗିଲା ।

 

ମର୍ସିୟାକୁ ଦେଖିବ ବୋଲି ମାର୍କସ୍ ଘରେ ପହଞ୍ଚିଲାବେଳକୁ, ହୃଦୟ ତାର କଳ୍ପନାର ସୁଖସଲିଳରେ ସନ୍ତରଣ କରୁଛି । ଏପର୍ଯ୍ୟନ୍ତ ପ୍ରାଣ ପୂରାଇ ସେ ମର୍ସିୟା ସହିତ ଦି’ପଦ କଥା କହି ନାହିଁ, କିନ୍ତୁ ବର୍ତ୍ତମାନ ମର୍ସିୟା ତା ଘରେ, ବାଧାବିଘ୍ନବିରହିତ ହୋଇ ନିର୍ଜ୍ଜନରେ ସେ ରୂପମାଧୁରୀ ଦେଖିବ ବୋଲି ଏଯାବତ୍ ଯେ ଆକାଶକୁସୁମ ଚୟନରେ ତାର ସମସ୍ତ ଯତ୍ନ ବ୍ୟର୍ଥ ହେଉଥିଲା, ସେ କୁସୁମ ଆଜି ତା ପକ୍ଷରେ ଆଉ ଆକାଶରେ ନାହିଁ, ଅତି ନିକଟରେ- ନିଜ ଘରେ ପ୍ରସ୍ଫୁଟିତ । ସେଥିପାଇଁ ଆଜି କି କୋମଳ କଥାରେ ତାର ଶ୍ରୁତିବିନୋଦନ କରିବ, କେଉଁ ମୋହନରେ ତାର ପ୍ରାଣ ମୋହିବ, କେଉଁ ମନ୍ତ୍ରବଳରେ ତାର ସମସ୍ତ ଅତୃପ୍ତ ଅଭିଳାଷ ଚରିତାର୍ଥ କରିବ, କେଉଁ ଲୋଭ ଦେଖାଇ ତାର ହୃଦୟ ଲାଭ କରିବ, ଇତ୍ୟାଦି କୁସୁମମୟୀ କଳ୍ପନାରେ ଆଜି ତାର ହୃଦୟ ପ୍ଳାବିତ ।

 

ମର୍ସିୟ। ଯେଉଁ ଘରେ ଥିଲା, ମାର୍କସ୍‌ କ୍ରୀତଦାସ ସହିତ ସେ ଘର ଆଡ଼କୁ ଅଗ୍ରସର ହେଲା । କ୍ରୀତଦାସ କବାଟ ଖୋଲିଲାବେଳକୁ ତାର ନାଡ଼ୀରେ ରକ୍ତସ୍ରୋତର ବେଗ ବଢ଼ିଲାଣି । ଅନନୁଭୂତ ଉତ୍ତେଜନାର ସହିତ ସେ ଗୃହରେ ପ୍ରବେଶ କଲା । ଦେଖିଲା ଗୃହ ଶୂନ୍ୟ । ଭୃତ୍ୟ ବିସ୍ମୟରେ ନିର୍ବାକ୍, କେବଳ ନୀରବ ଦୃଷ୍ଟିରେ ତାକୁ ଅନାଇ ରହିଛି । ମାର୍କସ୍ ପଚାରିଲା, ‘ସେ ଭଦ୍ରମହିଳା କାହାନ୍ତି ? ଭୃତ୍ୟ ଉତ୍ତର କଲା, ‘ପ୍ରଭୁ, ମୁଁ ତ କିଛି ଜାଣି ନାହିଁ ।’ ‘ତାଙ୍କୁ ପଳାଇ ଯିବାକୁ ତୁ ସାହାଯ୍ୟ କରିଛୁ ?’ ଉତ୍ତର ହେଲା, ‘ନା ମଣିମା, ମୁଁ ତ ଅଧଘଣ୍ଟା ହେଲା କବାଟରେ ଅର୍ଗଳ ଦେଇଛି, ସେତେବେଳେ ସେ ଘରେ ଭିତରେ ଥିଲେ ।’

 

ତତ୍‌ପରେ ଉତ୍‌ପତିତ ମେଜ ଓ କାନ୍ଥ ନିକଟରେ କାଉଚ ଦେଖି ସବୁ ବୁଝିପାରିଲା । ଅତ୍ୟନ୍ତ କ୍ରୂଦ୍ଧ ହୋଇ କହିଲା, ‘ଅନ୍ଧଯାକ, ଘରେ ବସି କରୁଥିଲ କଣ ? ସେ ତ ଖିଡିକି ବାଟେ ପଳାଇ ଯାଇଛନ୍ତି । ଚଞ୍ଚଳ ଭିଟୁରିୟସ୍ ଓ ସୈନ୍ୟମାନଙ୍କୁ ଡାକ । ଚଞ୍ଚଳ ଘରର ସବୁଆଡ଼େ ଖୋଜ-।’ ଭିଟୁରିୟସ୍‌, ଭିଟୁରିୟସ୍‌, ଡାକି ଡାକି ମାର୍କସ୍ ଘରର ସଦର ଦରଜାକୁ ବାହାରି ଆସିଲା ।

 

ଭିଟୁରିୟସ୍‌ ଆସିଲାରୁ ସେ ମର୍ସିୟା ତା ନିଜ ଘର, ଫାଭିୟସ୍‌ ଘର ଓ ଅନ୍ୟାନ୍ୟ ଯେଉଁ ସ୍ଥାନରେ ମର୍ସିୟାର ଗତାୟାତ ଥିଲା, ସେ ସମସ୍ତ ସ୍ଥାନକୁ ଖୋଜିବାକୁ ପଠାଇ ଦେଲା । ମର୍ସିୟା ପାଇଁ ସେ ବଡ଼ ଭାବନାରେ ପଡ଼ିଲା, ରାଗ ଏବଂ ବିରକ୍ତି ମଧ୍ୟ ବଢ଼ିଲା । ମାର୍କସ୍‌ ଭାବିଲା–ମର୍ସିୟା କଣ ତାକୁ ଟିଗେଲିନସ୍‌ ବୋଲି ଭାବିଲା ? ସେ କଣ କେବଳ ମର୍ସିୟାର ବନ୍ଦୀକାରୀ, ଆଉ କିଛି ନୁହେ–କେବଳ ଭୟ ଓ ଘୃଣାର ପାତ୍ର ? ମର୍ସିୟା ଯେ ମାର୍କସ୍‌ ପ୍ରତି ଆକୃଷ୍ଟ ଏହି ଆଶା ଯେତେବେଳେ ମାର୍କସ୍ ଅତି ଯତ୍ନରେ ହୃଦୟରେ ପୋଷଣ କରିଥିଲା, ସେତେବେଳେ ମର୍ସିୟା ତାର ସଙ୍ଗ ସହବାସ ଏପ୍ରକାର ଘୃଣାର ସହିତ ପରିତ୍ୟାଗ କରିବାକୁ ପଳାୟନର ପଥ ଖୋଜୁଥିଲା, ଏହି ଚିନ୍ତା ମାର୍କସ୍‌କୁ ବିଷ ପରି ଲାଗିଲା । ତଥାପି ମାର୍କସ୍‍ ରୋମର ସ୍ଥାନେ ସ୍ଥାନେ ଭ୍ରମଣ କରି ତାର ତତ୍ତ୍ୱ ନେବାକୁ ଲାଗିଲା, କିନ୍ତୁ କୌଣସି ଫଳ ହେଲା ନାହିଁ । କୌଣସି ଲୋକ ତାକୁ ମର୍ସିୟାର ସଂବାଦ ଦେଇ ପାରିଲେ ନାହିଁ । ମାର୍କସ ବିଫଳ ମନୋରଥ ହୋଇ ମହାରାଗରେ ଘରକୁ ଫେରିଲା ।

 

କ୍ରୋଧୋନ୍ନତ୍ତ ବେରେନିସ୍‌ର ପ୍ରତିହିଂସା ବହ୍ନି ଜଳି ଉଠୁଥିଲା । ସେ ରଥ ନେଇ ତୀର ବେଗରେ ଆସି ନୀରୋର ରାଜପ୍ରାସାଦରେ ଉପସ୍ଥିତ ହେଲା ଏବଂ ସାମ୍ରାଜ୍ଞୀକୁ ନିଜର ଦର୍ଶନାଭିଳାଷ ଜଣାଇ ପଠାଇଲା । ଅନେକ କାରଣରୁ ପୋପୀୟା ଏହି ‘ପାଟ୍ରିସିୟାନ’ ସୁନ୍ଦରୀର ମନସୃଷ୍ଟି ସାଧନ କରୁଥିଲା । ନୀରୋ ପରିବାରର ଅବାରିତ ଉପଭୋଗ-ତୃଷାର ତର୍ପଣ ଯୋଗାଇବା ପାଇଁ ବେରେନିସ୍‌ର ସମ୍ପତ୍ତି ଏବଂ ପ୍ରତିପର୍ତ୍ତି ସବୁଠାରୁ ବେଶି ବିବେଚନାର ବିଷୟ ଥିଲା । ବେରେନିସ୍‌ର ଏହି ଅଯାତିତ ବନ୍ଧୁତାରେ ପୋପୀୟାର ବିଶେଷ ଲାଭ ହେଲା । ମାର୍କସ୍‌ ପୋପୀୟାର ନିକଟତର କରିବା ନିମନ୍ତେ ବେରେନିସ୍‌ର ସମ୍ବନ୍ଧ ବଡ଼ ସୁବିଧାଜନକ । ସମ୍ରାଜ୍ଞୀ ଭଦ୍ରତାର ଖାତିରିରେ ପ୍ରଫେକ୍‌ଟ ଗୃହିଣୀ ନିକଟକୁ ଗତାୟାତ କରି ପାରିବେ । ଅବିବାହିତ ମାର୍କସ୍ ଅପେକ୍ଷା ବେରନିସ୍ ପ୍ରତି ମାର୍କସ୍‌ର ସାକ୍ଷାତ ଅଧିକ ସମ୍ଭବ ଏବଂ ଅଳ୍ପ ସନ୍ଦେହଜନକ ।

 

ବେରେନିସ୍ ଗୃହରେ ପ୍ରବେଶ କରି ପୋପୀୟାକୁ ଦାସୀଦଳ ପରିବେଷ୍ଟିତ ଦେଖିଲା । ଯଥାଯୋଗ୍ୟ ସମ୍ଭାଷଣ ଏବଂ ଇତର ବିଶେଷ ନାନାଦି କଥାବାର୍ତ୍ତା ପରେ ପୋପୀୟା ବୁଝି ପାରିଲା, ବେରେନିସ୍ ତାହା ସହିତ ଏକାକୀ ସାକ୍ଷାତ୍ କରିବାକୁ ଚାହେଁ । ତେଣୁ ସେ ସମସ୍ତ ଦାସୀଙ୍କୁ ବିଦାୟ କରିଦେଲା ଏବଂ ବିନା ଆହ୍ୱାନରେ ଆସିବାକୁ ବାରଣ କରିଦେଲା ।

 

ମର୍ସିୟା ପ୍ରତି ବେରେନିସ୍ କ୍ରୋଧ ଏପର୍ଯ୍ୟନ୍ତ ଶାନ୍ତ ହୋଇ ନ ଥିଲା, ତତ୍‌ପରିବର୍ତ୍ତେ ତାର ଅପମାନର ସ୍ମୃତି ଏଥିରେ ଆହୁତି ପ୍ରଦାନ କରୁଥିଲା । କିନ୍ତୁ ତାର ସୁନ୍ଦର ପ୍ରଶାନ୍ତ ମୂର୍ତ୍ତି ଦେଖିଲେ କୌଣସି ଲୋକ ଜାଣି ପାରିବ ନାହିଁ, ଏହି ଶାନ୍ତିର ଆବରଣ ତଳେ ଏତେ ଅଶାନ୍ତି ଲୁକ୍‌କାୟିତ, ଏହି ପର୍ଣ୍ଣଶ୍ୟାମଳ ଗିରିର ଗହ୍ୱରରେ ଅଗ୍ନିର ଦଗ୍‌ଧକଙ୍କରବାହୀ ଲୋହିତତରଙ୍ଗ ଏପରି ଉଦ୍‌ବେଳିତ । ଅହୋ ! ସାଧାରଣ ରମଣୀ ସୁଦ୍ଧା ଭାବଗୋପନର ଅଭିନୟରେ କି ସିଦ୍ଧହସ୍ତ-!

 

ପୋପୀୟା କିନ୍ତୁ ସାଧାରଣ ସ୍ତ୍ରୀଲୋକ ନ ଥିଲା । ତାହାର ଶ୍ୟେନଦୃଷ୍ଟି ବେରେନିସ୍‌ ଜାଣିବା ପୂର୍ବରୁ ତାର ଚିତ୍ତବୈକଲ୍ୟ ଦେଖି ପାରିଥିଲା । ବେରେନିସ୍ ଯେକୌଣସି ବିଶେଷ କାର୍ଯ୍ୟରେ ଆସିଛି; କେବଳ ସାମାଜିକ ସମ୍ମାନଜ୍ଞାପନ ଯେ ଏ ଆଗମନର ଉଦ୍ଦେଶ୍ୟ ନୁହେଁ, ଏହା ପୋପୀୟା ଉତ୍ତମରୂପେ ବୁଝିପାରିଲା । ଏପ୍ରକାର ଅଭିନୟ ବିଦ୍ୟାରେ ପୋପୀୟା କମ୍ ସିଦ୍ଧହସ୍ତ ନୁହେଁ । ତେଣୁକରି ବେରେନିସ୍ ନିଜେ ନ କହିବା ପର୍ଯ୍ୟନ୍ତ ସେ ବିଷୟରେ କୌଣସି ସଙ୍କେତ, ଇଙ୍ଗିତ ମଧ୍ୟ ଦେଲା ନାହିଁ ।

 

ଏହିପରି ଏହି ଦୁଇ ରମଣୀ ହାସ୍ୟକୌତୁକ ଏବଂ ଭାବନୀୟ ଅଭାବନୀୟ ନାନା ଗଳ୍ପଗୁଜବରେ ସମୟ ଅତିବାହିତ କରିବାକୁ ଲାଗିଲେ । ଯାହା ଉଭୟଙ୍କର ହୃଦୟର ଅତି ନିକଟରେ ଥିଲା, ସେ ବିଷୟରେ କେହି ଧରାଛୁଆଁ ଦେଲେ ନାହିଁ । ଅବଶେଷରେ ବେରେନିସ୍ ନିତାନ୍ତ ସହଜ ଭାବରେ ପଚାରିଲା, ‘‘ଏହା କଣ ସତ, ଏହି ଖ୍ରୀଷ୍ଟିୟାନମାନେ ଦଳକାଦଳ ଧରା ପଡ଼ିଛନ୍ତି ?'’ ପୋପୀୟା କହିଲା, ‘‘ତା କଣ ଜାଣ ନାହିଁ ? ସମ୍ରାଟ ମାର୍କସ୍ ଉପରେ ଏ କାର୍ଯ୍ୟର ଭାର ଦେଇଛନ୍ତି, ଆଉ ମାର୍କସ୍‌ ଅତ୍ୟନ୍ତ ଉଦ୍‌ଯୋଗ ସହକାରେ ଏ କାର୍ଯ୍ୟ କରୁଛି । ଗତ ରାତିରେ ଖ୍ରୀଷ୍ଟିୟାନମାନେ ଏକତ୍ର ସଭା କରିବା ସମୟରେ ସେ ସମସ୍ତଙ୍କୁ ବନ୍ଦୀ କରିଛି ।”

 

ବେରେନିସ୍‌ର ଯେପରି ବିଶ୍ୱାସ ହେଲା ନାହିଁ, ପଚାରିଲା, “ମାର୍କସ୍ ବନ୍ଦୀ କରିଥିଲା, ନା ଅନ୍ୟ କେହି ?”

 

‘‘ନା, ନା, ମାର୍କସ୍ । ସେ ସେଷ୍ଟିୟାନ ସେତୁ ନିକଟକୁ ଯିବାବେଳେ ମୁଁ ତାକୁ ବାଟରେ ଭେଟିଥିଲି । ସେ ସେତେବେଳେ ସେମାନଙ୍କୁ ବନ୍ଦୀ କରିବାକୁ ଏପରି ବ୍ୟଗ୍ର ଯେ, ମୋତେ ସୁଦ୍ଧା ସମ୍ମାନ ସମ୍ଭାଷଣ କରିବାକୁ ତାର ବେଳ ନ ଥିଲା ।”

 

ବେରେନିସ୍ ଅତ୍ୟନ୍ତ ବିସ୍ମିତ ହେଲା ପରି କହି ଉଠିଲା, ‘‘ସତେ ? ପୁରୁଷ ସ୍ତ୍ରୀ-ନର୍ବିଶେଷରେ ଏମାନଙ୍କୁ ବନ୍ଦୀ କରିବାକୁ ସେ ଏପ୍ରକାର ବ୍ୟଗ୍ରତାର ସହିତ ଯାଉଥିଲା ?’’ ‘ସ୍ତ୍ରୀ’ ଏହି ଶବ୍ଦ ସେ ଏପ୍ରକାର ଦୃଢ଼ ସ୍ୱରରେ ଉଚ୍ଚାରଣ କଲା ଯେ, ତାହା ପୋପୀୟାର ଲକ୍ଷ୍ୟ ଭ୍ରଷ୍ଟ ହେଲାନାହିଁ ଏବଂ ମୁହୂର୍ତ୍ତକ ମଧ୍ୟରେ ପୋପୀୟା ବେରେନିସ୍‌ର ମନର ଭାବ ବୁଝି ନେଲା । ପୋପୀୟା ଅତ୍ୟନ୍ତ ସହଜ ଭାବରେ କହିଲା, ‘‘ଏହି ମ୍ଳେଚ୍ଛଙ୍କ ମଧ୍ୟରେ ସ୍ତ୍ରୀଲୋକ ବି ଥିଲେ ।

 

‘‘ଅବଶ୍ୟ ଅନେକ ଥିଲେ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ବିଶେଷରେ ଜଣେ, ଅନ୍ତତଃ ମାର୍କସ୍ ପକ୍ଷରେ ବିଶେଷରେ ଜଣେ ସ୍ତ୍ରୀଲୋକ ଥିଲା, ଏଥିରେ ସନ୍ଦେହ ନାହିଁ ।”

 

‘‘ବିଶେଷମାନେ ?’’

 

‘‘ଅନ୍ୟ କଛି ନୁହେଁ, ସେ ସ୍ତ୍ରୀଲୋକର ଅପ୍ରତିହତ ପ୍ରଭାବ ।’’

 

“କାହା ଉପରେ ? ତାର ସମ୍ପ୍ରଦାୟ ଉପରେ ?”

 

‘‘ଅନ୍ୟାନ୍ୟମାନଙ୍କ ଉପରେ ମଧ୍ୟ ।

 

‘‘ଅନ୍ୟ କାହା ଉପରେ ? ନିଶ୍ଚୟ ଆମ ସମାଜର କାହାରି ଉପରେ ନୁହେଁ ?''

 

“ଏଇ, ଦୃଷ୍ଟାନ୍ତ ସ୍ଵରୁପ, ମାର୍କସ୍ ଜଣେ । ଅନ୍ତତଃ ଲୋକେ ଏହା କହନ୍ତି ।'’

 

‘ଲୋକେ’ ଏହି କଥାରେ କି ମହାଶକ୍ତି ଲୁକ୍‌କାୟିତ ରହିଅଛି ! ଏହି ‘ଲୋକେ ନ ଥିଲେ ଜଗତର କି ଗତି ହୁଅନ୍ତା କେଜାଣି’ ! ଏହି ‘ଲୋକେ’ ଶତସହସ୍ର ଲୋଚନରେ ଅନାଇ ରହିଛି । ଏହି ସର୍ବଜ୍ଞାତା ‘ଲୋକେ’ ନିକଟରେ କାହାର ଚରିତ୍ର ଅପରିଚିତ, କାହାର କାର୍ଯ୍ୟ ଅବିଦିତ, କାହାର ଉଦ୍ଦେଶ୍ୟ ଅନନୁମିତ ? ଏହି ‘ଲୋକେ’ ଜଗତର ସେହି ସର୍ବଦର୍ଶୀ ଚକ୍ଷୁ, ଯାହାର ଦୃଷ୍ଟର ତୀକ୍ଷ୍ଣତା ନିକଟରେ ଦୂରବୀକ୍ଷଣ, ଅଣୁବୀକ୍ଷଣ ପରାଭୂତ, ଯାହା ପ୍ରସ୍ତର ପ୍ରାଚୀର ଭେଦ କରି, ଶୂନ୍ୟର ମହାବ୍ୟବଧାନ ଅତିକ୍ରମ କରି, ନାନା ବାଧାବିଘ୍ନ ଉଲ୍ଲଙ୍ଘନ କରି ମନୁଷ୍ୟର ସଯତ୍ନନିବଦ୍ଧ ମାନସର ନିଭୃତ କନ୍ଦରରେ ପ୍ରବେଶ କରେ ।

 

ବେରେନିସ୍‌ର ଆସିବାର ପରିଶ୍ରମ ଯେ ସାର୍ଥକ ହୋଇଛି, ତାର ଇଚ୍ଛା ଯେ ଫଳବତୀ ହୋଇଛି, ଏକଥା କଣ କହି ହେବାକୁ ହେବ ? ପୋପୀୟାର ଈର୍ଷା-ବହ୍ନିରେ ଫୁତ୍କାର ପଡ଼ିଲା, ଦଳିତଫଣା ଫଣିନୀ ଦଂଶନ ଲାଳସାରେ ବ୍ୟାକୁଳ ହୋଇ ଉଠିଲା । ବର୍ତ୍ତମାନ ପୋପିୟା ଜାଣିପାରିଲା, ଏହି ରାଜଦ୍ରୋହୀ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକ ପ୍ରତି ମାର୍କସ୍ ଆସକ୍ତ, ଏହାକୁ ରକ୍ଷା କରିବାକୁ ସେ ଗତ ସନ୍ଧ୍ୟାରେ ତାର ଅପମାନ ସୁଦ୍ଧା କରିଥିଲା ।

 

କିଛିକ୍ଷଣ ସକାଶେ ଏହି ଦୁଇ ରମଣୀ ପରସ୍ପର ପ୍ରତି ଚାହିଁ ରହିଲେ । ଦୁଇଜଣଙ୍କ ମଧ୍ୟରୁ କିଏ ଯେ କ୍ରୋଧରେ ବେଶି ଭୟଙ୍କର ଦେଖାଯାଉଥିଲା, ନିର୍ଦ୍ଧାରଣ କରିବା କଷ୍ଟକର । ବିନା ବାକ୍ୟବ୍ୟୟରେ ଦୁଇଜଣଯାକ ମର୍ସିୟାର ବିନାଶସାଧନ ପାଇଁ ଏକମତ ହେଲେ ।

 

ଆଉ ନିରାଶ୍ରୟ ମର୍ସିୟା ! ଯଦି ସମ୍ଭବ ହୁଏ, ଶ୍ୟେନ ନଖନିପୀଡ଼ିତ କପୋତୀ କେଜାଣି ଦୟା ଲାଭ କରିପାରେ, କିନ୍ତୁ ନାରୀସ୍ୱଭାବର ସହଦାୟାଦ ଏହି ରମଣୀ ଦୁଇଜଣଙ୍କଠାରୁ ଅନୁଗ୍ରହ ପାଇବାର ଆଶା ତାର ସୁଦୂରପରାହତ । ଆଉ ତାହାର ଅପରାଧ ? ଯାହା ଅପେକ୍ଷା ଗୁରୁତର ଅପରାଧ ନାରୀ ନାରୀ ବିରୁଦ୍ଧରେ କରି ପାରେ ନାହିଁ, ଆରାଧ୍ୟ ପୁରୁଷର ପ୍ରଣୟ ଆର୍କଷଣ, ତାହା ଅଜ୍ଞାତସାରେ ହେଉ ପଛକେ ।

 

ପୋପିୟା ପଚାରିଲା, “ଏ ସ୍ତ୍ରୀଲୋକ କିଏ ?'’ ବେରେନିସ୍ ଉତ୍ତର ଦେଲା, ‘‘ତାର ନାମ ମର୍ସିୟା ।” ତା ଉତ୍ତାରେ ଅବଶ୍ୟ ଜିଜ୍ଞାସ୍ୟ ପ୍ରଶ୍ନ ହେଲା, ସେ ଦେଖିବାକୁ କେମିତି ?

 

“ସମ୍ରାଜ୍ଞୀ, ମୁଁ ତାକୁ ଦେଖି ନାହିଁ ।’’

 

“କିନ୍ତୁ ତା ବିଷୟ ଶୁଣିଥିବ । ସେ କଣ ଯୁବତୀ ?"

 

‘‘ଲୋକେ କହନ୍ତି, ତାକୁ ଅଠର ବର୍ଷ; କିନ୍ତୁ ତାର ବୟସ ନିଶ୍ଚୟ ଅଠରରୁ ବେଶି ।”

 

‘‘ଗୌରବର୍ଣ୍ଣ ?

 

ବେରେନିସ୍ କହିଲା, “ଡାସିୟା କହୁଥିଲା, ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣ ।’’

 

ଏହା ସର୍ବବାଦୀସମ୍ମତ ଯେ, ଯେଉଁଠାରେ ସ୍ତ୍ରୀଲୋକର ସୌନ୍ଦର୍ଯ୍ୟ ମଧ୍ୟରେ ଶରୀରର କାନ୍ତିଗତ ବା ଅନ୍ୟ କୌଣସି ପ୍ରକାର ପ୍ରାର୍ଥକ୍ୟ ଥାଏ, ସେହିଠାରେ ବିଦ୍ୱେଷ ଶୀଘ୍ର ଉଦ୍ଦୀପ୍ତ ହୁଏ । ମର୍ସିୟାର ସୌନ୍ଦର୍ଯ୍ୟ ଯଦି ପୋପୀୟାର ସମାନଜାତୀୟ ସୌନ୍ଦର୍ଯ୍ୟ ହୋଇଥାନ୍ତା, ତାହାହେଲେ ପୋପୀୟା କେଜାଣି ମର୍ସିୟା ପ୍ରତି ଏପ୍ରକାର ଈର୍ଷାନ୍ୱିତ ହୋଇ ନ ଥାନ୍ତା ।

 

ସମ୍ରାଜ୍ଞୀ ପଚାରିଲେ, “ସେ ବର୍ତ୍ତମାନ କେଉଁଠି ?’’

 

‘‘ଲୋକେ କହୁଛନ୍ତି, ତାର ସଙ୍ଗୀମାନଙ୍କ ମଧ୍ୟରୁ କେବଳ ତାକୁ ମାର୍କସ୍‌ ନିଜ ଗୃହରେ ରଖିଛି, ଅନ୍ୟମାନଙ୍କୁ କାରାଗାରରେ ରଖିଛି ।’’

 

“ମାର୍କସ୍ ତାକୁ ବେଶି ଦିନ ନିଜ ଘରେ ରଖିବ ନାହିଁ, ଏ କଥା ନୀରୋକୁ କୁହାଯିବ ।”

 

‘‘ଯେତେବଳେ ମୁଁ ଏ କଥା ଶୁଣିଲି, ମୁଁ ମଧ୍ୟ ଠିକ ଏହିପରି ଭାବିଥିଲି । ମୁଁ ଭାବିଲି, ମର୍ସିୟା ସମ୍ବନ୍ଧରେ କଣ କରିବା କର୍ତ୍ତବ୍ୟ, ଏ ବିଷୟରେ ମୁଁ ତୁମର ପରାମର୍ଶ ପଚାରିବି । ସମସ୍ତ ରୋମର ଅପବାଦ ରଟନା କରିବା ପାଇଁ ତାକୁ କେତେବେଳେ ମାର୍କସ୍‍ର ଘରେ ରହିବାକୁ ଦେବାକୁ ହେବ ନାହିଁ ।" ମାର୍କସ୍‍ର ଏ ଭାବାନ୍ତର ଯଦି ଗୋଟାଏ ଆକସ୍ମିକ ଖିଆଲ ବୋଲି ଜାଣିଥାନ୍ତା, ତାହାହେଲେ ରୋମର ଏ ଅପବାଦ ପାଇଁ ବେରେନିସ୍‌ର ମୁଣ୍ଡବ୍ୟଥା ହୋଇ ନ ଥାନ୍ତା ।

 

ପୋପିୟା କହିଲା, “ମାର୍କସ୍‌କୁ ଶିକ୍ଷା ଦେବାକୁ ହେବ । ସେ ବଡ ଯଥୋଚ୍ଛାଚାରୀ ହୋଇ ପଡ଼ିଛି । ସେ ଜାଣେ, ସେ ଆମ୍ଭମାନଙ୍କର ଅନୁଗ୍ରହର ପାତ୍ର, ତଥାପି ଏ ଯେ ଅନୁଗ୍ରହ, ଏହା ଉପରେ ତାର ଯେ ଦାବୀ ନାହିଁ, ଏ କଥା ତାକୁ ଜଣାଇ ଦେବାକୁ ହେବ । ସେ ଯେତେଦୂର ଅଗ୍ରସର ହୋଇଥାଉ ପଛକେ, ଏ ବିଷୟରେ ସତର୍କ ହେଉ । ନୀରବରେ ଅପମାନ ସହ୍ୟ କରିବା ଲୋକ ଆମ୍ଭେମାନେ ନୋହୁଁ । ଓଃ, ଏ ଯେ ଅସହ୍ୟ, ଗୋଟାଏ ଖ୍ରୀଷ୍ଟିୟାନ ବାଳିକା ସକାଶେ ମୋତେ ସର୍ବସମକ୍ଷରେ କେହି ଅବଜ୍ଞା ପ୍ରଦର୍ଶନ କରିବ, ଏହା ମୁଁ ସହି ପାରିବି ନାହିଁ । ବେରେନିସ୍, ଆସ ସିଜର ନିକଟକୁ ଯିବା । ମାର୍କସ୍‍ର ଶକ୍ତି ଯେଉଁଠି ପ୍ରବେଶ କରିବ ନାହଁ, ଏପ୍ରକାର ସ୍ଥାନକୁ ମର୍ସିୟାକୁ ଘୁଞ୍ଚାଇବାକୁ ହେବ ।’’ ଏହା କହି ବେରେନିସ୍‌ର ହାତ ଧରି ପୋପିୟା ନୀରୋର କକ୍ଷ ଆଡ଼କୁ ଅଗ୍ରସର ହେଲା ।

 

ଯାହାଠୁ ମାର୍କସ୍‌ର ଅପମାନର ପ୍ରତିଶୋଧ ନେବାକୁ ଦୃଢ଼ପ୍ରତିଜ୍ଞା ହେଲେ, ସେ ମର୍ସିୟା ଏତେବେଳେ କେଉଁଠି ? ମାର୍କସ୍‌ର ପ୍ରାସାଦ ପରିତ୍ୟାଗ କରି ଯେଉଁଠାରେ ଖ୍ରୀଷ୍ଟିୟାନମାନେ ବନ୍ଦୀ ହୋଇଥିଲେ ବୋଲି ସେ ଜାଣିଥିଲା, ସେହି କାରାଗୃହର ଦ୍ୱାରଦେଶରେ ଆସି ମର୍ସିୟା ଉପସ୍ଥିତ ହେଲା । ଦ୍ୱାରରେ କେତେଗୁଡ଼ିଏ ଦ୍ୱାରରକ୍ଷୀ ଛିଡ଼ା ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଯୁବକ କହିଲା–

 

‘‘କଣ ଚାହୁଁଛ ?’’

 

‘‘ଖ୍ରୀଷ୍ଟିୟାନମାନେ ଯେଉଁ ଘରେ ବନ୍ଦୀ ହୋଇଛନ୍ତି, ସେ ଘରକୁ ମୁଁ ଯିବାକୁ ଚାହୁଁଛି ।”

 

‘‘କଣ ପାଇଁ ଯିବାକୁ ଚାହୁଁଛ, କାହାର ଅନୁମତି ପାଇଛ ?’’ ମର୍ସିୟା କହିଲା, ‘‘ମୁଁ କାହାରି ଅନୁମତି ପାଇ ନାହିଁ ।’’ କରାରକ୍ଷୀ ଏ ବାଳିକାର ଅଦ୍ଭୁତ ମୋହିନୀ ଶକ୍ତି ଅନୁଭବ କରି ସମ୍ମାନ ସହିତ କହିଲା, ‘‘ତାହାହେଲେ କ୍ଷମା କର, ମୁଁ ଭିତରକୁ ଛାଡ଼ି ଦେଇ ପାରିବି ନାହିଁ ।''

 

ମର୍ସିୟା କହିଲା, ‘‘ମୁଁ ମଧ୍ୟ ଜଣେ ବନ୍ଦୀ, ସେଥିପାଇଁ ମୋ ସ୍ଥାନକୁ ମୋତେ ଯିବାକୁ ଦିଅ-।’’

 

କରାରକ୍ଷୀ ଟିକିଏ ମୃଦୁହାସ୍ୟ କରି କହିଲା, ତୁମେ ବନ୍ଦୀ ? ତୁମେ ତ ଯଥେଷ୍ଟ ସ୍ୱାଧୀନ ରହିଛ ।’’

 

‘‘ଅନୁଗ୍ରହ କରି ମୋତେ ମୋ ବନ୍ଧୁମାନଙ୍କ ନିକଟକୁ ଯିବାକୁ ଦିଅ । ସେମାନେ ଯଦି ଦୋଷୀ, ମୁଁ ମଧ୍ୟ ସେମାନଙ୍କ ପରି ଦୋଷୀ । ସେମାନେ ଯଦି ରୋମର ବ୍ୟବସ୍ଥା ଲଙ୍ଘନ କରିଛନ୍ତି, ମୁଁ ମଧ୍ୟ ସେମାନଙ୍କ ସହିତ ବ୍ୟବସ୍ଥା ଲଘଂନ କରିଛି । ସେମାନେ ଯେତେବେଳେ ଉଦ୍ୟାନରେ ଧରାଗଲେ, ମୁଁ ମଧ୍ୟ ସେତେବେଳେ ସେମାନଙ୍କ ସଙ୍ଗରେ ଥିଲି । ତେବେ ମୁଁ କାହିଁକ ସେମାନଙ୍କ ସହିତ ଦୁଃଖ ଭୋଗ ନ କରିବି ? ମୋତେ ଅନୁଗ୍ରହ କରି ସେମାନଙ୍କ ନିକଟକୁ ଯିବାକୁ ଦିଅ ।’’

 

କରାରକ୍ଷୀ ନିଜ ମନକୁ କହିବାକୁ ଲାଗିଲା, ‘‘ଓ ବାବା, ଏ ପୁଣି କି ଅଭିନବ ବ୍ୟାପାର ! ଲୋକେ କାରାଗାରରୁ ବାହାରି ଯିବାକୁ ପ୍ରାର୍ଥନା କରିଛନ୍ତି, କିନ୍ତୁ ନିଜ ଇଚ୍ଛାରେ କରାଗାରକୁ ଯିବାକୁ ମୋତେ ପୂର୍ବେ କେହି ପ୍ରାର୍ଥନା କରି ନ ଥିଲେ ।’’ ତତ୍‌ପରେ ମର୍ସିୟା ଆଡ଼କୁ ଅନାଇ କହିଲା, “ଏ ଜାଗା କେମିତି, ସେ କଥା ତୁମେ କିଛି ଜାଣ ?”

 

ମର୍ସିୟା କହିଲା, “ସେଥିପାଇଁ ମୋର କିଛି ଭୟ ନାହିଁ । ମୁଁ ଯୁବତୀ ଏବଂ ମୋ ଶରୀରରେ ବଳ–’’

 

ମର୍ସିୟାର କଥାରେ ବାଧାଦେଇ ଯୁବକ କହି ଉଠିଲା, ‘‘ଆଉ ରୂପସୌନ୍ଦର୍ଯ୍ୟ ମଧ୍ୟ ଯଥେଷ୍ଟ ଅଛି । ଏ ପରୀର ସ୍ଥାନ ନୁହେଁ । ମୋ ପରାମର୍ଶ ଗ୍ରହଣ କର ।” ଏହା କହି ଯୁବକ ମର୍ସିୟା ଆଡ଼କୁ ଅଗ୍ରସର ହେଲା, କିନ୍ତୁ ଅନ୍ୟାନ୍ୟ କାରାରକ୍ଷୀ ଯେଉଁଠି ଛିଡ଼ା ହୋଇଥିଲେ, ମର୍ସିୟା ଶୀଘ୍ର ସେ ଆଡ଼କୁ ଚାଲିଗଲା । ମର୍ସିୟା ସହିତ ନିର୍ଜ୍ଜନରେ କଥା କହିବାର ଉପାୟ ନ ଦେଖି ଯୁବକ ଅନୁଗମନରୁ ନିବୃତ୍ତ ହେଲା ।

 

ମର୍ସିୟା ଦୂରରେ ଛିଡ଼ା ହୋଇ କହିଲା, “ମୋତେ ଯଦି ମୋ ବନ୍ଧୁମାନଙ୍କ ନିକଟକୁ ଯିବାକୁ ନ ଦେବ, ମୁଁ ଚାଲିଯିବି।’’

 

ଯୁବକ ପଚାରିଲା, ‘‘ସେଠାକୁ ଯାଇ କଣ କରିବ ?’’

 

“ସେମାନଙ୍କ ମଧ୍ୟରେ ଅନେକେ ଆହତ, ପୀଡ଼ିତ । ମୁଁ ସେମାନଙ୍କର ସେବାଶୁଶ୍ରୂଷା କରିବି । ମୁଁ ତୁମ୍ଭକୁ ଅନୁନୟ କରୁଛି, ମୋତେ ସେମାନଙ୍କ କତିକୁ ଯିବାକୁ ଦିଅ । ମୁଁ ତ ସେଠାକୁ ଗଲେ କାହାର କୌଣସି କ୍ଷତି କରି ପାରିବି ନାହିଁ, ପଳାଇ ଯିବା ସକାଶେ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରି ପାରିବିନାହିଁ, ଆଉ ମୁଁ ପ୍ରତିଜ୍ଞା କରୁଛି, ମୁଁ ପଳାଇବାର ଚେଷ୍ଟା ସୁଧା କରିବି ନାହିଁ । ମୋର ଇଚ୍ଛା କେବଳ ସେମାନଙ୍କ ସହିତ ରହିବାକୁ ଏବଂ ସେମାନଙ୍କ ପରି ଦୁଃଖ ଯନ୍ତ୍ରଣା ସହିବାକୁ ।”

 

ତାର ସୌନ୍ଦର୍ଯ୍ୟ, ତାହାର ଆକୁଳ ବ୍ୟାକୁଳ ଭାବ, କାହାର ମିନତିପୂର୍ଣ୍ଣ ମଧୁର ସ୍ୱର ଯୁବକକୁ ବିଚଳିତ କଲା । କିନ୍ତୁ ଏ କ୍ଷେତ୍ରରେ ସେ କଣ କରିପାରେ ? ବିନା ଅନୁମତିରେ କାହାରିକୁ ବନ୍ଦୀ କରିବା କିମ୍ବା କାରାଗାରରେ କାହାରି ସହିତ ସାକ୍ଷାତ କରାଇବାର କ୍ଷମତା ତାର ନ ଥିଲା । କ୍ଷମତା ଥିଲେ ମର୍ସିୟାର ଏ କାମନା ପୂରଣରେ ତିଳେମାତ୍ର ଇତସ୍ତତଃ କରି ନ ଥାନ୍ତା । ତେଣୁ କହିଲା–

 

‘‘ଏପରି ସୁନ୍ଦରୀକୁ କୌଣସି ବିଷୟ ଅସ୍ୱୀକାର କରିବା କଷ୍ଟକର, କିନ୍ତୁ ତୁମେ ଯାହା ଚାହୁଁଛ, ସେ ମୋ କ୍ଷମତାର ବହିର୍ଭୂତ । ତୁମର ନାମ କଣ ?’’

 

“ବାଃ ବଡ଼ ଚମତ୍କାର ନାମ ତ । ସୁନ୍ଦରୀ ମର୍ସିୟା, ମୋ କଥା ଶୁଣ, ବାପା ମାଙ୍କ କତିକୁ ଘରକୁ ଯାଅ, ମୁଁ ନିଶ୍ଚୟ କରି କହୁଛି, ତୁମେ ସେମାନଙ୍କ କତିରେ ଅଧିକ ନିରାପଦରେ ରହିବ । ତୁମ ବାପା ମା କଣ କାରାଗାରରେ ଅଛନ୍ତି ?

 

“ମୋର ବାପା ମା ମରି ଯାଇଛନ୍ତି ।''

 

“ତେବେ ତୁମେ ଏକାକୀ ?” ତା ପରେ ଯୁବକର ମନେ ହେଲା,ବୋଧହୁଏ ବାଳିକାର ପ୍ରଣୟୀ ବନ୍ଦୀ । ତାହାରି ନିକଟରେ ରହିବା ନିମିତ୍ତ ବାଳିକା ନିଜର ସ୍ୱାଧିନତା ସ୍ୱଚ୍ଛନ୍ଦରେ ପରିତ୍ୟାଗ କରୁଛି । ପୁନର୍ବାର କହିଲା, “ବାପ ମା ନାହାଁନ୍ତି ? ତାହାହେଲେ ପ୍ରଣୟୀ ପାଖରେ କାରାଗାରରେ ରହିବାକୁ ଇଚ୍ଛା, ନା ? ତାରି ଭାଗ୍ୟ ତେଜ ସେ, ଏଭଳି ରତ୍ନ ତାକୁ ଖୋକି ବୁଲୁଛି । କିନ୍ତୁ ଖ୍ରୀଷ୍ଟିୟାନ ମ୍ଳେଚ୍ଛଙ୍କ ମଧ୍ୟରେ ଏପରି କାହାରିକୁ ତ ମୁଁ ଦେଖିଲି ନାହିଁ, ଯେ ତୁମର ଯୋଗ୍ୟ ପୁରୁଷ । ମୋର ପରାମର୍ଶ ଶୁଣ । ତାକୁ ଭୁଲି ଯାଅ । ଅନେକ ରୋମୀୟ ସୈନ୍ୟ ଅଛନ୍ତି, ଯେଉଁମାନେ ତାର ସ୍ଥାନ ଗ୍ରହଣ କରିବାକୁ ପ୍ରସ୍ତୁତ । କଣ କହୁଛ ସାଙ୍ଗିଏ ?’’ ଅନ୍ୟାନ୍ୟ କାରାରକ୍ଷୀଗଣ ମହାହର୍ଷଭରେ କହି ଉଠିଲେ, ‘‘ଅଲବତ୍, ଅଲ୍‍ବତ୍‌ ।’’

 

ମାର୍କସ୍‍ର ପ୍ରାସାଦରୁ ପଳାଇ ଆସିବା ଦ୍ୱାରା ମର୍ସିୟାର ବଡ଼ ବେଶି ଲାଭ ହେଲା ନାହିଁ । ସେ କିନ୍ତୁ କାରାଗାରରେ ପ୍ରବେଶ କରିବାରୁ ଅନୁନୟ ବିନୟ କରିବାକୁ ଲାଗିଲା, କାରଣ ତାର ଆହତ ବନ୍ଧୁମାନଙ୍କ ନିମନ୍ତେ ତାର ପ୍ରାଣ କାନ୍ଦୁଥିଲା । କିନ୍ତୁ ଏ ସମସ୍ତ ଅନୁନୟର ଉତ୍ତରରେ ପାଇଲା କେବଳ ହାସ୍ୟ ଉପହାସ । ଏହାର ଆଗ୍ରହାତିଶଯ୍ୟ ଦେଖି କାରରକ୍ଷୀମାନ ମନେ କଲେ, ନିଶ୍ଚୟ ମର୍ସିୟାର କୌଣସି ପ୍ରଣୟୀ କାରାଗାରରେ ଅଛି । କିନ୍ତୁ କାରାଗାର ଭିତରକୁ ତାକୁ କୌଣସିମତେ ଛାଡ଼ିଦେଲେ ନାହିଁ । ଇତ୍ୟବସରରେ ଏପ୍ରକାର ଏକ ଘଟଣା ଘଟିଲା, ଯାହାଦ୍ୱାରା ତାର ଇପ୍‌ସିତ ଫଳ ମର୍ସିୟା ଅପ୍ରତ୍ୟାଶିତରୂପେ ଲାଭ କଲା । ଲସିନିୟସ୍ ସେହି ସମୟରେ କାରାଗାରରୁ ବାହାରି ଆସିଲା । ସେ ମୁହୂର୍ତ୍ତକ ମଧ୍ୟରେ ମର୍ସିୟାକୁ ଚିହ୍ନିଲା ।

 

ଲସିନିୟସ୍ ମନେ ମନେ ଭାବିଲା, ‘‘ହଁ, ଏହିପ୍ରକାରେ ମାର୍କସ୍ ନିଜର ବାକ୍ୟ ପାଳନ କରେ, ଏହି ପ୍ରକାରେ ସେ ବନ୍ଦୀମାନଙ୍କର ତତ୍ତ୍ୱାବଧାନ ନିମନ୍ତେ ନୀରୋ ନିକଟରେ ଦାୟୀ ।’’ ମର୍ସିୟାକୁ ଦେଖି ପିଶାଚର ମୁଖ ହାସ୍ୟରେ କୁତ୍ସିତ ହୋଇଉଠିଲା । ଟିଗେଲିନସ୍ ଓ ନୀରୋର କାନ ପାଇଁ ଖବର ଦେବାର ଯଥେଷ୍ଟ ସୁଯୋଗ ମିଳଗଲା । ଯେଉଁ ବାଳିକା ପାଇଁ ମାର୍କସ ପାଗଳ, ସେ ତାର କରାୟତ୍ତା । ଏତେବେଳେ ତାର କର୍ତ୍ତବ୍ୟର ପଥ ପରିଷ୍କାର, ସେ ମର୍ସିୟାକୁ ପୁନର୍ବାର ବନ୍ଦୀ କରିବ ବୋଲି ସ୍ଥିର କଲା । ଅବଶ୍ୟ କେବଳ ‘‘ୟାଡ଼ିଲ’’ ହେବାରୁ ବନ୍ଦୀ କରିବାର କ୍ଷମତା ତାର ନ ଥିଲା, କିନ୍ତୁ ଟିଗେଲିନସ୍‍ର ଆଦେଶ ଅନୁସାରେ ଯେଉଁମାନେ ଉଦ୍ୟାନରେ ଧରା ପଡ଼ିଥିଲେ, ସେ ସମସ୍ତେ ଦଣ୍ଡର ଅଧୀନ । ଏହି ବାଳିକାକୁ ବନ୍ଦୀ କରିବା ଦ୍ୱାରା ସେ କେବଳ ସେହି ଆଦେଶ ପାଳନ କରିବ । ସେଥିପାଇଁ ମର୍ସିୟାକୁ ବନ୍ଦୀ କରିବ ବୋଲି ସ୍ଥିରକଲା ।

 

କାରୀରକ୍ଷୀଙ୍କ ଦଳ ଆଡ଼କୁ ଅଗ୍ରସର ହୋଇ ସେ କର୍କଶ ଭାବରେ ପଚାରିଲା–

 

“ଗୋଳମାଳର କାରଣ କଣ ? ଏ ସ୍ତ୍ରୀଲୋକ କିଏ ?”

 

ମର୍ସିୟା ଲିସିନିୟସକୁ ଚିହ୍ନି ପାରିଲା । ଭୟରେ ସଂକୁଚିତ ହୋଇଗଲା । ତାକୁ ଦେଖି ସେଷ୍ଟିୟାନ ସେତୁର ସମସ୍ତ କଥା ମର୍ସିୟାର ମନେ ପଡ଼ିଲା ।

 

କାରାରକ୍ଷୀଙ୍କ ମଧ୍ୟରୁ ପୂର୍ବୋକ୍ତ ଯୁବକ କହିଲା “ୟାଡ଼ିଲ, ଏ ଜଣେ ଖ୍ରୀଷ୍ଟିୟାନ ।’’

 

ଲିସିନିୟସ୍ ପଚାରିଲା, “ସେ ଏଠି କଣ କରୁଛି ?’’

 

ତାର ବନ୍ଧୁମାନଙ୍କ ସହିତ କାରାଗାରରେ ବାସ କରିବା ନିମନ୍ତେ ଅନୁମତି ପ୍ରାର୍ଥନା କରୁଛି ’’

 

‘‘ସତେ ? ଆଚ୍ଛା ତାକୁ ତାର ଇଛାନୁସାରେ ବନ୍ଦୀ କର ।’’ ସେତିକିବେଳେ ସେ ଯେମିତି ମର୍ସିୟାକୁ ଚିହ୍ନି ପାରିଲା, ସେହିପ୍ରକାର ଭାବରେ କହିଲା, ଓଃ ହେଲା, ହେଲା, ଆମର ପ୍ରିଫେକ୍‍ଟ ଯାହାର ତତ୍ତ୍ୱାବଧାନର ଭାର ନେଇଥିଲେ, ତୁମେ ସେହି ବାଳିକା । ତୁମର ଏ ସ୍ୱାଧୀନ ଗତିବିଧିର ଜବାବ୍ ତାଙ୍କୁ ଶୀଘ୍ର ଦେବାକୁ ପଡ଼ିବ ଯେ । ଦେଖ, କାରାରକ୍ଷୀଗଣ, ଏ ସ୍ତ୍ରୀଲୋକକୁ କାରାଗାରକୁ ନେଇଯାଅ ଏବଂ ସେ ଯେମନ୍ତ ପୁନର୍ବାର ଏଠାରୁ କୁଆଡ଼େ ନ ଯାଏ, ତହିଁ ପ୍ରତି ଦୃଷ୍ଟି ରଖ ।’’

 

ଏହି ପ୍ରକାରେ ମର୍ସିୟାକୁ କାରାରକ୍ଷୀଙ୍କ ହସ୍ତରେ ସମର୍ପଣ କରି ତାର ବନ୍ଦୀ ହେବାର ଖବର ଲସିନିୟସ୍ ଟିଗେଲିନସ୍‍କୁ ଦେବାକୁ ଗଲା । ଏଆଡ଼େ କାରାରକ୍ଷୀ ମର୍ସିୟାକୁ ନେଇ କାରାଗାରର ଅନେକ ଅପରିଷ୍କୃତ ଓ ଅପ୍ରଶସ୍ତ ଅନ୍ଧକାରମୟ ରାସ୍ତା ମଧ୍ୟ ଦେଇ ଅଗ୍ରସର ହେଲା । ଗୋଟାଏ ପ୍ରକାଣ୍ଡ ଲୌହକବାଟ ପାଖରେ ଉପସ୍ଥିତ ହୋଇ ଚାବି ଦେଇ କବାଟ ଫିଟାଇଲା । ମର୍ସିୟା ଭିତରକୁ ଗଲାରୁ କବାଟ ବନ୍ଦ ହେଲା ।

 

ଏହି ଗୃହରେ ସ୍ତ୍ରୀପୁରୁଷ ଆଦି କରି ଚାଳିଶ ଜଣ ଖ୍ରୀଷ୍ଟିୟାନ ଥିଲେ । ଷ୍ଟିଫାନସ୍ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲା । ସେ ଗୋଟାଏ କଣରେ କୁଟାଗଦା ଉପରେ ଶୋଇଥିଲା । ମାର୍କସ୍‍ର ଆଦେଶ ଅନୁସାରେ ତାର ଯତ୍ନ ନିଆ ହେଉଥିବାରୁ ତାର କ୍ଷତ ସମସ୍ତ ପ୍ରାୟ ସୁସ୍ଥ ହୋଇ ଅସିଥିଲା-। ଏମାନେ ସମସ୍ତେ ଏଠାରେ ବିଚାରକର୍ତ୍ତାର ଦଣ୍ଡର ଆଦେଶକୁ ଅପେକ୍ଷା କରୁଥିଲେ ।

 

ମର୍ସିୟାକୁ ଆପଣା ମଧ୍ୟରେ ପାଇ ଭାତୃଗଣଙ୍କର ଆନନ୍ଦ ଯେପରି ହେଲା, ଦୁଃଖ ମୟ ସେହିପରି ହେଲା । ଗୃହ ଖୁବ ପ୍ରସସ୍ତ, ଚଟାଣ ଓ କାନ୍ଥ ପଥରରେ ଛାଉଣିକରା ଏବଂ ପଥରର ବେଞ୍ଚ ଗୃହର ଚତୁର୍ଦ୍ଦିଗରେ ନିମତ ହୋଇଥିଲା । ସେମାନଙ୍କର ଆଦର ପାଇ ମର୍ସିୟା କାରାଗୃହରେ ଯେ ଅଛି, ଏ କଥା କ୍ଷଣକ ନିମିତ୍ତ ଭୁଲିଗଲା ଏବଂ ସେମାନଙ୍କ ମଧ୍ୟରେ ବିଚରଣ କରି ସେବାପରାୟଣ ସ୍ଵର୍ଗଦୂତ ପରି ସହାନୁଭୂତି ଓ ସାହସ ବାଣ୍ଟିବାକୁ ଲାଗିଲା । ଗୁହର ଅନ୍ଧକାରରେ ଚକ୍ଷୁ ଅଭ୍ୟସ୍ତ ହୋଇଯିବାରୁ କୋଣରେ କୁଟାଗଦା ଉପରେ ଷ୍ଟିଫାନସ୍‍ଙ୍କୁ ଦେଖି ତା ଆଡ଼କୁ ଦଉଡ଼ି ଗଲା ଏବଂ ତା ପାଖରେ ବସି ଅତି ଯତ୍ନରେ ତାର ମସ୍ତକ ନିଜ କ୍ରୋଡ଼ ଉପରେ ରଖି ତାର ସମସ୍ତ ଦୁଃଖର କଥା କହିବାକୁ ତାକୁ ଅନୁରୋଧ କଲା । ବାଳକ କିନ୍ତୁ ବେକଳ କ୍ରନ୍ଦନ କରିବାରୁ ଲଗିଲା । ସେ ଯେ ସେମାନଙ୍କୁ ଶତ୍ରୁ, ହସ୍ତରେ ସମର୍ପଣ କରିଛି, ଏହା କହିବାରୁ ତା ମୁହଁରେ କଥା ଆସିଲା ନାହିଁ । ଷ୍ଟିଫାନସକୁ ଛୁଇଁବାବେଳେ ତାକୁ ଏ ପ୍ରକାର ଥରିବାର ଦେଖି ତାର ବଡ଼ କଷ୍ଟ ହେଉଛି ଏହା ମର୍ସିୟା ବୁଝିଲା, ପଚାରିଲା, “ ଷ୍ଟିଫାନସ୍, ମୋ ଭାଇଟି ପରା, ତୋର କଣ ହୋଇଛି, କହ ।’’

 

ଷ୍ଟିଫାନମ କେବଳ କାନ୍ଦିବାକୁ ଲାଗିଲା । ମର୍ସିୟା ପୂର୍ବାପେକ୍ଷା କୋମଳ କଣ୍ଠରେ କହିଲା, ‘‘ମୁଁ ପରା ତୋର ଭଉଣୀ, ମୋତେ କହିବୁ ନାହିଁ ?” ମେଲସ୍ ମଧ୍ୟ ସେଠାରେ ବନ୍ଦୀ ହୋଇଥିଲା, ସେ କହିଲା, “ମର୍ସିୟା, ତାକୁ ଯନ୍ତ୍ରଣା ଦିଆହୋଇଛି ।’’ ମର୍ସିୟା ପଚାରିଲା, ଯନ୍ତ୍ରଣା ? କି ଯନ୍ତ୍ରଣା ? ମୋ ଷ୍ଟିଫାନସ୍‍କୁ ଯନ୍ତ୍ରଣା କାହିଁକି କିଏ ଦେଲା ?

 

ବାଳକକୁ ତାର ବିଶ୍ୱାସଘାତକତାର କଥା ଆବୃତ୍ତ କରାଇ ପୁନର୍ବାର ମନଃକଷ୍ଟ ଦେବାକୁ ଇଚ୍ଛା ନ କରି ମେଲସ୍ ଧୀରଭାବରେ କହିଲା, “ଏହିକ୍ଷଣି ତାକୁ ସେ ବିଷୟ ପଚାର ନାହିଁ । ଡାକ୍ତର ତାକୁ ଏହିକ୍ଷଣି ଦେଖି ଯାଇଛନ୍ତି ସେ ବର୍ତ୍ତମାନ ବଡ଼ ଦୁର୍ବଳ, ବିଶ୍ରାମ କରୁ, ପରେ ତୁମକୁ ସବୁ କହିବ ।”

 

ଏହିପର ସେହି ସମୟ ନିମିତ୍ତ ସେମାନେ ବାଳକକୁ ଦୋଷ ସ୍ୱୀକାର କଷ୍ଟରୁ ଅବ୍ୟାହତି ପ୍ରଦାନ କଲେ । ଷ୍ଟିଫାନସ୍‍ର ଏ ନିରୁତ୍ତରତାର କୌଣସି ବିଶେଷ କାରଣ ଥାଇପାରେ, ଏହା ମନେ କରି ମର୍ସିୟା ସେ ବିଷୟରେ ତାକୁ ଆଉ ପୀଡ଼ାପୀଡ଼ି କଲା ନାହିଁ। ତତ୍ପରେ ନିକଟବର୍ତ୍ତୀ ପାତ୍ରର ଜଳରେ ଅଞ୍ଚଳ ବୁଡ଼ାଇ ବାଳକର ଉଷ୍ଣକପାଳ ସିକ୍ତ କରିବାକୁ ଲାଗିଲା । ତାହାର ଶାନ୍ତିହାରୀ କୋମଳ ଓ ଶୀତଳ ହସ୍ତ ସଂସ୍ପର୍ଶରେ ବାଳକର ତନ୍ଦ୍ରାକର୍ଷଣ ହେଲା ଏବଂ ଶୀଘ୍ର ନିଦ୍ରାର କ୍ରୋଡ଼ରେ ସେ ବିଶ୍ରାମ ଲାଭ କଲା । ଯନ୍ତ୍ରଣାର ଦିନଠାରୁ ଏପର୍ଯ୍ୟନ୍ତ ଏପ୍ରକାର ନିଦ୍ରା ସେ ଉପଭୋଗ କରି ନ ଥିଲା । ବାଳକର ଯେପରି ନିଦ୍ରାଭଙ୍ଗ ନ ହୁଏ ଏଥିପାଇଁ ଅତି ସତର୍କତାର ସହିତ ମର୍ସିୟା ଊରୁରୁ ତାର ମସ୍ତକ ଓଲ୍ଲାଇ ତଳେ ରଖିଦେଲା । ସାହାଯ୍ୟ ଓ ସାନ୍ତ୍ୱନା ଦେବାକୁ ଅନ୍ୟାନ୍ୟ ରୋଗାତୁରଙ୍କ ନିକଟକୁ ଉଠିଗଲା । ମର୍ସିୟାର ଉପସ୍ଥିତିରେ ଗୃହସ୍ଥ ପ୍ରତ୍ୟେକ ଲୋକ ଓ ଆନନ୍ଦର ସାହଚର୍ଯ୍ୟ ପାଇଲେ । ମାର୍କସ ଯେଉଁ ସମୟରେ ମର୍ସିୟା ପ୍ରଣୟର ରହସ୍ୟ ଅଳାପ ଶୁଣାଇବ ଓ ଆପଣାର ଅଭିଳାଷ ଚରିତାର୍ଥ କରିବ ବୋଲି ମନେ କରିଥିଲା, ସେହି ସମୟ ମର୍ସିୟା ଆହତ, ପୀଡ଼ିତ ଶୋକାତୁରଙ୍କ ସେବାରେ ଅତିବାହିତ କଲା ।

 

ଅପରର ଅଭାବ ମୋଚନରେ ବ୍ୟସ୍ତ ରହି ମର୍ସିୟା ନିଜର ବିପଦ ଆପଦ ଭୁଲିଗଲା । ସେ ଯେ ନିଜର ବିପଦ ସମ୍ୟକ୍ ବୁଝି ନ ଥିଲା, ତାହା ନୁହେଁ । ସେ ଜାଣିଥିଲା, ମାର୍କସ୍ କତିରୁ ପଳାଇ ଆସିବା ଦ୍ୱାରା ସେ ନିଶ୍ଚିତ ମୃତ୍ୟୁର ଶରଣ ନେଇଛି, କିନ୍ତୁ ପରର ସେବା କରିବା ତାହାର ସ୍ୱଭାବ, ଅନ୍ୟର ଦୁଃଖ ଦେଖିଲେ ନିଜର ଦୁଃଖ ସେ ସହଜରେ ଭୁଲିଯାଏ । ଏହା ଉପରେ ପୁଣି ଧର୍ମବିଶ୍ୱାସ: ସକାଶେ ମୃତ୍ୟୁକୁ ଭୟ କରିବାକୁ ସେ କେବେ ଶିଖି ନ ଥିଲା, ବରଂ ଏପ୍ରକାର ମୃତ୍ୟୁରେ ତାର , ତ୍ରାଣକର୍ତ୍ତାଙ୍କର ଗୌରବ ହେବ ଜାଣି ତାକୁ ଶ୍ଲାଘର ବିଷୟ ମନେ କରୁଥିଲା । ପିତାମାତାଙ୍କର ମୃତ୍ୟୁ ଦିନ ପର୍ଯ୍ୟନ୍ତ ତାର ଘଟନାବିରଳ ସରଳ ଜୀବନ ଶାନ୍ତି ଏବଂ ନିରୁଦ୍‍ବେଗରେ କଟି ଯାଇଥିଲା । କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ଘଟନାଜାଲ ତାର ଜୀବନର ଚତୁର୍ଦ୍ଦିଗରେ ଜଟିଳ ହେବାକୁ ଲାଗିଲା । ଷଡ୍‍ରିପୁର ଷଡଯନ୍ତ୍ର ପ୍ରବଳ ହୋଇ ଉଠିଲା । କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମାର୍କସ୍, ପୋପିୟା, ବେରେନିସ୍, ଟିଗେଲିନସ୍ ଓ ଲିସିନିୟସ୍‍କୁ ଆଶ୍ରୟ କରି ମର୍ସିୟାର ବିନାଶ ନିମନ୍ତେ ବିପୁଳ ଆୟୋଜନ କରିବାକୁ ଲାଗିଲେ । ଏ ଅବସ୍ଥାରେ ତାକୁ ଆଶ୍ରୟ ଦେବା ନିମିତ୍ତ କେହି ନ ଥିଲେ - କେହି ମୃତ, କେହି ଅବା କାରାଗାରରେ ନିକ୍ଷିପ୍ତ ।

 

ମର୍ସିୟା ଏ ସମସ୍ତ ବୁଝିଲା, କିନ୍ତୁ ସ୍ୱାର୍ଥପରତାର ପଙ୍କରୁ ତାର ଉଚ୍ଚପ୍ରାଣତା ତାକୁ ଅନେକ ଉର୍ଦ୍ଧ୍ୱରେ ରଖିଥିଲା । କିନ୍ତୁ ଦୁଃଖିଙ୍କର ସେବା କରିବାରେ ସେ ଯେ ତାର ପ୍ରଭୃଙ୍କର ଆଦେଶ ପାଳନର ସୁଯୋଗ ପାଇଛି ଏବଂ ଯେଉଁ ଲୋକ ତାର ଦେହ ଓ ଆତ୍ମାକୁ କଳୁଷିତ କରିବାକୁ ଚେଷ୍ଟା କରିଥିଲା, ତାହାଠାରୁ ରକ୍ଷା ପାଇଛି, ଏହାହିଁ ତା ପକ୍ଷରେ ଯଥେଷ୍ଟ । ତଥାପି ଏ ସମସ୍ତ ନିମନ୍ତେ ସେ ଯେତେବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲା, ସେତେବେଳେ ମଧ୍ୟ ଜାଣିଥିଲା, ଏହି ଲୋକକୁ ସେ ଆପଣାର ସମସ୍ତ ହୃଦୟ ଦେଇ ପ୍ରେମ କରୁଛି ।

 

 

ମର୍ସିୟାକୁ କାରାରକ୍ଷୀଙ୍କ ହସ୍ତରେ ଦେଇ ଲିନିୟସ, ଦୌଡ଼ିଲା ଟିଗେଲିନିସ୍‍କୁ ଏ ସଂବାଦ ଦେବାକୁ । ଏ ସଂବାଦ ଯେ ଟିଗେଲିନିସ୍‌ର ସୁଖଶ୍ରାବ୍ୟ ହେବ ଏଥିରେ ତାର ସନ୍ଦେହ ନ ଥିଲା । ଯେତେବେଳେ ଟିଗେଲିନସ୍ ପାଖରେ ପହଞ୍ଚିଲା ସେତେବେଳେ ଟିଗେଲିନସ୍ ନୀରୋ ଆଭର୍ନମଠାରୁ ଅଷ୍ଟ୍ରିୟା ପର୍ଯ୍ୟନ୍ତ ଯେ ନାଳ ଖୋଳିବାକୁ ଇଚ୍ଛା କରିଥିଲା, ସେ ସମ୍ବନ୍ଧରେ ବାରିକମିସ୍ତ୍ରୀଙ୍କ ସଙ୍ଗରେ ପରାମର୍ଶ କରିବାରେ ବ୍ୟସ୍ତ । ଲିସିନିୟସ୍‍କୁ ଦେଖି ସେହି ସମୟ ସକାଶେ ଟିଗେଲିନସ୍ ବାରିକମିସ୍ତ୍ରୀଙ୍କୁ ବିଦାୟ ଦେଇ ପଚାରିଲା, ଲିସିନିୟସ୍, କଥା କଣ ? ସବୁ ଭଲ ତ ?

 

ଭଲ, ଯଦି ତୁମ ଶତ୍ରୁଙ୍କର କାର୍ଯ୍ୟ ନଷ୍ଟ ହେଲେ ଭଲ ହୁଏ ।

 

କଣ ମାର୍କସ୍‍ର କଥା କହୁଛି ?

 

ଟିଗେଲିନସ୍ ର ଶତ୍ରୁ ହୋଇ ଛିଡ଼ା ହେବାକୁ ଯୋଗ୍ୟ ତା ଛଡ଼ା ଏପରି କ୍ଷମତାପନ୍ନ ଲୋକ ଆଉ କିଏ ଅଛି ?”

 

ତେବେ କଥା କଣ ?

 

ମର୍ସିୟା କଥା ।’

 

‘‘ମର୍ସିୟା ସମ୍ୱନ୍ଧରେ କି କଥା ?’’

 

‘‘ସେ ତୁମ ନିକଟରେ ପ୍ରତିଜ୍ଞା କରିଥିଲା ନା ମର୍ସିୟାର ଉଚିତ ତତ୍ତ୍ୱାବଧାନ ନିମିତ୍ତ ସେ ଦାୟୀ ?’’

 

“ହଁ, ସେଷ୍ଟିୟାନ ଉଦ୍ୟାନରେ ତ କରିଥିଲା ।”

 

“ବର୍ତ୍ତମାନ ସେ ମର୍ସିୟାକୁ ଛାଡ଼ି ଦେଇଛି ।

 

‘ଛାଡ଼ି ଦେଇଛି ? ଠିକ୍ ଜାଣ ?’’

 

‘‘ଠିକ୍ ଜାଣେ ।’’

 

‘‘ଏମନ୍ତ ?’’ ଏହା କହିବା ସଙ୍ଗେ ସଙ୍ଗେ ଟିଗେଲିନସ୍‌ର ମୁଖ ଜିଘାଂସାର କ୍ରୁର ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠିଲା । ଏ ସମ୍ବାଦ ବ୍ୟସ୍ତବିକ୍ ତା ନିକଟରେ ବଡ଼ ପ୍ରିୟ । ନୀରୋର ଆଦେଶର ସମ୍ପୂର୍ଣ୍ଣ ଅବମାନନା, କର୍ତ୍ତବ୍ୟର ଅବହେଳା, ରାଜଦ୍ରୋହୀ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ, ନୀରୋ ଏ ସମସ୍ତ କଥା ଜାଣିପାରିଲେ ନିଜର ସମ୍ମାନରକ୍ଷା ନିମନ୍ତେ ରାଜାଜ୍ଞା ଅବହେଳାକାରୀ ପ୍ରତି ଆଦର୍ଶ ଶାସ୍ତିର ବ୍ୟବସ୍ଥା କରିବ । ଟିଗେଲିନସ୍ କହିଲା, ‘‘ଲିସିନିୟସ୍, ତୁମେ ଯାହା ଯାହା ଜାଣ, କହ ।’’ ମାର୍କସ୍‌ର କାର୍ଯ୍ୟର ଅବହେଳା ଯାହା ସତ୍ୟ ତାହା ଅପେକ୍ଷା ଯେପରି ଏକ ସୁସ୍ପଷ୍ଟ ଏବଂ ତାହା ଜାଣି ଟିଗେଲିନସ୍ ଯେଉଁ ଅଧିକ ସନ୍ତୁଷ୍ଟ ହୁଏ, ସେ ନିମିତ୍ତ ଯାହା କାଣିଥିଲା ଏବଂ ତାହା ଜାଣି ନ ଥିଲା ସେ ସବୁ ଲିସିନିୟସ୍‌ ମନରୁ ଉଦ୍ଭାବନ କରି କହିବାକୁ ଲାଗିଲା । କଥା ଶେଷ ହେଲାରୁ ଟିଗେଲିନସ୍ ପଚାରିଲା–

 

‘‘ବର୍ତ୍ତମାନ ସେ କାରାଗାରରେ ବନ୍ଦୀ ?’’

 

‘‘ହଁ’’,

 

‘‘ଯେଉଁଠି ଉଦ୍ୟାନରୁ ଧରା ହୋଇଥିବା ଅନ୍ୟାନ୍ୟ ଖ୍ରୀଷ୍ଟିୟାନମାନେ ବନ୍ଦୀ ?’’

 

‘‘ହଁ ।’’

 

‘‘କିନ୍ତୁ ଦେଖ, ମାର୍କସ୍ ସହିତ କାରବାର କଲାବେଳେ ଯେପରି ଆମ ଆଡ଼ୁ, ଟିକିଏ ଭୁଲ ନ ହୁଏ । ତାକୁ ବନ୍ଦୀ କରିବାକୁ ତୁମର ତ ଅଧିକାର ନାହିଁ, ତାହାହେଲେ ଏ ହେଲା କେମିତି ?’’

 

‘‘ବଡ ସହଜରେ ହେଲା । ବାଳକ ଅନ୍ୟାନ୍ୟ ବନ୍ଦୀମାନଙ୍କ ସହିତ ବନ୍ଦୀ ହୋଇ ରହିବାକୁ ଅନୁମତି ଭିକ୍ଷା କରୁଥିବା ସମୟରେ ମୁଁ ଆସି ପହଞ୍ଚିଲି ।’’

 

‘‘ତା ପରେ ?’’

 

‘‘ଏହା ଉପରେ ପୁଣି ତୁମର ଆଦେଶ ।’’ ଟିଗେଲିନସ୍ ବାଧା ଦେଇ କହିଲା, “ମୋ ଆଦେଶ ! ମୋ ଆଦେଶ ଗାଧୋଇଗଲା ! ମୁଁ ଯେ କୌଣସି ବ୍ୟକ୍ତିଗତ ଶତ୍ରୁତାରେ ପରିଚାଳିତ ହୋଇ ପ୍ରିଫେକ୍‌ଟର ବିରୁଦ୍ଧତା କରୁ ନାହିଁ, ଏହା ହିଁ ମୋର ବ୍ୟବହାରରେ ମୋତେ ଦେଖାଇବାକୁ ହେବ । ଏ କଥା ଭୁଲିବାକୁ ହେବ ନାହିଁ ଯେ, ମାର୍କସ୍‌ ନୀରୋର ଅନୁଗ୍ରହର ପାତ୍ର, ଆଉ ସେ ରାଜ୍ୟ ଅବା ପ୍ରାଣ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ, ଏ କଥା ନୀରୋ ସହଜରେ ବିଶ୍ୱାସ କରିବ ନାହିଁ । କିନ୍ତୁ ଯଦି କେବେ ନୀରୋ ମାର୍କସ୍‍ର ଅନିଷ୍ଟ କରିବାକୁ ହାତ ଉଠାଏ, ସେ କେବଳ ତା ଜୀବନ ବିଷୟରେ ତା ମନରେ ସଂଶୟ ଘଟାଇ ପାରିଲେ ସମ୍ଭବ ହେବ ।’’ ଏହା କହି ଚିନ୍ତାନିମଗ୍ନ ଟିଗେଲିନସ୍‌, ଗୃହ ମଧ୍ୟରେ ପାଦଚାରଣ କରିବାକୁ ଲାଗିଲା । ଲିସିନିୟସ୍‌ ମହାନ୍ ଧୂର୍ତ୍ତ । ସେ ଟିଗେଲିନସ୍‍ର ଚିନ୍ତାରେ ବାଧା ନ ଦେଇ କେବଳ ଚୁପ୍‌ଚାପ୍‌ ରହିଲା ।

 

ଅଳ୍ପକ୍ଷଣ ପରେ ଟିଗେଲିନସ୍‌ ପୁନର୍ବାର କହିବାକୁ ଲାଗିଲା, ‘‘ଲିସିନିୟସ୍, ମାର୍କସ୍ ଯେ ବାଳିକା ପ୍ରତି ଆସକ୍ତ, ସେଥିରେ ସନ୍ଦେହ ନାହିଁ । ତାହା ନ ହୋଇଥିଲେ ସେ ତାକୁ ମୁକ୍ତି ପ୍ରଦାନ କରି ନ ଥାନ୍ତା । କିନ୍ତୁ ନୀରୋ ସମ୍ମୁଖରେ ସେ ସେ କଥା ସ୍ୱୀକାର ନ କରି ବରଂ କହି ପାରେ,ଏ ବାଳିକାର ଅନ୍ୟାନ୍ୟ ବନ୍ଧୁମାନଙ୍କୁ ବନ୍ଦୀ କରିବା ନିମିତ୍ତ ସେ ତାକୁ କିଛି ସମୟ ନିମିତ୍ତ ଛାଡ଼ିଦେଇ ପ୍ରତାରଣାର ଜାଲ ବିସ୍ତାର କରିଛି । ଅତଏବ କେବଳ ଏହି ପ୍ରେମର କଥା ଉପରେ ନିର୍ଭର କରି ଅଗ୍ରସର ହେବ। ନିରାପଦ ନୁହେଁ । ଯଦି ଆମ୍ଭେମାନେ ଏହି ବାଳିକାକୁ କୌଣସି ବିଶେଷ ବିପଦରେ ପକାଇବାବେଳେ ତହିଁରୁ ଉଦ୍ଧାର କରିବାକୁ ମାର୍କସ୍ ନୀରୋର ଆଦେଶବିରୁଦ୍ଧ କାର୍ଯ୍ୟ କରିବାକୁ ପ୍ରଲୋଭିତ ହୁଏ, ତାହାହେଲେ ସେ ଆମ୍ଭମାନଙ୍କ କବଳକୁ ଆସିବ ।’’

 

“ତେବେ କରିବା କଣ ?’’

 

ଟିଗେଲିନସ୍‍ ନିଷ୍ଠୁରତାର କୁଟିଳ ହାସ୍ୟ କରି କହିଲା ‘‘ଲିସିନିୟସ୍‍ ଯନ୍ତ୍ରଣାଗୃହ କଥା ଭୁଲିଗଲଣି କି ?’’

 

‘‘ଠିକ୍‍ ଠିକ୍‍ ।’’

 

ଟିଗେଲିନସ୍, କହିଲା, ‘‘ମାର୍କସ୍‌ ଯେଉଁ ବାଳକକୁ ଆମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିଥିଲା, ଭୟପ୍ରଦର୍ଶନ ଓ ଯନ୍ତ୍ରଣାରେ ସ୍ତ୍ରୀଲୋକମାନେ ଯେ ତାହା ଅପେକ୍ଷା ଅତିଶୀଘ୍ର ସଂକଳ୍ପଭ୍ରଷ୍ଟ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ । ସେଥିପାଇଁ ଏ ବାଳିକା ମୁଁହଁରୁ ତାହାର ସଙ୍ଗିମାନଙ୍କର ନାମ ଅତି ସହଜରେ ବାହାର କରି ହେବ । ଆଉ ଗୋଟିଏ ପ୍ରୟୋଜନୀୟ ଖବର ତା ପାଖରୁ ମିଳିବ, ଅର୍ଥାତ୍ ସମ୍ରାଟଙ୍କର ପୁଣ୍ୟପ୍ରାଣର ପ୍ରତିହାରୀ ରୋମର ପ୍ରିଫେକ୍‍ଟ ତା ପ୍ରତି ପ୍ରେମାଶକ୍ତ ହୋଇ ତାକୁ ମୁକ୍ତି ପ୍ରଦାନ କରିଛନ୍ତି, ଏହାହିଁ ତାହାର ମୁହଁରେ ସ୍ୱୀକାର କରାଇ ନେବାକୁ ହେବ । କଣ କହୁଛ, ଲିସିନିୟସ୍, କେମିତି ହେବ ?

 

ଲିସିନିୟସ୍ କହିଲା, ‘‘ଚମତ୍କାର ପ୍ରସ୍ତାବ’’ ମାର୍କସ୍‌ର ଆସନ୍ନ ବିପଦ ବାଳିକାର ଭାବୀ ଯନ୍ତ୍ରଣା କଳ୍ପନା କରି ଦୁଇବନ୍ଧୁ ମଧ୍ୟରେ ପୈଶାଚିକ ହାସ୍ୟର ପ୍ରତିଯୋଗିତା ଲାଗିଗଲା । ଟିଗେଲିନସ୍‌ କହିଲା, ‘‘ଲିସିନିୟସ, ଡେରି କରି କିଛି ଲାଭ ନାହିଁ, ଆସ କାରାଗାରକୁ ଯିବା ଏବଂ ଯାଉ ଯାଉ କଥାବାର୍ତ୍ତା କରି ପାରିବା ।’’

 

ମାର୍କସ୍‌ର ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ମର୍ସିୟା ଯେଉଁ କାରାଗାରରେ ଆଶ୍ରୟ ନେଇଥିଲା, ସେ ଆଡ଼କୁ ଟିଗେଲିନସ୍‌ ଓ ଲିସିନିୟସ୍ ଅଗ୍ରସର ହେଲେ ।

 

ମର୍ସିୟାର ଅନ୍ୱେଷଣରେ ବାରମ୍ବାର ବିଫଳ-ମନୋରଥ ହେବାରୁ ମାର୍କସ୍‌ ନିତାନ୍ତ ଅଧୈର୍ଯ୍ୟ ହୋଇ ଉଠିଲା । ନଗରର ପ୍ରତ୍ୟେକ ଅଂଶରେ ଲୋକ ଖୋଜୁଥିଲେ, କିନ୍ତୁ କୌଣସି ସ୍ଥାନରେ ତାହାର ସନ୍ଧାନ ମିଳିଲା ନାହିଁ । ଯଦିବା କାରାଗାର ପାଖ ଦେଇ ସେମାନେ ଅନେକ ଥର ଯାତାୟାତ କରିଥିଲେ, ସେଠି ଖୋଜିବାକୁ କାହାର ମନେ ପଡ଼ିଲା ନାହିଁ । ସେଥିପାଇଁ ମର୍ସିୟାକୁ ଯେତେବେଳେ ଲୋକେ ସମସ୍ତ ସହର ଖୋଜି ବୁଲୁଥିଲେ, ସେତେବେଳେ ମର୍ସିୟା ମାର୍କସ୍‍ର ଅତି ନିକଟରେ–ଏତେ ନିକଟରେ ଯେ, ଜୋରରେ କଥା କହିଲେ ଶୁଭିବ । ପରିଶ୍ରାନ୍ତ ମାର୍କସ୍‌ ନିତାନ୍ତ ନିଃସହାୟ ପରି ଗୃହ ପ୍ରାଙ୍ଗଣରେ ପଦଚାରଣା କରୁଥିଲା । ଗତ ଚବିଶ ଘଣ୍ଟା ମଧ୍ୟରେ ଖାଦ୍ୟଦ୍ରବ୍ୟ ଅସ୍ପୃଷ୍ଟ, ନିଦ୍ରା ସହିତ ସାକ୍ଷାତ୍‌ ନାହିଁ । ଦାସଦାସୀମାନେ ଭୋଜନ କରିବାକୁ ଅନୁରୋଧ କଲେ ସେମାନଙ୍କ ଉପରେ ବିରକ୍ତ ହୋଇ ଦୂର କରି ଦେଉଥିଲା; କିନ୍ତୁ ଯଥେଷ୍ଟ ମଦ୍ୟପାନ କରୁଥିଲା, ସେଥିପାଇଁ ତାର କ୍ରୋଧ ଓ ପଶୁବୃତ୍ତି ଚରିତାର୍ଥ କରିବାର ବାସନା ପ୍ରବଳ ହୋଇ ଉଠିଲା । ଯାହାକୁ ଏଯାବତ୍ କୌଣସି ସ୍ତ୍ରୀର ଅନ୍ୱେଷଣ କରିବାକୁ ହୋଇ ନାହଁ , ବରଂ ସେ ରୋମର ସୁନ୍ଦରୀଙ୍କ ଦ୍ୱାରା ନିଜେ ଅଯାଚିତ ଭାବରେ ଅନୁସୃତ ହୋଇଛି, ଏହି ବାଳିକା ତାର ସଙ୍ଗସୁଖକୁ ଏତେ ହୀନ ମନେକଲା ଯେ, ନିଜର ଜୀବନକୁ ମୃତ୍ୟୁର ବିପଦରେ ବିପଦ୍‌ଗ୍ରସ୍ତ କରିବାକୁ ସୁଦ୍ଧା କୁଣ୍ଠିତ ହେଲା ନାହିଁ, ଏହି କଥା ଭାବି ସେ କ୍ରୋଧରେ ଜଳି ଉଠିଲା । ଏ କ୍ରୋଧ କେବଳ ତାର ପଶୁଭାବକୁ ଉତ୍ତେଜିତ କଲା । ତେଣୁକରି ତାର ଏ ଅବଜ୍ଞାର ସମୁଚିତ ପ୍ରତିଶୋଧ ନେବାକୁ ଅନ୍ତତଃ ସେ ତାକୁ ଖୋଜି ବାହାର କରିବାକୁ ଦୃଢ଼ପ୍ରତିଜ୍ଞ ହେଲା । କିନ୍ତୁ ଏ କ୍ରୋଧର ପାତ୍ର ମର୍ସିୟା କେଉଁଠି ?

 

ଏ କଣ ? ଏ କେଉଁ ସୁସ୍ପଷ୍ଟ, ସୁମଧୁର ସ୍ଵରଲହରୀ କାରାଗୃହରୁ ସ୍ୱର୍ଗୀୟ ସଙ୍ଗୀତ ଭସାଇ ଆଣୁଛି ? ଏ ସ୍ଵରଲହରୀ କାହାର ? ମାର୍କସ୍ ଉତ୍କର୍ଣ୍ଣ ହୋଇ ଶୁଣିଲା । ସନ୍ଦେହ ଭାଙ୍ଗିଲା, ଜାଣିଲା ମର୍ସିୟାର ସମସ୍ତ କ୍ରୋଧ ମର୍ସିୟାର ପୁନଃପ୍ରାପ୍ତିର ଆନନ୍ଦରେ ଭାସିଗଲା । ସେ ମନେ କଲା, ତାହାହେଲେ ମର୍ସିୟା ତା ନିକଟରୁ ପଳାଇ ଯାଇ ନାହିଁ, କେବଳ ପୀଡ଼ିତ ବନ୍ଧୁମାନଙ୍କର ସେବା ଶୁଶ୍ରୂଷା ପାଇଁ କାରାଗାର ଯାଇଛି । ଘରର ଫାଟକକୁ ଦୌଡ଼ିଯାଇ ଶରୀରରକ୍ଷୀକୁ ପଛରେ ଆସିବାକୁ କହି ଏକାବେଳକେ ଆସି କାରାଗାର ଦ୍ୱାରରେ ଉପସ୍ଥିତ ହେଲା, ଏବଂ ଖ୍ରୀଷ୍ଟିୟାନମାନେ ଯେଉଁ ଗୃହରେ ବନ୍ଦୀ ହୋଇଥିଲେ, ସେଆଡ଼କୁ ଯିବାକୁ କରାରକ୍ଷୀକୁ ଆଦେଶ ଦେଲା । କାରାରକ୍ଷକ ମାର୍କସ୍‍ର କ୍ଷମତା ଜାଣି ସମ୍ମାନ ସହିତ ନତମସ୍ତକରେ ତାର ଆଦେଶ ପାଳନ କଲା ଏବଂ ତାକୁ ଖ୍ରୀଷ୍ଟିୟାନମାନଙ୍କ କତିକି ନେଇଗଲା ।

 

ଉନ୍ମୁକ୍ତଦ୍ୱାରରେ ଛିଡ଼ା ହୋଇ ମାର୍କସ୍ ମର୍ସିୟାକୁ ଦେଖିଲା, ହୃଦୟର ଅନନୁଭୂତ ଆନନ୍ଦରେ ଶରୀର ସ୍ପନ୍ଦିତ ହେଲା । ଦେଖିଲା, ମର୍ସିୟା ଅବନତଜାନୁରେ ଆସୀନା, ମୁଖ ଗୃହ ପ୍ରାଚୀରର ଯେଉଁ ବାଟ ଦେଇ ଆଲୋକରଶ୍ମୀ ପ୍ରବେଶ କରୁଥିଲା ସେ ଆଡ଼କୁ, ଚକ୍ଷୁ ମୁଦ୍ରିତ, ହସ୍ତ ଅଞ୍ଜଳିବଦ୍ଧ, ଆଉ ଯେଉଁ ଗାନରେ ସେ ବିଭୁପଦରେ ଆତ୍ମନିବେଦନ କରୁଥିଲା, ତାହା କୋକିଳଧ୍ୱନି ପରି ପୀୟୂଷ ବଷଣୀ । ମର୍ସିୟାର ଏହି ଭକ୍ତିବିହ୍ୱଳ ସ୍ପନ୍ଦନହୀନ ମୂର୍ତ୍ତି ଦେଖି ମାର୍କସ୍ ସ୍ତମ୍ଭିତ ହେଲା । ଅଜ୍ଞାତସାରରେ ହୃଦୟ ଭକ୍ତି ଏବଂ ସମ୍ମାନ୍ନରେ ନଇଁପଡ଼ିଲା । ଏହି ସାତ୍ତ୍ୱିକ ଅନୁଭୂତି ତା ପକ୍ଷରେ ବଡ଼ ବିସ୍ମୟକର । ଥରେ ଫାଭିୟସର ମୃତ୍ୟୁରେ ତା ପ୍ରାଣ ଭକ୍ତିରସରେ ଏହିପରି ଅଭିଷିକ୍ତ ହୋଇଥିଲା । ତାର ମନେ ହେଲା, ଯେମିତି କୌଣସି ଅଦୃଷ୍ଟ, ଅଜ୍ଞାତ, ଅପରିମିତ ଶକ୍ତିସ୍ରୋତ ତାର ପ୍ରାଣ ଉପର ଦେଇ ପ୍ରବାହିତ ହେଉଛି ।

 

ମର୍ସିୟାର ଗାନ ବନ୍ଦ ହେଲା । ମାର୍କସ୍‌ର ଉପସ୍ଥିତିର ଅନିବାର୍ଯ୍ୟ ଆକର୍ଷଣରେ ଆକୃଷ୍ଟ ହୋଇ ପଛଆଡ଼କୁ ଅନାଇ ଯାହାକୁ ସେ ଏତେ ପ୍ରେମ ଏବଂ ଏପରି ଭୟ କରୁଥିଲା, ସେହି ମାର୍କସ୍‌କୁ ସମ୍ମୁଖରେ ଦେଖିଲା । ସଙ୍ଗରେ ଯିବା ନିମିତ୍ତ ମାର୍କସ୍ ଦୃଢ଼ ଅଥଚ ମୃଦୁ ଭାବରେ ଆଦେଶ ଦେଲା । ମର୍ସିୟା ଅତ୍ୟନ୍ତ ଅନୁମୟ କରି କହିଲା, ‘ମୋତେ ଦୟ। କରି ମୋର ଏହି ଭ୍ରାତୃଗଣଙ୍କ ସଙ୍ଗରେ ରହିବାକୁ ଦିଅ !’ ମାର୍କସ୍ ଧୀର ଭାବରେ କହିଲା, ‘ତାହା ହୋଇ ପାରିବ ନାହିଁ । ତୁମକୁ ଏଠାରୁ ମୋ ସଙ୍ଗରେ ଯିବାକୁ ହେବ ।’ ଆପତ୍ତି ଓଜର ବୃଥା ଜାଣି ସେ ତାର ବନ୍ଧୁମାନଙ୍କ ଆଡ଼କୁ ଅନାଇଲା । ସେମାନେ ତା ନିମନ୍ତେ ନୀରବରେ ଅଶ୍ରୁମୋଚନ କରୁଥିଲେ । ସେମାନଙ୍କୁ କହିଲା–‘‘ଭାଇମାନେ, ମୋର ଭବିଷ୍ୟତ ନିମିତ୍ତ ଭୀତ ହୁଅ ନାହିଁ । ମୋର ପ୍ରଭୁ ମୋତେ ସମସ୍ତ ଅମଙ୍ଗଳରୁ ରକ୍ଷାକରିବେ । ଆଉ ଯଦିବା ଏହି ଦୁଃଖମୟ ଓ ତାଡ଼ନାପୂର୍ଣ୍ଣ ସଂସାରରେ ଆମ୍ଭମାନଙ୍କର ଭେଟ ନ ହୁଏ, ଆମ୍ଭେମାନେ ‘କ୍ରୂଶ’ ନେଇ ଯେଉଁ ପ୍ରଭୃଙ୍କର ଆଗମନ କରୁଛୁଁ, ନିଶ୍ଚେ ତାଙ୍କ ନିକଟରେ ଆମ ସମସ୍ତଙ୍କର ମିଳନ ହେବ । ଯେତେବେଳେ ମୃତ୍ୟୁର ବନ୍ୟା ଭିଡ଼ କରି ଆସେ, ସେତେବେଳେ ଯେମନ୍ତ ଆମ୍ଭେମାନେ ହତାଶ ନ ହେଉଁ । କାରଣ ପ୍ରଭୁ କଣ ଏହି ପ୍ରତିଜ୍ଞା କରି ନାହାନ୍ତି, ‘ଯେ ନିଜର ଜୀବନ ରକ୍ଷା କରିବ, ସେ ତାହା ହରାଇବ; କିନ୍ତୁ ଆମ୍ଭ ନିମନ୍ତେ ଯେ ନିଜର ଜୀବନ ହରାଇବ, ସେ ତାହା ରକ୍ଷା କରିବ । ସମସ୍ତ ଜଗତ ଲାଭ କରି ଯଦି ତୁମ୍ଭେ ତୁମ୍ଭର ଆତ୍ମାକୁ ବିନଷ୍ଟ କର, ତହିଁରେ ତୁମ୍ଭର କି ଲାଭ ?’ ସେଥିପାଇଁ ମୋତେ ନିର୍ଭୟରେ ବିଦାୟ ଦିଅ ।’’ ଏହା କହି ସାରି ମର୍ସିୟା ମାର୍କସ୍ ଆଡ଼କୁ ଅନାଇ କହିଲା,‘‘ମୁଁ ପ୍ରସ୍ତୁତ ।’’

 

ଯେତେବେଳେ ଏହି ବାଳିକା ଶାନ୍ତଭାବରେ ଏବଂ ସମ୍ଭ୍ରମରେ ମାର୍କସ୍ ସମ୍ମୁଖରେ ଚାଲିଗଲା, ଥରେ ତା ଆଡ଼କୁ ଅନାଇଲା ନାହିଁ, ମାର୍କସ୍‍ର ମନେ ହେଲା, ଏ ବାଳିକା ତାର ବନ୍ଦୀ ନୁହେଁ, ମାତ୍ର ସେ ଏ ବାଳିକା ହସ୍ତରେ ବନ୍ଦୀ । ମର୍ସିୟା ଶରୀରରକ୍ଷୀଙ୍କ ସଙ୍ଗରେ ଆସି ନୀରବରେ ମାର୍କସ୍‌ର ପ୍ରାସାଦରେ ପ୍ରବେଶ କଲା । ଯେଉଁ, ଗୃହରେ ପ୍ରବେଶ କଲା, ଏଥର ସେଠାରୁ ପଳାଇ ଯିବାର କୌଣସି ଉପାୟ ରହିଲା ନାହିଁ । ଟିଗେଲିନସ୍‌ ଓ ଲିସିନିୟସ ମର୍ସିୟାକୁ ଯନ୍ତ୍ରଣା ଦେବେ ବୋଲି ନାନାପ୍ରକାର ଉପାୟ କଳ୍ପନା କରୁ କରୁ ଯେତେବେଳେ ଆସି କାରାଗାରରେ ଉପସ୍ଥିତ ହେଲେ, ସେତେବେଳେ ଶୁଣିଲେ, ମର୍ସିୟାକୁ ପୁନର୍ବାର ମାର୍କସ୍ ହସ୍ତରେ ସମର୍ପଣ କରାହୋଇଛି । ସେମାନଙ୍କର କ୍ରୋଧର ଅବଧି ରହିଲା ନାହିଁ । ମାର୍କସ୍ ବିରୁଦ୍ଧରେ ନୀରୋ ନିକଟରେ ଯେଉଁ ଅଭିଯୋଗ କରିବାକୁ ମନସ୍ଥ କରିଥିଲେ, ଏହି ଘଟନା ତାହାର ସହାୟତା କଲା । ସେମାନେ ନୀରୋର ସାକ୍ଷାତ ଲାଭ ପାଇଁ ରାଜପ୍ରାସାଦ ଆଡ଼କୁ ଅଗ୍ରସର ହେଲେ ।

Image

 

ନୈବେଦ୍ୟ

ଚତୁର୍ଦ୍ଦଶ ପରିଚ୍ଛେଦ

 

ଟିଗେଲିନସ୍ ଓ ଲିସିନିୟସ୍ ରାଜପ୍ରାସାଦରେ ଉପସ୍ଥିତ ହୋଇ ବସିବାଘରେ ଅପେକ୍ଷା କରିବାକୁ ଅନୁରୁଦ୍ଧ ହେଲେ । ଏ ଗୃହରେ ରାଜଦର୍ଶନାଭିଳାଷୀ ଅନେକ ଅମାତ୍ୟ ଓ ରାଜକର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ନୀରୋର ଅନୁଗ୍ରହପାତ୍ର ଏହି ଟିଗେଲିନିସ୍‌ର ତୋଷାମଦ କରିବାକୁ ଲାଗିଲା, ଏମନ୍ତ କି ଟିଗେଲିନସ୍‌ର ବନ୍ଧୁ ବୋଲି ଏହି ‘ୟାଡ଼ିଲ’ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରିବାକୁ ଲାଗିଲେ ।

 

ଜଣେ ପ୍ରତିହାରୀ ଆସି ଉଚ୍ଚୈଃସ୍ୱରରେ କହିଲା, ‘‘ବର୍ତ୍ତମାନ ସମ୍ରାଟ୍‌ ଏହିଠାକୁ ଦର୍ଶନ ଦେବା ନିମନ୍ତେ ଆଗମନ କରିବେ ।’’ ଏହା ଉଚ୍ଚାରିତ ହେବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତେ ନତମସ୍ତକ ହେଲେ । ଟିଗେଲିନସ୍‌ ଲିସିନିୟସ୍‍କୁ କହିଲା, ‘‘ଆମେ ଯଦି ସମ୍ରାଟଙ୍କର ଅନୁଗ୍ରହ ଲାଭ କରି ପାରନ୍ତୁ, ମାର୍କସ୍‍ର ସୁଖସୂର୍ଯ୍ୟର ଅସ୍ତଗମନର ବିଳମ୍ବ ହୁଅନ୍ତା ନାହିଁ ।’’ ଲିସିନିୟସ୍‌ କହିଲା,‘‘ଭଲା, ରାତ୍ରିର ଅନ୍ଧାକାରରେ ବୁଡ଼ିଯାନ୍ତା ! ତାର ଅହଙ୍କାର ମୋର ଧୈର୍ଯ୍ୟର ସୀମା ଅତିକ୍ରମ କଲାଣି ।’’ ଏହି ସମୟରେ ସେମାନେ ଶୁଣିଲେ, “ସିଜର, ଆମ୍ଭମାନଙ୍କର ପ୍ରବଳପ୍ରତାପ ଦେବୋପମ ସମ୍ରାଟ ଚିରଜୀବୀ ହେଉନ୍ତୁ !’’ ଶବ୍ଦର ଢେଉ ନିକଟବର୍ତ୍ତୀ ହେବାକୁ ଲାଗିଲା । ପ୍ରଥମରେ ଦେଖା ଦେଲେ ଇଥିଓପୀୟ ଶରୀରରକ୍ଷୀ । ସେମାନେ ଦେଖିବାକୁ ଭୀମକାୟ, ବ୍ୟାଘ୍ରମୁଖ, ବଳବୀର୍ଯ୍ୟରେ ଅସୁର ପରି, ଚିତ୍ର ବିଚିତ୍ର ଘାଘରା କଟିରୁ ଜାନୁପର୍ଯ୍ୟନ୍ତ ବିସ୍ତୃତ, ବ୍ୟାଘ୍ରଚର୍ମ ଶରୀରର ଉପର ଅର୍ଦ୍ଧରେ ଉପବୀତ ଆକାରରେ ଲମ୍ବିତ, ସ୍କନ୍ଧବାହୀ ବ୍ୟାଘ୍ରମୁଖ ମସ୍ତକ ଉପରେ ଟୋପର ପଡ଼ି ସେମାନଙ୍କୁ ନୃଶଂସତାର ଅବିତାର ସ୍ୱରୂପ କରିଥିଲା । ପରିପୁଷ୍ଟ ହସ୍ତପଦ ଅନାବୃତ, ଦକ୍ଷିଣ ହସ୍ତରେ ଲମ୍ବ ବର୍ଚ୍ଛାର ମାର୍ଜ୍ଜିତ ଫଳକ, ଜକଜକ କରୁଛି, ବାମହସ୍ତରେ ସିଂହଚର୍ମ ନିର୍ମିତ ଢ଼ାଲ । ଏମାନଙ୍କ ଉତ୍ତାରେ ସଦୃଶ୍ୟ ପରିଚ୍ଛଦ ପରିହିତ ହୋଇ ସ୍ୱର୍ଣ୍ଣତୁରୀଧାରୀ ରାଜଦୂତମାନେ ମହାକୋଳାହଳ କରି ଆସୁଥିଲେ ! ସେମାନଙ୍କ ପରେ ଦଳେ ଅମାତ୍ୟ ଅବନତ ମସ୍ତକରେ ପଛଆଡ଼କୁ ଚାଲି ଆସୁଥିଲେ । ସେମାନଙ୍କ ସମ୍ମୁଖରେ ରୋମର ସେହି ମୂର୍ତ୍ତିମାନ ପାପ ପାଶବ ସୁଖାସକ୍ତ ନୀରୋ ସେମାନଙ୍କର ଷୋଡ଼ଶୋପଚାରରେ ପୂଜିତ ହୋଇ ଅଗ୍ରସର ହେଉଥିଲା-। ତାହାର ଉଭୟ ହସ୍ତ ପାର୍ଶ୍ୱବର୍ତ୍ତୀ ଚତୁର୍ଦ୍ଦଶ ବୟସ୍କ ବାଳକଦ୍ୱୟଙ୍କ ସ୍କନ୍ଧୋପରିରକ୍ଷିତ । ବାଳକଦ୍ୱୟଙ୍କ ମସ୍ତକର କନକ-କାନ୍ତି କେଶ ସ୍ୱର୍ଣ୍ଣପଟୁକାରେ ବନ୍ଧା । ଜାନୁର ତଳଦେଶରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସମସ୍ତ ଶରୀର ଅନାବୃତ, ଚାଲିଚଳଣ, କଥାବାର୍ତ୍ତା ଆଚାର ବ୍ୟବହାର ସ୍ତ୍ରୀବତ୍‌-

 

ନୀରୋର ସାଜସଜ୍ଜା ମଧ୍ୟ ଆଡ଼ମ୍ବର ସହକାରେ ହୋଇଥିଲା । ସେଥିରେ ଶ୍ଳୀଳତା ଅବା ରୁଚି ତ ନ ଥିଲା, ଥିଲା ବାରନାରୀର ବର୍ଣ୍ଣବୈଭବସ୍ପୃହା । ମସ୍ତକ ଈଷତ୍ ଅବନତ କରି ନୀରୋ ଉପସ୍ଥିତ ଲୋକଙ୍କର ଅଭିବାଦନ ଗ୍ରହଣ କଲାବେଳେ ଟିଗେଲିନସ୍‌ ଓ ଲିସିନିୟସ୍ ଧୀରେ ଧୀରେ କଥାବାର୍ତ୍ତା କରିବାର ଦେଖି ଉପହାସ ଛଳରେ ପଚାରିଲା ‘ଟିଗେଲିନସ୍‌, ଲିସିନିୟସ୍, କି କଥା ହେଉଛି ? କି ଷଡ଼ଯନ୍ତ୍ର ଚାଲିଛି ହେ ?’ ହେ ? ତା ପରେ ଏ ଦୁଇଜଣଙ୍କୁ ଗଭୀର ସନ୍ଦେହ ସହକାରେ ନିରୀକ୍ଷଣ କରିବାକୁ ଲାଗିଲା, ଭୟରେ ଦୃଷ୍ଟି ଚଞ୍ଚଳ ହୋଇ ଉଠିଲା, ତଳପାଟି ଥରିବାକୁ ଲାଗିଲା ।

 

ଟିଗେଲିନସ୍‌ ଜାନୁ ଅବନତ କରି ନତମସ୍ତକରେ କହିଲା, “ଷଡଯନ୍ତ୍ର ? ନା, ସିଜର ! ମୁଁ କହୁଥିଲି, ଯଦି ଆପଣଙ୍କର ସୁଯୋଗ୍ୟ ମାତା ଆପଣଙ୍କୁ ରୋମର ସମ୍ରାଟ ପଦରେ ଅଭିଷିକ୍ତ କରି ନ ଥାନ୍ତେ, ଆପଣଙ୍କର ଯେଉଁ ଅମୃତବର୍ଷୀ ସ୍ୱର ତାହାରି ସକାଶରୁ ସମସ୍ତ ଜଗତ ଆପଣଙ୍କୁ ସମ୍ରାଟ ପଦରେ ବରଣ କରିଥାନ୍ତା ।’’ ଯେଉଁ ମାତାକୁ ସେ ବଧ କରିଥିଲା, ତାହା କଥା ଶୁଣି ନୀରୋ ଚମକି ପଡ଼ିଲା, କିନ୍ତୁ ତାର ଗଳାର ସ୍ୱର ସମ୍ବନ୍ଧରେ ଏ ପ୍ରକାର ଚାଟୁବାଣୀ ଶୁଣି ଦର୍ପଭରେ କହି ଉଠିଲା, ‘ହଁ ହେ ହଁ, ମୋର ଗଳାର ସ୍ଵର ଯେ ଚମତ୍କାର, ମୁଁ ଯେ ଗାନ କରିବାରେ ଓସ୍ତାଦ, ସେ କଥା ମୋର ଶତ୍ରୁମାନେ ମଧ୍ୟ ସ୍ୱୀକାର କରିବେ ?

 

ଚାଟୁବାଦୀ ଉତ୍ତର କଲା, ‘ସେ ବିଷୟରେ ଶତ୍ରୁମିତ୍ର ସମସ୍ତେ ଏକମତ । ଆପଣ ଗାନ କଲାବେଳେ ଆପଲ୍ଲୋ ନିଜ ବୀଣା ରଖିଦେଇ ଆପଣଙ୍କର ଗାନ ଶୁଣେ ।’ ଏହି ଅସମ୍ଭବ ଚାଟୁବାଦ ସୁଦ୍ଧା ନୀରୋ ନିକଟରେ ଚାଟୁବାଦ ବୋଲି ବିବେଚିତ ହେଲା ନାହିଁ । ନିକଟସ୍ଥ ଆସନରେ ମହାଆସ୍ଫାଳନ କରି ଏପ୍ରକାର ଅଙ୍ଗଭଙ୍ଗୀ ସହ ବସିଲା ସେ ତାହା ଦେଖିଲେ ମହାଉଦ୍ଦାସୀନ ସୁଦ୍ଧା ହାସ୍ୟ ସମ୍ୱରଣ କରି ପାରି ନ ଥାନ୍ତା । କିନ୍ତୁ ସେ ମନେ କଲା, ଏ ଅଙ୍ଗଭଙ୍ଗୀ ତାକୁ ସୁନ୍ଦର ଦେଖାଗଲା । ତତ୍‌ପରେ କହିଲା; ‘ଆପଲ୍ଲୋ, ଆପଲ୍ଲୋର ଯେପରି ସୁବର୍ଣ୍ଣ ପ୍ରତିମୂର୍ତ୍ତି ଅଛି, ମୋର ମଧ୍ୟ ସେହିପରି ସୁବର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମିତ ହେବ । ତତ୍‌ପରେ ଚିନ୍ତା ଅନ୍ୟଆଡ଼େ ପ୍ରବାହିତ ହେଲା, ହିଂସାରେ ମୁଖ କୁଟିଳ ହୋଇ ଉଠିଲା । ସେ କହିଲା, ‘ଟିଗେଲିନସ୍‌, ଗାରମାଣ୍ଟିସ୍‌ର ସେହି ଭାର୍ଯ୍ୟାଟା ଆମ୍ଭମାନଙ୍କର ସାମ୍ରାଜ୍ଞୀ ମହାମାନ୍ୟା ପୋପୀୟା ପ୍ରତି ଅବଜ୍ଞା ପ୍ରଦର୍ଶନ କରିଛି ।’

 

ଟିଗେଲିନସ୍‌ ମହାଭୀତ ହେଲା ପରି ହୋଇ କହିଲା, ‘‘ତାର ଏତେ ସାହସ ?’’ ଉପସ୍ଥିତ ସମସ୍ତ ରାଜକର୍ମଚାରୀ କୃତ୍ରିମ ବିସ୍ମୟରେ ପରସ୍ପରକୁ ନିରୀକ୍ଷଣ କରିବାକୁ ଲାଗିଲେ ।

 

ନୀରୋ କହିଲା, ପୋପିୟାର ଭୋଜିରେ ଉପସ୍ଥିତ ହେବାକୁ ସ୍ୱୀକୃତ ହେଲା ନାହିଁ, କହିଲା, ସେ ଭୋଜି ନା ବେଇଜ୍ଜତ୍ । ଖବର ପଠାଇଲା, ତାର ସ୍ୱମୀର ସ୍ୱାସ୍ଥ୍ୟଭଙ୍ଗ ହେତୁରୁ ସେ ଭୋଜିରେ ଉପସ୍ଥିତ ହୋଇ ପାରିବ ନାହିଁ । ତାର ସ୍ୱାମୀର ଭଗ୍ନସ୍ୱାସ୍ଥ୍ୟ ପାଇଁ ଔଷଧର ବ୍ୟବସ୍ଥା କରିବାକୁ ହେବ । ଦେଖ, ଗାରମାଣ୍ଟିସ୍‍କୁ ଖବର ଦିଅ, ପୋପିୟାର ଭୋଜିରେ ତାର ଭାର୍ଯ୍ୟାର ଅନୁପସ୍ଥିତିର ପ୍ରତିକାର କରିବା ପାଇଁ ତାକୁ ଏ ଜଗତରୁ ଶୀଘ୍ର ଅନୁପସ୍ଥିତ ହେବାକୁ ହେବ । ତାକୁ କହ, ଯେପରି ଆଜି ରାତିରେ ସେ ତାର ହାତଗୋଡ଼ର ନାଡ଼ୀ କାଟି ଶୁଏ । ଆଉ କାଲି ସୂର୍ଯ୍ୟୋଦୟବେଳେ ଯଦି ସେ ଜୀବିତ ଥାଏ, ତାହାହେଲେ କାଲିର ସୂର୍ଯ୍ୟ ଅସ୍ତ ଯିବା ପୂର୍ବରୁ କେବଳ ସେ ନୁହେଁ, ତାର ସମସ୍ତ ବଂଶର ଜୀବନ-ସୂର୍ଯ୍ୟ ଅସ୍ତମିତ ହେବ । ଟିଗେଲିନସ୍‌, ଏ କାର୍ଯ୍ୟର ଭାର ତୁମରି ହସ୍ତରେ ରହିଲା ।

 

ଏ ଆଦେଶ ଶୁଣି ସମବେତ କର୍ମଚାରୀଙ୍କର ହୃତ୍‌କମ୍ପ ଜାତ ହେଲା । ଏ ପ୍ରକାର ଆଦେଶ ସେତେବଳେ ରୋମରେ ବିରଳ ନୁହେ ଏବଂ କେତେବେଳେ ଏହିପ୍ରକାର ଅଭିଯୋଗର ଛଳନାରେ ମୃତ୍ୟୁର ଆଦେଶ କାହା ନିକଟରେ ଉପସ୍ଥିତ ହେବ, ଏ କଥା କେହି ଜାଣୁ ନ ଥିଲେ । ଏ ଭୀତି ଟିଗେଲିନସ୍‍ର ମଧ୍ୟ ଥିଲା । ସେ ଉତ୍ତର କଲା, ସିଜର, ମୁଁ ଆନନ୍ଦରେ ଏ ଆଦେଶ ପାଳନ କରିବି । ଏ ଦଣ୍ଡ ତା ପ୍ରତି ଯଥାର୍ଥ । ତାର ଭାର୍ଯ୍ୟା ଯେ ଏପରି ଅପମାନ କରିବାକୁ କେମିତି ସାହସ କଲା, ମୋତେ ସେହି କଥା ଆଶ୍ଚର୍ଯ୍ୟ ଲାଗୁଛି ।

 

ନୀରୋ ଆସନରେ ବସି ଦେହ ଝାଡ଼ି କହିଲା, ଏ ସାହସ ନୁହେ, ଏ ଉନ୍ମତ୍ତତା । କିନ୍ତୁ, ଟିଗେଲିନସ୍‌, ମୁଁ ନିଶ୍ଚେ ତା ଭାର୍ଯ୍ୟାକୁ ବିଧବା କରିବି । ସେ ସ୍ତ୍ରୀକୁ ସତର୍କ କରି ଦିଅ, ଯେପରି ସେ ତା ସ୍ୱାମୀର ସମସ୍ତ ସମ୍ପତ୍ତିର ସମୂର୍ଣ୍ଣ ତାଲିକା ପଠାଇ ଦିଏ ଏବଂ ତହିଁ ସଙ୍ଗେ ସିଜରର ପ୍ରାପ୍ୟ ଅର୍ଦ୍ଧେକ ସମ୍ପତ୍ତି ମଧ୍ୟ ପଠାଇ ଦିଏ । ନତୁବା ମୁଁ ରାଣ କରି କହୁଛି, ତାକୁ ତାର ପିଲାଙ୍କ ଜୀବନ ସହିତ ସମସ୍ତ ସମ୍ପତ୍ତି ଦେବାକୁ ପଡ଼ିବ । ଟିଗେଲିନସ୍, ଏ କଥାକୁ ଭଲ କରି ବୁଝାଇ ଦେବ ।

 

ଟିଗେଲିନସ୍‌ ଆଜ୍ଞା କହି ସମ୍ମତି ଜ୍ଞାପନ କଲା । ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଗଡ୍‌ଡ଼ଳିକା-ପ୍ରବାହ ପରି ଟିଗେଲିନସ୍‌କୁ ଅନୁକରଣ କରି ସେହି ପୈଶାଚିକ ଆଦେଶରେ ସମ୍ମତି ଜଣାଇଲେ । ନୀରୋର ବିଦ୍ୟୁତ୍‌ଚପଳା ଚିନ୍ତା ଏହି ହତ୍ୟା ପ୍ରସଙ୍ଗ ପରିତ୍ୟାଗ କରି ପୁନର୍ବାର ଅନ୍ୟଆଡ଼େ ପ୍ରବାହିତ ହେବାକୁ ଲାଗିଲା । ସେ ଅତ୍ୟନ୍ତ ଦର୍ପର ସହିତ ପଚାରିଲା, ମୋର ସେହି ଶେଷ କାବ୍ୟ କିପରି ହୋଇଥିଲା ? ଟିକିଏ ଶକ୍ତ ହୋଇଥିଲା–ନା ?

 

ନୀରୋର ମନସ୍ତୁଷ୍ଟି ସମ୍ପାଦନରେ ବ୍ୟସ୍ତ ଟିଗେଲିନସ୍ ନୀରୋ ମୁଖରୁ କଥା ସରୁଣୁ ନ ସରୁଣୁ କହି ଉଠିଲା–‘କେବଳ ଶକ୍ତ ! ଏହାପରି କାବ୍ୟ କୌଣସି ଭାଷାରେ ଏପର୍ଯ୍ୟନ୍ତ ହୋଇ ନାହିଁ-। ଆପଣ ଯେ କଣ ତାହା ନିର୍ଣ୍ଣୟ କରିବା କଠିନ । ଆପଣ ଏକାଧାରରେ ସୈନିକ, କବି, ଅଭିନେତା, ଗାୟକ, ମଲ୍ଲଯୋଦ୍ଧା, ସମ୍ରାଟ, ଦେବତାମାନଙ୍କ ମଧ୍ୟରେ ଦେବତା । ଉପସ୍ଥିତ ସମସ୍ତ ଲୋକ ଅକିଞ୍ଚନ ପରି ଅନ୍ତରର ସହିତ ଅବନତ ରହି ଏକସ୍ୱରରେ ଏହି ବାବଦୁକର ଜଘନ୍ୟ ଚାଟୁବଚନ ସମର୍ଥନ କଲେ । ଏତେବେଳେ ନୀରୋ ଟିକିଏ ସନ୍ତୁଷ୍ଟ ହେଲାପରି ଦେଖାଗଲା । ସେ ଟିଗେଲିନସ୍, ଆଡ଼କୁ ଅନାଇ ହସି ହସି କହିଲା, ‘ବାଃ, ବେଶ୍ କହିଲ, ଠିକ୍ କହିଲ, କିନ୍ତୁ ମୋର ପରବର୍ତ୍ତୀ ଲୋକେ ଏହାର ଯଥାର୍ଥ ବିଚାର କରିବେ, କାରଣ ମୋର ସମସାମୟିକ ଲୋକେ ବଡ଼ ଈର୍ଷାପରବଶ ।’ ଏହା କହି ଉକ୍ତ କାବ୍ୟର କିୟବିଂଶ ଅଭିନେତାର ସମସ୍ତ ଆସ୍ଫାଳନ ସହିତ ଆବୃତ୍ତି କରିବାକୁ ଲାଗିଲା । କଣ୍ଠ ସ୍ଵର ଜୀର୍ଣ୍ଣବଂଶୀର ଧ୍ୱନି ପରି ବେସୁରା, କିନ୍ତୁ ତୋଷାମୋଦକାରିଙ୍କର ସେ ଆଡ଼କୁ ନଜର ନାହିଁ, ସେମାନଙ୍କର ପ୍ରଶଂସା ଧ୍ୱନିରେ ଏହି ରାସଭବିନିନ୍ଦିତ ଗଳା ବୁଡ଼ିଗଲା ।

 

ଏହି ପ୍ରକାରେ ରୋମ ସମ୍ରାଟର ଚିତ୍ତବିନୋଦନ ନିମନ୍ତେ ସମସ୍ତ ରାଜକାର୍ଯ୍ୟ ବନ୍ଦ ରଖି ମୂର୍ଖର ଛନ୍ଦାନୁବର୍ତ୍ତନ କଲା, ବକ୍ତା ବିଦୂଷକ ସାଜିଲା ରାଜ୍ୟର ଅଧିନାୟକମାନେ ନିଜର ସମସ୍ତ ବୃଦ୍ଧି ବୃତ୍ତି ସମସ୍ତ ପୁରୁଷର ବିସର୍ଜ୍ଜନ ଦେଇ ମର୍କଟ ସାଜି ବସିଲେ । ସେଠାରେ ରାଜ-ମନ୍ତ୍ରୀ ସମସ୍ତେ ରାଜ୍ୟର ଗୁରୁତର ବିଷୟମାନଙ୍କର ସମାଧାନ ନିମିତ୍ତ ଉପସ୍ଥିତ, ପ୍ରାଦେଶିକ ଶାସନକର୍ତ୍ତାଗଣ ଶାସନପଦ୍ଧତି ଓ ରାଜସ୍ୱ ସଂକ୍ରାନ୍ତ ବିଷୟମାନଙ୍କର ପରାମର୍ଶ ନିମନ୍ତେ ସମବେତ, ରାଜ୍ୟର ଯୁଦ୍ଧ ଏବଂ ସାଧାରଣ ବିଭାଗର କାର୍ଯ୍ୟକାରିମାନେ ରାଜାଦେଶ ନିମିତ୍ତ ଉପସ୍ଥିତ; କିନ୍ତୁ ସମ୍ରାଟ ରାଜକାର୍ଯ୍ୟ ବିଷୟ ଉତ୍‌ଥାପନ ନ କରିବା ପର୍ଯ୍ୟନ୍ତ ସେ ବିଷୟରେ କଥାବାର୍ତ୍ତା କରିବାକୁ କାହାରି ସାହସ ନାହିଁ ।

 

ହଠାତ୍ ନୀରୋର ମନରେ ସର୍କସ କଥା ପଡ଼ିଗଲା । ସେ କହିଲା; ‘ଦେଖ ନୂଆ ରକମ ଖେଳ ଦେଖାଇବାକୁ ହେବ । ଗ୍ଳାଡ଼ିଏଟରମାନଙ୍କ ମଧ୍ୟରେ ଅସ୍ତ୍ରଯୁଦ୍ଧ ଦେଖି ମୋର ଅରୁଚି ଧରିଗଲଣି । କିଛି ନୂଆ ବିଷୟ ଉଦ୍ଭାବନ କରିବାକୁ ହେବ ?’

‘‘କ’ଣ କଣ କଲେ ଭଲ ହେବ ?’’

 

ଫିଲୋଡିମସ୍‌ ସାହସ କରି ପଚାରିଲା, ‘‘ସିଜର, ଆସନ୍ତା ପର୍ବରେ କଣ ତୁମେ ଘୋଡ଼ଦଉଡ଼କୁ ଯିବ ?’’

 

ନୀରୋ ଅତ୍ୟନ୍ତ କଷ୍ଟର ସହିତ ପାର୍ଶ୍ୱପରିବର୍ତ୍ତନ କରି କହିଲା, “ଘୋଡ଼ଦଉଡ଼ ? ସେ ବିଷୟରେ ମୁଁ ଏ ପର୍ଯ୍ୟନ୍ତ କିଛି ଠିକ୍‍ କରି ନାହଁ । କିନ୍ତୁ ଯଦିବା ମୁଁ ନିଜେ ନ ଦଉଡ଼େ ଅବା ଗାନ ଅଭିନୟ ନ କରେ, ତଥାପି ଏ ସମସ୍ତ ହେବ । ଆଃ, ଠିକ୍ ମନେ ପଡ଼ିଲା, ସେହି ଖ୍ରୀଷ୍ଟିୟାନମାନଙ୍କର ଷଡଯନ୍ତ୍ର କଥା କଣ ହେଲା ?’’

 

ଏଡ଼େ ସହଜରେ ଏପରି ସୁଯୋଗ ମିଳିବ ବୋଲି ଟିଗେଲିନସ୍‌ ଆଶା କରି ନ ଥିଲା । ଯେଉଁ ବିଷୟ ପାଇଁ ସେ ଆଜି ଆସିଥିଲା ସେ ବିଷୟର ଉତ୍‌ଥାପନ ନିମନ୍ତେ ନୀରୋର ପ୍ରଶ୍ନ ବଡ଼ ସୁବିଧା କରିଦେଲା । କହିଲା, ‘‘ମହାମାନ୍ୟ ସିଜର, ସେ ଚଣ୍ଡାଳଯାକ ଏପର୍ଯ୍ୟନ୍ତ ଆପଣଙ୍କର ପବିତ୍ର ଜୀବନ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ।’’ ଭୟରେ ନୀରୋର ସର୍ବାଙ୍ଗ ଥରିଗଲା, ଭୟକମ୍ପିତ ସ୍ୱରରେ କହିଲା, ‘‘କ’ଣ–କ’ଣ ତୁମେ କହିଲ ? ଆଉ ତୁମେ ଏ କଥା ଜାଣି ଶୁଣି ସୁଦ୍ଧା ସେ ଦସ୍ୟୁ ତସ୍କରଙ୍କୁ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାଳୁ ଜୀବନରେ ରଖିଛ ? ୟା ମାନେ କଣ ? କଣ ସିଜରଙ୍କ ଜୀବନର କିଛି ମୂଲ୍ୟ ନାହିଁ ? କଣ ଏପରି କଳାକୋବିନ୍ଦ ସମ୍ରାଟଙ୍କର ଜୀବନ ଘାତକର ହସ୍ତରେ ନଷ୍ଟ ହେବ ? କଣ କହୁଛ, ଉତ୍ତର ଦେଉ ନାହଁ କାହିଁକି ? ଟିଗେଲିନସ୍‌ ମଧ୍ୟ ତଦ୍ରୂପ ଭୟକମ୍ପିତ କଣ୍ଠରେ କହିଲା, ‘‘ଲିସିନିୟସ୍ ଓ ଆପଣଙ୍କର ଏହି ଅଯୋଗ୍ୟ ସେବକ ସେମାନଙ୍କର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି, କିନ୍ତୁ-’’ ନୀରୋ ଉତ୍କଣ୍ଠିତ ହୋଇ ପଚାରିଲା, ‘‘କିନ୍ତୁ କଣ ? ରାଜାଙ୍କର ଜୀବନ ବିପଦାପନ୍ନ, ଆଉ ରାଜାଦେଶ ପ୍ରତିପାଳନରେ ଅବହେଳା ! ସିଜରଙ୍କର ଆଜ୍ଞା ଅବମାନନା କରିବାକୁ କାହାର ଏ ଦୁଃସାହସ ହୋଇଛି ?’’ ମୁହୂର୍ତ୍ତକ ସକାଶେ ରାଜକୀୟ ମହିମାରେ ନୀରୋର ସୁଖ ମହିମାମୟ ହୋଇ ଉଠିଲା, ମୁହୂର୍ତ୍ତକ ସକାଶେ ତାହାର ବିପୁଳବସୁ ତାହାର ପଦପ୍ରାନ୍ତବର୍ତ୍ତୀ ଅଭିଜାତବର୍ଗଙ୍କ ଉପରେ ଉନ୍ନତ ହୋଇ ଉଠିଲା । କାରଣ ଉତ୍ତେଜିତ ହେଲେ ଏ ପଶୁ ସମୟ ସମୟରେ ଅତ୍ୟନ୍ତ ଭୟାବହ ହେଉଥିଲା ।

 

କୌଣସି ଲୋକ ସାହସ କରି କିଛି ନ କରିବାରୁ ସେ ପଚାରିଲା, ‘‘କିଏ ଏପ୍ରକାର ଅବହେଳା କରୁଛି ?’’

 

ଟିଗେଲିନସ୍ ଚିତ୍ରିତ ଚଟାଣରେ ସାଷ୍ଟାଙ୍ଗ ଲମ୍ବ ହୋଇ ନୀରୋର ପାଦସ୍ପର୍ଶୀ ବସନାଞ୍ଚଳ ଚୂମ୍ବନ କରୁ କରୁ କହିଲା, “ଆପଣଙ୍କର ଅନୁଗତ ଭୃତ୍ୟ ଟିଗେଲିନସ୍ ନୁହେଁ ।’’

 

‘‘ତେବେ କିଏ ? ୟାଡ଼ିଲମାନେ କଣ କରୁଛନ୍ତି ? ଗୁପ୍ତଚର କୁଆଡ଼େ ଗଲେ ?’’

 

‘‘ମହାମାନ୍ୟ ସମ୍ରାଟ, ବାସ୍ତବିକ୍‌ ୟାଡ଼ିଲ କିମ୍ବା ସେମାନଙ୍କର କର୍ମଚାରୀମାନଙ୍କର କୌଣସି ଦୋଷ ନାହିଁ । କିନ୍ତୁ ସେମାନେ କର୍ତ୍ତବ୍ୟ ପ୍ରତିପାଳନ କଲାବେଳେ ଯଦି ସେମାନଙ୍କର କାର୍ଯ୍ୟରେ ବାଧା ଦିଆଯାଏ, ଯଦି ସେମାନଙ୍କର କ୍ଷମତାରେ ହସ୍ତକ୍ଷେପ କରାଯାଏ, ସେମାନଙ୍କର ଆଦେଶ ଅବମାନିତ ହୁଏ, ତେବେ ସେ ଦୋଷ କାହାର ?’’ ଟିକିଏ କପଟ ରୋଷ ପ୍ରକାଶ କରି ଟିଗେଲିନସ୍ ଏତକ କହିଲା ।

 

ନୀରୋ ଭୟଙ୍କର କ୍ରୂଦ୍ଧ ହୋଇ ପଚାରିଲା, “କାହା କଥା କହୁଛ ? କିଏ ଏପ୍ରକାର କରିଛି ?’’

 

‘‘ସେ କଥା ମୋତେ ପଚାରନ୍ତୁ ନା, ସିଜର, ମୁଁ କାହାରି ବିରୁଦ୍ଧରେ ତା’ ପଛରେ ଶତ୍ରୁତା ଆଚରଣ–’’

 

‘‘ତାହାହେଲେ, ସିଜର ଜୀବନ ସଙ୍କଟାପନ୍ନ କରିବ, କିନ୍ତୁ ମୁଁ ଯେଡ଼େ କାପୁରୁଷ ହେଉ ପଛକେ ତାର ଶତ୍ରୁତା କରିବ ନାହିଁ ? ବୋଧହୁଏ ମୋର ଶତ୍ରୁତା କରିବା ବରଂ ନିରାପଦ ମନେ କରୁଛ ? ସେ କିଏ, ମୁଁ ଆଦେଶ ଦେଉଛି, ତାର ନାମ ପ୍ରକାଶ କର ।’’

 

‘‘ଯେତେବେଳେ ଆପଣ ଆଦେଶ ଦେଉଛନ୍ତି, ଆପଣଙ୍କର ଦାମ ଅବଶ୍ୟ ପାଳନ କରିବ । ଆପଣଙ୍କର ପ୍ରିଫେକ୍‌ଟ ମାର୍କସ୍-’’

 

ନୀରୋ ହଠାତ୍ ଟିଗେଲିନସ୍‌ ବାଧା ଦେଇ କହିଲା–

 

“ମାର୍କସ୍ ? ନା, ନା, ମାର୍କସ୍ କେବେ ନୁହେଁ । ସତର୍କ ହୋଇ କଥା କହ । ଆମର ବିଶ୍ୱାସଭାଜନ ମାର୍କସ୍‍ର ବିରୁଦ୍ଧରେ ଯେବେ ମିଥ୍ୟା ଅଭିଯୋଗ ଆଣ–’’

 

‘‘ଲିସିନିୟସ୍‌ ପଚାରନ୍ତୁ, ମୁଁ ସତ୍ୟ କହୁଛି କି ନାହିଁ’’ । ଏହା କହି ଟିଗେଲିନସ୍‌ ନିବେଦନପୂର୍ଣ୍ଣ ନୟନରେ ଲିସିନିୟସ୍ ଆଡ଼କୁ ଅନାଇଲ । ତତ୍‌ପରେ କହିଲା, ‘‘ଯେତେବେଳେ ମୁଁ ଆପଣଙ୍କର ବହୁମୂଲ୍ୟ ଜୀବନ ରକ୍ଷାର୍ଥେ ଗୋଟିଏ ଖ୍ରୀଷ୍ଟିୟାନ ବାଳକକୁ ‘ରାକ୍‌’ରେ ଚଢ଼ାଇ ଷଡ଼ଯନ୍ତ୍ରକାରୀଙ୍କର ସଭାସ୍ଥାନ ସମ୍ବନ୍ଧରେ ସ୍ୱୀକାର କରାଉଥିଲି, ମାର୍କସ୍ ସେତେବେଳେ ମୋର କାର୍ଯ୍ୟରେ ହସ୍ତକ୍ଷେପ କରିଥିଲା, ସେମାନଙ୍କ ଦଳର ଜଣେ ପ୍ରଧାନ ସ୍ପୀଲୋକକୁ ଆମ୍ଭମାନଙ୍କ ହସ୍ତରୁ ବଳପୂର୍ବକ ଛଡ଼ାଇ ନିଆଗଲା ଏବଂ ମୁକ୍ତି ଦିଆଗଲା । ପୁନର୍ବାର ଆମ୍ଭେମାନେ ତାକୁ ବନ୍ଦୀ କରିଥିଲୁଁ, କିନ୍ତୁ ଯାହାଙ୍କ ଉପରେ ଆପଣ ଏହି ଷଡ଼ଯନ୍ତ୍ରକାରୀଙ୍କର ଧ୍ୱଂସସାଧନର ଭାର ଦେଇଛନ୍ତି, ଆପଣଙ୍କର ସେହି ପ୍ରିଫେକ୍ଟ ପୁଣି ଆପଣଙ୍କର ଜୀବନରକ୍ଷୀ ସମ୍ବନ୍ଧରେ ଉଦାସୀନ ହୋଇ–’’

 

ନିନ୍ଦୁକର ମୁଖ ବନ୍ଦ ହୋଇଗଲା, କାରଣ ଇତି ମଧ୍ୟରେ ସିଜରର ଅଜ୍ଞାତସାରରେ ସମ୍ରାଜ୍ଞୀ ପୋପୀୟା ସହିତ ନୀରବରେ ଆସି ମାର୍କସ୍‍ ବିରୁଦ୍ଧରେ ସମସ୍ତ ଅଭିଯୋଗ ଶୁଣିଥିଲା । ଟିଗେଲିନ୍‌ସ ଉପରେ ପୋପିୟାର ତୀକ୍ଷ୍‌ଣ ଦୃଷ୍ଟି କ୍ରୂର ହୋଇ ଉଠିଲା । ଟିଗେଲିନସ୍‌ ବୁଝିଲା ସେ, ମାର୍କସ୍‍ ବିରୁଦ୍ଧରେ ଅଭିଯୋଗ କରିବାକୁ ଯାଇ ଏତେ ଅଧିକ ଅଗ୍ରସର ହୋଇ ପଡ଼ିଛି, ଯେଉଁଠି ସେ ପୋପିୟାର ଅନୁମୋଦନ ପାଇବ ନାହିଁ । ପାଟି ଖନି ବାଜିଗଲା । ଭୟ ବ୍ୟାକୁଳ ନୟନରେ ସାମ୍ରାଜ୍ଞୀ ଆଡ଼କୁ ଅନାଇ ଇତସ୍ତତଃ କରିବାକୁ ଲାଗିଲା । ତାର ଦୃଷ୍ଟି ଅନୁସରଣ କରି ନୀରୋ ମଧ୍ୟ ପୋପିୟାକୁ ଦେଖିଲା । ତାର ସମସ୍ତ ଜଟିଳତା ସମସ୍ତ ସଂଶୟର ମୂର୍ତ୍ତିମତୀ ମୀମାଂସାକୁ ନିକଟବର୍ତ୍ତୀ ଦେଖି ନୀରୋ ଆରାମର ସଶବ୍ଦ ନିଶ୍ୱାସ ମାରି ପୋପିୟାର ଆଲିଙ୍ଗନ ମଧ୍ୟରେ ଆଉଜି ପଡ଼ିଲା । ନିଜ ଜୀବନ ବିରୁଦ୍ଧରେ ଷଡ଼ଯନ୍ତ୍ରର ସାମାନ୍ୟ ଆଭାସ ତାକୁ ଭୟ ଏବଂ କ୍ରୋଧର ଉନ୍ନତ୍ତ କରି ପକାଉଥିଲା । ସେ ଏହି ଉତ୍ତେଜନା ସମୟରେ ବଡ଼ ବେଶି ଅଗ୍ର-ପଶ୍ଚାତ୍ ବଚାର କରୁ ନ ଥିଲା । ଯେଉଁମାନେ ତାର ସନ୍ଦେହ ଉଦ୍ରେକ କରୁଥିଲେ, ସେମାନଙ୍କର ସର୍ବସ୍ୱ ବିନାଶର ଆଦେଶ ତଥ୍‌କ୍ଷଣାତ୍ ପ୍ରଚାରିତ ହେଉଥିଲା । ସତର୍କତା ଅବଲମ୍ବନରେ ମାର୍କସ୍ ତ୍ରୁଟି କରିଅଛି, ଏହି ଚିନ୍ତା ତାର ମନରେ ଉଦୟ ହେବା ମାତ୍ରକେ ମାର୍କସ୍‌ ବିରୁଦ୍ଧରେ ଭୟାନକ ନ ହେଉ, ହୁଏତ କୌଣସି କଠିନ ଦଣ୍ଡାଜ୍ଞା ସେ ତତ୍କ୍ଷଣାତ୍ ଦେଇଥାନ୍ତା, କିନ୍ତୁ ମାର୍କସ୍‌କୁ ସେ ଅପମାନରୁ ଉଦ୍ଧାର କଲା ପୋପିୟାର ଉପସ୍ଥିତି ।

 

ନୀରୋ କହିଲା, ‘‘ପୋପିୟା, ତୁମେ ଏକା ଠିକ୍ ସମୟରେ ଆସିଛ । ଦେଖ, ଏଠି ଆମର ବହୁମୂଲ୍ୟ ଜୀବନ ବିରୁଦ୍ଧରେ କିପରି ଭୟାୟନ ଷଡ଼ଯନ୍ତ୍ର ଚାଲିଛି ।’’

 

‘‘ଷଡ଼ଯନ୍ତ୍ରର ? କିଏ କହୁଛି ?’’ ଏହା କହି ପୋପୀୟା ଟିଗେଲିନସ୍‌ ଆଡ଼କୁ ଏପରି ଅନାଇଲା ଯେ ସେ ଦୃଷ୍ଟିର ଭୟ ପ୍ରଦର୍ଶନ ଏହି ସୁଚତୁର ଅମାତ୍ୟକୁ ବିଭ୍ରାନ୍ତ କରି ପକାଇଲା । ତା’ପରେ କହିଲା, ‘‘ଟିଗେଲିନସ୍‌, ସେ ମାର୍କସ୍‍କୁ ଦୋଷ ଦେଉଛି ? ଷଡ଼ଯନ୍ତ୍ରର?’’ ‘ଷଡ଼ଯନ୍ତ୍ରର’ ଏହି ଶେଷୋକ୍ତ କଥାକୁ ସମ୍ରାଜ୍ଞୀ ତାଚ୍ଛିଲ୍ୟ ସହିତ ଏପରି ଜୋରରେ କହିଲା, ଯେପରି ଟିଗେଲିନସ୍ ବ୍ୟକ୍ତ ଏବଂ ଅବ୍ୟକ୍ତ ଭାବରେ ନୀରୋ ମନରେ ମାର୍କସ୍ ସମ୍ବନ୍ଧରେ ଯେଉଁ ଧାରଣା ଜନ୍ମାଇ ଥିଲା, ତାହା କିୟତ୍‌ ପରିମାଣରେ ଦୂର ହୋଇଯାଏ ।

 

ଟିଗେଲିନସ୍‌ ନିଜର ବିପଦ ବୁଝିପାରି କହିଲା, ‘‘ଷଡ଼ଯନ୍ତ୍ର ! ନା ସମ୍ରାଟ, ଠିକ୍ ଷଡ଼ଯନ୍ତ୍ର ନୁହେଁ । କିନ୍ତୁ–’’

 

ନୀରୋ କ୍ରୂଦ୍ଧ ହୋଇ ପଚାରିଲା, ‘‘କିନ୍ତୁ କଣ ? ଯଦି ସିଜର ବିରୁଦ୍ଧରେ ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି ସେମାନଙ୍କୁ ସେ ଆଶ୍ରୟ ଦେଉଛି, ତେବେ ଏହା ଷଡ଼ଯନ୍ତ୍ର ନୁହେ ତ ଆଉ କଣ-?

 

ପୋପିୟା ଟିଗେଲିନସ୍ ଆଡ଼କୁ ତୀକ୍ଷ୍‌ଣ ଭାବରେ ଅନାଇ ଅବିଚଳିତ କଣ୍ଠରେ କହିଲା, “ମୁଁ ଦେଖୁଛି, କଥାଟା ଅତିରଞ୍ଜିତ ହୋଇଛି । ସିଜର, ମୁଁ ସମସ୍ତ ଜାଣେ । ବେରେନିସ୍ ମୋତେ ସବୁ କହିଛି ଏବଂ ଏ ବିଷୟରେ ତୁମେ ଯେମନ୍ତ ହସ୍ତକ୍ଷେପ କରି ସମସ୍ତ ଠିକ୍ କରିଦିଅ, ସେଥିପାଇଁ ମୁଁ ବର୍ତ୍ତମାନ ତୁମ କତିକି ଆସିଛି ।’’ ତତ୍‌ପରେ କ୍ଷଣକ ନିମିତ୍ତ ଅଧର ପ୍ରାନ୍ତରେ ତାଚ୍ଛିଲ୍ୟର କ୍ରୂର ହାସ୍ୟ ଫୁଟାଇ କହିଲା, ବୋଧହୁଏ ତୁମର ଏ ଭୃତ୍ୟ ତୁମର ଜୀବନର ଆପଦ ବିପଦ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତାନ୍ୱିତ, ସେଥିପାଇଁ ମାର୍କସ୍‌ର ତ୍ରୁଟିର ଗୁରୁତ୍ୱ ଏତେ ଅଧିକ ପରିମାଣରେ ଅନୁଭବ କରୁଛି ।’’

 

ତେବେ ମଧ୍ୟ ନୀରୋର ସନ୍ଦେହ ଭଞ୍ଜନ ହେଲା ନାହିଁ । ପଚାରିଲା, ‘‘ତାହାହେଲେ ଏ କଣ ? ତେବେ ମାର୍କସ୍ କଣ କରିଛି ?’’

 

‘‘ମାର୍କସ୍ ମନୁଷ୍ୟ ମାତ୍ର । ତୁମ ପରି ତ ସମସ୍ତେ ସଂଯମୀ ନୁହଁନ୍ତି । ମାର୍କସ୍‌, ଜଣକର ମୁହଁର ସୌନ୍ଦର୍ଯ୍ୟରେ ଭୁଲି ଯାଇଛି ।’’ ଏହା କହି ନିଜ ହସ୍ତରେ ନୀରୋର କଣ୍ଠ ବେଷ୍ଟନ କରି ନିଜ ଗଭୀର ପ୍ରଣୟର ଏବଂ ନୀରୋର ବିଶ୍ୱସ୍ତତାରେ ନିଜର ଦୃଢ଼ ନିର୍ଭରର ଅଭିନୟ ଏପରି ଆଡ଼ମ୍ବର ସହକାରେ କଲା ଯେ ନୀରୋ ମଧ୍ୟ ତାର କଥା ଅନୁଯାୟୀ କ୍ଷଣକ ନିମିତ୍ତ ଆପଣକୁ ବୈବାହିକ ବିଶ୍ୱସ୍ତତାର ଆଦର୍ଶ ବୋଲି ମନେ କଲା । କହିଲା ‘‘ଆମ୍ଭେମାନେ ଏହି ଯେତେ ଖ୍ରୀଷ୍ଟିୟାନମାନଙ୍କ କଥା ଶୁଣୁଛୁଁ, ସେମାନଙ୍କ ମଧ୍ୟରୁ ଜଣକର -କେବଳ ଜଣେ ବାଳିକାର, ସେ କି କ୍ଷଣକ ପାଇଁ ତା’ର ବାସନା ଉଦ୍ଦୀପ୍ତ କରିଛି–କେବଳ ତା’ର ଜୀବନ ସେ ରକ୍ଷା କରିଛି ।’’

 

‘‘ତେବେ ଏହି କଥା, କେବଳ ଜଣେ ବାଳିକା !’’ ଏତେବେଳେ ନୀରୋ ସହଜ ନିଶ୍ୱାସ ନିକ୍ଷେପ କଲା । ପୋପିୟା ପୁଣି କହିଲା, ‘‘ମୁଁ ମନେ କରୁନାହିଁ, ଏଠି କେହି ଏ ବାଳିକା ଛଡ଼ା ଆଉ କାହାରି କଥା ଜାଣନ୍ତି । କଣ କହୁଛ ଟିଗେଲିନସ୍‌, ଏ କଥା ସତ ନୁହେଁ ?’’

 

ପୋପିୟାର ଏହି ପ୍ରଶ୍ନ ଟିଗେଲିନସ୍‌ ନିକଟରେ ଧମକ ଏବଂ ଆଜ୍ଞା ଆକାରରେ ଉପସ୍ଥିତ ହେଲା । ଟିଗେଲିନସ୍ ମଧ୍ୟ ତାହା ବୁଝିପାରିଲା ଏବଂ ତରତର ହୋଇ କହିଲା, “ନା, ସମ୍ରାଟ, ଆଉ କେହି ନୁହଁନ୍ତି ।’’

 

‘‘ତେବେ ଗୋଟାଏ ବାଳିକା ମାତ୍ର । ଓଃ, ସେଥିରେ ବେଶି କିଛି ଆସେ ଯାଏ ନାହିଁ । ଗୋଟାଏ ବାଳିକା-କିନ୍ତୁ ବାଳିକା ଗୋଟାଏ ମଧ୍ୟ–’’ ଏହା କହି ନୀରୋ ଚଞ୍ଚଳ ହୋଇ ଚାରିଆଡ଼େ ଅନାଇଲା ।

 

‘‘ହଁ, ଗୋଟାଏ ବାଳିକା ମଧ୍ୟ ବିପଦଜ୍ଜନକ ହୋଇପାରେ । ମୋ ବିଚାରରେ ମାର୍କସ ହାତରୁ ଏ ବାଳିକାକୁ ଉଦ୍ଧାର କରି ଆଣିବାକୁ ଯଦି ଟିଗେଲିନସ୍‍କୁ କ୍ଷମତା ଦିଆ ହୁଅନ୍ତା, ତାହାହେଲେ ଭଲ ହୁଅନ୍ତା । ତତ୍‌ପରେ ସେ ବାଳିକାର ବିଚାରର ଭାର ତୁମେ ନିଜେ ନିଅନ୍ତ ।’’ ଏହିପ୍ରକାରେ ପୋପିୟା ଅତି ଚତୁରତାର ସହିତ ନିଜର ଉଦ୍ଦେଶ୍ୟ ସାଧନ କରିବାକୁ ଲାଗିଲା । ମାର୍କସ ଯେମନ୍ତ ଦଣ୍ଡ ନ ପାଏ ଏବଂ ମର୍ସିୟାକୁ ତା’ ହାତରୁ ଆଣିରୁ ଯେମନ୍ତ ନିଜ ହାତରେ ରଖିପାରେ ଏବଂ ନିଜର ଇଚ୍ଛାନୁସାରେ ତାର ବିଚାରର ବ୍ୟବସ୍ଥା କରେ, ଏହାହିଁ ପେପିୟାର ଇଚ୍ଛା ।

 

ଏ ପ୍ରସ୍ତାବକୁ ନୀରୋ ଅତି ଆନନ୍ଦର ସହିତ ଗ୍ରହଣ କଲା ? ଘର୍ମାକ୍ତ କମ୍ପିତ ଅଙ୍ଗୁଳିରେ ପୋପିୟା କରମର୍ଦ୍ଦନ କରି କହିଲା, ‘‘ଠିକ୍‌ କଥା, ଠିକ୍ କଥା; ତୁମେ ନିଜେ ସେ ବାଳିକାର ବିଚାର କର । ତୁମକୁ ବିଚାର କରିବାର କ୍ଷମତା ଦିଆଗଲା । ଏହି ନରହନ୍ତା ଖ୍ରୀଷ୍ଟିୟାନ୍‍ ସମସ୍ତେ ଅଧଃପଥରେ ଯାଉନ୍ତୁ । ଆମର ବହୁମୂଲ୍ୟ ଜୀବନ ବିରୁଦ୍ଧରେ ଏମାନଙ୍କର ଚେଷ୍ଟା ? ମୁଁ ଯଦି ସେମାନଙ୍କୁ ସିଂହମୁହଁରେ ନ ଦିଏଁ, ମୁଁ ଯଦି ସେମାନଙ୍କୁ ବିଲୁଆ ଛାଲରେ ଗୁଡ଼ାଇ ତାଙ୍କ ପଛରେ କୁକୁର ଲଗାଇ ନ ଦିଏଁ ! ତାହାହେଲେ ଯାଇ ମଜା ହେବ । ମୁଁ ଯେମିତି ଥରେ କରିଥିଲି, ପୁଣି ସେମିତି ସେମାନଙ୍କୁ ତେଲ ଆଉ ରାଳରେ ବୁଡ଼ାଇ ମଶାଲ ପରି ଜଳାଇବି । ଏହି ଆଲୁଅରେ ସାରା ରୋମକୁ ଆଲୋକିତ କରିବି ।’’ ସମସ୍ତେ ଏତେବେଳେ ଦିଶୁଥିଲା ଶୟତାନ ପରି । କ୍ରୋଧରେ ସମସ୍ତ ମୁଖ ବିକୃତ, ହିଂସ୍ର ଉନ୍ମତ୍ତତା ଚକ୍ଷୁରୁ ଠିକରି ଗଡ଼ୁଛି, ମୁହଁର ଦୁଇ କୋଣରୁ ଫେଣ ଗଡ଼ୁଛି । ନିଷ୍ଫଳ ଆକ୍ରୋଶର ନାଗପାଶରେ ସମସ୍ତ ଶରୀର ଭିଡିମୋଡ଼ି ହେଉଛି ଏବଂ କୁପିତ ମର୍କଟର କପାଳ ପରି ତାର କପାଳର ଚର୍ମ ଯୁଗପତ୍ ସଙ୍କୁଚିତ ଓ ପ୍ରସାରିତ ହେଉଛି । ଚାଟୁବାଦୀ ସଭାସଦ୍‌ବର୍ଗଙ୍କ କଥା ଛାଡ଼ । ସେମାନେ ତ ନୀରୋର ଏ ମୂର୍ତ୍ତି ଦେଖି କମ୍ପମାନ । ଏମନ୍ତ କି, ପୋପିୟା ଯେ ତାର ଏ ଅସ୍ଫାଳନ ପ୍ରରିଦର୍ଶନରେ ଅଭ୍ୟସ୍ତ, ଆଜି ସେ ସୁଦ୍ଧା ଭୟରେ ତା ନିକଟରୁ ଘୁଞ୍ଚିଗଲା ।

 

ହାତ ହଲାଇ ନୀରୋ ସଭାସ୍ଥାନରୁ ଟିଗେଲିନସ୍‌ ଭିନ୍ନ ଅନ୍ୟ ସମସ୍ତଙ୍କୁ ବାହାର କରିଦେଲା, ତା’ପରେ ଟିଗେଲିନସ୍ ଆଡ଼କୁ, ଅନାଇ କହିଲା, ‘‘ଟିଗେଲିନସ୍, ମୋ ସଙ୍ଗରେ ଅସ; ଏ ବାଳିକାକୁ ବନ୍ଦୀ କରିବା ନିମନ୍ତେ ମୁଁ ତୁମକୁ କ୍ଷମତା ଦେବି । ସିଜର ଜୀବନ ବିରୁଦ୍ଧରେ ଷଡ଼ଯନ୍ତ୍ର-! ଦେଖ, କେବଳ ଏହି ଖ୍ରୀଷ୍ଟିୟାନ ନୁହନ୍ତି, ମାତ୍ର ଯେଉଁମାନେ ସେମାନଙ୍କ ସହିତ ବାଣିଜ୍ୟ ବ୍ୟବସାୟ ଅବା ସେ କୌଣସି କାର୍ଯ୍ୟ କରନ୍ତି, ସେମାନଙ୍କୁ ଘରେ ରଖନ୍ତି, ସେମାନଙ୍କ ପ୍ରତି ଦୟା ପ୍ରକାଶ କରନ୍ତି ଅବା ସେମାନଙ୍କ ସହିତ ଆଳାପ ପରିଚୟ ରଖନ୍ତି, ସେମାନେ ମଧ୍ୟ ଯେମନ୍ତ, ଦଣ୍ଡପାନ୍ତି । ମୋହର ଚାରିପାଖରେ ରକ୍ଷୀ ଦଳର ସଂଖ୍ୟା ଦୁଇଗୁଣ କରି ଦିଅ । ପ୍ରତ୍ୟେକ ଘରେ ଖାନତଲାସି କର । କାହାରିକୁ ଦୟା କର ନାହିଁ । ଫିନିୟସ୍ ରୁଫସ୍‌କୁ କହ, ଜର୍ମାନ୍‌ ଅଶ୍ୱାରୋହୀ ନେଇ ଗତାୟାତ କରିବାକୁ ଏବଂ ଏହି ରାଜହନ୍ତା ଦସ୍ୟୁମାନଙ୍କୁ ଆଶ୍ରୟ ଦେବାର ସନ୍ଦେହ ଯେଉଁମାନଙ୍କ ଉପରେ ପଡ଼ିବ, ସେ ସମସ୍ତଙ୍କୁ ବନ୍ଦୀ କରିବାକୁ । ଫିନିୟସ୍ ଆମର ବଡ଼ ଭଲ ଲୋକ । ଦୟ। କାହାକୁ କହନ୍ତି ସେ ଜାଣେ ନାହିଁ । ଦୁଷ୍ଟେ ! ନୀରୋ ଯେ ଅମର ଯେ ଅମର ଏବଂ ଯେଉଁମାନେ ତାହାର ପୂଣ୍ୟ ଶରୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କରନ୍ତି, ସେ ସମସ୍ତେ ଯେ ଦେବତାଙ୍କ ଅଭିଶାପରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୁଅନ୍ତି, ଏହା କଣ ସେମାନେ ଭୁଲି ଯାଇଛନ୍ତି ? ଟିଗେଲିନସ୍‌, ଆସ, ମୋ କ୍ଷମତା ବିଷୟରେ ଶିଖିବାକୁ ଏହିକ୍ଷଣି ସେମାନଙ୍କର ଢେର ଡେରି ଅଛି । ‘‘ମୁଁ–ମୁଁ–ମୁଁ’’ କିନ୍ତୁ କହିବାକୁ ଏ ନିର୍ଲଜ୍ଜ କାପୁରୁଷକୁ ତଥା ଅଣ୍ଟିଲା ନାହିଁ । ନାନାପ୍ରକାର ମୁଖଭଙ୍ଗି କରି ନାନାପ୍ରକାର ଅସ୍ପଷ୍ଟ ଆବାଜ କରୁ କରୁ ଗୃହ ଭିତରକୁ ଢଳି ଢଳି ଚାଲିଗଲା । ତା’ ପଛରେ ଗଲା ତା'ର ସେହି ଦୁର୍ବୃତ୍ତ ଓ ସଭାସଦ୍ ଟିଗେଲିନସ୍‌ ।

 

ପୋପିୟା ନୀରୋର ଏହି ଉନ୍ନତ୍ତ ପ୍ରଳାପ ପ୍ରତି ଯଦିବା ଖୁବ୍‌ କମ ପ୍ରତ୍ୟକ୍ଷ ମନୋଯୋଗ ଦେଖାଇଲା, ତଥାପି ଯେଉଁମାନେ ତାହାର କ୍ଷମତାର ଅଧୀନ ଥିଲେ, ସେମାନେ ଯେ କିପରି ସର୍ବଦା ବିପଦର ସମ୍ମୁଖୀନ, ତାହା ସେ ସମ୍ୟକ୍ ହୃଦୟଙ୍ଗମ କଲା । ଅବା କିଏ ନାସ୍ତି କରିବ ଯେ ସେ ମୁଁ ତାହାର ନିଜ ଭବିଷ୍ୟତର ଆଶଙ୍କାରେ ଆଜି ଈଷତ୍ ମ୍ରିୟମାଣ ନୁହେଁ, ଯେଉଁ ସମୟରେ ଏହି ଉନ୍ନତ୍ତ ପିଶାଚ ଉପରେ ତାର କ୍ଷମତା କମିଯିବ, ଯେଉଁ ସମୟରେ ନୀରୋର ପ୍ରଦତ୍ତ ପୈଶାଚିକ ମୃତ୍ୟୁଦଣ୍ଡରୁ ନିଷ୍କୃତି ପାଇବାପାଇଁ ସେ ବୃଥାରେ ଜୀବନ ଭିକ୍ଷା କରିବ, ସେ ସମୟ ବଡ଼ ବେଶି ଦୂରରେ ନାହିଁ । କିନ୍ତୁ ବର୍ତ୍ତମାନ ଲୋକଚକ୍ଷୁରୁ ନୀରୋର ଦୁର୍ବଳତା ଗୋପନ କରିବା ତାହାର କାର୍ଯ୍ୟ, କାରଣ ନୀରୋର ଗୌରବର ଆଶ୍ରୟରେ ସେ ନିରାପଦ, ନୀରୋର ମର୍ଯ୍ୟାଦା ବୃଦ୍ଧିରେ ତାର ସମୃଦ୍ଧି ।

 

ନୀରୋର ଏହି ପାଶବିକ କ୍ଷିପ୍ତତା ଦେଖି ବେରେନିସ୍‍ ଥରୁଥିଲା । ପୋପିୟା ତା’ର ବନ୍ଧୁକୁ ସାହସ ଦେବାପାଇଁ ତାର କାନ୍ଧରେ ହାତ ଥୋଇ କହିଲା, “ମୋର କଥା ମୁଁ ରଖିଲି ଏବଂ ତୁମର ମନସ୍କାମନା ମଧ୍ୟ ପୂର୍ଣ୍ଣ ହେଲା । ଏହି ଖ୍ରୀଷ୍ଟିୟାନ ବାଳିକା ତୁମକୁ । ଆଉ କଷ୍ଟ ଦେବ ନାହିଁ-।’’

 

ବେରେନିସ୍‍ର ଚିନ୍ତା ହେଲା ମାର୍କସ୍ ସକାଶେ । ନୀରୋର ଅନୁଗ୍ରହାପେକ୍ଷୀ ହୋଇ ମାର୍କସ୍ ଯାହା ଉପରେ ଦଣ୍ଡାୟମାନ, ତାହା ଯେ କିପରି ଟଳମଳ, ଚଞ୍ଚଳ ଓ ବୃର୍ଦ୍ଦୂତ୍ତର ପକ୍ଷପାତିତାରେ ଆସ୍ଥା ସ୍ଥାପନ କରି ମାର୍କସ୍‌ର ଅବସ୍ଥା ଯେ କିପରି ଆପତ୍‌ସଂକୁଳ, ତାହା ବେରେନିସ୍‌ ବର୍ତ୍ତମାନ ବୁଝି ପାରିଲା । ସେଥିପାଇଁ ପୋପୀୟାର ସାହାଯ୍ୟ ଲୋଡ଼ିଥିବାରୁ ତାର ମନରେ ଅତ୍ୟନ୍ତ ଅନୁଶୋଚନା ଆରମ୍ଭ ହେଲା । ବୁଝିଲା ଘୃଣା ଏବଂ କ୍ରୋଧର ଏହି ପ୍ରଭଞ୍ଜନ ମାର୍କସ୍ ବିରୁଦ୍ଧରେ ପ୍ରବାହିତ ହେଲେ ମାର୍କସ୍‍ର ଜୀବନ ତୃଣଖଣ୍ଡ ପରି ଏହା ସମ୍ମୁଖରେ ଉଡ଼ିଯିବ ଏବଂ ମାର୍କସ୍‍ର ଜୀବନ ଯେଉଁ ଜୀର୍ଣ୍ଣସୂତ୍ର ଅବଲମ୍ବନରେ ଝୁଲୁଛି, ତାହା ନୀରୋର ଖିଆଲ ଭିନ୍ନ ଅନ୍ୟ କିଛି ନୁହେଁ । ଏହି ସମସ୍ତ ଚିନ୍ତା ବେରେନିସ୍‌ର ମତିକୁ ଆଚ୍ଛନ୍ନ କରିଥିବାରୁ ପୋପିୟାକୁ ସେ ଯେଉଁ ଧନ୍ୟବାଦ ଦେଲା, ତାହା ମଧ୍ୟ ଅସ୍ପଷ୍ଟ । ଆଣ୍ଠୁ ଭାଙ୍ଗି ସେ ପୋପିୟାକୁ ଉତ୍ତର ଦେଲା, “ସାମ୍ରାଜ୍ଞୀ, ଅଶେଷ ଧନ୍ୟବାଦ । କିନ୍ତୁ, କିନ୍ତୁ –’’

 

“କିନ୍ତୁ କଣ ? ମୋତେ କହିବ ବୋଲି କଅଣ ତୁମର ମନସ୍ତାପ ହେଉଛି ?

 

‘‘ଏହି ବାଳିବା ସକାଶେ ନୁହେଁ, ମାତ୍ର ମାର୍କସ୍ ସକାଶେ । ମୋ ଦୋଷରୁ ଯଦି ମାର୍କସ୍ ଉପରେ କୌଣସି ବିପଦ–’’

 

‘‘ଅବା ଯଦି ସିଜରର କୋପ ପଡ଼େ, ନାଁ ? ବନ୍ଧୁ ସେ ବିଷୟରେ ନିଶ୍ଚିନ୍ତ ହୁଅ, ସିଜର ଦ୍ୱାରା ମାର୍କସ୍‍ର କୌଣସି କ୍ଷତି ହେବ ନାହିଁ । ନୀରୋ ହସ୍ତରୁ ମୁଁ ତାକୁ ରକ୍ଷା କରିବି । କିନ୍ତୁ ଅନ୍ୟାନ୍ୟମାନଙ୍କ ଷଡ଼ଯନ୍ତ୍ରରୁ ରକ୍ଷା କରିବା ପାଇଁ ସବୁବେଳେ ସତର୍କ ରହିବା ମୋ ପକ୍ଷରେ ଅସମ୍ଭବ । ଟିଗେଲିନସ୍ ବଡ଼ ଚତୁର, ଆଉ ସେ ଯେପରି ହିଂସା କରୁଛି, ମାର୍କସ୍‍ର ସର୍ବନାଶ ସାଧନ କରିବାକୁ ସେ ଯେ ଅର୍ଥ ବା ଶକ୍ତି ବ୍ୟୟରେ କୌଣସି ପ୍ରକାର କାର୍ପଣ୍ୟ ଦେଖାଇବ, ଏ ଆଶା ମୋର ନାହିଁ । ମୁଁ ଯାହା ଜାଣି ପାରିବି, ସେ ବିଷୟରେ ମୁଁ ତତ୍ତ୍ୱାବଧାନ କରିବି । କିନ୍ତୁ ସବୁ ବିପଦରୁ ମାର୍କସ୍‌କୁ ରକ୍ଷା କରିବାକୁ ହେଲେ ମୋତେ ଆଗରୁ ଏ ସବୁ ବିପଦର ଖବର ପାଇବା ଦରକାର । ତେଣୁ କରି ମାର୍କସ୍‌ ସମ୍ବନ୍ଧରେ ଏ ସମସ୍ତ ଖବର ତୁମେ ମୋତେ ଯୋଗାଇବାକୁ ଚେଷ୍ଟା କର । ଆଉ ମାର୍କସ୍‌କୁ ମଧ୍ୟ ସାବଧାନ ହେବାକୁ ହେବ ।’’ ତତ୍ପରେ ସାନ୍ତ୍ୱନାର ସ୍ଵରରେ ଟିକିଏ ଅନୁଯୋଗ ମିଶାଇ କହିବାକୁ ଆରମ୍ଭ କଲା, “ବେଶ, ବେରେନିସ୍, ତୁମର ଏହି ପ୍ରତିବିଧିସ୍ଥା ସକାଶେ ଏବହୁଁ ଅନୁଶୋଚନା ଆରମ୍ଭ ହେଲାଣି ? ଆଚ୍ଛା, ଆଚ୍ଛା ସାହସ ଧର । ମାର୍କସ୍‌ର କୌଣସି କ୍ଷତି ହେବ ନାହିଁ । ଏ ବାଳିକାକୁ ତାହାଠାରୁ ଛଡ଼ାଇ ନିଆଯିବ । ଥରେ ଏ ବାଳିକା ତରା ଆଖିର ଆଢ଼ୁଆଳ ହେଲେ ମନର ବି ଆଢ଼ୁଆଳ ହେବ । ସିଜରର ଆଜ୍ଞା ଅବହେଳା କରିବାକୁ ମାର୍କସ୍‌ର ସାହସ ନାହିଁ, ଆଉ ମାର୍କସ୍ ଯେମନ୍ତ ତୁମକୁ ବିଭା କରେ, ସେ ଆଜ୍ଞା ସିଜର ଶୀଘ୍ର ଦେବେ ।’’

 

ବେରେନିସ୍ ଧୀରେ ଧୀରେ କହିଲା, “ରାଜ୍ଞୀ, ମୁଁ ଯେ ତୁମକୁ କିପରି ଯଥେଷ୍ଟ ଧନ୍ୟବାଦ ଦେବି, ତାହା ମୁଁ ଜାଣିପାରୁ ନାହିଁ ।’’

 

‘‘ମୋତେ କୌଣସି ଧନ୍ୟବାଦ ନ ଦିଅ, ଅବା ମାର୍କସକୁ ସ୍ୱାମୀ ରୂପେ ପରୀକ୍ଷା ନ କଲା ପର୍ଯ୍ୟନ୍ତ ନ ଦିଅ । ଅପେକ୍ଷା କରିବା ଉତ୍ତମ । ବର୍ତ୍ତମାନ ମୁଁ ଯାହା କରୁଛି, ତୁମକୁ ଆଶୀର୍ବାଦ ପରି ଲାଗୁଛି, କିନ୍ତୁ ହୁଏତ ତାହା ଭବିଷ୍ୟତରେ ଅଭିଶାପ ହୋଇପାରେ । ବର୍ତ୍ତମାନ ତୁମର ପ୍ରେମିକ ତୁମର ସମସ୍ତ କଳ୍ପନାର ଅନୁରୂପ ବୋଲି ମନେ ହେଉଛି । କିନ୍ତୁ ଅପେକ୍ଷା କର, ବେରେନିସ୍ ଅପେକ୍ଷା କର । ଏମାନଙ୍କୁ ବିବାହ ନ କଲା ପର୍ଯ୍ୟନ୍ତ ଆମେ ନାରୀଜାତି ଏମାନଙ୍କୁ କେତେବେଳେ ଚିହ୍ନି ପାରିବୁଁ ନାହିଁ । ନିଜର ସ୍ୱାମୀ ନିକଟରେ ନିଜର ସ୍ଥାନ ଯେ କିପରି ବିପଜ୍ଜନକ, ସେହି ଜ୍ଞାନର ଗୋପନ ଲାଞ୍ଛନାରେ ବିଦୂଷକର ନାରୀ-ଚରିତ୍ରସୁଲଭ ଯେ ରହସ୍ୟ ଲିପ୍‌ସା ତାର ହାସ୍ୟମୟ ନୟନରେ ଫୁଟି ଉଠୁଥିଲା ତାହା ଆଜି ସେହି ନୟନ-କୋଣରେ ବିଲୀନ ହେଲା । ଏହି ରହସ୍ୟ ଆଳାପ ବନ୍ଦ କରି ବନ୍ଧୁର ହାତ ଧରି ପୋପିୟା ରାଜପ୍ରାସାଦର ଅପର ପ୍ରାନ୍ତରେ ଯେଉଁଠାରେ ନିଜର ଗୃହ ସେହି ଆଡ଼କୁ ନେଇଗଲା ।

Image

 

ପଞ୍ଚଦଶ ପରିଚ୍ଛେଦ

ଆନ୍‌କାରୀୟା

 

ମାର୍କସ୍, ଘରେ ଯେଉଁ ଭୋଜି ହେବାର ଥିଲା ଏବଂ ମର୍ସିୟାକୁ ଭେଟିବା ପୂର୍ବରୁ ଯେଉଁ ଭୋଜିକୁ ସେ ତାହାର ପରିଚିତ ଘନିଷ୍ଠ ବନ୍ଧୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲା, ଆଜି ସେହି ଭୋଜିର ଦିନ । ଏ ଭୋଜିକୁ ଗ୍ଳାବ୍ରିଓର ଆସିବାର କଥା, ଫିଲୋଡିମସ୍‌ ପ୍ରଭୃତି ଅନେକ ବିଳାସପ୍ରିୟ ଧନୀ ଯୁବକଙ୍କର ମଧ୍ୟ ଆସିବାର କଥା, କାରଣ ମାର୍କସ୍‌ ଘରେ ଏ ପ୍ରକାର ବିଳାସ ବ୍ୟସନରେ ଯୋଗ ଦେବାକୁ କାହାକୁ ଦୁଇଥର ଅନୁରୂଦ୍ଧ ହେବାକୁ ହୁଏ ନାହିଁ । ମାର୍କସ୍ ଯେତେବେଳେ ବେରେନିସ୍‍କୁ କହିଥିଲା, ଏ ଭୋଜିରେ ସେ କୌଣସି ଭଦ୍ରମହିଳାଙ୍କୁ ନିମନ୍ତ୍ରଣ କରି ନାହିଁ, ତାହା ସତ୍ୟହିଁ କହିଥିଲା-। କାରଣ, ପୁରୁଷଙ୍କର ମନୋରଞ୍ଜନ କରିବାକୁ ଯେଉଁ ସୁନ୍ଦରୀମାନେ ଭୋଜିରେ ଉପସ୍ଥିତ ଥିଲେ, ସେମାନେ ଅଭିଜାତବର୍ଗଙ୍କ ମଧ୍ୟରେ ସୁପରିଚିତ ନର୍ତ୍ତକୀ ଏବଂ ଗାୟିକା ବେଶ୍ୟା । ଏହି ଧନୀ ଯୁବକଙ୍କ ମଧ୍ୟରେ ସେ ସର୍ବାପେକ୍ଷା ଅଧିକ ଅନୁଗୃହୀତ ହେଉଥିଲା, ସେ ହେଉଛି ଆନ୍‌କାରୀୟା, ରୂପରେ ଅତୁଳନୀୟ । ଅଙ୍ଗ ସୁବଳିତ, ମୁଖଶ୍ରୀ ସୁନ୍ଦର, ଉଗ୍ର ପ୍ରକୃତି, ଚତୁରା, ମଦୋନ୍ନତ୍ତା, ଅପ୍‌ସରା ବିନିନ୍ଦିତ କଣ୍ଠ । ଆନ୍‌କାରୀୟାର ଗାୟିକା ବୋଲି ଏତେ ଖ୍ୟାତି ଥିଲା ଯେ ନଗରର ଧନିକମାନଙ୍କର ମୁଜରା ମଜଲିସରେ ୟାକୁ ନିଯୁକ୍ତ କରିବାକୁ ଯେତେ ବ୍ୟୟ ହେଉଥିଲା, ତାହା ଶୁଣିଲେ ଅସମ୍ଭବ ବୋଧ ହେବ । ପ୍ରଣୟ ଏବଂ ତତ୍‌ସମ୍ପର୍କୀୟ ଯେ ସମସ୍ତ ପ୍ରସଙ୍ଗ ଲମ୍ପଟର ବାସନା ଉଦ୍ଦୀପ୍ତ କରେ, ସେହି ସମସ୍ତ ବିଷୟକୁ ନିଜର ନିର୍ଲ୍ଲଜ୍ଜ ଅଙ୍ଗଭଙ୍ଗୀରେ ଏ ପ୍ରକାର ସ୍ପଷ୍ଟ କରି ଦେଉଥିଲା ଯେ, ମଜ୍‌ଲିସ୍‌ରେ ଥିବା ଲୋକମାନେ ଏପ୍ରକାର ଗାନ ଶୁଣି ଉନ୍ନତ୍ତ ପ୍ରାୟ ହେଉଥିଲେ । ଏହା ଉପରେ ପୁଣି ତାର ମୁହଁର ଗଢ଼ଣଟି ବଡ଼ ସୁନ୍ଦର, ସ୍ଫୁରିତାଧରରେ ଚିରଚଞ୍ଚଳ ମୃଦୁହାସ୍ୟ ଯେପରି ଲାଗି ରହିଛି, ଆଉ ନୟନର ନୀଳିମାରେ ଗୋଧୂଳି ଗଗନର ପ୍ରାୟାନ୍ଧକାରର ରହସ୍ୟ ସେପରି ଘୋଟି ରହିଛି, ନୀଳୋତ୍ପଳନିଭ ଆୟତ ନେତ୍ରର ପତା ଦିଓଟି କେତେବେଳେ ବା ମଦାଳସରେ ଆଉଜି ପଡ଼ୁଛି, କେତେବେଳେ ଅବା ବାସନାବହ୍ନିରେ ଉଦ୍ଦୀପ୍ତ ହୋଇ ଚକ୍ଷୁ ଅନ୍ତରର ଭାବରାଶିର ବିପର୍ଯ୍ୟୟ ବାର୍ତ୍ତା ପ୍ରଦାନ କରୁଛି । ବାସ୍ତବିକ ମୁଖ ଯାହା କହି ନ ଥିଲା, ଚକ୍ଷୁ ତାର ସେହି ଅମାଜ୍ଜିତ, ସ୍ୱଭାବର ସମସ୍ତ ଉଦ୍ଦାମ ଉଚ୍ଛୃଙ୍ଖଳାତାର ବାର୍ତ୍ତା ପ୍ରଦାନ କରୁଥିଲା । ତାର ଇଚ୍ଛା ହେଲେ ଅବା ଲାଭର ଆଶା ଦେଖିଲେ ସେ ପତିବ୍ରତା ଭାର୍ଯ୍ୟାର ବିନମ୍ର ସାଧ୍ୟସାଧନାର ସମ୍ପୂର୍ଣ୍ଣ ଅଭିନୟ ଦେଖାଇ ପାରୁଥିଲା, କିନ୍ତୁ ତାର ଇଚ୍ଛାରେ ବାଧା ପଡ଼ିଲେ ସେ କ୍ରୋଧରେ ଚାମୁଣ୍ଡାର ଉଗ୍ରମୂର୍ତ୍ତି ଧାରଣ କରୁଥିଲା ଏବଂ କରାୟତ୍ତ ବନ୍ଦୀକୁ ନିଜ ପ୍ରଭୃତ୍ୱର ସମସ୍ତ ନିର୍ଯ୍ୟାତନ ଭୋଗ କରାଇବାକୁ ଚାମୁଣ୍ଡା ପରି ତାର ବକ୍ଷରେ ସ୍ୱୀୟ ‘‘ପଦପଲ୍ଲବମୁଦାରଂ’’ ଦେବାକୁ ମଧ୍ୟ କୁଣ୍ଠିତ ହେଉ ନ ଥିଲା ତାର ସ୍ୱାର୍ଥପର ସ୍ୱଭାବଟା ଜ୍ୟେଷ୍ଠମାସର ଅରଣ୍ୟ ପରି ଦହନପ୍ରବଣ, ସେଥିରେ ଈର୍ଷାର ଅଗ୍ନିକଣା ସାମାନ୍ୟ ଫତ୍କାରରେ ଦାବାନଳ ଉଦ୍‍ଗୀରଣ କରୁଥିଲା, ଆଉ ସେହି ଅଗ୍ନିକାଣ୍ଡ ଯେ ତାର ପ୍ରଭାବର ବେଷ୍ଟନୀ ମଧ୍ୟରେ ଯେଉଁମାନେ ଥିଲେ, ସେମାନଙ୍କୁ ନିର୍ଦ୍ଦୟରୂପେ ଦହୁଥିଲା, ଏହା ସହଜରେ ଅନୁମେୟ । ତାର ନାଗ ପାଶରେ ସେ ଜଡ଼ିତ ହେଉଥିଲା, ସେ ଇଚ୍ଛା କରି ଫିଟାଇ ନ ଦେଲେ ସେ ବନ୍ଧନରୁ ମୁକ୍ତି ପାଇବା ତା ପକ୍ଷରେ ଏପ୍ରକାର ଅସମ୍ଭବ । ମାର୍କସ୍ ବ୍ୟତୀତ ତାର ଅନ୍ୟ ସମସ୍ତ ପ୍ରଣୟୀଙ୍କ ମଧ୍ୟରେ ଏକପ୍ରକାର କାହାରି ଭରସା ନ ଥିଲା ଯେ, ସେ ଆନକାରୀୟାର ପ୍ରଣୟ ଫେରି ପାଇଛି ବୋଲି ମନେ କରିବ । ତାର କଳୁଷିତ ସ୍ୱଭାବରେ ଯେତେ ପରିମାଣରେ ଯଥାର୍ଥ ପ୍ରଣୟ ସମ୍ଭବେ, ତାହା ଦେଇ ସେ ମାର୍କସକୁ ପ୍ରେମ କରୁଥିଲା । ମାର୍କସ୍ କିନ୍ତୁ ସଙ୍ଗୀତଚର୍ଚ୍ଚାରୁ ଆରମ୍ଭ କରି ନିଜ ପ୍ରତି ତାର ସମସ୍ତ ଆଦର, ଅନାଦାର ଓ ଉପଦ୍ରବ୍ୟ, ସମସ୍ତ କାର୍ଯ୍ୟରେ ନିର୍ଲିପ୍ତ ଆମୋଦ ଛଡ଼ା ଅନ୍ୟ କିଛି ଅନୁଭବ କରୁ ନ ଥିଲା । ତାର ରୂପ ଗୌରବ ମାର୍କସ୍ ମନରେ ଉତ୍ପାଦନ କରୁଥିଲା କେବଳ ଗୋଟାଏ ବିସ୍ମୟ, ଯାହା–ଯେ କୌଣସି ସୁନ୍ଦର ବିଷୟ ଦେଖିଲେ ସହଜରେ ମନ ମଧ୍ୟରେ ଜାଗ୍ରତ ହୁଏ । ଏହି ସ୍ତ୍ରୀଲୋକ ଆଜିର ଭୋଜିରେ ନିମନ୍ତ୍ରିତଙ୍କର ଚିତ୍ତବିନୋଦନ ନିମନ୍ତେ ନିଯୁକ୍ତ ।

ଶ୍ରେଷ ଦୁଇଦିନର ଘଟଣାବଳୀର ଉତ୍ତେଜନାରେ ମାର୍କସ୍ ଭୋଜି କଥା ଭୁଲି ଯାଇଥିଲା; କିନ୍ତୁ ତାହାହେଲେ ହେବ କଣ, ଘରର ବ୍ୟବସ୍ଥା ଏପରି ସୁସଂଯତ ଯେ ମାର୍କସ୍ ଏ ଭୋଜି ବିଷୟରେ ନିଜେ ତତ୍ତ୍ୱାବଧାନ ନ କଲେ ମଧ୍ୟ ଭୋଜିର ଆୟୋଜନ ଯଥୋଚିତରୂପେ ହୋଇଥିଲା-। ବର୍ତ୍ତମାନ ଭୋଜି କଥା ମନେ ପଡ଼ିଯିବାରୁ ସେ ଅନକାରୀୟ। ପ୍ରଭୃତିଙ୍କୁ ନିମନ୍ତ୍ରଣ କରିଥିବା ହେତୁ ନିଜ ଉପରେ କେବଳ ବିରକ୍ତ ହେଲା । କିନ୍ତୁ ଏହା ଆଉ ରଖିବାର କଥା ନୁହେଁ । ଆଜି ନିମନ୍ତ୍ରିତ ଲୋକଙ୍କର ଆସିବା ପୂର୍ବରୁ ଅନ୍ତତଃ ଥରେ ସେ ମର୍ସିୟା ସହିତ ସାକ୍ଷାତ୍ କରିବ ।

ତାର ଚାକରମାନଙ୍କୁ ଡାକି ମର୍ସିୟା ଯେଉଁ ଘରେ ଥିଲା ସେ ଘର ଆଡ଼କୁ ସେ ଗଲା । ଚାକରମାନେ କବାଟ ଫିଟାଇ ଦେବା ପରେ ସେମାନଙ୍କୁ ବିଦାୟ ଦେଇ କଥା କହିବା ନିମନ୍ତେ ମର୍ସିୟାର ଅନୁମତି ମାଗିଲା । ମର୍ସିୟା ଶାନ୍ତଭାବରେ କହିଲା, ‘‘ମୁଁ ତୁମର ବନ୍ଦୀ, ମୋ ସାଙ୍ଗରେ କଥା କହିବାକୁ ତୁମର ଅଧିକାର ଅଛି ।’’

ତାର ସ୍ଵରରେ ବିରକ୍ତି ନ ଥିଲା, ଅବା ମାର୍କସ୍ ଟିକିଏ ସନ୍ତୁଷ୍ଟ ହୋଇଥାନ୍ତା; କାରଣ ତାର ସେହି ଅବିଚଳିତ ଭାବ, ମାର୍କସ୍‍କୁ ଅତ୍ୟନ୍ତ ବିଚଳିତ କରୁଥିଲା । ତୀର ସେହି ଗାମ୍ଭୀର୍ଯ୍ୟର ମହିମା ସମ୍ମୁଖରେ ମାର୍କସ୍ ଅସ୍ଥିର ହୋଇ ପଡ଼ୁଥିଲା । ତାର ମୁଖ ପ୍ରଶାନ୍ତ ସୌନ୍ଦର୍ଯ୍ୟକୁ ଅନାଇଲାକ୍ଷଣି ନିଜର ସମସ୍ତ ବାସନା ପ୍ରଶମିତ ହୋଇ ଯାଉଥିଲା, କେବଳ ମନର କଷ୍ଟ ଦେଉଥିଲା ନିଜ କଳୁଷିତ ଚିନ୍ତାର ଗ୍ଳାନି ଓ ଏହି ଚିନ୍ତା ଯେଡ଼େ କଳୁଷିତ ହେଲେ ସୁଦ୍ଧା ଯେ ମର୍ସିୟାକୁ ସ୍ପର୍ଶ କରି ପାରୁ ନ ଥିଲା ତାହାର ଜ୍ଞାନ । ଅବିଶେଷରେ ସେ ଉତ୍ତର ଦେଲା, ‘‘ବନ୍ଦୀ ! ନା, ଠିକ୍ ବନ୍ଦୀ ନୁହ ।’’

ମର୍ସିୟା କହିଲା, ‘‘ତେବେ କଣ ? ଅନ୍ତତଃ ତୁମେ ମୋର ବନ୍ଦୀକର୍ତ୍ତା ।’’

 

‘‘ସେ କଥା ସତ, କିନ୍ତୁ ମୋ ଇଚ୍ଛାରେ ତୁମେ ବନ୍ଦୀ ନୁହ, ମର୍ସିୟା ।’’

 

ତେବେ କାହିଁକି ମୋତେ ସେମାନଙ୍କ କତିକି ଯିବାକୁ ଦେଉ ନାହଁ ? ସେମାନଙ୍କର ମୋଠି ପ୍ରୟୋଜନ ଅଛି ।”

 

ସେ କାର୍ଯ୍ୟ ମୁଁ କରି ପାରିବି ନାହିଁ; ତୁମେ ଏଡ଼େ ସୁନ୍ଦର, ଏଡ଼େ ମଧୁର, ତୁମର ଏ ନବ ଯୌବନ, ଆଉ –’’

 

‘‘ଅନେକଙ୍କର ବାର୍ଦ୍ଧକ୍ୟ ଅପେକ୍ଷା ମୋର ଯୌବନ ବନ୍ଦୀଶାଳାର ନିଗ୍ରହ ଭୋଗ କରିବାକୁ ବେଶି ସମର୍ଥ । ତାଙ୍କର ନାମ ହେତୁ ଯେ ଭାର ମୋ ଉପରେ ଦିଆଯିବ, ତାହା ଆନନ୍ଦରେ ବହନ କରିବାକୁ ମୁଁ ପ୍ରସ୍ତୁତ ।

 

‘‘ତାଙ୍କର ନାମ କଣ ! ତୁମେ କାହା କଥା କହୁଛ ?

 

ମର୍ସିୟା ଉତ୍ତର କଲା, “ଏ ଜଗତର ପରିତ୍ରାଣ ନିମନ୍ତେ ଯେ ଏ ଜଗତକୁ ଅସିଥିଲେ ଏବଂ ଜଗତର ଲୋକେ ଯେପରି ଜୀବନ ଲାଭ କରିବେ, ସେଥପାଇଁ ଆପଣାର ଜୀବନ ଯେ ବିସର୍ଜନ କରିଥିଲେ ।

 

‘‘ମୁଁ ତୁମ କଥା ବୁଝିପାରୁ ନାହିଁ । ମୋତେ ଏହି - ଗଳ୍ପ କୁହ ।’’ ଏହା କହିବା ସମୟରେ ମାର୍କସ୍ ଟିକିଏ ମଝିରେ ଅଟକି ଗଲା, କାରଣ ଏହି ବିଷୟକୁ ଗଳ୍ପ ଭିନ୍ନ ଯେ ଅନ୍ୟ କୌଣସି ଯୋଗ୍ୟ ନାମ ଦେବ, ତାହା ତା ବିବେଚନାରେ ଆସିଲା ନାହିଁ ।

 

ମର୍ସିୟା ଧୀର ଭାବରେ ପଚାରିଲା, ‘‘ତୁମେ କଣ ବାସ୍ତବିକ୍ ଏ କଥା ଶୁଣିବା ପାଇଁ ଇଚ୍ଛା କରୁଛ ?’’

 

“ହଁ, ବାସ୍ତବିକ ।’’

 

ତା ସମ୍ମୁଖରେ ନୀରବ ରହିବାକୁ, ନୀରବରେ ତାର ରୁପମାଧୁରୀ ନିରୀକ୍ଷଣ କରିବାକୁ ଏବଂ ନୀରବରେ ତାର ମୃଦୁ ମଧୁର ସ୍ୱର ଶୁଣିବାକୁ ଆନନ୍ଦରେ କେବଳ ଏତିକି କହିଲା ।

 

“ମୁଁ ତୁମକୁ ସେହି କଥା କହିବି, ଯାହାଠାରୁ ବଡ଼ କଥା ମନୁଷ୍ୟର କାନ କେଭେ ଶୁଣି ନାହିଁ - ସେ କଥା ଏଡ଼େ କରୁଣ, ଏଡ଼େ ମହିମାମୟ, ଏଡ଼େ ଉନ୍ନତ ଯେ, ମନୁଷ୍ୟର କଳ୍ପନା ତାର ସମକକ୍ଷ ହୋଇ ପାରିବ ନାହିଁ । ତାର ଉଦ୍ଭାବନା ତାର ସୀମାକୁ ସ୍ପର୍ଶ କରି ପାରିବ ନାହିଁ । ପ୍ରିଫେକ୍‍ଟ ଭଲକରି ଶୁଣ । ଯେଉଁ କର୍ଣ୍ଣ ତୁମର ସଂସାରର ଛଳନାମୟ କୋଳାହଳରେ ବଧିର, ସେ କର୍ଣ୍ଣ ଛିଦ୍ର କରି ଶୁଣ, ଯେଉଁ ହୃଦୟ ତୁମର ଅର୍ଥ, ଯଶ ଏବଂ କୁଳମର୍ଯାଦାରେ ଉଦ୍ଧୃତ, ତାହା ଅବନତ କରି ଶୁଣ । ନିବିଷ୍ଟଚିତ୍ତରେ ଶୁଣ ଏବଂ ପ୍ରାର୍ଥନା କର, ଯେପରି ତାହା ଯଥାର୍ଥରେ ହୃଦୟଙ୍ଗମ କରିପାର, କାରଣ ହାୟ ! ତାହା କରାଇବାକୁ ମୋର ଶକ୍ତି ନାହିଁ ।’’

 

ତା’ ପରେ ମର୍ସିୟା ସେହି “ଶୋକପରିଚିତ ଦୁଃଖୀ ଲୋକ’’ର ବିବରଣ କରିବାକୁ ଲାଗିଲା । ନିଜର ଅଜ୍ଞାତସାରରେ ଏ ଚିତ୍ରକୁ ସେ ଏକ ପ୍ରକାର ଜୀବନ୍ତ ଏକ ପ୍ରତ୍ୟକ୍ଷ କରିଦେଲା ଯେ, ତାହା ଶୁଣି ମାର୍କସ୍‍ର ମନେ ହେଲା, ଯେପରି ତାର ନୟନ ପଥରୁ ଅତୀତର ଯବନିକା ଉଠିଗଲା; ଆଉ ସେ ଦେଖିଲା, ସେହି ଗଭୀର ରାତ୍ରି ପ୍ରଭାତ କରି ସେ ଉଜ୍ଜ୍ୱଳ ଆଲୋକରେ ଅବତରଣ ସେହି ମେଷପାଳକମାନଙ୍କର ନିର୍ଜନ ରାତ୍ରି ଜାଗରଣ, ସେହି ଦରିଦ୍ର ଲୋକଙ୍କର ଭୟ ଏବଂ ବିସ୍ମୟ, ଯେଉଁମାନଙ୍କର ସମ୍ମୁଖରେ ଆକାଶ ଦ୍ୱାର ଉଦ୍‍ଘାଟିତ ହେଲା ଏବଂ ସର୍ବୋପରିସ୍ଥଙ୍କର ଦୂତ ଓହ୍ଲାଇ ଆସି ସେମାନଙ୍କୁ କହିଲେ, ଭୟ ନ କର, କାରଣ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ମଙ୍ଗଳ-ସମାଚାର ଆଣିଛି, ଯାହା ସର୍ବଜଗତ ନିମନ୍ତେ ଆଜି ‘‘ଦାଉଦ ନଗରରେ ତ୍ରାଣକର୍ତ୍ତା ଖ୍ରୀଷ୍ଟ ପ୍ରଭୁ ଜନ୍ମିଛନ୍ତି । ତତକ୍ଷାଣତ୍ ସ୍ୱର୍ଗୀୟବାହିନୀ, ଉପସ୍ଥିତ ହୋଇ ଦୂତଙ୍କ ସହିତ କଣ୍ଠ ମିଳାଇ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ‘‘ସର୍ବୋପରିସ୍ଥ ଈଶ୍ୱରଙ୍କର ଗୌରବ ହେଉ; ଜଗତ ଶାନ୍ତି ଲାଭ କରୁ, ମନୁଷ୍ୟମାନଙ୍କର ମଙ୍ଗଳ ହେଉ ।

 

ମର୍ସିୟା ତନ୍ମୟ ହୋଇ ପ୍ରତ୍ୟାଦିଷ୍ଟ ପରି କହିବାରୁ ଲାଗିଲା । ଅନ୍ତରର ଦୃଢ଼ ପ୍ରତୀତି ମୁଖରେ ପ୍ରତିଭାତ ହେଲା । ସ୍ୱାତ୍ତ୍ୱିକ ଆନନ୍ଦରେ ଚକ୍ଷୁ ଉଜ୍ଜ୍ୱଳ ହୋଇ ଉଠିଲା । ମର୍ସିୟାର ଏ ଭାବାନ୍ତର, ଏ ରୁପାନ୍ତର, ଏ ମାଧୁରୀ, ମାର୍କସକୁ ମୁଗଧ୍‌ କରିଦେଲା । ସେ ଅଭିଭୂତ ପରି ଶୁଣିବାକୁ ଲାଗିଲା, ପ୍ରଭୁଙ୍କର ସେହି ଦୀନବେଶରେ ଏ ଜଗତକୁ ଆଗମନର କଥା, ବେଥେଲହେମର ସେହି ଗୁହାଳ ଉପରେ ଶୋଭା ପାଉଥିଲା ଯେଉଁ ତାରା, ସେହି ମେଷପାଳକମାନଙ୍କର ଆଗମନ, ପ୍ରାଚୀର ସେହି ପଣ୍ଡିତମାନଙ୍କର ବନ୍ଦନା, ପ୍ରଭୁଙ୍କର ବାଲ୍ୟାବସ୍ଥା ଓ ପରିପୂର୍ଣ୍ଣ ଯୌବନର ପ୍ରଶାନ୍ତ ମହିମା, ତାଙ୍କର ଯନ୍ତ୍ରଣା ଓ ଗେତ୍ସିମାନୀର ରକ୍ତାକ୍ତ କଳେବର, କ୍ରୂଶୀୟ ମୃତ୍ୟୁ ଏବଂ ଶେଷ ବାକ୍ୟ ‘‘ପିତଃ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ ।’’ ପ୍ରଭୁଙ୍କ ଜୀବନର ଶେଷ ଘଟଣା ସବୁ କହୁ କହୁ ମର୍ସିୟାର କଣ୍ଠସ୍ୱର କରୁଣ ହୋଇ ଆସିଲା, ଚକ୍ଷୁ ବନ୍ଦ ହୋଇ ଆସିଲା, ସତେ ଯେପରି ସେ ଦୁଃଖ ସେ ଚର୍ମଚକ୍ଷୁରେ ଦେଖୁଛି । ତାର କଣ୍ଠସ୍ୱରର ଆକୁଳ ଆବେଗ, ତାର ହୃଦୟର ସେହି ଅପରିମେୟ ପ୍ରତ୍ୟୟ ମାର୍କସ୍‍ର ହୃଦୟକୁ ବିଚଳିତ କରିଦେଲା, ଯାହାର ସାକ୍ଷ୍ୟ ଦେଲା ତାର ନୟନ ବିଳମ୍ବୀ ଅଜସ୍ର ଅଶ୍ରୁବାରୀ ।

 

ମର୍ସିୟାର କଥା ଶେଷ ହେଲା । ଦୁହେଁ ସ୍ତବଧ, ମର୍ସିୟ। ସେହି ଦୟାମୟଙ୍କ ଜୀବନ ବିସର୍ଜନ ଚିନ୍ତାରେ ନିର୍ବାକ୍, ଯେଉଁ ଆଶ୍ଚର୍ଯ୍ୟ ବିବରଣ ଶୁଣିଛି ତାରି ଅନୁଧ୍ୟାନରେ ଉନ୍ମତା । ସେ ଭାବୁଥିଲା ଏବଂ ତୁଳନା କରୁଥିଲା, ଏହି ସୁଷ୍ପଷ୍ଟ ସରଳ ନବଧର୍ମ ଏବଂ ରୋମୀୟ ଅସଂଖ୍ୟ ଦେବତାଙ୍କର ଜଟିଳ ପୂଜାପଦ୍ଧତି, ସେମାନଙ୍କର ବିଳାସ ବ୍ୟସନ, ପାପାଚରଣ, ଯୁପିଟର, ଯୁନୋ, ନେପଚ୍ୟୁନ, ଭିସନ ପ୍ରଭୃତି ଭିନ୍ନ ଭିନ୍ନ ଦେବ ଦେବୀଙ୍କର ମନସ୍ତୁଷ୍ଟି ନିମନ୍ତେ ପୂଜାର ଭିନ୍ନ ଭିନ୍ନ ପ୍ରକରଣ । କେଡ଼େ କ୍ଷୁଦ୍ର, କେଡ଼େ ଅଯୋଗ୍ୟ ଏମାନେ ଏ ବାଳିକା ଯେଉଁ ପବିତ୍ର ପୁରୁଷଙ୍କର କଥା କହିଲା ତାଙ୍କର ତୁଳନାରେ । ଅବଶ୍ୟ ଏ ସବୁ ଗଳ୍ପ, କେବଳ କପୋଳକଳ୍ପନା, ରୋମୀୟ ଦେବତାମାନେ ଏବଂ ଖ୍ରୀଷ୍ଟିୟାନଙ୍କର ଏହି ଦେବତା–ଏ ସବୁ ମିଥ୍ୟା, କିନ୍ତୁ ଏହି ନାଜରିତମାନଙ୍କ ଦେବତା କେଡ଼େ ଉନ୍ନତ !

 

ମାର୍କସ୍ ଆଖି ଟେକି ଦେଖିଲା, ମର୍ସିୟାର ଦୃଷ୍ଟି ତା’ଉପରେ ସ୍ଥିର ହୋଇ ରହିଛି । ସେହି ମର୍ମଭେଦୀ ପ୍ରଶାନ୍ତ ଦୃଷ୍ଟି କି ଏକ ଆଶ୍ଚର୍ଯ୍ୟ ଆକାଙ୍‍କ୍ଷାରେ ତୃଷିତ । ଏ ଆକାଂକ୍ଷା, ଏ ତୃଷା ମାର୍କସ୍‍କୁ ଉଚ୍ଚତର ସାତ୍ତ୍ୱିକ ଅଭିଜ୍ଞତା ଦେବାକୁ । ମାର୍କସ୍ କିନ୍ତୁ ତାହା ବୁଝି ନ ପାରି କେବଳ ସେ ଦୃଷ୍ଟି ତଳେ ବାରମ୍ବାର ବିହ୍ୱଳ ହେବାକୁ ଲାଗିଲା । ମୁହଁରୁ ତ କଥା ବାହାରୁ ନାହିଁ, ଯେଉଁ ଜିହ୍ୱା ନାନା ରହସ୍ୟ ସରସ ଅମୋଦ ଆଳାପରେ ସ୍ତ୍ରୀ ମନ ମଜାଇବାରେ ପଟୁ, ସେ ଜିହ୍ୱାରେ ସେ ଅନର୍ଗଳ ସ୍ତୋକବାକ୍ୟ ଆଉ ନାହିଁ । ବରଂ ଏହି ନିରୀହ ବାଳିକ। ପ୍ରତି ମନରେ ଏପ୍ରକାର ଭାବ ପୋଷଣ କରିଥିଲା ଭାବି ଦୁଃସହ ଲଜ୍ଜାରେ ମସ୍ତକ ଅନବତ । କିଏ ଯେପରି ମନରୁ ମନ୍ଦ ବାସନା, ମନ୍ଦ ଚିନ୍ତା ଠେଲି ତଡ଼ି ଦେଉଛି । ଏ ବାଳିକା ସମ୍ମୁଖରେ ପାପର ଯେପରି କିଛି ବଳ ନାହିଁ । ଏଯାବତ୍ ମର୍ସିୟାର ଚକ୍ଷୁ ତା'ଉପରେ ଶରତଜ୍ୟୋତ୍ସା ବିକୀର୍ଣ୍ଣ କରୁଥିଲା । ସେହି ସ୍ନିଗ୍‌ଧତା ତଳେ ତାର ସମସ୍ତ ଉଗ୍ରବାସନା ଶୀତଳ ହୋଇ ଆସିଲା, ନିଜର ସେହି ଯଥାର୍ଥ ସ୍ୱରୂପ ସେହି ଉନ୍ନତ ସ୍ୱଭାବ ଯାହା ଏର୍ଯ୍ୟନ୍ତ ପାପର ଅମାଅନ୍ଧକାରରେ ନିଦ୍ରାତୁର ଥିଲା, ଏହି ଆଲୋକ ସ୍ପର୍ଶରେ ତାହାର ମୋହନିଦ୍ରା ଭାଙ୍ଗିଥିଲା, କାମନା ପରିବର୍ତ୍ତରେ ସେହି ପବିତ୍ର ପ୍ରେମ ପ୍ରଗାଢ଼ ହୋଇ ଆସିଲା, ଯାହା ପ୍ରେମାସ୍ପଦ ପ୍ରତି ମନରେ ସମ୍ମାନ ଓ ଭକ୍ତି ସଞ୍ଚାର କରେ ।

 

ମାର୍କସ୍ ଏପରି ଆତ୍ମବିସ୍ତୃତ ଯେ ଭିଟୁରିୟସ୍ ଯେତେବେଳେ ଆସି ନିମନ୍ତ୍ରିତ ବ୍ୟକ୍ତି ସମସ୍ତେ ଅସିବାକୁ ଆରମ୍ଭ କଲେଣି ବୋଲି କହିଲା, ସେ ଚମକି ପଡ଼ିଲା । ମର୍ସିୟାର ଯତ୍ନର ଭାର ଏହି ବିଶ୍ୱସ୍ଥ ସେନାପତି ଉପରେ ଦେଇ ଅଭ୍ୟାଗତଙ୍କ ଅଭ୍ୟର୍ଥନା ପାଇଁ ଉଠିଗଲା; କିନ୍ତୁ ମନେ ମନେ ଅତ୍ୟନ୍ତ ବିରକ୍ତ ହେଲା, ବିଶେଷରେ ମର୍ସିୟାର ପବିତ୍ରତା ସହିତ ନିମନ୍ତ୍ରିତଙ୍କର ଅବାରିତ ଲମ୍ପଟତାର ଭାବୀ–ଦୃଶ୍ୟର ତୁଳନା କରି ।

 

ଏକାକୀ ବସି ମର୍ସିୟା କେବଳ ଭାବିବାକୁ ଲାଗିଲା ଏହି ମନୁଷ୍ୟର, ନିଜର ଏହି ପ୍ରେମାସ୍ପଦର ଚରିତ୍ର କଥା । ଦେଖିଲା, ଏ ଚରିତ୍ରରେ ଯଥେଷ୍ଟ ଯୋଗ୍ୟତା ଅଛି; ଉନ୍ନତିର ଯଥେଷ୍ଟ ସମ୍ଭାବନା ଅଛି । ତାହାର ତୀକ୍ଷଣ୍‌ ଅନ୍ତର୍ଦୃଷ୍ଟି ଦେଖିଲା, ମାର୍କସ୍‌ର ଯାହା କିଛି ମନ୍ଦ ତାହା ତାର ଚରିତ୍ର ଉପରେ ବୋଳଝାଞ୍ଜି ପରି ମାଡ଼ିଛି, ଅଗଭୀର ଚେର ତାକୁ ବେଶିଦୂର ପର୍ଯ୍ୟନ୍ତ କଳୁଷିତ କରି ନାହିଁ, କେବଳ ଶିକ୍ଷା ଓ ଅଭ୍ୟାସ ପହଞ୍ଚିଛି; କିନ୍ତୁ ତା ତଳେ ସ୍ୱଭାବ ଶରତ ସରିତର ସ୍ୱଚ୍ଛ ଜଳରାଶି ପରି ନିର୍ମଳ । ସେଥିପାଇଁ ସେ କେବଳ ଚିନ୍ତା କରିବାକୁ ଲାଗିଲା କେମିତି ଏ ଆତ୍ମାକୁ ରକ୍ଷା କରିବ । ତର୍ସିସର ପଲସ୍‍ଙ୍କ କଥା ତାର ମନେ ପଡ଼ିଲା । ସେ ପ୍ରଥମରେ କିପରି ପ୍ରଭୁ ଯିଶୁଙ୍କର ବିରୁଦ୍ଧାଚାରୀ ଥିଲା କିପରି ତାଙ୍କର ଶିଷ୍ୟମାନଙ୍କର ତାଡ଼ନା କରୁଥିଲା, ତା ପରେ କିପରି ସେ ହଠାତ୍‍ ପରିବର୍ତ୍ତିତ ହେଲା ଏମନ୍ତ କି ବର୍ତ୍ତମାନ ଖ୍ରୀଷ୍ଟଙ୍କ ନିମନ୍ତେ ମରିବାକୁ ପ୍ରସ୍ତୁତ । ମନେ ମନେ ପ୍ରାର୍ଥନା କଲା, ପ୍ରଭୃଙ୍କର ସେହି ଭକ୍ତଦାସ ନିକଟରେ, ସେହିପରି ଯୁବକ ପ୍ରିଫେକ୍‍ଟ ନିକଟରେ ସତ୍ୟର ସେହି ଉଜ୍ଜ୍ୱଳ, ଆଲୋକ ପ୍ରକାଶିତ ହେଉ । ମାର୍କସ୍‍ର କଲ୍ୟାଣ ଚିନ୍ତା ତାକୁ ଏ ପ୍ରକାର ଗ୍ରାସ କରିଥିଲା ଯେ, ଯଦିବା ନିଜର ଅବସ୍ଥା ନିତାନ୍ତ ସଂକଟାପନ୍ନ; ତଥାପି ସେଆଡ଼କୁ ନଜର ନାହିଁ । କାରଣ ସେ ଜାଣିଥିଲା, ଥରେ ବିଚାରରେ ସମର୍ପିତ ହେଲେ ମୃତ୍ୟୁ ଭିନ୍ନ ତା’ପାଇଁ ଅନ୍ୟ ଦଣ୍ଡ ନାହିଁ; କିନ୍ତୁ ବିଶ୍ୱାସ ବର୍ଜ୍ଜନ କରିବା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟ । ଜାଣିଥିଲା; ପ୍ରଭୁଙ୍କ ପ୍ରତି ତାର ସେ ଅଚଳା ଭକ୍ତି, ସେ ବିଶ୍ୱସ୍ତତା ତାକୁ କୌଣସି ବିଷୟ ଅସ୍ୱୀକାର କରାଇ ପାରିବ ନାହଁ, ଏମନ୍ତ କି ଏହି ଯେ ଯୁବକ ପ୍ରିଫେକ୍‍ଟ, ଯେ ତାର ପ୍ରଭୁଙ୍କୁ ଜାଣେ ନାହିଁ କି ତାଙ୍କର ପଶ୍ଚାଦ୍‍ଗାମୀ ନୁହେଁ, ଏହି ଯୁବକ ପ୍ରତି ତାର ଉଦ୍‍ବେଳ ପବିତ୍ର ପ୍ରଥମ ପ୍ରେମ ମଧ୍ୟ ତାହା କରାଇ ପାରିବ ନାହିଁ ।

 

ମାର୍କସ୍ ଚାଲିଗଲା ବନ୍ଧୁମାନଙ୍କର ଅଭ୍ୟର୍ଥନା କରିବା ପାଇଁ । ଡାର୍ଡ଼ାନିସ୍‍ ଓକସସ୍ ସଙ୍ଗରେ ଡାଓନେସ ଓ ସାଇରିନ୍‍, ରୋମର ଶ୍ରେଷ୍ଠ ନର୍ତ୍ତକୀଦ୍ୱୟ ଆସି ପହଞ୍ଚିଲେ । ଡାଓନେସ୍ ଦେଖିବାକୁ ଟିକିଏ ଲମ୍ବା, ସୁନ୍ଦରୀ, ବେଶ୍ ବଡ଼ ବଡ଼ ଆଖି, କୁଞ୍ଚିତ କେଶଭାର ଫିଟି କଟି ପର୍ଯ୍ୟନ୍ତ ପଡ଼ିଛି, ଅତି ପତଳା ନୁହେଁ କି ଅତି ମୋଟା ନୁହେଁ । ସାଇରିନ୍ ଲମ୍ୱାରେ ଡାଓସେନଠୁଁ ଛୋଟ । ଦେହର ରଙ୍ଗ ଟିକିଏ ମଳିଆ, ଦେହ ମନ ସ୍ଫୁର୍ତ୍ତିରେ ଭରା, ହରିଣୀ ପରି ଚଞ୍ଚଳ । ସେମାନଙ୍କର ସଙ୍ଗୀ କସମ୍‍ ଓ ଡାର୍ଡ଼ାନିସ ଦୁହେଁ ଧନୀ, ଯୁବକ, ଖରଚ ପତ୍ରରେ ବେପରୂଆ; ଦୁହେଁଯାକ ମଦରେ ଚୁର । ଡାର୍ଡ଼ାନିସ୍ କଣ ଗୋଟାଏ ଥଟ୍ଟାର କଥା କହିଥାଏ, ତା ନେଇ ଚାରିହେଁ ଖୁବ୍‍ ପାଟି କରି ହସୁଥାନ୍ତି ।

 

ଏ ପ୍ରକାର ବନ୍ଧୁମାନଙ୍କୁ ଉଚିତ ଆଦର ସହିତ ଅଭ୍ୟର୍ଥନା କରିବାକୁ ମାର୍କସ୍‍କୁ ଯେ କଷ୍ଟକର ବୋଧ ହୋଇ ନ ଥିଲା, ଏମନ୍ତ ନୁହେଁ । ସେ ଭିତରେ ବନ୍ଧୁମାନଙ୍କୁ ଗ୍ରହଣ କରୁଛି, ଏପରି ସମୟରେ ବାହାରୁ ଗୋଟାଏ ବଡ଼ ହସର ଶବ୍ଦ ଶୁଭିଲା; ତା ପରକ୍ଷଣରେ ଥିଆ ଓ ଯୁଲିଆ ନାମରେ ଦୁଇଜଣ ସ୍ତ୍ରୀଲୋକଙ୍କ କାନ୍ଧରେ ଭରାଦେଇ ଗ୍ଳାବ୍ରିଓକୁ ଘର ଭିତରକୁ ଆସିବାର ଦେଖିଲା । ହସର କାରଣ, ଗ୍ଳାବ୍ରିଓ ମଦରେ ବିଭୋର ଥିବାରୁ ଗୋଟିଏ ପାହାଚରେ ଗୋଡ଼ ପକାଉ ପକାଉ ଗୋଡ଼ ପଡ଼ିଗଲା ଅନ୍ୟ ପାହାଚରେ, ସେଥିପାଇଁ ଝୁଣ୍ଟି ପଡୁ ପଡ଼ୁ ଥିଆ ଓ ଜୁଲିଆ ତାକୁ କୁଣ୍ଢେଇ ଧରି ଉପରକୁ ଉଠାଇଲେ । ପଛରୁ ଫିଲୋଡ଼ିମସ୍ କହିଲା, ‘‘ଖୁବ୍ ଜୋରରେ ବାଜିଲା ହେ ?’’ ତାକୁ ଧରିଥିବା ଉକ୍ତ ସ୍ତ୍ରୀଲୋକମାନଙ୍କ ଆଡ଼କୁ ଅନାଇ ଗ୍ଳାବ୍ରିଓ କହିଲା, “ବାଜିଲା ? ମରମରେ ବାଜିଲା ହେ ମରମରେ ବାଜିଲା । ଏହି ଦୁଇଯୋଡ଼ା ଆଖିର ତୀକ୍ଷଣ୍‍ଦୃଷ୍ଟି ମୋର ହୃଦୟକୁ ଆଉ ଟିକଟରେ ଫୁଟାଇ ଦେଇଥାନ୍ତା । ଏହି ଚାରୋଟି ବାହୁର ବନ୍ଧନରେ ମୋର ନିଶ୍ଵାସ ଅଟକି ଯାଇଥିଲା, ଆଉ କଣ ! ବନ୍ଧୁ ମୋର, ମନେ କରିଥିଲ ମୋର ଏହି ଝୁଣ୍ଟିବାଟା ଗୋଟାଏ ଆକସ୍ମିକ ଘଟଣା । ମୁଁ ଦେଖୁଛି ତୁମର ଶିଖିବାକୁ ଢେର ବାକୀ ଅଛି । ଏହି ଝୁଣ୍ଟିବା ସକାଶେ ଅନେକ ବୁଦ୍ଧି ବିଚାର ଖରଚ କରା ହୋଇଥିଲା । ଏବେ ଦେଖିଲ, ଏହି ପଦସ୍ଫଳନ ମୋତେ କେଉଁଠି ନେଇ ପହଞ୍ଚାଇଛି ? ଏହା କହି ଏହି ବୃଦ୍ଧ ମଦ୍ୟପ ସମାନ ନିରପେକ୍ଷତାର ସହିତ ଥିଆ ଓ ଯୁଲିଆ ଉଭୟଙ୍କୁ ଆଲିଙ୍ଗନ ପ୍ରଦାନ କଲା ।

 

ନିମନ୍ତ୍ରିତ ବନ୍ଧୁମାନଙ୍କର ପହଞ୍ଚିବାର ଧୂମ୍ ଲାଗିଗଲା । ଫାଟକ ପାଖରେ ରଥ ଅଶ୍ୱର ଯିବା ଆସିବା, ରଥଚାଳକଙ୍କର ଡାକହାକ, ସ୍ତ୍ରୀଲୋକ ଏବଂ ସେମାନଙ୍କର ସଙ୍ଗୀ ପୁରୁଷମାନକର ଉଚ୍ଚହାସ୍ୟ ଓ ରହସ୍ୟ ସମ୍ଭାଷଣ, ଅନ୍ତରାଳରୁ ପ୍ରସରୁଥିବା ସଙ୍ଗୀତର ଅମୃତଧାରା, ଦୀପଧାରରେ ପ୍ରଜ୍ଜ୍ୱଳିତ ତୈଳର ଗନ୍ଧ, ଇତସ୍ତତଃ ସଜ୍ଜିତ ରାଶିକୃତ ପୁଷ୍ପର ସୌରଭ, ରତ୍ନଖଚିତ ମହାର୍ଘ ପରିଚ୍ଛଦର ବର୍ଣ୍ଣବୈଚିତ୍ର ରୂପସୀଙ୍କର ବାହୁ ବକ୍ଷର ନଗ୍ନ ସୌନ୍ଦର୍ଯ୍ୟ ଏ ସମସ୍ତ ମିଳି ଏ ଦୃଶ୍ୟର ସମାରୋହ ଏପରି ବଢ଼ାଇ ଥିଲା ଯେ, ସେହି ବଳାସିତାର ସମୟରେ ସୁଦ୍ଧା ତାହାର ତୁଳନା ମିଳିଥାନ୍ତା କି ନାହିଁ ସନ୍ଦେହ । ମାର୍କସର ମନ କିନ୍ତୁ ଏ ସମାରୋହରେ ନାହିଁ, ଥିଲା ଯାଇ ସେହି ଶୁକ୍ଳାମ୍ବର ପରିହିତା ସରଳା ବାଳିକା ନିକଟରେ, ଯାହା କତିରୁ ସେ ଏହିକ୍ଷଣି ଅସିଛି । ହାସ୍ୟ ପରିହାସ୍ୟର ସମସ୍ତ ଗଣ୍ଡଗୋଳ ଭିତରେ ତାର ମନ ଶୁଣୁଥିଲା ସେହି ଖ୍ରୀଷ୍ଟିୟାନ ବାଳିକାର ସେହି ମୃଦୁମଧୁର ସ୍ୱର ଆଉ ସେହି ନାଜରତୀୟ ଯୀଶୁଙ୍କର ଅଦ୍ଭୁତ ବିବରଣର ଆବୃତ୍ତ, ଯେ ଏ ଜଗତକୁ ପରିତ୍ରାଣ ସକାଶେ ଆସିଥିଲେ । ମର୍ସିୟାର ଲାବଣ୍ୟରେ ଦୀପ୍ତ ସେହି ନୀରବ ଗୃହକୋଣ ପାଇଁ ମାର୍କସ୍ ଏ ଅଖିଝଲସା ଚାକଚକ୍ୟ ବିଳାସିତା ଓ ଭକ୍ତିସ୍ତୁତିର ବେଷ୍ଟନୀ ଆନନ୍ଦରେ ପରିତ୍ୟାଗ କରିଥାନ୍ତା । ଗୋଟିକ ପରେ ଗୋଟିଏ ସ୍ତ୍ରୀଲୋକ ହସି ହସି ତା ଆଡ଼କୁ ଲାଳସାବିଲୋଳ ନେତ୍ରରେ ଚାହୁଁଥିଲେ । ମାର୍କସ୍ ମର୍ସିୟାକୁ ସେମାନଙ୍କ ସହିତ ମନେ ମନେ ତୁଳନା କରୁଥିଲା ଏବଂ ସେମାନଙ୍କ ସହ ତୁଳନା କରି ମହାଗର୍ହିତ କାର୍ଯ୍ୟ କରିଛି ବୋଲି ମନେ କରିବା ମାତ୍ରକେ ସେମାନଙ୍କୁ ଆଡ଼ୁ ଆଖି ଫେରାଇ ନେଉଥିଲା ।

 

ବୈଠକଖାନା ଓ ତାରି ଆଖ ପାଖ ଘରମାନଙ୍କରେ ଅତିଥିସତ୍କାର ନାନା ପ୍ରକାରେ ଏବେ ପୂର୍ଣ୍ଣମାତ୍ରାରେ ଚାଲିଥିଲା । କେଉଁଠି ବାଜିକର ହସ୍ତ ନୈପୁଣ୍ୟ ଦେଖାଯାଉଛି, କେଉଁଠି ମାଙ୍କଡ଼ କୁକୁର ନାଚୁଛନ୍ତି, କେଉଁଠି ତାନଲୟ-ଯୁକ୍ତ ଗୀତ ବାଦ୍ୟ ସହ ନର୍ତ୍ତକୀଦଳ ନର୍ତ୍ତନରେ ନିଯୁକ୍ତ, ଯେଉଁ ଆଡ଼କୁ ଅନାଅ ଦେଖିବ ଆଲୋକ ଆନନ୍ଦ, ସୁନ୍ଦରୀର ବେଶଭୂଷାର ସୌନ୍ଦର୍ଯ୍ୟ ଓ ହାସ୍ୟ ପରିହାସମୟ ସ୍ଫୁରିତାଧର । କେବଳ ଗୋଟିଏ ଜାଗାରେ ଏ ସବୁ ନାହିଁ । ତାହା ଏ ମଜଲିସର ମାଲିକ ଯେ ତାହାରି ହୃଦୟ । ସେଠି ଅଛି କେବଳ ଅନ୍ଧକାର, ଅଶାନ୍ତି, ଅମୂର୍ତ୍ତ ଅଭିଳାଷ, ପରିସ୍ଫୁଟ ବାସନାରାଶି ।

 

ଆନକାରୀୟାର ଅଭ୍ୟାସ, ସେ ନିମନ୍ତ୍ରଣ ସ୍ଥାନକୁ ବିଳମ୍ବ କରି ସମସ୍ତଙ୍କୁ ପଛରେ ଆସେ-। ଆପଣଙ୍କୁ କେନ୍ଦ୍ରରେ ରଖି ସବୁ ଆଡ଼ୁ ନିଜ ଆଡ଼କୁ ମନୋଯୋଗ ଆକର୍ଷଣ କରି ନ ପାରିଲେ ଅଭିମାନିନୀର ଆନନ୍ଦ ପୂର୍ଣ୍ଣ ହୁଏ ନାହିଁ । ଆହାର ଓ ବିଶ୍ରାମ ପରି ପୁରୁଷର ପ୍ରଶଂସା ମଧ୍ୟ ତାର ଜୀବନଧାରଣ ପକ୍ଷରେ ଅତୀବ ପ୍ରୟୋଜନୀୟ । ପ୍ରଶଂସା ପାଇଲେ ଯେ ସେ ଆଦର କରି ନିଏ ତାହା ନୁହେଁ, କିନ୍ତୁ ନ ପାଇଲେ ବଞ୍ଚି ପାରିବ ନାହିଁ । ସେଥିପାଇଁ ଆଜି ସମସ୍ତଙ୍କର ମନୋଯୋଗ ଆକର୍ଷଣ କରିବ ବୋଲି ଏତେ ବିଳମ୍ବ କରିବ ବୋଲି ଏତେ ବିଳମ୍ବ କରି ଆସିଲା । ତାର ରଥ ଯେତେବେଳେ ଆସି ପ୍ରଚଣ୍ଡ ବେଗରେ ଫାଟକ ପାଖରେ ପହଞ୍ଚିଲା, ସହରର ଯେତେକ ନିଷ୍କର୍ମା ସେଠି ଜମା ହୋଇଥିଲେ, ତାକୁ ଦେଖିଲାକ୍ଷଣି ଚିତ୍କାର କରି ପ୍ରଶଂସା କରିବାକୁ ଲାଗିଲେ । ସେ ମଧ୍ୟ ତାର ଅଭ୍ୟାସମତ ସେମାନଙ୍କର ସ୍ତୁତିବାଦକୁ ପୁରସ୍କୃତ କରିବାପାଇଁ ମୁଠା ମୁଠା କରି ଅଧଲା ପଇସା ବିଞ୍ଚିବାକୁ ଲାଗିଲା । ବୈଠକଖାନାରେ ଯେତେବେଳେ ପହଞ୍ଚିଲା, ଦୀପାଧାରର ଆଲୋକ ତା ଉପରେ ପଡ଼ି ତାକୁ ଆହୁରି ଅଧିକ ସୁନ୍ଦର, ଆହୁରି ଉଜ୍ଜ୍ୱଳ ଦେଖାଇଲା । ମନେ କରିଥିଲା, ମାର୍କସ୍‌କୁ ଜୟ କରିଛି, କିନ୍ତୁ ହସ୍ତଗତ କରି ରଖିବାକୁ ହେବ, ସେଥିପାଇଁ ସାଜମଜ୍ଜାରେ ତାର ଆଜି ବିଜୁଳି ଚମକୁଥିଲା । କିନ୍ତୁ ଆପଣାକୁ ଘଟା କରି ସଜାଇବାର କଷ୍ଟ ସ୍ୱୀକାର ନ କରିଥିଲେ ମଧ୍ୟ କ୍ଷତି ହୋଇ ନ ଥାନ୍ତା, କାରଣ ଗଭୀର ବିରକ୍ତି ଏବଂ ବିସ୍ମୟର ସହିତ ଲକ୍ଷ୍ୟ କଲା, ମାର୍କସ୍ ତା ଆଡ଼କୁ ଭ୍ରୂକ୍ଷେପ ମଧ୍ୟ କରୁ ନାହିଁ । ଦେଖିଲା, ଅଭ୍ୟାଗତଙ୍କ ମଧ୍ୟରେ ଯେଉଁମାନେ ଏ ଚିନ୍ତାଶୀଳ, ସେମାନଙ୍କ ସଙ୍ଗରେ ‘ରାଷ୍ଟ୍ରୀୟ ବ୍ୟପାରର କଥୋପକଥନରେ ମାର୍କସ୍ ନିର୍ଲିପ୍ତ ଭାବରେ ନିଯୁକ୍ତ, ତାର ନଜରରେ ପଡ଼ିବାପାଇଁ ଚତୁର୍ଦ୍ଦିଗର ରମଣୀଦଳର ଆତ୍ମ ପ୍ରଖ୍ୟାପନର ଯେ ଅବାରିତ ପ୍ରତିଯୋଗିତା ଚାଲିଛି, ତା ପ୍ରତି ଦୃକ୍‌ପାତ ନାହିଁ । ମନେ କଲା, ମାର୍କସ୍‍ର ଏ ଉଦାସୀନତା ଆଉ କିଛି, ନୁହେଁ, ତାର ଆସିବାର ବିଳମ୍ବ ହେବାରୁ ମାର୍କସ୍ ଅଭିମାନ କରିଛି । କିନ୍ତୁ ଏଇଟା ହେଲା ତାର ମସ୍ତ ଭୁଲ; ମାର୍କସ୍ ଆହୁରି ଅଧିକ ସନ୍ତୁଷ୍ଟ ହୋଇଥାନ୍ତା ଯଦି ସେ ଏକାବେଳକେ ନ ଆସିଥାନ୍ତା ।

 

ମାର୍କସ୍‍କୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ନାରୀ ପକ୍ଷରେ ଯେତେ ପ୍ରକାର ଚତୁରତା ଅବଲମ୍ବନ କରିବା ସମ୍ଭବ, ସେ ସମସ୍ତ କଲା ପରେ ଯେତେବେଳେ ମାର୍କସ୍‍କୁ ପୂର୍ବ ପରି ଅମନୋଯୋଗୀ ଦେଖିଲା, ସେତେବେଳେ ନିଜେ ବାଧ୍ୟ ହୋଇ ମାର୍କସ୍ କତିକି ଗଲା ।

 

ଅବଶ୍ୟ ମାର୍କସ୍‌ କତିକି ଯିବାକୁ ଏପରି ବାଧ୍ୟ ହେବାରୁ ତାର ମନଟା ବଡ଼ ବିରସ ହୋଇଗଲା, ସେଥିପାଇଁ ମାର୍କସ୍‍ର ପ୍ରୀତପଦ ହେବା ବିଷୟରେ ଟିକିଏ ଉଦାସୀନ ହୋଇପଡ଼ିଲା । ଯେଉଁଠି ସେମାନେ କଥାବାର୍ତ୍ତାରେ ନିଯୁକ୍ତ ଥିଲେ, ସେଠିକି ଯାଇ ନିତାନ୍ତ ଧୃଷ୍ଟତା ସହିତ ଓ ସେମାନଙ୍କର କଥାବାର୍ତ୍ତାରେ ବାଧା ଦେଇ ମାର୍କସ୍‌କୁ ପଚାରିଲା, “ନିମନ୍ତ୍ରଣକାରୀ କେବେଠୁଁ ନିମନ୍ତ୍ରିତଙ୍କର ଆଦର ଅଭ୍ୟର୍ଥନା କରିବାକୁ ବନ୍ଦ କଲେଣି ?’’ ତାର ଲକ୍ଷ୍ମୀଛଡ଼ା ଆସ୍ପର୍ଦ୍ଧାର ଉତ୍ତର ପାଇଲା, “ପ୍ରାୟ ଦୁଇଘଣ୍ଟା ହେଲା, ଯେତେବେଳେ ନିମନ୍ତ୍ରିତ ଲୋକେ ନିମନ୍ତ୍ରଣକାରୀଙ୍କର ଇଚ୍ଛା ଜାଣି ତାଙ୍କର ନିମନ୍ତ୍ରଣର ସମ୍ମାନ ରକ୍ଷା କରିବାକୁ ଆସି ଉପସ୍ଥିତ ହୋଇଥିଲେ ।’’

 

ଅନେକ ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନେ ଏପରି ନିର୍ବୁଦ୍ଧି ଯେ ଅନେକ ସମୟରେ ବୁଝନ୍ତି ନାହିଁ, କେତେବେଳେ ପୁରୁଷଙ୍କୁ ବିରକ୍ତ ନ କରି ନୀରବ ରହିବା ଉଚିତ । ଆନକାରୀୟା ଏହି ଶ୍ରେଣୀର ସ୍ତ୍ରୀଲୋକ । ତାର ଯଦି ସୌନ୍ଦର୍ଯ୍ୟ ଟିକିଏ କମ ହୋଇ ବୁଦ୍ଧ ଟିକିଏ ବେଶି ହୋଇଥାନ୍ତା, ମାର୍କସ୍ ଚକ୍ଷୁରେ କ୍ରୂର ଉଦାସୀନତା ଓ ଉପେକ୍ଷା ଦେଖି ସେ ସତର୍କ ହୋଇଥାନ୍ତା, ଆଉ ଜାଣିଥାନ୍ତା, ନିଜ ପ୍ରତି ଅବଜ୍ଞା ପ୍ରଦର୍ଶନର ଦୋଷ ନିମନ୍ତେ ମାର୍କସ୍‍କୁ କ୍ଷମା ପ୍ରାର୍ଥନା କରାଇବାର ସମୟ ଏ ନୁହେଁ । ଅନ୍ୟ ସମୟରେ ଏବଂ କ୍ରନ୍ଦନ ଓ ଅଶ୍ରୁପାତ ପ୍ରଭୃତି ଅନ୍ୟ ଅସ୍ତ୍ର ସାହାଯ୍ୟରେ ଏହା କରାଯାଇପାରେ । ଆଜି ରାତି ଆନକାରୀୟାର ସୌଭାଗ୍ୟ ପକ୍ଷରେ ଅନୁକୂଳ ନୁହେଁ, ସେ ମଧ୍ୟ ଦୁର୍ଭାଗ୍ୟବଶତଃ ଆଜି ମାର୍କସ୍‍ର କଣ୍ଠସ୍ୱରରେ ତହୁଁ ଅଧିକ ପରିମାଣରେ ବିରକ୍ତି ଆବିଷ୍କାର କଲା ଯେ ନିଜର କଣ୍ଠସ୍ୱରରେ ତହୁଁ ଅଧିକ ତୀବ୍ରତା ମିଶାଇ ଉତ୍ତର ଦେଲା–

 

‘‘ସମସ୍ତେ ତ ଆଉ ମହାମାନ୍ୟ ମାର୍କସ୍‌ଙ୍କର କ୍ରୀତଦାସ ନୁହନ୍ତି । ଏଠି ଆହୁରି କେହି କେହି ଅଛନ୍ତି, ଯେ ଅନ୍ତତଃ ମାର୍କସ୍‌ଙ୍କର ସମାନସ୍କନ୍ଧ ଲୋକଙ୍କ ଦ୍ୱାରା କେବଳ ଅନୁସୃତ ହୁଅନ୍ତି ନାହିଁ, ସେମାନଙ୍କର ପୂଜା ମଧ୍ୟ ପାଆନ୍ତି ।’’ ଉତ୍ତରରେ ଶୁଣିଲା, “ଅବଶ୍ୟ, ମୁଁ ବିଶ୍ୱାସ କରୁ ନାହିଁ, ରୋମ ଏବଂ ତା ମଧ୍ୟରେ ଘଟୁଥିବା ଘଟନାବଳୀ ସହିତ ପରିଚିତ ଏପରି ଜଣେ କେହି ଅଛି, ଯେ ଆନକାରୀୟାକୁ ଦୋଷ ଦେବ ଯେ, ସେ ତାର ପ୍ରଭୁମାନଙ୍କ ମଧ୍ୟରୁ କୌଣସି ଜଣକର କିମ୍ବା ଅନ୍ତତଃ କୋଡିଏ ଜଣ ପ୍ରତି ବିଶ୍ୱସ୍ତ ।” କଥାଟା ବଡ଼ କଡ଼ା ହେଲା ଏବଂ ସେ ପ୍ରକାର ଭାବରେ ଉଚ୍ଚାରିତ ହେଲା, ତାହା ମଧ୍ୟ ପୁରୁଷୋଚିତ ନୁହେଁ ।

 

ଏତେବେଳ ପର୍ଯ୍ୟନ୍ତ ମଧ୍ୟ ମାର୍କସ୍‌ର ଶିଷ୍ଟାଚାର ପାଇବାର ସୁଯୋଗ ଥିଲା । ଆନକାରୀୟା ଯଦି ନୀରବ ରହି ନିଜର ସମ୍ମାନରକ୍ଷା କରିଥାନ୍ତା, ତାହାହେଲେ ତାହାର ପୌରୁଷ ପ୍ରତି ଆନକାରୀୟାର ଏ ନୀରବ ଆବେଦନ ନିଶ୍ଚୟ ମାର୍କସ୍‍କୁ ସ୍ପର୍ଶ କରିଥାନ୍ତା ଏବଂ ତାହାର ଇଚ୍ଛା ନ ଥିଲେ ମଧ୍ୟ ତତ୍‌କ୍ଷଣାତ୍ ଆନକାରୀୟାର କ୍ଷମା ପ୍ରାର୍ଥନା କରିଥାନ୍ତା । କିନ୍ତୁ ସେ ଆହୁରି ଅଧିକ ମୂର୍ଖତାର କାର୍ଯ୍ୟ କଲା, ଯେତେବେଳେ ସେ ମାର୍କସ୍‌ର କଥାର ଉତ୍ତରରେ ଆହୁରି ଅଧିକ ବିଷାକ୍ତ ବାକ୍ୟବାଣ ନିକ୍ଷେପ କଲା । କହିଲା -

 

‘‘ଯେଉଁମାନେ ମାର୍କସ୍‌କୁ ପ୍ରେମ କରନ୍ତି, ସେମାନଙ୍କ ପ୍ରତି ବିଶ୍ୱସ୍ତ ରହିବାର ଦୋଷ ଯେ ମାର୍କସ୍‍କୁ ଦେବ, ଏପରି କୌଣସି ଲୋକ ମଧ୍ୟ ରୋମରେ ନାହିଁ ।’’

 

ମାର୍କସ୍ ଉତ୍ତର ଦେଲା–‘‘ମାର୍କସ୍‍ର ପ୍ରେମିକାମାନଙ୍କ ମଧ୍ୟରେ ଆନକାରୀୟାକୁ ଗଣନା କରିବା ଧୃଷ୍ଟତା ମାତ୍ର, କାରଣ ଆନକାରୀୟା ପ୍ରତି ବିଶ୍ୱସ୍ତ ରହିବା ମାନେ ଆନକାରୀୟାକୁ ରୀତିମତ ଟଙ୍କା ଯୋଗାଇବ ।’’

 

ଆନକାରୀୟା ଏକାବେଳକେ ସ୍ତମ୍ଭିତ । କଥାବାର୍ତ୍ତାରେ ମାର୍କସ୍‍କୁ ଅନେକ ସମୟରେ ଅସାବଧାନ, ଏମନ୍ତ କି, ନିର୍ଦ୍ଦୟ ହେବାର ଦେଖିଛି, କିନ୍ତୁ ତାର ଅଭଦ୍ରତା କେବେ ଦେଖି ନାହିଁ । ନିର୍ଦ୍ଦୟତାର ଏ ଅବାଧ ଉଦ୍‌ଗୀରଣର ମାନେ କଣ ? କେଉଁ ସକାଶେ ମାର୍କସ୍‌ ଏପରି ରାଗିଛି ? ଏହି କାରଣ ଖୋଜିବାକୁ ଯାଇ ଆନକାରୀୟା ଆଉ ଏକ ଭୁଲ କରି ପକାଇଲା । ମନେ କଲା, ମାର୍କସ୍ ତାର ପ୍ରେମକୁ ସନ୍ଦେହ କରୁଛି ଏବଂ ସେହି ସକାଶେ ଈର୍ଷାପରାୟଣ ହୋଇଛି । ଏପ୍ରକାର ଈର୍ଷା ପ୍ରଗାଢ଼ ପ୍ରେମର ରୂପାନ୍ତର ମନେ କରି ମାର୍କସ୍ ଉପରେ ନିଜର ପ୍ରଭାବକୁ ଦୃଢ଼ତର କରିବା ନିମନ୍ତେ ସେହି ଈର୍ଷାବହ୍ନିରେ ଆହୁତି ପ୍ରଦାନ କରିବାକୁ ସ୍ଥିର କଲା; ମନେ ମନେ ଭାବିଲା, ନିଜର ସବିନୟ ଆରାଧନାରେ ତାର କ୍ଷୁବ୍‌ଧ ଅଭିମାନର ପ୍ରତିକାର କରିବା ସମୟ ସେ ପରେ ଯଥେଷ୍ଟ ପାଇବ, କିନ୍ତୁ ବର୍ତ୍ତମାନ ନରମ ହେବାର ସମୟ ନୁହେଁ । ସେଥିପାଇଁ କର୍କଶ କଣ୍ଠରେ କହିଲା,

 

‘‘ଆନକାରୀୟାର ଅନ୍ତତଃ ଏକ ସୌଭାଗ୍ୟ ଅଛି ଯେ, ଯେଉଁମାନେ ତାର ଅନୁରକ୍ତ, ସେମାନଙ୍କଠାରୁ ସେ ଟଙ୍କା ପଇସା ଅପେକ୍ଷା ସମ୍ମାନ, ସମାଦର ଓ ପ୍ରେମ ବେଶି ପରିମାଣରେ ପାଇଥାଏ ।’’

 

‘‘ଯଦିବା ଟଙ୍କା ପଇସା ଅପେକ୍ଷା । ତା ନିକଟରେ ଏ ସବୁ ବେଶି ପରିମାଣରେ ଅନାଦୃତ ।’’ ଏହା କହି ମାର୍କସ୍ ଆନକାରୀୟା ଆଡ଼କୁ ଦୃକ୍‌ପାତ ସୁଦ୍ଧା ନ କରି ଜଣେ ବନ୍ଧୁର ହାତ ଧରି ନିତାନ୍ତ ନିଶ୍ଚିତ ଭାବରେ ଅନ୍ୟ ଆଡ଼କୁ ଚାଲିଗଲା–ଆନକାରୀୟାକୁ ଛାଡ଼ିଗଲା ବିସ୍ମୟ ଏବଂ ବିରକ୍ତର ଗଭୀର ଆବର୍ତ୍ତ ମଧ୍ୟରେ । କିଛି ବୁଝି ନ ପାରି ଆନକାରୀୟା ସ୍ଥିର କଲା ମାର୍କସ୍‍ର ପ୍ରକାର ବ୍ୟବହାରର ଅର୍ଥ ଯେତେ ଶୀଘ୍ର ପାରିବ ଆବିଷ୍କାର କରିବ ।

 

ଏହି ଉଦ୍ଦେଶ୍ୟରେ ସେ ସେହିମାନଙ୍କ କତିକି ଗଲା, ଯେଉଁମାନେ ମାର୍କସ୍‌, ସହିତ ତାର ଶେଷ ସାକ୍ଷାତର ଦିନଠାରୁ ଏପର୍ଯ୍ୟନ୍ତ ତାର ସମସ୍ତ ଗତିବିଧିର ଖବର ତାକୁ ଦେଇ ପାରିବେ । ତାର ମନ୍ଦଭାଗ୍ୟ ଅବା ସୌଭାଗ୍ୟ ତାକୁ ବଢ଼ାଇନେଲା ସେହି ସ୍ଥାନକୁ, ଯେଉଁଠି ଗ୍ଳାବିଓ କେତେଗୁଡ଼ିଏ ସ୍ତ୍ରୀଲୋକଙ୍କ ମଝିରେ ଛିଡ଼ା ହୋଇ ଅତ୍ୟନ୍ତ ପରିତୃପ୍ତିର ସହିତ ନାନା ଟୀକା ଟିପ୍‌ଣୀ କାଟି ମର୍ସିୟା ସହିତ ମାର୍କସ୍‍ର ସାକ୍ଷାତର କଥା ବିବୃତି କରୁଥିଲା । ଗ୍ଳାବ୍ରିଓ ଅନ୍ତତଃ ମର୍ସିୟାର ସୌନ୍ଦର୍ଯ୍ୟର ମୂଲ୍ୟ କମାଇବାରେ ଭଲ କରି ନ ଥିଲା କିମ୍ବା ପ୍ରିଫେକ୍‌ଟର ହୃଦୟ ଉପରେ ଏହି ସୌନ୍ଦର୍ଯ୍ୟର ପ୍ରଭାବକୁ କମ୍ କରି ଦେଖାଇ ନ ଥିଲା । ଆନକାରୀୟା ଶୀଘ୍ର ଚତୁରତାର ସହିତ ସାମାନ୍ୟ କେତୋଟି ପ୍ରଶ୍ନ ପଚାରି ମାର୍କସ୍ ଓ ମର୍ସିୟାର ସାକ୍ଷାତ୍ ସମ୍ବନ୍ଧରେ ଯାହା ଜାଣିବାର ଥିଲା ଜାଣିନେଲା । ମାର୍କସ୍‌ର ପରିବର୍ତ୍ତନର ମୂଳରେ ଗୋଟିଏ ନୂଆ ମୂହଁ ! ଏହି ଖ୍ରୀଷ୍ଟିୟାନ ବାଳିକା ତାକୁ ମାର୍କସ୍‌ର ଅନୁଗ୍ରହରୁ ବଞ୍ଚିତ କରିଛି ! ଏହି ସ୍ତ୍ରୀଲୋକ ଦେଖିବାକୁ କେମିତି, ତାହା ଜାଣିବା ପାଇଁ ଭୋଜନ ସମୟ ପର୍ଯ୍ୟନ୍ତ ସେ ଗ୍ଳାବ୍ରିଓ ଓ ଫିଲୋଡିମସ୍‌କୁ ପ୍ରଶ୍ନରେ ପୋତି ପକାଇବାକୁ ଲାଗିଲା ।

 

ବସିବା ଘରର ଆଡ଼ମ୍ବରର ପରିମାଣ ତ କମ ନ ଥିଲା, କିନ୍ତୁ ଯେଉଁ ଘରେ ଖାଇବାର ଆୟୋଜନ ହୋଇଥିଲା, ତାହାର ସାଜସଜ୍ଜା ଅତୁଳନୀୟ । ସେଠି ଗୃହପ୍ରାଚୀରର ଗାତ୍ରାଙ୍କିତ ପୌରାଣିକ ଚିତ୍ର ସବୁ ଚିତ୍ରକଳାର ପରାକାଷ୍ଠା ପ୍ରଦର୍ଶନ କରୁଛି । ଗୃହ ଛାଦର ଭାର ବହନ କରୁଥିବା ସ୍ତମ୍ଭ ସବୁକୁ ଅବଲମ୍ବନ କରି ଗୋଲାପ ଲଟା ଉଠିଛି, ଫୁଲ ସବୁ ପେନ୍ଥି ପେନ୍ଥି ହୋଇ ସ୍ତମ୍ଭରୁ ସ୍ତମ୍ଭକୁ ଓହଳିଛି, ଦୀପାଧାର ସବୁ ପୁଷ୍ପସ୍ତୂପର ଅନ୍ତରାଳରେ ରହି ସେହି ସ୍ତୂପର ଛିଦ୍ରପଥ ଦେଇ ଆଲୋକ ବିତରଣ କରୁଛନ୍ତି, ଜଣାଯାଉଛି ଯେପରି ଦୀପାଧାରର ଆଲୋକ ନୁହେଁ, ପୁଷ୍ପର ହାସ୍ୟରେ ଗୃହଟି ଉଜ୍ଜ୍ୱଳ । ମେଜ ଉପରେ ଗୋଲାପର ତୋଡ଼ା ସଜା ହୋଇଛି, ମଝିରେ ମଝିରେ ସୁରାପାନ ନିମନ୍ତେ ସୁବର୍ଣ୍ଣ ଝରି ଏବଂ ମଣିମାଣିକ୍ୟଖଚିତ ସୁବର୍ଣ୍ଣର ପାନପତ୍ର ରଖା ହୋଇଛି । କାନ୍ଥ କରରେ ଶଙ୍ଖ ମଲମଲ ପଥରର କଳସୀ ସବୁ ଆଉଜା ହୋଇଛି, ସେ ସବୁ ଉତ୍କୃଷ୍ଟ ସୁରାରେ ଭରା । ବସିବାର ଆସନମାନଙ୍କରେ ରେଶମର ଗଦି ବିଛା ହୋଇଛି, ସୌଖୀନ ଲୋକଙ୍କର ବସିବା କଷ୍ଟ ହରଣ କରିବା ପାଇଁ ସେ ସବୁ ତ ନରମ; ତା ଉପରେ ପୁଣି ସୂକ୍ଷ୍ମ ସୂଚିକାର୍ଯ୍ୟ କରା ହୋଇଛି । ଗୃହର କୋଣମାନଙ୍କରେ କୃତ୍ରିମ ଉତ୍ସ, ଉତ୍ସମୁଖରୁ ସୁଗନ୍ଧ ଜଳ ପ୍ରସରୁଛି, ଗୃହକୁ ସୁବାସିତ ଏବଂ ଶୀତଳ କରି ରଖିଛି । ସେବାତତ୍‌ପର କ୍ରୀତଦାସ ଦଳ ଅଭ୍ୟାଗତଙ୍କ ପଛରେ ସେମାନଙ୍କର ସାମାନ୍ୟ ଇଚ୍ଛା ସୁଦ୍ଧା ପୂରଣ କରିବାକୁ ଉତ୍ସୁକ ହୋଇ ରହିଛନ୍ତି । ରନ୍ଧନବିଦ୍ୟାର ପରାକାଷ୍ଠା ପ୍ରଦର୍ଶନ କରୁଛି ମେଜ ଉପରେ ସଜ୍ଜିତ ଖାଦ୍ୟ ସାମଗ୍ରୀର ଅପର୍ଯ୍ୟାପ୍ତ ଆୟୋଜନ । ରସନାର ଏ ତୃପ୍ତିକୁ ଆହୁରି ଅଧିକ ତୃପ୍ତିକର କରୁଛି ବଂଶୀର ତାନ ଏବଂ ବୀଣାର ଝଙ୍କାର, ଯାହା ଅଦୃଶ୍ୟ ଅନ୍ତରାଳରୁ ସଙ୍ଗୀତର ସୁଧାଧାରା ଭସାଇ ଆଣୁଛି ।

 

ଯେଉଁଟିକକ ସଙ୍କୋଚଥିଲା, ସୁରାପାନ ଆରମ୍ଭ ପରେ ଆସ୍ତେ ଆସ୍ତେ ଉଭେଇଗଲା । ଉତ୍ତରୀୟ ଖସିଲା, ଗାତ୍ରାବରଣ ଖସିଲା ଜାମାଯୋଡ଼ ଫିଟିଲା–କାରଣ, କାରଣ ସେ ଅବଶ୍ୟ ଦେବାକୁ ହେବ, ଏହା ଅନ୍ତତଃ ସେହିଦିନ କେହି ଆବଶ୍ୟକ ବୋଧ କରି ନ ଥିଲେ । ତଥାପି କାରଣର ଅଭାବ ନ ଥିଲା । ସେମାନେ ଜାଣିଥିଲେ, ଗୃହର ଉଷ୍ଣତା ବସ୍ତ୍ର ଆଭରଣର ଭାର ଯେପରି ଲଘୁ କରିଛି, ଅଭଦ୍ରତା ଓ ତଜ୍ଜନିତ ଅପରାଧର ମଧ୍ୟ ସେହିପରି ଲଘୁ କରିବ । ଭୋଜନ ଶେଷ ହେବାର ବହୁପୂର୍ବରୁ ସ୍ତ୍ରୀ ଏବଂ ପୁରୁଷଙ୍କ ମଧ୍ୟରୁ ଅଧିକାଂଶ ସୁରାର ପ୍ରଭାବ ନିକଟରେ ସମ୍ପୂର୍ଣ୍ଣ ପରାଭବ ସ୍ଵୀକାର କରିଥିଲେ ।

 

ଖାଦ୍ୟପାନୀୟର ଏ ଆୟୋଜନ ଗ୍ଳାବ୍ରିଓର ମନ ମୁତାବକ ହୋଇଥିଲା । ଗ୍ଳାବ୍ରିଓ ଆଜି ମନ ଖୋଲି ତାର ସୁରାପାନର ଇଚ୍ଛା ପୂରଣ କଲା । ସେ ଯେତେ ଅଧିକ ସୁରା ପାନକଲା, ସେତେ ଅଧିକ ତାର ସ୍ଫୂର୍ତ୍ତି ଏବଂ ରସିକତା ବଢ଼ିଲା । ନାକ, ମୁଣ୍ଡ, ମୁହଁ ତାତି କରି ଲାଲ ଦିଶିଲା, ଭିତରର ଉତ୍ତାପରେ ଲଣ୍ଡାମୁଣ୍ଡ ଉପରେ ବନ୍ଧା ହୋଇଥିବା ଗୋଲାପର ଦ୍ୱାର ଝାଉଁଳି ପଡ଼ିଲା । ନିଜର ଶୂନ୍ୟ ପାତ୍ର ପୂର୍ଣ୍ଣ କରିବାରେ ସେ କେବଳ ବ୍ୟସ୍ତ ନ ଥିଲା, ତାର ସୁରାରକ୍ତଚକ୍ଷୁ ସତର୍କ ହୋଇ ଦେଖୁଥିଲା, ତାର ଆଖ ପାଖର ଲୋକେ ତାରି ପରି ସୁରାର ଯଥାଯୋଗ୍ୟ ସଦ୍‍ବ୍ୟବହାର କରୁଛନ୍ତି କି ନାହିଁ !

 

ଡାର୍ଡାନସ୍‌କୁ ପାଖରେ ଦେଖି ମହାଆନନ୍ଦରେ କହିଲା, “ଆରେ ପୁଅ ଡାର୍ଡ଼ାନସ୍, ଆଉ ଟିକିଏ ପି । ଏ ଅମୃତ ଦେବତାଙ୍କର ସେବାରେ ଲାଗେରେ । ମୋ ପ୍ରାଣର ବନ୍ଧୁ ଫିଲୋ–ଫିଲୋଡିମସ୍‌ କୁଆଡ଼େ ଗଲା ? ସେ ଏବଠୁଁ ବେକାବୁ ହୋଇ ପଡ଼ିଲାଣି ନା ମୋ ସହିତ ସୁନ୍ଦରୀ ଡାସିୟାର ସ୍ୱାସ୍ଥ୍ୟ କାମନା ନିମିତ୍ତ ଆଉ ଏକ ଗ୍ଲାସ ଢାଳିବାକୁ ରାଜି ଅଛି ? ଆଃ, ଆଜି ଭଲା ଡାସିୟା ଏଠି ଥାନ୍ତା ! ଫିଲୋଡିମସ୍‌ ! ଡାଓନେସ୍‌, ମୋ ପ୍ରାଣର ବନ୍ଧୁ ଫିଲୋଡିମସ୍‌କୁ ଏ ଗିଲାସକ ଦିଅ ।” ଡାଓନେସ୍ କହିଲା; ‘‘ଗ୍ଳାବ୍ରିଓ, ସେ ଶୋଇଲାଣି ।’’

 

ତାକୁ ଉଠାଅ । ଏତେ ଚଞ୍ଚଳ ଶୋଇବ ! ତାହାହେଲେ ତାର କ୍ଷମା ନାହିଁ । “ସେ ଅଳସୁଆକୁ ଉଠାଅ । ଫିଲୋଡିମସ୍‌, ଡାସିୟା ଦେବା ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ?’’

 

ବିଗଳିତ କଣ୍ଠରେ ଫିଲୋଡିମସ୍‌ କହିଲା, ‘‘ନିଶ୍ଚୟ ନିଶ୍ଚୟ ! ସୁନ୍ଦରୀ ଡାସିୟା–ସେ ତ ଦେବୀ । ତାର ପେୟ ନୈବେଦ୍ୟ ଦିଅ ।’’ ଡାଓନେସ୍‌ର ସାହାଯ୍ୟରେ ଅତି କଷ୍ଟରେ ଫିଲୋଡିମସ୍‌ ମଦ ଗିଲାସ ମୁହଁ କତିକି ଉଠାଇଲା ।

 

ମାର୍କସ୍‌ ଏଯାବତ୍‌ ବିରକ୍ତ, ଚୁପ୍‌ଚାପ୍‌ ଏବଂ ଅନ୍ୟମନସ୍କ । ସୁନ୍ଦରୀ ଇଦୋନିଆ ତା ଉପରେ ଅଳସଭରେ ଆଉଜି ପଡ଼ିଛି; ତାର ମନୋଯୋଗ ଆକର୍ଷଣ କରିବାକୁ ବୃଥାରେ ତା ଉପରେ ଲାଳସାବିଲୋଳ କଟାକ୍ଷ ହାଣୁଛି । ମାର୍କସ୍‍ର ସମସ୍ତ ଚିନ୍ତାକୁ ଅଧିକାର କରିଛି ମର୍ସିୟା । ନିଜ ଉପରେ ଏବଂ ଚତୁଃପାର୍ଶ୍ୱସ୍ଥ ବିଷୟ ଉପରେ ବିରକ୍ତି କେବଳ ବଢ଼ୁଛି । ଚତୁଃପାର୍ଶ୍ୱରେ ମତ୍ତତା ଯେତେ ବଢ଼ିଲା, ଘୃଣା ମଧ୍ୟ ତାର ସେତେ ଅଧିକ ବଢ଼ିଲା; ନିଜେ କିନ୍ତୁ ମଦ୍ୟପାନ କରିବାକୁ ଛାଡ଼ିଲା ନାହିଁ । ନୀରବରେ ଗମ୍ଭୀର ଭାବରେ ଅପର୍ଯ୍ୟାପ୍ତ ମଦ କେବଳ ପିଇବାକୁ ଲାଗିଲା । କିନ୍ତୁ ଏପରି ପିଇବାଦ୍ୱାରା ନିଜର ବୃଦ୍ଧି ବୃତ୍ତିକୁ ନିର୍ଜୀବ ଓ ନିସ୍ପନ୍ଦ କରିବା ଛଡ଼ା ଅନ୍ୟ କିଛି ଆମୋଦ ପାଇଲା ନାହିଁ । ଲଜ୍ଜା ଅନୁଭବ କରୁଥିଲା ଏବଂ ଅନୁଭବକୁ ମଦରେ ଡୁବାଇବାକୁ ଚେଷ୍ଟା କରୁଥିଲା-। ଗୃହର ବାୟୁମଣ୍ଡଳ ଲମ୍ପଟତାରେ ଦୂଷିତ ହୋଇ ଉଠିଲା, ଯେଉଁ ସବୁ କଥା ଶୁଣିଲା, ତାର ମନର ଏପ୍ରକାର ଅବସ୍ଥାରେ ସେ ସବୁ କେବଳ ତାକୁ ଲଜ୍ଜାଜନକ ଏବଂ ଅପମାନକର ବୋଧ ହେଲା । ଯେଉଁ ସବୁ ଥଟ୍ଟା ତାମସା ଚଳିଲା, ତାହା କଦର୍ଯ୍ୟ, ନିରର୍ଥକ ଏବଂ ନୀରସ; କିନ୍ତୁ ଏଇଥିରେ ତାର ମତ୍ତ ବନ୍ଧୁମାନେ ଅତ୍ୟଧିକ ପରିମାଣରେ ହସିବାକୁ ଲାଗିଲେ । ସେମାନଙ୍କର ଏହି ଅତିରିକ୍ତ ହାସ୍ୟ କେବଳ ତାର ବିରକ୍ତ ଏବଂ ବିତୃଷ୍ଣାର ମାତ୍ରା ବଢ଼ାଇଲା ।

 

ହଠାତ୍‌ ଆନକାରୀୟାକୁ ଡାକରା ପଡ଼ିଲା, ତାର ଗୀତ ଶୁଣିବାକୁ ଇଚ୍ଛା ପ୍ରକାଶ କରାଯିବାର ଏହି ଇଚ୍ଛାର ଅନୁମୋଦନର ଚହଳ ପଡ଼ିଗଲା । ସମସ୍ତଙ୍କର ମନୋଯୋଗ ତା ଆଡ଼କୁ ଆକୃଷ୍ଟ ହୋଇଛି ଦେଖି ଆନକାରୀୟା ଅବଶ୍ୟ ଆନନ୍ଦ ଅନୁଭବ କଲା । ମାର୍କସ୍‌ର ବ୍ୟବହାରରେ ତ ସେ ରାଗରେ ଗରଗର ହେଉଥିଲା, ଆତ୍ମପ୍ରଖ୍ୟାପନର ଏ ସୁଯୋଗକୁ ଚାହିଁ ବସିଥିଲା । ନିଜର ପ୍ରତିଭା ପ୍ରଦର୍ଶନର ଏ ନିମନ୍ତ୍ରଣକୁ ସେ ଏପରି ଭାବରେ ଅଗ୍ରାହ୍ୟ କଲା ଯେ, ତହିଁ ମଧ୍ୟରେ ଚତୁରତା ସହିତ ଜଣାଇ ଦେଲା,–ଆଉ ଟିକିଏ ତୋଷାମୋଦ ଏବଂ ପୀଡାପୀଡି କଲେ ସେ ସେମାନଙ୍କର ଇଚ୍ଛାକୁ ଅବିଳମ୍ବରେ ପୂର୍ଣ୍ଣ କରିବ । ତାର ସେ ଇଚ୍ଛା ମଧ୍ୟ ଅପୂର୍ଣ୍ଣ ରହିଲା ନାହିଁ । ଉପସ୍ଥିତ ସମସ୍ତେ ତା ନିମନ୍ତେ ଏକ ବାକ୍ୟରେ ଚିତ୍କାର କରି ଉଠିଲେ । ସାମାନ୍ୟ ରକମ ଇତସ୍ତତଃ କରି କଣ କରିବ ବୋଲି ଅଭ୍ୟାଗତଙ୍କର ଆଦେଶ ଭିକ୍ଷା କଲା ।

 

ଗୀତାଭିନୟ ସକାଶେ ଯେଉଁ ଅଂଶ ମନୋନୀତ ହେଲା, ତାହା ନବପ୍ରେମିକ ପ୍ରେମିକାଙ୍କର ପ୍ରଥମ ମିଳନର ଦୃଶ୍ୟ । ପୁରୁଷମାନେ ତ ସଙ୍ଗୀତର ପ୍ରସଙ୍ଗ ଶୁଣି ହାତତାଳିରେ ଘର କମ୍ପାଇଲେ । ଆନକାରୀୟା ଗ୍ଳାବ୍ରିଓ ପାଖରେ ଛିଡ଼ା ହୋଇଥିଲା, ହସିହସି ଗ୍ଳାବ୍ରିଓକୁ ଆସ୍ତେ ଆସ୍ତେ କହିଲା, “ଏହାକୁ ‘ମାର୍କସ୍ ଓ ମର୍ସିୟାର ମିଳନ’ ଏହି ନାମ ଦେଲେ କେମିତି ହେବ ।’’

 

ଗ୍ଳାବ୍ରିଓ ହସି ହସି କହିଲା, “ହବ ତ ଭଲ, କିନ୍ତୁ ବାବା, ଟିକିଏ ହୁସିଆର ହୋଇ କଥା କହ, ଆମର ପ୍ରିଫେକ୍‌ଟ ମହାଶୟଙ୍କୁ କିନ୍ତୁ ଏ ଥଟ୍ଟା ଭଲ ଲାଗେ ନାହିଁ ।

 

ଆନକାରୀୟା ହସି ହସି ପଚାରିଲା, ‘‘ସତେ ନା କଣ ?’’ ତା ପରେ ଅବଜ୍ଞାର ସହିତ କହିଲା, “ମୁଁ ମୋ ଇଚ୍ଛା ଅନୁସାରେ ଥଟ୍ଟା କରେ, କାହା ମନକୁ ପାଇବ କି ନାହିଁ ବିଚାର କରି କରେ ନାହିଁ ।’’ ଏପରି କହି ସୁଦ୍ଧା ଆନକାରୀୟା ଟିକିଏ ଭୀତ ହୋଇ ମାର୍କସ୍ ଆଡ଼କୁ ଅନାଇଲା, ଭୟ, କାଳେ ମାର୍କସ୍ ଏ କଥା ଶୁଣି ପକାଏ । ଆନକାରୀୟାର ଏ କଥା କିନ୍ତୁ ମାର୍କସ୍‌ର କାନ ପର୍ଯ୍ୟନ୍ତ ପହଞ୍ଚି ନ ଥିଲା ।

 

ଗୋଳମଳ ବନ୍ଦ କରିବାକୁ ସମସ୍ତଙ୍କୁ ଆଦେଶ ଦିଆଗଲା, ଆନକାରୀୟା ଅଭିନୟ ଆରମ୍ଭ କଲା । ରେଶମର ଓଢ଼ଣାରେ ଆପାଦମସ୍ତକ ଆବୃତ କରି ନବୋଭିନ୍ନଯୌବନା କୁମାରୀର ଲଜ୍ଜା ଏବଂ ସଂକୋଚର ଏପରି ଅଭିନୟ ଆରମ୍ଭ କଲା, ଯେ ଦର୍ଶକବୃନ୍ଦ ତାକୁ ଗାନ ଅରମ୍ଭ କରିବାକୁ ସମୟ ନ ଦେଇ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ । ଗୋଳମାଳ କମିଲାରୁ ଲଳିତ ଝଙ୍କାରରେ ଅତି କ୍ଷୀଣ ସ୍ୱରରେ ଗାନ ଆରମ୍ଭ ହେଲା । ତାହାର ଏହି କୋମଳ କୂଜନ ଶ୍ରୋତାଙ୍କ ନିକଟରେ ସ୍ପଷ୍ଟ କରିଦେଲା କୁମାରୀ କନ୍ୟାର ଦୃଶ୍ୟ, ତାର ବ୍ରୀଡ଼ାବନତ ବଦନ, ପରିପୁଷ୍ଟ ଅଙ୍ଗସୌଷ୍ଠବକୁ ଲୋକଚକ୍ଷୁର ଅନ୍ତରାଳ କରିବାକୁ ତାର ଯେତେକ ଚେଷ୍ଟା । ନାରୀଚରିତ୍ରର ଏହି ଅଂଶ ଅଭିନୟ କରିବାବେଳେ ସେ ନିଜର ଅଜ୍ଞାତସାରରେ ଯେପରି ଭାବରେ ଥରି ଉଠିଲା, ସେଥିରୁ ସ୍ପଷ୍ଟ ବୁଝାଗଲା ତା ବିଚାରରେ କୁମାରୀଚିତ୍ତର ଯେତେକ ସୁକୁମାର ବୃତ୍ତ, ସେ ସବୁ ନିତାନ୍ତ ଉତ୍ତାପବିହୀନ, ଏକାବେଳକେ ତୁଷାରଶୀତଳ । ତା’ପରେ ଗାନରେ ପ୍ରେମିକର ଆଗମର ସୂଚିତ ହେଲା । ଆଗମନ ହେଲା ପ୍ରଥମରେ ଅପରିଚିତ ପରି ବାଳିକା ବାଳିକା ବ୍ୟସ୍ତତାର ସହିତ ବରାଙ୍ଗ ଢାଙ୍କିଲା, ଓଢ଼ଣୀ ମୁହଁ ଉପରେ ଟାଣି ଦେଲା । କିନ୍ତୁ ଜାଣିଲା, ଯୁବକର ଲୋଲୁପ ଦୃଷ୍ଟି ତା ଉପରେ । ମଦନର ମୋହନ ବାଣ ସେହି ଦୃଷ୍ଟି ଅନୁସରଣ କରି ହୃଦୟର ଅତି ଗୋପନ ସ୍ଥାନ ସ୍ପର୍ଶ କଲା । ସେହି ସ୍ପର୍ଶସ୍ପନ୍ଦନରେ ସୁପ୍ତ ନାରୀପ୍ରକୃତିର ନିଦ୍ରାଭଙ୍ଗ ହେଲା । କୌତୁହଳ ଜାଗ୍ରତ ହେଲା, ନୟନକୋଣରୁ ବସନାଞ୍ଚଳ ଘୁଞ୍ଚିଲା, ଅପାଙ୍ଗରେ ଯୁବତୀ କାମପୀଡ଼ିତ ଯୁବକକୁ ଅନାଇଲା । ଚାରିଚକ୍ଷୁର ମିଳନ ହେଲା, ଅନମ୍ବରରେ ବିଦ୍ୟୁତ୍ ଛୁଟିଲା । ଯୁବକ ସାହସ କରି ଅଗ୍ରସର ହେଲା । ଯୁବତୀର ବ୍ରୀଡ଼ାରାଗରଞ୍ଜିତ ଅଧରରେ ମୃଦୁ ହାସ୍ୟରେଖା ଫୁଟି ଉଠିଲା । ସମ୍ମତିର ଏ ସଙ୍କେତ ଦେଖି ଯୁବକ ଆହୁରି କତିକି ଆସିଲା; ଯୁବତୀର କର ପଲ୍ଲବ ଧରି ପିପାସିତ ନୟନରେ ଚାହିଲା । ଯୁବତୀର ହୃଦୟ ଅସମ୍ଭାଳ ହେଲା, ଖର ନିଶ୍ୱାସ ବହିଲା । ଯୁବକର ନିର୍ବନ୍ଧାତିଶୟ ବଢ଼ିଲା, ଯୁବତୀ ଭୟରେ ସଂକୁଚିତ ହେଲା । ପ୍ରେମର ଦାବୀ ଯେତେ ବଢ଼ିଲା, କୁମାରୀ ପକ୍ଷରୁ ପ୍ରତିରୋଧ ତେତେ କମିଲା, ଜଣାଗଲା ଯେପରି ଆକ୍ରମଣର ତୀବ୍ରତା ସହ୍ୟ କରି ନ ପାରି ଯୁବତୀ ମୂର୍ଚ୍ଛାଯିବ । ଉପରର ବସ୍ତ୍ର ଆବରଣ ଯୁବତୀର ଶ୍ୱାସରୋଧ ଜନ୍ମାଇବାରୁ ପରିତ୍ୟକ୍ତ ହେଲା । ବନ୍ଦୀ ରୂପେ ପ୍ରେମିକର ହସ୍ତରେ ଆତ୍ମସମର୍ପଣ କରିବା ପୂର୍ବରୁ ସଂଗ୍ରାମର ସମସ୍ତ କାୟଦା ଆନକାରୀୟା ନିଜ ଅଙ୍ଗଭଙ୍ଗୀର ନଗ୍ନ ସୌନ୍ଦର୍ଯ୍ୟରେ ବାସ୍ତବ କରି ପକାଇଲା ।

 

ମାର୍କସ୍‌–ଯାହାର ବାସନା ଉଦ୍ଦୀପ୍ତ ଏବଂ ଉତ୍ତପ୍ତ କରିବାକୁ ଆନକାରୀୟାର ଏହି ଗୀତାଭିନୟ ମନୋନୀତ କରା ହୋଇଥିଲା, ସେ ସ୍ଥାଣୁ ପରି ବସି ରହି ଏ ସବୁ ଦେଖିଗଲା ଏବଂ ଶୁଣିଗଲା, ଶେଷକୁ ଗଭୀର ବିରକ୍ତି ସହ ନିତାନ୍ତ ତାଚ୍ଛିଲ୍ୟ ଭାବରେ ଆନକାରୀୟା ଆଡ଼କୁ ଅନାଇ, ଯେତେବେଳେ ଅତିଥିବର୍ଗ ଅଭିନୟର ଅବସାନ ପରେ ଆନନ୍ଦରେ କୋଳାହଳ କରୁଥିଲେ, ସେହି ଅବସରରେ ଅଲକ୍ଷିତ ଭାବରେ ସେ ଘରୁ ବାହାରିଗଲା ।

Image

 

ନୈବେଦ୍ୟ

ଷୋଡ଼ଶ ପରିଚ୍ଛେଦ

ମର୍ସିୟାର ବିପଦ

 

ମାର୍କସ ରାଗିଲା ଆନକାରୀୟା ଉପରେ, ତାର ବନ୍ଧୁମାନଙ୍କ ଉପରେ ଏବଂ ନିଜ ଉପରେ । ଭିତରେ ଅନୁଶୋଚନା ଏବଂ ଆତ୍ମଗ୍ଳାନିର ଦୁର୍ବହ ଯାତନା । ଅନୁଶୋଚନା-ସତ୍‌କାର୍ଯ୍ୟ କରିବା ପାଇଁ ଯେ ସବୁ ସୁଯୋଗ ମିଳିଥିଲା, ତାରି ଅବହେଳା କରିଥିବା ଯୋଗୁଁ ଏବଂ ଆତ୍ମଗ୍ଳାନି–ମନ୍ଦକାର୍ଯ୍ୟର ଅନୁଷ୍ଠାନ ହେତୁରୁ । ଅବଶ୍ୟ ଏହି ମନ୍ଦକାର୍ଯ୍ୟ ସବୁ କରିଥିଲା ଯେ ଖୁବ୍ ବିବେଚନାପୂର୍ବକ ତାହା ନୁହେଁ, ତଥାପି ସେ ସବୁର ସ୍ମୃତି ହୃଦୟରେ ଉଦୟ ହେବା ମାତ୍ରକେ ମୁହଁ ଲଜ୍ଜାରେ ଲାଲ ହୋଇଗଲା ।

 

ଭୋଜନଶାଳା ଛାଡ଼ି ସେ ଧୀରେ ଧୀରେ ଗଲା ସେହି ନୀରବ କୋଠରୀକୁ, ଯେଉଁଠି ଛିଡ଼ା ହୋଇ ସେ ପୂର୍ବ ରାତ୍ରିରେ ମର୍ସିୟାର ଅପେକ୍ଷା କରୁଥିଲା ଏବଂ ନୀରବ ନୟନରେ ସୁପ୍ତ ରୋମ ନଗରୀକୁ ଦେଖୁଥିଲା । କେବଳ ପୂର୍ବରାତ୍ରି ! ଏ କଣ ସମ୍ଭବ ଯେ ସେହି ସମୟରୁ ଏପର୍ଯ୍ୟନ୍ତ ମୋଟେ ଚବିଶ ଘଣ୍ଟା ଅତୀତ ହୋଇଛି ? ତାର ମନେ ହେଲା, ସେହିଦିନ ଗୋଟିକରେ ସେ ତାର ଜୀବନର ଅଧେ ଯାପନ କରିଛି । ଖିଡ଼ିକି ଆଡ଼କୁ ଅଗ୍ରସର ହେଲା ଏବଂ ବାହାରର ନୀରବ ନିଶୀଥକୁ ଅନାଇ ସେ ମହାପରିବର୍ତ୍ତନ ନିଜ ମଧ୍ୟରେ ଘଟିଛି, ତାରି କଥା ଭାବିବାକୁ ଲାଗିଲା । କେଉଁ କାରଣରୁ ଆଜି ଏ ଭୋଜ ତା ନିକଟରେ ଘୃଣ୍ୟ ବୋଧ ହେଲା ? ଯେଉଁମାନଙ୍କୁ ସେ ଏକ ସପ୍ତାହ ପୂର୍ବରେ ଅନ୍ତରଙ୍ଗ ବନ୍ଧୁ ବୋଲି ଭାବିଥିଲା, ଆଜି ସେମାନଙ୍କୁ ଦେଖିଲା ସ୍ୱାର୍ଥପର, ପଦଲେହନକାରୀ ହୀନ ଚାଟୁବାଦୀର ଦଳ । ନିଜର ସଙ୍ଗୀ କେଉଁ ସ୍ତ୍ରୀଲୋକକୁ ସେ ଉତ୍‌ଫୁଲ, ସଦାନନ୍ଦ ଏବଂ ଆମୋଦପ୍ରିୟ ବୋଲି ଭାବୁଥିଲା, ଆଜି ସେମାନେ ତାକୁ ଦିଶିଲେ ମଦୋନ୍ନତ୍ତା, ଅନ୍ତଃସାରଶୂନ୍ୟା ଏବଂ ବିଶ୍ୱାସଘାତିନୀ ଏବଂ ସେମାନଙ୍କର ଆଦର ଅଭ୍ୟର୍ଥନା ପଣ୍ୟଦ୍ରବ୍ୟ ବିଶେଷ, ଯାହାର ପ୍ରାପ୍ତର ପରିମାଣ ମୂଲ୍ୟର ଅନୁରୂପ ପରିମାଣ ଉପରେ ନିର୍ଭର କରେ । ଆଉ ଏହିମାନେ ତାର ବନ୍ଧୁ ! ବନ୍ଧୁ ? ହଁ, ତାହାର ଯାହା ଅଛି, ସେଥି ସକାଶେ ବନ୍ଧୁ , କିନ୍ତୁ ସେ ନିଜେ ଯାହା, ତହିଁ ସକାଶେ ନୁହେଁ ।

 

ଖାଇବା ଘରୁ ମତୁଆଲାଙ୍କର ହସର ଆବାଜ ଭାସି ଆସି ତାର ଚିନ୍ତା ସ୍ରୋତରେ ବାଧା ଦେଲା । ସେ କେବଳ ଆଶ୍ଚର୍ଯ୍ୟ ହୋଇ ଭାବିଲା, କେମିତି ଏଯାବତ୍ ସେ ଏହି କୁତ୍ସିତ ଆମୋଦ ପ୍ରମୋଦରେ ଆନନ୍ଦ ଅନୁଭବ କରୁଥିଲା ! ତା ଆଖିରେ କେବଳ ଦିଶିଲା ସେମାନଙ୍କର ରହସ୍ୟର ନୀରସତା, ସେମାନଙ୍କର ହାସ୍ୟର ଶୁଷ୍କତା; ମନରେ ସନ୍ଦେହ ହେଲା, ସେମାନେ ମଧ୍ୟ କଣ ପରିବର୍ତ୍ତିତ ହୋଇଯାଇଅଛନ୍ତି ? ଏ କଣ ସମ୍ଭବ, ମତୁଆଲାଙ୍କର ଏ ଜଘନ୍ୟ ଅଶ୍ଳୀଳତା; ଏ ଲମ୍ପଟତା, ଏ ଯଥେଚ୍ଛାଚାରିତା ଅଳ୍ପ କେତେଦିନ ପୂର୍ବରେ ତାକୁ ଆନନ୍ଦ ପ୍ରଦାନ କରୁଥିଲା ? ଏହି ନିତାନ୍ତ ନିର୍ଲ୍ଲଜ୍ଜ ସ୍ତ୍ରୀଲୋକେ, ଯେଉଁ ମାନଙ୍କର ଦୁର୍ଜୟ କାମାସକ୍ତି ଏବଂ ଅବାରିତ ଲମ୍ପଟତା ନିକଟରେ ପୁରୁଷ ମଧ୍ୟ ପରାଭବ ମାନେ, ଏମାନେ କାଲି ତାର ସଙ୍ଗୀ ଥିଲେ ? ନା, ଏମାନେ ତ ପରିବର୍ତ୍ତିତ ହୋଇ ନାହାନ୍ତି; ଏମାନଙ୍କ ଜୀବନରେ ବୈଲକ୍ଷଣ୍ୟ ବଡ଼ ବେଶି ଦେଖାଯାଏ ନାହିଁ । ଏମାନଙ୍କର ବ୍ୟବସାୟର ଫାନ୍ଦ ବେଶି ରକମର ନୁହେଁ କି ନୂତନ ଧରଣର ନୁହେଁ; ଏହି ଯେ ପାହାଡ଼ ଜ୍ୟୋତ୍ସ୍ନାପ୍ଳାବିତ ଆକାଶ ତଳେ ଛିଡ଼ା ହୋଇଛି ତାହାରି ପରି, ପ୍ରଥମରେ ଯାହା ଥିଲା, ବର୍ତ୍ତମାନ ତାହାହିଁ ଅଛି । ପରିବର୍ତ୍ତନ ଘଟିଛି ତା ନିଜ ମଧ୍ୟରେ । କାରାଗୃହରେ ଅନ୍ଧକୂପରେ ଆଜୀବନ ବନ୍ଦୀ ପରି ସେ ତାହାର କ୍ଷୁଦ୍ର ପ୍ରଦୀପର ସ୍ତିମିତ ଆଲୋକକୁ ଏଯାବତ୍ ଆଲୋକ ବୋଲି ଜାଣିଥିଲା, ମୁକ୍ତି ପାଇ ପ୍ରଥମ କରି ସୂର୍ଯ୍ୟକୁ ଦେଖିଲା, ପ୍ରଥମ କରି ବୁଝିଲା ଆଲୋକ କଣ ଏବଂ ଅନ୍ଧକାର ମଧ୍ୟ କ'ଣ ହଁ,, ଆଲୋକ ଆସିଛି, ପୂର୍ଣ୍ଣମାତ୍ରାରେ ନୁହେଁ କିନ୍ତୁ ସେ ଅନ୍ଧକାରକୁ ସେ ପଛରେ ପକାଇ ଆସିଛି ତାହାରି ପ୍ରଭେଦ ପ୍ରଦର୍ଶନ କରିବା ପକ୍ଷରେ ଯଥେଷ୍ଟ ଉଜ୍ଜ୍ୱଳ । କିଏ ଏହି ଆଲୋକର ସଂସ୍ପର୍ଶରେ ତାକୁ ଆଣିଲା ? ସେ ଦୂରର ସେହି ଅବନତଜାନୁ ମର୍ସିୟାର ଚିତ୍ର ତାର ମାନସ ପଟରେ ଫୁଟି ଉଠିଲା । କଳ୍ପନା ନେତ୍ରରେ ପୁଣି ତାକୁ ନିଜ ଘରର ସେହି ନୀରବ କୋଠରୀରେ ଦେଖିଲା, ତାହାରି ପବିତ୍ରତାର ସୂର୍ଯ୍ୟାଲୋକ ଅନ୍ଧତମସାଚ୍ଛନ୍ନ ଯେଉଁ ମହାଶୂନ୍ୟରେ ଏଯାବତ୍ ସେ ବାସ କରୁଥିଲା, ତାହାହିଁ ତା ନିକଟରେ ଉଦ୍‌ଘାଟିତ କରିଦେଲା ।

 

ହଁ, ମର୍ସିୟା ତା ଜୀବନରେ ଏ ପରିବର୍ତ୍ତନ ଘଟାଇଛି । କିନ୍ତୁ କେମିତି ? କେଉଁ ଇନ୍ଦ୍ରଜାଲ, କେଉଁ ମନ୍ତ୍ର ଶକ୍ତି ସାହାଯ୍ୟରେ ମର୍ସିୟା ତାହାର ସମସ୍ତ ବାସନା, ସମସ୍ତ ରୁଚିର ପରିବର୍ତ୍ତନ ଘଟାଇଛି ? ଏ କଣ ତାହାର ରୂପ ? ଖାଇବା ମେଜ ପାଖରେ ଯେଉଁ ସ୍ତ୍ରୀଲୋକମାନେ ବସିଛନ୍ତି, ସେମାନେ ମଧ୍ୟ ଅନ୍ତତଃ ତାହାରି ପରି ରୂପବତୀ । ଏ କଣ ତେବେ ତାର ଗୁଣ, ତାର ଚରିତ୍ର ? କିନ୍ତୁ ରୋମ ନଗରୀରେ ସେ କେବଳ ଏକା ଗୁଣବତୀ ଅବା ସଚ୍ଚରିତ୍ରା ନୁହେଁ । ସେ ଆହୁରି ମଧ୍ୟ ଅନେକ ଗୁଣବତୀ ସ୍ତ୍ରୀଲୋକଙ୍କୁ ଦେଖିଛି । ବେରେନିସ୍ , ଯାହାର ସେ ପ୍ରେମାସ୍ପଦ, ତାକୁ ସେ ଗୁଣବତୀ ଏବଂ ସଚ୍ଚରିତ୍ରା ବୋଲି ବିଶ୍ୱାସ କରୁଥିଲା । ତେବେ କଣ ସେ ଆପଣା ମନର ମାଧୁରୀ ମିଶାଇ ମର୍ସିୟାର ଚିତ୍ରକୁ ଏପରି ମଧୁର କରି ଦେଖୁଛି ? ତେବେ କଣ ଏ ମାୟାମରୀଚିକା ତାର ପ୍ରବଳ କଳ୍ପନାର ରଚନା, ହସ୍ତଗତ ହେବା ମାତ୍ରକେ ଉଭେଇ ଯିବ ? ହୁଏତ ଏହା କେବଳ ଗୋଟାଏ ଉଡ଼ନ୍ତା ଇଚ୍ଛା, ଏହା ସେହି ମୋହାବେଶ, ସେହି ସ୍ୱପ୍ନ, ଯାହା ରାତ୍ରି ପ୍ରଭାତ ହେବା ସଙ୍ଗେ ସଙ୍ଗେ ଅଦୃଶ୍ୟ ହେବ । ଭାବିଲା ଇତସ୍ତତଃ କରିବାର ଆଉ ଦରକାର କଣ ? ମର୍ସିୟା ତା ଘରେ ଏକାକୀ, ତାର ବନ୍ଦୀ, ଏମନ୍ତ କି, ତାର କ୍ରୀତଦାସୀ ବିଶେଷ । କିଏ ତାର ଇଚ୍ଛା ମଧ୍ୟରେ ପ୍ରତିବନ୍ଧକ ହୋଇ ବାଧା ଦେବ ? ତେବେ ସେ କାହିଁକି ବର୍ତ୍ତମାନ ମର୍ସିୟା କତିକି ଯିବ ନାହିଁ ? ଆଉ ମର୍ସିୟା - ମର୍ସିୟା ବଶ୍ୟତା ସ୍ୱୀକାର କରିବ, ଅବଶ୍ୟ କରିବ ।

 

ମାର୍କସ୍‌ର ଏ ଚିନ୍ତା, ନିଜ ସହିତ ଏହି ବାଦନୁବାଦର ବିରାମ ନାହିଁ । ଯେଉଁ ତୀବ୍ର ସୁରା ଅଧୀର ଭାବରେ ପାନ କରିଥିଲା, ତାହା ମସ୍ତିଷ୍କକୁ ଉଠିଲା, ଧମନୀରେ ଉଷ୍ଣଶୋଣିତ ପ୍ରବାହିତ ହେଲା, ଅଗ୍ନି ସ୍ରୋତ ପ୍ରତିଶିରାରେ ପ୍ରଖର ହେଲା; ଚରିତ୍ରରେ ଯାହା କିଛି ସାଧୁ, ଯାହା କିଛି ସତ୍‌ ଥିଲା, ତାକୁ ପୁଣି ପ୍ରବଳ ଉତ୍ତେଜନା ପରାସ୍ତ କଲା । ଭାବିଲା, ସେ କି ଭୀରୁ, କାପୁରୁଷ, ସାମାନ୍ୟ ବାଳିକାକୁ ତା ଉପରେ କର୍ତ୍ତୃତ୍ୱ କରିବାକୁ ତାର ଇଚ୍ଛାରେ ବାଧା ଦେବାକୁ ଛାଡ଼ି ଦେଇଛି ! କିନ୍ତୁ ପୁଣି ଯେ ସେହି ସାତ୍ତ୍ୱିକ, ସେହି ସୁନ୍ଦର ମୁହଁଟି ମନେ ପଡ଼ୁଛି, ପୁଣି ସେହି ମଧୁସ୍ରାବୀ କଣ୍ଠ ମନେ ପଡ଼ୁଛି, ସେହି ନୀଜରତୀୟ ଯୀଶୁଙ୍କର ମୃଦୁମଧୁର କଥା ମନରେ ପ୍ରତିଧ୍ୱନିତ ହେଉଛି !

 

ମତୁଆଲାଙ୍କର ଚିତ୍କାର ଶୁଣି ପୁଣି ତା ଚିନ୍ତାରେ ବାଧା ଦେଲା । ଗ୍ଳାବ୍ରିଓ ନିଶାରେ ଢଳି ଢଳି ଆସି ଜଡ଼ିତକଣ୍ଠରେ ପଚାରିଲା, “ମାର୍କସ୍ , କେଉଁ ଦୋଷରୁ ଆମକୁ ତୁମର ସଙ୍ଗସୁଖରୁ ବଞ୍ଚିତ କରୁଛ କୁହ ତ ?’’ ମାର୍କସ୍ ଗ୍ଳାବ୍ରିଓ ଆଡ଼କୁ ଅନାଇଲା । ଅନାହୂତ ଭାବରେ ଆସି ଚିନ୍ତାସ୍ରୋତରେ ବାଧା ଦେବାରୁ ଯଦିବା ସେ ବିରକ୍ତ ହେଲା, ତଥାପି ତାର ଦୃଷ୍ଟିରେ ଏହି ବିରକ୍ତି କେବଳ ପ୍ରକାଶ ପାଇଲା ନାହିଁ, ଏହି ବୃଦ୍ଧ ମଦ୍ୟପକୁ ସେ ଯେ ଏକ ପ୍ରକାର ଭଲ ପାଉଥିଲା, ତାହା ମଧ୍ୟ ସେ ଦୃଷ୍ଟିରେ ପ୍ରକାଶିତ ହେଲା । ଗ୍ଳାବ୍ରିଓ ଯେଉଁ ଅବସ୍ଥାରେ ଥିଲା, ସେଥିରେ ମାର୍କସର ଏ ଭାବ ଲକ୍ଷ କରିବାକୁ ତାର ଅବସର ନ ଥିଲା । ଗ୍ଳାବ୍ରିଓ କହିଲା, “ଦେଖ, ତୁମକୁ ଫେରାଇ ନେବାକୁ ସେମାନେ ମୋତେ ପଠାଇଛନ୍ତି । ଆଚ୍ଛା ଭଦ୍ରଲୋକ ତୁମେ, କାହାରିକି କିଛି ନ କହି ଚୁପ୍‌ଚୁପ୍‌ ଖାଇବା ମେଜ ପାଖରୁ ଉଠି ଆସିଲ ।’’

 

ମାର୍କସ୍ କଥା ଏଡ଼ାଇବାକୁ କହିଲା, ‘‘ମୁଁ–ସେଠି ଗରମରେ ଅଣନିଶ୍ୱାସୀ ହୋଇଗଲି ।’’

 

‘‘ଦେଖ, ସେ ସବୁ ଚଲାଖି ଚଳିବ ନାହିଁ । ତୁମକୁ ନେଇଯିବାକୁ ମୋତେ ସେମାନେ ପଠାଇଛନ୍ତି । ଥଟ୍ଟା ତାମସା ଜୋରରେ ଚଳୁ ନାହିଁ, ତୁମ ବିନା ଢିଲା ହୋଇ ଗଲାଣି; ମଦରେ ମଧ୍ୟ ଆଉ ମଜା ନାହିଁ, ଗୀତ ତ ବନ୍ଦ ହେଲାଣି, ଦୀର୍ଘନିଶ୍ୱାସରେ ଆନକାରୀୟାର ଛାତି କମାରର ଭାତି ପରି ଉଠୁଛି ପଡ଼ୁଛି । ଆନ୍‌କାରୀୟା କତିକି ଫେରି ଚାଲ ।’’

 

ମାର୍କସ୍ ଏକପ୍ରକାର ଘୃଣାର ସହିତ ପଚାରିଲା, ‘‘ଆନକାରୀୟା ?’’

 

‘‘ହଁ, ହଁ, ଆନକାରୀୟା । ତାର ଯେ ରୂପ ଅଛି, ଏକଥା ତାର ଶତ୍ରୁ ସୁଦ୍ଧା ସ୍ୱୀକାର କରିବ-। କାହିଁକି ମନ କଣ ତାଠି ଆଉ ବସୁ ନାହିଁ କି ?

 

‘‘ତାଠି ମନ ବସିବ ?’’ ଏହା କହି ମାର୍କସ୍ ନିଜର ଅଜ୍ଞାତସାରରେ ସେହି ଖିଡ଼ିକି ଆଡ଼କୁ ସତୃଷ୍ଣ ନୟନରେ ଅନାଇଲା; ଯେଉଁଠୁ ଘରର ସେହି ପ୍ରାନ୍ତ ଦେଖାଯାଉଥିଲା, ଯେଉଁଥିରେ ମର୍ସିୟା ଥିଲା ।

 

ଗ୍ଳାବ୍ରିଓ କହିଲା, ‘‘ଆନକାରୀୟାଠି ମନ ବସିବ ନାହିଁ ? ମାର୍କସ୍‌, ଆଖିକୁ କଣା ଅଣ୍ଟାରେ ଖୋସି କଥା କହୁଛ ନା କଣ ! ଆରେ ଏ ଫୁଲ ସେ ରୋମର ରାଜୋଦ୍ୟାନରେ ମଧ୍ୟ ମିଳି ପାରିବ ନାହିଁ । ଆନକାରୀୟା ଯେ ଗୋଲାପ ଫୁଲ, ଗୋଲାପ ମଧ୍ୟରେ ଶ୍ରେଷ୍ଠ ଗୋଲାପ ।’’

 

ମାର୍କସ୍‍ ତାଚ୍ଛିଲ୍ୟ ଭାବରେ କହିଲା, ‘‘ଦେଢ଼ଦିନର ବାସି ଫୁଲ, ମଉଳିବାକୁ ଆରମ୍ଭ କଲାଣି ।’’

 

‘‘ମଉଳିବାକୁ ଆରମ୍ଭ କଲାଣି ? ନା ବନ୍ଧୁ, ଏ ଫୁଲ ଏତେବେଳେ ପହିଲି ପ୍ରଥମ ପୂରାବସ୍ତୁର ଫୁଟିଛି । ମଉଳିବ ? ଆନକାରୀୟା? ସେ ଯେ ଅପ୍‌ସରା, ତାର ସୌନ୍ଦର୍ଯ୍ୟ ଅସରନ୍ତି । ତାର ମିଜାଜ–ତାର ମିଜାଜଟା !’’ଏହା କହି ଗ୍ଳାବ୍ରିଓ ଆଗେ ଦେଖି ନେଲା ଆନକାରୀୟା ଆଖପାଖରେ ଅଛି କି ନାହିଁ । ତା’ ପରେ କହିଲା, ‘‘ମାର୍କସ୍ ତୁମର ଯେଡ଼େ ସାହସ ଥାଉ ପଛକେ, ତାର ମିଜାଜକୁ ଟିକେ ଜଗି କରି ଚଳ । ସେଥିପାଇଁ ସମୟ ଥାଉ ଥାଉ ତା କତିକି ଫେରିଚାଲ ।’’

 

‘‘କାହା କତିକି ଯିବି ? ଆନକାରୀୟା ? ଆନକାରୀୟା ଆଉ ତା ଦଳର ଯେତକ ସ୍ତ୍ରୀଲୋକ ସେ ସମସ୍ତଙ୍କୁ ମୁଁ ଘୃଣା କରେ । ଯାଅ ଯାଅ, ତାଙ୍କୁ କହ ତାଙ୍କୁ କହ ମୁଁ’’ କିନ୍ତୁ ଗ୍ଳାବ୍ରିଓ ତାଙ୍କୁ କହିବ କ’ଣ ? କଣ ଯାଇ କହିବ, ସେ ଚିରକାଳ ସକାଶେ ସେମାନଙ୍କର ସଙ୍ଗ ପରିତ୍ୟାଗ କରିଛି ? କଣ କହିବ, ଏହି ଖ୍ରୀଷ୍ଟିୟାନ ବାଳିକା ନିକଟରେ ରହିବାକୁ ତାର ଇଚ୍ଛା ଦୁର୍ଦ୍ଦମନୀୟ ହୋଇଛି ? ନା, ସେ କଥା ସେ କିନ୍ତୁ କହିପାରିଲା ନାହିଁ ! ସେଥିପାଇଁ ପୁଣି ଇତସ୍ତତଃ ହୋଇ ଗ୍ଳାବ୍ରିଓକୁ କହିଲା, “କହ ମୁଁ ବ୍ୟସ୍ତ-ଯେ କୌଣସି ମିଥ୍ୟା କଥା କହ-ଅବା ସତ୍ୟ କହ–ମୋତେ କେବଳ କିଛିକ୍ଷଣ ସକାଶେ ଏକାକୀ ରହିବାକୁ ଦିଅ ।” ଏହା କହି ସୋଫା ଉପରେ ଯାଇ ଏକରକମ ପଡ଼ିଗଲା ।

 

ଗ୍ଳାବ୍ରିଓ ନିଶାରେ ଢଳି ଢଳି ମାର୍କସ୍ ଆଡ଼କୁ ଅଗ୍ରସର ହେଲା ଏବଂ କହିଲା, ‘ପରିବର୍ତ୍ତନ ଯେ ଘଟିଛି, ସେଥିରେ ସନ୍ଦେହ ନାହିଁ ! ଏହି ଖ୍ରୀଷ୍ଟିୟାନ ବାଳିକା କଣ ତୁମକୁ ଯନ୍ତ୍ରମନ୍ତ୍ର କରିଛି ? ଏ କ’ଣ ସମ୍ଭବ ସେ ତୁମେ ମଧ୍ୟ ଖ୍ରୀଷ୍ଟିୟାନ ହେବାକୁ ବସିଲଣି ?

 

ଏ ପ୍ରଶ୍ନ ମାର୍କସକୁ ବିଚଳିତ କଲା । ଖ୍ରୀଷ୍ଟିୟାନ ! ଏ କଣ ସମ୍ଭବ, ଏ ଖ୍ରୀଷ୍ଟିୟାନ ବାଳିକା ତା ଉପରେ ଏପରି ପ୍ରଭାବ ବିସ୍ତାର କରିଛି ଯେ, ତାହା ଏହି ଚିନ୍ତାଶୂନ୍ୟ ମତୁଆଲାର ଦୃଷ୍ଟିରେ ମଧ୍ୟ ପଡ଼ିଛି ? ସେ ନିଜ ଉପରୁ କର୍ତ୍ତୃତ୍ୱ ଏପରି ହରାଇଛି ଯେ, ଗ୍ଳାବ୍ରିଓ ଏ ବାଳିକା ସକାଶେ ତାର ବ୍ୟାକୁଳତା, ତାର ମୋହ ଲକ୍ଷ୍ୟ କରି ପାରୁଛି ! ମର୍ସିୟା ସକାଶେ ତାର ଏହି ଯେ ବ୍ୟାକୁଳ ବାସନା, ଏହା କଣ ମର୍ସିୟାର ଧର୍ମବିଶ୍ୱାସ ଦ୍ୱାରା ପ୍ରଭାବିତ ? ତେବେ କ’ଣ ଗୋଏ ସୁନ୍ଦର ମୁହଁର ଚଟକ ଏତେ ବେଶି, ଗୋଟାଏ ସୁନ୍ଦର ଗଳ୍ପ ତାକୁ ଏପରି ଆକୃଷ୍ଟ କରି ରଖିଛି ?

 

ଏହି ସବୁ ପ୍ରଶ୍ନ ତା ମନରେ ଉଠିଲା; କିନ୍ତୁ ତାର ମନେ ପଡ଼ିଲା, କେବଳ ଯେ ଏହି ସବୁ ପ୍ରଶ୍ନର ଉତ୍ତର ତାକୁ ଦେବାକୁ ହେବ ତାହା ନୁହେଁ, ଉତ୍ତର ନେବା ସକାଶେ ଗ୍ଳାବ୍ରିଓ ମଧ୍ୟ ଅପେକ୍ଷା କରୁଛି । କିନ୍ତୁ ସେ କେମିତି ଗ୍ଳାବ୍ରିଓଲ ଏ ବିଷୟ ବୁଝାଇବ ବା ତାହାର ସହାନୁଭୂତି ପାଇବ ? ବରଂ ତାକୁ କୌଣସିମତେ ବିଦାୟ ଦେବାହିଁ ଶ୍ରେୟସ୍କର । ସେଥିପାଇଁ ଅଧୈର୍ଯ୍ୟ ହୋଇ କହିଲା, ‘‘ମୁଁ–ମୁଁ ଖ୍ରୀଷ୍ଟିୟାନ ? ତୁମେ ଦୟା କରି ଏଠୁଁ ଗଲ । ଯାଅ ।’’

 

“ମାର୍କସ, ମାର୍କସ୍, ତୁମର ଗତି ମୋତେ ବଡ଼ ଖରାପ ଦିଶୁଛି । ନିଶ୍ଚୟ ତୁମର ମତି ବେଶି ବଗିଡ଼ିଛି ।’’ ଏହା କହି ମାର୍କସ୍‍ର ଆଚାର ବ୍ୟବହାର ଯେ ତାର ମନଃପୂତ ହୋଇ ନାହିଁ, ତାହା ଦେଖାଇବା ପାଇଁ ମୁଣ୍ଡକୁ ଏମିତି ହଲାଇଲା ଯେ, ମୁଣ୍ଡ ଉପରେ ବନ୍ଧା ହୋଇଥିବା ଗୋଲାପହାର ଆସି ତାହାର ନାକ ଆଗରେ ଝୁଲିଲା । ପଚାରିଲା, ‘ବିଗିଡ଼ିଛି, ତୁମର ମନର ନା ଦେହ ଯଦି ହୁଏ, ଶୀଘ୍ର ବୈଦ୍ୟକୁ ଡକାଅ ଆଉ ମନ ଯଦି ହୁଏ, ତେବେ ସେ ସ୍ତ୍ରୀଲୋକକୁ ନେଇ ଆସ । କାରଣ ଏ ସବୁ ବିଷୟରେ ଉଭୟେ ସମାନ, ତାରିବେ, ନାହିଁ ତ ମାରିବେ ।’’ ଏହି କଥାକୁ ଜୋରରେ କହିବାକୁ ଯାଇ ନିଜ ଦେହର ଓଜନ ସମ୍ଭାଳି ପାରିଲା ନାହଁ । ହଠାତ୍ ଦୁମ୍ କରି ସୋଫା ଉପରେ ବସି ପଡ଼ିଲା ।

 

ମାର୍କସ୍ ହତାଶ ଭାବରେ କହିଲା, “କେଉଁ ଲାଭ ହେବ ? ମୁଁ ଯେତେ ସ୍ତ୍ରୀଲୋକଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ କାହାରି ପରି ସେ ନୁହେଁ । ପ୍ରସ୍ଫୁଟିତ ପୁଷ୍ପ ପରି ପେଲବ ଏବଂ ପବିତ୍ର ତାର ଏହି ସୌନ୍ଦର୍ଯ୍ୟ ତାହା ମୋତେ ପାଗଳ କରି ଦେଉଛି ସେ କିନ୍ତୁ ଧରାଛୁଆଁ ଦେଉ ନାହିଁ । ମୋ ଜୀବନରେ ମୁଁ କେଭେ ଏପରି ବାଧ ପାଇନାହିଁ । ତାକୁ ଭୁଲି ପାରୁଛି, ନା ଅଧିକାର କରି ପାରୁଛି ! ମୁଁ ଯଦି କେଭେ ତା ସହିତ ରହସ୍ୟ ଆଳାପ କରିବାକୁ ଚେଷ୍ଟା କରେ, ତାର ସେହି ଶାନ୍ତ ଆଖି ଦିଓଟି ଦେଖିଲାକ୍ଷଣି ମୁହଁ ମୋର ଆପେ ବନ୍ଦ ହୋଇଯାଏ । ମୋର ଇଚ୍ଛା ଏବଂ ମର୍ସିୟା ମଧ୍ୟରେ ତାର ଏହି ପବିତ୍ର ସ୍ୱଭାବ ପଥରର ପାଚେରୀ ପରି ଛିଡ଼ା ହୋଇଛି–ଏହି ପାଚେରୀ ଭାଙ୍ଗିବାକୁ ଯାଇ ମୋର ହୃଦୟ କ୍ଷତବିକ୍ଷତ ହୋଇ ଫେରି ଆସିଛି, କିନ୍ତୁ ପାଚେରୀକୁ ତିଳେମାତ୍ର ଘୁଞ୍ଚାଇ ପାରି ନାହିଁ । କିନ୍ତୁ ତଥାପି ମୋତେ ଏହାହିଁ କରିବାକୁ ହେବ, ନୋହିଲେ ମୁଁ ପାଗଳ ହୋଇଯିବି । ଗ୍ଳାବ୍ରିଓ ମୁଁ ବାଳିକାର ପବିତ୍ରତାକୁ ଭୟ କରୁଛି, ବଡ଼ ଭୟ କରୁଛି ।” ମାର୍କସ୍‍ ଆସନରୁ ଉଠି ଏବଂ ଭୀଷଣ ଭାବରେ ଘର ଭିତରେ ବୁଲିବାକୁ ଲଗିଲା । ଗୋଲାପର ହାର ଯାହା ଅଡ଼ୁଆ ହୋଇ ଆଖି ଉପରକୁ ବୋଲି ଓହଳି ପଡ଼ିଥିଲା, ତାରି ତଳୁ ଗ୍ଳାବ୍ରିଓ ମାର୍କସ୍‍ର ଏ ଅଧୀରତା କିଛିକ୍ଷଣ ସକାଶେ ଲକ୍ଷ୍ୟ କଲା । ତା ପରେ ନିଜକୁ ନିଜେ କହିଲା, ମୁଁ ମଧ୍ୟ ସମୟ ସମୟରେ ଏହିପରି ଅନୁଭବ କରିଛି; ବିଶେଷତଃ ଯେତେବେଳେ ନିଶାର ଜୋର କମିଯାଏ । କିନ୍ତୁ ମନର ଏ ରୋଗରେ ଓଷଧ ହେଉଛି ପୁରା ଗିଲାସେ ମଦ । ଏହି ମର୍ସିୟାକୁ ଡକାଇ ଆଣ । କାଲି ତୁମକୁ ନାସ୍ତି କରିଥିଲା ତ କଣ ହେଲା ? ନାସ୍ତି କରିଥିଲା ଆଜି ତାର ସମ୍ମତି ଭିକ୍ଷାକରିବା ସକାଶେ ତୁମର ଆଗ୍ରହ ବଢ଼ାଇବାକୁ । ସେ ଆପଣା ଛାଏଁ ଆସି ଧରା ଦେବ, ବଳେ ବଳେ ଆତ୍ମ-ସମର୍ପଣ କରିବ, ଯଦି ଥରେ ତାକୁ ତୁମେ ଜାଣିବାକୁ ଦିଅ ଯେ, ଏବଂ ଭାବିବାକୁ ଦିଅ ଯେ-ଏପରି କଲେ ସେ ତୁମକୁ ହରାଇବ ।

 

ମାର୍କସ୍ ଖିଡ଼ିକି ପାଖରେ ଛିଡ଼ା ହୋଇ ବାହାରକୁ ଅନାଇଥିଲା, ଦେଖାଉଥିଲା, ଯେପରି ସେ ତାର ଏହି ନିଶାଖୋର ବନ୍ଧୁର ପରାମର୍ଶ ଶୁଣିବାର ମନଯୋଗୀ ନୁହେଁ, କିନ୍ତୁ ବାସ୍ତବିକ୍ ତାର ପ୍ରତ୍ୟେକ କଥାକୁ ସେ ମନେ ମନେ ଓଜନ କରୁଥିଲା । ଭାବିଲା, ଗ୍ଳାବ୍ରିଓ ଯାହା କହୁଛି, ତାହା କଣ ଏକାବେଳକେ ଅସମ୍ଭବ, ଏକାବେଳକେ ଅସତ୍ୟ ? ଏହି ପବିତ୍ରତାର ଅଭିନୟ କଣ ଛଳନା ହୋଇପାରେ ନା, ତାକୁ ଜଟିଳତର ଫାନ୍ଦରେ ପକାଇବାର ସୁଚତୁର କୌଶଳ ହୋଇପାରେ ନା ? ତାକୁ ନିଜର ସହଯୋଗିଙ୍କର ଚକ୍ରାନ୍ତ ସହିତ ଜଡ଼ିତ କରିବା ଇଚ୍ଛାରେ କଣ ମର୍ସିୟା । ଏପରି କରୁଛି-? ସ୍ତ୍ରୀଲୋକଙ୍କର କୂଟବୁଦ୍ଧିର ସୀମା ନାହିଁ, ଛଳନାର ଇୟତ୍ତା ନାହିଁ, ପ୍ରବଞ୍ଚନା କରିବାରେ ସେମାନେ ସିଦ୍ଧହସ୍ତା । ନା, ନା, ମର୍ସିୟା ନିତାନ୍ତ ନିରୀହ, ସେ ଏପରି କରିପାରେ ନା ଗ୍ଳାବ୍ରିଓ ଆଡ଼କୁ ଫେରି ପଡ଼ି ମାର୍କସ୍ କହିଲା ।

 

“ମର୍ସିୟା କିପରି ସ୍ତ୍ରୀଲୋକ ତାହା ତ ତୁମେ ଜାଣ ନାହିଁ !’’ ଗ୍ଳାବ୍ରିଓ ଉତ୍ତର ଦେଲା, “ମର୍ସିୟାକୁ ଜାଣେ ନାହିଁ, କିନ୍ତୁ ସ୍ତ୍ରୀଲୋକଙ୍କୁ ଭଲ କରି ଜାଣେ ।’’

 

‘‘ମର୍ସିୟା କିନ୍ତୁ ବାସ୍ତବିକ ସାଧୁଚରିତ୍ରା ।’’

 

‘‘ସାଧୁ ? ଅନ୍ୟାନ୍ୟ ଜିନିଷ ପରି ସାଧୁତାର ମଧ୍ୟ ଦରଦସ୍ତୁର ଚଳେ, ବିକାକିଣା ହୁଏ । ପ୍ରତ୍ୟେକ ସ୍ତ୍ରୀଲୋକର ନିଜର ଦାମ ଅଛି । ଦରଦାମର ପରିଣାମ ନେଇ ଯାହା ଗୋଳମାଳ । ତୁମେ ତୁମର ଦର ଦେଇଛ, ସେ ଦରରେ ସେ ରାଜି ନୁହେଁ । ବନ୍ଧୁ, ମୋର, ମୋର ପରାମର୍ଶ ଶୁଣ, ଆହୁରି ଉପରକୁ ଉଠ, ଚଢ଼ାଉଦର ଡାକ ! ତୁମେ ଧନୀ, ଟଙ୍କା ପଇସାର କିଛି ଅଭାବ ନାହିଁ । ଆଉ ସ୍ପଷ୍ଟ ଜଣାପଡ଼ୁଛି, ତୁମେ ଏହି ମାଲଟିକୁ ହସ୍ତଗତ କରିବାକୁ ଖୁବ୍ ମନ ବଳାଇଛ । ତାର ଦାମ ଦେବାକୁ କୁଣ୍ଠିତ ହୁଅ ନାହିଁ । ତୁମକୁ ମୋର କିନ୍ତୁ ଗୋଟିଏ ଅନୁରୋଧ ରକ୍ଷା କରିବାକୁ ହେବ, ଦାମ ସ୍ୱରୁପ ଯାହା କଛି ଦିଅ, ତା ସହିତ ନିଜକୁ ଆଉ ଦେଇ ବସ ନାହିଁ । ମନେ ରଖ, କୋଡ଼ିଏ ଗଣ୍ଡା ମର୍ସିୟା ଅପେକ୍ଷା ତୁମର ମୂଲ୍ୟ ବେଶି ।” ଗ୍ଳାବ୍ରିଓ ଏକାଦିକ୍ରମେ ଏତେଗୁଡ଼ାଏ କଥା କହି ପକାଇବାରୁ କ୍ଳାନ୍ତ ହୋଇ ପଡ଼ିଲା, ତଣ୍ଟି ତିନ୍ତାଇବା ପାଇଁ ଏଆଡ଼େ ସିଆଡ଼େ ହାତ ବଢ଼ାଇଲା, କିନ୍ତୁ ତାର ଦୁର୍ଭାଗ୍ୟରୁ ମଦ ଗିଲାସ ହାତ କତିରେ ନ ଥିଲା । ମାର୍କସ୍ ମେଜ ଉପରେଥିବା ଘଣ୍ଟିକୁ ଜୋରରେ ବଜାଇ ଗ୍ଳାବ୍ରିଓକୁ କହିଲା ।

 

‘‘ଗ୍ଳାବ୍ରିଓ- ତୁମେ ଯେ ଓଲୁଙ୍କ ଓସ୍ତାତ୍‍, ସେଥିର ସନ୍ଦେହ ନାହିଁ, କିନ୍ତୁ ତୁମ ଓଲାମିରେ ବେଳେ ବେଳେ ଗୋଟାଏ ଦୁଇଟା ଜ୍ଞାନର କଥା ବାହାରି ପଡ଼େ । ମୁଁ ମର୍ସିୟାକୁ ଡକାଇ ପଠାଇବି-।”

 

ଘଣ୍ଟିର ଅବାଜ ବନ୍ଦ ହେବା ସଙ୍ଗେ ସଙ୍ଗେ ଚାକର ଆସି ନୀରବରେ ଘର ଭିତରେ ହୁକୁମ ଶୁଣିବାକୁ ଛିଡ଼ା ହେଲା । ମର୍ସିୟାକୁ ସମ୍ମାନର ସହିତ ସେଠିକି ନେଇ ଅସିବାକୁ ଚାକର ପ୍ରତି ଆଦେଶ ଦେଲା । ଚାକର ବାହାରିଗଲା ପରେ ମାର୍କସ୍ ଆସନ ଛାଡ଼ି ଯାଇ ଖିଡ଼ିକି ପାଖରେ ଛିଡ଼ା ହେଲା । ଅଦୂରବର୍ତ୍ତୀ କାରାଗୃହରୁ ଗାନର ସ୍ଵରଲହରୀ ଭାସି ଆସୁଥିଲା । ମାର୍କସ୍ ବୁଝିଲା, ଏ ଗୀତ ଖ୍ରୀଷ୍ଟିୟାନମାନଙ୍କର ।

 

ବାହାରେ ରାତ୍ରୀ ନୀରବ । ସରଳ ଭାଷାରେ ଏବଂ ସରଳ ଭାବରେ ଧର୍ମାର୍ଥ ଅର୍ପିତପ୍ରାଣ ଏହି ଖ୍ରୀଷ୍ଟିୟାନମାନେ କରୁଣସ୍ୱର ଗାନରେ ପ୍ରଭୁଙ୍କ ଚରଣ ଚଳେ ଯେଉଁ ଅତ୍ମସମର୍ପଣ ଜ୍ଞାପନ କରୁଥିଲେ, ତାର ପ୍ରତ୍ୟେକ କଥାଟି ପର୍ଯ୍ୟନ୍ତ ମାର୍କସ, ସ୍ପଷ୍ଟ ଶୁଣିଲା । ଗାନ ଶୁଣିଲା ! ଗାନ ଶୁଣି ଅସମ୍ଭାବିତ ରୂପେ ବିଚଳିତ ହେଲା । ଏହି ଆକସ୍ମିକ ଭାବପରିବର୍ତ୍ତନ, ଏହି ଚିତ୍ତବିପ୍ଳବ ତାକୁ ବିଭ୍ରାନ୍ତ କରିଦେଲା । ମନେ ମନେ ଏକରକମ ଦୁଃଖିତ ଏବଂ ପରିତୃପ୍ତ ହେଲା ମର୍ସିୟାକୁ ଡକାଇ ପଠାଇଛି ବୋଲି । କିନ୍ତୁ ଗ୍ଳାବ୍ରିଓକୁ ଏ ସମସ୍ତ ସୂକ୍ଷ୍ମ ଚିନ୍ତା କେବେ ବିଚଳିତ କରି ନାହିଁ, ସେ ବେଶ ଗୁରୁ ଗମ୍ଭୀରଭାବରେ ମାର୍କସ୍‍କୁ ପରାମର୍ଶ ଦେବାକୁ ଲାଗିଲା–

 

‘‘ସେ ସ୍ତ୍ରୀଲୋକକୁ ତ ଡକାଇ ପଠାଇଲ । ମୋର ମୁର୍ଖତା ଟିକିଏ ଶୁଣ । ଯାହା ମନୁଷ୍ୟର ଅଧିକାରରେ ଅଛି, ତାହା ସକାଶେ ସେ ପିପାସିତ ହୁଏ ନାହିଁ । ଏହି ଦାରୁଣ ପିପାସା ସବୁ ରୋଗର ମୂଳ । ତୁମେ ମଧ୍ୟ ଏହି କ୍ଷୁଧା ଅଉ ପିପାସାରେ କାତର, ଯଦି ଭଲଗତି ଚାହଁ, ଏହି ପିପାସା, ଏହି କ୍ଷୂଧା ଶାନ୍ତିର ଆୟୋଜନ କର । ଯଦି ଏ ମୂର୍ଖର ପରାମର୍ଶ ମନକୁ ପାଏ; ଅକାରଣରେ ସମୟ ବ୍ୟୟ ନ କରି ଚୌକଷ ଭୋଜନ ଓ ପାନର ବ୍ୟବସ୍ଥା କର, ତାହାହେଲେ-’’ ଏହି ସମୟରେ ବନ୍ଦୀ ଖ୍ରୀଷ୍ଟୀୟାନମାନଙ୍କର ସଙ୍ଗୀତ ତା କାନରେ ପଶିଲା, କହିଲା, ‘‘ତୁମର ଏହି ଖ୍ରୀଷ୍ଟିୟାନ କୟେଦୀଗୁଡ଼ାକ ବାସ୍ତବିକ୍ କି ଗାନ କରନ୍ତି ! ସେମାନେ କଣ ଦିନରାତି ସବୁବେଳେ ଉପାସନା କରିଥାନ୍ତି ? ସେମାନଙ୍କର କଣ ମରଣ ଭୟ ନାହିଁ ।’’

 

ମାର୍କସ ଗ୍ଳାବ୍ରିଓର ସବୁ କଥା ଶୁଣିବା ପୂର୍ବରୁ ଦୁଆରମୁହଁ ଆଡ଼କୁ ଉଠି ଯାଇଥିଲା । ସେଠି ଅଧୈର୍ଯ୍ୟ ଭାବରେ ମର୍ସିୟାର ଆଗମନ ପ୍ରତୀକ୍ଷା କରୁଥିଲା । ଅବଶେଷରେ ମର୍ସିୟାକୁ ନେଇ କ୍ରୀତଦାସ ଉପସ୍ଥିତ ହେଲା ।

 

ମର୍ସିୟା ଏହି ମଦ୍ୟପର କାମାତୁର ଦୃଷ୍ଟିର ସମ୍ମୁଖୀନ ହେବ, ଏହି ଚିନ୍ତା ମାର୍କସ୍ ପକ୍ଷରେ କେବଳ ବିରକ୍ତିକର ନୁହେଁ, ମାତ୍ର ଅସହ୍ୟ ହୋଇ ଉଠିଲା । ସେ ଚଞ୍ଚଳ ଆସି ଗ୍ଳାବ୍ରିଓକୁ କହିଲା ‘‘ଗ୍ଳାବ୍ରିଓ, ତୁମେ ଦୟା କରି ଏଠୁଁ ଯାଅ, ତୁମର ବନ୍ଧୁମାନଙ୍କ କତିକି ଯାଅ ।’’ ସ୍ତ୍ରୀସଙ୍ଗସୁଖର ରସସେବୀ ଗ୍ଳାବ୍ରିଓ ବିନୀତ ଭାବରେ ପ୍ରାର୍ଥନାକଲା ‘‘ମୋତେ ଏହି ସୁନ୍ଦରୀକୁ ଟିକିଏ ଦେଖିବାକୁ ଦିଅ । ମୋତେ ବିଦାୟ ଦେବା ପୁର୍ବରୁ ଅନ୍ତତଃ ଥରକ ସକାଶେ ଆଲିଙ୍ଗନ ସୁଖ ଗ୍ରହଣ କରିବାକୁ ଦିଅ ।” ଗ୍ଳାବ୍ରିଓ ଆଲିଙ୍ଗନ କରିବ ମର୍ସିୟାକୁ ଏହି ଚିନ୍ତା ମାର୍କସ୍ ମନରେ ଉଦୟ ହେବା ମାତ୍ରକେ ତାର ହୃତକମ୍ପ ଜାତ ହେଲା । ସେ ଅତି ତୀକ୍ଷଣ ଭାବରେ କହିଲା ତୁମେ ? ମର୍ସିୟାକୁ ଅଲିଙ୍ଗନ କରିବ ତୁମେ ? ତୁମର ଏ ପାପଦୃଷ୍ଟି ଯେ ତାକୁ କଳୁଷିତ କରିଦେବ ।

 

ଗ୍ଳାବ୍ରିଓ ପରି ନିର୍ବିକାରଚିତ୍ତ ଲୋକ ପକ୍ଷରେ ସୁଦ୍ଧା ମାର୍କସର ଏ କଥା ଅସହ୍ୟ ହେଲା । ତା ପରି ଅଳ୍ପରେ ଖୁସି ହୋଇଯିବା ଲୋକ ପକ୍ଷରେ ଯେତେଦୂର ରାଗିବା ସମ୍ଭବ, କେତେଦୂର ରାଗି ଯାଇ ଆସନ ଛାଡ଼ି ଅସ୍ଥିର ଚରଣରେ ଛିଡ଼ା ହେବାକୁ ଚେଷ୍ଟା କଲା ଏବ ଯେତେଦୂର ପାଇଁ ଆପଣାକୁ ଝାଡିଝୁଡି ସିଧା କଲା, କହିଲା, ‘‘ମାର୍କସ୍ , ମୁଁ ପିଇଥାଏ, ଅବା ନ ପିଇଥାଏ, ମୋ ମିଜାଜଟା ସ୍ଵଭାବତଃ ଥଣ୍ଡା । କିନ୍ତୁ ତା ବୋଲି ତୁମେ ଏମିତି କଥା କହିବ, ଆଉ ମୁଁ ସହିଯବି, ତା ହେବ ନାହିଁ । ତୁମକୁ ସ୍ୱୀକାର କରିବାକୁ ହେବ, ଏହି ‘କଳୁଷିତ’ କଥାଟା ବଡ଼ ଟାଣ । ମୁଁ କଣ ଏପରି ଗୋଟାଏ ରୋଗ ଯାହାର ସ୍ପର୍ଷ ସୁଦ୍ଧା ସଂକ୍ରମକ ? ଏ କଥାକୁ ସେ ଏପରି ଆସ୍ଫାଳନ ସହକାରେ କହିଲା ଯେ, ମର୍ସିୟା ଆଗମନରେ ଯଦି ମାର୍କସ୍ ସମସ୍ତ ମନ ନିବିଷ୍ଟ ନ ଥାନ୍ତା, ସେ ତାହା ଦେଖି କେଜାଣି ନ ହସି ଉଠୁ ନ ଥାନ୍ତା, ସେ ତାହା ଦେଖି କେଜାଣି ନ ହସି ରହି ପାରି ନଥାନ୍ତା । କିନ୍ତୁ ଗ୍ଳାବ୍ରିଓକୁ କୌଣସି ଉପାୟରେ ଆଗେ ସେ ଘରୁ ବାହାର କରିବା ତାର ଇଚ୍ଛା । ସେଥିପାଇଁ ସେ ଚଞ୍ଚଳ କହି ପକାଇଲା ‘‘ମୁଁ ହଠାତ୍ କହି ପକାଇଛି–ଥାଉ, ତୁମେ ଦୟା କରି ଏଠୁଁ ଯାଅ ।’’

 

ଗ୍ଳାବ୍ରିଓ କଣ୍ଠକୁ ଯଥାସମ୍ଭବ କରୁଣ କରି କହିଲା । ‘‘କିନ୍ତୁ ‘କଳୁଷିତ–’’

 

‘‘ମୁଁ ସେ କଥା କହି ଦୋଷ କରିଛି । କ୍ଷମା କର ଗ୍ଳାବ୍ରିଓ ।’’

 

ଏହି ମୌଖିକ କ୍ଷମା ପ୍ରାର୍ଥନା ଶୁଣି ଗ୍ଳାବ୍ରିଓ ଏକାବେଳକେ ତରଳି ଗଲା । ମାନହାନିର ଏହି ଟିକକ ପ୍ରତିକାର ତାକୁ ଏପରି ସନ୍ତୁଷ୍ଟ କରିଦେଲା ଯେ, ନିଃଶବ୍ଦ ସ୍ମିତହାସ୍ୟରେ ଅଧରଦ୍ୱୟ ଯଥାସମ୍ଭବ ବିସ୍ଫାରିତ କରି ମହାଆନନ୍ଦରେ ଆପଣାକୁ ଆପେ କହିବାକୁ ଲାଗିଲା, ‘‘ମୁଁ–ମୁଁ କାହାରି ବିରୁଦ୍ଧରେ କୌଣସି କଥା ମନରେ ଧରି ରଖେ ନାହିଁ–ମୁଁ ସେମିତି ଲୋକ ନୁହେଁ–ବିଶେଷତଃ ମାର୍କସ୍‍ର ବିରୁଦ୍ଧରେ–ଆଃ କି ମଦ ! ....କି ସ୍ତ୍ରୀଲୋକଙ୍କ ଯୋଗାଡ଼ ସେ କରେ ! ....ହଁ, ଠିକ୍ କଥା ଅନକାରୀୟା ତର ମିଜାଜଟା ଭୁଲିବ ନାହିଁ –’’

 

ମାର୍କସ୍‍ର ଅଧୈର୍ଯ୍ୟ ଆକାର ଇଙ୍ଗିତ ତାର ଏହି ସ୍ୱଗତଉକ୍ତିରେ ବାଧା ଦେଲା । ସେ ମଧ୍ୟ ମାର୍କସ୍‍ର ମନର ଭାବ ବୁଝିଲା ପରି କହିଲା, ‘‘ବୁଝିଲି, ବୁଝିଲି । କାହାରି ମଉଜ ମଜଲିସ୍‍ରେ ବାଧା ଦେବା ଲୋକ ମୁଁ ନୁହେଁ । ମୁଁ ଯାଉଛି ।’’

 

ମାର୍କସ୍‍ କହିଲା, ‘‘ତେବେ ଯାଅ ! କିନ୍ତୁ ମର୍ସିୟା କଥା କାହାକୁ କିଛି କିହିବ ନାହିଁ ।’’

 

‘‘ଆରେ ଛି ଛି, ପାଗଳ ହେଇଛ । ତୁମ କଥା କହିବି ? ଗ୍ଳାବ୍ରିଓର ସେତକ ବୁଦ୍ଧି ଅଛି ।’’ ଆଖି ଠାରି ମୁଣ୍ଡ ହଲାଇ ନାନାପ୍ରକାର କୁତ୍ସିତ ସଙ୍କେତ ଦେଇ ଗ୍ଳାବ୍ରିଓ ଟଳି ଟଳି ଗଲା ଖାଇବା ଘରକୁ । ଖାଇବା ଘରେ ହସର କୋଳାହଳ ଉଠିଲା, ମାର୍କସ ବୁଝିଲା, ଗ୍ଳାବ୍ରିଓ ଖାଇବା ଘରେ ପହଞ୍ଚିଛି ।

 

ମାର୍କସ୍‍ ଆରାମରେ ନିଶ୍ୱାସ ମାରିଲା । ମର୍ସିୟା ସେତେବେଳକୁ ତାର ନିକଟବର୍ତ୍ତୀ ମର୍ସିୟାର ଦୁଇହାତ ଶିକୁଳିରେ ବନ୍ଧା ଥିବାର ଦେଖି ରୁକ୍ଷଭାବରେ ପଚାରିଲା, ‘‘କିଏ ଏ କାର୍ଯ୍ୟ କରିଛି ?’’ ‘‘ସେ ଯେମିତି ପୁଣି ପଳାଇ ନ ଯାନ୍ତି, ପ୍ରହରୀ ସେଥିପାଇଁ ସତର୍ସତା ଅବଲମ୍ବନ କରିଛି-।’’

 

“ଶୀଘ୍ର ହାତରୁ ଶିକୁଳି ଫିଟାଅ ।’’ ଆଦେଶ ମାତ୍ରେ ଭୃତ୍ୟ ଭୃତ୍ୟ ଶିକୁଳିର ତାଲା ଫିଟାଇ ଦେଲା । ‘‘ଶୀଘ୍ର ସେ ପହରୀକୁ ଭିଟୁରିୟସ୍‍ ନିକଟକୁ ପଠାଇ ଦିଅ, ତାର ଅତିରିକ୍ତ ପ୍ରଭୁଭକ୍ତିର ପୁରସ୍କାର ଭିଟୁରିୟସ୍‍ ତାକୁ ଦେବ ।’’ ଭୃତ୍ୟ ଯଥୋଚିତ ଅଭିବାଦନ ପୂର୍ବକ ନିଃଶବ୍ଦରେ ଘରୁ ବାହାରି ଗଲା ।

 

ମାର୍କସ ସମ୍ମାନ ସହିତ ମସ୍ତକ ଅବନତ କରି ମର୍ସିୟାର ସମ୍ଭାଷଣ କଲା ଏବଂ ଅତ୍ୟନ୍ତ ଦୁଃଖିତ ହୋଇ କହିଲା, ‘‘ତୁମର ଯେ ଏପରି ଅପମାନ କରା ହୋଇଛି, ସେଥିପାଇଁ, ମୁଁ ଲଜ୍ଜିତ । କିନ୍ତୁ ବିଶ୍ୱାସ କର, ମୁଁ ଏ ବିଷୟରେ ଆଦୌ ଜାଣି ନଥିଲି ।’’

 

ମର୍ସିୟା ଧୀର ଭାବରେ କହିଲା ‘‘ମୁଁ କୌଣସି ଅନୁଗ୍ରହର ଅପେକ୍ଷା କରୁନାହିଁ । ମୋର ବନ୍ଧୁମାନେ ଯେଉଁ ଦୁଃଖ ଭୋଗୁଛନ୍ତି, ତାହା ମୁଁ ମଧ୍ୟ ଆନନ୍ଦର ସହିତ ଭୋଗିବାକୁ ପ୍ରସ୍ତୁତ ।’’

 

ମାର୍କସ୍‍, କହିଲା ‘‘ତୁମ ଅବସ୍ଥା ଅପେକ୍ଷା ସେମାନଙ୍କର ଅବସ୍ଥା ଯଥେଷ୍ଟ ଭିନ୍ନ ।’’

 

ପୁଣି ଧୀର ଭାବରେ ମର୍ସିୟା କହିଲା, ‘‘ତାହା ଠିକ୍‍ । କାରଣ ସେମାନଙ୍କ ମଧ୍ୟରେ ଅନେକେ ଅଛନ୍ତି, ଯେଉଁମାନେ ଶିକୁଳି ବନ୍ଧନର ଦଣ୍ଡ ଭୋଗିବା ପାଇଁ ମୋ ଅପେକ୍ଷା ଢେର ବେଶି ଅନୁପଯୁକ୍ତ ।”

 

ଏହି ଲାବଣ୍ୟମୟୀକୁ ନିବିଡ଼ ଆଲିଙ୍ଗନରେ ଆବଦ୍ଧ କରିବାର ଇଚ୍ଛା ମାର୍କସ୍ ଅତି କଷ୍ଟରେ ଦମନ କଲା । ଗ୍ଳାବ୍ରିଓର ନିଷ୍ଠୁର ପରାମର୍ଶର ଫଳ ମେ ଫଳିବାକୁ ଆରମ୍ଭ କଲା । ତା’ର ପାଶବିକ ପ୍ରବୃତ୍ତି ପ୍ରବଳ ହୋଇ ଉଠିଲା । ମର୍ସିୟାର ସୌନ୍ଦର୍ଯ୍ୟ ତାକୁ ଉନ୍ମତ୍ତ କଲା । ତା କତିକି ଘୁଞ୍ଚିଯାଇ କହିଲା, ‘‘ଏ ସୁନ୍ଦର ଶରୀର, ଏହି ସୁଗୋଲ ହାତକୁ ବାନ୍ଧିବାପାଇଁ ଅନ୍ୟ ଶିକୁଳି ଦରକାର–ପ୍ରେମର ଶିକୁଳିରେ ଆବଦ୍ଧ ହେବାରୁ ଏ ହାତ ଗଢ଼ା ହୋଇଛି-।’’ ଆହୁରି କତିକି ଘୁଞ୍ଚିଆସିଲା । କିନ୍ତୁ, ମର୍ସିୟା ଧୀରେ ଦୂରକୁ ଘୁଞ୍ଚିଗଲା ଏବଂ ଅବିଚଳିତ ଗାମ୍ଭୀର୍ଯ୍ୟର ସହିତ କହିଲା, “ମୋତେ କାହିଁକି ଡକାଇଛ ?’’

 

‘‘ଡାକିଛି, ଏହି ତୃଷିତ ଆକୁଳ ଆଖି ତୁମର ରୂପସୁଧା ପାନ କରିବ ବୋଲି, କର୍ଣ୍ଣ ମୋର ତୁମର ଏହି କଳକଣ୍ଠର ସୁଧାବର୍ଷୀ ସ୍ଵର ଶୁଣିବ ବୋଲି, ଏହି କୋମଳ ଗଣ୍ଡସ୍ଥଳରେ ଲଜ୍ଜାର ଅରୁଣ ରାଗ କିପରି ଗୋଲାପ ଫୁଟାଏ ତାହା ମୋର ଚୁମ୍ବନକାମୀ ଚିତ୍ତ ନିକଟରେ ନିରୀକ୍ଷଣ କରିବ ବୋଲି ।’’ ମାର୍କସ୍‍ର ପ୍ରାଣ ଆବେଗରେ ଆକୁଳ, କଣ୍ଠସ୍ଵର ଆବେଶମୟ । ତାର ବିଭୁଷିତ ଚକ୍ଷୁ ଯେପରି ମର୍ସିୟାର ସୌନ୍ଦର୍ଯ୍ୟର ସମସ୍ତ ଉପାଦାନ ତନ୍ନ ତନ୍ନ କରି ଖୋଜୁଛି । ମର୍ସିୟା ଅତ୍ୟନ୍ତ ସଙ୍କୁଚିତ ହୋଇ ଅତିସନ୍ତର୍ପଣରେ ତା ପାଖରୁ ଘୁଞ୍ଚିଗଲା ଏବଂ କହିଲା,

 

‘‘ମୋର ଗୋଟିଏ ଉପକାର କରିବ ?’’

 

ମାର୍କସ୍ ଉତ୍କଣ୍ଠିତ ହୋଇ କହିଲା, “ଆନନ୍ଦର ସହିତ । ଦୟାକରି କେବଳ ଆଦେଷ ଦିଅ-।’’

 

“ମୋତେ ମୋର ସହବନ୍ଦମାନଙ୍କ ନିକଟକୁ ପଠାଇ ଦିଅ ।’’

 

ମାର୍କସ୍ ଟିକିଏ ବିମର୍ଷ ହୋଇ କହିଲା, ‘‘ତାକୁ ଛାଡ଼ି ଆଉ ଯାହା ମାଗିବ ।’’

 

“ସେହି ବିଷୟ ଏବଂ ସେମାନଙ୍କର ମୁକ୍ତି, ଏହି ଦିଓଟି ମୋର ମାଗିବାର ବିଷୟ ।’’

 

“ଏହି ଦିଓଟି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଦେବାର ମୋର ଅଧିକାର ନାହିଁ ।’’

 

‘‘କାହିଁକି ? ତୁମେ ତ ସବୁ କରିପାର ?’’

 

‘‘ସେମାନଙ୍କୁ ମୁଁ ମୁକ୍ତିଦେଇ ପାରିବି ନାହିଁ, କାରଣ ଆଇନର ମୁଁ ଚାକର, ଆଇନ ନିକଟରେ ମୋର ଜୋର ଖଟିବ ନାହିଁ । ତୁମକୁ ମଧ୍ୟ ସେମାନଙ୍କ କତିକି ପଠାଇ ପାରିବି ନାହିଁ, କାରଣ ତୁମର ଇଚ୍ଛାପାଳନ କରିବାକୁ ମୋର ଯେଉଁ ତତ୍ପରତା, ତାହା ମୋର ପ୍ରେମ ନିକଟରେ ପରାଜିତ ।’’

 

ମର୍ସିୟା ମାର୍କସ୍ କତିରୁ ଆହୁରି ଘୁଞ୍ଚିଗଲା । ମଦର ପ୍ରକୋପରେ ଏବଂ ଉତ୍ତେଜନାରେ ସେତେବେଳକୁ ତାର ଆଖି ଜଳୁଛି । ତାର ଜୀବନ, ତାର ମୁକ୍ତି ଓ ବନ୍ଧନ ଯାହାର ହାତରେ, ତାରି ପାଖରେ ସେ ଏକାକୀ । ମାର୍କସ୍ ନିକଟକୁ ଏକାକୀ ଆସିବାର ଏବଂ ଏକାକୀ ତା ନିକଟରେ ରହିବାର ଫଳ ଯେ କଣ ହେବ, ତାହାହିଁ ଭୟରେ ଭାବିବାକୁ ଲାଗିଲା । ମାର୍କସ୍ ସହିତ ଆଉ ଥରେ ଦେଖା କରିବାକୁ ସେ ଇଚ୍ଛା କରିଥିଲା, କିନ୍ତୁ ବର୍ତ୍ତମାନ ଯେପରି ଦେଖିଲା, ସେପରି ଆଉ କେବେ ଦେଖି ନାହିଁ । ବର୍ତ୍ତମାନ ତାର ରକ୍ଷଣାବେକ୍ଷଣ ଓ ସୁଖ ସ୍ଵଚ୍ଛନ୍ଦତା ସକାଶେ ଆଉ ସେ ପୁରୁଷୋଚିତ ଆଗ୍ରହ, ସେ ବ୍ୟଗ୍ରତା ନାହିଁ, ଅଛି କେବଳ କାମୁକର ଅପ୍ରଚ୍ଛନ୍ନ ସପ୍ରଶଂସ ଦୃଷ୍ଟି । ନିଜର ପ୍ରେମାସ୍ପଦ ଚରିତ୍ରର ଏପ୍ରକାର ହୀନତା ଦେଖି ଯେ ସେ ମନରେ ଦୁଃଖ ଅନୁଭବ କରି ନ ଥିଲା, ତାହା ନୁହେଁ, କିନ୍ତୁ ତାରି କବଳରୁ ସେ ବର୍ତ୍ତମାନ ସକାଣେ କିପରି ମୁକ୍ତି ଲାଭ କରିବ, ଏହି ଚିନ୍ତା ତାକୁ ବେଶି ଗ୍ରାସ କରିଥିଲା । ଯଥାସମ୍ଭବ ସ୍ୱର ଗମ୍ଭୀର କରି କହିଲା, “ମହାଶୟ, ମୁଁ ଆଇନର ବନ୍ଦୀ ମୁଁ ଯଦି ଆଇନ ବିରୁଦ୍ଧରେ କାର୍ଯ୍ୟ କରିଛି, ମୋତେ ଦଣ୍ଡ ଦିଅ । ମୁଁ ବିନା ଆପତ୍ତିରେ ଦଣ୍ଡ ଏବଂ ଦୁଃଖ କଷ୍ଟ ଭୋଗ କରିବାକୁ ଶିଖିଛି ।’’

 

ମାର୍କସ୍‍ ମୁଖରୁ ପ୍ରତିଧ୍ୱନି ହେଲା, “ଦଣ୍ଡ ଦେବି ତୁମକୁ ? ଦୁଃଖ ଭୋଗ କରିବ ତୁମେ ? ତୁମକୁ ସାମାନ୍ୟ ଅସୁବିଧା ସୁଦ୍ଧା ଅନୁଭବ କରିବାକୁ ଦେବି ନାହିଁ । ଆମ୍ଭମାନଙ୍କ ମଧ୍ୟରେ ଅନ୍ୟ କୌଣସି ସମ୍ପର୍କ ନ ରହୁ, କେବଳ ଏହି ବନ୍ଧୁତାର ସମ୍ପର୍କ ରହୁ ।” ଏହା କହି ମାର୍କସ୍ ମର୍ସିୟା ଆଡ଼କୁ ଅଗ୍ରସର ହେଲା ଏବଂ ତାର ହାତ ଧରିବାକୁ ଚେଷ୍ଟାକଲା । ମର୍ସିୟା ଧୀରଭାବରେ ପ୍ରସାରିତ ହସ୍ତକୁ ଉପେକ୍ଷା କରି କହିଲା, “ଯେ ଉତ୍ତମ, ତା ସହିତ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ହେଲେ ସୁଦ୍ଧା ତାକୁ ସମ୍ମାନ ନ କରି ରହି ହୁଏ ନାହିଁ ।

 

କ୍ରୋଧରେ ମାର୍କସ୍‌ର ଅଧର ଦଂଶନ କଲା । ଭାବିଲା, ଏ ବାଳିକା ଏପରି କି ଗୋଟାଏ ବିଶେଷ ଲୋକ ଯେ, ମୋତେ ଏପ୍ରକାର ଅଗ୍ରାହ୍ୟ କରିବ ? ମୋର ଆଦର ଅଭ୍ୟର୍ଥନା ପାଇବା ନିମନ୍ତେ ଅନ୍ୟ ସ୍ତ୍ରୀଲୋକେ କେତେ ଫାନ୍ଦ ପାତନ୍ତି, ପାଇଲେ ଆପଣାକୁ ଧନ୍ୟ ମନେ କରନ୍ତି, କିନ୍ତୁ ଏହି ଅପରିଚିତ ବାଳିକା ଅଯାଚିତ ଭାବରେ ପାଇଲେ ସୁଦ୍ଧା ଲୋକେ ସ୍ୱପ ଦେଖିଲେ ଯେପରି ଭୟରେ ଘୁଞ୍ଚିଯାନ୍ତି, ସେହିପରି ଭୟରେ ଓ ଘୃଣାରେ ଘୁଞ୍ଚି ଯାଉଛି । କ୍ରୋଧ ଦମନ କରି ପଚାରିଲା, ‘‘ମୋ ପ୍ରତି ତାହାହେଲେ ତୁମର ସମ୍ମାନ ନାହିଁ, ଏଇ ତ ?’’

 

ପ୍ରତ୍ୟୁତ୍ତରରେ ମୃଦୁ ଭର୍ତ୍ସନା ଶୁଣିଲା, ‘‘ଯେ ନିଜ ପ୍ରତି ସମ୍ମାନ ଦେଖାଉ ନାହିଁ, ମୁଁ କେମିତି ତାଙ୍କୁ ସମ୍ମାନ କରିବି ?”

 

ମାର୍କସ୍ ପଚାରିଲା “ମୁଁ ମୋ ନିଜ ପ୍ରତି ସମ୍ମାନ ଦେଖାଉ ନାହିଁ ?’’

 

‘‘ସେହି ଲୋକର ଅତ୍ମମର୍ଯ୍ୟାଦାଜ୍ଞାନ ନାହିଁ, ଯେ ସ୍ତ୍ରୀଲୋକକୁ ସମ୍ମାନ କରିବାକୁ ଶିଖି ନାହିଁ । କାରଣ ପ୍ରଭୁ କହିଛନ୍ତ, ପୁରୁଷ ମଧ୍ୟରେ ଯାହା କିଛି ସୁନ୍ଦର, ଯାହା କିଛି ଉତ୍ତମ, ତାହାର ଆଧାର ହେଉଛି ନାରୀ ।” ମର୍ସିୟା ଏହି କଥାଗୁଡ଼ିକୁ ଦୃଢ଼ପ୍ରତୀତିର ସହିତ କହିଲା, କିନ୍ତୁ କହିବା ଭଙ୍ଗୀରେ ଏ ପ୍ରକାର ଗୋଟିଏ ମଧୁର ଗାରିମା ଫୁଟି ଉଠିଲା ଯେ, ମାର୍କସ କେବଳ ବିସ୍ମିତ ହୋଇ କିଛିକ୍ଷଣ ତାକୁ ଏକ ଦୃଷ୍ଟିରେ ଅନାଇ ରହିଲା । କେବେହେଲେ କୌଣସି ସ୍ତ୍ରୀଲୋକ ଏପରି ତା ସମ୍ମୁଖରେ କଥା କହି ନାହିଁ । ଏ ସବୁ କଥା ଏବଂ ଯେପରି ଭାବରେ ଏ ସବୁ କଥା କୁହାଗଲା, ତାହା ତାକୁ ଅସମ୍ଭାବିତରୂପେ ବିଭ୍ରାନ୍ତ କରିଦେଲା । ତାହାର ଥିଲା ପୂର୍ଣ୍ଣ ଯୌବନର ଉଚ୍ଛୃଙ୍ଖଳ, ଶକ୍ତି, ଉଦ୍ଦାମ ଉଦ୍‍ବେଗ, ପଦମର୍ଯ୍ୟାଦାର ଆବରଣ ଏବଂ ଅପ୍ରତିହତ ଇଚ୍ଛାଶକ୍ତି, ଆଉ ଏହି ବାଳିକା ଏକାକୀ, ଅବଳା, ଦୃଶ୍ୟତଃ ଅସହାୟ, କିନ୍ତୁ ତଥାପି ତା ଉପରେ ଆଧିପତ୍ୟ ବିସ୍ତାର କରିଛି, ନିଜର ଅନିଚ୍ଛାସତ୍ତ୍ୱେ ତାକୁ ସଂଯତ କରି ରଖିଛି, ମନ୍ଦବାସନା ପ୍ରଶମିତ କରୁଛି, ଯାହା କିଛି ଉତ୍ତମ, ତାହାହିଁ ଉଦ୍‍ବୋଧିତ ଏବଂ ଦୃଢ଼ୀଭୂତ କରୁଛି । ନିଜର ଅଜ୍ଞାତସାରରେ ତାହାର ପବିତ୍ରତା ନିକଟରେ ନତମସ୍ତକ ହୋଇ ଏକପ୍ରକାର ନିଜର ଦୋଷ ଏବଂ ତାହାର ଗୁଣ ସ୍ୱୀକାର କଲା ପରି କହିଲା, ହାୟ, ମୁଁ ଯେ ଏପ୍ରକାର ସ୍ତ୍ରୀଲୋକ ଅତି ଅଳ୍ପ ଦେଖିଛି ।”

 

ଧିର ଅଥଚ ଦୃଢ଼ ଭାବରେ ଉତ୍ତର ହେଲା, ‘‘ଅନେକ ସମୟରେ ନାରୀ ସେହିପରି ହୁଏ, ପୁରୁଷ ତାକୁ ଯେପରି ହେବାକୁ ଚାହେଁ । ନିଜର ଘନିଷ୍ଠ ସମ୍ପର୍କୀୟ ବ୍ୟତୀତ ଅନ୍ୟ କୌଣସି ନାରୀକୁ ସଚରିତ୍ର ଏବଂ ଭତ୍ତମ ହେବାକୁ କେତେଜଣ ପୁରୁଷ ଚାହାଁନ୍ତି ?’’

 

 

ମାର୍କସ ହସିଲା; କହିଲା, “ଭଲ ମନ୍ଦ, ସତ୍ ଅସତ୍, ନ୍ୟାୟ ଅନ୍ୟାୟ, ପାପ, ପୂଣ୍ୟ - ଏ ସବୁ କଣ ? ସଂସ୍କାର, ଅବସ୍ଥା ଏବଂ ଅଭ୍ୟାସର ଆନୁଷଙ୍ଗିକ ଫଳ, ଆଉ ଆମ୍ଭେମାନେ ନିଜର ମନଗଢ଼ା ପରସ୍ପର-ବିରୋଧୀ ଏହି ସବୁ ଅସଙ୍ଗତ ବିଷୟର ସ୍ତୁପ ମଧ୍ୟରେ ଅନ୍ଧ ପରି ହାତ ବୁଲାଇ ଖୋଜି ବୁଲୁଛୁଁ ସେହି ବସ୍ତୁକୁ ଯାହା ଏଥିରେ ନାହିଁ–ସେହି ଆନନ୍ଦ । ବନ୍ଧୁ, ହଁ, ସେହି ଆନନ୍ଦ-ସେହି ଆନନ୍ଦ ବଡ଼ ଦୁର୍ଲ୍ଲଭ ପଦାର୍ଥ ବଡ଼ ଦୁର୍ଲ୍ଲଭ ତାକୁ ଖୋଜିଲେ ସେ କ୍ୱଚିତ୍ ମିଳେ । ଆଉ ଯଦି ଅଯାଚିତ ଭାବରେ ଏହି ଆନନ୍ଦ ଆସି ମୋର ସମୁଖୀନ ହୋଇଛି, ମୁଁ କାହିଁକି ତାକୁ ଅଗ୍ରାହ୍ୟ କରିବି ?’’

 

ମର୍ସିୟା ବ୍ୟଗ୍ର ଅଥଚ ଧୀର ଭାବରେ କହିଲା, ‘‘ଆନନ୍ଦ ସହଜରେ ମିଳେ ନାହିଁ । କାରଣ ଲୋକେ ତାକୁ ଖୋଜନ୍ତି ସୁଖଭୋଗ ଭିତରେ । ସୁଖଭୋଗ ଏବଂ ଆନନ୍ଦ ସବୁବେଳେ ଏକାଠି ନ ଥାନ୍ତି । ସୁଖଭୋଗ ଏହି ପୃଥିବୀର ବସ୍ତୁ, ଜଗତରୁ ମିଳେ, କିନ୍ତୁ ସତ୍ୟ ଆନନ୍ଦ ଆମେ ଈଶ୍ୱରଙ୍କଠାରୁ ।’’

 

‘‘କେଉଁ ଈଶ୍ୱରଙ୍କ କଥା ତୁମେ କହୁଛ ?”

 

“ମୁଁ ସେହି ଏକ ଈଶ୍ୱର, ସେହି ଅନନ୍ତଙ୍କ କଥା କହୁଛି ।”

 

‘‘ଆମମାନଙ୍କର ମଧ୍ୟ ଛୋଟ ବଡ଼ ଅନେକ ଈଶ୍ୱର ଅଛନ୍ତି । ସେମାନେ ସମସ୍ତେ କଣ ଚିରଜୀବୀ ନୁହଁନ୍ତି କି ?”

 

‘‘ଈଶ୍ୱର ଅନେକ ନୁହନ୍ତି, ଏକ ।’’

 

‘‘ତାହା କହିବା ଯାହା ଅପଣାକୁ ଖ୍ରୀଷ୍ଟିୟାନ ବୋଲି ସ୍ୱୀକାର କରିବା ତାହା ।’’

 

ମର୍ସିୟା କେବଳ ନୀରବ ହୋଇ ରହିଲା । ମାର୍କସ୍ ପୁଣି କହିଲା, ‘‘ତୁମେ କଣ ଖ୍ରୀଷ୍ଟିୟାନ ? ଭୟ କର ନା । ମୁଁ ତୁମ ନିକଟରେ ପ୍ରତିଜ୍ଞା କରୁଛି, ତମର ଏହି ସ୍ୱୀକାରକୁ ମୁଁ ତୁମ ବିରୁଦ୍ଧରେ ବ୍ୟବହାର କରିବି ନାହିଁ, କିନ୍ତୁ ଏହା ସତ୍ୟ ନୁହେଁ ? ତୁମେ ଖ୍ରୀଷ୍ଟିୟାନ ?’’

 

‘‘ମୁଁ ଅସ୍ୱୀକାର କରିବି ନାହିଁ ।’’

 

ମାର୍କସ ଏକପ୍ରକାର ତାଚ୍ଛିଲ୍ୟ ଭାବରେ ପଚାରିଲା, ‘‘କିନ୍ତୁ ତୁମେ ଖ୍ରୀଷ୍ଟିୟାନ ହେଲ କାହିଁକି ?’’

 

‘‘ସୂର୍ଯ୍ୟ କାହିଁକି କିରଣ ପ୍ରଦାନ କରେ, ଫୁଲ କାହିଁକି ଫୁଟେ ପକ୍ଷିମାନେ କାହିଁକି ଗାନ କରନ୍ତି ? କାରଣ ଏହା ପ୍ରଭୃଙ୍କର ଇଚ୍ଛା ।’’

 

ଏହା କହିବା ସଙ୍ଗେ ସଙ୍ଗେ ମର୍ସିୟାର ଦୃଷ୍ଟିରେ ସ୍ୱର୍ଗୀୟ ଜ୍ୟୋତି ଫୁଟି ଉଠିଲା, ଗଭୀର ଆନନ୍ଦର ହାସ୍ୟରେଖା ଓଷ୍ଠାଧରରେ ଫୁଟିଲା । ତାର ଅନ୍ତର୍ନିହିତ ଦୃଢ଼ବିଶ୍ୱାସର ଆନନ୍ଦରେ ସେ ଏପରି ପରିପୂର୍ଣ୍ଣ ହୋଇଥିଲା ଯେ, ଦେଖାଯାଉଥିଲା ଯେପରି ସେ ଏ ସମସ୍ତର ଜଗତର ଜୀବ ନୁହେଁ, ସ୍ୱର୍ଗବାସୀ ଦେବଦୁତ । କିନ୍ତୁ ସେତେବେଳେ ଏ ସମସ୍ତର ପ୍ରଭାବ ଅନୁଭବ କରିବା ଅବସ୍ଥାରେ ମାର୍କସ୍‍ ନ ଥିଲା । ମର୍ସିୟାକୁ ଅଧିକାର କରିବା ପାଇଁ ବ୍ୟାକୁଳ ବାସନା ତାକୁ ଏ ସବୁ ବିଷୟ ପ୍ରତି ଅନ୍ଧ କରି ଦେଇଥିଲା । ବିବେଚନା କିମ୍ବା ବିଚାର କରିବା ସେତେବେଳେ ତା ପକ୍ଷରେ ଅସମ୍ଭବ, ଉନ୍ମତ୍ତ ପାପ ବାସନାରେ ଯେଉଁ ଚକ୍ଷୁ କଳୁଷିତ, ସେହି ଚକ୍ଷୁ ଦେଇ ସେତେବେଳେ ସେ କେବଳ ସେହି ରୂପମାଧୁରୀ ପାନ କରୁଥିଲା । ଆହୁରୀ ନିକଟକୁ ଘୁଞ୍ଚି ଆସିଲା, ପ୍ରବଳ ବାସନାରେ କଣ୍ଠସ୍ୱର ଗାଢ଼ ହୋଇ ଆସିଲା । କହିଲା–

 

ଭଦ୍ରେ, ଆମ୍ଭମାନଙ୍କ୍ ଏ ଭରାଯୌବନ, ଧମନୀରେ ଉଷ୍ଣଶୋଣିତର ତାଣ୍ଡବନୃତ୍ୟ, ଆଉ ଆମ୍ଭେମାନେ ରସହୀନ ଦାର୍ଶନିକଙ୍କ ପରି କେବଳ ଶୁଷ୍କ ଯୁକ୍ତିତର୍କରେ ମାତିଛୁଁ । ଆମ୍ଭମାନେ ତ ଆଉ ଗୁରୁକୁଳର ସେହି ବର୍ଦ୍ଧକ୍ୟ ପୀଡ଼ିତ ପକ୍ୱଶ୍ମଶ୍ରୁ ଗୁରୁ ନୋହୁଁ ଯେ ଆଧ୍ୟାତ୍ମିକ ତତ୍ତ୍ୱ ଆଲେଚନାରେ, ବସି ଜିରାରୁ ଶିରା କାଢ଼ିବୁ ଆମ୍ଭମାନେ ଆନନ୍ଦର ସନ୍ତାନ, ମନ ଓ ଶରୀର ସ୍ଫୁର୍ତ୍ତିରେ, ଭବିଷ୍ୟତର ଗର୍ଭରେ କି ଆନନ୍ଦର ଭଣ୍ଡାର ଲୁକ୍‍କାୟିତ ଅଛି, ତାକୁ ଲୁଟିବା ସକାଶେ ପ୍ରାଣରେ ଅପରୀସୀମ କୌତୁହଳ ଏବଂ ଅଦମ୍ୟ ବାସନାନେଇ ଗାଁ ଜୀବନର ଦ୍ୱାରଦେଶରେ ଅଧୀର ଭାବରେ ଛିଡ଼ା ହୋଇଛୁ ।” ନକ୍ଷତ୍ର ବେଗରେ ମାର୍କସ୍‍ର ବାହୁ ମର୍ସିୟାକୁ ବେଷ୍ଟନକଲା, ଅଧୀର ଆଲିଙ୍ଗନରେ ମାର୍କସ୍ ମର୍ସିୟାକୁ ନିଜ ବକ୍ଷ ଉପରରୁ ଟାଣି ଆଣିଲା । ମର୍ସିୟା ଭୟରେ ଚିତ୍କାର କରି ଊଠିଲା, ମାର୍କସ୍‍ର ଆଲିଙ୍ଗନରୁ ନିଜକୁ ମୁକ୍ତ କରିବାକୁ ପ୍ରାଣପଣେ ଚେଷ୍ଟାକଲା, କାତର କଣ୍ଠରେ କହିଲା, “ତୁମ ଗୋଡ଼ତଳେ ପଡ଼ୁଛି, ଦୟା କରି ଛାଡ଼ିଦିଅ ।’’ ଏ କାତର କଣ୍ଠରେ ପ୍ରାର୍ଥନା ମାର୍କସ୍‍ର ପ୍ରାଣ ବିଗଳିତ କଲା ନାହିଁ । ତାହାର ବାହୁର ବନ୍ଧନ ଶିଥିଳ ହେଲା ନାହିଁ । ମର୍ସିୟାର କାନ କତିକି ମୁହଁ ଆଣି ଧୀରେ ଧୀରେ କହିଲା, “ଭୟ କଣ, ପ୍ରେୟସି ? ପ୍ରେମରେ କଷ୍ଟକର କିଛି ନାହିଁ, କଠିନ କିଛି ନାହିଁ, କି ଭୟର ବିଷୟ କିଛି ନାହଁ । ସେଥିରେ ଭୟ କରିବାର କଣ ଅଛି ?”

 

ତଥାପି ଆପଣାକୁ ମୁକ୍ତ କରିବାକୁ ମର୍ସିୟା ପ୍ରାଣପଣେ ଚେଷ୍ଟା କଲା, କିନ୍ତୁ ଅବ୍ୟାହତି ପାଇଲା ନାହିଁ । ଅନୁନୟ ବିନୟ କରି କହିଲା, “ମୋତେ ଦୟା କର, ଛାଡ଼ି ଦିଅ–ଓଃ ! ମୃତ୍ୟୁ ଯେ ଏହା ଅପେକ୍ଷା ଢେର ଭଲ ।”

 

ଏହି କଥା କେବଳ ମାର୍କସ୍‍ର ପ୍ରଚଣ୍ଡ କ୍ରୋଧ ଜନ୍ମାଇଲା । ଥରକୁ ଥର ସେ ଏହି ବାଳିକାର ସମ୍ମୁଖୀନ ହୋଇଛି । ଥରକୁ ଥର ଏହି ବାଳିକା ତାକୁ ଘୃଣାରେ ପ୍ରତ୍ୟାଖ୍ୟାନ କରିଛି, ଭୟରେ ତାର ସଂସ୍ପର୍ଷ ବିଷବତ୍ ପରିତ୍ୟାଗ କରିଛି । ଆଜି ମଧ୍ୟ ତାର ମୁହଁର ଚେହେରାରେ ସେହି ଘୃଣା, ସେହି ଭୟ ଦେଖିଲା । ଏହା ତାର ଅହଂକାରକୁ ଏପରି ଆଘାତ କଲା ଯେ, ସେହି ସମୟ ସକାଶେ ସେ ମର୍ସିୟାକୁ ପ୍ରାୟ ଏକରକମ ଘୃଣା କରିଥିଲା । ମନେକଲା ସେ ଯଥେଷ୍ଟ ଧୈର୍ଯ୍ୟ ଧରିଛି, ଯଥେଷ୍ଟ ଦୟା କରିଛି । ଆପଣାକୁ ସମ୍ପୂର୍ଣ୍ଣ ରୂପେ ସ୍ତ୍ରୀର ଇଚ୍ଛାର ବଶବର୍ତ୍ତୀ କରି କୌଣସି ପୁରୁଷ ଏପର୍ଯ୍ୟନ୍ତ ବିଶେଷ କିଛି ଲାଭ କରି ନାହିଁ । ସ୍ଥିର କଲା, ଏଣିକି ସେ ଆଉ ଯାଚକ ପରି ଭିକ୍ଷା କରିବ ନାହିଁ, କର୍ତ୍ତା ପରି ଆଦେଶ ଦେବ ! କଣ ! ତାର ଆଲିଙ୍ଗନ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ? ଏହି ଖ୍ରୀଷ୍ଟିୟାନ ବାଳିକାର ଅହଂକାର ଅବା ଚତୁରତା ଯେତେ ଥାଉ ପଛକେ ଏଥର ସେ ତାର ସ୍ଵଭାବର ଠିକ୍ ପରିଚୟ ପାଇବ, ଜାଣିବ ସେ ସଦାବେଳେ ନରମ ନ ଥାଏ, କି ନଇଁପଡ଼େ ନାହିଁ ।

 

ସେ ମର୍ସିୟାର ଶ୍ରେଷ୍ଠ କଥାର ପୁନରୁକ୍ତି କରି କହିଲା, “ମୃତ୍ୟୁ ? ମୃତ୍ୟୁକୁ ଯଦି ବରଣ କରିବ ତ କାଲି କରିବ, କିନ୍ତୁ ଆଜି ଜୀବନର ଆନନ୍ଦ ତୁମକୁ ଆସ୍ୱାଦନ କରିବାକୁ ହେବ ।’’

 

ମେଜ କତିକି ଗଲା । ପୂରା ଗିଲାସେ ମଦ ଢାଳିଲା । କହିଲା, “ନିଶ୍ଚୟ ମୋ ଦେହର ରକ୍ତ ବରଫ ପରି ଥଣ୍ଡା ହୋଇଗଲାଣି, ତାହା ନ ହେଲେ କି ମୁଁ ଏହି ନିଖୁଣ ସୌନ୍ଦର୍ଯ୍ୟକୁ ଏତେଦିନ ପର୍ଯ୍ୟନ୍ତ ନିର୍ଜ୍ଜନରେ ଲୁଣ୍ଠିତ ଓ ଏବଂ ନଷ୍ଟ ହେବାକୁ ଦେଇଥାନ୍ତି ?’’ ତତ୍ପରେ ଗିଲାସରୁ ମଦ୍ୟ ପାନ କଲା, ଶେଷ ଟୋପାକ ପର୍ଯ୍ୟନ୍ତ ଚାଟି କରି ପିଇଲା । ଚିନ୍ତାକଲା, ‘‘ଗ୍ଳାବ୍ରିଓ ଯାହା କହିଛି ଠିକ୍ । ମୁଁ ବଡ଼ ବେଶିରକମ ସଂଯମୀ ଏବଂ ପରିମିତାଚାରୀ ହୋଇ ପଡ଼ିଛି । ଗିଲାସେ ଭଲ ମଦ ଏହି କ୍ରୀଡ଼ାପରାୟଣା ଅବାଧ୍ୟ ବାଳିକା ପ୍ରତି ମୋର ଯେତେ ଦୟାର୍ଦ୍ର ଭାବ, ଯେତେ ଭାବପ୍ରବଣତା ସବୁ ଦୂର କରିଦେବ ।’’ ଯେଉଁ ସୁରା ସେ ପାନ କରିଥିଲା, ତାହା ଅତି ତୀବ୍ର, ତରଳ-ବହ୍ନି ପରି ଦେହ ଭିତରେ ସଞ୍ଚରି ଗଲା । ଗିଲାସରୁ ମେଜ ଉପରେ ଫୋପାଡ଼ି ଦେଇ ପୁଣି ମର୍ସିୟା ଆଡ଼କୁ ମୁହିଁଲା ।

 

ଠିକ୍ ସେତିକିବେଳେ ଆନ୍‍କାରୀୟା ଝଡ଼ ପରି ଘର ଭିତରକୁ ପଶିଗଲା । ମାସିୟା ଘରର ଯେଉଁ କୋଣ ଅପେକ୍ଷାକୃତ ଅନ୍ଧାରିଆ, ସେହି କୋଣରେ ଛିଡ଼ା ହୋଇଥିବାରୁ ତାକୁ ଦେଖି ପାରିଲା ନାହିଁ । ସିଧା ସିଧା ମାର୍କସ୍ କତିକି ଆସି ଦୁଇ ହାତରେ ତାର ଗଳାକୁ କୁଣ୍ଢାଇ ଧରି କହିଲା, “ଚୋର, ‘ଏଥର ଆଉ କେଉଁ ଆଡ଼କୁ ପଳାଇବ ?’’

 

ଏହା ବୀଭତ୍ସତା କିନ୍ତୁ ମର୍ସିୟା ପକ୍ଷରେ ମଙ୍ଗଳକର ହେଲା, ଲଜ୍ଜାହୀନା ଆନକାରୀୟାର ପ୍ରତିବନ୍ଧକତା ମର୍ସିୟାକୁ ଆସନ୍ନ ଅପମାନରୁ ରକ୍ଷାକଲା । ମର୍ସିୟା ଯେ ସେ ଘରେ ଅଛି, ଏକଥା ଜାଣିବାରୁ ଆନକାରୀୟା ନିର୍ବିଘ୍ନରେ କହିଲା, ‘‘ତୁମେ କାହିଁକି ଆମମାନଙ୍କୁ ଛାଡ଼ି କରି ଚାଲି ଆସିଲ-? ତୁମକୁ ଡାକିବାକୁ ଆମ୍ଭେମାନେ ଯେତେବେଳେ ଗ୍ଳାବ୍ରିଓକୁ ପଠାଇଲୁଁ, କେତେ କରି କହିଥିଲୁଁ ତୁମକୁ ଯେମିତି ସାଙ୍ଗେ ସାଙ୍ଗେ ନେଇ ଆସେ, ସେ ଫେରି ଆସିଲା, କିନ୍ତୁ ତୁମକୁ ନେଇ ଫେରିଲା ନାହିଁ, କି ତୁମେ କାହିଁକି ତା ସଙ୍ଗରେ ନ ଗଲ, ତାହାର କାରଣ ମଧ୍ୟ କହିଲା ନାହିଁ । ତୁମେ କଣ ଜାଣ ନାହିଁ, ତୁମେ ନ ଥିଲେ ସୁରାର ସ୍ୱାଦ ରହେ ନାହିଁ, ମୁଁ ମଉଜ ମଜଲିସ୍ ଭଲ କରି ଜମେ ନାହିଁ-?’’

 

ନିତାନ୍ତ ବିରକ୍ତିର ସହିତ ମାର୍କସ୍ ନିଜ ଗଳାରୁ ଆନକାରୀୟାର ହାତ ଫିଟାଇ ଛିଞ୍ଚାଡ଼ି ଫୋପାଡ଼ି ଦେଲା । ଏହା ଦେଖି ଆନକାରୀୟା ଟିକିଏ ବିସ୍ମିତ ହେଲା, ମଧ୍ୟ ରାଗିଗଲା, କହିଲା, “ଏ ପରିବର୍ତ୍ତନର ମାନେ କଣ ? ଆନକାରୀୟା ପ୍ରତି ତୁମର କଣ ଆଉ ପ୍ରେମ ନାହିଁ ?’’

 

ମାର୍କସ୍‌ ମର୍ସିୟା ଯେଉଁଆଡ଼େ ଛିଡ଼ା ହୋଇଥିଲା, ସେହି ଆଡ଼କୁ ଅନାଇଲା । ମର୍ସିୟା ସେତେବେଳକୁ ସେମାନଙ୍କ ଆଡ଼କୁ ପଛ କରି ଖିଡ଼ିକିବାଟେ ନୀରବ ରାତିର ଅନ୍ଧକାରକୁ ଅନାଇଛି, ସେମାନଙ୍କର ଉପସ୍ଥିତି ସମ୍ବନ୍ଧରେ ଯେପରି ସମ୍ପୂର୍ଣ୍ଣ ଉଦାସୀନ । ମାର୍କସ୍ ଏହି ପ୍ରେମାର୍ଥିନୀ ବାରନାରୀକୁ ମର୍ସିୟା ସହିତ ମନେ ମନେ ତୁଳନାକଲା ଏବଂ ଭାବିଲା- “ଏହା ପ୍ରତି ପ୍ରେମ !’’ କିନ୍ତୁ ହୃଦୟର ବିତୃଷ୍ଣାଭାବକୁ ଯଥାସାଧ୍ୟ ଗୋପନ କରି ଯେତେଦୂର ପାରିଲା ସହଜ ଭାବରେ କହିଲା, ‘‘ତୁମର ବନ୍ଧୁମାନଙ୍କ କତିକି ଯାଅ; ଯାଅ, ମୋତେ ଟିକିଏ ଏଠି ଏକୁଟିଆ ରହିବାକୁ ଦିଅ ।’’

 

“ଏକୁଟିଆ ? କିନ୍ତୁ ମାର୍କସ୍–’’

 

ମର୍ସିୟା କିନ୍ତୁ ସେତିକିବେଳେ ଟିକିଏ ହଲଚଲ ହେବାରୁ ଆନକାରୀୟାର ଦୃଷ୍ଟି ସେଆଡ଼କୁ ଗଲା । ସେଆଡ଼କୁ ନିତାନ୍ତ ତାଚ୍ଛିଲ୍ୟ ଭାବରେ ଅନାଇ ଓ ଭ୍ରୂକୁଞ୍ଚିତ କରି କହିଲା, ‘‘ଓଃ, ବର୍ତ୍ତମାନ ବୁଝିଲି ଭୋଜନଶାଳାରୁ ତୁମର ଅନୁପସ୍ଥିତିର କାରଣ ! କିନ୍ତୁ ଏହି-ଏହି ସ୍ତ୍ରୀଲୋକ କିଏ-?’’

 

ସଂକ୍ଷେପରେ ଏବଂ ଯଥେଷ୍ଟ ଉଦାସୀନତାର ସହିତ ଉତ୍ତର ହେଲା, ‘‘ମୋ ନିମନ୍ତ୍ରିତ ।’’

 

“ତାହାହେଲେ ଅନ୍ୟାନ୍ୟ ନିମନ୍ତ୍ରିତଙ୍କ ସହିତ ଯୋଗ ଦେଉ ।’’

 

‘‘ତୁମର ଆଜ୍ଞାରେ ତ ସେ ଏଠିକି ଆସି ନାହିଁ ।”

 

‘‘କିନ୍ତୁ ତୁମର ଇଚ୍ଛା ଅନୁସାରେ ମୁଁ ତ ଏଠିକି ଆସିଛି ।”

 

‘‘ତେବେ ମୋ ଇଚ୍ଛା ଅନୁସାରେ ତୁମେ ବର୍ତ୍ତମାନ ଏ ଘରୁ ଯାଅ ।’’

 

“ତାହା ହେବ ନାହିଁ । ତୁମକୁ ଖୁସି କରିବାକୁ ଆସିଥିଲି, କିନ୍ତୁ ମୋ ଖୁସିରେ ମୁଁ ଏଠି ରହିବି ।’’

 

ଆନକାରୀୟା ଏହି କଥା କହିବାବେଳେ ଯେ କେବଳ ରାଗି ଯାଇଥିଲା, ତାହା ନୁହେଁ, ନିଶା ମଧ୍ୟ କେତେକ ପରିମାଣରେ ତାକୁ ଧରିଥିଲା । ଏତକ କହି ଏହି ରସିକବିଳାସିନୀ ମଦାଳସୀ ନିତାନ୍ତ ଅଶ୍ଳୀଳ ଭାବରେ କାଉଚ ଉପରେ ଆପଣାକୁ ଲମ୍ବାଇ ସୌନ୍ଦର୍ଯ୍ୟର ପସରା ଖୋଲି ଦେଲା-

 

ମାର୍କସ୍‌ ନିତାନ୍ତ ନିରୂପାୟ ହୋଇ କେବଳ ଘୃଣାରେ ତାକୁ ଅନାଇଲା । ଯଦି ସେ କୌଣସି ପୁରୁଷ ହୋଇଥାନ୍ତା, ଆଉ ମାର୍କସ୍‌ର ଇଚ୍ଛାରେ ଏହିପରି ବାଧା ପ୍ରଦାନ କରିଥାନ୍ତା, ମାର୍କସ୍‌ ତାକୁ ଉଠାଇ କେଜାଣି ସେ ଘରୁ ଫୋପାଡ଼ି ଦେଇଥାନ୍ତା । ଏ ସ୍ତ୍ରୀଲୋକ, ତା ଉପରେ ପୁଣି ଆନକାରୀୟା, କଣ କରିବ ମାର୍କସ୍ ବୁଝିପାରିଲା ନାହିଁ ।

 

ମର୍ସିୟା ଚାହୁଁଥିଲା କେମିତି ସେ ଘରୁ ଯିବ, ସେଥିପାଇଁ ପ୍ରାୟ କାନ୍ଦୁଣିମାନ୍ଦୁଣି ହୋଇ କହିଲା, ‘‘ମୋତେ ଦୟା କରି ବନ୍ଦୀଶାଳାକୁ ଯିବାକୁ ଦିଅ ।’’

 

ଆନକାରୀୟା ଚିତ୍କାର କରି ଉଠିଲା, ‘‘ବନ୍ଦୀଶାଳା ? ବନ୍ଦୀଶାଳା ? ଓହୋ, ବୁଝାପଡ଼ିଲା ଏହି ତା'ହେଲେ ସେ ଖ୍ରୀଷ୍ଟିୟାନ, ଯାହା ସମ୍ବନ୍ଧରେ ଆମ୍ଭେମାନେ ଏତେ, କଥା ଶୁଣୁଥିଲୁଁ । ଏ ତାହାହେଲେ ସେହି ରାକ୍ଷସୀ ଯେ ତୁମକୁ କୁହୁକ କରିଛି ।’’

 

ତା ପରେ ମଦର ଜୋରରେ ଏବଂ ବିଦ୍ରୂପ କରି ବଡ଼ ବୀଭତ୍ସ ଭାବରେ ହସିବାକୁ ଲାଗିଲା, ଯାହା ଦେଖି ମାର୍କସ୍‌ର ବିରକ୍ତି ବଢ଼ିଲା । ଆନକାରୀୟା ପୁଣି କହିବାକୁ ଲାଗିଲା, ‘‘ଆଃ, ମଜା ତ ଏଇଠି ଅଛି !’’ ଦୁଆରମୁହଁକୁ ଦଉଡ଼ିଯାଇ ଚିତ୍କାର କରିବାକୁ ଲାଗିଲା, ‘‘ଡାଓନେସ୍‌ ! ଗ୍ଳାବ୍ରିଓ ! ଥିୟା ! ଡାର୍ଡାନେସ୍‌ ! ଆରେ ଏଠିକି ଆମ, ଚଞ୍ଚଳ ଆମ । ନିମନ୍ତ୍ରଣକାରୀ ଯେଉଁ କାରଣରୁ ଆମମାନଙ୍କ ସଙ୍ଗ ତ୍ୟାଗ କରିଛନ୍ତି, ସେହି କାରଣରୁ ଦେଖି ଯାଅ । ଏ ଚାକରଯାକ, ଚଞ୍ଚଳ ଆଲୁଅ ଆଣ, ଆଉ ମଦ ଆଣ, ଯେମିତି ଏହି କାରଣକୁ ଆମେମାନେ ଭଲକରି ଦେଖିବୁଁ ଏବଂ ତାର ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ପାନ କରିବୁଁ । ବନ୍ଧୁବର୍ଗ, ସମସ୍ତେ ଆସ, ଚଞ୍ଚଳ ଆସ !’’

 

ଚିତ୍କାର କରି, ହସି ହସି, ଟଳି ଟଳି ଗୋଠକା ଗୋଠ ମତୁଆଲା ଆସି ଘରେ ପଶିଲେ । ଯେତେବେଳେ ପ୍ରଦୀପ ସବୁ ଜଳିଲା, ମର୍ସିୟାର ପବିତ୍ର ଶ୍ୱେତମୂର୍ତ୍ତି ଠିକ୍‍ ତାର ପ୍ରଭୁଙ୍କ ପରି ଦୃଷ୍ଟିରେ ଏହି ବିପଥଗାମୀ ମାନବ ସନ୍ତାନଙ୍କ ସକାଶେ କୋମଳ କରୁଣା ନେଇ ଫୁଟି ଉଠିଲା । ମଣିମାଣିକ୍ୟ ଏବଂ ବର୍ଣ୍ଣ ବୈଭବର ସମସ୍ତ ଚାକଚକ୍ୟ ମଧ୍ୟରେ, ଅସ୍ଥିରପାଦ ମଦ୍ୟପଙ୍କର ସମସ୍ତ ଟଳାଟଳି ଭିତରେ, କୁତ୍ସିତ ହାସ୍ୟପରିହାସର ସ୍ରୋତ ମଝିରେ ମର୍ସିୟା ଦେବମନ୍ଦିର ପରି ଉନ୍ନତଶିର, ଦେବମନ୍ଦିର ପରି ନୀରବ ନିଶ୍ଚଳ, ନୀରବରେ ତାର ବନ୍ଦୀକର୍ତ୍ତାର ଆଦେଶ ଅପେକ୍ଷା କରୁଥିଲା । ତାର ଚକ୍ଷୁ ନୀରବ ପ୍ରାର୍ଥନାରେ ନିମୀଳିତ ଏବଂ ସେ ନିଜେ ଏହି ଆବିଳତା, ଏହି ବୀଭତ୍ସତାର ବହୁ ଉର୍ଦ୍ଧ୍ୱରେ ।

 

ତାହାର ଦେହର ଏବଂ ନିଷ୍କଳଙ୍କ ଚିରିତ୍ରର ସୌନ୍ଦର୍ଯ୍ୟ ପ୍ରଥମରେ ସେମାନଙ୍କୁ ନିସ୍ତବ୍‌ଧ କରି ଦେଲା, କିନ୍ତୁ ଅଳ୍ପ ସମୟ ସକାଶେ । ସେମାନଙ୍କର ଯାହା ଅବା ସୂକ୍ଷ୍ମ ଚିତ୍ତବୃତ୍ତି ଥିଲା, ତାହା ସେତେବେଳକୁ ଉଗ୍ର ସୁରାର ପ୍ରଭାବରେ ଆଚ୍ଛନ୍ନ । ପୁନର୍ବାର କଦର୍ଯ୍ୟ ହାସ୍ୟ ପରିହାସ ଏବଂ କୁତ୍ସିତ ବାକ୍ୟବିନିମୟ ଅପ୍ରତିହତ ଭାବରେ ଚାଲିଲା ।

 

ଆନକାରୀୟା ପୁଣି କହିଲା, “ବନ୍ଧୁବର୍ଗ, ଏଠି ଆଉ ଏକ ମଜା ଅଛି ।’’

 

ଗ୍ଳାବ୍ରିଓ ସେତେବଳ ପର୍ଯ୍ୟନ୍ତ ମର୍ସିୟାକୁ ଦେଖି ନାହିଁ, ସେଥିପାଇଁ କହିଲା, ‘‘କି ମଜା ? ଆମମାନଙ୍କୁ ଏଠିକି କାହିଁକି ଆଣିଲ ? ଆମେମାନେ ତ ସେଠି ବେଶ୍ ମଉଜରେ ଥିଲୁଁ, ଆଉ ମୋ ବିନା ଆଉ କେହି ପ୍ରକୃତିସ୍ଥ ନ ଥିଲେ । ଏଇ ଦେଖ ନା ଆମ- ଆମର ପୁରୁଣା ବନ୍ଧୁ ପିଲୋ-ଫିଲୋଡିମସ୍ କେବଳ ଦୁଇ ଥର ପିଇ କଣ ହୋଇଛନ୍ତି ?’’

 

କ୍ଷୀଣକାୟ ଫିଲୋଡ଼ିମସ୍ କ୍ଷୀଣସ୍ୱରରେ କହିଲା, “ନାହିଁ, ନାହିଁ, ଦୁଇ ଥର ନାହିଁ । ଗ୍ଳାବ୍ରିଓ ସତ କଥା କୁହ । ମୁଁ ଠିକ୍ କରି କହୁଛି, ମୁଁ ତିନି ଥରରୁ କମ୍‌ ପିଇ ନାହିଁ ।’’

 

“କିନ୍ତୁ ଆମେମାନେ ଏଠିକି କାହିଁ–ଓ, ଆ !’’ କରି ଉଠିଲା ଯେତେବେଳେ ଗ୍ଳାବ୍ରିଓର ନଜର ମର୍ସିୟା ଉପରେ ପଡ଼ିଲା । ତା ପରେ ‘‘ହେଲା ହେଲା, ଏବେ ବୁଝିଲି” କହି ଆନକାରୀୟାକୁ ଅନାଇଲା, ଦେଖିଲା ତାର ଗାଲ ଦୁଇଟା ଲାଲ ହୋଇ ଗଲାଣି, ଆଖି ଦୁଇଟା ଜଳୁଛି ପଡ଼ି । ଇଦୋନିଆ ଆଡ଼କୁ ନଇଁ ପଡ଼ି ଫୁସ୍ ଫୁସ୍ କରି କହିଲା, ‘‘ଏବେ ଯେ ମଉଜଟା ପୂରା ଦସ୍ତୁର ଦେଖାଯିବ ।’’

 

ସାଇରିନ୍ ପଚାରିଲା, “କି ମଉଜ ?’’

 

ମର୍ସିୟା ଆଡ଼କୁ ଆଖିଠାରି ଗ୍ଳାବ୍ରିଓ କହିଲା, “ସେ ଆଡ଼କୁ ଅନାଅ ।”

 

“ସେ କିଏ ସେ ? ସେ କଣ କରି ପାରେ ? ସେ କଣ ସୁଆଙ୍ଗ କରିବ ? ନାଚିବ ?’’

 

ଡାଓନେସ୍ ସାଇରିନ୍‌ର ପ୍ରଶ୍ନ ଶୁଣି ପଚାରିଲା, “କଣ ନାଚିବ ? କେଉଁ ନାଚ ନାଚିବ ? ସେ କିଏ ? ସେ ଯଦି ନାଚିବାକୁ ମୋର ଜୀବନ ମୂଲ୍ୟ ସ୍ୱରୂପ ମାଗିବ, ତାହା ମଧ୍ୟ ଦେବାକୁ ମୁଁ ପ୍ରସ୍ତୁତ ।’’ କହିସାରି ଡାଓନେସ୍ ବୁଲିପଡ଼ି ନାଚିବାର ଏକପ୍ରକାର ଅଙ୍ଗଭଙ୍ଗୀ କରି ଛିଡ଼ା ହେଲା ଏବଂ ତାହା ଦେଖି ସେହି ଦଳର ଅପେକ୍ଷାକୃତ ପ୍ରକୃତିସ୍ଥ ଲୋକେ ବାହାବା ମଧ୍ୟ ଦେଲେ ।

 

ଯୁଲିଆ ପଚାରିଲା, ‘‘ଏ ବାଳିକା କିଏ ?’’ ଆନକାରୀୟା ନାସିକା କୁଞ୍ଚିତ କରି କହିଲା, “କିଏ ? ଆଉ କିଏ ହେବ, ସେହି ଖ୍ରୀଷ୍ଟିୟାନ !’’

 

ଦଳକାଦଳ ପାଟି କରି ଉଠିଲେ, “ଖ୍ରୀଷ୍ଟିୟାନ ? ଜାଗା ଛାଡ଼, ଜାଗା ଛାଡ଼, ଟିକିଏ ଭଲ କରି ଦେଖିବାକୁ ଦିଅ ।”

 

ଆନକାରୀୟା କହିଲା, “ହଁ, ଟିକିଏ ଭଲ କରି ଦେଖ, ଆଉ କେଉଁ କାରଣରୁ ତୁମମାନଙ୍କର ସଙ୍ଗ ପରିତ୍ୟାଗ କରା ହୋଇଛି ଭଲ କରି ବୁଝ । ଏହି ହେଉଛି ସେହି ମାୟାବିନୀ, ଯାହାର ମାୟାରେ ଆମମାନଙ୍କର ମାର୍କସ୍ ପଡ଼ିଛି ! ଏହି ସେହି ଖ୍ରୀଷ୍ଟିୟାନ–ସେହି ନୀର୍ଜିବ ମାର୍ବଲ ପଥରର ମୂର୍ତ୍ତି । ଭଉଣୀମାନେ, ମୁଁ ରତିଦେବୀର ରାଣ ଦେଇ କହୁଛି, ଆମମାନଙ୍କୁ ଏହି ଖ୍ରୀଷ୍ଟିୟାନମାନଙ୍କଠାରୁ ପୁରୁଷ ମନ ଆକର୍ଷଣ କରିବାର ଉପାୟ ଶିଖିବାକୁ ହେବ, ନୋହିଲେ ପ୍ରେମିକବିହୀନ, ହେବାକୁ ବେଶି ସମୟ ଲାଗିବ ନାହିଁ ।

 

ଫିଲୋଡ଼ିମସ୍‌ ପାଟି ଚାକୁ ଚାକୁ କରି କହିଲା, ‘‘ଆନକାରୀୟା ମୋର, ମୁଁ ତୋତେ ଛାଡ଼ି କେବେ ବଞ୍ଚି ପାରିବି ନାହିଁ” କିନ୍ତୁ ଆନକାରୀୟାକୁ ଆଲିଙ୍ଗନ କରିବ କଣ, ଆଲିଙ୍ଗନ କଲା ଯୁଲିଆକୁ ।

 

ମର୍ସିୟା ଉପରେ ଯେତେବେଳେ ଏହି ବାକ୍ୟବାଣ ବୃଷ୍ଟି ହେଉଥିଲା, ମାର୍କସ ସେତେବେଳେ ନୀରବ ଓ ନିଶ୍ଚଳ ହୋଇ ଅଲଗା ଛିଡ଼ା ହୋଇଥିଲା । ମର୍ସିୟାକୁ ଏହି ଅପମାନରୁ ରକ୍ଷା କରିବାର ଇଚ୍ଛା ପ୍ରଥମରେ ସ୍ୱଭାବତଃ ତା ମନରେ ଉଦୟ ହୋଇଥିଲା, କିନ୍ତୁ କ୍ରୋଧ ଏବଂ ଆହତ ଆତ୍ମମର୍ଯ୍ୟାଦା ତାର ପ୍ରବୃତ୍ତିକୁ ନିଷ୍ଠୁର କରିଦେଲା । ଏହି ଆବେଗହୀନ ଉଦାସୀନ ଖ୍ରୀଷ୍ଟିୟାନ ବଳିକାର ସମସ୍ତ ଅହଂକାର, ଦାମ୍ଭିକତା ରକ୍ଷା କରିବାକୁ ସେ ସ୍ଥିର କଲା । ଭାବିଲା, ଅପମାନ ଟିକିଏ ସହୁ । ଏଥିରେ ତାର ଶାରୀରିକ କ୍ଷତି କିଛି ହେବ ନାହିଁ, ବରଂ ଶିକ୍ଷା ପାଇବ । ଅବଶ୍ୟ ସେ ଅପମାନର ମାତ୍ରା ଅତିରିକ୍ତ ହେବାକୁ ଦେବ ନାହିଁ । ଏ ଦୃଶ୍ୟ ଦେଖି ତା ଜୀବନ କିପରି ବ୍ୟର୍ଥ ହୋଇ ଯାଉଛି ବୁଝିପାରିବ; ଦେଖିବ ଏ ଜୀବନ ନୀତିର ଗଣ୍ଡି ଭିତରେ ଶୁଷ୍କ କର୍ତ୍ତବ୍ୟର ବୋଝ ବହିବାକୁ ଦିଆ ହୋଇ ନାହିଁ, କିନ୍ତୁ ଆନନ୍ଦରେ ବିଳାସ ବ୍ୟସନରେ ଅତିବାହିତ କରିବାକୁ ଦିଆ ହୋଇଛି । ଅପମାନର ଏ ସ୍ରୋତ ବିରୁଦ୍ଧରେ ତା ପକ୍ଷରେ ଛିଡ଼ା ହୋଇ ରହିବା ଅସମ୍ଭବ ହୋଇ ଉଠିବ, ସେତେବେଳେ ସେ ବାଧା ଦେବ ।

 

ଆନକାରୀୟା କଟିଦେଶରେ ବନ୍ଧା ହୋଇଥିବା ଗୋଲାପର ମାଳାକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ପକାଇଲା, ଅନ୍ୟାନ୍ୟ ସ୍ତ୍ରୀଲୋକଙ୍କ ଆଡ଼କୁ ଅନାଇ କହିଲା, ‘‘କଣ କହୁଛ ? ୟାକୁ ଦେଖି ମଉଳି ପଡ଼ିବା ?’’

 

ଡାଓନେସ୍‌ କହିଲା, ‘‘କଣ, ମଉଳି ପଡ଼ିବା ? ସେ କଣ ମୋ ପରି ଗୀତ ଗାଇପାରିବ, ନାଚି ପାରିବ, ଅଭିନୟ କରି ପାରିବ ?’’

 

ଗ୍ଳାବ୍ରିଓ ରହି ରହି କହିଲା, ବୋଧହୁଏ ପାରିବ ନାହିଁ ।” ତା’ପରେ ଓଠ ଚାଟି ଚାଟି କହିଲା, ‘‘ସେ କିନ୍ତୁ ବଡ଼–ବଡ଼ ସୁନ୍ଦରୀ ।’’

ଡାଓନେସ୍ କହିଲା, “ସୁନ୍ଦରୀ ? ହେଲେ ହେବ । କିନ୍ତୁ ଏ ଧରଣର ସୌନ୍ଦର୍ଯ୍ୟ ମୋ ମନକୁ ପାଏ ନାହିଁ ।’’

ଥିଆ କହିଲା, ‘‘ମୋ ମନକୁ ମଧ୍ୟ ପାଉନାହିଁ । ତୁଚ୍ଛା ଡେଙ୍ଗେଇଟା ।’’

କାମାତୁରା ଯୁଲିଆ କହିଲା, “ଏକାବେଳକେ ଥଣ୍ଡା ।’’

ଚଞ୍ଚଳମତି ମିଟେଲିନ୍ କହିଲା, ‘‘ତା’ଠି ଜମା ଜୀବନ ନାହିଁ ।’’

ଡାଓନେସ୍‌ ପଚାରିଲା, ‘‘ମାର୍କସ୍ କେମିତି ୟାଠି ମଜିଲା ?’’

ଇଦୋନିୟା କହିଲା, ‘‘ଆରେ ଏତିକି ବୁଝିପାରୁ ନାହିଁ, ନୂଆ ମୁହଁ, ନୂଆ ମୁହଁ ।’’

ଈର୍ଷାପରାୟଣା ଆନକାରୀୟା କହିଲା, ‘‘ସେ ସବୁ କିଛି ନୁହେଁ । ସେ ମାର୍କସ୍‌କୁ ମୋହ କରିଛି । ସେ କୁହୁକିନୀ । ସେମାନେ କହନ୍ତି, ଏହି ଖ୍ରୀଷ୍ଟିୟାନ୍‍ମାନେ ନାନା ରକମର ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି ।’’

ଏତକ ଶୁଣି ଏହି ସ୍ତ୍ରୀଲୋକ ସମସ୍ତେ ଅଣ୍ଟାରେ ହାତ ଦେଇ ମର୍ସିୟା ଆଡ଼କୁ ଅଗ୍ରସର ହେଲେ ଏବଂ ତା ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତତେ ଆମ ରାଣ, ଗୋଟାଏ ଆଶ୍ଚର୍ଯ୍ୟ କାର୍ଯ୍ୟ କର ନା ।’’

ଡାଓନେସ୍‌, ହସି ହସି କହିଲା, “ଅନ୍ତତଃ ଗୋଟାଏ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି, ମାର୍କସ୍‌କୁ ସତ୍ୟ ସତ୍ୟ ତାର ପ୍ରଣୟମୁଗ୍‍ଧ କରିଛି ।”

 

ବିଦ୍ୱେଷପରାୟଣା ଆନକାରୀୟା କଥାରେ ଛୁରୀ ଚଳାଇ କହିଲା, “ମାର୍କସ୍ ପ୍ରେମ କରିବ ୟାକୁ ? ହଁ, ଘଣ୍ଟାକ ସକାଶେ, ଖୁବ୍ ବେଶି ତ ଦୁଇଘଣ୍ଟା ସକାଶେ, କିନ୍ତୁ ଦିନକ ସକାଶେ ମଧ୍ୟ ନୁହେଁ । ଗଲା ବରଷ ଯେଉଁ ଜୁତା ପିନ୍ଧିଥିଲା, ତାକୁ ଭୁଲିବାକୁ ଯେତେବେଳ ଲାଗିଥିଲା, କାଲି ୟାକୁ ଭୁଲିବାକୁ ସେତେବେଳେ ମଧ୍ୟ ଲାଗିବ ନାହିଁ । ଏ ପାଇବ ମାର୍କସ୍‍ର ପ୍ରେମ ? ହଁ, ସେହି ପ୍ରେମ ପାଇବ-ଯେଉଁ ପ୍ରେମ ଲହୁଣୀ ପରି, ହୁଏତ ଲହୁଣୀ ପରି କୋମଳ- କିନ୍ତୁ ଖରା ଉଠିଲେ ଦେଖୁ ଦେଖୁ ମିଳାଇ ଯିବ ।”

 

ଆନକାରୀୟାର ଏହି ବାକ୍ୟବାଣ ନିକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଚାରିଆଡ଼ୁ ହାସ୍ୟର ଗୋଟାଏ କଳରବ ଉଠିଲା; କିନ୍ତୁ ଏହି ଗଣ୍ଡଗୋଳ ବନ୍ଦ ହେବା ପୂର୍ବରୁ ମାର୍କସ୍ କ୍ଷିପ୍ରଗତିରେ ଆନକାରୀୟା ଆଡ଼କୁ ଅଗ୍ରସର ହେଲା, ବଜ୍ରମୁଷ୍ଟିରେ ତାର ହାତ ଧରି କାନ କତିକି ମୁହଁ ନେଇ ଗର୍ଜନ କରି ଉଠିଲା, ‘‘ମୁଁ କହୁଛି, ମୁହଁ ବନ୍ଦ କର ।’’

 

ଆନକାରୀୟା ମଧ୍ୟ ସମାନ ଭାବରେ ଗର୍ଜନ କରି କହିଲା, “ମୁହଁ ବନ୍ଦ କରିବି ମୁଁ ? କଣ ମୁହଁ ବନ୍ଦ କରି ରହିବାକୁ ତୁମ ଘରକୁ ନିମନ୍ତ୍ରଣ କରିଥିଲ ?’’ ତା’ପରେ ‘‘ମାର୍କସ୍ ହାତରୁ ନିଜ ହାତ ଛଡ଼ାଇ ନେଇ ଅନ୍ୟାନ୍ୟ ନିମନ୍ତ୍ରିତଙ୍କ ଆଡ଼କୁ ବୁଲି ପଡ଼ି କହିଲା, ମାର୍କସ୍‍ର ଇଚ୍ଛା, ଆମେ ସମସ୍ତେ ଏଠି ମୁହଁ ବନ୍ଦ କରି ରହିବା ।”

 

ଗ୍ଳାବ୍ରିଓ ଉପରର କଡ଼ି ଆଉ ବରଗା ଆଡ଼କୁ ବଡ଼ ଗମ୍ଭୀର ଭାବରେ ଅନାଇ କହିଲା, ‘‘ଅସମ୍ଭବ ।’’

 

ଆନକାରୀୟା କହିଲା, ‘‘ଠିକ୍ କହିଲ, କିନ୍ତୁ କେବଳ ସମ୍ଭବ, ଯଦି ସେ ଚୁମ୍ବନର ମୁଦ୍ରାଙ୍କ ଦେଇ ଆମମାନଙ୍କର ମୁହଁକୁ ବନ୍ଦ କରେ, ତେବେ ଯାଇ ମୁହଁ ବନ୍ଦ କରିବା ସମ୍ଭବ ।’’ ଏହା କହି ଚୁମ୍ବନ ପାଇବା ଆଶାରେ ଆନକାରୀୟା ମାର୍କସ୍ ଆଡ଼କୁ ମୁହଁ ବଢ଼ାଇ ଦେଲା । ମାର୍କସ୍ କିନ୍ତୁ ତା ଆଡ଼କୁ ପଛ ଫେରାଇ ଚାଲିଗଲା ।

 

ଡାଓନେସ୍‌ କହିଲା, ‘‘ତାର ମୁଷ୍ଟିର ମୁଦ୍ରାଙ୍କଟା ଯେ ବସିଲା ନାହିଁ, ଏଥି ସକାଶେ ଭିନସ୍‌ ଦେବୀଙ୍କୁ ଧନ୍ୟବାଦ ଦିଅ ।’’

 

ଭିନସ୍‍ର କଥା ଶୁଣି ସମସ୍ତେ ଚିତ୍କାର କରିଉଠିଲେ, “ଏ ସବୁ ବାଜେ କଥା ଛାଡ଼, ଆମ ରତିଦେବୀ ଭିନସ୍‍ଙ୍କର ଉପାସନା ଆରମ୍ଭ କର ।” ଜାଗା ଛାଡ଼, ଜାଗା ଛାଡ଼ ବୋଲି ଚହଳ ପଡ଼ିଗଲା । ସମସ୍ତେ ଆଡ଼େଇ ହୋଇଗଲେ । ଆନକାରୀୟା ଏକରକମ ନାଚି ନାଚି ଆସି ମଝିରେ ଛିଡ଼ା ହେଲା । ତା ପରେ କହିଲା, “ସେ ଖ୍ରୀଷ୍ଟିୟାନ ବାଳିକାକୁ ମଧ୍ୟ ଡାକ ଆମ ସାଙ୍ଗରେ ଏ ଉତ୍ସବରେ ଯୋଗ ଦେବାକୁ । ତାର ଭରାଯୌବନ ଆମୋଦ ଆହ୍ଲାଦର ଇଚ୍ଛା ଭିତରେ ପୂରା ପ୍ରମାଣେ ଅଛି, ହୁଏତ ଶୋଇଛି; ଏହି ସୁପ୍ତ ଇଚ୍ଛାକୁ ତାର ଜାଗ୍ରତ କର । ହୁଏତ ଆମରି ପରି ଉତ୍ସବରେ ମାତୁ ନୋହିଲେ ଏ ଘର ଛାଡ଼ି ଅନ୍ୟ କୋଠରୀକୁ ଯାଉ । ସେ ଆଜିର ଭୋଜ ଏକାବେଳକେ ନଷ୍ଟ କରି ସାରିଲାଣି–ଆମର ସମସ୍ତ ମଉଜ ମାଟି କରି ଦେଲାଣି । କଣ କହୁଛ ବନ୍ଧୁବର୍ଗ ? ମୁଁ ଗୋଟିଏ ପ୍ରଣୟ ସଙ୍ଗୀତ ଗାଇବି ? ଏ ଏକାବେଳକେ ନୂଆ ।’’

 

ସମସ୍ତେ ହଁ ହଁ ବୋଲି ପାଟି କଲେ । ଆନକାରୀୟା କହିଲା, “ଦେଖ, ମୁଁ ଏହି ନିଦ୍ରିତ ପସ୍ତର ମୂର୍ତ୍ତି ଜାଗ୍ରତ ଜୀବନ୍ତ କରିବି । ଆଗେ ମୋ ଆଡ଼କୁ ଗିଲାସେ ମଦ ବଢ଼ାଇ ଦିଅ ।” ତା ପରେ ଯଥେଷ୍ଟ ଦକ୍ଷତାର ସହିତ ଗାଇଲା -

 

ନ ଚାହଁ, ଦାନ ଅନ୍ୟ,

ଯାହା ଦେଲୁ ଆଜି ତାହା ପାଇଁ ମୋର

ସମସ୍ତ ଜୀବନ ଧନ୍ୟ ।।

ଧନ୍ୟ ମୋହର ଏ ନବ ସାଧନା,

ପଥମ ଯୌବନେ ପ୍ରେମ-ଆରାଧନା,

ସାରା ଜୀବନର ଯେତେକ ବାସନା

କାମନା ଅଗଣ୍ୟ;

ତୋହରି ପ୍ରେମର ପୁଲତ ପରଶେ

ମୁଞ୍ଜରିତ ଏ ଅରଣ୍ୟ ।

ଅୟି ମୋ କରୁଣାମୟି,

ଏତେ ଦିନ ପରେ ଦେଖିଲୁ କି ଦୁଃଖେ

ହୃଦ ହେଉଥିଲା ଦହି !

ଗୋପନ ପ୍ରେମର ତୀବ୍ର ଆକର୍ଷଣ

ତୁଟିବ ବୋଲି ଏ ହୃଦୟ ବନ୍ଧନ

ଦେଲୁ କି ଫିଟାଇ ତୋ ପ୍ରେମ ଗୋପନ

ସନ୍ଧାନ ଦୟା ବହି;

ଆଜି ଏ ପ୍ରଭାତେ ପ୍ରଣୟ ବାରତା

ଲାଜେ ଭୟେ ଧୀରେ କହି ।

ନ କର ରେ ଆଡ଼ମୁଖ,

କହରେ କହ ତୋ ହୃଦୟ ଫିଟାଇ

ଯେତେ ଯାହା ସୁଖ ଦୁଃଖ ।

ଢାଳି ଦେ ଢାଳି ଦେ ସେ ଅମୃତ କଥା,

ଘୁଞ୍ଚୁ, ମୋ ପ୍ରଣୟ-ପିପାସାର ବ୍ୟଥା,

ଦେଖି ନ ଦେଖୁ କି ମୋର ଅଧୀରତା ?

ରହିଛି ହୋଇଛି ଉନ୍ମୁଖ

ଚୁମ୍ବନ-ପ୍ରୟାସୀ ପରାଣ ମୋହର

ଦେଖି ସେ ମୁଖ-ମୟୁଖ ।

 

ଗାୟିକା ଇତସ୍ତତଃ କଲା–ଗାନ ଶେଷ କରିବାକୁ ଚେଷ୍ଟା କଲା-ତା’ପରେ ଏକାବେଳକେ ଭାଙ୍ଗି ପଡ଼ିଲା, କାରଣ ତାର ସ୍ଵର ଅତିକ୍ରମ କରି ଠିକ୍ ସେହି ସମୟରେ ନିକଟବର୍ତ୍ତୀ ବନ୍ଦିଶାଳାରୁ ଖ୍ରୀଷ୍ଟିୟାନମାନଙ୍କର ଗମ୍ଭୀର ଭଦାତ୍ତ ସ୍ୱରର ଗାନ ଆକାଶକୁ ଉଠିଲା ।

 

ଏହି ଯେଉଁ ଚିରପରିଚିତ ପ୍ରିୟ ଗାନଟି ମର୍ସିୟା ତାର ସୁଖର ଦିନରେ ତାର ପିତାମାତା ଓ ଫ୍ଲାଭିୟସ୍‌ଙ୍କ ଚରଣତଳେ ବସି ଅନେକଥର ଗାଇଛି, ଆଜି ଏହି ଦୁଃଖର, ଏହି ଅଗ୍ନି ପରୀକ୍ଷାର ଦିନରେ ତା’ର ଲୁପ୍ତପ୍ରାୟ ଧୈର୍ଯ୍ୟ ଓ ସାହସ ଫେରାଇ ଆଣିଲା । ଜାଣିଲା, ଗାନର ଏହି କାତର ଆବେଦନ ପ୍ରଭୁଙ୍କ ନିକଟରେ ଅଗ୍ରାହ୍ୟ ହେବ ନାହିଁ । ଆଶାରେ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା, ନୟନରେ ଜ୍ୟୋତି ଫେରି ଆସିଲା । ନିଶାଖୋରଙ୍କର ଆନନ୍ଦ କୋଳାହଳ ବନ୍ଦ ହୋଇଗଲା । ଯେପରି ବେଙ୍ଗ ପ୍ରଭୃତି କୁତ୍ସିତ ସରୀସୃପମାନେ ଅନ୍ଧାରରେ କେଁ-କଟର କରୁଥାନ୍ତି, ହଠାତ୍ ସେମାନଙ୍କ ଉପରେ ଆଲେକରଶ୍ମି ପଡ଼ିଲେ ତ୍ରସ୍ତ ହୋଇଯାନ୍ତି, ଭୀତ ସଙ୍କୁଚିତ ହୋଇ ପାଟିକରିବା ବନ୍ଦ କରି ଦିଅନ୍ତି, ସେହିପରି ଏହି ଆମୋଦୀ ଦଳ ହଠାତ୍ ନୀରବ ହୋଇଗଲେ । ପ୍ରଥମରେ ଡାଓନେସ୍ ତା’ର ବାକ୍‌ଶକ୍ତି ଫେରି ପାଇଲା, ପଚାରିଲା, ‘‘କେଉଁମାନେ ଗାଉଛନ୍ତି ?’’ ଗ୍ଳାବ୍ରିଓ ଉତ୍ତର ଦେଲା, “ଖ୍ରୀଷ୍ଟିୟାନ ବନ୍ଦିମାନେ ।’’ ଆନକାରୀୟା ଚିତ୍କାର କରି ଉଠିଲା, ‘‘କଣ ଏହି ଟୋକିର ସଙ୍ଗିମାନେ ? ସେମାନଙ୍କୁ ଗାନ ବନ୍ଦ କରିବାକୁ କୁହ ।’’ ଅନ୍ୟାନ୍ୟ ସମସ୍ତେ ମଧ୍ୟ ଅଧୈର୍ଯ୍ୟ ଭାବରେ କହି ଉଠିଲେ, ‘‘ସେମାନଙ୍କୁ ବନ୍ଦ କରିବାକୁ କହ ।’' ଆନକାରୀୟା କହିଲା, ‘‘ସେମାନଙ୍କର ଗଳା ବଡ଼ ଥଣ୍ଡା, ଏହି ଧର୍ମ-ପାଗଳଙ୍କର ଗାନ ଶୁଣି ମୁଁ ଉଠୁଛି ! ମାର୍କସ୍, ସେମାନଙ୍କୁ ଗାଇବାକୁ ମନା କରି ପଠାଅ ।’’ ମାର୍କସ୍ ଅତ୍ୟନ୍ତ ତୀବ୍ର ଭାବରେ କହିଲା, “ମୁଁ କାହିଁକି ତା କରିବାକୁ ଯିବି ? ଏ ତ ଦେବତାଙ୍କ ଭିତରେ ଯୁଦ୍ଧ - ଖ୍ରୀଷ୍ଟ ଆଉ ପ୍ଳୁଟସ ମଧ୍ୟରେ ଲାଗିଛି । ଦେଖାଯାଉ କିଏ ଜିତୁଛି ।’’ ଏହା ଶୁଣି ଅତିଥିଯାକ କହିଲେ,‘‘ଆସ, ଆମେ ମଧ୍ୟ ଚଢ଼ାଗଳାରେ ଗାଇବା, ଆମର ଗାନରେ ସେମାନଙ୍କର ଗଳା ବୁଡ଼ାଇ ଦେବା ।” ଆନକାରୀୟା କହିଲା, ‘‘ଠିକ୍ ଏହି ଛୋଟଲୋକଗୁଡ଼ାକ ମୋତେ ଜିତି ଯିବେ ?’’ ଏହା କହି ସେ ପୁନର୍ବାର ପ୍ରଣୟିଙ୍କର ପ୍ରଥମ ପ୍ରଣୟସ୍ୱୀକାର କଥା ଗାଇବାକୁ ଆରମ୍ଭକଲା–

 

ନ ଚାହଁଇ ଦାନ ଅନ୍ୟ

ଯାହା ଦେଲୁ ଆଜି ତାହା ପାଇ...

 

ପୁନର୍ବାର ସେହି ଗମ୍ଭୀର ଉଦାତ୍ତ ସ୍ଵର ଗଭୀର ଜଳକଲ୍ଲୋଳ ପରି ବନ୍ଦିଶାଳାରୁ ଉଠିଲା, କାମାତୁରାର ଏହି କାମନା- ଉତ୍ତେଜକ ଗାନକୁ ବୁଡ଼ାଇ ଦେଲା । କ୍ଷଣକାଳ ସକାଶେ ଆନକାରୀୟା ମାର୍କସ୍ ଆଡ଼କୁ ନୀରବରେ ଚାହିଁ ରହିଲା, ତା ପରେ ଭାଙ୍ଗି ପଡ଼ି କହିଲା, ‘‘ମୁଁ ଆଉ ଗାଇ ପାରିବି ନାହିଁ ।’’ ପୁରୁଷମାନଙ୍କ ମଧ୍ୟରୁ କିଏ ଜଣେ କହି ଉଠିଲା, “ମୁଁ ଭିନସ୍‌ଙ୍କ ରାଣ ଦେଇ କହୁଛି, ମୋର ରକ୍ତ ବରଫ ପରି ଜମି ଗଲାଣି । ମୋତେ କି ରୋଗ ଧରିଲାଣି କେଜାଣି !’’ କାନ୍ଦୁଣିମାନ୍ଦୁଣି ହୋଇ ଆଉ ଜଣେ ସ୍ତ୍ରୀଲୋକ କହିଲା, “ମୋତେ ଖାଲି କାନ୍ଦ ମାଡ଼ୁଛି ।” କ୍ରୋଧାନ୍ନତ୍ତା ଆନକାରୀୟା ଚିତ୍କାର କରି ଉଠିଲା, “ଏ ଆଉ କିଛି ନୁହେଁ ଏହି କୁହୁକିନୀର କୁହୁକ । ତାକୁ ମାର, ତାକୁ ମାର, ତାକୁ ମାର, ସେ ସମସ୍ତଙ୍କୁ କିମିଆ କରିଛି ।’’ ଡାଓନେସ୍ କହିଲା, ‘‘ଆରେ, କେହି ହେଲେ ତାକୁ ଥୋଡ଼ା ମଦ ପିଆଇ ଦିଅ । ଗ୍ଳାବ୍ରିଓ ତାକୁ ମଦ ପିଆଅ ।’’ ଗ୍ଳାବ୍ରିଓ ମର୍ସିୟା ଆଡ଼କୁ ଘୁଞ୍ଚିଯାଇ କହିଲା, “ଆ, ବାବା, ଯେ କେତେ ଦିନ ପିଣ୍ଡରେ ପ୍ରାଣ ଅଛି ମଦ ପିଇ ଫୂର୍ତ୍ତିକର, କାଲି ମଧ୍ୟ ମରିଗଲେ କିଛି କ୍ଷତି ନାହଁ, ଅନ୍ତତଃ ଆଜି ରାତିଟା ତ ଆନନ୍ଦରେ କଟିବ।’’

 

ମର୍ସିୟା ଏହି ଥର ପ୍ରଥମ କରି ସେମାନଙ୍କ ଆଡ଼କୁ ଅନାଇଲା । ତାର ମହିମାମଣ୍ଡିତ ମୁଖଶ୍ରୀ ସେମାନଙ୍କୁ କ୍ଷଣକାଳ ସକାଶେ ନିସ୍ତବ୍‌ଧ କରିଦେଲା । ସେ ମଧୁର ସ୍ଵରରେ ସ୍ପଷ୍ଟ ଭାବରେ କହିଲା, ‘‘ନା, କାଲି ମରଣ ଆସିଲେ ସୁଦ୍ଧା ମୁଁ ମରିବି ନାହିଁ, ମରଣ ସେହି ନୂତନ ଜୀବନରେ ପ୍ରବେଶ କରିବା ପାଇଁ ମୋ ପକ୍ଷରେ ଅମୃତର ସୋପାନ । ମରିବା ପାଇଁ ତୁମକୁ କିନ୍ତୁ କାଲିକି ଅପେକ୍ଷା କରି ରହିବାକୁ ହେବ ନାହିଁ, ତୁମେ ଆଜି ଆଜି ମଧ୍ୟ ଜୀବନରେ ନାହଁ, ପାପ ଏବଂ ଅଧର୍ମରେ ମରିଛ ।’’

 

ଏହାର ଉତ୍ତରରେ ଅଧିକାଂଶ ପାଟି କରି କହିଲେ, ‘‘ଆରେ ପିଲା ପିଇ, ଟିକିଏ ପିଇ ।’’ ଏହି ଅଳ୍ପଭାଷୀ ମୃଦୁସ୍ୱଭାବ ବାଳିକା ଜୋରର ସହିତ କହିଲା, ‘‘ନା, ତୁମମାନଙ୍କ ଅନୁନୟ ବିନୟର ଅଭିନୟ ମଧ୍ୟ ମୋତେ ପ୍ରଲୁବଧ କରି ପାରିବ ନାହିଁ । ହାୟ, ହାୟ, ଜାଣିଶୁଣି ଅନ୍ଧ ପରି ବିପଥରେ ବିଭ୍ରାନ୍ତ ହେଉଛ, ଅଥଚ ଫେରି ଚାହିଁଲେ ଆଲୋକର ସନ୍ଧାନ ମିଳିବ !’’ ତାର ଅଜ୍ଞାତସାରରେ ହାତ ଦିଓଟି ହୃଦୟର ଆବେଗରେ ଦୁଇଆଡ଼କୁ ପ୍ରସାରିତ ହୋଇଗଲା-ସତେ ଯେପରି ସେ ହାତ ବଢ଼ାଇ ଏହି ବିପଥଗାମୀ ମାନବସନ୍ତାନଙ୍କୁ ସତ୍ୟର ପଥକୁ ଫେରାଇ ଆଣିବ ! ଏ ସବୁ କଥା ଏବଂ ଦୃଶ୍ୟ ଆନକାରୀୟାର ଅସହ୍ୟ ହେଲା । ସେ ପାଟି କରି କହିଲା, ‘‘ସେ କୁହୁକିନୀର ପାଟି ବନ୍ଦକର, ତାକୁ ମଦ ପିଆଅ ।” ଅନ୍ୟ ସମସ୍ତେ ମଧ୍ୟ ତହିଁ ସଙ୍ଗେ ସଙ୍ଗେ ଚିତ୍କାର କରି କହିଲେ, ‘‘ତାକୁ ଜୋର କରି ମଦ ପିଆଅ ।’’ ଉତ୍ତରରେ ସେ କେବଳ ସ୍ଥିର ଭାବରେ କହିଲା, ‘‘ମୁଁ କହିଛି, ମୁଁ ପିଇବି ନାହିଁ-।’’

 

ଗ୍ଳାବ୍ରିଓ ନିଶା ଭୋଳରେ ଜୋର କରି କହିଲା, ‘‘ମୁଁ ଦେବତାଙ୍କର ରାଣଦେଇ କହୁଛି, ତୁମକୁ ଅବଶ୍ୟ ପିଇବାକୁ ହେବ ।’’ ତାପରେ ମଦର ପାତ୍ର ହାତରେ ନେଇ ସେ ମର୍ସିୟା ଆଡ଼କୁ ଅଗ୍ରସର ହେଲା । ସେ ତା ମୁହଁରେ ମଦ ଢାଳିବାକୁ ଚେଷ୍ଟା କରିଥାନ୍ତା, କିନ୍ତୁ ସେହି ସମୟରେ ମାର୍କସ୍ ଆସି ତାକୁ ଝିଙ୍କି ନେଇ ଅନ୍ୟଆଡ଼କୁ ଠେଲି ଦେଲା । ତା ପରେ ମର୍ସିୟାକୁ ଆଢ଼ୁଆଳ କରି ଛିଡ଼ା ହୋଇ କ୍ରୋଧରେ ଗର୍ଜ୍ଜନ କରି କହିଲା, “ସାବଧାନ, ତା ଦେହରେ ହାତ ଦିଅ ନାହିଁ ।’’

 

ଆନକାରୀୟା ବିଦ୍ରୂପ କରି କହିଲା, ‘‘ନିମନ୍ତ୍ରଣକାରୀ ଆମର ବେଶ୍‌ ଅତିଥି ସେବକ ! ଏହି ନୂଆ ଖେଳନା–ଏହି ରକ୍ତଲେଶଶୂନ୍ୟ ନିର୍ଜୀବ ପିତୁଳାର ସୌନ୍ଦର୍ଯ୍ୟ ସକାଶେ ପୁରୁଣା ବନ୍ଧୁଙ୍କୁ ଅବହେଳା ! ମାର୍କସ୍‍ର ମସ୍ତିସ୍କବିକୃତି ଘଟିଛି ।

 

ଉତ୍ତରରେ ଶୁଣିଲା, “ହୁଏତ ସତ ସତ ମୋର ମସ୍ତିସ୍କବିକୃତି ଘଟିଛି - ଅନ୍ତତଃ ମୋର ମସ୍ତିସ୍କ ପ୍ରବଳ ଭାବରେ ଘୂରୁଛି; ଶିରାପ୍ରଶିରାରେ ଅଗ୍ନିର ସ୍ରୋତ ଛୁଟୁଛି ! ଦ୍ୱିରୁକ୍ତି ନ କରି ବାହାରି ଯାଅ-ଏହି ମୋର ତୁମ୍ଭମାନଙ୍କ ପ୍ରତି ଶେଷ ଆଦେଶ । ତୁମେମାନେ ତା ସହିତ ଏକତ୍ର ଛିଡ଼ା ହୋଇ ବାୟୁ ସେବନ କରିବାକୁ ମଧ୍ୟ ଯୋଗ୍ୟ ନୁହଁ, ତୁମ୍ଭମାନଙ୍କୁ ନିଶ୍ୱାସ ପ୍ରଶ୍ୱାସରେ ମଦର ଗନ୍ଧ, ଚୁମ୍ବନରେ ମହାମାରୀର ସଂକ୍ରମଣ ଏବଂ ଦୋକାନଦାରୀ ପ୍ରେମରେ ଦୁଃଖଦାରିଦ୍ର୍ୟ, ଉନ୍ମତ୍ତତା, କ୍ଷିପ୍ତତା ଏବଂ ନିଶ୍ଚିତ ମୃତ୍ୟୁ ! ଯାଅ ! ଯାଅ ! ଶୀଘ୍ର ଏଠୁଁ ଯାଅ ।”

 

ମାର୍କସ୍‍ର ଏହି କଥା ଶୁଣି ସେମାନଙ୍କ ମଧ୍ୟରୁ କେହି କେହି ବେଶ୍ ଆମୋଦ ଅନୁଭବ କଲେ, କେହି କେହି ଟିକିଏ ବିସ୍ମିତ ହୋଇଗଲେ ଏବଂ କେହି କେହି ରୀତିମତ ରାଗିଗଲେ । ଉତ୍ତରରେ ହସ୍ୟ, ଉପହାସ, ସରୋଷ କଟାକ୍ଷ, ଅଭିଶାପ–ଯେ ଯେରୂପେ ପାରିଲା ନିଜ ମନର ଭାବ ବ୍ୟକ୍ତ କରି ଏହି ନର୍ତ୍ତକୀ, ଅଭିଜାତବର୍ଗ ଏବଂ ସଭାସଦ୍‌ ଦଳ ସେ ଘରୁ ବାହାରିଗଲେ । ଯେତେବେଳେ ମତୁଆଳଙ୍କର ପ୍ରଳାପର ଶେଷ ପ୍ରତିଧ୍ୱନି ଦୂରରେ ପ୍ରତିହତ ହେଲା, ମାର୍କସ୍ ମର୍ସିୟା ଆଡ଼କୁ ମୁହଁ ଫେରାଇ କହିଲା, “ଦେଖ, ଯେଉଁମାନେ ତୁମକୁ ବିରକ୍ତ କରୁଥିଲେ, ମୁଁ ସେମାନଙ୍କୁ ତଡ଼ି ଦେଇଛି ।’’

 

ମର୍ସିୟା ଦେଖିଲା, ସୁରାର ଉତ୍ତେଜନାରେ ତା ମୁହଁ ଉତୁରି ପଡ଼ିଛି, ଚକ୍ଷୁ ରକ୍ତବର୍ଣ୍ଣ ଏବଂ ଯେଉଁ ଭଙ୍ଗା ଦଦରା ଗଳାରେ ମାର୍କସ୍ ତାକୁ କହିଥିଲା, ତାହା ମଧ୍ୟ ଲକ୍ଷ୍ୟ କଲା । ମର୍ସିୟା ଭିତରେ ଭିତରେ କମ୍ପିବାକୁ ଲାଗିଲା । ଭିତରର ଭୟ ଯେମନ୍ତ ଧରା ନ ପଡ଼େ, ସେଥିପାଇଁ ଯଥାସମ୍ଭବ ଗଳା ଚାପି କହିଲା, ‘‘ମୋତେ ଏଠୁ ଯିବାକୁ ଦିଅ’’ ଏହା କହି ସେ ଯଥାସମ୍ଭବ ସହଜଭାବରେ ଦୁଆରମୁହଁ ଆଡ଼କୁ ଅଗ୍ରସର ହେଲା । ମାତ୍ର ମାର୍କସ୍‌ ତାର ପଥରୁଦ୍ଧ କରି ଦୁଆରବନ୍ଧରେ ଛିଡ଼ା ହେଲା । ସେତେବେଳକୁ ତାର ଜୋରରେ ନିଶ୍ୱାସ ପଡ଼ୁଛି, ବ୍ୟାକୁଳ ଲାଳସାରେ ଆଖି ଜଳୁଛି, ଖର–ନିଶ୍ୱାସରେ ଛାତି କମାରର ଭାତି ପରି ଉଠୁଛି ପଡ଼ୁଛି; ଉତ୍ତେଜନାର ଆଧିକ୍ୟରେ ସର୍ବାଙ୍ଗ ବେତସ ପତ୍ର ପରି ଥରୁଛି । ଦୃଢ଼ମୁଷ୍ଟିରେ ସେ ନିଜର ଦୁଇ ବାହୁକୁ ଚାପିବାକୁ ଲାଗିଲା । ନଖ ଆଘାତରେ ବାହୁ ଫାଟି ରକ୍ତ ବାହାରିଲା । ନିଜ ଉପରେ ଯାହା କିଛି ପ୍ରଭୃତ୍ୱ ଏଯାବତ୍ ଥିଲା, ସେ ସମସ୍ତ ହରାଇଲା; ଗତ ଦୁଇଦିନର ଉତ୍ତେଜନା, ଅନାହାର ଅତିରିକ୍ତ ମଦ୍ୟପାନ, ତାର କାମାସକ୍ତି, କ୍ରୋଧ, ଅପମାନିତ ଆତ୍ମ-ମର୍ଯ୍ୟାଦାଜ୍ଞାନ–ଏ ସମସ୍ତ ମିଳିମିଶି ତାକୁ ଆତ୍ମବିସ୍ତୃତ କରିଦେଲେ; ବୁଦ୍ଧିବୃତ୍ତି ଆଚ୍ଛନ୍ନ ହୋଇଗଲା, ଏହି ଯେଉଁ ବାଳିକା ତାକୁ ଏପରି ପ୍ରଲୁବ୍‌ଧ କରିଥିଲା, ଏପରି ପ୍ରତ୍ୟାଖ୍ୟାନ କରୁଥିଲା, ତାକୁ ଅଧିକାର କରିବାର ଇଚ୍ଛାରେ ତାର ଅନ୍ୟାନ୍ୟ ସମସ୍ତ ଚିନ୍ତା ବୁଡ଼ିଗଲା-

 

ଆଉ ମର୍ସିୟା ସମ୍ମୋହିତ ପରି ଏହି ଆକ୍ରମଣର ଉଦ୍ଯୋଗ ଭୀତଚକିତ ନେତ୍ରରେ ଦେଖୁଥିଲା, ହୁଏ ତ ଭାବୁଥିଲା, ଏ କଣ ସେହି ଲୋକ, ଯେ ଏହି କେଇ ଘଣ୍ଟା ଆଗରେ ଏପରି ଶାନ୍ତସୌମ୍ୟ ଦିଶୁଥିଲା, ତା ପ୍ରତି ଏପରି ସହାନୁଭୂତି ଦେଖାଉଥିଲା ! ସେ ଯେ ଏକାବେଳକେ ପରିବର୍ତ୍ତିତ, ମୁଖରେ ସେ ମନୁଷ୍ୟତ୍ୱ ସେ ମହତ୍ତ୍ୱର ଚିହ୍ନ ଆଉ ନାହିଁ । ନିଜର ଅବସ୍ଥା ଯେ ନିରାପଦ ନୁହେଁ, ତାହା ଜାଣିବାକୁ ଆଉ ତାର ବାକି ରହିଲା ନାହିଁ । ତଥାପି ମାର୍କସ୍‍ର ଏହି ଭାବାନ୍ତର ସକାଶେ ମର୍ସିୟାର ସମସ୍ତ ଆକ୍ଷେପ ଅଭିଯୋଗ ସତ୍ତ୍ୱେ ତାହାର ଚିତ୍ତ ମାର୍କସ୍ ପ୍ରତି କରୁଣାର୍ଦ୍ର ହୋଇ ରହିଲା । ମୁହୂର୍ତ୍ତକ ଉତ୍ତାରେ ମାର୍କସ୍‌ ଭଙ୍ଗାଗଳାରେ ଗର୍ଜନ କରି ଉଠିଲା ।

 

ମାୟାବିନୀ, ରାକ୍ଷସୀ–ତୋତେ ଏଠୁଁ ଯିବାକୁ ଦେବି ! ପାଷାଣି, ତୋତେ ଯିବାକୁ ଦେବି ଯେପରି ତୁ ଦୂର ଆକାଶର ଶୁଭ୍ର ଶୀତଳ ତାରା ପରି କେବଳ ମୋ ଆଖି ଆଗରେ ଝୁଲୁଥିବୁ ! ଓଃ, ତୋର ଏହି ସତୀତ୍ୱ ଯେଡ଼େ ତୁଷାରଶୀତଳ ହେଉ, ତାକୁ ନିବିଡ଼ ଆଲିଙ୍ଗନରେ ଟାଣି ଆଣି ଏହି ହୃଦୟରେ ବାସନାର ଯେଉଁ ତୁଷାନଳ ଜଳୁଛି, ତାହାର ପରିଚୟ ଦେବି । ବାସନା ମୁଁ ଜାଣି ନ ଥିଲି, ଯେତେଦିନନ ପର୍ଯ୍ୟନ୍ତ ତୋତେ ଜାଣି ନଥିଲି ! ତୋର ସ୍ପର୍ଶ ବିଷମୟ ହେଲେ ସୁଦ୍ଧା ତୋତେ ମୁଁ ଅଧିକାର କରିବି, ତୋର ଅଧରକୋଣରେ ମୃତ୍ୟୁ ଲୁକ୍କାୟିତ ଥିଲେ ସୁଦ୍ଧା ତୋର ଅଧରରୁ ଚୁମ୍ବନ ମଦିରା ଆଜି ଆକଣ୍ଠ ପାନ କରିବି ! ତୁ ଯେ ମୋ ପାଇଁ ଗଢ଼ା ହୋଇଛୁ–ତୁ ମୋର–ତୁ ମୋର !’’ ମାର୍କସ୍ ଭୀମ ବେଗରେ ଦଉଡ଼ିଗଲା, ଆଲିଙ୍ଗନର ନାଗପାଶରେ ମର୍ସିୟାକୁ ବେଷ୍ଟନ କଲା । ମାର୍କସ୍‌ ସହିତ ଏହି ଅସମାନ ସଂଗ୍ରାମରେ ମର୍ସିୟାର ଶ୍ୱାସରୋଧ ହେବାକୁ ଲାଗିଲା, କିନ୍ତୁ ତଥାପି ସେ ଯୁଦ୍ଧ କରିବାକୁ ବିରତ ହେଲା ନାହିଁ । କହିଲା, ‘‘ତୁମର କଣ ଟିକିଏ ଲଜ୍ଜା ନାହିଁ । ତୁମେ ମନୁଷ୍ୟ ନା ପଶୁ !’’ ଉତ୍ତରରେ ଶୁଣିଲା, ‘‘ଉଭୟ, ମୁଁ ପଶୁ ଏବଂ ମନୁଷ୍ୟ । ମୋ ମଧ୍ୟରେ ପଶୁତ୍ୱକୁ ପ୍ରବୁଦ୍ଧ କରିଛି ତୋର ଏହି କ୍ରୂର ଅବହେଳା, ମନୁଷ୍ୟତ୍ୱକୁ ପ୍ରଲୁବ୍‌ଧ କରିଛି ତୋର ଏହି ଆଲୋକସାମାନ୍ୟ ରୂପ ।’

 

ମର୍ସିୟା ଏତିକିବେଳେ କୌଣସିକ୍ରମେ ତା କବଳରୁ ଖସିଗଲା; ମାର୍କସ୍‌ ଦୁଆରମୁହଁ କତିକି ଦଉଡିଯାଇ ଚାକରବାକରଙ୍କୁ ଅଧୀର ଭାବରେ ଡାକିବାକୁ ଲାଗିଲା, କହିଲା, “ଚଞ୍ଚଳ କର, ଦୀପ ସବୁ ଲିଭାଇ ଦିଅ, କବାଟ ଖିଡ଼ିକି ବନ୍ଦ କରି ଦିଅ, ମୋ ବିନା ଅନୁମତିରେ ସ୍ତ୍ରୀ ବା ପୁରୁଷ କାହାରିକି ଏ ଘର ଭିତରକୁ ଆସିବାକୁ ଦିଅ ନାହିଁ ! କହିବା ମାତ୍ରକେ ଆଜ୍ଞା ପ୍ରତିପାଳିତ ହେଲା । ମର୍ସିୟା ବ୍ୟାକୁଳ ହୋଇ ଚାକରବାକୁରଙ୍କୁ ଡାକି କହିବାକୁ ଲାଗିଲା, ‘‘ଦୟା କର, ମୋତେ ଏଠି ଏକୁଟିଆ ଛାଡ଼ି ଯାଅ ନା, ତୁମ୍ଭମାନଙ୍କର ତ ମା ଭଉଣୀ ଅଛନ୍ତି ।’’ କିନ୍ତୁ ତାର କାତର ପ୍ରାର୍ଥନା ଶେଷ ନ ହେଉଣୁ ବତୀ ସବୁ ନିଭି ଗଲା ଏବଂ ବାହାର ଦରଜାର ଅର୍ଗଳ ବନ୍ଦ ହେବାର ଶବ୍ଦ ଶୁଣି ସେ ବୁଝିଲା, ସେ ଏ ଘରେ ଏକୁଟିଆ–ତାର ସର୍ବନାଶ କରିବାକୁ ଉଦ୍ୟତ ଏହି କାମାନ୍ଧ କ୍ଷିପ୍ତ ନିକଟରେ ସେ ଏକୁଟିଆ ।

 

ମର୍ସିୟାର ଆଖି ଯେତେବେଳେ ଗୃହର ଅନ୍ଧକାରରେ ଅଭ୍ୟସ୍ତ ହେଲା; ସେ ଦେଖିଲା, ମାର୍କସ ଦୁଆର ମୁହଁରେ ଛିଡ଼ା ହୋଇଛି । ବିପରୀତ ଦିଗରେ ଥିବା ଖିଡ଼ିକି ଖୋଲା ଥିବ ଭାବି ସେ ବ୍ୟାକୁଳ ଭାବରେ ଦଉଡ଼ିଲା, ମନେ ମନେ ସ୍ଥିର କରିଥିଲା, ଗୋଡ଼ ହାତ ଭାଙ୍ଗୁ ଅବା ଜୀବନ ଯାଉ, ସେ ଖିଡ଼ିକିରୁ ଡେଇଁ ପଡ଼ିବ । ମାର୍କସ୍‌ ମର୍ସିୟାକୁ ଦଉଡ଼ିବାର ଦେଖି ଶୀଘ୍ର ଆସି ତା କତିରେ ଉପସ୍ଥିତ ହୋଇ କହିଲା, ‘‘ପ୍ରେୟସି, ପଳାୟନର ପଥ ଅବରୁଦ୍ଧ, ଅତଏବ ସେ ଚେଷ୍ଟା ବୃଥା, ଆଜି ତୁମର ଦେହ ଆତ୍ମା ସମସ୍ତ ମୋର ।’’

 

ସାହସୀ ବାଳିକାର ପ୍ରଭୁଙ୍କ ଉପରେ ଅଚଳା ବିଶ୍ୱାସ, ସେ କହିଲା, ‘‘ନା, ତୁମେ ମୋର ଆତ୍ମାକୁ କଳଙ୍କିତ କରି ପାରିବ ନାହିଁ । ଏ ଆତ୍ମା ଯାହାଙ୍କର ଦାନ, ସେ ଏହାର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ, ମୁଁ ତାଙ୍କ ଚରଣ ତଳେ ମୋର ଏ ଆତ୍ମା ସମର୍ପଣ କରିଛି ।’’

 

ମାର୍କସ୍ ତାର କଥା ଶୁଣିଗଲା କିନ୍ତୁ ଅର୍ଥଭେଦ କରିବାକୁ ଚେଷ୍ଟା କଲା ନାହିଁ । ସେତେବେଳକୁ ମର୍ସିୟା ତାର ବାହୁବନ୍ଧ ଭିତରେ । ମାର୍କସ୍ କେବଳ ଅଧୀର ଭାବରେ ଏକରକମ ଚିତ୍କାର କରି କହିଲା, ‘‘ନା, ନା, ମୁଁ ତୁମର ସର୍ବସ୍ୱ ଅଧିକାର କରିବି, କେବଳ ତୁମର ଶରୀର ନୁହେଁ, ତୁମର ମନ ପ୍ରାଣ ଆତ୍ମା ସମସ୍ତ ମୋର ହେବ । ମର୍ସିୟା ମୁଁ ତୁମର ପ୍ରେମର ଭିକାରୀ; ମୋତେ ସେହି ଭିକ୍ଷା ଦିଅ, ଆଉ ଦେଖିବ, ଯେଉଁ ପୂଜା କୌଣସି ନାରୀ ଏଯାବତ୍‌ ପାଇ ନାହିଁ, ମୁଁ ସେହି ପୂଜା ତୁମ ଚରଣ ତଳେ ଅର୍ପଣ କରିବି । ମୁଁ ତୁମର ଚରଣ ଧରି ନିବେଦନ କରୁଛି ।’’ ଏହା କହି ମାର୍କସ୍‌ ମର୍ସିୟାର ଚରଣ ତଳେ ଲୁଣ୍ଠିତ ହେଲା ଏବଂ ତାର ପାଦବିଲମ୍ବୀ ବସନାଞ୍ଚଳ ଚୁମ୍ବନ କରୁ କରୁ କହିଲା, ‘‘ମର୍ସିୟା, ମୋର ଏହି ପ୍ରେମଭିକ୍ଷା ଉପେକ୍ଷା କର ନାହିଁ । ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାରରେ ତୁମକୁ ପୋତି ପକାଇବି, ହୀରା ନୀଳା ମଣିମାଣିକ୍ୟ ଭୂଷଣରେ ତୁମକୁ ଭରି ଦେବି- ପ୍ରତିଦାନରେ କେବଳ ମୁଁ ତୁମର ପ୍ରେମ ଚାହେଁ ! ତୁମକୁ ଧନ ସମ୍ପଦ, ଶକ୍ତି ସାମର୍ଥ୍ୟ, ସାମ୍ରାଜ୍ୟ ପର୍ଯ୍ୟନ୍ତ ଦେବି–ଯଦି କେବଳ ତୁମେ ମୋତେ ତୁମର ପ୍ରେମ ଦିଅ ।’’

 

ଅର୍ଦ୍ଧ ମୂର୍ଚ୍ଛିତା ବାଳିକା କେବଳ ବିହ୍ୱଳ ହୋଇ କହିବାକୁ ଲାଗିଲା; “ଦୟା କର, ଦୟା କର ।’’

 

‘‘ତୁମେ ମୋତେ ଦୟା କର । ମର୍ସିୟା, ମୋର ପ୍ରେମର ଗଭୀରତା କଣ ଦେଖୁଁ ନାହଁ ? ମୋ ପ୍ରତି, ମୋର ସେହି ପ୍ରେମ ପ୍ରତି ଦୟା କର ।”

 

ଦେହରେ ଆଉ ଜୋର ନାହିଁ; ତଥାପି ଯେ ଟିକକ ଜୋର ଥିଲା, ତାକୁ ସଂଗ୍ରହ କରି କୌଣସିମତେ ଆପଣାକୁ ମାର୍କସ୍‌ର ଆଲିଙ୍ଗନରୁ ମୁକ୍ତ କରି କବାଟ ପାଖକୁ ଦୌଡ଼ିଲା । କିନ୍ତୁ କଣ ହେବ ? କବାଟ ଯେ ବନ୍ଦ, ପିତ୍ତଳର କବାଟରେ ହାତ କଚାଡି କଚାଡି ବାଳିକାର ସୁକୋମଳ ହାତ ଦିଓଟି କେବଳ କ୍ଷତବିକ୍ଷତ ହେଲା, ତାର ଅଧୀର ଆବେଗ କେହି ଦେଖିଲେ ନାହିଁ, କି ତାର କାତର କ୍ରନ୍ଦନ କେହି ଶୁଣିଲେ ନାହିଁ । ମାର୍କସ୍‌ ଆସି ତାକୁ ପୁନର୍ବାର ନିଜର ଆଲିଙ୍ଗନପାଶରେ ସଂଗ୍ରହ କରି ନେଲା । ଆତ୍ମସଂରକ୍ଷଣରେ ବିବ୍ରତା ବାଳିକା ଆକ୍ରମଣର ଉତ୍ପୀଡ଼ନରେ ଆର୍ତ୍ତନାଦ କରି ଉଠିଲା, ରୁଦ୍ଧଶ୍ୱାସରେ କହିଲା, ‘‘ତୁମେ ମଣିଷ ନା ଭୂତ ?’’

 

ଉତ୍ତେଜନାର ଆଧିକ୍ୟରେ ମାର୍କସ୍‌ର କଣ୍ଠରୁ ସ୍ୱର ବହାରିଲା ନାହିଁ; କିନ୍ତୁ କାମାତୁର ଅଧୀର ଚୁମ୍ବନରେ ବାଳିକାକୁ ବିବ୍ରତ କରି ସଁ ସଁ ହୋଇ କହିଲା, ‘‘ମୁଁ ମଣିଷ ହୁଏଁ, ଅବା ଭୂତ ହୁଏଁ, ନରକର ଶୟତାନ ହେଲେ ମଧ୍ୟ ତୁମକୁ ମୋତେ ପ୍ରେମ କରିବାକୁ ହେବ ।’’

 

ଘରର ଅନ୍ଧକାର ସେତେବେଳକୁ ବାଳିକାର ଆଖି ଆଗରେ ଚକ ପରି ଘୂରୁଛି, ଦେହର ବଳ ହଟି ଆସୁଛି, କଣ୍ଠସ୍ୱରରେ ଆଉ ସେ ତୀକ୍ଷ୍‌ଣତା ନାହିଁ; ପାଦତଳୁ ପୃଥିବୀ ଯେପରି ଘୁଞ୍ଚି ଯାଉଛି, ଘରର ମାର୍ବଲମଣ୍ଡିତ ଚଟାଣ ବାତ୍ୟାବିକ୍ଷୁବ୍‌ଧ ସମୁଦ୍ର ପରି ତରଙ୍ଗାୟିତ, ଘୂର୍ଣ୍ଣାୟମାନ ଅନ୍ଧକାର ଯେପରି ଆହୁରି ପୁଞ୍ଜିଭୂତ, ଆହୁରି ଗାଢ଼ ହୋଇ ଆସୁଛି.....ତା ପରେ ? ତେବେ କଣ ଆଶ୍ରିତର ଉଦ୍ଧାର ସକାଶେ ଏ ପାପ ପୃଥିବୀରେ ସତ ସତ ଦୈବଘଟନା ଘଟେ ? ମର୍ସିୟା ଦେଖିଲା, ଘରର ଅନ୍ଧକାର ଭେଦ କରି ତା ନିକଟ ସ୍ନିଗ୍‌ଧ ଶୀତଳ ଆଲୋକର ଗୋଟିଏ କ୍ଷୀଣ ଧାରା ଅଗ୍ରସର ହେଉଛି, ପରମୁହୂର୍ତ୍ତରେ ଆଲୋକରେଖା ତା ଆଖି ଆଗରୁ ନିଭି ଗଲା, କିନ୍ତୁ ଠିକ ସେହି ସମୟରେ ବନ୍ଦିଶାଳାରୁ ଖ୍ରୀଷ୍ଟିୟାନ ବନ୍ଦିମାନଙ୍କର କରୁଣ ଗାନ ତା ନିକଟକୁ ଭାସି ଆସିଲା ।

 

‘‘ତ୍ରାଣକାରି, ଭବାବ୍‌ଧି ତରି, ଯୀଶୁ କର ପାରି ହେ ।

 

ଲୟର ନିକଟେ ଡାକୁଛି ଉତ୍କଟେ,

 

ନ ତ୍ୟଜ ସଙ୍କଟେ ଲଗାଅ ହେ ତଟେ;

 

ମୋ ଆରତ ବାଣୀ ଦୟା ଚିତ୍ତେ ଶୁଣି

 

ଉଦ୍ଧରି ନିଅ ସେପାରି ହେ ।’’

 

ଯେପରି କୌଣସି ଆଲୌକିକ ଶକ୍ତିସ୍ରୋତ ମର୍ସିୟାର ସମସ୍ତ ଶରୀରରେ ପ୍ରବାହିତ ହେବାକୁ ଲାଗିଲା । ମର୍ସିୟା ବିଦ୍ୟୁଦ୍‌ବେଗରେ ବୁଲି ପଡ଼ିଲା; ସେ ଅପ୍ରତିହିତ ବେଗ ସମ୍ଭାଳି ନ ପାରି ମାର୍କସ୍‌ ଅସହାୟ ଶିଶୁ ପରି ମର୍ସିୟାର ପାଦତଳେ ଖସି ପଡ଼ିଲା । ମର୍ସିୟା ତାର ବକ୍ଷରେ ଲୁକ୍‌କାୟିତ କାଷ୍ଠନିର୍ମିତ କ୍ଷୁଦ୍ର କ୍ରୂଶ, ତାହାର ଧର୍ମବିଶ୍ୱାସର ସେହି ଚିହ୍ନକୁ ଯଥାସମ୍ଭବ ଉପରକୁ ଉଠାଇ ଆନନ୍ଦରେ ବିହ୍ୱଳ ହୋଇ ଚିତ୍କାର କରି କହିଲା, ‘‘ମୁଁ ଚିହ୍ନି ପାରିଛି, ମୁଁ ସଙ୍କେତ ପାଇଛି ! ପ୍ରଭୁଙ୍କର ସଙ୍କେତ ମୁଁ ପାଇଛି ! ତୁମେ ଆଉ ମୋର ଅନିଷ୍ଟ କରି ପାରିବ ନାହିଁ ।’’

 

ମାର୍କସ୍ ଉଠି କମ୍ପିତ ପଦରେ ପଛକୁ ହଟିଗଲା; ପ୍ରଥମରେ କେବଳ ବିସ୍ମୟ ବିସ୍ଫାରିତ ଚକ୍ଷୁରେ ମର୍ସିୟାକୁ ଚାହିଁଲା । କାମ, କ୍ରୋଧ, ଲୋଭ, ମୋହ ଧୀରେ ଧୀରେ ମନରୁ ଅପସରି ଗଲା-। ସଂଯତ ଏବଂ ପ୍ରକୃତିସ୍ଥ ହୋଇ ଦେଖିଲା, ଏ କେବଳ ମର ପୃଥିବୀର ମାନବୀ ନୁହେଁ, ଏ ମହିମାମୟୀ ମୂର୍ତ୍ତି ସ୍ୱର୍ଗର ଦେବକନ୍ୟା; ଏପରି ପୁଣ୍ୟବତୀ ନାରୀ ସଂସାରକୁ ଅସେ ପୂଜା ପାଇବାକୁ, କଳଙ୍କିତ ହେବାକୁ ନୁହେଁ । ମାର୍କସ୍‍ର ଆଖିରୁ ପାପବାସନାର ଅନ୍ଧପୁଟୁଳି ଖସି ପଡ଼ିଲା-। ସେ ଦେଖିଲା, ସତୀତ୍ୱର ମହିମା କେବଳ କବିକଳ୍ପନା ନୁହେଁ, ଚରିତ୍ରର ପବିତ୍ରତା କେବଳ ମନର ଗୋଟାଏ ସଂସ୍କାର ନୁହେଁ, ଧର୍ମବିଶ୍ୱାସ କୌଣସି ପ୍ରକାର ଛଳନା ନୁହେଁ । ସେ ଯେତେବେଳେ ଦୁଇ ହାତରେ ମୁହଁ ଢାଙ୍କି ଆଣ୍ଠୁଭାଙ୍ଗି ମୁହଁମାଡ଼ି ହୋଇ ପଡ଼ିଲା, ସେତିକିବେଳେ ବାହାରୁ କବାଟରେ ଘନ ଘନ କରାଘାତ ହେଲା ଏବଂ ଟିଗେଲିନସ୍‌ର କର୍କଶ କଣ୍ଠରେ ଶବ୍ଦ ହେଲା–‘‘ସିଜରଙ୍କର ଆଦେଶ, ଦ୍ୱାର ଫିଟାଅ, ଶୀଘ୍ର ଦ୍ୱାର ଫିଟାଅ ।''

 

ଅର୍ଗଳ ସବୁ ଅପସୃତ ହେଲା । ଟିଗେଲିନସ୍ ରକ୍ଷୀଦଳପରିବେଷ୍ଟିତ ହୋଇ ମଶାଲଧାରୀ କ୍ରୀତଦାସମାନଙ୍କ ସହିତ ସଦମ୍ଭରେ ଘର ଭିତରେ ପ୍ରବେଶ କଲା । ସମ୍ରାଟଙ୍କର ଅଙ୍ଗୁରୀୟର ମୁଦ୍ରାଙ୍କଚିହ୍ନିତ ଆଦେଶପତ୍ର ମାର୍କସ୍‍କୁ ଦେଖାଇ ଟିଗେଲିନସ୍ ମନରେ କହିଲା, ‘‘ପ୍ରିଫେକ୍‍ଟ ସମ୍ରାଟଙ୍କର ଆଦେଶ ଅନୁସାରେ ଏହି ଖ୍ରୀଷ୍ଟିୟାନ ବାଳିକା ମର୍ସିୟାକୁ ତୁମ ନିକଟରୁ ନେବାକୁ ମୁଁ ଆସିଛି । ଏହି ଆଦେଶପତ୍ର ଦେଖ ଏବଂ ସମ୍ରାଟଙ୍କର ଅଙ୍ଗୁରୀୟର ମୁଦ୍ରାଙ୍କ ଦେଖ ।”

 

ସେହି ରାତ୍ରି ନିମିତ୍ତ ମର୍ସିୟା ବିପଦର ହସ୍ତରୁ ମୁକ୍ତି ପାଇଲା ।

Image

 

ନୈବେଦ୍ୟ

ସପ୍ତଦଶ ପରିଚ୍ଛେଦ

ମର୍ସିୟାର ଦଣ୍ଡ

 

ନୀରୋର ଆଦେଶ ସମ୍ମୁଖରେ ମାର୍କସ୍ ହୀନବଳ । ଭବିଷ୍ୟତ୍‍ର ଫଳାଫଳ ନ ଭାବି ସେ ଟିଗେଲିନସ୍‍କୁ ଆକ୍ରମଣ କରିଥାନ୍ତା, କିନ୍ତୁ ସେ ନିରସ୍ତ୍ର ଅଳ୍ପ ସମୟ ହେଲା ଭୋଜନଶାଳାରୁ ଉଠି ଆସିଛି; ଆଉ ସୁସଜ୍ଜିତ ସୈନ୍ୟଦଳ ତରବାରୀ ନିଷ୍କୋଷିତ କରି ମର୍ସିୟା ଏବଂ ତା ମଧ୍ୟରେ ଦୁର୍ଭେଦ୍ୟ ପ୍ରାଚୀର ପରି ଦଣ୍ଡାୟମାନ; ତା ଉପରେ ପୁଣି ଦେଖାଯାଉଛି ମର୍ସିୟା ଯେପରି ଏହି କରାଳ ମୁର୍ତ୍ତି ସୈନିକଙ୍କୁ ଭଗବାନଙ୍କ ପ୍ରେରିତ ଉଦ୍ଧାରର ଉପାୟ ସ୍ୱରୂପ ଗ୍ରହଣ କରିଛି ।

 

ରୂଦ୍ଧବୀର୍ଯ୍ୟ ସର୍ପ ପରି ନିଜର ନିସ୍ଫଳ ଆକ୍ରୋଶରେ ନିଜେ କେବଳ ଦହିହେଲା; ଜାଣିଲା, ଟିଗେଲିନସ୍‍ର ଦିନକାଳ ଆସିଛି । ଟିଗେଲିନସ୍‍ର ଦିନକାଳ ଆସିଛି । ଟିଗେଲିନସ୍‍ ଚତୁରତାର ସହିତ ଖେଳ ଖେଳୁଛି ଏବଂ ଜିତିଛି । ମର୍ସିୟା ବିରୁଦ୍ଧରେ ସଜ୍ଜିତ ଶକ୍ତି ଏବଂ ଚତୁରତା ସହିତ ଖେଳ ଖେଳିଛି ଏବଂ ଜିତିଛି । ମର୍ସିୟା ବିରୁଦ୍ଧରେ ସଜ୍ଜିତ ଶକ୍ତି ଏବଂ ଚତୁରତା ଅପ୍ରତିରୋଧ-। ଏକ ଆଡ଼େ ପ୍ରତିହିଂସାପରାୟଣ ଦୁଇଜଣ ଚତୁର ସ୍ତ୍ରୀଲୋକଙ୍କର ସୂକ୍ଷ୍ମବୁଦ୍ଧି କୌଶଳ ରୋମର ସର୍ବଶ୍ରେଷ୍ଠ କର୍ତ୍ତୃପକ୍ଷ କର୍ତ୍ତୃକ ସମର୍ଥିତ, ଅନ୍ୟ ଦିଗରେ ସଂସାରଜ୍ଞାନ-ଅନଭିଜ୍ଞ ସରଳା ବାଳିକାର ଆମାୟିକତା ଏବଂ ତାଙ୍କୁ ରକ୍ଷା କରିବା ନିମନ୍ତେ ମାର୍କସ୍‍ର ସାହସ ଏବଂ ବ୍ୟର୍ଥବ୍ୟାକୁଳତା । ରକ୍ଷୀଦଳ ଯେତେବେଳେ ମର୍ସିୟାକୁ ସେଠୁ ନେଇଯାଉଥିଲେ ତାକୁ କେବଳ ପଦେ କଥା । କହି ଯିବାକୁ ମାର୍କସ୍ ଅନେକ ଅନୁନୟ ବିନୟ କଲା । ମର୍ସିୟା ମୁହୂର୍ତ୍ତକ ସକାଶେ ଫେରି ଛିଡ଼ା ହେଲା ଏବଂ ମାର୍କସ୍ ଆଡ଼କୁ ଅନାଇ ପଚାରିଲା–

 

“ମୋତେ କଣ କହିବାକୁ କହୁଛ ?’’

 

ବାଷ୍ପାବିରୁଦ୍ଧ କଣ୍ଠରେ ମାର୍କସ୍ କହିଲା, “ମୋତେ ଯେ କ୍ଷମା କରିଛି, ସେହି କଥା କହିଯାଅ ।” ମର୍ସିୟା ସ୍ନେହକାତର ଆଖି ଦିଓଟି ତୋଳି କହିଲା, ତାଙ୍କୁ କ୍ଷମା ମାଗ । ତୁମେ ତାଙ୍କର ଅବମାନନା କରିଛ । ସେ ତୁମକୁ କ୍ଷମା ଦେବେ ।’’

 

ମାର୍କସ୍ କହିଲା, ‘‘ଭୟ କର ନା, ତୁମର ଉଦ୍ଧାର ମୁଁ ସାଧନ କରିବି ।’’

 

‘‘କେଉଁଥିରୁ ଉଦ୍ଧାର କରିବ ? ମୁଁ କାହାକୁ ଭୟ କରିବି ?”

 

‘‘ମୃତ୍ୟୁ ।’’

 

‘‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ, ମୃତ୍ୟୁ ଯେତେବେଳେ ପାପରୁ ରକ୍ଷା ପାଇବାକୁ ମୋତେ ସାହାଯ୍ୟ କରେ, ମୋର ଆଉ କିଛି କହିବାକୁ ନାହିଁ ।

 

ଏହା କହି ମର୍ସିୟା ଟିଗେଲିନସ୍‍ ଆଡ଼କୁ ଅନାଇ କହିଲା, “ମହାଶୟ, ମୋତ ବର୍ତ୍ତମାନ ଏଠୁଁ ସ୍ୱଚ୍ଛନ୍ଦରେ ନେଇପାର ।’’

 

ରକ୍ଷୀଦଳକୁ ଆଗକୁ ବଢ଼ିବାକୁ ସଂକେତ ଦେଇ ଟିଗେଲିନସ୍‍ ବିନାବାକ୍ୟବ୍ୟୟରେ ସେ ସ୍ଥାନ ପରିତ୍ୟାଗ କଲା, କେବଳ ଗଲାବେଳକୁ ବିଜୟୀ ପରି ସଦର୍ପରେ ଥରେ ମାର୍କସ୍ ଆଡ଼କୁ ଅନାଇ ଚାଲିଗଲା, ମାର୍କସକୁ ଚିନ୍ତାଭାବନାର ଭୀଷଣ ଆବର୍ତ୍ତ ମଧ୍ୟରେ ଏକୁଟିଆ ରଖିଗଲା ।

 

ଟିଗେଲିନସ୍‍ ସହିତ ବିବାଦ ଏତେଦୂର ବଢ଼ିଯିବା ପୂର୍ବରୁ ମର୍ସିୟାର ଦଣ୍ଡମୁକ୍ତି ସକାଶେ ନୀରୋ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଅବହେଳା କରିଥିବାରୁ ସେ ଆପଣାକୁ ବାରମ୍ବାର ଦୋଷୀ କଲା । ନୀରୋର ବିଶେଷ ଆଦେଶ ଅନୁସାରେ ମର୍ସିୟାକୁ ଦ୍ୱିତୀୟଥର ବନ୍ଦୀ କରାଗଲା, ସେଥିରୁ ସେ ସ୍ପଷ୍ଟ ବୁଝିଲା, ଯଦି ବା ନୀରୋ ନିକଟରେ ସେ ଅପମାନିତ ନ ହେବ, ତଥାପି ଅନ୍ତତଃ ଅଳ୍ପ ସମୟ ସକେଶେ ନୀରୋ ତାକୁ ପୂର୍ବପରି ସୁନଜରରେ ଦେଖିବ ନାହିଁ । ଖ୍ରୀଷ୍ଟିୟାନମାନଙ୍କର ବିଚାର କରିବାକୁ ତାକୁ ପୂର୍ଣ୍ଣ କ୍ଷମତା ଦିଆ ହୋଇଥିଲା । କର୍ତ୍ତବ୍ୟ ସମ୍ପାଦନରେ ଯେ ତ୍ରୁଟି କରା ହୋଇଛି, ସେ ସମ୍ବନ୍ଧରେ କୌଣସି ପ୍ରକାର ଆଭାସ ନ ଦେଇ ଅବା ସତର୍କ କରି ନ ଦେଇ ନୀରୋ ନିଜର ବିଶେଷ ଆଦେଶ ଜାହିର କରି ତାର କ୍ଷମତା ଉପରେ ହଠାତ୍ ହସ୍ତକ୍ଷେପ କରି ବସିଲା । ଏଥିରୁ ସେ ବୁଝିଲା, ଅବସ୍ଥା ସୁବିଧାଜନକ ନୁହେଁ ।

 

କାହିଁକି ଯେ ଏ ସବୁ ଘଟିଛି, ତାର କାରଣ ଅନୁସନ୍ଧାନ କରିବାକୁ ତାକୁ ବେଶି ସମୟ ଲାଗିବ ନାହିଁ । ବୁଝିଲା, ବେରେନିସ୍ ଯେ ଭୟ ଦେଖାଇଥିଲା, ତାହାହିଁ କାର୍ଯ୍ୟରେ ପରିଣତ କରିଛି, ନୀରୋ ନିକଟକୁ ଯାଇ ସରୁ କହିଛି, ମର୍ସିୟାର ଦ୍ୱିତୀୟଥର ବନ୍ଦୀ ହେବା ତାରି ଫଳ । ବୁଝିଲା, ନୀରୋର ସହାୟତା ବିନା ମର୍ସିୟାକୁ ରକ୍ଷା କରିବାର ଉପାୟ ତ ନାହିଁ, ତା ସହିତ ଆଉ ଥରେ ଦେଖା ସାକ୍ଷାତ କରିବାର ସୁବିଧା ମିଳିବା ମଧ୍ୟ ଦୁଷ୍କର । କିନ୍ତୁ ନୀରୋର ସାହାଯ୍ୟ ପାଇବା କଣ ସମ୍ଭବ ? ନୀରୋ ଯେ ଚଞ୍ଚଳମତି, ସଦା ପରିବର୍ତ୍ତଶୀଳ, ତାର ମତିଗତିରେ ସ୍ଥିରତା ନାହିଁ; ତା ଉପରେ ପୁଣି ନୀରୋ ପଛରେ କଳ ମୋଡ଼ିଛି ପୋପିୟା । କେହି ତାକୁ କିଛି ନ କହିଲେ ସୁଦ୍ଧା ମାର୍କସ୍‌ ତାର ଅନ୍ତର୍ଦୃଷ୍ଟିରେ ସ୍ପଷ୍ଟ ଦେଖି ପାରିଲା, ପୋପିୟା ଆଉ ବେରେନିସ୍ ଏହି ଆକ୍ରମଣର ଉଦ୍‌ଯୋକ୍ତା । ବୁଝିଲା, ସେ ନିତାନ୍ତ ନିରୂପାୟ, ବୁଝିଲା, ରାଜଦରବାର ତା ବିରୁଦ୍ଧରେ, କାରଣ ଜାଣିଥିଲା ନୀରୋ, ପୋପିୟା ଏବଂ ଟିଗେଲିନସ୍‌କୁ ନେଇ ରୋମ୍‌ର ବର୍ତ୍ତମାନ ରାଜଦରବାର । ଅନ୍ୟାନ୍ୟ ସବୁ ଅମାତ୍ୟ ଅଭିଜାତବର୍ଗ ଥିଲା ନ ଥିଲା ପରି, ଏହି ତିନି ଶକ୍ତିଶାଳୀ ବ୍ୟକ୍ତିଙ୍କର ପ୍ରଭାବରେ ଇତସ୍ତତଃ ଚାଳିତ । ଟିଗେଲିନସ୍ ଆବେଦନ କରିବା ସମୟ ଓ ଶକ୍ତିର ବୃଥା ଅପବ୍ୟୟ; ବେରେନିସ୍‌ ଏବଂ ପୋପିୟାର ସାହାଯ୍ୟ ପ୍ରାର୍ଥନା କରି ମର୍ସିୟାକୁ ଉଦ୍ଧାର କରିବାର ଆଶା ତହୁଁ ଅଧିକ ସୁଦୂରପରାହତ । ବାକି କେବଳ ସମ୍ରାଟ । ସମ୍ରାଟଙ୍କ ନିକଟରେ ସଫଳକାମ ହେବାର କେଉଁ ଆଶା ? ଆଶା ନାହିଁ କହିଲେ ହୁଏ । ବିପଦ ସମୂହ ଏବଂ ଅନତିକ୍ରମଣୀୟ । ତଥାପି ସେ ଚେଷ୍ଟା କରିବ-ନିଶ୍ଚୟ କରିବ । ମର୍ସିୟା ନିର୍ବିଘ୍ନରେ ନିଶ୍ଚିତ ମୃତ୍ୟୁ ଆଡ଼କୁ ଅଗ୍ରସର ହେବ, ଆଉ ସେ ତାକୁ ଉଦ୍ଧାର କରିବାକୁ ବିଶେଷ ଚେଷ୍ଟା କରିବ ନାହିଁ, ତାହା ହେବ ନାହିଁ । ସ୍ଥିର କଲା, ତହିଁ ଆରଦିନ ପ୍ରଥମ ସୁଯୋଗରେ ସିଜର ସହିତ ଦେଖା କରିବ; ଏହି ସାକ୍ଷାତ ନ ହେବା ପର୍ଯ୍ୟନ୍ତ ସେ କିଛି କରି ପାରିବ ନାହିଁ । ଭାବିଲା, ନୀରୋ କଣ ସାକ୍ଷାତ କରିବାକୁ ଅନୁମତି ଦେବ-? ଅବଶ୍ୟ ଏତକ ନୀରୋ ଅସ୍ୱୀକାର କରି ପାରିବ ନାହିଁ । କିନ୍ତୁ ନୀରୋ !–ଏହି ଜୀର୍ଣ୍ଣଯଷ୍ଟି ଉପରେ ଅବା କେଉଁ ନିର୍ଭର ! ନୀରୋ ଇତସ୍ତତଃ କରିବ; ତଥାପି, ମର୍ସିୟାର ସପକ୍ଷରେ ଯେପରି କରିବ, ବିପକ୍ଷରେ ମଧ୍ୟ ସେହିପରି କରିପାରେ; ଯେ ଏତେଥର ନିଜର କଥା ଓଲଟାଇଛି, ଏଥର ମଧ୍ୟ ଓଲଟାଇ ପାରେ ।

 

ମାର୍କସ୍‌ ଏହିପରି ନିଜ ସହିତ ଅନେକକ୍ଷଣ ପର୍ଯ୍ୟନ୍ତ ଯୁକ୍ତିତର୍କ ଏବଂ ବାଦାନୁବାଦ କଲା; ଅବଶେଷରେ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡ଼ିଲାରୁ ନିତାନ୍ତ ଉଦାସୀନତାର ସହିତ କାଉଚ୍‌ ଉପରେ ଆପଣାକୁ କ୍ଳାନ୍ତ ଲମ୍ବାଇ ଦେଇ ଆପଣାକୁ ଲମ୍ବାଇ ଦେଇ ପ୍ରଭାତର ପ୍ରତୀକ୍ଷା କରିବାକୁ ଲାଗିଲା । ଚକ୍ଷୁରେ ନିଦ୍ରା ନାହିଁ; ଦେହ ମନ ଉତ୍ତେଜନାରେ ଶ୍ରାନ୍ତ, ମସ୍ତିଷ୍କ ଉଷ୍ଣ । ଥରକୁ ଥର କାଉଚ ଉପରେ ଅସ୍ଥିର ଭାବରେ ଗଡ଼େଇ ତଡ଼େଇ ହୁଏ, ପୁଣି ଉଠି ଅସ୍ଥିର ଭାବରେ ମାର୍ବଲର ମେଜିଆ ଉପରେ ବୁଲେ । ରାତି ଜଣାଗଲା ଯେପରି ଆଉ ଶେଷ ହେବନାହିଁ । କାନରେ ମର୍ସିୟାର ଶେଷ କଥା ବାଜୁଛି, ‘‘ତାଙ୍କୁ କ୍ଷମା ମାଗ ।’’ ‘‘ତାଙ୍କୁ ?’’ ସେ କିଏ ? ଏହି ନାଜରିତୀୟ ? ଏହି ଯୀଶୁ, ଯାହାଙ୍କ କଥା ମର୍ସିୟା ତାକୁ କହିଥିଲା ? ଏହି ହୀନ ବଂଶୋଭବ ସାକ୍ଷମର ? ସେ କଣ ଏହାଙ୍କୁ ନିକଟରେ ପ୍ରାର୍ଥନା କରିବ ? ଯଦି ବା କରେ, କଣ ହେବ ? ସେ କଣ ଶୁଣିବେ ? ସେ ଉତ୍ତର ଦେବେ ? ମର୍ସିୟା ଯେ ସେତେବେଳେ କରି ଉଠିଲା, ସେ କଣ ? ‘‘ଚିହ୍ନ ! ପ୍ରଭୁ କଥା କହିଛନ୍ତି ! ପ୍ରଭୁ ମୋ ପାଖରେ ! ତୁମେ ଆଉ ମୋର ଅନିଷ୍ଟ କରି ପାରିବି ନାହିଁ ।’’

 

ଓଃ, କି ଲଜ୍ଜା ! ଗୋଟାଏ ଅପରିଣତ ବୟସର ସରଳା ବାଳିକା ତାର ଦୟାର ଅଧୀନ, ଏକାକୀ ଏବଂ ଅସହାୟ, ଯାହାକୁ ପ୍ରକୃତ ମନୁଷ୍ୟତ୍ୱର ସମସ୍ତ ପବୃତ୍ତ ରକ୍ଷା କରିବାକୁ ପ୍ରରୋଚିତ କରିଥାନ୍ତା, ଯାହାକୁ ସେ ତାର ଅତିଥି ରୂପେ ଗ୍ରହଣ କରିଥିଲା, ତାକୁ ପୁଣି ନିଜର ସମ୍ମାନ ରକ୍ଷା କରିବା ସକାଶେ ବାଧ୍ୟ ହୋଇ ତାର ପାଶବିକ ପ୍ରବୃତ୍ତିର ପ୍ରତିରୋଧ କରିବାକୁ ହେଲା, ରକ୍ଷା ପାଇବା ନିମନ୍ତେ ବ୍ୟାକୁଳ ଭାବରେ ନିଜର ଈଶ୍ୱରଙ୍କ ନିକଟରେ ଆର୍ତ୍ତସ୍ୱରରେ ପ୍ରାର୍ଥନା କରିବାକୁ ହେଲା । ଏହି ଆତ୍ମାଗ୍ଳାନିର ଲଜ୍ଜାରେ ଯେପରି ତାର ମୁହଁ ପୋଡ଼ିଗଲା, ଅନୁତାପରେ ପ୍ରାଣ ଉତ୍ତ୍ୟକ୍ତ ହେଲା, ନିଜର ଏ ଅଧଃପତନ ଦେଖି ଭୟରେ ନିଜେ ସଙ୍କୁଚିତ ହେଲା ।

 

“କ୍ଷମା ନିମନ୍ତେ ତାଙ୍କ ନିକଟରେ ପ୍ରାର୍ଥନା କର ।’’ ସେହି ପ୍ରଭୁଙ୍କ ନିକଟରେ’’ କ୍ଷମା ! ହଁ, କ୍ଷମା ପାଇବା ଦରକାର; କାରଣ, ବୁଝିଲା ସେ ନିଜକୁ କେତେବେଳେ କ୍ଷମା କରି ପାରିବ ନାହିଁ-। ତାର ଭୂତପୂର୍ବ ବନ୍ଧୁମାନଙ୍କର ଲମ୍ପଟତାର ସେ ତୀବ୍ର ପ୍ରତିବାଦ କରିଥିଲା, ସେମାନଙ୍କୁ ନିଜ ଘରୁ ଅବଜ୍ଞାର ସହିତ ତଡ଼ି ଦେଇଥିଲା । କିନ୍ତୁ ସେମାନଙ୍କ ଅପେକ୍ଷା ସେ ନିଜେ କେଉଁ ଅଂଶରେ ଅଧିକ ଉତ୍ତମ ? ସେମାନଙ୍କର ବ୍ୟବସାୟ ପାପରେ–ଆଉ ସେ ଚାହିଁଥିଲା ଯାହା ପବିତ୍ର, ତାକୁ କଳୁଷିତ କରିବାକୁ । ବିଗତ ସମସ୍ତ ଦୃଶ୍ୟର ଜଘନ୍ୟତା ତାର ସ୍ମୃତିପଥାରୂଢ଼ ହେଲା–ମର୍ସିୟାର ପ୍ରତ୍ୟେକ ଆର୍ତ୍ତନାଦ, ତାର ଶଙ୍କିତ ପଦବିକ୍ଷେପ, ତାର ଭୟବିହ୍ୱଳ ଭାବ, ତାର ଆତଙ୍କ, ପୁଣି ଯେତେବଳେ ସେ ମାର୍କସ୍‌ ସହିତ ସେହି ପାଶବିକ ଦ୍ୱନ୍ଦଯୁଦ୍ଧରେ ଅଳ୍ପ ସମୟ ସକାଶେ ନିଯୁକ୍ତ ଥିଲା, ସେତେବେଳର ସେହି ସର୍ବାଙ୍ଗର ପ୍ରକମ୍ପ; ଆଉ ତାର ସୁକୁମାର ସୌନ୍ଦର୍ଯ୍ୟ ଏବଂ ବିଶେଷରେ ତାର ନିରୂପାୟ ଅବସ୍ଥାର ମିନତିପୂର୍ଣ୍ଣ ଆବେଦନ ବର୍ତ୍ତମାନ ନିଜର ପ୍ରଶାନ୍ତ ଚିତ୍ତ ନିକଟରେ ଏପରି ଅନିର୍ବାର୍ଯ୍ୟ ଏବଂ କରୁଣ ହୋଇ ଉଠିଲା ଯେ, ସେ ଆଉ ସମ୍ଭାଳି ନ ପାରି ଘରର ଚଟାଣ ଉପରେ ମୁହଁମାଡ଼ି ଲମ୍ବ ହୋଇ ପଡ଼ିଲା ଏବଂ ଲଜ୍ଜା ଓ ଅନୁଶୋଚନାରେ ଅଭିଭୂତ ହୋଇ ଅସ୍ପଷ୍ଟ ଆର୍ତ୍ତନାଦ କରିବାକୁ ଲାଗିଲା । କ୍ଷମା ପ୍ରାର୍ଥନା ! ହଁ ! ‘‘ହେ ନାଜରତୀୟ ! ଯୀଶୁ ! ପ୍ରଭୁ ! ତୁମେ ଯେ ତାର ଈଶ୍ୱର ! ମୋତେ କ୍ଷମା କର !’’
 

ମାର୍କସ୍ ତା ଜୀବନରେ ଆଜି ପ୍ରଥମେ ପ୍ରାର୍ଥନା କଲା, ପ୍ରାର୍ଥନା କଲା ତାଙ୍କ ନିକଟରେ, ଯେ କେତେବେଳେ ଅନୁତାପୀ ବା ଦୁଃଖୀର ଶୋକଭାରରେ ପୀଡ଼ିତ ପ୍ରାଣର କାତର କ୍ରନ୍ଦନ ଶୁଣିବାରେ କର୍ଣ୍ଣ ଅବରୁଦ୍ଧ କରନ୍ତି ନାହିଁ ।

 

ସକାଳର ଗୋଲାପୀ ଆଭା ଖିଡ଼ିକି ଭିତର ଦେଇ ଘରେ ପଶିଲା, ସ୍ପଷ୍ଟ କରି ଦେଲା ଭିତରେ ଦ୍ରବ୍ୟ ସମ୍ଭାର ଏବଂ ବିଶେଷରେ ଭୂମି ଉପରେ ମାର୍କସ୍‌ର ଲମ୍ବମାନ ମୂର୍ତ୍ତି । ଦୀର୍ଘ ବିନିଦ୍ର ରଜନୀ ତାକୁ ସୁସ୍ଥିର କରିଥିଲା, କିନ୍ତୁ ଶାନ୍ତି ଦେଇ ନ ଥିଲା । ଅନ୍ତତଃ କେଉଁ ପ୍ରଣାଳୀରେ କାର୍ଯ୍ୟ କରିବ, ତାହା ସ୍ଥିର କରିବାର ଅବସର ପାଇଥିଲା । ସ୍ଥିର କଲା, ପ୍ରଥମେ ବୁଝିବ ସିକରର ଆଦେଶ ଅନୁସାରେ ମର୍ସିୟା ଏବଂ ତାହାର ସଙ୍ଗିମାନେ ବିଚାରିତ ହେବେ, ନା ଏକାବେଳେ ଦଣ୍ଡ ପାଇବା ନିମନ୍ତେ ସମର୍ପିତ ହେବେ । ସେହି ଦିନ ମାର୍କସ୍‍ର କ୍ରୀଡ଼ା ନିମିତ୍ତ ନିର୍ଦ୍ଧାରିତ ଥିଲା । ଏହି ସାର୍କସ୍‌ରେ ଶତ ଶତ ଖ୍ରୀଷ୍ଟିୟାନ ନିର୍ଦ୍ଦୟ ଭାବରେ ନିହତ ହେବେ; ପୁରୁଷମାନଙ୍କୁ ଅଗ୍ନିରେ ଦଗ୍‌ଧ କରାଯିବ, ସେମାନଙ୍କ କ୍ରୂଶାର୍ପିତ ହେବେ, ହିଂସ୍ର ପଶୁମାନଙ୍କର ଭକ୍ଷ୍ୟ ହେବେ, ସ୍ତ୍ରୀଲୋକଙ୍କର ଦଣ୍ଡର ଭୟାବହତା ବର୍ଣ୍ଣନା ନ କରିବାହିଁ ଶ୍ରେୟ ।

 

ଆଉ ମର୍ସିୟା ! ମାର୍କସ୍‍ ପାଖରୁ ନିଷ୍କୃତି ପାଇଲା ଏହି ପ୍ରକାର ଭାଗ୍ୟର ସମ୍ମୁଖୀନ ହେବାକୁ । ସେ କଣ ତାକୁ ରକ୍ଷା କରି ପାରିବ ? ରକ୍ଷା ସେ ତାକୁ ନିଶ୍ଚୟ କରିବ ।

 

ସେ ଦିନ ସମୟର ଗତି ଯେପରି ଅତି ମନ୍ଥର, ସୂର୍ଯ୍ୟ ଉଠିଲା, ପୂର୍ଣ୍ଣ ଗୌରବରେ ରଶ୍ମିଜାଲ ବିସ୍ତାର କଲା ତାର ପ୍ରାସାଦ ଉପରେ, ସେହି କାରାକକ୍ଷ ଉପରେ ଯହିଁରେ ମର୍ସିୟା ପୁନର୍ବାର ବନ୍ଦୀ ହୋଇଥିଲା, ସେହି ବିଚାରାଳୟ ଉପରେ ହୁଏ ତ ଯେଉଁଠାକୁ–ସେ ବିଚାର ନିମିତ୍ତ ଆନୀତ ହେବ ଏବଂ ସେହି ରଙ୍ଗାଳୟ ଉପରେ ଯାହା ଉପରୁ ତାର ଶେଷ ରଶ୍ମୀ ନିଭିଯିବା ପୂର୍ବରୁ ହୁଏତ ମର୍ସିୟାର ଜୀବନ-ପ୍ରଦୀପ କ୍ରୋଧ, ହିଂସା ପରଶ୍ରୀକାତରତା ଏବଂ ନିଷ୍ଠୁରତାର ପ୍ରବଳ ବାତ୍ୟାରେ ରୂଢ଼ ଭାବରେ ନିର୍ବାପିତ ହେବ ।

 

ଅବଶେଷରେ ବିଚାରାଳୟ ଫିଟିବାର ସମୟ ଉପସ୍ଥିତ ହେଲା । ମାର୍କସ୍ ସର୍ବପ୍ରଥମେ ଏହି ଘଟନାପୂର୍ଣ୍ଣ ଦିନରେ ବିଚାରାଳୟରେ ପ୍ରବେଶ କଲା । ପୂର୍ବ ରାତ୍ରିର ଚିନ୍ତା ଭାବନା ଏବଂ ମନ କଷ୍ଟରେ ତାର ଚେହେରା ଏପରି ବଦଳି ଯାଇଥିଲା ଯେ କଚେରୀ ହାକିମ ଅମଲାଙ୍କ ପକ୍ଷରେ ତାକୁ ଚିହ୍ନିବା ଦୁଷ୍କର ହୋଇଥିଲା । ମୁଖ ତାର ପାଂଶୁ ବର୍ଣ୍ଣ, ଚକ୍ଷୁ କୋଟରଗତ ଏବଂ ରକ୍ତବର୍ଣ୍ଣ, ଓଷ୍ଠ ଶୁଷ୍କ ଏବଂ ରକ୍ତଶୂନ୍ୟ-ଯେପରି ଏକ ରାତିକେ ସେ ବାର୍ଦ୍ଧକ୍ୟରେ ଉପସ୍ଥିତ ହୋଇଅଛି ।

 

ଅନୁସନ୍ଧାନ କରି ବୁଝିଲା ସେଷ୍ଟିୟାନ ସେତୁ ନିକଟରେ ଧରା ହୋଇଥିବା ବନ୍ଦୀ ସମସ୍ତେ ଏକାସଙ୍ଗରେ ବିଚାରିତ ହେବେ ଏବଂ ସେମାନଙ୍କ ସହିତ ମର୍ସିୟା ମଧ୍ୟ ବିଚାରିତ ହେବ । ଏ ପ୍ରକାର ଅବସ୍ଥାରେ ମର୍ସିୟା ପକ୍ଷରେ ବିଚାରର ଫଳ ଯେ କଣ ହେବ, ତାହା ସେ ଅତି ସହଜରେ ଭାବି ନେଲା, ବିଚାର ଯାହା ହେବ, ତାହା କେବଳ ନାମ ମାତ୍ର ।

 

ବନ୍ଦୀମାନଙ୍କୁ ଏକତ୍ର କରାଗଲା । ଯେଉଁମାନେ ‘‘ଯୁରି’’ର କାର୍ଯ୍ୟ କରିବାକୁ ନିଯୁକ୍ତ ହୋଇଥିଲେ ଏବଂ ବିଚାରାଳୟର ବାହାରେ ଛିଡ଼ା ହୋଇଥିଲେ, ‘ପ୍ରିଟର’ ସେମାନଙ୍କର ନାମ ପାଠ କଲା ସେମାନଙ୍କର ନିଯୁକ୍ତିର ଉପଯୁକ୍ତତା ସମ୍ୱନ୍ଧରେ ବନ୍ଦୀମାନେ ପଦେ ମାତ୍ର ଉଚ୍ଚବାଚ୍ୟ କରି ପାରିଲେ ନାହିଁ କି କୌଣସି ଆପତ୍ତି ଉଠାଇ ପାରିଲେ ନାହିଁ ।

 

ପ୍ରିଟର ବନ୍ଦୀମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିବୃତ କଲା । ଟିଗେଲିନସ୍‌ ଏବଂ ‘ୟାଡ଼ିଲ’ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଲେ । ଗୁପ୍ତଚର ମଧ୍ୟ ତାର ସାକ୍ଷ୍ୟ ଦେଲେ । ପ୍ରଦତ୍ତ ସାକ୍ଷ୍ୟରୁ ପ୍ରମାଣିତ ହେଲା ଯେ ବନ୍ଦୀମାନେ ସମ୍ରାଟ ଏବଂ ସାମ୍ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର କଲାବେଳେ ଏବଂ ବିଜାତୀୟ ଦେବତାର ଉପାସନାରେ ନିଯୁକ୍ତ ଥିଲାବେଳେ ଧରା ପଡ଼ିଥିଲେ । ମାର୍କସ୍‍କୁ ବନ୍ଦୀମାନଙ୍କ ସମ୍ବନ୍ଧରେ ଅନ୍ୟ କୌଣସି କଥା କହିବାକୁ ଅନୁମତି ଦିଆଗଲା ନାହିଁ । ସେ କେବଳ ସାକ୍ଷୀ ସ୍ଵରୁପ କହିବାକୁ ବାଧ୍ୟ ହୋଇଥିଲା ଯେ ରାଜକର୍ମଚାରିମାନେ ସୈନ୍ୟମାନଙ୍କ ସାହାଯ୍ୟରେ ଯେତେବେଳେ ଏହି ବିଦ୍ରୋହୀ ଦଳର ଦଣ୍ଡବିଧାନ କରୁଥିଲେ, ସେତେବେଳେ ସେ ସେମାନଙ୍କ କାର୍ଯ୍ୟରେ ବାଧା ପ୍ରଦାନ କରିଥିଲା । ବନ୍ଦୀମାନଙ୍କୁ ମଧ୍ୟ ନିଜ ସପକ୍ଷରେ କିଛି କହିବାକୁ ଅନୁମତି ଦିଆଗଲା ନାହିଁ । ସେମାନଙ୍କୁ ସାହାଯ୍ୟ କରିବାକୁ କୌଣସି ଆଇନ ବ୍ୟବସାୟୀକୁ ମଧ୍ୟ ସେମାନଙ୍କର ପକ୍ଷ ନେଇ କଥା କହିବାକୁ ଅନୁମତି ଦିଆଗଲା ନାହିଁ । ବିଚାରକକୁ ବିଚାର କରିବାକୁ ମଧ୍ୟ ସମୟ ଲାଗିଲା ନାହିଁ । ଦଣ୍ଡାଜ୍ଞ ତତ୍‍କ୍ଷଣାତ୍ ଦିଆଗଲା–ମୃତ୍ୟୁର ଦଣ୍ଡାଜ୍ଞା; କି ପ୍ରକାର କାର୍ଯ୍ୟରେ ପରିଣତ ହେବ ତାହାର ଭାର ସମ୍ରାଟଙ୍କ ଇଚ୍ଛା ଉପରେ ଛାଡ଼ି ଦିଆଗଲା । ବନ୍ଦିମାନଙ୍କୁ ଶୃଙ୍ଖଳାବଦ୍ଧ କରି ସଶସ୍ତ୍ର ପ୍ରହରୀମାନଙ୍କ ତତ୍ତ୍ୱାବଧାନରେ ଅବିଳମ୍ବରେ ସୁଡ଼ଙ୍ଗ ପଥ ଦେଇ ରଙ୍ଗାଳୟରେ ଥିବା ଭୂଗର୍ଭସ୍ଥ ବନ୍ଦିଶାଳାକୁ ପଠାଇ ଦିଆଗଲା ।

 

ଏହିପରି ଦେଶର ଆଇନ ଅବହେଳିତ ଏବଂ ପଦଦଳିତ ହେଲା, ଯେପରି: ଲୋକଙ୍କର ରାକ୍ଷସୀ ତୃଷାର ଶୋଣିତ ପାରଣା କାର୍ଯ୍ୟରେ ବ୍ୟାଘାତ ନ ଘଟେ ।

 

ମାର୍କସ ହୃଦୟରେ ମର୍ମନ୍ତୁଦ ଯାତନା ନେଇ ଛିଡ଼ା ହୋଇଥିଲା ଏବଂ ବିଚାରର ଏ ଅଭିନୟ ଦେଖୁଥିଲା । ତାହାର ଆଖି ମର୍ସିୟାର ମ୍ଳାନ ଏବଂ ପ୍ରଶାନ୍ତ ମୁଖ ଉପରେ ଲାଖି ରହିଥିଲା, ବୃଥା ଚେଷ୍ଟା କରୁଥିଲା ତାର ଦୃଷ୍ଟିକୁ ଅନ୍ତତଃ ଥରକ ସକାଶେ ନିଜ ଆଡ଼କୁ ଆକର୍ଷଣ କରିବାକୁ । ମର୍ସିୟା ବିଚାର କାର୍ଯ୍ୟ ପ୍ରତି କ୍ୱଚିତ୍ ଦୃକ୍‍ପାତ କରିଥିଲା, ହାତ ତାର ଷ୍ଟିଫାନସ୍‍ର ଅବଶ ଅଙ୍ଗକୁ ବେଷ୍ଟନ କରିଥିଲା ଏବଂ ଶୂନ୍ୟଗର୍ଭ, ସେଥିରେ କିପରି ଗୋଟାଏ ବିବିକ୍ତ ଭାବ, କିପରି ଗୋଟାଏ ଅନ୍ୟମନସ୍କତା ଫୁଟି ଉଠିଥିଲା । କେବଳ ସେ ଥରେ ‘ମାର୍କସ୍’ ଆଡ଼କୁ ମୁହଁ ବୁଲାଇଥିଲା, ଯେତେବେଳେ ବିଚାରକ ମୃତ୍ୟୁର ଦଣ୍ଡାଜ୍ଞା ପ୍ରଦାନ କଲା । ସେହି ଥରକ ସେ ଏକାଦିକ୍ରମରେ ଅନେକକ୍ଷଣ ପର୍ଯ୍ୟନ୍ତ ମାର୍କସ୍‍ ଆଡ଼କୁ ସ୍ଥିର ଭାବରେ ଅନାଇଥିଲା ଏବଂ ମାର୍କସ୍‍ ସେହି ଦୃଷ୍ଟିରୁ ବୁଝିଲା, ସେ ତାକୁ ସମ୍ପୂର୍ଣ୍ଣ କ୍ଷମା କରିଛି ଏବଂ ଜୀବନକୁ ପରିବର୍ତ୍ତିତ କରିବାକୁ ଉଦ୍‍ବୋଧିତ କରୁଛି-। ତାହାର ମୁଖରେ କୌଣସି ବିରକ୍ତିର ଭାବ ନ ଥିଲା ହୃଦୟର ତିକ୍ତତା ମଧ୍ୟ ପ୍ରକାଶ ପାଇଲା ନାହିଁ, ଏମନ୍ତ କି ଅନ୍ୟାୟ ବିଚାରର ଅଧୀନ ହୋଇଛି ବୋଲି ଯେ ସେ କାହାରି ଉପରେ ଦୋଷାରୋପ, କରୁଛି, ତାହା ମଧ୍ୟ ତାହାର ଦୃଷ୍ଟିରୁ ଜଣାଗଲା ନାହିଁ; ତାର ମୁଖରେ ଥିଲା ସେହି ଆନନ୍ଦର ଆଭା, ଯେଉଁ ଆନନ୍ଦ ସହିତ ଧର୍ମାର୍ଥତ୍ୟକ୍ତପ୍ରାଣ ନିଜର ବିଶ୍ୱାସ ଏବଂ ମତ ନିମିତ୍ତ ମୃତ୍ୟୁକୁ ବରଣ କରେ । ମର୍ସିୟା ଧୀର ଭାବରେ ବିଚାରାଳୟରୁ ବାହାରିଗଲା–ନିଶ୍ଚିତ ମୃତ୍ୟୁ ଆଡ଼କୁ; ଏହା ଦେଖି ମାର୍କସ ପ୍ରଥମରେ ଜ୍ୱରଗସ୍ତ ରୋଗୀ ପରି ଥରିବାକୁ ଲାଗିଲା, ତା ପରେ ବିଚାରାଳୟରୁ ଝଡ଼ ପରି ବାହାରିଗଲା ଏବଂ ନିଜର ସଜ୍ଜିତ ରଥ ଉପରକୁ ଡେଇଁ ପଡ଼ି ନୀରୋର ରାଜପ୍ରାସାଦଆଡ଼କୁ ରଥ ତୀର ବେଗରେ ଚଳାଇଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

ମାର୍କସ୍ର ମର୍ମବେଦନା

 

ମାର୍କସପରି ପ୍ରକୃତିର ଲୋକ ପକ୍ଷରେ ଚିନ୍ତା କରିବା ଏବଂ କାର୍ଯ୍ୟ କରିବା ମଧ୍ୟରେ ବ୍ୟବଧାନ ଖୁବ୍‍ କମ୍‍ । ସଂକଳ୍ପ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟର ପନ୍ଥା ମଧ୍ୟ ସରଳ ହୋଇଗଲା । ସ୍ଥିର କଲା, ସିଜର ସହିତ ସାକ୍ଷାତ କରିବ, ନିଜେ ମର୍ସିୟାର ଜୀବନ ଭିକ୍ଷା ସକାଶେ ଯାହା ସେ କହି ପାରିବ ଏବଂ କରି ପାରିବ, ତାହା ଅବ୍ୟକ୍ତ କି ଅସମ୍ପନ୍ନ ରଖିବ ନାହିଁ । ରକ୍ଷା ତାକୁ କୌଣସି ପ୍ରକାରେ କରିବାକୁ ହେବ–ସେ ସମ୍ବନ୍ଧରେ ସମ୍ୟାନ୍ୟ ସନ୍ଦେହ ସୁଦ୍ଧା ତା ପକ୍ଷରେ ଅସହନୀୟ ।

 

ନୀରୋ ଯେ ତାହାର ଅନୁରୋଧ ରକ୍ଷାକରିବାକୁ ଅସ୍ୱୀକାର କରିପାରେ, ଏହି ସମ୍ଭାବନା ଚିନ୍ତା କଲାବେଳକୁ ଯେପରି ତାର ହୃଦୟର ସ୍ପନ୍ଦନ ବନ୍ଦ ହୋଇଯାଏ । ନା ନା ନୀରୋ କେତେବେଳେ ସେପରି କରିବ ନାହିଁ । ନୀରୋର ଦୟା ଉପରେ ତାର ଅନେକ ରକମର ଦାବୀ ଅଛି, ଏହି ଗୋଟିଏ ବାଳିକାର ଜୀବନକୁ ଭିକ୍ଷା ସ୍ଵରୂପ ଚାହିଁଲେ ସେ କେତେବେଳେ ଅସ୍ୱୀକାର କରିବ ନାହିଁ । ଯଦି ସେ କେବଳ ସିଜରକୁ ଏକାକୀ ପାଏ -ଯଦି ସିଜର ସହିତ ସାକ୍ଷାତ କଲାବେଳେ ପୋପିୟା ଆଉ ଟିଗେଲିନସ୍ ଅନୁପସ୍ଥିତ ଥାନ୍ତି, ତାହାହେଲେ ନିଶ୍ଚୟ ସେ ତାହାର ପ୍ରାର୍ଥନା ଶୁଣିବ । କିନ୍ତୁ ସେମାରେ କଣ ଅନୁପସ୍ଥିତ ରହିବେ ? ଏହି ଗୁରୁତର ପ୍ରଶ୍ନ ମନ ମଧ୍ୟରେ ନେଇ ସେ ରାଜପ୍ରାସାଦରେ ପ୍ରବେଶ କଲା ଏବଂ ସମ୍ରାଟଙ୍କର ଦର୍ଶନ ଭିକ୍ଷା କଲା ।

 

ସେ ଦିନ ନୀରୋର ଅଭ୍ୟର୍ଥନା ଦିବସ । ରାଜପ୍ରାସାଦର ଗୋଟିଏ ଘର ଭିତରେ ଅଭିଜାତବର୍ଗ ଓ ରାଜକର୍ମଚାରିଗଣ ଜନ୍ତାଜନ୍ତି ହେଉଛନ୍ତି । ମାର୍ବଲ ପଥରର ମଞ୍ଚ ଉପରେ ନୀରୋ ଅର୍ଦ୍ଧଶାୟିତ ଅବସ୍ଥାରେ; ମଞ୍ଚର ତଳକୁ ବୋଲି ମାର୍ବଲ ପଥରର ପାହାଚମାନ ଲମ୍ବିଛି । ମଞ୍ଚ ଓ ପାହାଚ ଉପରେ ମହାର୍ଘ ବସ୍ତ୍ରର ଆସ୍ତରଣ ସବୁ ବିଛା ହୋଇଛି, କେଉଁଠି ରେଶମର ଗଦି ତକିଆ ଲାଗିଛି, କେଉଁଠି ବାଘ ଭାଲୁର ଚମଡ଼ା ପଡ଼ିଛି ।

 

ନୀରୋର ନିଗ୍ରୋ ଶରୀରକ୍ଷୀ ସବୁ ନାନା ପ୍ରକାର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଶ୍ଚଳ ପ୍ରସ୍ତର ମୂର୍ତ୍ତି ପରି ସିଂହାସନର ଚାରିଆଡ଼େ ନୀରବରେ ଛିଡ଼ା ହୋଇଛନ୍ତି । ପାଦ ନିକଟରେ ପାନପାତ୍ରବାହକ ଜାନୁ ପାତି ବସିଛି । ଏହି କର୍ମଚାରୀର କାର୍ଯ୍ୟ ହେଉଛି ନୀରୋର ଖାଦ୍ୟ ପାନୀୟରେ କେହି ବିଷ ପ୍ରୟୋଗ କରିଛି କି ନାହିଁ ତାହା ଚାଖି ପରୀକ୍ଷା କରିବା । ନୀରୋର ଦକ୍ଷିଣ ପାଖରେ ପୋପିୟା; ପେପିୟାର ପାଦତଳେ ବେରେନିସ୍‍ ସମ୍ମୁଖରେ ପ୍ରାଦେଶିକ ଶାସନ-କର୍ତ୍ତା ସମୂହ ଏବଂ ରାଜ୍ୟର ପ୍ରଧାନ କର୍ମଚାରିଗଣ ।

 

ନୀରୋ ହାତକୁ ରଖିଛି ସମ୍ମୁଖରେ ଥିବା ଗୋଟିଏ ନାତିଉଚ୍ଚ ଟେବୁଲ ଉପରେ । ସେ ଦିନର ସାର୍କସ୍‍ରେ ଯେଉଁ ସବୁ ଖେଳ ପ୍ରଦର୍ଶିତ ହେବ, ତାରି ଗୋଟିଏ ତାଲିକାର ଯେଉଁ ପାଣ୍ଡୁଲିପି ପାର୍କମେଣ୍ଟରେ ଲେଖା ହୋଇଛି, ତାକୁ ହାତରେ ଧରିଛି । ରାଜକର୍ମଚାରୀ ଏବଂ ଶାସନକର୍ତ୍ତାମାନେ ନିଜ ନିଜର କାର୍ଯ୍ୟ ବିବରଣ ଦେଉଛନ୍ତି, କିନ୍ତୁ ନୀରୋ ସେ ସବୁ ବିଶଦବ୍ୟାଖ୍ୟା ଅପ୍ରଚ୍ଛନ୍ନ ଅଧୈର୍ଯ୍ୟତାର ସହିତ ଶୁଣୁଛି ଏବଂ ଥରକୁ ଥର ହସ୍ତସ୍ଥିତ ତାଲିକାକୁ ଅଭିନିବେଶ ସହକାରେ ଦେଖୁଛି ଓ ସାମ୍ରାଜ୍ଞୀର ମତ ଓ ପରାମର୍ଶ ଜିଜ୍ଞାସା କରୁଛି । ସାମ୍ରାଜ୍ଞୀ ନୀରୋ ନିମିତ୍ତ ରେଶମ ସୂତାରେ ଗଳାବନ୍ଧା ବୁଣିବାରେ ବ୍ୟସ୍ତ ଏବଂ ବେରେନିସ୍ ଉକ୍ତ କାର୍ଯ୍ୟରେ ସାମ୍ରାଜ୍ଞୀକୁ ସାହାଯ୍ୟ କରିବାରେ ବ୍ୟସ୍ତ । ନିଜ ସମ୍ବନ୍ଧରେ କୌଣସି ବିଷୟ ଯଦି ନୀରୋକୁ ବେଶି ଚିନ୍ତାନ୍ୱିତ କରୁଥିଲା ତାହା ତାହାର ଗଳା,- ଭୟ, କାଳେ ଗଳାରେ ଥଣ୍ଡା ଲାଗି କଣ୍ଠସ୍ୱର ଖରାପ ହୋଇଯିବ ।

 

ଏହି ସମୟରେ ଜଣେ ରାଜକର୍ମଚାରୀ ରାଜକାର୍ଯ୍ୟ ବିଷୟରେ କଣ ଗୋଟିଏ ପ୍ରସ୍ତାବ କଲା, କିନ୍ତୁ ନୀରୋ ତହିଁ ପ୍ରତି ଭ୍ରୂକ୍ଷେପ ନ କରି ପୋପିୟାକୁ କହିଲା, ‘‘ପୋପିୟା ଆମେମାନେ ଅନ୍ୟାନ୍ୟ ଯେତେ ଖେଳ ଦେଖିଛୁଁ ସାର୍କସ୍‍ରେ ଆଜିକାର ଖେଳ ଚମତ୍କାରିତାରେ ସେ ସବୁକୁ ନିଷ୍ଫ୍ରଭ କରିଦେବ । ଆଜିକାର ଖେଳ ବାସ୍ତବିକ ଖେଳ ଆଜି ରଥ ଦଉଡ଼ ଏବଂ ଲୋକମାନଙ୍କର ଦଉଡ, ଗ୍ଳାଡ଼ିଏଟର ମଲ୍ଲ ଯୋଦ୍ଧାମାନେ, ଭିନ୍‍ସର ମୁଖାବରଣ, ତାପରେ ସିଂହ ବାଘ ସବୁ ଆଉ ଦୁଇଶତ ଖ୍ରୀଷ୍ଟିୟାନ ।’’ ଅନ୍ତରର ଆନନ୍ଦାନୁଭବକୁ ଗୋଟାଏ ଶୁଷ୍କ କାଷ୍ଠ ହାସ୍ୟରେ ପ୍ରକାଶ କରି ମେଟୁଲସ୍‍କୁ ନିକଟକୁ ଆସିବାକୁ ସଙ୍କେତ କଲା ଏବଂ ପଚାରିଲା “ମେଟୁଲସ୍‍, ଜନ୍ତୁମାନଙ୍କୁ ଭଲରକମ, ଅନାହାରରେ ରଖା ହୋଇଛି ତ ?”

 

ମେଟଲସ୍ ଉତ୍ତର ଦେଲା, “ଆଜ୍ଞା ମହାରାଜ ।” ବର୍ବରୋଚିତ ଆଗ୍ରହାତିଶଯ୍ୟରେ ଉଦ୍‍ଗ୍ରୀବ ହୋଇ ପଚାରିଲା, ‘‘ପଶୁମାନେ ବେଶ୍‍ ସବଳ ଏବଂ କ୍ଷୂଧାରେ କ୍ଷିପ୍ତ ହୋଇଛନ୍ତି ତ ?

 

‘‘ସିଜର, ଏପରି ଜନ୍ତୁ ସବୁ ରୋମ କେବେ ଦେଖି ନାହିଁ ।’’

 

ନୀରୋ ଏହା ଶୁଣି ଲାଳସାବିଜଡ଼ିତ କଣ୍ଠରେ କହିଲା, ‘‘ବେଶ୍, ବେଶ୍ । ସୂର୍ଯ୍ୟ ବୁଡ଼ିଗଲେ ରଙ୍ଗମଞ୍ଚର ଚାରିଆଡ଼େ କୋଡ଼ିଏ ପାହୁଣ୍ଡ ତଫାତ୍‍ରେ ଜୀବନ୍ତ ମନୁଷ୍ୟର ମଶାଲ ଜଳିବ-। ଖ୍ରୀଷ୍ଟିୟାନମାନଙ୍କୁ ତେଲ ଆଉ ରାଳରେ ବୁଡ଼େଇ ବାନ୍ଧି କରି ରଖିବ । ମୋ ପାଖରୁ ସଙ୍କେତ ପାଇଲେ ସେମାନଙ୍କୁ ଜଳାଇବ । ହଁ, ଆଉ ଗୋଟିଏ କଥା ଭୁଲିବ ନାହିଁ । ଖୁଣ୍ଟତଳେ ସେମାନଙ୍କ ଚାରିପାଖରେ ଯେଉଁ କାଠ ଗଦେଇବ, ଦେଖ ସେ ସବୁ ଯେପରି ସେମାନଙ୍କର ବେକ ତଳକୁ ରହେ, ଉପରକୁ ନ ଉଠେ, ନୋହିଲେ ଧୂଆଁରେ ନିଶ୍ୱାସ ବନ୍ଦ ହୋଇ ସେମାନେ ଶୀଘ୍ର ମରିଯିବେ । ମୁଁ ଯେପରି କହିଲି, - କାଠ ସବୁ ସେପରି ଗଦେଇଲେ ପୋଡ଼ି ହେଲାବେଳକୁ ମୁଁ ସେମାନଙ୍କର ମୁହଁ ଦେଖି ପାରିବି ।

 

ସମ୍ରାଟ୍ ନିର୍ଯ୍ୟାତନାର ପ୍ରତ୍ୟେକ ତଫସିଲକୁ ଏପରି ତୃପ୍ତିର ସହିତ ବିବେଚନା କରିବାବେଳେ ଟିଗେଲିନସ୍‍ ଗୃହ ମଧ୍ୟରେ ପ୍ରବେଶ କଲା ଏବଂ ଅଗ୍ରସର ହୋଇ ସମ୍ରାଟର ପାଦଦ୍ୱୟ ତଳେ ଜାନୁପାତି ବସିଲା ।

 

ନୀରୋ ଅଧୈର୍ଯ୍ୟ ହୋଇ ପଚାରିଲା, କି ଟିଗେଲିନସ୍‍, ଖବର କଣ ?”

 

ସିଜର, ଆପଣଙ୍କର ଆଦେଶ ଅନୁଯାୟୀ ବାଳିକା ବନ୍ଦୀ ହୋଇଛି ।’’ ଟିଗେଲିନସ୍‍ ଏହି ଖବର ଦେବାବେଳେ ତାର ଦୃଷ୍ଟିରେ ଜୟର ସେ ଗର୍ବ ଫୁଟି ଉଠିଲା, ତାକୁ ଲୁଚାଇବାକୁ ଚେଷ୍ଟା କରିବା ସେ ଆବଶ୍ୟକ ବୋଧ କଲା ନାହିଁ ।

 

ସିଜର ଆନନ୍ଦରେ କହିଲା, ‘‘ବେଶ୍ ବେଶ୍ । ତାକୁ ମଧ୍ୟ ଗୋଟାଏ ମଶାଲ କର, ଆଉ ମାର୍କସ୍‌ର ବସିବା ଜାଗା ପାଖରେ ରଖିଦିଅ । ମାର୍କସ୍ ସହିତ କାରବାରରେ ସେ କୁଆଡ଼େ ବଡ଼ ଅନୁଷ୍ଣ ଭାବ ଦେଖାଇଛି, ଆଜି ରାତିରେ ମାର୍କସ୍ ତାକୁ ଉଷ୍ଣତାର ଅବତାର ଦେଖିବ। ହଁ, ହଁ ! ଇଏ–ସେ କଣ କହିଲା ? ମାର୍କସ୍ କଣ କହିଲା ?’’

 

ଏହି ପ୍ରଶ୍ନ ନୀରୋ ଯେ କେବଳ ଆଗ୍ରହରେ ପଚାରିଲା, ତାହା ନୁହେଁ, ଯଥେଷ୍ଟ ଉତ୍କଣ୍ଠାର ସହିତ ମଧ୍ୟ ପଚାରିଥିଲା; କାରଣ ତାର ଗଳାର ସ୍ଵରରୁ ଜଣା ପଡ଼ିଲା, ସେ ଯେପରି ଭୟରେ ଏବଂ କମ୍ପରେ ଏ କଥା ପଚାରୁଛି । ସେ ଯଦି କାହାକୁ ବେଶି ଭୟ କରୁଥିଲା ତ ମାର୍କସ୍‍କୁ, ବିଶେଷରେ ତାର ସାହସ ଏବଂ ଦୁର୍ଦ୍ଦାନ୍ତ ସ୍ଵଭାବକୁ । ଟିଗେଲିନସ୍ ମଧ୍ୟ ଏ କଥା ଜାଣିଥିଲା, ସେଥିପାଇଁ ନୀରୋର ଏହି ଭୟକୁ ନିଜର କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟାକଲା । କହିଲା, ସେ ରୋମ ବିରୁଦ୍ଧରେ ତାହାର ଆଇନ ବିରୁଦ୍ଧରେ ଏବଂ ହେ ମହାମହିମ ସିଜର, ଆପଣଙ୍କ ବିରୁଦ୍ଧରେ ମଧ୍ୟ ପାଗଳ ପରି ବକିବାକୁ ଲାଗିଲା । ନୀରୋ କ୍ରୋଧରେ ଏବଂ କେତେକ ପରିମାଣରେ ଭୟରେ ମଧ୍ୟ କହିଲା, କଣ ! ତାର ଏତେ ସାହସ !

 

ପୋପିୟା ଟିଗେଲିନସ୍‌ର ମନର ଭାବ ବୁଝିପାରି ତାର କଥାର ପରିଣାମ ଲାଘବ କରିବା ଅଭିପ୍ରାୟରେ ନୀରୋର କଥାରେ ବାଧାଦେଇ ମନଭୁଲାଣିଆ ସ୍ୱରରେ କହିଲା, ‘‘ସିଜର, ତୁମକୁ ଏ ସକାଣେ କ୍ଷମା କରିବାକୁ ହେବ । ଏହି ଖ୍ରୀଷ୍ଟିୟାନ ରୂପସୀ, ତାର ଏହି ସରସ ଗ୍ରାସଟିକ, ତା ମୁହଁରୁ କାଢ଼ି ନେଇଛି । ସେଥିପାଇଁ ସେ କିଛି ସମୟ ବକାବକି କରିବ ଏବଂ ତାହା ମଧ୍ୟ ବିନା କାରଣରେ ନୁହେଁ, କିନ୍ତୁ ସେ ତୁମ ପ୍ରତି ଠିକ୍ ବିଶ୍ୱସ୍ତ ରହିବ ।’’

 

ଭୀରୁ ଉତ୍ପୀଡ଼କ ଭୟରେ ଥରି ଥରି ପଚାରିଲା, ‘‘ତୁମେ କଣ ଠିକ୍ ଏୟା ମନେ କରୁଛ-?’’

 

ପୋପିୟା ତାର ବାକ୍ୟରେ ଏବଂ ଅଙ୍ଗଭଙ୍ଗୀରେ ନୀରୋକୁ ଆଶ୍ୱସ୍ତ କରି କହିଲା, ‘‘ମୁଁ ଠିକ୍ ଜାଣେ ।’’ ନୀରୋ ଆରାମରେ ନିଶ୍ୱାସ ମାରିଲା ଏବଂ କହିଲା, ‘‘ଯାହାହେଉ, ଯାହାହେଉ, ମୁଁ ଏ କଥା ଶୁଣି ବଡ଼ ଖୁସି ହେଲି । ମାର୍କସ୍‌କୁ ମୁଁ ହରାଇ ପାରିବି ନାହିଁ ।’’ ତା’ ପରେ ଟିଗେଲିନସ୍ ଆଡ଼କୁ ଅନାଇ ଦୁଇଗୁଣ କ୍ରୂରତାର ସହିତ ପଚାରିଲା, “ଏଇ ଏହି ବାଳିକା କଣ ଚିତ୍କାର କଲା, ମୁର୍ଚ୍ଛାଗଲା, ମୁକ୍ତି ପାଇବା ପାଇଁ କାକୁତି ମିନତି କଲା ?’’ ଟିଗେଲିନସ୍‌ ସେତେବେଳକୁ ନୀରୋର ହାବଭାବ ଦେଖି ଏକରକମ ହତବୁଦ୍ଧ ହୋଇ ଯାଇଥିଲା, ସେଥିପାଇଁ ନୀରୋ ଆଡ଼କୁ ବିସ୍ମୟରେ ଅନାଇ କେବଳ କହିଲା, ‘‘ନା ସିଜର । ସେ ସମ୍ପୂର୍ଣ୍ଣ ପ୍ରକୃତିସ୍ଥ ଥିଲା ଏବଂ କହିଲା, ‘ମୁଁ ପ୍ରସ୍ତୁତ’।’’

 

ଏ ଉତ୍ତର ନୀରୋକୁ ମଧ୍ୟ ହତବୁଦ୍ଧି କରିଦେଲା । ସେ ଚିନ୍ତା କରୁ କରୁ ଅନୁଚସ୍ୱରରେ କହିଲା, “ବଡ଼ ଆଶ୍ଚର୍ଯ୍ୟ ଏହି ଧର୍ମପାଗଳଗୁଡ଼ାଙ୍କର ଏହି ଏକବାଗିୟା ସ୍ୱଭାବ । ସେମାନେ ଏପରି ନୀରବରେ ମରନ୍ତି ଯେ ସେଥିରେ ତାଙ୍କୁ ମାରିବାର ସୁଖ ଅଧେ କମିଯାଏ ।’’ ତା ପରେ ଆଶାନ୍ୱିତ ହୋଇ ଟିକିଏ ଉତ୍‌ଫୁଲ୍ଲ ଭାବରେ କହିଲା, “କିନ୍ତୁ ଆଜି କେଜାଣି ସେମାନଙ୍କ ମଧ୍ୟରୁ କେହି କେହି ବୋବାଳି ଛାଡ଼ିବେ । ହା, ହା, ହା !’ ଏହିପରି ନିଜର ମନଗଢ଼ା ଏହ ପୈଶାଚିକ ଆନନ୍ଦ ଉପଭୋଗ କରୁ କରୁ ହସି ଉଠିଲା ।

 

ଯେଉଁ ଭୟାବହ ଦୃଶ୍ୟ ସେ ଦେଖିବ, ଯେଉଁ ଅସହନୀୟ ଯନ୍ତ୍ରଣା ସେ ପ୍ରଦାନ କରିବ, ତାରି ଆସନ୍ନ ସମ୍ଭାବନାର ଚିନ୍ତାରେ ସେ ଏକାବେଳକେ ତନ୍ମୟ ହୋଇ ରହିଲା । ଅନ୍ୟ କୌଣସି ଚିନ୍ତା ତାର ମନ ମଧ୍ୟରେ ପ୍ରବେଶ କଲା ନାହିଁ । ସେ ପୁଣି ଥରେ ଖେଳର ତାଲିକା ଦେଖିବାକୁ ଯାଉଛି ଏହି ସମୟରେ ଜଣେ କ୍ରୀତଦାସ ଆସି ଉବୁଡ଼ ହୋଇ ପଡ଼ି କହିଲା, “ପ୍ରିଫେକ୍‌ଟ ମାର୍କସ୍ ଆପଣଙ୍କର ଦର୍ଶନାଭିଳାଷୀ ।’’

 

ନୀରୋ ଚମକି ପଡ଼ି ଉଦ୍ବେଗର ସହିତ କହିଲା, ‘‘ୟେ, ୟେ । ମାର୍କସ୍ ? ଦେଖା କରିବ-? କଣ ? କଣ ? ୟେ ପୋପିୟା? ଏଇକ୍ଷଣି ଆମେମାନେ ୟେ -ତା ସହିତ ଦେଖା କରିବା ନାହିଁ-? ଏବେ ନୁହେଁ ?’’

 

ପୋପିୟା ଚତୁରତାର ସହିତ କହିଲା, ‘‘ସିଜର, ବରଂ ବର୍ତ୍ତମାନ ତା ସହିତ ଦେଖା କରିବା ଉଚିତ ନୋହିଲେ ତୁମେ ତାକୁ ଭୟ କରୁଛ ବୋଲି ସେ କେଜାଣି ସନ୍ଦେହ କରିବ ।’’

 

ନୀରୋ ଥରୁଥାଏ, କିନ୍ତୁ ତଥାପି ରାଗିଲା ପରି ହୋଇ କହିଲା, ‘‘ଭୟ କରିବି ତାକୁ ? ଭୟ କରିବି ତାକୁ ? ନୀରୋ ଭୟ କରିବ ମାର୍କସ୍‌କୁ ? ଅସମ୍ଭବ । ମର୍ତ୍ତ୍ୟର ମାନବର ଉପସ୍ଥିତି ସ୍ୱର୍ଗର ଦେବତାର ଭୟ ଜନ୍ମାଏ ନାହିଁ । ତାକୁ ପ୍ରବେଶ କରିବାକୁ ଅନୁମତି ଦିଅ ।’’ କ୍ରୀତଦାସ ଅସଂଖ୍ୟର ପ୍ରଣିପାତ କରୁ କରୁ ଅନୁମତି ନେଇଗଲା ।

 

ନୀରୋ ତାର ଚାରିଆଡ଼କୁ ଅନାଇଲା, ତାର ଦୃଷ୍ଟିରେ ଥିଲା ଉଦ୍ବେଗ ଆକାଙ୍‌କ୍ଷା, ଆଶଙ୍କା । ସେ ପର୍ଯ୍ୟନ୍ତ ପାନପାତ୍ରବାହକ ତାର ପାଦତଳେ ବସିଛି । ସୁରା ଢାଳିବାକୁ ତାକୁ ସଙ୍କେତ କଲା, କମ୍ପିତ ହସ୍ତରେ କପାଳରୁ ଶୀତଳ ସ୍ୱେଦବାରି ପୋଛିଲା । ହାତ ବଢ଼ାଇ ସୁରା ଗ୍ରହଣ କଲାବେଳକୁ ହାତ ଏପରି ଥରୁଥିଲା ଯେ ସୁରା ଚହଲି ଯାଇ ତାର ଲୁଗାରେ ଏବଂ ଘରର ଚଟାଣରେ ପଡ଼ିଲା । ପିଆଲାକୁ ଅଧୈର୍ଯ୍ୟ ଭାବରେ ମୁହଁ କତିକୁ ଉଠାଇଲା, କିନ୍ତୁ ଆଉ ଏକ ନୂତନ ଭୀତି ଆସି ତାକୁ ଅଧିକାର କଲା । ନୀଚାଶୟ ପିଶାଚ ସନ୍ଦିଗ୍‌ଧ ଦୃଷ୍ଟିରେ ସୁରାକୁ ଅନାଇବାକୁ ଲାଗିଲା, ପିଇବାକୁ ସାହସ କରି ପାରିଲା ନାହିଁ । ଭୟ କାଳେ ସୁରାରେ ବିଷ ପ୍ରୟୋଗ କରା ହୋଇଥିବ !

 

ପୁନର୍ବାର କମ୍ପିତ ହସ୍ତରେ ପାନପତ୍ରବାହକକୁ ସୁରା ଫେରାଇ ଦେଲା ଏବଂ ସଙ୍କେତ କରି ଆଦେଶ ଦେଲା ସେ ଯେପରି ଏହାକୁ ପ୍ରଥମରେ ଚାଖେ । ଯତ୍ନର ସହିତ ଅପେକ୍ଷା କରି ରହିଲା ସୁରାପାନର ଫଳ ଦେଖିବାକୁ ଏବଂ ଯତ୍ନର ସହିତ ନିରୀକ୍ଷଣ କରୁଥିଲା ଯେପରି ସେ ଇତ୍ୟବସରରେ କୌଣସି ବିଷନାଶକ ଔଷଧ ଭକ୍ଷଣ ନ କରେ । ଯେତେବେଳେ ଦେଖିଲା, ପିଇବାରେ କୌଣସି ଅନିଷ୍ଟ ଘଟିଲା ନାହିଁ, ସେତେବେଳେ ମୁହଁ କତିକୁ ପାନପତ୍ର ନେଇ ଏକାବେଳକେ ଗଳାଧଃକରଣ କଲା । ଶୂନ୍ୟ ପାତ୍ର ଫେରାଇ ଦେବାବେଳେ ମାର୍କସ୍ ଆସି ଗୃହରେ ପ୍ରବେଶ କଲା ।

 

ମାର୍କସ୍ ଚଞ୍ଚଳ ଆଗେ ଘରର ଚାରିଆଡ଼େ ଅନାଇଗଲା, ହତାଶ ହୋଇ ଦେଖିଲା; କତିରେ ପୋପିୟା, ବେରେନିସ୍ , ଆଉ ଟିଗେଲିନସ୍ ବସିଛନ୍ତି, ଘରର ଚାରିଆଡ଼ର ଅସାଧାରଣ ରକମର ନିସ୍ତବ୍‌ଧତା ତାର ଭୟାର୍ତ୍ତଚିତ୍ତ ନିକଟରେ ଭାବୀ ଅମଙ୍ଗଳ ସୂଚନା କଲା । ଅନୁଭବ କଲା ଯେପରି ତାର ଆସିବା ପଣ୍ଡଶ୍ରମ, ମାଗିବା ପୂର୍ବରୁ ପ୍ରାର୍ଥନା ପ୍ରତ୍ୟାଖ୍ୟାତ ହୋଇଛି । ମାର୍କସ୍‌ ନୀରୋର କମ୍ପମାନ ମୁଖାବୟବରୁ ପୋପିୟା ପ୍ରସ୍ତରବତ୍‌ ଅଚଞ୍ଚଳ ମୂର୍ତ୍ତିକୁ ଅନାଇଲା; ବେରେନିସ୍‌ର ଅପରାଧୀ ଚିତ୍ତର ଆତ୍ମଗ୍ଳାନିରେ ସଙ୍କୁଚିତ ଦୃଷ୍ଟିରୁ ଅନାଇଲା ଯେଉଁଠି ଟିଗେଲିନସ୍‌ର ମୁଖରେ ଆନନ୍ଦ ଅପ୍ରଚ୍ଛନ୍ନ, ଆଉ ତାର ସମସ୍ତ ଆଶା ନିର୍ମୂଳ ହେଲା ।

 

ମର୍ସିୟାର ମୃତ୍ୟୁ ଅନିବାର୍ଯ୍ୟ । ତଥାପି ସେ ଅନୁନୟ କରିବ, ଆପତ୍ତି କରିବ, ଏପରି କି ପରାଜୟ ସ୍ୱୀକାର କରିବା ପୂର୍ବରୁ ଭୟ ପ୍ରଦର୍ଶନ କରିବାକୁ ଦ୍ୱିଧା କରିବ ନାହିଁ ।

 

ନୀରୋ ସମ୍ମୁଖରେ ଜାନୁପାତପୂର୍ବକ ଅଭିବାଦନ କରି କହିଲା–‘‘ସିଜରଙ୍କର ଜୟ ହେଉ-!’’ ତା ପରେ ପୋପିୟା ଆଡ଼କୁ ମସ୍ତକ ଅବନତ କରି କହିଲା–‘‘ସମ୍ରାଜ୍ଞୀ ଚିରଜୀବୀ ହେଉନ୍ତୁ-!’’

 

ନୀରୋ ଖେଳର ତାଲିକା ଦେଖୁ ଦେଖୁ ନିତାନ୍ତ ଉଦାସୀନତାର ସହିତ କହିଲା, ‘‘କି ପ୍ରିଫେକ୍‌ଟ, କଥା କଣ ? କଣ ଚାହୁଁଛ !’’

 

ମାର୍କସ୍ ଉତ୍ତରରେ କହିଲା, ସିଜର, ଦୟା ।

 

ବେଶ୍ ଟିକିଏ ଚମକି ପଡ଼ିଲା ପରି ହୋଇ ପଚାରିଲା - ‘‘କାହା ସକାଶେ ହେ ? କାହା ସକାଶେ ମାର୍କସ୍‌ଙ୍କୁ ଆମମାନଙ୍କର ଦୟା ଭିକ୍ଷା କରିବାକୁ ହୋଇଛି ? ନିଶ୍ଚୟ ନିଜ ସକାଶେ ନୁହେଁ-? ଆମମାନଙ୍କର ବିଶ୍ୱସ୍ତ ମାର୍କସ୍‌ର ଦୟା ଭିକ୍ଷା କରିବାର ପ୍ରୟୋଜନ ନାହିଁ, କାରଣ ସେ କିଛି ଅନ୍ୟାୟ କରି ନାହାନ୍ତି କି ନିଜର କର୍ତ୍ତବ୍ୟ ଅସମ୍ପନ୍ନ ରଖି ନାହାନ୍ତି । ମାର୍କସ୍‌ର ନିଜ ସକାଶେ ଦୟା ଭିକ୍ଷା କରିବାର ପ୍ରୟୋଜନ ନାହିଁ ।

 

ମାର୍କସ୍ କହିଲା, ‘‘ନା; ସିଜର; ମୁଁ ମୋ ନିଜ ସକାଶେ ଭିକ୍ଷା କରୁ ନାହିଁ । କିନ୍ତୁ ଗୋଟାଏ ନିର୍ଦ୍ଦୋଷ ବାଳିକା ସକାଶେ କରୁଛି ।’’

 

ଟିକିଏ ଆଶ୍ଚର୍ଯ୍ୟାନ୍ୱିତ ହେଲା ପରି ହୋଇ ଚତୁର ନୀରୋ ପଚାରିଲା, ‘‘ତେବେ କଣ ସେହି ଖ୍ରୀଷ୍ଟିୟାନ ବାଳିକା ମର୍ସିୟା ସକାଶେ ?’’

 

ନୀରୋର ଭାବ ଏବଂ ତାର ଉଚ୍ଚାରଣର ଭୟାବହ ଭଙ୍ଗୀ ଲକ୍ଷ୍ୟ କରି ମାର୍କସ୍ କହିଲା, ‘‘ହଁ ସିଜର ।’’

 

ମାର୍କସ୍ ନିତାନ୍ତ ଅନାଳାପୀ ପରି ଅନୁଷ୍ଣ ଏବଂ ସଂକ୍ଷିପ୍ତ ଉତ୍ତର ପାଇଲା–“ସେ ବାଳିକା ନିର୍ଦ୍ଦୋଷ ନୁହେଁ ।’’ ନୀରୋ ଇଚ୍ଛା କରି ଅବଜ୍ଞାର ସତ ମାର୍କସ୍ ଆଡ଼ୁ ମୁହଁ ଫେରାଇ ନେଲା ।

 

ଏହି ଇଚ୍ଛାକୃତ ଅବଜ୍ଞା ଦେଖି ମାର୍କସ୍‌ର ଆଖି ଜଳି ଉଠିଲା, ଯେଉଁ କାରଣରୁ ଅନୁଗ୍ରହପ୍ରାର୍ଥୀ ହୋଇଥିଲା, ତାକୁ ଭାବି କ୍ରୋଧ ଦମନ କଲା ଏବଂ ଯଦିବା ଉଠି ଛିଡ଼ା ହେଲା, ତଥାପି ଯଥେଷ୍ଟ ନମ୍ରତା ସହକାରେ ପଚାରିଲା–

 

‘‘ତାର ଦୋଷ କଣ ?’’

 

ନୀରୋ ମାର୍କସ୍‌ର ସ୍ୱର ଶୁଣି ଟିକିଏ ଚମକି ଉଠିଲା, କାରଣ ଯଦିବା ପ୍ରଶ୍ନ ସମ୍ମାନ ପୁରଃସର ପଚରା ହୋଇଥିଲା, ସେଥିରେ ସଂକଳ୍ପର ଯେଉଁ ଦୃଢ଼ତା ଲକ୍ଷିତ ହେଉଥିଲା; ସେଇଟାହିଁ ନୀରୋର ମନଃପୂତ ହୋଇ ନ ଥିଲା । କିଛିକ୍ଷଣ ସ୍ଥିର ରହି କହିଲା, ‘‘ଦୋଷ ? ତୁମେ ଭଲ କରି ଜାଣ ତାର ଦୋଷ କଣ । ସେ ଖ୍ରୀଷ୍ଟିୟାନ ବୋଲି ଅଭିଯୁକ୍ତ ।’’

 

କିଏ ତା ନାମରେ ଅଭିଯୋଗ କରିଛି, ସିଜର ?

 

‘‘କିଏ–’’ । ନୀରୋ ବେରେନିସ୍‌ର ନାମ ଉଚ୍ଚାରଣ କରିବାକୁ ଯାଉଥିଲା, କିନ୍ତୁ ପୋପିୟାର ଚକ୍ଷୁ ତାକୁ ସତର୍କ କରିଦେବାରୁ ସେ ତତ୍‌ପରିବର୍ତ୍ତନରେ ଅନ୍ୟର ନାମ ଗ୍ରହଣ କଲା; କହିଲା, ‘‘ଟିଗେଲିନସ୍‌ ଏବଂ–ଅନ୍ୟ ସମସ୍ତେ ।’’ ମାର୍କସ୍‌ କହିଲା, ‘‘ଅନ୍ୟ ସମସ୍ତେର ମାନେ ହେଉଛି, ବେରେନିସ୍‌ ଏବଂ–’’ ଏତିକି କହି ମାର୍କସ୍‌ ଅଟକି ଗଲା । ସେ ପୋପିୟାର ନାମ ସେଥିରେ ଯୋଗ କରିଥାନ୍ତା, କିନ୍ତୁ ଇତସ୍ତତଃ କଲା, ଭାବିଲା ତାହା କଲେ କେଜାଣି ପୋପିୟାର ଶତ୍ରୁତା ଆହୁରି ବଢ଼ିବ । ଏକ ମୁହୂର୍ତ୍ତ ଅଟକି ଯାଇ କହିଲା, “ସିଜର, ଈର୍ଷାପରାୟଣା ସ୍ତ୍ରୀଲୋକର ସାକ୍ଷ୍ୟ ନିର୍ଭରଯୋଗ୍ୟ ନୁହେଁ ।’’

 

ଟିଗେଲିନସ୍‌ ଉଠି ଆଗେ ନୀରୋର ମନ ଯୋଗାଣିଆ ଦଣ୍ଡବତଟିଏ କରି ମାର୍କସକୁ ଅନାଇ କହିଲା,- ‘‘କିନ୍ତୁ ଅନ୍ୟ ପ୍ରମାଣ ମଧ୍ୟ ଅଛି । ମାର୍କସ୍ ତମେ ଜାଣ ସେ ଧରା ପଡ଼ିଥିଲା ଯେତେବେଳେ ସେ ସେମାନଙ୍କର ଗୁପ୍ତସମିତିରେ ଯୋଗ ଦେଇ–’’

 

ମାର୍କସ୍ ତାକୁ କଥା ଶେଷ କରିବାକୁ ନ ଦେଇ ପଚାରିଲା–‘‘କ’ଣ କରୁଥିଲା ସେ, ଟିଗେଲିନସ୍ ? ଉପାସନା କରୁଥିଲା, ପ୍ରାର୍ଥନା କରୁଥିଲା, ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲା ? ଏ ସବୁ କରିବାରେ କ୍ଷତି କଣ ? ମୁଁ ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରେ, ସିଜରଙ୍କର ରାଜ୍ୟ ମଧ୍ୟରେ ଏହି ଖ୍ରୀଷ୍ଟିୟାନମାନଙ୍କ ପରି ଆଉ ଏପରି ଧାର୍ମିକ ପ୍ରଜା ନାହାଁନ୍ତି ।’’

 

ପୋପିୟା ଟିକିଏ ହସି ଦେଇ ତାଚ୍ଛିଲ୍ୟ ଭାବରେ ପଚାରିଲା–‘‘ମାର୍କସ୍‌, କଣ ଏହି ବିଶ୍ୱାସ ଲାଭ କରିବାକୁ ତୁମକୁ ଖ୍ରୀଷ୍ଟିୟାଣୀର ପ୍ରେମର ପଡ଼ିବାକୁ ହୋଇଥିଲା ?’’

 

ମାର୍କସ୍ ଏହି ବିଦ୍ରୂପର ଉତ୍ତର ଦେଲା ନାହିଁ । ନୀରୋ କହିଲା, “ଏହା ସତ୍ୟ ହେଲେ ମଧ୍ୟ ସେମାନଙ୍କର ଧାର୍ମିକତା ମୋର ଦୟାଲାଭ କରିବା ନିମନ୍ତେ ଉପଯୋଗୀ ନୁହେଁ । ଧାର୍ମିକତା ଏ ଜଗତର ଅଧେ ଆନନ୍ଦ ଆହ୍ଲାଦ ନଷ୍ଟ କରିଦେବ ।” ଏହା କହି କାମୁକ କାମଭାବରେ ସାମ୍ରାଜ୍ଞୀର ମୁହଁକୁ ଅନାଇଲା ।

 

ମାର୍କସ୍ ଉପରେ ପଡ଼ି କହିଲା, ‘‘ସିଜର, ଆର ଅଧକତ ଅଧାର୍ମିକତା ନଷ୍ଟ କରି ସାରିଲାଣି ।’’ ଦେଖାଗଲା, ନୀରୋ ଯେପରି ଏକଥା ଶୁଣି ରାଗିବାକୁ ଚେଷ୍ଟା କରୁଛି; କିନ୍ତୁ ସେ ଚେଷ୍ଟା ତ୍ୟାଗ କରି କହିଲା, ‘‘ୟେ, ଏହି ଖ୍ରୀଷ୍ଟୀୟାନଗୁଡ଼ାକ ନିତାନ୍ତ ସ୍ଫୁର୍ତ୍ତିଲେଶହୀନ ଧର୍ମପାଗଳ; ସେହି ଯିହୁଦୀଟାର ପୂଜା କରନ୍ତି, ଯାହାକୁ ପନ୍ତିୟ ପିଲାତ ଦୁଇ ଚୋରଙ୍କ ମଝିରେ ରଖି ଫାଶୀ ଦେଇଥିଲା ।’’

 

ମାର୍କସ୍‌ ଧୀର ଏବଂ ଦୃଢ଼ଭାବରେ ଉତ୍ତର ଦେଲା, ‘‘ଆଉ ସାକ୍ଷ୍ୟ ଦେଇଥିଲା ଯେ, ତାଙ୍କଠି କୌଣସି ପାପ କି ଦୋଷ ପାଇଲା ନାହିଁ ।’’

 

ନୀରୋ ରାଗିଯାଇ କହିଲା; ସେଇଠି ପନ୍ତିୟର ଦୋଷ । ‘‘ମୁଁ ପ୍ରାଚୀଖଣ୍ଡର ରାଜା ହେବି, ଆଉ ସେମାନେ ଏହି ନାଜରିତୀୟକୁ ରାଜା କରି ଛିଡ଼ା କରିଥିଲେ ।’’

 

‘‘ସେ କୌଣସି ପାର୍ଥିବ ରାଜା ପରି ନୁହଁନ୍ତି ।’’

 

‘‘ହଁ, ହଁ, ପାର୍ଥିବ ରାଜ୍ୟର ରାଜା ସ୍ୱରୂପ । ଆମେ ବିଶ୍ୱସ୍ତସୂତ୍ରରେ ଅବଗତ ହୋଇଅଛୁଁ, ସେ ଯିହୁଦାର ଲୋକମାନଙ୍କୁ ବିଦ୍ରୋହ କରିବାକୁ ଚେଷ୍ଟା କରିଥିଲା, ଯେପରି ସେମାନେ ତାଙ୍କୁ ଯିହୁଦୀୟମାନଙ୍କର ରାଜା ବୋଲି ଘୋଷଣା କରନ୍ତି ।’’

 

“ସିଜର, ପନ୍ତିୟ ପିଲାତ ନିଜେ ଚରମାନଙ୍କୁ ଘୁସ୍ ହେଇ ଏ ମିଥ୍ୟା ରଟନା କରାଇଛି । ସେ ଏ ଜଗତର ସାମ୍ରାଜ୍ୟ ଚାହିଁ ନାହାନ୍ତି, କିନ୍ତୁ ସେହି ସ୍ୱର୍ଗରାଜ୍ୟର ବିଷୟ ପ୍ରଚାର କରିଅଛନ୍ତି । ସେ ତାଙ୍କର ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ ସିଜରଙ୍କର ପ୍ରାପ୍ୟ ସିଜରଙ୍କୁ ଦେବାକୁ ଏବଂ ଈଶ୍ୱରଙ୍କର ପ୍ରାପ୍ୟ ଈଶ୍ୱରଙ୍କୁ ଦେବାକୁ ସେ ଥରକୁ ଥର ଲୋକମାନଙ୍କୁ କହିଛନ୍ତି, ତାଙ୍କର ରାଜ୍ୟ ଏ ଜଗତର ନୁହେଁ ।

 

“ୟେ, ଥାଉ, ଥାଉ, ଯଥେଷ୍ଟ କହିଲାଣି । ମୁଁ ସିଜର, ମୋର ଲୋକର ଜୀବନ ମରଣ ଉପରେ ଅଧିକାର ଅଛି । ମୁଁ ସ୍ଥିର କରିଅଛି, ଏହି ମର୍ସିୟା ଅନ୍ୟାନ୍ୟମାନଙ୍କ ସହିତ ଆଜି ମରିବ ।’’ ଏହା କହି ନୀରୋ ପୁନର୍ବାର ମାର୍କସ୍‌ ଆଡ଼ୁ ମୁହଁ ଫେରାଇ ନେଲା । ମାର୍କସ୍‌ କିନ୍ତୁ ତଥାପି ଛାଡ଼ିଲା ନାହିଁ, କହିଲା- ‘‘ସିଜର ମୋ କଥା ଆପଣଙ୍କୁ ଶୁଣିବାକୁ ହେବ । ଆପଣ ଜାଣନ୍ତି ମୁଁ ବିଶ୍ୱସ୍ତ ଏବଂ ବିଶ୍ୱାସଯୋଗ୍ୟ । ଆପଣଙ୍କର ତୋଷାମୋଦକାରୀ ଅନେକ, କିନ୍ତୁ ପ୍ରକୃତ ବନ୍ଧୁ ଖୁବ୍ କମ୍ ।

 

ନୀରୋ କମ୍ପିତ କଣ୍ଠରେ ପଚାରିଲା, ‘‘ୟେ–ତା ମାନେ–ତା ମାନେ ?’’

 

‘‘ଯାହା କହିବାକୁ ଗଲେ ଅନ୍ୟମାନେ ଭୟରେ କମ୍ପନ୍ତି ସେହି ସତ୍ୟ, ସିଜର, ଆପଣଙ୍କ ସମ୍ମୁଖରେ କହିବାକୁ କେବଳ ମୋହରି ସାହସ ଅଛି । ଆପଣଙ୍କ ସିଂହାସନ ଘେରି ଯେଉଁମାନେ ଆପଣଙ୍କର ପରିଚର୍ଯ୍ୟା କରୁଛନ୍ତି, ସେମାନେ ହୁଏତ ଭୟରେ, ନ ହୁଏ ଲୋଭରେ କରନ୍ତି–ଆପଣଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାବାନ୍‌ ହୋଇ ଖୁବ କମ୍‌ ଲୋକ କରନ୍ତି । ଲୋକେ ଦୁର୍ବହ ରାଜସ୍ୱ ଭାରରେ ନିଷ୍ପେଷିତ ହୋଇ ଆର୍ତ୍ତନାଦ କରୁଛନ୍ତି, ସୈନ୍ୟମାନେ ଅସନ୍ତୁଷ୍ଟ ଏବଂ ଅସ୍ଥିର ହୋଇ ଉଠିଲେଣି, ଆଉ ଯେଉଁମାନେ ଆପଣଙ୍କଠାରୁ ଦଣ୍ଡ ପାଇଛନ୍ତି, ସେମାନଙ୍କର ପରିବାରବର୍ଗ ଆପଣଙ୍କୁ ଘୃଣା କରନ୍ତି ।’’

 

ଏହିସବୁ ସତ୍ୟ ଏହି ପ୍ରଜାପୀଡ଼କକୁ ଯେପରି କ୍ରୂଦ୍ଧ କଲା, ସେହିପରି ବ୍ୟସ୍ତ ମଧ୍ୟ କରି ପକାଇଲା । ସେ ଜାଣିଥିଲା ସେ ସବୁ ସତ୍ୟ, ତଥାପି ସେ ସବୁ କେବଳ ନିଜ ସମ୍ମୁଖରେ ମଧ୍ୟ ସ୍ୱୀକାର କରିବାକୁ ତାହାର ସାହସ ନ ଥିଲା । ସେ ମାର୍କସ୍‌ ଆଡ଼କୁ ବୁଲି ପଡ଼ି ରାଗରେ ଚିତ୍କାର କରି ଉଠିଲା, ‘‘ମାର୍କସ୍‌, ବଡ଼ ବେଶୀ ବଢ଼ି ଯାଉଛ ! ସାବଧାନ ହୁଅ–’’

 

ମାର୍କସ୍ ଧୀରଭାବରେ ପଚାରିଲା, ‘‘କେଉଁ ବିଷୟରେ ସାବଧାନ ହେବି ? ଆପଣଙ୍କର କ୍ରୋଧ ସକାଶେ ? ଆପଣଙ୍କ ନିକଟରେ ବିଶ୍ୱସ୍ତ ହେବାର ମାନେ କଣ ଆପଣଙ୍କର ବିରାଗଭାଜନ ହେବା, ଆପଣଙ୍କର କ୍ରୋଧର ପାତ୍ର ହେବା ?’’

 

ନୀରୋ ଟିକିଏ ନରମ ହୋଇଗଲା, ତଥାପି ଯଥେଷ୍ଟ ବିରକ୍ତି ସହକାରେ କହିଲା, ‘‘ତାହା ନୁହେଁ; କିନ୍ତୁ ମୋର ଏପରି ଅପମାନ କରିବା ।’’

 

ମାର୍କସ୍ ପୋପିୟା ଆଡ଼କୁ ଅନାଇଲା, କିନ୍ତୁ ଏପ୍ରକାର ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନାଇଲା ସେ ତାହା ଦେଖି ପୋପିୟାର ମୁହଁ ଲଜ୍ଜାରେ ଆରକ୍ତିମ ହୋଇଗଲା । ମାର୍କସ୍ କହିଲା, “ସମ୍ରାଜ୍ଞୀ, ଏ ବିଷୟରେ ମୁଁ ଆପଣଙ୍କ ନିକଟରେ ବିଚାର ପ୍ରାର୍ଥନା କରୁଛି । ଆପଣ କଣ ବିଶ୍ୱାସ କରନ୍ତି, ମୁଁ ସିଜରଙ୍କ ପ୍ରତି ବିଶ୍ୱସ୍ତ ?’’
 

ମାର୍କସ ଦୃଷ୍ଟିରେ ଯେଉଁ ଅର୍ଥ ଥିଲା , ତାହା ପୋପିୟା ଖୁବ୍ ଭଲରୂପେ ବୁଝିପାରିଲା । ତାର ସ୍ଵାମୀ ନୀରୋର ଅମର୍ଯ୍ୟାଦା କରିବାକୁ ସେ କଣ ମାର୍କସ୍‌କୁ ବୃଥା ପ୍ରବର୍ତ୍ତାଇ ନ ଥିଲା ? ସେ ଧୀରଭାବରେ ଅଥଚ ନିଃସଂଶୟରେ କହିଲା–‘‘ମାର୍କସ୍‌, ମୁଁ ଜାଣେ ତୁମେ ବିଶ୍ୱସ୍ତ ।’’

 

ମାର୍କସ, ପୁଣି ନୀରୋ ଆଡ଼କୁ ଅନାଇ କହିବାକୁ ଲାଗିଲା,

 

‘‘ନିବିଡ଼ ଅନ୍ଧକାର ଆପଣଙ୍କର ଏବଂ ରୋମର ଚାରିଆଡ଼ୁ ଘରି ଆସୁଛି । ସେଠୁ ଦୁର୍ଦ୍ଦିନରେ ଅନ୍ତତଃ ଜଣକର ହାତ ବିଶ୍ୱସ୍ତ ରହିବ ଅନ୍ଧକାରରେ ପଥ ପ୍ରଦର୍ଶନ କରିବାକୁ, ରକ୍ଷା କରିବାକୁ ଏପରି କି ଜୀବନ ଦେଇ ରକ୍ଷା କରିବାକୁ, ଯଦି ମୋତେ କେବଳ ଏହି ବାଳିକାର ଜୀବନ ଭିକ୍ଷା ସ୍ଵରୂପ ଦାନ କରାହୁଏ । ସିଜର, ମୁଁ ପୂର୍ବେ କେବେ ଆପଣଙ୍କର ଅନୁଗ୍ରହପ୍ରାର୍ଥୀ ହୋଇ ନାହିଁ, ଆଜି କଣ ମୋତେ ଏହି ସାମାନ୍ୟ ବିଷୟ–ଗୋଟିଏ ଅବଳା ବାଳିକାର ଜୀବନ ଦେବାକୁ ପରାଙ୍ମୁଖ ହେବେ ?’’

 

ନୀରୋ ଅତ୍ୟନ୍ତ ବ୍ୟସ୍ତ ହୋଇ ଉଠିଲା, ଭୟରେ ଉଦ୍‌ବିଗ୍ନ ମଧ୍ୟ ହେଲା । ଚତୁର୍ଦ୍ଦିଗରେ ଥିବା ଅମାତ୍ୟବର୍ଗଙ୍କୁ ଏବଂ ରାଜ୍ୟର କର୍ମଚାରୀମାନଙ୍କ ଆଡ଼କୁ ଅନାଇଲା ଆଉ ମନେ ମନେ ବୁଝିଲା, ଯେ ଆଜି ଏହି ଖ୍ରୀଷ୍ଟିୟାନ ବାଳିକାର ଜୀବନ ଭିକ୍ଷା କରୁଛି, ସେହି ମାର୍କସ୍ ପରି ସେମାନଙ୍କ ମଧ୍ୟରୁ ଜଣେ କେହି ବିଶ୍ୱସ୍ତ ସତ୍ୟପରାୟଣ ନୁହଁନ୍ତି । ବାସ୍ତବିକ୍‌ ଜଣେ ସ୍ତ୍ରୀଲୋକ ମଲେ କି ବଞ୍ଚିଲେ ସେଥିରେ ତାର ବିଶେଷ କ୍ଷତି ବା ବୃଦ୍ଧ କଣ ? ସେ କାହିଁକି ଏ ସ୍ତ୍ରୀଲୋକକୁ ନିଷ୍କୃତି ଦେବ ନାହିଁ ? ସେ ନିଶ୍ଚୟ ଦେବ । ସମ୍ରାଜ୍ଞୀଙ୍କ ଆଡ଼କୁ ଅନାଇ କହିଲା–‘‘ପୋପିୟା, ୟେ, ୟେ, ଚାଲ ତାକୁ ଛାଡ଼ିଦେବା । କଣ କହୁଛ ?’’ କିନ୍ତୁ ପୋପିୟାକୁ ତାର ଈର୍ଷା ଅବିଚଳିତ କରି ରଖିଲା । ସେ ଅତି ସଂକ୍ଷେପରେ ଉତ୍ତର ଦେଲା ‘‘ନା ।’’

 

ନୀରୋ ପୋପିୟା ଆଡ଼ୁ ମୁହଁ ଫେରାଇ ଆଣି ମାର୍କସ୍‌କୁ ଅନାଇ କହିଲା; ‘‘ମାର୍କସ୍‌, ଏହା ହୋଇ ପାରିବ ନାହିଁ । ଏହି ଦଳକାଦଳ ଜଘନ୍ୟ ଜାନୁଆର କେବଳ ସିଜରଙ୍କର ଶତ୍ରୁ ନୁହଁନ୍ତି, ଦେଶ ପକ୍ଷରେ ମଧ୍ୟ ଅନିଷ୍ଟକର । ସେ ଖ୍ରୀଷ୍ଟିୟାନ, ଅତଏବ ସେ ଅନ୍ୟାନ୍ୟ ଖ୍ରୀଷ୍ଟିୟାନମାନଙ୍କ ପରି ମରିବ ।”

 

ମାର୍କସ୍ ଦେଖିଲା, ପୋପିୟାର ପ୍ରଭାବରେ ନୀରୋ ତାର ବିରୋଧୀ ହେଲା । ଘୃଣାର ସହିତ ପୋପିୟା ଆଡ଼କୁ ଅନାଇ ମାର୍କସ୍ କହିଲା; ‘‘ସିଜର, ଖ୍ରୀଷ୍ଟିୟାନ ଧର୍ମ ଦୋଷଜନକ ନୁହେଁ ।”

 

ପୋପିୟା ମାର୍କସ୍‌କୁ ତାର ଦୃଷ୍ଟିର ପ୍ରତ୍ୟୁତ୍ତର ଦେଲା ଅବଜ୍ଞାରେ ତା ଆଡ଼କୁ ଚାହିଁ; କହିଲା, ମାର୍କସ୍, ବେଶ୍ ଜୋର ସହିତ ଲଢ଼ୁଛି । ଏ କଣ ସମ୍ଭବ ଯେ ମାର୍କସ୍ ମଧ୍ୟ ଖ୍ରୀଷ୍ଟିୟାନ ହେବାକୁ ବସିଲାଣି ?

 

ଏ ପ୍ରଶ୍ନ ମାର୍କସ୍ ପକ୍ଷରେ ନିତାନ୍ତ ନିର୍ଦ୍ଦୟ ପ୍ରଶ୍ନ । ଉତ୍ତରରେ ହଁ କହିଲେ ନିଜ ମୁହଁରେ ନିଜର ମୃତ୍ୟୁଦଣ୍ଡ ଉଚ୍ଚାରଣ କରୁଛି, ତଥାପି ଭିତରୁ କି ଗୋଟାଏ ଶକ୍ତି ଖ୍ରୀଷ୍ଟଙ୍କୁ ଏକାବେଳେ ଅସ୍ୱୀକାର କରିବାକୁ ଦେଲାନାହିଁ , ଉତ୍ତରରେ କହିଲା,–‘‘ସମ୍ରାଜ୍ଞୀ, ଯେଉଁଠି ଏପରି ଦେବଦୂତ ବାଟ କଢ଼ାଇ ନେଉଛନ୍ତି, ସେଠି ଅଗ୍ରସର ହେବାକୁ ମୁଁ ବିଶେଷ ଦ୍ୱିଧା କରିବି ନାହିଁ ।’’

 

ଏହା ଶୁଣି ପୋପିୟା ଅବଜ୍ଞାରେ ହସିବାକୁ ଲାଗିଲା, କିନ୍ତୁ ଏ ହାସ୍ୟ ଭିତରର କ୍ରୋଧ ଗୋପନ କରି ପାରିଲା ନାହିଁ । କୃତ୍ରିମ କରୁଣା ପ୍ରଦର୍ଶନ କରି କହିଲା,–‘‘ବିଚାରା ମାର୍କସ୍‌ ! ତୁମେ ନିଶ୍ଚୟ ବଡ଼ ବେଶୀ ରକମ ପ୍ରେମରେ ପଡ଼ି ଯାଇଛ !’’

 

ତାର ଏହି ବ୍ୟଙ୍ଗୋକ୍ତି ମାର୍କସ୍‌କୁ ସବୁଠାରୁ ବେଶୀ ମାରାତ୍ମକ ସ୍ୱୀକାରୋକ୍ତି ଉଚ୍ଚାରଣ କରିବାକୁ ପ୍ରରୋଚିତ କଲା । ସେ କହିଲା, ‘‘ସାମ୍ରାଜ୍ଞୀ, ମୁଁ ମୋର ସମସ୍ତ ଦେହ ମନ ପ୍ରାଣ ସହିତ ଏ ପ୍ରେମରେ ପଡ଼ିଛି ।’’

 

ପୋପିୟା ଉତ୍ତର ଦେଲା, “ଏହି ଖ୍ରୀଷ୍ଟିୟାନମାନେ ନିଶ୍ଚୟ କୁହୁକ ଜାଣନ୍ତି, ବିଶେଷରେ ତୁମ ପରି ଲୋକକୁ ଯେତେବେଳେ ଏଡ଼େ ସହଜରେ ଜାଲରେ ପକାଇ ପାରିଛନ୍ତି ।

 

ମାର୍କସ୍ ପ୍ରଥମରେ ଗଭୀର ଘୃଣାର ସହିତ ପୋପିୟାକୁ ଅନାଇଲା, ତାପରେ ନିଜର ଜିହ୍ୱାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇ କଟ ଭାବରେ କହିଲା,– ‘‘ମର୍ସିୟାର କୁହୁକ ଅନିବାର୍ଯ୍ୟ, ତାର ମାୟାଜାଲ ବଡ଼ ଶକ୍ତ, ତାକୁ ଜଗତର ପତ୍ତନାବଧି ସେହି ମାୟାବିନୀ ବୁଣିଛି -ସେହି ନିର୍ଦ୍ଦୋଷ ନିଷ୍କଳଙ୍କ ନାରୀ ଚରିତ୍ରର ସୁଷମା ।’’

 

ପୋପିୟାର ମୁଖ ବନ୍ଦ ହେଲା । ସେ ରାଗରେ ଲାଲ ହେଇଗଲା, ହଠାତ୍‌ ପୁଣି ଶବ ପରି ତା ମୁହଁ ରକ୍ତଶୂନ୍ୟ ହୋଇଗଲା । ଯେଉଁ ଝଡ଼ ଉଠେଇଛି, ତାରି ଫଳାଫଳ ଭାବ ଭୟରେ ବେରେନିସର ମୁଣ୍ଡ ତାର ହାତ ଉପରକୁ ନଇଁ ପଡ଼ିଲା । ସଭାସଦ୍‌ବର୍ଗ ସ୍ତମ୍ଭତ ହୋଇ ଚକିତ ନେତ୍ରରେ ମାର୍କସ୍‌ର ସାହସ ଏବଂ ଧୃଷ୍ଟତା ଇକ୍ଷ୍ୟ କଲେ । ଏହି ସାମୟକ ନୀରବତା ଭାଙ୍ଗି ନୀରୋ କହିଲା,–“ସେ କିନ୍ତୁ ଖ୍ରୀଷ୍ଟିୟାନ ।”

 

ମାର୍କସ୍ ମିନତି କରି କହିଲା; “ହେଉ ପଛେ ସେ ଖ୍ରୀଷ୍ଟିୟାନ, ସିଜର ତାର ଜୀବନ ମୋତେ ଭିକ୍ଷା ସ୍ୱରୂପ ଦିଅନ୍ତୁ, ଏହି ଭିକ୍ଷା ମଞ୍ଜୁର କରିବା ଆପଣଙ୍କ ପକ୍ଷରେ ନିତାନ୍ତ ସାମାନ୍ୟ ବିଷୟ -ଏହା କରିବାକୁ ଆପଣଙ୍କୁ କେବଳ ପଦେ କଥା ଉଚ୍ଚାରଣ କରିବାକୁ ହେବ, କିନ୍ତୁ ସେହି ସାମାନ୍ୟ ପଦକ କଥା ମୋତେ ସ୍ଵର୍ଗ ସମ୍ପଦ ପ୍ରଦାନ କରିବ । ଆଉ କୌଣସି ମନୁଷ୍ୟ ଏଯାବତ୍ ଆପଣଙ୍କୁ ଯେପରି ସେବା କରିନାହଁ, ମୁଁ ସେହିପର ସେବା କରିବି । ତାର ଜୀବନ ମୋତେ ଦିଅ, ମୁଁ ଅନୁମୟ ବିନୟ କରି କହୁଛି, ମୋତେ ତାର ଜୀବନ ଦିଅ ।’’

 

ମାର୍କସ୍‌ର ପ୍ରାର୍ଥନା ନୀରୋର ମର୍ମସ୍ପର୍ଶ କଲା, ତାର ହୃଦୟ ସଞ୍ଚାଳିତ ହେଲା ଏହି ପ୍ରାର୍ଥନା ମଞ୍ଜୁର କରିବାକୁ, କିନ୍ତୁ ପୁନର୍ବାର ପୋପିୟା ଭାଙ୍ଗି ମାରିଲା । ନୀରୋ ହତାଶ ହୋଇ କହିଲା, ‘‘ମୁଁ ପାରିବି ନାହିଁ , ମାର୍କସ୍ ।’’

 

‘‘ଆପଣ ନିଶ୍ଚୟ ପାରିବେ । ସିଜର, ଭାବି ଦେଖନ୍ତୁ । ମୁଁ କି କେବେ ନିଜର ଜୀବନ ଏବଂ ଧନ ଆପଣଙ୍କ ସେବାରେ ବ୍ୟୟ କରିବାକୁ କୁଣ୍ଠିତ ହୋଇଛି ? ସିଜରଙ୍କ ଇଚ୍ଛା ମୋ ନିକଟରେ ଆଇନ ପରି ତାକୁ ପାଳିବାକୁ ଯାଇ ଶତ ଶତ ଖ୍ରୀଷ୍ଟିୟାନମାନଙ୍କର ନିର୍ଯ୍ୟାତନ କରିଛି, ସ୍ତ୍ରୀମାନଙ୍କୁ ସେମାନଙ୍କର ସ୍ୱାମୀ ମାନଙ୍କ ପାଖରୁ ଛିଣ୍ଡାଇ ଆଣିଛି–ଶିଶୁମାନଙ୍କୁ ମାତୃବକ୍ଷରୁ ଓଟାରି ଆଣିଛି - ଆଉ ରଙ୍ଗଭୂମିର ଅଗଣା ସେମାନଙ୍କର ରକ୍ତରେ ପ୍ଳାବିତ ହୋଇଛି । ଏ ସବୁ କର୍କଶ ଏବଂ ନିର୍ମମ ହେଲେ ସୁଦ୍ଧା ଏପର୍ଯ୍ୟନ୍ତ ଏ ସବୁକୁ, ଉଚିତ ଏବଂ ଆବଶ୍ୟକ ମନେ କରିଥିଲି । କିନ୍ତୁ ବର୍ତ୍ତମାନ ମୋର ଆଖି ଫୁଟିଛି, ଯଦିବା କୌଣସି କୌଣସି ସ୍ଥାନରେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର ଏବଂ ରାଜଦ୍ରୋହ ଥାଇପାରେ, ସେ ସବୁ ଖ୍ରୀଷ୍ଟିୟାନର କାର୍ଯ୍ୟ ନୁହେଁ । କାରଣ ନରହତ୍ୟା, କି ରାଜଦ୍ରୋହ କି ପରଦାର କି ଅନ୍ୟ କୌଣସି ପାପ ଖ୍ରୀଷ୍ଟଧର୍ମରେ ନାହିଁ । ଖ୍ରୀଷ୍ଟଧର୍ମ ସାର୍ବଜନୀନ ପ୍ରେମ, ଶାନ୍ତି, ଆତ୍ମବଳିଦାନ, ଦୟା । ସିଜର ମୋ ସକାଶେ, ରୋମ ସକାଶେ ଏବଂ ଆପଣଙ୍କର ନିଜର ମଙ୍ଗଳ ସକାଶେ ଏହି ବାଳିକାର ଜୀବନ ମୋତେ ଭିକ୍ଷା ସ୍ୱରୂପ ଦିଅ–କେବଳ ଏହି ବାଳିକାର ଜୀବନ ।’’

 

ମାର୍କସ୍ ହାତଯୋଡ଼ି ମୁଣ୍ଡ ନୂଆଁଇ ଅକିଞ୍ଚନ ପରି ନୀରୋର ପାଦତଳେ ପଡ଼ିଗଲା । ସେତବେଳେ ତାର ମର୍ମବେଦନା ଅତିଭୟାନକ ରକମର, ଉତ୍କଣ୍ଠା ଅସହନୀୟ ।

 

ପୋପିୟା ନୀରୋର ମୁହଁର ଚେହେରାକୁ ଜଗି ବସିଥିଲା । ତାର ମୁହଁର ଚେହେରାରେ ହୃଦୟର କୋମଳତା ଘୃଣାକ୍ଷରରେ ପ୍ରତିଫଳିତ ହେଲାକ୍ଷଣି ପୋପିୟାର ଦୃଷ୍ଟି ନିର୍ଦ୍ଦୟ ଭାବରେ ବିରୋଧ ଅଜ୍ଞା ଦେଉଥିଲା । ପୋପିୟା ନିଜ ନିକଟରେ ଏବଂ ବେରେନିସ୍‌ ନିକଟରେ ପ୍ରତିଜ୍ଞା କରିଛି, ମର୍ସିୟା ମରିବ, ଯଦିବା ସେ ମାର୍କସ୍‌ର ଦୃଷ୍ଟିରେ ଚିରକାଳ ପାଇଁ ଘୃଣାର ପାତ୍ର ହୋଇ ରହିବ, ତଥାପି ଯାହାରି ପ୍ରେମରେ ମାର୍କସ୍ ଏପରି ପାଗଳ, ସେହି ବାଳିକାକୁ ତାକୁ ଲାଭ କରିବାକୁ ଦେବ ନାହିଁ । ପୋପିୟା ଦୃଢ଼ତାର ସହିତ ଉତ୍ତର ଦେଲା ।

 

‘‘ମାର୍କସ୍‌, ତୁମେ ଭଲ କରି ଜାଣ, ଏହି ଖ୍ରୀଷ୍ଟିୟାନମାନେ ସମସ୍ତେ ଏକାରକମ ଦଣ୍ଡରେ ଦଣ୍ଡିତ । ଜଣକୁ ଛାଡ଼ି ଦେବା ଏବଂ ଆଉ ଜଣକୁ ଦଣ୍ଡ ଦେବା ଉଚିତ ହେବ ନାହିଁ । ପୁରୁଷ ହେଉ ଅବା ସ୍ତ୍ରୀ ହେଉ, କୌଣସି ଲୋକ ଖ୍ରୀଷ୍ଟଧର୍ମ ସ୍ୱୀକାର କରିବ, ଆଉ ରୋମରେ ଜୀବିତ ଅବସ୍ଥାରେ ରହିବ, ଏହା ହୋଇ ପାରିବ ନାହିଁ । ଯେଉଁ ଆଜ୍ଞା ସିଜର ଦେଇଛନ୍ତି, ତାହା ଅଟଳ ।’’

 

ମାର୍କସ୍ ହତାଶ ହୋଇ ବାଷ୍ପରୁଦ୍ଧ କଣ୍ଠରେ ପଚାରିଲା, ‘‘ତେବେ କଣ ମର୍ସିୟା ନିଶ୍ଚୟ ମରିବ ?’’

 

ପୋପିୟା ଚତୁରତାର ସହିତ ନିର୍ଭୟ ଭାବରେ ଉତ୍ତର ଦେଲା, ସେ ତାର ଧର୍ମବିଶ୍ୱାସ ଅସ୍ୱୀକାର କରୁ–ସମସ୍ତଙ୍କ ସାକ୍ଷାତରେ ଅସ୍ୱୀକାର କରୁ, ଆଉ ବଞ୍ଚୁ ।”

 

ନିର୍ବାଚନର ଏହି ଉପାୟାନ୍ତର ଦେଖି ନୀରୋ ଆଗ୍ରହର ସହିତ ପୋପିୟାର ପ୍ରସ୍ତାବରେ ସମ୍ମତି ପ୍ରଦାନ କଲା । ଦେଖିଲା, ଏଥିରେ ଜୀବନ ମରଣର ଦାୟିତ୍ୱ ବାଳିକାରର ନିଜ ମୁଣ୍ଡ ଉପରେ ପଡ଼ିବ । ପୋପିୟା ଆଡ଼କୁ ମୁଣ୍ଡ ହଲାଇ କହିଲା- “ଇଏ ? ଠିକ୍‌, ଠିକ୍, ତାହା କଲେ ସେ ବଞ୍ଚିବ ।’’

 

ମାର୍କସ୍ ପଚାରିଲ, ‘‘ତାହା ଯଦି ସେ ନ କରେ ?’’

 

‘‘ତା’ ହେଲେ ସେ ମରିବ—ଆଜି ମରିବ ।’’

 

ମାର୍କସ୍ ପୁଣି କାକୁତି ମିନତି କରିବାକୁ ଯାଉଥିଲା, କିନ୍ତୁ ନୀରୋ ହାତ ହଲାଇ ଯେପରି ତା କଥାକୁ ଠେଲି ଦେଲା, କହିଲା -

 

‘‘ସିଜର ଯାହା କହିଛନ୍ତି କହିଛନ୍ତି । ଆସ ବନ୍ଧୁବର୍ଗ; ସାର୍କସ୍‌ର ଖେଳସବୁ ଆମ୍ଭମାନଙ୍କର ଉପସ୍ଥିତିରେ ଅପେକ୍ଷା କରୁଛି । ଚାଲ, ରଙ୍ଗଭୂମିକୁ ଚାଲ । ଆଜିକାର ଖେଳ ସବୁଠୁଁ ବାହାର । ହା, ହା, ହା !’’ ନୀରୋ ପୋପିୟାର-ବାହୁରେ ଭରାଦେଇ ଉଠି ଘର ଛାଡ଼ି ଚାଲିଗଲା, ଅନ୍ୟାନ୍ୟ ସଭାସଦ୍‌ବର୍ଗ ନୀରୋର ପଛେ ପଛେ ଚାଲିଗଲେ, କେବଳ ରହିଗଲା ବେରେନିସ୍ । ଯଦିବା ମାର୍କସ୍ ତାହା ଲକ୍ଷ୍ୟ କଲା ନାହିଁ ।

 

ମାର୍କସ୍ ଆଶାରେ ନିରାଶ ହୋଇ ସେତେବେଳକୁ ରାଗରେ ପାଗଳ ପରି । ସେ ଜାଣିଥିଲା, ମର୍ସିୟା ଏ ସବୁ ପନ୍ଥା ଅବଲମ୍ବନ କରିବ ନାହିଁ । ମର୍ସିୟା ତାର ଧର୍ମବିଶ୍ୱାସ ଅସ୍ୱୀକାର କରିବ ? କେତେବେଳେ ନୁହେଁ ! କିନ୍ତୁ ନ କଲେ ମରିବ ଯେ, ମର୍ସିୟା ଆଜି ମରିବ ? ତାହା କେତେବେଳେ ହେବ ନାହିଁ ! କିନ୍ତୁ ରକ୍ଷାର ଉପାୟ କଣ ? ସେ ତ ଭୟ କଣ ଜାଣେ ନାହିଁ । ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବାକୁ ପଶ୍ଚାତ୍‌ପଦ ହେବ ନାହିଁ । ମର୍ସିୟା ଆଉ ମୃତ୍ୟୁ ! ଏ ଚିନ୍ତାହିଁ ଯେ ଭୟାନକ–ଯେଉଁ ସ୍ତ୍ରୀଲୋକମାନେ ତାର ମୃତ୍ୟୁ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ସେମାନଙ୍କୁ ସେ ଅଭିଶାପ ଦେବାକୁ ଲାଗିଲା ।

 

ବେରେନିସ ଭୟର ସହିତ ତାକୁ ଲକ୍ଷ୍ୟ କରୁଥାଏ । କଥା କହିବାକୁ ସାହସ କରୁ ନ ଥାଏ । ଅବଶେଷରେ ଅତି ଧୀରେ କୋମଳସ୍ୱରରେ ଡାକିଲା,

 

‘ମାର୍କସ୍‍,’

 

ମାର୍କସ୍ ପଛକୁ ବୁଲିପଡ଼ି ଅନାଇଲା, ବେରେନିସ୍‍କୁ ଦେଖିଲା-ଆଖି ସେତେବେଳକୁ ହିଂସ୍ର ପଶୁର ଆଖି ପରି ଜଳିଲାଣି । କହିଲା, “ହା ହା ! ତୁମେ ରହିଗଲ କି ? ଓରମାନ ମେଣ୍ଟିଲା-?’’

 

“କେଉଁଥିରେ ?’’

 

‘‘ଯେଉଁ ଭଲ କାମଟି ଆଜି କରିଛ ସେଥିରେ । ଶୁଣ, ଶୁଣ–ମର୍ସିୟା ମରିବ–ଆଜି ମରିବ ।’’

 

ବେରେନିସ୍‌ ଉତ୍ତର ଦେଲା, ‘‘ତା ଭଲ ହେବ ।’’

 

ମାର୍କସ ଏ ଉତ୍ତରର ମର୍ମ ଗ୍ରହଣ କଲା କି ନାହିଁ ସେହି ଜାଣେ । ପାଗଳ ପରି ଆବୃତ୍ତ କରି ପଚାରିଲା, ‘‘ଭଲ ହେବ ? କାହାର ଭଲ ହେବ ?

 

‘‘ଅନ୍ତତଃ ତୁମ ସକାଶେ ଭଲ ହେବ; ତୁମର ବୃଦ୍ଧି ବୃତ୍ତି ଫେରି ଆସିବ, ଯେତେବେଳେ ସେ ମରିବ ।’’

 

‘‘ଯେତେବେଳେ ସେ ମରିବ ? ଯେତେବେଳେ ସେ ମରିବ, ସେତେବେଳେ ମାର୍କସ୍ ମଧ୍ୟ ମରିବ ।’’

 

‘‘କଣ ?’’

 

ମାର୍କସ୍‌ ପ୍ରଗଳ୍‌ଭ ବାତୁଳର ସ୍ୱଗତ ଭକ୍ତ ପରି ବକିଗଲା–‘‘ଯେତେବେଳେ ମର୍ସିୟା ମରିବ, ସେତେବେଳେ ଏହି ଜନସଂଘଶବ୍ଦମୟୀ ଧରଣୀପୃଷ୍ଠରୁ ଆଲୋକ ନିଭିଯିବ,–ପୁଷ୍ପରୁ ସୌରଭ ଆଉ ପ୍ରସରିବ ନାହିଁ, ପକ୍ଷୀମାନଙ୍କର କଳକୂଜନ ବନ୍ଦ ହୋଇଯିବ, ଗ୍ରହ ନକ୍ଷତ୍ର ଅମ। ଅନ୍ଧକାରରେ ମୁହଁ ଲୁଚାଇବେ, ପବିତ୍ର ପ୍ରଭାତ ତାର ଶୋଭାସମ୍ପଦ ନେଇ ଆଉ ଫେରି ଆସିବ ନାହିଁ, ସୂର୍ଯ୍ୟ ଚିରଦିନ ନିମନ୍ତେ ଅନ୍ଧକାରର ଗଭୀର ଆବର୍ତ୍ତ ମଧ୍ୟରେ ହଜିଯିବ; ସେତେବେଳେ ମର୍ସିୟା ମରିବ ।’’

 

ବେରେନିସ୍‌ ତାର କୋମଳ ଗଳାରେ ସଙ୍ଗୀତର ମୃଦୁ ଝଙ୍କାର ତୋଳି କହିଲା, ‘‘ମର୍ସିୟା ମଲେ ଅନ୍ୟମାନେ ତ ବଞ୍ଚି ରହିବେ ।’’

 

ମାର୍କସ୍‌ କହିଲା, ‘‘ମର୍ସିୟା ମରିଗଲେ ଅନ୍ୟମାନେ ବଞ୍ଚି ରହିବେ ? ହେ ନାରି, ମନ ଦେଇ ଶୁଣ । ଯେଉଁମାନେ ତାର ମୃତ୍ୟୁ ଘଟାଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ କେହି ବଞ୍ଚିବେ ନାହିଁ, ଯେତେବେଳେ ମର୍ସିୟା ମରିବ–ଶୁଣୁଛ ? ମୋ ଭବିଷ୍ୟଦ୍‌ବାଣୀ ଶୁଣୁଛ?’’ ମାର୍କସ୍‌ ସେତେବେଳକୁ କ୍ରୋଧରେ ଏବଂ ନୈରାଶ୍ୟରେ ଦିକ୍‌ବିଦିକ୍‌ଜ୍ଞାନଶୂନ୍ୟ ।

 

ବେରେନିସ୍ କହିଲା, “ମାର୍କସ୍, ତୁମେ ପାଗଳ ହୋଇଗଲଣି । ସେ ତୁମର ଯୋଗ୍ୟ ନୁହେଁ ।’’

 

ମାର୍କସ୍ ଚିତ୍କାର କରି ଉଠିଲା, ‘‘ସେଇ କେବଳ ମୋର ଯୋଗ୍ୟ । ଜଗତର ପତନାବଧି, ଯୁଗପର୍ଯ୍ୟାୟର ଆରମ୍ଭରୁ ଦେବତାମାନେ ଏହାହିଁ ନିରୂପଣ କରିଛନ୍ତି । ସେଇ ମୋର ଯୋଗ୍ୟ–ମୋ ମଧ୍ୟରେ ଯାହା କିଛି ଅଯୋଗ୍ୟ ଥିଲା ତାକୁ ଦହନ କରିଛି; କର୍ଦ୍ଦମରୁ, ଅଧଃପତନରୁ ମୋ ପ୍ରାଣକୁ ତୋଳି ଆଣିଛି, ମନ୍ଦକୁ ଘୃଣା କରିବାକୁ ଶିଖାଇଛି, ଭଲପାଇଁ ଲାଳାୟିତ କରିଛି, ଅନ୍ଧକାରରୁ ଆଲୋକକୁ, ଅସତ୍ୟରୁ ସତ୍ୟକୁ ପୃଥକ୍ କରି ଦେଖିବାକୁ ମୋର ଆଖି ଫିଟାଇଛି । ହେ ନାରି, ମର୍ସିୟା ମୋର, ଏତେ ଯୋଗ୍ୟ ଯେ, ସେ ମୋର ନାସାରନ୍ଧ୍ରରେ ପ୍ରାଣବାୟୁ, ଏ ଜଡ଼ ପିଣ୍ଡରେ ଜୀବନ; ଆଉ ସେ ଯେତେବେଳେ ମରିଯିବ, ଏ ଜଡ଼ପିଣ୍ଡକୁ ଜୀବିତ ରଖିବାପାଇଁ ବିଶୁଦ୍ଧ ବାୟୁ ଜଗତରେ ଆଉ ମିଳିବ ନାହିଁ ।’’

 

ଏ ସବୁ ଶୁଣି ଶୁଣି ସେତେବେଳକୁ ବେରେନିସ୍‍ର ବ୍ରହ୍ମରନ୍ଧ୍ରରେ ଅଗ୍ନି ପ୍ରବେଶ କଲାଣି, ହୃଦୟ ଦୟାମାୟାଶୂନ୍ୟ ହେଲାଣି । ସେ ଚିତ୍କାର କରି କହିଲା, “ତେବେ ସେ ମରୁ, ଆଉ ତୁମେ ମଧ୍ୟ ତା ସାଙ୍ଗରେ ମର । ମର୍ସିୟା ତୁମକୁ ଲାଭ କରିବା ଅପେକ୍ଷା ବରଂ ତୁମର ମରିବାହିଁ ଭଲ ।’’

 

ମାର୍କସ୍ ଏହା ଶୁଣି ପାଗଳ ପରି କହିବାକୁ ଲାଗିଲା, “ନାହିଁ; ନାହିଁ ସେ ମରିବ ନାହିଁ, ସେ ମରିବ ନାହିଁ । ମୁଁ ତାକୁ କାରାଗାରର ଅନ୍ଧକୂପରୁ ଓଟାରି ଆଣିବି । ଏପରି କୌଣସି ପ୍ରହରୀ ନାହିଁ, ଅର୍ଗଳ ନାହିଁ, ଆଇନ୍‌ ନାହିଁ, ନୀରୋର ଶତସହସ୍ର ଅକ୍ଷୌହିଣୀ ନାହିଁ; ଯାହା ମର୍ସିୟାକୁ ମୋଠାରୁ ପୃଥକ୍ କରି ରଖି ପାରିବ । ଯାଅ, ଯାଅ, ଏ କଥା ନୀରୋକୁ କହ, ଏଇକ୍ଷଣି କହ ।’’

 

ମାର୍କସ୍ ବେରେନିସ୍ ଆଡ଼କୁ ଭୟଙ୍କର ଭାବରେ ଅଗ୍ରସର ହେଲା, କିନ୍ତୁ ଅଳ୍ପଦୂର ନ ଯାଉଣୁ ଆପଣାକୁ ସମ୍ଭାଳି ନେଲା, ଆଉ ଅନୁଚ୍ଚାର୍ଯ୍ୟ ଘୃଣାର ସହିତ ତାହା ଆଡ଼କୁ ଅନାଇ ସେ ଘରୁ ବାହାରିଗଲା ।

 

ବେରେନିସ୍‍ ଏକାକୀ । ଏଇ କଣ ତେବେ ସବୁ ମନ୍ତ୍ରଣା, ସବୁ ବିଶ୍ୱାସଘାତକତାର ଶେଷଫଳ ? ଏତେ କରି ସୁଦ୍ଧା ସେ ତ ତାକୁ ମର୍ସିୟା ପାଖରୁ ପୃଥକ୍ କରି ପାରିଲା ନାହିଁ, ବରଂ ମୃତ୍ୟୁର ବନ୍ଧନରେ ଚିରକାଳ ନିମନ୍ତେ ଏକତ୍ର ଆବଦ୍ଧ ରହିବାକୁ ସେମାନଙ୍କୁ ସୁଯୋଗ କରିଦେଲା । ସେ କିନ୍ତୁ ତା ନିଜ କଲାକର୍ମର ଦଣ୍ଡ ପାଇଲା ।

 

ମାର୍କସ୍ ପ୍ରତି ତାର ପ୍ରେମ ବର୍ତ୍ତମାନ ଯେପରି ପ୍ରବଳ ହୋଇ ଉଠିଲା, ଏପରି ପ୍ରବଳ ପ୍ରେମ ସେ ପୂର୍ବରେ କେବେ ଅନୁଭବ କରି ନ ଥିଲା । ତାହାର ସାହସ, ପୁରୁଷତ୍ୱ, ନିଷ୍ଠାପରତା, ବିପଦକୁ ଅଗ୍ରାହ୍ୟ କରିବା ପ୍ରଭୃତି ଯେଉଁ ସବୁ ଗୁଣ ନୀରୋ ସହିତ କଥା କହିବା ବେଳେ ସେ ଲକ୍ଷ୍ୟ କରିଥିଲା, ସେହି ସବୁ ବିଷୟ ଚିନ୍ତା କରି ବେରେନିସ୍, ଅଧିକ ବ୍ୟଥିତ ହେଲା ।

 

ବେରେନିସ୍ ପୂର୍ବରୁ ତାକୁ ପ୍ରେମ କରୁଥିଲା ସତ୍ୟ, କିନ୍ତୁ ବର୍ତ୍ତମାନ ପ୍ରାଣର ଦେବତାରୂପରେ ପୂଜା କଲା । ଏହି ଖ୍ରୀଷ୍ଟିୟାନ ବାଳିକା ତାର ଯେଉଁ ପ୍ରେମ ଆକର୍ଷଣ କରିଛି, ତାକୁ ଲାଭ କରିବା ସକାଶେ ସେ ଆନନ୍ଦରେ ନିଜର ଶକ୍ତିସାମର୍ଥ୍ୟ ସମ୍ମାନ ସମ୍ପତ୍ତି-ସମସ୍ତ ଜଳାଞ୍ଜଳି ଦେଇଥାନ୍ତା । ଏପ୍ରକାର ପୁରସ୍କାର ପାଇଁ ସେ ଆନନ୍ଦରେ ମୃତ୍ୟୁକୁ ବରଣ କରିଥାନ୍ତା । ବର୍ତ୍ତମାନ ବା ସେ କି ସକାଶେ ବଞ୍ଚି ରହିବ ? ସେ ଅପରିବର୍ତ୍ତନୀୟ–ଅନ୍ୟ କାହାରିକୁ ପ୍ରେମ କରି ପାରିବ ନାହିଁ । ଜଗତ୍‌ ତା ପକ୍ଷରେ ଶୂନ୍ୟ, ହୃଦୟ ଭଗ୍ନ, ଜୀବନ ଲକ୍ଷ୍ୟବିହୀନ । ମୃତ୍ୟୁ ! ମାର୍କସ୍‌ ନିମନ୍ତେ ମୃତ୍ୟୁ, ମୁକ୍ତିର ଏ ଉପାୟ ଆନନ୍ଦର ସହିତ ବରଣୀୟ ।

 

ବେରେନିସ୍‌ର ମୁଣ୍ଡ ଉପରେ ଆକାଶ ଭାଙ୍ଗି ପଡ଼ିଲା । ଧୀରେ ଆସନରୁ ଉଠିଲା, ବେଦନାବ୍ୟଥିତଚିତ୍ତରେ ମୃଦୁମନ୍ଥର ଗତିରେ ଧୀରେ ଧୀରେ ନିଜର ଗୃହ ଆଡ଼କୁ ଅଗ୍ରସର ହେଲା-। ଘରେ ପହଞ୍ଚି ଚାକରବାକର ସଙ୍ଗରେ ପ୍ରାୟ କଥା କହିଲା ନାହିଁ, ନୀରବରେ ନିଜର ନିଭୃତ କୋଠରୀକୁ ଶୋଇବାଘରକୁ ଚାଲିଗଲା, କହିଗଲା କେହି ଯେପରି ତାକୁ ନ ଉଠାନ୍ତି, କି ବିଶ୍ରାମ କରିବାବେଳେ ବିରକ୍ତ ନ କରନ୍ତି ।

 

ତାର ଆଜ୍ଞା ପ୍ରତିପାଳିତ ହେଲା, ଏ ଜୀବନରେ ତାକୁ କେହି ଆଉ ବିରକ୍ତ କରି ନ ଥିଲେ ।

 

ଦୀର୍ଘଦିବସର କ୍ଳାନ୍ତିନେଇ ସୂର୍ଯ୍ୟ ଯେତେବେଳେ ଅସ୍ତଗିରି ଉପରେ ଆଉଜି ପଡ଼ିଲେ, ଆଉ ଏଯାବତ୍ ବେରେନିସ୍‍ର ସୋର ଶବ୍ଦ ଶୁଣାଗଲା ନାହିଁ, ଦାସୀ ଭୀତଶଙ୍କିତ ଚିତ୍ତରେ ଅତି ସନ୍ତର୍ପଣରେ ବେରେନିସ୍‍ର ଶୋଇବା ଘରେ ପଶି ଦେଖିଲା କର୍ତ୍ତ୍ରୀ ନିଶ୍ଚିନ୍ତରେ ନିଦ୍ରା ଯାଇଛନ୍ତି । ସେ ଯେଉଁ ଲୁଗାପଟା ପିନ୍ଧି ଘରକୁ ଫେରିଥିଲେ, ସେହି ଲୁଗାପଟା ଦେହରେ ଅଛି, ଦକ୍ଷିଣ ହସ୍ତରେ ବସନାଞ୍ଚଳକୁ ବଜ୍ର ମୁଷ୍ଟିରେ ଟାଣି ଧରିଛନ୍ତି, ତପ୍ତ ଦୃଦୟର ଜ୍ୱାଳା ନିବାରଣ କରିବା ପାଇଁ ଯେପରି ଉତଳା ହୋଇ ବକ୍ଷରୁ ବସନ ଅପସାରିତ କରି ଦେଇଛନ୍ତି, ସେହି ଆବରଣମୁକ୍ତ ବକ୍ଷଦ୍ୱୟ ଉପରେ ଅଙ୍ଗୁରୀୟଭାରାକ୍ରାନ୍ତ ବାମହସ୍ତ ଅଯତ୍ନନ୍ୟସ୍ତ । ଯେତେବେଳେ ବାମ ହସ୍ତ ଉଠାଇ ଦିଆଗଲା, ତା ତଳେ ଥିଲା ଗୋଟିଏ ଛୋଟ ଛୁରିର ସ୍ଵର୍ଣ୍ଣମଣିମୟ ବେଣ୍ଟ ଆଉ ଛୁରି ହୃଦୟ ମଧ୍ୟରେ ବେଣ୍ଟ ପର୍ଯ୍ୟନ୍ତ ପ୍ରୋଥିତ ।

 

ଜାତି ଗର୍ବରେ ଗରବିନୀ; ଯୌବନମଦମତ୍ତା; ସୁନ୍ଦରୀ ବେରୋନିସ୍‍, ବର୍ତ୍ତମାନ ଶାନ୍ତ, ନିର୍ବାକ, ନିସ୍ପନ୍ଦ । ବାତ୍ୟାବିତାଡ଼ିତ ପ୍ରାଣତରୀ ତାରା ଅନ୍ଧକାରରେ ବୁଡ଼ିଗଲା ସିନା । ଅଳ୍ପଦିନ ପୂର୍ବରେ ଜଗତ୍ ତା ନିକଟରେ କିପରି ରଙ୍ଗୀନ ଦେଖାଯାଉଥିଲା, କିପରି ବିଲୋଳ ଚିତ୍ରରେ ଚିତ୍ରିତ ହୋଇଥିଲା, ରୋମର ସ୍ତ୍ରୀଲୋକଙ୍କ ମଧ୍ୟରେ ଅଧିକ ସମ୍ପତ୍ତିଶାଳୀ ହୋଇ ସୁଦ୍ଧା, ରୂପବତୀ ଏବଂ ଗୁଣବତୀ ହୋଇ ସୁଦ୍ଧା, ସମସ୍ତ ଇଚ୍ଛା ପୂର୍ଣ୍ଣ କରିବାର ଅବକାଶ ଥାଇ ସୁଦ୍ଧା, (ଅବଶ୍ୟ ଗୋଟିଏ ଇଚ୍ଛା ବ୍ୟତୀତ, ଯାହା ଅପୂର୍ଣ୍ଣ ରହିବାରୁ ଅନ୍ୟାନ୍ୟ ସମସ୍ତ ବିଷୟ ବିଷାଦମୟ ହୋଇଥିଲା), ପ୍ରତ୍ୟକ୍ଷ ଭାବରେ ତାର ଏବଂ ଦୀର୍ଘଜୀବନ ଉପଭୋଗ ମଧ୍ୟରେ ପ୍ରତିବନ୍ଧକ ସ୍ଵରୁପ ଛିଡ଼ା ହେବାକୁ କୌଣସି ବିଷୟ ନ ଥାଇ ସୁଦ୍ଧା-ବେରେନିସ୍, ଆଜି ତୁଷାର ଶୀତଳ, ନୀରବ, ନିସ୍ପନ୍ଦ, ନିଜର ମୃତ୍ୟୁ ନିଜ ହସ୍ତରେ ବିଧାନ କରିଛି, ଆତ୍ମଘାତୀ ହୋଇଛି, ପ୍ରତ୍ୟାଖ୍ୟାତ ପ୍ରଣୟର ଗଭୀର ଦୁଃଖରେ ଅଭିଭୂତ ହୋଇ ଅଗ୍ରପଶ୍ଚାତ୍ ନ ଭାବି ସେହି ଅଜ୍ଞାତ ସ୍ଥାନକୁ ଚାଲିଯାଇଛି, ଯେଉଁଠୁ କେହି ଫେରନ୍ତି ନାହିଁ ।

 

ବିଚାର ବେରେନିସ୍ -ଉଦ୍ଦାମ, ଉନ୍ମତ୍ତ, ପ୍ରେମପାଗଳିନୀ ବେରେନିସ୍ ! ତୋର ସମସ୍ତ ରୂପ, ସୌନ୍ଦର୍ଯ୍ୟ ଲାଭ କରି ପାରିଲା ନାହିଁ । ସେହି ପ୍ରେମ ଯାହା ତୋର ପ୍ରାଣର ପ୍ରାଣ, ତାର ସମସ୍ତ ଧନ ସମ୍ପତ୍ତି କିଣି ପାରିଲା ନାହିଁ ସେହି ହୃଦୟ ପ୍ରେମ ଯାହା ତୋର ଜୀବନ ସର୍ବସ୍ୱ ଜଗତରେ ତୋର ଏକମାତ୍ର ଆକିଞ୍ଚନ । ସେହି ଦୟାର ଆଧାର ତୋତେ ଦୟା କରନ୍ତୁ ! ତୋର ପାପ ଥିଲା ତୋର ପ୍ରେମ ଯଦି ପ୍ରେମ -କେବେ ପାପ ହୋଇ ପାରେ-ଆଉ ତୁ ସମସ୍ତ ଦେହମନ ପ୍ରାଣ ଦେଇ ପ୍ରେମ କରୁଥିଲୁ ବୋଲି ସେହି ସତ୍ୟ ପ୍ରେମର ଆକର ତୋତେ ତାଙ୍କର ଶାନ୍ତି ଦିଅନ୍ତୁ, ତୋତେ ସତ୍ୟ ସତ୍ୟ ବିଶ୍ରାମ ଦେଉନ୍ତୁ ।

Image

 

ଊନବିଂଶ ପରିଚ୍ଛେଦ

ଉତ୍ସବର ଦିନ

 

ସେ ଦିନ ରୋମରେ ଉତ୍ସବ । ନୀରୋର ଅଜ୍ଞାରେ ଦିନଧାର୍ଯ୍ୟ କରାଯାଇଛି । ସାର୍କସ୍‍ରେ ଏପରି କ୍ରୀଡ଼ାକୌତୁକ ହେବ, ଯାହାକି କେହି କେବେ ଦେଖି ନାହିଁ । ବିଖ୍ୟାତ ମଲ୍ଲଯୋଦ୍ଧାମାନେ, ଗାୟକ ଓ ଅଭିନେତୃଦଳ ସେଦିନ ନିଜ ନିଜର ନୈପୁଣ୍ୟ ଦେଖାଇବେ; କିନ୍ତୁ ଖ୍ରୀଷ୍ଟିୟାନମାନଙ୍କୁ ଯେ ବଧ କରାଯିବ ତାହାହିଁ ସବୁଠାରୁ ବେଶୀ ଅଧିକାଂଶ ଲୋକଙ୍କୁ ଆକର୍ଷଣ କରିବ ବୋଲି ଆଶା କରାଯାଇଥିଲା । ବଧଯୋଗ୍ୟ ଲୋକଙ୍କ ସଂଖ୍ୟାର କଥା ଶୁଣି ଏବଂ ଯେଉଁ ହିଂସ୍ର ପଶୁମାନଙ୍କର ସମ୍ମୁଖୀନ ସେମାନଙ୍କୁ କରାଯିବ, ସେହି ପଶୁମାନଙ୍କୁ କିପରି ଉତ୍ତେଜିତ କରା ହୋଇଛି, ତାହାର ଖବର ପାଇ ସହର ଗୋଟାକଯାକ ଆଗ୍ରହରେ ଏବଂ ଉତ୍ତେଜନାରେ ପ୍ରାୟ ଅଧୀର । ବନ୍ଦୀମାନଙ୍କୁ ଯନ୍ତ୍ରଣା ଦେବାକୁ ଏବଂ ବଧ କରିବାକୁ ଯେ ନାନା ଅଭିନବ ଉପାୟ ଉଦ୍ଭାବନ କରା ହୋଇଅଛି; ଏହି ଖବର ଲୋକ ସାଧାରଣଙ୍କର ଦର୍ଶନଲାଳସା ବୃଦ୍ଧିକଲା, ସେଥିପାଇଁ ଯେଉଁମାନେ ସମୟ ଓ ସୁବିଧା କରି ପାରିଲେ, ରଙ୍ଗାଳୟ ଆଡ଼କୁ ଅଗ୍ରସର ହେଲେ ।

 

ରାସ୍ତାମାନଙ୍କରେ ଲୋକ ଜନ୍ତାଜନ୍ତି । ପେଷାକ ପରିଚ୍ଛଦ ପିନ୍ଧି ହାତରେ ଫୁଲମାଳ ଗୁଡ଼ାଇ କି ପୁରୁଷ, କି ସ୍ତ୍ରୀ, କି ପିଲା ସମସ୍ତେ ଆନନ୍ଦରେ ଅଧୀର ହୋଇ ଚାଲିଛନ୍ତି ଦେଖିବାକୁ କେମିତି ସେମାନଙ୍କର ସ୍ଵଜାତୀୟ ପ୍ରାଣୀ ଭୟାବହ ଏବଂ ଲଜ୍ଜାଜନକ ମୃତ୍ୟୁର ସମ୍ମୁଖୀନ ହେବେ । ହୃଦୟଶୂନ୍ୟ ଡାସିୟା ଏମାନଙ୍କ ମଧ୍ୟରେ ଜଣେ, ସଙ୍ଗରେ ବ୍ୟବହାରୋପଯୋଗୀ ଅସ୍ତ୍ର ଫିଲୋଡ଼ିମସ୍ । ରଙ୍ଗାଳୟର ଦ୍ୱାର ନିକଟରେ ଗ୍ଳାବ୍ରିଓ ଡାସିୟାକୁ ଭେଟିଲା ଅଭିବାଦନ କରି ପଚାରିଲା, ଡାସିୟା, ଡାସିୟା, କୁଆଡ଼େ ଯାଉଛ କି ?

 

‘ଆଉ କୁଆଡ଼େ ? ସାର୍କସ୍‍କୁ । କାହିଁକି, ତୁମେ ଯିବ ନାହିଁ କି ?” ଏହି କଥା ପଚାରୁ ପଚାରୁ ଡାସିୟ। ଥିରକିନି ହାତରୁ ହାତ ପଙ୍ଖା ତଳକୁ ଖସାଇ ଦେଲା । ସେବାପରାୟଣ ସତର୍କ ଫିଲୋଡ଼ିମସ୍ ପଙ୍ଖାକୁ ସାଙ୍ଗେ ସାଙ୍ଗେ ସାଉଣ୍ଟି ଆଣି ଡାସିୟା ହସ୍ତରେ ପ୍ରତ୍ୟର୍ପଣ କଲା ।

 

ଗ୍ଲାବ୍ରିଓ ଗମ୍ଭୀର ଭାବରେ ମୁଣ୍ଡ ହଲାଇ କହିଲା, କେଜାଣି ଯାଇପାରିବି କି ନାହିଁ ।’’

 

କାହିଁକି ମ ?

 

ମୋ ମନଟା ଟିକିଏ ନରମ କି ନା, ସେଥି ସକାଶେ ଏହି ଖ୍ରୀଷ୍ଟିୟାନମାନଙ୍କର ହାଣକଟା ଦେଖିବାକୁ ମୋତେ ସେତେ ଭଲ ଲାଗେ ନାହିଁ ।”

 

‘‘ଗ୍ଳାବିଓ ବୟସ ସଙ୍ଗେ ସଙ୍ଗେ ସ୍ତ୍ରୀଜନସୁଲଭ କାପୁରୁଷତା ମଧ୍ୟ ତୁମକୁ ଆକ୍ରମଣ କଲାଣି କି ?’’

 

‘‘ଗ୍ଳାବ୍ରିଓ ଉତ୍ତର ଦେଲା, କାପୁରୁଷତା ? ତାହା ନୁହେଁ, ସୁନ୍ଦରୀ । ଦୟା ପ୍ରଦର୍ଶନ କରିବା କି କୋମଳସ୍ୱଭାବ ବିଶିଷ୍ଟ ହେବା ଆଉ ସ୍ତ୍ରୀଲୋକର କାର୍ଯ୍ୟ ନୁହେଁ । ଲିଙ୍ଗାନୁଶାସନ ପରିବର୍ତ୍ତିତ ହେଉଛି- ସ୍ତ୍ରୀଲୋକେ ଆଜିକାଲି ପ୍ରଣୟ-ପ୍ରାର୍ଥନା କଲେଣି; ଏଣିକି ପୁରୁଷଯାକ ଶିକାରୀ ନୁହଁନ୍ତି, ଶିକାରର ପଶୁ ହେଲେଣି । ଗ୍ଲାଡ଼ିଏଟର ମଲ୍ଲଯୋଦ୍ଧା ଯେତେବେଳେ ଆହତ ହୋଇ ରଙ୍ଗମଞ୍ଚର ଚତୁର୍ଦ୍ଦିଗରେ ସମବେତ ଲୋକଙ୍କ ଆଡ଼କୁ କାତର ଦୃଷ୍ଟିରେ ଅନାଇ ଦୟା ଭିକ୍ଷା କରେ, ତାର ମୃତ୍ୟୁ ବିଧାନ ଦେବାକୁ ନାସ୍ତିସୂଚକ ସଙ୍କେତ କରିବାରେ ପ୍ରଥମ କରି ସ୍ତ୍ରୀ ଲୋକଙ୍କ ହାତ ହଲି ଉଠେ । ଦେଖ, ବିଚାରା ଆମ ପୁରୁଷଙ୍କ ସକାଶେ ମଦ ଗିଲାସ ଛଡ଼ା ଆଉ କିଛି ବାକି ନାହିଁ, ଇଏ—ସେ ଖେଳରେ ମଧ୍ୟ ଆମର ତଥାକଥିତ ଦୁର୍ବଳ ପକ୍ଷିଏ ଆମର ଓସ୍ତାଦ ହେଲେଣି ।’’

 

ଡାସିୟା କହିଲା, “ବେଶ୍ ହୋଇଛି । ପୁରୁଷଯାକ କେବଳ ସ୍ତ୍ରୀଲୋକଙ୍କର କ୍ରୀତଦାସ ହେବାର ଯୋଗ୍ୟ ।” ଫିଲୋଡ଼ିମସ ଗମ୍ଭୀର ଭାବରେ ମୁଣ୍ଡ ହଲାଇ ହାଲଇ ଡାସିୟାର ଏ କଥାର ସମର୍ଥନ କଲା ।

 

‘‘ଇଏ–ହୁଁ–ଯେତେବେଳେ କ୍ରୀତଦାସ ହୁଅନ୍ତି, ସେତେବେଳେ ବେଶ୍‍ ଖାସା ପୋଷା କୁକୁରଟିଏ ବନିଯାନ୍ତି ନା । ତୁମର କ୍ରୀତଦାସ ବିଚରା ଫିଲୋଡ଼ିମସ୍ ଆଡ଼କୁ ଟିକିଏ ଅନାଇଲା । ଯେତେଦିନ ପର୍ଯ୍ୟନ୍ତ ତୁମ ସହିତ ତାର ସାକ୍ଷାତ୍ ହୋଇ ନ ଥିଲା, ସେତେଦିନ ପର୍ଯ୍ୟନ୍ତ ତା ସମ୍ବନ୍ଧରେ ମୋର ଟିକିଏ ଆଶା ଥିଲା । ଏବେ ଆଉ କିଛି ବାକି ନାହିଁ, ଖାଲି ରେଶମର ଗୋଟିଏ ବେଶ୍ ମୋଟା ରକମର ଦଉଡ଼ି ଯୋଗାଡ଼ କରି ପାରିଲେ ହେଲା; ସେଥିରେ ଗୋଟିଏ ଫାଶ ପକାଇ ପାରିଲେ ତୁମର ସଙ୍ଗୀଟି ଆପେ ଆପେ ଫାଶ ଭିତରକୁ ଗଳା ବଢ଼ାଇ ଦେବ, ଆଉ ତା ପରେ ଯେଉଁଆଡ଼େ ଇଚ୍ଛା ସେଆଡ଼େ ନେଇ ତାକୁ ନଚାଇ ପାରିବ ।’’

 

ଅତିଭଦ୍ର ଫିଲୋଡ଼ିମସ୍ ଅର୍ଦ୍ଧସ୍ଫୁଟ ସ୍ୱରରେ କହିଲା, “ନା, ନା, ବନ୍ଧୁ ଗ୍ଳାବ୍ରିଓ, ଅବଳାଙ୍କର ଯେ ମନଯୋଗାଇ ଚଳିବାକୁ ହେବ, ଏ କଥା ତୁମକୁ ସ୍ୱୀକାର କରିବାକୁ ହେବ ।’’

 

ଅବଳା ? ପୋଷ-ମାନିଛି ଯେଉଁ ପୁରୁଷ, ତାଠୁଁ ବଳି ବଳହୀନ ଯଦି କୌଣସି ବିଷୟ ଏ ଜଗତରେ ଥାଏ ସେ ତେବେ କେବଳ ବୁଢ଼ିଆଣୀର ଜାଲ, ଯାହା ସାମାନ୍ୟ ଫୁତ୍କାରରେ ପବନରେ ଉଡ଼ିଯାଏ ।”

 

ଡାସିୟା ପଚାରିଲା, ‘‘ତୁମ ମନ ଏମିତି ଅମ୍ବିଳା ପିହାଇଗଲାଣି, ଗ୍ଳାବ୍ରିଓ ? କାହିଁକି, ତୁମକୁ ପ୍ରେମ କରି ପାରିବ, ଏପରି ଜଣେ ହେଲେ ସ୍ତ୍ରୀଲୋକକୁ କଣ ପାଇ ପାରିଲ ନାହିଁ ?’’

 

‘‘ହାତରେ ଟଙ୍କା ଥିବଯାକେ ଯେତେ ଇଚ୍ଛା । ରୋମର ସ୍ତ୍ରୀଲୋକେ ଖୁବ୍ ଶସ୍ତା–ହଁ, ଏ କଥା ସେହି ଖ୍ରୀଷ୍ଟିୟାନ ବାଳିକା ମର୍ସିୟା କଥା ମନେ ପକେଇ ଦେଲା, ଯାହା ସକାଶେ ଆମର ମାର୍କସ୍‍ ପାଗଳ । ସେ କୁଆଡ଼େ ଆଜି ରାତିରେ ମରିବ ? ଆଉ ମୁଁ ଶୁଣୁଛି, ତାକୁ ଧରା ପକାଇବାରେ ତୁମର ମଧ୍ୟ କୁଆଡ଼େ ହାତ ଥିଲା ।”

 

ଡାସିୟା ବେଶ୍ ସ୍ଫୁର୍ତ୍ତିରେ ହସି ହସି କହିଲା, ମଲା, କ୍ଷତି କଣ ? ସେ ପର ଦାନାରେ ଧୂଳି ପକାଉଥିଲା ।

 

‘‘କାହା ଦାନାରେ ?’’

 

‘‘ନ ଜାଣିଲା ପରି ? ବେରେନିସ୍‍ର । ହେ ଅଜଣାଘରେ ଭାତ ଖାଇବା ଲୋକ, ଜାଣି ରଖ ଆମେ ସ୍ତ୍ରୀଲୋକେ ମଧ୍ୟ ସମୟ ସମୟରେ ପରସ୍ପରକୁ ଏପରି ସାହାଯ୍ୟ କରୁଁ ।’’ ଏହା କହି ଡାସିୟା ହସିବାକୁ ଲାଗିଲା, ହାୟ, ସେ ଜାଣି ନ ଥିଲା ଠିକ୍ ସମୟରେ ତାର ବନ୍ଧୁ ନିଜ ଗୃହରେ ମୃତ୍ୟୁ ଶଯ୍ୟାରେ ଶାୟିତ ।

 

‘‘ହଁ, ସାହାଯ୍ୟ କରି ନିଜଠାରୁ ଅଧିକତର କୌଣସି ସୁନ୍ଦରୀକୁ ତାହାର ଅଧିକୃତ ସ୍ଥାନରୁ ବିଚ୍ୟୁତ କରିବାକୁ । ବିଚାରା ମାର୍କସ୍ । ବିଚରା ମିର୍ସିୟା ।’’

 

ଡାସିୟା ହସି ହସି କହିଲା, ‘‘କାଲି ରାତିର ନିଶାର ଝୁଙ୍କ୍‍, ଏପର୍ଯ୍ୟନ୍ତ ତୁମକୁ ଛାଡ଼ି ନାହିଁ-। ଫିଲୋଡ଼ିସମ୍, ଗ୍ଳାବ୍ରିଓ ଆଜି ଆଉ ଆମମାନଙ୍କର ସୁଙ୍ଗସୁଖ କରିବା ନିମନ୍ତେ ଯୋଗ୍ୟ ନୁହନ୍ତି । ଚାଲ ଯିବା ।’’

 

ଫିଲୋଡ଼ିମସ ଯିବାର ଉପକ୍ରମ କରି କହିଲା, “ବନ୍ଧୁ, ଗ୍ଳାବ୍ରିଓ, ନମସ୍କାର । ତା’ପରେ ଯେଉଁଠି ଡାସିୟାର ମୁଣ୍ଡବାଳରୁ ଗୋଟିଏ ଗୋଲାପଫୁଲ ଖସି ପଡ଼ିଥିଲା ତାକୁ ସେଠୁ ଗୋଟାଇ ଆଣି ଡାସିୟାର ପଛେ ପଛେ ମାର୍କସ୍ ଆଡ଼କୁ ଅଗ୍ରସର ହେଲା ।

 

ଗ୍ଲାବ୍ରିଓ ମନେ ମନେ କହିବାକୁ ଲାଗିଲା,–ଦେବତାଙ୍କ ପ୍ରସାଦରୁ ମଦ ଏବଂ ମୋ ମଧ୍ୟରେ ଯେଉଁ ପ୍ରୀତିର ସମ୍ବନ୍ଧ ଅଛି, ତାହା ଯେପରି ନ ଭାଙ୍ଗେ ! ମଦରେ ଯାହାର ଆସକ୍ତି, ସେ ହୁଏତ ସମୟ ସମୟରେ ତାର ବୃଦ୍ଧିବୃତ୍ତି ଫେରି ପାଇବ, କିନ୍ତୁ ଯେ ସ୍ତ୍ରୀଲୋକରେ ଆସକ୍ତ, ତାର ବୁଦ୍ଧିବୃତ୍ତି ସମୂଳେ ଲୋପପାଏ । ଏହିପର ଭାବୁଛି, ଦେଖିଲା ସଡ଼କରେ ଦଳେ ଲୋକ ଚାଲିଛନ୍ତି, ସେମାନଙ୍କ ଆଗରେ କେତେଗୁଡ଼ିଏ ସୈନ୍ୟ ଏବଂ ସେମାନଙ୍କର ଜଣେ ଉପରିସ୍ଥ କର୍ମଚାରି ଗୁପ୍ତଚର ସର୍ଭିଲିୟସ୍‍କୁ ଘୋସାରି ଘୋସାରିକା ନେଉଛନ୍ତି । ଭୟରେ ସର୍ଭିଲିୟସ୍ ମୁହଁ ବିବର୍ଣ୍ଣ, ରକ୍ତଶୂନ୍ୟ, ଲୁଗାପଟା ଛଣ୍ଡି ଯାଇଛି; ସେ ଥରୁଛି ପଡ଼ି ଆଉ ବାଟଯାକ ଭୟରେ ଚିତ୍କାର କରୁଛି । ସେନାପତି ଗୋଇଠା ମାରି ତାଚ୍ଛଲ୍ୟ ଭାବରେ କହିଲା–‘‘ଚାଲ, ଚାଲ ।’’

 

ସର୍ଭିଲିୟସ୍‍ ଚିତ୍କାର କରି କହିଲା, ମୁଁ ତୁମ ଗୋଡତଳେ ପଡ଼ୁଛି, ମୋତେ ଛାଡ଼ିଦିଅ । ମୁଁ ଖ୍ରୀଷ୍ଟିୟାନ ନୁହେଁ । ମୋତେ ଯେଉଁ ଦେବତାଙ୍କ ରାଣ ନେବାକୁ କହିବ ମୁଁ ସେ ଦେବତାଙ୍କ ରାଣନେଇ କହିବି, ମୁଁ ଖ୍ରୀଷ୍ଟିୟାନ ନୁହେଁ ।

 

ସେନାପତି କହିଲା–ଏ ଲୋକ ହଲପ ନେଇ କହୁଛି ଯେ, ସେ ତୋତେ ଖ୍ରୀଷ୍ଟିୟାନମାନଙ୍କର ଅନେକ ସଭା ସମିତିରେ ଉପସ୍ଥିତ ଥିବାର ଦେଖିଛି ।

 

ଯେଉଁ ଲୋକର ସାକ୍ଷ୍ୟ ଉଲ୍ଲେଖ କରାଗଲା, ସେ ହେଉଛି ତାର ଏହି ଗୋୟେନ୍ଦାଗିରିରେ ସାହାଯ୍ୟକାରୀ ଏବଂ ସହକର୍ମୀ ଷ୍ଟ୍ରାବୋ । ଫାଭିୟସ୍ ଏବଂ ଷ୍ଟିଫାନସ୍‍କୁ ଖ୍ରୀଷ୍ଟିୟାନ ବୋଲି ଧରାଇ ଦେଇଥିବାରୁ ସେମାନେ ଯେଉଁ ଟଙ୍କା ପାଇ୍‌ଥିଲେ, ସେହି ଟଙ୍କାର ଭାଗ-ବଖରା କରିବାରେ ସେମାନଙ୍କ ମଧ୍ୟରେ କଜିଆ ହେଲା । ତାରି ଫଳରେ ହିଂସା କରି ଷ୍ଟ୍ରାବୋ ସର୍ଭିଲିୟସ୍‍କୁ ମିଥ୍ୟାରେ ଖ୍ରୀଷ୍ଟିୟାନ ହେବା ଅପରାଧରେ ଅଭିଯୁକ୍ତ କରିଥିଲା ।

 

‘‘ନା, ନା ମୁଁ କେବଳ ଚରରୁପେ ଯାଇଥିଲି । ଖ୍ରୀଷ୍ଟିୟାନମାନଙ୍କୁ ଧରାଇ ଦେବାକୁ ଯାଇଥିଲି; ମୋତେ ଗୋୟେନ୍ଦା ବୋଲି ସମସ୍ତେ ଜାଣନ୍ତି, ମୋତେ ଛାଡ଼ିଦିଅ, ମୁଁ କେଜାଣି ଶହେ ଖଣ୍ଡେ ଖ୍ରୀଷ୍ଟିୟାନଙ୍କୁ ଫାଶୀ କାଠରେ ଝୁଲାଇଛି ।’’

 

ସେନାପତି କ୍ରୋଧରେ ଦାନ୍ତ ଚାପି କହିଲା,–‘‘ବେଶ୍ ହୋଇଛି, ଏଥର ତୋ ପାଳି ପଡ଼ିଛି-। ଏଇଥର ବୁଝିବୁ ଅନ୍ୟ ବିରୁଦ୍ଧରେ ଅଭିଯୋଗ ଆଣିବାର ଅର୍ଥ କଣ ।

 

ଭୀରୁ କାପୁରୁଷ ଭୟରେ ଚିତ୍କାର କରି ଉଠିଲା, ମୋତେ ଦୟା କର । ଭିଟୁରିୟସ୍, ମୋତେ ଦୟା କରି ଛାଡ଼ିଦିଅ । ଏ ଲୋକ ମିଥ୍ୟାବାଦୀ, ତାର ପ୍ରାପ୍ୟ ଅଂଶରୁ ଅଧିକ ମୁଁ ନ ଦେଇ ପାରିବାରୁ ମିଥ୍ୟାରେ ମୋ ବିରୁଦ୍ଧରେ ଅଭିଯୋଗ ଆଣିଛି । ସେ ମୋର ସର୍ବନାଶ କରିବାକୁ ସ୍ଥିରପ୍ରତିଜ୍ଞ ହୋଇଛି । ମୋତେ ଯଦି ଦୟା କରି ଛାଡ଼ିଦିଅ, ମୁଁ ଆଜି ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ତୁମ ନିକଟରେ କୋଡିଏ ଜଣ ଖ୍ରୀଷ୍ଟିୟାନ ଆଣି ହାଜର କରିବି ।’’ ଏହା କହି ସର୍ଭିଲିୟସ୍ ସେନାପତିର ଗୋଡ଼ତଳେ ପଡ଼ି ତାର ପଦପ୍ରାନ୍ତର ଧୂଳି ଚୁମ୍ବନ କଲା ।

 

‘‘ପାଜୀ କାହାଁକା ତୋତେ ଛାଡ଼ିଦେବ ? ତୋତେ ସିଂହ ମୁହଁରେ ଦେବାଯାଇଁ ମୋତେ ଯଦି କିଛି ଖରଚ କରିବାକୁ ପଡ଼େ ତାହା ମଧ୍ୟ କରିବି ।’’ ଏହା କହି ସେନାପତି ତାକୁ ଗଭୀର ବିରକ୍ତିର ସହିତ ଗୋଇଠା ମାରି ଗୋଡ କତିରୁ ଠେଲିଦେଲା ।

 

ସର୍ଭିଲିୟସ୍‍ କାକୁତି ମିନତି କରି କହିଲା, “ମୋତେ ଦୟା କର, ଦୟା କର ।’’

 

ସେନାପତି ରକ୍ଷୀଦଳକୁ ଆଦେଶ ଦେଲା, ‘‘ତାକୁ ନେଇ ଚାଲ ।’’

 

ଏତିକିବେଳେ ସର୍ଭିଲିୟସ୍‌ ଗ୍ଳାବ୍ରିଓକୁ ଚିହ୍ନିଲା । ଅନେକ ସମୟରେ ଅତିରିକ୍ତ ଭୟରେ ମନୁଷ୍ୟ ପାଗଳ ପରି ହୋଇଯାଏ ଏବଂ ପାଗଳ ପରି ସମୟ ସମୟରେ ଦେହରେ କେଉଁଆଡ଼ୁ, ଅସମ୍ଭବ ରକମର ବଳ ଆସି ପହଞ୍ଚେ । ସର୍ଭିଲିୟସ୍ କେବଳ ଏହିପରି ଦେହ ଜୋରରେ ଅସମ୍ମାବିତ ରୂପେ ଆପଣାକୁ ରକ୍ଷୀମାନଙ୍କ ହସ୍ତରୁ ମୁକ୍ତ କରି ଏକାବେଳକେ ଆସି ଗ୍ଳାବ୍ରିଓର ଗୋଡ଼ଧରି ପଡ଼ିଗଲା ଏବଂ ଏକପ୍ରକାର କାନ୍ଦିଲା ପରି ହୋଇ କହିଲା, “ମହାମାନ୍ୟ ଗ୍ଳାବ୍ରିଓ, ଆପଣ ତ ମୋତେ ଚିହ୍ନନ୍ତି । ଆପଣ ତ ଦେଖିଛନ୍ତି, ମୁଁ କେମିତି ମର୍ସିୟା ଏବଂ ବୃଦ୍ଧ ଫାଭିୟସ୍‍କୁ ଧରାଇ ଦେଇଥିଲି । ଆପଣ ସେତେବେଳେ ଡାସିୟାଙ୍କ ଘରେ ଥିଲେ ।”

 

ଗ୍ଳାବ୍ରିଓ କହିଲା, “ମୁଁ ଥିଲି ? ଥିଲେ କଣ ହେଲା ।’’

 

“ମୋ ସକାଶେ ଟିକିଏ କୁହ । ତୁମେ ଜାଣ, ମୁଁ ଜଣେ ବିଶ୍ୱସ୍ତ ଏବଂ ଦେଶଭକ୍ତ ରୋମୀୟ ।’’

 

ଗ୍ଳାବ୍ରିଓ ନିତାନ୍ତ ତାଚ୍ଛିଲ୍ୟ ଭାବରେ କହିଲା, ‘‘ତୁମେ ଯଦି ଦେଶଭକ୍ତ ହୁଅ, ତାହାହେଲେ ମୁଁ ନିଶ୍ଚେ ଦେଶଦ୍ରୋହୀ ଏବଂ ରାଜଦ୍ରୋହୀ । ସେନାପତି ମୋ କଥା ଶୁଣ, ତୁମେ କେବଳ ମୋତେ ବାଧିତ କରିବ ନାହିଁ, ରୋମକୁ, ସିଜରଙ୍କୁ ଏବଂ ମାର୍କସ୍‍ଙ୍କୁ ବାଧିତ କରିବ ଏବଂ ଭାରାକ୍ରାନ୍ତ ପୃଥବୀ ଭାର କିଞ୍ଚିତ୍‌ ଲାଘବ କରିବ, ଯଦି ୟାକୁ ଶୀଘ୍ର ନେଇ କ୍ଷୁଧିତ ପଶୁମାନଙ୍କ ମୁଖରେ ସମର୍ପଣ କର । ତୁମର ଏହି କାର୍ଯ୍ୟ ସକାଶେ ସମସ୍ତ ରୋମ ତୁମ ନିକଟରେ ଋଣୀ ରହିବ ।” ତା’ପରେ ହାତ ହଲାଇ ନିତାନ୍ତ ଘୃଣାର ସହିତ ଯା‘ ଯା’ ବୋଲି କହି ଗ୍ଳାବ୍ରିଓ ସେଠାରୁ ଚାଲିଗଲା ।

 

ସର୍ଭିଲିୟସ୍‌ ଅନ୍ୟ କିଛି ଉପାୟ ନ ଦେଖି ତାର ଭୂତପୂର୍ବ ବନ୍ଧୁ ଏବଂ ବର୍ତ୍ତମାନର ଅଭିଯୋଗକାରୀ ଆଡ଼କୁ ଅନାଇ କହିଲା, ‘‘ଷ୍ଟ୍ରାବୋ, ଷ୍ଟ୍ରାବୋ, ତୋର ଅଭିଯୋଗ ଉଠାଇ ନେ ! ମୋର ଅନେକ ଟଙ୍କା ଅଛି, ସେ ସବୁ ମୁଁ ତୋତେ ଦେବି ।’’

 

“ନା, ମୁଁ ଥରେ ଯେଉଁ କଥା କହିଛି, ତାକୁ ଫେରାଇ ନେଇ ପାରିବି ନାହିଁ । ମୁଁ ଲୋକଙ୍କ ଆଗରେ ପ୍ରକାଶ କରିଛି, ତୁ ଖ୍ରୀଷ୍ଟିୟାନ, ସେହି କଥାହିଁ କହିବି ।’’

 

ସେନାପତି ଆଦେଶ ଦେଲେ, ‘‘ତାକୁ ନେଇ ଚାଲ, ବହୁତ ସମୟ ଆମେ ଅକାରଣରେ ନଷ୍ଟ କଲୁଣି ।’’

 

‘‘ମୋତେ ଦୟା କର, ମୋତେ ରକ୍ଷା କର, ଏମାନଙ୍କୁ ମୋତେ ନେଇ ଯିବାକୁ ଦିଅ ନାହିଁ ।’’ ଏହିପରି ଚିତ୍କାର, ଛଟପଟ ଓ ଦୟା ଭିକ୍ଷା କରୁ କରୁ ଏବଂ ଅଭିଶାପ ଦେଉ ଏହି ଦୁଷ୍ଟ ନରାଧମ ସେହି ମୃତ୍ୟୁ ଆଡ଼କୁ ଅଗ୍ରସର ହେଲା, ଯେଉଁ ମୃତ୍ୟୁରେ ସେ ଅନେକ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ସମର୍ପଣ କରିଥିଲା ।

Image

 

ବିଂଶ ପରିଚ୍ଛେଦ

ରଙ୍ଗମଞ୍ଚ ନା ଯଜ୍ଞଶାଳା

 

ରଙ୍ଗମଞ୍ଚର ମଧ୍ୟଭାଗ ଉନ୍ମୁକ୍ତ । ଏହାର ଚତୁର୍ଦ୍ଦିଗରେ କ୍ରମଶଃ ପଶ୍ଚାଦ୍‌ବର୍ତ୍ତୀ ପ୍ରସ୍ତରନିର୍ମିତ କ୍ରମୋଚ୍ଚ ଆସନଶ୍ରେଣୀ ବୃତ୍ତାକାରରେ ସଜ୍ଜିତ । ରଙ୍ଗଭୂମିକୁ ଲାଗି କରି ଚାରିପାଖରେ ଭୂଗର୍ଭ ମଧ୍ୟରେ ଅନେଗୁଡ଼ିଏ କାରାକକ୍ଷ । ଏ ସବୁ ଦେଖିବାକୁ ପଥରର ବଡ଼ ବଡ଼ ଗୁହା ପରି, ସାଜସଜ୍ଜା ବିବର୍ଜିତ । ଏହିପରି ଗୋଟିଏ ଘରେ ମର୍ସିୟା ଓ ତାହାର ସଙ୍ଗିମାନେ ବନ୍ଦୀ ହୋଇଥିଲେ । ପ୍ରତ୍ୟେକ କକ୍ଷରେ ନିବୁଜ କବାଟ ପରିବର୍ତ୍ତରେ ଲୁହା ଗରାଦ ଦେଇ ତିୟାରି ହୋଇଥିବା ଗୋଟିଏ ଗୋଟିଏ ଫାଟକ; ପ୍ରତ୍ୟେକ କକ୍ଷ ଗୋଟିଏ ଗୋଟିଏ ପିଞ୍ଜରା ପରି ଦେଖାଯାଏ–ଆଉ ବାସ୍ତବିକ ରୋମର ଏହି ବିରାଟ ନାଟ୍ୟମନ୍ଦିର ଗୋଟାଏ ପ୍ରକାଣ୍ଡ ଯଜ୍ଞଶାଳା, ଯହିଁରେ ଶୋଣିତ ତର୍ପଣ ଯୋଗାଇବା ପାଇଁ ଏହି ପିଞ୍ଜରାମାନଙ୍କରେ ମନୁଷ୍ୟମାନଙ୍କୁ ପଶୁ ପରି ରଖା ଯାଉଥିଲା ଏହି ଫାଟକ ସବୁର ସମ୍ମୁଖ ଦେଇ ଗୋଟିଏ ଖିଲାଣବିଶିଷ୍ଟ ଗଳିପଥ ଯାଇଛି । ଗଳିପଥର ଅପର ପାର୍ଶ୍ୱରେ ରଙ୍ଗମଞ୍ଚ, ରଙ୍ଗମଞ୍ଚକୁ ଉଠିଯିବାକୁ ସ୍ଥାନେ ସ୍ଥାନେ କ୍ରମୋଚ୍ଚ ପାହାଚ ସବୁ ରହିଛି । ଗଳିପଥର ରଙ୍ଗମଞ୍ଚ ତରଫର ଖିଲାଣ ସବୁ ଉନ୍ମୁକ୍ତ । ସେଥିପାଇଁ କାରାକକ୍ଷରେ ଥିବା ବନ୍ଦିମାନେ ରଙ୍ଗମଞ୍ଚରେ ଅଭିନୀତ ହେଉଥିବା ଲୋମହର୍ଷଣ ହତ୍ୟାକାଣ୍ଡ ଅଳ୍ପ ଆୟାମରେ ଦେଖି ପାରନ୍ତି ।

 

ଦୃଶ୍ୟ ବାସ୍ତବିକ୍ ବଡ଼ ବିଷଦୃଶ । ଗୋଟିଏ ଆଡ଼େ ଆର୍ଦ୍ର ଏବଂ ଅନ୍ଧକାରମୟ କାରାକକ୍ଷ, ଅନ୍ୟଆଡ଼େ ସୂର୍ଯ୍ୟକରୋଜ୍ଜ୍ୱଳ ରଙ୍ଗମଞ୍ଚ ଉତ୍ସବପ୍ରିୟ ଉତ୍ସୁକ ରୋମୀୟ ଦର୍ଶକରେ ପୂର୍ଣ୍ଣ । କାରାକକ୍ଷରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଶତ ଶତ ଲୋକ କ୍ରୂର ଏବଂ ନିଶ୍ଚିତ ମୃତ୍ୟୁ ଆଡ଼କୁ ଅଗ୍ରସର ହେବା ନିମନ୍ତେ ସଙ୍କେତର ଅପେକ୍ଷାରେ ରହିଛନ୍ତି; ରଙ୍ଗ ମଞ୍ଚର ଚତୁର୍ଦ୍ଦିଗରେ ଶତସହସ୍ର ନରନାରୀ ଅଧୈର୍ଯ୍ୟ ଭାବରେ ସେମାନଙ୍କ ଆଗମନର ପ୍ରତୀକ୍ଷା କରୁଛନ୍ତି ଏବଂ ସେମାନେ ଯେଉଁସବୁ ଭୟାବହ ଅବସ୍ଥା ମଧ୍ୟ ଦେଇ ଯିବେ, ସେ ଦୃଶ୍ୟର ଆନନ୍ଦ ଏବହୁଁ କଳ୍ପନାରେ ଅନୁଭବ କରୁଛନ୍ତି ।

 

କାରାକକ୍ଷର ଦ୍ୱାର ସବୁ ଅର୍ଗଳବଦ୍ଧ । ଦୂରରୁ ଅନ୍ୟ ପାର୍ଶ୍ୱରୁ କ୍ଷୁଧିତ ପଶୁମାନଙ୍କର ଗର୍ଜନ ରହି ରହି ଭାସି ଆସୁଛି ଏବଂ ସେଥି ସଙ୍ଗେ ସଙ୍ଗେ ରଙ୍ଗମଞ୍ଚରୁ ଦୟାମାୟାଶୂନ୍ୟ ରକ୍ତପିପାସୁ ଜନତାର କୋଳାହଳ ଶୁଭୁଛି ।

 

ମଝିରେ ମଝିରେ ରଙ୍ଗଭୂମି ମଧ୍ୟରେ ତୁରୀଧ୍ୱନି ହେଉଛି ଏବଂ ନିଜର ବିଶ୍ୱାସ ନିମିତ୍ତ ପ୍ରାଣ ଦେବାକୁ ଆସୁଛନ୍ତି ଯେଉଁ ସବୁ ଧର୍ମବୀର, ସେମାନଙ୍କୁ ଜଣାଇ ଦେଉଛି; ଗୋଟିଏ ଅଙ୍କର ଯବନିକା ପତନ ହେଲା, ଅନ୍ୟ ଅନ୍ୟ ଅଙ୍କର ଅଭିନୟ ଆରମ୍ଭ ହେବ ଏବଂ ସେମାନେ ଯେଉଁ ଦୃଶ୍ୟ ଅଭିନୟ କରିବେ, ତାହାର ସମୟ ନିକଟବର୍ତ୍ତୀ । ସେମାନେ କିପରି ମରିବେ, ତାହା ସେମାନେ ଜାଣି ନ ଥିଲେ- ତେବେ ଜାଣିଥିଲେ, ସେମାନଙ୍କ ମୃତ୍ୟୁକୁ ଭୟାବହ, ନିଷ୍ଠୁର ଏବଂ ରୋମାଞ୍ଚକର କରିବା ନିମନ୍ତେ କୌଣସି ପ୍ରକାର ଚେଷ୍ଟାର ତ୍ରୁଟି କରାଯିବ ନାହିଁ । ସେମାନେ ଜାଣିଥିଲେ, ସେମାନଙ୍କ ପ୍ରତି ସହାନୁଭୂତିର ଚିହ୍ନ ସୁଦ୍ଧା ପ୍ରଦର୍ଶନ କରାଯିବ ନାହିଁ; ତୃଷାରେ ଛାତି ଫାଟିଗଲେ ସୁଦ୍ଧା ଟୋପିଏ ପାଣି ମିଳିବ ନାହିଁ । ସେମାନେ ଆମୋଦର ଉପକରଣ, ସେମାନଙ୍କ ମରଣ ରୋମର ଚିତ୍ତବିନୋଦନ ପାଇଁ; ସେଥିପାଇଁ ମରଣର ଯନ୍ତ୍ରଣା ଯେତିକି ବଢ଼ିବ, ଦର୍ଶକଙ୍କର ଆନନ୍ଦ ସେତିକି ବଢ଼ିବ ।

 

କାରାକକ୍ଷ ଭିତରେ ଏହି ଧର୍ମବୀରମାନଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକ ନିଜର ଅଜ୍ଞାତସାରରେ ଥରୁଥିଲେ; ସେମାନଙ୍କର ଏ ଭୟ କେବଳ ଶାରୀରିକ, କିନ୍ତୁ ଜଣେ ହେଲେ କେହି ହୃଦୟର ତିକ୍ତତାରେ ନିଜର ଭାଗ୍ୟକୁ ନିନ୍ଦୁ ନ ଥିଲା । ସେମାନଙ୍କ ଚକ୍ଷୁ ଦେଖୁଥିଲା ନିଜ ନିଜ ହୃଦୟ ପଟରେ ଅଙ୍କିତ ସେହି କ୍ରୂଶର ଛବି, ତା ଉପରେ ଲମ୍ବମାନ ପ୍ରଭୃଙ୍କର ମୂର୍ତ୍ତି, ତାଙ୍କର ଯନ୍ତ୍ରଣା, ତାଙ୍କର ଧୈର୍ଯ୍ୟ । ଏହି ମୂର୍ତ୍ତିହିଁ ଥିଲା ସେମାନଙ୍କର ସାହସ, ଆଶା ଏବଂ ଶକ୍ତିର ଉତ୍ସ । କି ଅନନୁମେୟ, କି ଅପୂର୍ବ ବିଶ୍ୱାସ ! ଯେତେଦିନ ପର୍ଯ୍ୟନ୍ତ ପୃଥିବୀପୃଷ୍ଠରେ ମାନବଜାତି ଜୀବିତଥିବ, ସେତେଦିନ ପର୍ଯ୍ୟନ୍ତ ଜୀବିତ ରହିବ ଯେଉଁ ସଭ୍ୟତା ଓ ଧର୍ମ ତାହାରି ଅଗ୍ରଦୂତ ଥିଲେ ନିନ୍ଦିତ ଘୃଣିତ ପଦଦଳିତ ରୋମର ଏହି ମୁଷ୍ଟିମେୟ ଖ୍ରୀଷ୍ଟିୟାନ, ଯେଉଁମାନଙ୍କର ମରଣ ଦେଖି ସେହି ସମୟର ଜଗତ ବିସ୍ମିତ ହୋଇ ପଚାରିଥିଲା, ଏ ବିଶ୍ୱାସ କଣ, ଯାହା ମରଣ ମଧ୍ୟରେ ସୁଦ୍ଧା ମାନବକୁ ଏତେ ଧୈର୍ଯ୍ୟ, ଏତେ ଶାନ୍ତି ଦେଇପାରେ ?

ମର୍ସିୟା ଷ୍ଟିଫାନସ୍‌ ପାଖରେ ରହି ତାକୁ ସାହସ ଦେଉଥିଲା, ଏହି ସମୟରେ ତୁରୀଧ୍ୱନି ହେଲା, କାରାକକ୍ଷର ଲୁହା କବାଟ ଫିଟିଗଲା ଏବଂ ତହିଁ ସଙ୍ଗେ ସଙ୍ଗେ ରଙ୍ଗମଞ୍ଚରେ ଉପସ୍ଥିତ ଲୋକଗହଳ କବାଟ ଫିଟିବାରେ ଆନନ୍ଦରେ ଯେଉଁ ଚିତ୍କାର କଲେ ତାହା ଶୁଭିଲା । ତା ପରେ ପ୍ରସ୍ତର ପାବଚ୍ଛରୁ କାରାକକ୍ଷକୁ ଓହ୍ଲାଇ ଯିବା ପଥର ଦୁଇ ପାଖରେ ଅସ୍ତ୍ରଶସ୍ତ୍ରରେ ସୁଜ୍ଜିତ ରକ୍ଷୀଦଳ ଛିଡ଼ା ହେଲେ ଏବଂ ଲିସିନିୟସ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମଭିବ୍ୟାହାରରେ ଟିଗେଲିନସ୍ ଆସି କାରାକକ୍ଷରେ ପ୍ରବେଶ କଲା । ଟିଗେଲିନସ୍‌ର ସଙ୍କେତରେ କକ୍ଷଦ୍ୱାର ବନ୍ଦ ହେଲା । ସେତେବେଳେ ବନ୍ଦିଗଣ ଅବନତଜାନୁ ହୋଇ ପ୍ରାର୍ଥନା କରୁଥିଲେ । ଟିଗେଲିନସ୍‌ କ୍ରୂଦ୍ଧ ସ୍ୱରରେ ଆଦେଶ ଦେଲା- ‘ସମସ୍ତେ ଛିଡ଼ା ହୁଅ, ଛିଡ଼ା ହୁଅ-ନରାଧମ ସମସ୍ତେ ।’ ଯେଉଁମାନଙ୍କ ମଧ୍ୟରେ ମେଲସ୍ ଥିଲା ଏପ୍ରକାର ଯୁବକମାନଙ୍କୁ ଆଡ଼କୁ ଅନାଇ କହିଲା–“ତୁମେମାନେ ସମସ୍ତେ ଏଆଡ଼େ ଏକାଠି ଛିଡ଼ା ହୁଅ ।’ ତା ପରେ ଲିସିନିୟସ୍‌କୁ ଅନାଇ କହିଲା, ଏମାନେ ମଲ୍ଲଯୋଦ୍ଧାମାନଙ୍କ ନିମନ୍ତେ ରହିଲେ ।’ ଲିସିନିୟସ୍‌ ନାସିକାକୁଞ୍ଚିତ କରି କହିଲା, ‘ଏ ମେଣ୍ଢାଗୁଡ଼ାକ ମଲ୍ଲମାନଙ୍କୁ ବଡ଼ ବେଶୀ କଷ୍ଟ ଦେବେ ନାହିଁ ।

ବୃଦ୍ଧମାନଙ୍କ ଆଡ଼କୁ ଅନାଇ ଟିଗେଲିନସ୍‌ କହିଲା, ‘ସେମାନଙ୍କୁ ଏଠି ଛିଡ଼ା କର । ଏହି ପୁରୁଣା ମୂଷାଙ୍କୁ ବାଘଙ୍କୁ ଖେଳିବାକୁ ଦେବ । ଏହି ସ୍ତ୍ରୀଲୋକଙ୍କୁ ଏବଂ ସେମାନଙ୍କ ସହିତ ଏ ବାଳକକୁ ସିଂହମାନଙ୍କ କତିକୁ ପଠାଇବ ।’ ତାପରେ ମର୍ସିୟାକୁ ଚିହ୍ନିପାରି ତାଚ୍ଛଲ୍ୟ ଭାବରେ ହସି ହସି କହିଲା ‘ହା, ହା, ତୁମେ ମଧ୍ୟ ଏଠି ଅଛ । ଏହି ହେଉଛି ସେହି ଟୋକୀ, ଯାହା ସକାଶେ ମାର୍କସ୍‌, ଏତେ ଆଡ଼ମ୍ବର, ଏତେ ଆସ୍ଫାଳନ କରୁଥିଲା । ତୁମର ନାଗର କାହାନ୍ତି କି ? ତୁମକୁ ରକ୍ଷା କରିବାକୁ ସେ ଏଠିକି ଆସି ନାହାନ୍ତି ? ଉତ୍ତର ଦିଅ ।’

ଗମ୍ଭୀର ଓ ଧୀର ଭାବରେ ମର୍ସିୟା ଉତ୍ତର ଦେଲା, ‘‘ମୋର ପ୍ରେମିକ କେହି ନାହିଁ ।’’

‘ମାର୍କସ୍ ସୁପର୍ବସ୍‌–ସେ କାହାନ୍ତି ?’

‘ମୁଁ ତାଙ୍କ ସମ୍ବନ୍ଧରେ କିଛି ଜାଣେ ନାହିଁ ।’

ଏହି ଶେଷୋକ୍ତ ଉତ୍ତର ପାଇବା ପୂର୍ବରୁ ଟିଗେଲିନସ୍ ସୈନ୍ୟାଧ୍ୟକ୍ଷମାନଙ୍କ ଆଡ଼କୁ ଅନାଇ ଲୋକମାନଙ୍କର ନାମ ଲେଖିନେବା ନିମନ୍ତେ ସେମାନଙ୍କୁ ଆଦେଶ ଦେଉଥିଲା । ସେହି ସମୟରେ ଲିସିନିୟସ୍‌ ମର୍ସିୟା ଆଡ଼କୁ ଘୁଞ୍ଚି ଆସି କହିଲା, ଠିକ୍ ମାର୍କସ୍ ପରି ହୋଇଛି -ତାର ପରିତ୍ୟକ୍ତା ଗଣିକାର ଶେଷ ଦଶା କଣ ହୁଏ, ତାହାର ଖବର ନେବାର କଷ୍ଟ ମାର୍କସ୍‌, କେବେ ସ୍ଵୀକାର କରେ ନାହିଁ ।’

ମେଲସ୍ ପକ୍ଷରେ ଏ କଥା ଶୁଣି ସ୍ଥିର ହୋଇ ରହିବା ଅସମ୍ଭବ ହେଲା । ସେ ଏକ ଲମ୍ପରେ ଲିସିନିୟସ୍‌ର ନିକଟବର୍ତ୍ତୀ ହୋଇ ଗର୍ଜନ କରି ଉଠିଲା, ମିଥ୍ୟାବାଦୀ ପାଷଣ୍ଡ, ତୋର କଥା ପ୍ରତ୍ୟାହାର କର ।’ ସେ ଲିସିନିୟସ୍‌କୁ କ୍ରୋଧାନ୍ଧ ହୋଇ ପଦାଘାତ କରିଥାନ୍ତା, କିନ୍ତୁ ପୀୟୁଷବର୍ଷିଣୀ ମର୍ସିୟାର କଣ୍ଠସ୍ୱର ତାର କର୍ଣ୍ଣରେ ପ୍ରବେଶ କଲା– ‘ମେଲସ୍, କ୍ଷାନ୍ତ ହୁଅ, ବାଦନୁବାଦର ଏ ସମୟ ନୁହେଁ । ମୁଁ ତାଙ୍କ କଥାରେ ବିଚଳିତ ହୋଇନାହିଁ ।’

 

ମର୍ସିୟାର ପ୍ରଶାନ୍ତ ମୂର୍ତ୍ତି ଲିସିନିୟସ୍‌କୁ କେବଳ ଉତ୍ତେଜିତ କଲା । ସେ ବିଦ୍ରୂପ କରି କହିଲା–‘ବିଚଳିତ ! ରହ ରହ, ନିଆଁ ଆଉ ସିଂହ ପାଖରେ ତୋର ଦାମ୍ଭିକତାର ଦଉଡ଼ ଦେଖାଯିବ । ଜାଣୁ, ଆଜି ରାତିରେ ତୋ ସକାଶେ କଣ ଆୟୋଜନ କରା ହୋଇଛି ? ନିଆଁ, ନୋହିଲେ ସିଂହ-।’ ମର୍ସିୟା ବେଶ୍‌ ଶାନ୍ତ ଭାବରେ ଉତ୍ତର ଦେଲା, ‘ସେତେବେଳେ ମୋର ପ୍ରଭୁ ମୋ ନିକଟରେ ଥିବେ-।’

 

ତାହାର ବାକ୍ୟବାଣରେ ମର୍ସିୟା ବିଚଳିତ ନ ହେବାରୁ ନରପଶୁ ଲିସିନିୟସ୍‌ କମ୍ପିତ କଳେବର ଷ୍ଟିଫାନସ୍‌ ଆଡ଼କୁ ଅନାଇ ଗର୍ଜନ କରି କହିଲା, ‘ଆଉ ତୁ ଟୋକା ଖଣ୍ଡକ, ତୁ ଗୋଟାଏ ବିଛୁଆତି । ଆରେ, ଏଥର ତୋ ଈଶ୍ୱରଙ୍କୁ ଡାକପକା–କାଲି ସକାଳର ମୁହଁ ଆଉ ଦେଖିବୁ ନାହିଁ ।’

 

ବାଳକ ଷ୍ଟିଫାନ୍‌ସ ଏ କଥା ଶୁଣି ଆଉ ସମ୍ଭାଳି ପାରିଲା ନାହିଁ, ଭୟରେ ଭୟାନକ ରକମ କମ୍ପିବାକୁ ଲାଗିଲା । ତାହାର ଏହି ଦୁର୍ବଳତା ଲିସିନିୟସ୍‌ ବେଶ୍ ଆନନ୍ଦର ସହିତ ନିରୀକ୍ଷଣ କଲା, କହିଲା, ‘ହେଁ ଥରୁଛୁ ?’

 

ମର୍ସିୟା ବାଳକଟିକୁ ନିଜ କତିକି ଟାଣିନେଇ କହିଲା, ‘ତାର ସମୟ ଆସିଲେ ସେ ଥରିବ ନାହିଁ ।’

 

ପୁଣି ଗମ୍ଭୀର ତୁର୍ଯ୍ୟଧ୍ୱନି ହେଲା; ଟିଗେଲିନସ୍ ଆଦେଶ ଦେଲା, ‘ମଲ୍ଲଯୋଦ୍ଧାମାନେ ପ୍ରସ୍ତୁତ, ଦ୍ଵାର ଫିଟାଇ ଦିଅ ।’ ଦ୍ଵାର ଫିଟିଲାରୁ ଆଦେଶ ହେଲା - ବନ୍ଦିମାନଙ୍କୁ ନେଇ ଯାଅ ।’

 

ମୁହୂର୍ତ୍ତକ ସକାଶେ ଗଭୀର ନୀରବତା ଚାରିଆଡ଼େ ବରାଜିତ ହେଲା । ଏହି ନୀରବତାର ମୋହ ନ କଟୁଣୁ ଖ୍ରୀଷ୍ଟିୟାନମାନଙ୍କର ସେହି ପ୍ରିୟସଙ୍ଗୀତ ମର୍ସିୟାର ବୀଣାବିନିନ୍ଦିତ କଣ୍ଠରୁ ଉଚ୍ଚାରିତ ହେଲା–

 

‘ଲୟର ନିକଟେ ଡାକୁଛି ଉତ୍କଟେ–’

 

ସେହିକ୍ଷଣି ଷ୍ଟିଫାନ୍‌ସ ବ୍ୟତୀତ ଅନ୍ୟ ସମସ୍ତେ ସେହି ଗୀତ ଗାଇବାରେ ଯୋଗ ଦେଲେ ଏବଂ ତହିଁ ସଙ୍ଗେ ସଙ୍ଗେ ଏହି ଅକୁତୋଭୟ ଧର୍ମବୀର ଦଳ ଊର୍ଦ୍ଧ୍ୱେରେ ଯେଉଁଠି ନିର୍ମଳ ସୂର୍ଯ୍ୟକରୋଜ୍ଜଳ ସେମାନଙ୍କର ଚିରଶାନ୍ତିର ଆଳୟ ଦେଦୀପ୍ୟମାନ, ତାହାରି ଆଡ଼କୁ ଅନାଇ ଅନାଇ ମରଣର ଏହି ତିମିରାବଗୁଣ୍ଠିତ ଉପତ୍ୟକା ମଧ୍ୟ ଦେଇ ଅଗ୍ରସର ହେଲେ ।

 

ମେଲସ୍ ଏହି ଦଳରେ ଥିଲା । ସେ ସର୍ବଶେଷରେ କାରାକକ୍ଷରୁ ବାହାରିଲା ଏବଂ ଏକାବେଳକେ ବାହାରି ଯିବା ପୂର୍ବରୁ ଥରେ ଫେରି ମର୍ସିୟା ଆଡ଼କୁ ଅନାଇଲା । ମିର୍ସିୟା ଉତ୍ତରରେ ହାତ ଉଠାଇ ସ୍ୱର୍ଗ ଆଡ଼କୁ ନିର୍ଦ୍ଦେଶ କଲା ।

 

ଅନ୍ତରର ଗଭୀର ପ୍ରେମ ଯାହା ତାର ମୃଦୁହାସ୍ୟରେ ପ୍ରକାଶ ପାଇଲା, ତାହାରି ଗୌରବରେ ମେଲସ୍‌ର ମୁଖ ଉଜ୍ଜ୍ୱଳ ଦିଶିଲା । ମେଲସ୍ ମସ୍ତକ ଅବନତ କରି ଚାଲିଗଲା, ଜଣାଗଲା, ଯେପରି କି ମର୍ସିୟାର ଆଦେଶ ଶିରୋଧାର୍ଯ୍ୟ କରି ସେ ମୃତ୍ୟୁର ସମ୍ମୁଖୀନ ହେଉଛି ।

 

ମର୍ସିୟା ପ୍ରସ୍ତରର ଆସନ ଉପରେ ମୁହଁ ମାଡ଼ି ପଡ଼ି ବାଷ୍ପରୁଦ୍ଧ କଣ୍ଠରେ କ୍ରନ୍ଦନ କରିବାକୁ ଲାଗିଲା ଏବଂ କ୍ରନ୍ଦନ କରୁ କରୁ ପ୍ରାର୍ଥନା କଲା, “ହେ ପିତଃ ! ଏମାନଙ୍କୁ ଶେଷପର୍ଯ୍ୟନ୍ତ ସହିବାକୁ ବଳ ଦିଅ ।’

 

ଷ୍ଟିଫାନ୍‌ସ ସେତେବେଳକୁ ଟିକିଏ ବଡ଼ ପାଟିରେ କାନ୍ଦିବାକୁ ଲାଗିଲାଣି । ନିଜର ଦୁଃଖ ଭୁଲିଯାଇ ମର୍ସିୟା ତା ଆଡ଼କୁ ଚାହିଁ ପଚାରିଲା, ‘‘ଷ୍ଟିଫାନ୍‌ସ, କଣ ହୋଇଛି ?’’

 

ବାଳକ ଭୟରେ ଥରି ଥରି କହିଲା, ‘ମର୍ସିୟା, ମୋତେ ଭାରି ଡର ମାଡ଼ୁଛି । ମୋତେ ମରିବାକୁ ଡର ମାଡ଼ୁଛି–ମୁଁ କେମିତି ମରିବି ଆଜି ରାତିରେ ? ମରିବି–ଏଡ଼େ ସୁନ୍ଦର ସଂସାର ଏଡ଼େ ଚଞ୍ଚଳ ଚାଲିଯିବ ।’

 

ମର୍ସିୟା କୋମଳ କଣ୍ଠରେ କହିଲା, ‘ଛାଡ଼ିଯିବୁ ଆଉ ଗୋଟିଏ ଅଧିକ ସୁନ୍ଦର; ଅଧିକ ଉଜ୍ଜ୍ୱଳ ସଂସାରରେ ପ୍ରବେଶିବା ପାଇଁ–ଯେଉଁଠି ଦୁଃଖ ଯନ୍ତ୍ରଣା ନାହିଁ, ତାଡ଼ନା ନାହିଁ, ବିଚ୍ଛେଦ ନାହିଁ, ଅଛି କେବଳ ଶାନ୍ତି, ଆନନ୍ଦ, ପବିତ୍ରତା ।’

 

କିନ୍ତୁ ବାଳକ ଶରୀରରେ ଅନେକ ନିର୍ଯ୍ୟାତନା ଭୋଗ କରିଥିବାରୁ, ଶୀଘ୍ର ସାହସ କରି ପାରିଲା ନାହିଁ, କାନ୍ଦି କାନ୍ଦି କହିଲା, ‘କିନ୍ତୁ ଏ ଯେ ବଡ଼ ଯନ୍ତ୍ରଣା, ମର୍ସିୟା ବଡ଼ ଯନ୍ତ୍ରଣା ।’

 

ବାଳିକା ଏହା ଶୁଣି ଆବେଗଭରା କଣ୍ଠରେ କହିଲା, ‘ଯେ ତୋ ସକାଶେ ମରିଥିଲେ, ତାଙ୍କର ଯନ୍ତ୍ରଣା କଥା ଚିନ୍ତା କର, ଭାଇ, ତୋର ଚିତ୍ତର ଦୁର୍ବଳତା ଘୁଞ୍ଚିଯିବ । ତୋର ଯେତେବେଳେ ସମୟ ଆସିବ, ସେହି କ୍ରୂଶ ଆଡ଼କୁ ଅନାଇ ରହିବୁ ।’

 

ବାଳକ ଥରି ଥରି ପଚାରିଲା, ‘ମୁଁ କଣ ତାହା କରିପାରେଁ ? ମୁଁ ଯେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି !’ ଏହା କହି ବାଳକ ପୁନର୍ବାର ଦୁଃଖରେ କାନ୍ଦିବାକୁ ଲାଗିଲା । ମର୍ସିୟା ତାକୁ ପୁଣି ଆଶ୍ୱାସନା ଦେଇ କହିଲା, ‘ତୋର ହୃଦୟ ଆମ୍ଭମାନଙ୍କ ପ୍ରତି ବିଶ୍ୱସ୍ତ, କେବଳ ଦୁର୍ବଳ ଶରୀର ଅବିଶ୍ୱାସୀ ହେଲା ।’ ଏହା ଶୁଣି ବାଳକ କହିଲା, ‘ସେ କଥା ସତ, ମର୍ସିୟା ମୁଁ ଭାରି ଭୀରୁ, ତୋ ପରି ସାହସୀ ନୁହେଁ ।’ ଏହା ଶୁଣି ମର୍ସିୟା କୋଳରେ ମୁହଁ ଲୁଚାଇ ଭାରି କାନ୍ଦିଲା ।

 

ସହାନୁଭୂତିରେ ମର୍ସିୟାର ହୃଦୟ ବାଳକ ଆଡ଼କୁ ନଇଁ ପଡ଼ିଲା । ଅପରର ଦୁଃଖ ଦେଖି ନିଜ ଦୁଃଖ ଭୁଲିଯିବା ତାର ସ୍ଵଭାବ । ଭୟାର୍ତ୍ତ ଶିଶୁକୁ ମାତା ଯେପରି ନିଜ କୋଳକୁ ଗୋଟାଇ ନିଅନ୍ତି, ସେହିପରି ଗଭୀର ସ୍ନେହର ସହିତ ବାଳକକୁ ନିଜ ଆଡ଼କୁ ଟାଣି କରି ନେଇ କହିଲା, ‘ଭାଇ ମୋର ସାହସ ବାସ୍ତବିକ୍ ମୋର ନୁହେଁ । ଏ ସାହସ କେବଳ ପ୍ରଭୁଙ୍କଠାରୁ ଆସେ । ତାଙ୍କ ଆଡ଼କୁ ଅନା,‘ସେ ତୋତେ ନିଶ୍ଚେ ବଳଦେବେ ।’

 

ରଙ୍ଗଭୂମି ଆଡ଼ୁ ଭୟାନକ ଚିତ୍କାର ଶୁଭିଲା, ତୁରୀ ଧ୍ୱନି ହେଲା ଏବେ ସେଥି ସଙ୍ଗେ ସଙ୍ଗେ ସେମାନଙ୍କର କାରାକକ୍ଷର ଦ୍ୱାର ପୁଣି ଉନ୍ମୁକ୍ତ ହେଲା । ସୈନ୍ୟମାନଙ୍କ ସହ ପ୍ରବେଶ କରି ସୈନ୍ୟାଧ୍ୟକ୍ଷ ସଙ୍କେତରେ ଜଣାଇ ଦେଲା, ଏଥର ଷ୍ଟିଫାନ୍‍ସକୁ ତା ସହିତ ଯିବାକୁ ହେବ ।

 

ବିଚରା ଷ୍ଟିଫାନ୍‌ସ ଏହା ଜାଣି ପାରି ଭୟରେ ଅର୍ଦ୍ଧମୃତ ପରି ପଡ଼ି ରହିଲା । ମର୍ସିୟା ଅନେକ ଆଦର କରି ଆଶ୍ୱାସନା ଦେଇ ତାକୁ ଶାନ୍ତ ଏବଂ ପ୍ରକୃତିସ୍ଥ କରିବାକୁ ଚେଷ୍ଟା କଲା । ବାଳକ କୌଣସି ପ୍ରକାରେ ଉଠି କମ୍ପିତ ପଦରେ ରଙ୍ଗଭୂମି ଆଡ଼କୁ ଅଗ୍ରସର ହେଲା ଏବଂ ଏକପ୍ରକାର ଚେତନାଶୂନ୍ୟ ଅବସ୍ଥାରେ ଟଳି ଟଳି ପ୍ରସ୍ତର ପାବଚ୍ଛ ଉପରକୁ ଉଠିଲା । ଯେତେବେଳେ ଆସି ରଙ୍ଗଭୁମିର ଦୁଆର ବନ୍ଧରେ ପହଞ୍ଚିଲା, ସେ ଭିତରର ଭୟାବହ ଦୃଶ୍ୟ ଦେଖି ଏପରି ଭୟ ପାଇଲା ଯେ; ଭୟାନକ ରକମର ଚିତ୍କାର କରି ଏକ ଲମ୍ଫରେ ପାହାଚରୁ ତଳକୁ ଡେଇଁ ପଡ଼ି ଏକା ଦଉଡ଼କେ ଆସି କାରାକକ୍ଷରେ ମର୍ସିୟାକୁ କୁଣ୍ଢାଇ ଧଇଲା ଏରଂ କନ୍ଦି କାନ୍ଦି କହିଲା, ‘ମର୍ସିୟା, ମୁଁ ପାରିବି ନାହିଁ, ମୁଁ ସେଠିକି ଯାଇ ପାରିବି ନାହିଁ, ମୋତେ କ୍ଷମା କର, ମୋତେ ରକ୍ଷା କର ।’

 

ଏତେବେଳେ ଆପଣାକୁ ସଂଯତ କରି ରଖିବା ମର୍ସିୟା ପକ୍ଷରେ ବିଶେଷ କଷ୍ଟକର ହୋଇଥିଲା, ତଥାପି ସେ ନିଜ ଉପରୁ କର୍ତ୍ତୃତ୍ୱ ହରାଇଲା ନାହିଁ । ନରମସ୍ୱରରେ ଅଥଚ ଦୃଢ଼ଭାବରେ କହିଲା, ‘ଷ୍ଟିଫାନ୍‌ସ, ଭାଇ ମୋର, ଏତେବେଳେ ତୁ ଇତସ୍ତତଃ କରିବୁ ନାହିଁ, ଭାଙ୍ଗି ପଡ଼ିବୁ ନାହିଁ । ତୁ ମୋତେ କେତେଥର କହିଛୁ, ତୁ କେମିତି ମୋତେ ତୋ ଜୀବନ ଅପେକ୍ଷା ବେଶୀ ଭଲ ପାଉ । ତୋର ମୋ ପ୍ରତି ସେହି ଭକ୍ତିର ଦ୍ୱାହି ଦେଇ କହୁଛି,—ପ୍ରଭୃଙ୍କର ତୋ ପ୍ରତି ଯେଉଁ ପ୍ରେମ ସେହି ପ୍ରେମ ସ୍ମରଣ କରାଇ ଦେଇ କହୁଛି, ଭାଇ, ପ୍ରତିଜ୍ଞା କର, ତୁ ଆଉ ଦ୍ଵିଧା କରିବୁ ନାହିଁ; ଆଉ ଅବିଶ୍ୱାସୀ ହେବୁ ନାହିଁ ।’ ଏହା କହି ମର୍ସିୟା ଅଶ୍ରୁପୂର୍ଣ୍ଣ ଲୋଚନରେ ଗଭୀର ସ୍ନେହର ସହିତ ଷ୍ଟିଫାନ୍‌ସର ଶିରଚୁମ୍ବନ କଲା । ତାର ସାହସ ବାଳକକୁ ଅନୁପ୍ରାଣିତ କଲା; ବାଳକ ଏହି ସତ୍‌ସାହସରେ ସଂକ୍ରାମିତ ହେଲା । ଅଳ୍ପ ସମୟ ଉତ୍ତାରେ ଗଭୀର ଦୀର୍ଘନିଶ୍ୱାସ ନିକ୍ଷେପ କରି ବାଳକ କହିଲା, ‘ମୁଁ ପ୍ରତିଜ୍ଞା କରୁଛି, ମର୍ସିୟା, ମୁଁ ଆଉ ଡରିବି ନାହିଁ, ଭୟ କରିବି ନାହିଁ । ମର୍ସିୟା, ମୋ ଛାତି ଉପରେ ହାତରେ ରଖି ଦେଖ, ଆଉ ଛାତି ଧୁଡୁ ଧୁଡୁ ହେଉ ନାହିଁ । ପ୍ରଭୁ ମୋତେ ବାଟ ଦେଖାଇବାକୁ ଆସିଛନ୍ତି, ସେ ମୋର ପାଖେ ପାଖେ ଚାଲୁଛନ୍ତି । ମୁଁ ତ୍ରୂଶକୁ ଦେଖୁଛି । ମୋର ଆଉ ଡର ଭୟ କିଛି ନାହିଁ ।

 

ଦୁଇ ହାତ ମୁଠା କରି ଜୋରରେ ଛାତି ଉପରେ ଚାପି ଧରି ବାଳକ ଦୃଢ଼ ସଂକଳ୍ପର ସହିତ ଦୁଆର ଆଡ଼କୁ ଅଗ୍ରସର ହେଲା । ସେ ଯେତେବେଳେ ଏହିପରି ଭାବରେ ଆସନ୍ନ ମୃତ୍ୟୁ ଆଡ଼କୁ, ରଙ୍ଗମଞ୍ଚ ଭିତରକୁ ଅଗ୍ରସର ହେଲା, ସେତେବେଳେ ଏହି ଦୃଶ୍ୟ ଦେଖି ସେହି ନିଷ୍ଠର ହୃଦୟ ସୈନିକମାନଙ୍କର ଚକ୍ଷୁ ମଧ୍ୟ ସଜଳ ହୋଇ ଉଠିଲା ।

 

ଷ୍ଟିଫାନ୍‌ସ ଯେତେବେଳେ ଯାଇ ରଙ୍ଗମଞ୍ଚ ମଧ୍ୟରେ ଛିଡ଼ା ହେଲା, ତାକୁ ଦେଖି ଦର୍ଶକମଣ୍ଡଳୀ ହସି ଉଠିଲେ ଏବଂ ଏଥରର ଖେଳ ଚମକପ୍ରଦ ହେବ ନାହିଁ ବୋଲି ଟିକିଏ କ୍ଷୁର୍ଣ୍ଣ ହୋଇଥିଲେ । ଏତେ ବଡ଼ ପ୍ରକାଣ୍ଡ ସ୍ଥାନରେ ଯେତେବେଳେ ଆସି ଏକାକୀ ଛିଡ଼ା ହେଲା, ଅତି କ୍ଷୁଦ୍ର, ଅତି ସାମାନ୍ୟ ଦେଖାଗଲା । ସେ କିନ୍ତୁ ସେତେବେଳେ କିଛି ଶୁଣୁ ନ ଥିଲା, କୌଣସି ବିଷୟକୁ ଭୟ କରୁ ନ ଥିଲା । ସେ ଅବଲୀଳାକ୍ରମେ ସହସ୍ର ସହସ୍ର ଦର୍ଶକଙ୍କର ସମ୍ମୁଖୀନ ହୋଇଥିଲା । ଥରେ କେବଳ ଫେରି ଯେଉଁଆଡ଼େ ମର୍ସିୟା ବନ୍ଦୀ ହୋଇଥିଲା, ସେ ଆଡ଼କୁ ଅନାଇ ମର୍ସିୟା ଯେପରି ତା ସମ୍ବନ୍ଧରେ ହତାଶ୍ୱାସ ନ ହୁଏ, ମୁଣ୍ଡ ହଲାଇ ସଙ୍କେତ ଦେଇଥିଲା । ତା ପରେ ନୀରବରେ ଅଗ୍ରସର ହେଲା, ମର୍ସିୟାର ଦୃଷ୍ଟି ବାହାରକୁ ଚାଲିଗଲା । କାରାକକ୍ଷରେ ମର୍ସିୟା ରହିଲା ଏକାକୀ ।

Image

 

ଏକବିଂଶ ପରିଚ୍ଛେଦ

ନୈବେଦ୍ୟ

 

ମର୍ସିୟା ପ୍ରସ୍ତରର ଆସନ ଉପରେ ହାମୁଡ଼େଇ ପଡ଼ିଥିଲା । ନୀରବରେ କାନ୍ଦୁଥିଲା, ଦୁଃଖ କିନ୍ତୁ ନିଜ ପାଇଁ ନୁହେଁ । ସେ ପ୍ରଭୁଙ୍କ ନିକଟରେ ନୀରବରେ ପ୍ରାର୍ଥନା କରୁଥିଲା, -ଯେପରି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ସମସ୍ତ ଦୁଃଖକଷ୍ଟ ସହି ପାରିବ । କାରାକକ୍ଷରେ କେହି ନାହିଁ ଯେ କି ତାକୁ ସାନ୍ତ୍ୱନା ଅବା ସାହସ ଦେବ । ଯେଉଁମାନେ ଅଳ୍ପ ସମୟ ପୂର୍ବରେ ସେମାନଙ୍କର ଗାନ ପ୍ରାର୍ଥନାରେ କାରାକକ୍ଷକୁ ପୂର୍ଣ୍ଣ କରି ରଖିଥିଲେ, ସେମାନଙ୍କର ଶବ ଉତ୍ସବ ଗୃହର ପ୍ରାଙ୍ଗଣରେ ଲୋଟୁଛି, ଆତ୍ମା ପ୍ରଭୁଙ୍କ ନିକଟରେ ସ୍ୱର୍ଗରେ ।

 

ଏହିପରି ବୀରା ବାଳିକା ଯୁଦ୍ଧକ୍ଷେତ୍ରରେ ଏକାକୀ ହେଲେ ସୁଦ୍ଧା ରଣଭଙ୍ଗ ଦେଲା ନାହିଁ, ହତାଶ ହୋଇ ଭାଙ୍ଗି ପଡ଼ିଲା ନାହିଁ । କିନ୍ତୁ ତାର ଯାବତୀୟ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ମାର୍କସ୍‌କୁ ଭୁଲି ନ ଥିଲା । ସେ ପ୍ରାର୍ଥନା କରୁଥିଲା, ଯେ ତାର ମୃତ୍ୟୁରେ ମାର୍କସ୍‌ ଜୀବନ ଲାଭ କରେ, ତାର ଜୀବନ ଯେପରି ମାର୍କସ୍‍ର ଆଦର୍ଶ ହୁଏ, ତାକୁ ଉପରକୁ ଉଠାଏ ଏବଂ ତାର ହୃଦୟର ଯେଉଁ ପ୍ରଗାଢ଼ ବିଶ୍ୱାସରୁ ଜଗତର କୌଣସି ବିଷୟ ତାହାକୁ ବିଚ୍ୟୁତ କରି ପାରି ନାହିଁ; ସେହି ବିଶ୍ୱାସ ଯେପରି ମାର୍କସ୍‌କୁ ଅନୁପ୍ରାଣିତ କରେ ।

 

କାରାକକ୍ଷର ଦ୍ୱାର ଫିଟିଲା । ଦୁଇଜଣ ସୈନ୍ୟାଧ୍ୟକ୍ଷ କକ୍ଷର ବାହାରେ ଛିଡ଼ାହେଲେ, ମାର୍କସ୍ ଗୃହ ମଧ୍ୟରେ ପ୍ରବେଶ କରି ମର୍ସିୟାକୁ ଏକାକୀ ଦେଖି ଟିକିଏ ଚମକି ପଡ଼ିଲା । ବାହାରକୁ ଆସି ସୈନ୍ୟାଧ୍ୟକ୍ଷ ଦୁଇଜଣଙ୍କୁ ବିଦାୟ ଦେଇ ପୁନର୍ବାର କକ୍ଷରେ ପ୍ରବେଶ କରି ଦ୍ୱାର ବନ୍ଦ କଲା । ପ୍ରାଣର ଅସୀମ ବେଦନା ନେଇ କରୁଣନୟନରେ ଅନାଇ ରହିଲା ଧ୍ୟାନାସନସ୍ଥ ସେହି ଶ୍ୱେତମୂର୍ତ୍ତିକୁ-। ମର୍ସିୟାର ପ୍ରାଣ ସେତେବେଳେ ଗଭୀର ଚିନ୍ତାରେ ବୁଡ଼ିଯାଇଛି, ମାର୍କସ୍‌ର ଭିତରକୁ ଆସିବାର ଆବାଜ ସେ ପାଇ ନ ଥିଲା ।

 

କିଛି ସମୟ ସକାଶେ ମାର୍କସ୍ ମୁହଁରୁ ବାକ୍ୟ ସ୍ଫୁରିଲା ନାହିଁ, ତାର ମନେ ହେଲା, ଯେପରି ଏ ସୁନ୍ଦରୀ ବାଳିକାର ଦୁଃଖ ଦେଖି ତା ଛାତି ଫାଟିଯିବ । ଦେଖିଲା, ଏ ଜଘନ୍ୟ ଅନ୍ଧକୂପ ତାର ସାହସ ଊଣା କରି ପାରି ନାହିଁ; ଜାଣିଲା, ଏଠି ରହି ସୁଦ୍ଧା ସେ ତାର ତାଡ଼ନାକାରୀଙ୍କ ନିମନ୍ତେ ପ୍ରାର୍ଥନା କରୁଥିବ, ଯେପରି ସେମାନଙ୍କୁ ପ୍ରଭୁ କ୍ଷମା କରନ୍ତି । ତାର ଏବଂ ଭୟାବହ ମୃତ୍ୟୁର ମଧ୍ୟରେ କେତେକ ମୁହୂର୍ତ୍ତର ବ୍ୟବଧାନ ମାତ୍ର, ଆଉ ମର୍ସିୟାକୁ ରକ୍ଷା କରିବାକୁ ମଝିରେ ପ୍ରତିବନ୍ଧକ ସ୍ଵରୁପ ଛିଡ଼ା ହୋଇଛି କେବଳ ତାର ନିଜର ପ୍ରେମ । ତାର ପ୍ରେମାତୁର ଚିତ୍ତର ଇଚ୍ଛା ଜାଣିପାରି ଲୋଲୁପ ହସ୍ତଦ୍ୱୟ ସ୍ୱତଃ ମର୍ସିୟା ଆଡ଼କୁ ପ୍ରସାରିତ ହେଲା, ସତେ ଅବା ଏହି କୃଶାଙ୍ଗୀର ଅଙ୍ଗଯଷ୍ଟିକୁ ନିବିଡ଼ ଆଲିଙ୍ଗନରେ ନିଜର ବକ୍ଷ ଉପରକୁ ସଂଗ୍ରହ କରି ଆଣିବ ଏବଂ ସମସ୍ତ ଜଗତର ବିରୁଦ୍ଧତା ସମ୍ମୁଖରେ ଛିଡ଼ା ହୋଇ ଆଶ୍ରୟ ଓ ସାନ୍ତ୍ୱନା ଦେବାର ଶ୍ଳାଘା ଅନୁଭବ କରିବ । ତିନିଥର ସେ ଚେଷ୍ଟା କଲା କଥା କହିବାକୁ, କିନ୍ତୁ କଥା ବାହାରିଲା ନାହିଁ । ଯେଉଁ କଥା କହିବାକୁ ଯାଉଥିଲା, ସେହି କଥା ଯେପରି ତାର ଶ୍ୱାସରୋଧ କଲା । ଅତି କଷ୍ଟରେ ଶେଷରେ ଅତି ଧୀରେ ଡାକିଲା–

 

ମର୍ସିୟା !

 

ସେହି ସମୟରେ ମର୍ସିୟା ମାର୍କସ୍‍ର ନାମ ଧରି ପ୍ରଭୃଙ୍କ ନିକଟରେ ପ୍ରାର୍ଥନା କରୁଥିଲା । ତାର ମନେ ହେଲା ଯେପରି ମାର୍କସ୍‍ର ଆତ୍ମା ତାର ନୀରବ ପ୍ରାର୍ଥନା ଶୁଣିପାରି ତାକୁ ଡାକୁଛି । ସେ ଜାଣି ନ ଥିଲା ମାର୍କସ୍ ତା କତିକି ଆସିଛି, ଜାଣିଥିଲା ମାର୍କସ୍ ସହିତ ଆଉ ଥରେ ସାକ୍ଷାତ୍ କରିବାର ସମ୍ଭାବନା ନାହିଁ । ପୁଣି ମୃଦୁମଧୁର ସ୍ଵରରେ ମାର୍କସ୍ ଦ୍ୱିତୀୟ ଥର ଡାକିଲା–

 

ମର୍ସିୟା !

 

ମର୍ସିୟା ଧୀରେ ସୁପ୍ତୋଥିତ ପରି ଉଠି ବସିଲା, ଚାରିଆଡ଼କୁ ଅନାଇଲା । ଯେତେବେଳେ ଦେଖିଲା ବାସ୍ତବିକ୍‌ ମାର୍କସ୍ ତା ପାଖରେ, ହୃଦୟର ସ୍ପନ୍ଦନର ବେଗ ଏପରି ବଢ଼ିଗଲା ଯେ, ସେ ଶୀଘ୍ର କଥା କହି ପାରିଲା ନାହିଁ । ତାପରେ ପ୍ରକୃତିସ୍ଥ ହୋଇ ଜଡ଼ିତ କଣ୍ଠରେ ପଚାରିଲା, ‘ମୋ କତିକି ପୁଣି କଣ ପାଇଁ ଆସିଲ ?’

 

ମାର୍କସ୍ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ଅନାଇ ଆବେଗଭରା କଣ୍ଠରେ କହିଲା, ‘ମର୍ସିୟା ମୁଁ ତୁମକୁ ରକ୍ଷା କରିବାକୁ ଆସିଛି ।”

 

‘ରକ୍ଷା କରିବ ? କେଉଁଥିରୁ ?

 

‘ମୃତ୍ୟୁ ମୁଖରୁ ।’ ଏହା କହି ମାର୍କସ୍ ଭୟବିହ୍ୱଳ ଚକ୍ଷୁରେ ରଙ୍ଗଭୂମି ଆଡ଼କୁ ଅନାଇଲା । ‘ରକ୍ଷା କେମିତି କରିବ ?’

 

ମାର୍କସ୍ ଇତସ୍ତତଃ କଲା, ସାହସ କରି କହି ପାରିଲା ନାହିଁ । ତାର ମୁକ୍ତି ତାର ଧର୍ମତ୍ୟାଗ ଉପରେ ନିର୍ଭର କରୁଛି । ତାର ପ୍ରଶ୍ନ ଅନୁସାରେ ଉତ୍ତର ନ ଦେଇ ଅବଶେଷରେ କହିଲା–‘ମୁଁ ତୁମର ମୁକ୍ତି ପାଇଁ ନୀରୋ ସମ୍ମୁଖରେ ଅବନତଜାନୁ ହୋଇ ଭିକ୍ଷା ମାଗିଛି ?’’

 

‘ଭିକ୍ଷା ପାଇଛ ?’’

 

‘କେବଳ ଗୋଟିଏ ସର୍ତ୍ତରେ ସେ ଭିକ୍ଷା ପ୍ରଦାନ କରିବ; ଏହା କହି ମାର୍କସ୍ ଅଟକି ଗଲା-। ମର୍ସିୟା ରୁଦ୍ଧଶ୍ଵାସରେ ପଚାରିଲା, ସେ ସର୍ତ୍ତ କଣ ?’’

 

‘ସେ–ସେ–’ । ମାର୍କସ ସହଜରେ ତାକୁ ତାର ଧର୍ମବିଶ୍ୱାସ ପରିତ୍ୟାଗ କରିବାକୁ ଅନୁରୋଧ କରି ପାରିଲା ନାହିଁ ।

 

ମର୍ସିୟା କିଛିକ୍ଷଣ ଅପେକ୍ଷା କରି ପୁଣି ଅତି ଧୀରେ ପଚାରିଲା, ‘ସେ ସର୍ତ୍ତ କଣ ?’

 

‘ତୁମେ ଯଦି ଏହି ମିଥ୍ୟା ଉପାସନା ପରିତ୍ୟାଗ’–ମର୍ସିୟା କରୁଣ–ନୟନରେ ମାର୍କସ ଆଡ଼କୁ ଅନାଇ ଧୀରେ ଧୀରେ କହିଲା, ‘ଏ ଧର୍ମ ମିଥ୍ୟା ନୁହେଁ, ମାର୍କସ୍, ଏ ଧର୍ମ ସତ୍ୟ, ସନାତନ-।’ ମାର୍କସ୍ ଜାଣି ପାରିଲା ମର୍ସିୟାର ଧର୍ମ ଗୋଟାଏ ଖିଆଲ ନୁହେଁ, କି ଧର୍ମମତର ସତ୍ୟାସତ୍ୟ ସମ୍ବନ୍ଧରେ ଗୋଟାଏ ଜିଦାଜିଦିର ବିଷୟ ନୁହେଁ, ଏ ହେଉଛି ତାର ପ୍ରାଣର ପ୍ରାଣ, ତାର ଜୀବନର ଜୀବନ । ତଥାପି ତାର ଜୀବନ ଯେପରି ରକ୍ଷା କରି ପାରିବ, ସେଥିପାଇଁ ଯଥାସାଧ୍ୟ ଚେଷ୍ଟା କଲା ।

 

କହିଲା, ‘ସନାତନ ? ଚିରସ୍ଥାୟୀ କିଛି ନାହିଁ, ମର୍ସିୟା, ଏ ସଂସାରରେ । ମୃତ୍ୟୁହିଁ ଶେଷ; ମୁତ୍ୟୁ ପରେ ଆଉ ଜୀବନ ନାହିଁ । ମନୁଷ୍ୟ କେବଳ ଏଠାକୁ ଆସେ ଆଉ ଚାଲିଯାଏ, ନିଜର କ୍ଷୁଦ୍ର ଜୀବନର ସୁଖଦୁଃଖ ନେଇ କିଛିଦିନ ବ୍ୟସ୍ତ ହୁଏ, ତା ପରେ ଆସେ କ୍ଳାନ୍ତି ଆଉ ନିଦ୍ରା; ମର୍ସିୟା, ସେ ନିଦ୍ରା ମହାନିଦ୍ରା, ତା ପରେ ଆଉ ଜାଗରଣ ନାହିଁ ।’

 

‘ତୁମେ କଣ ଠିକ୍‍ ଜାଣ ସେ ନିଦ୍ରାର ଆଉ ଜାଗରଣ ନାହିଁ ? ଧୀରସ୍ଥିର ହୋଇ ଥରେ ତୁମର ଅନ୍ତରାତ୍ମା ପଚାରିଲ, ମୃତ୍ୟୁ ପରେ ଜୀବନ ଅଛି କି ନାହିଁ ?’ ଏହି ପ୍ରଶ୍ନର ସାଦାସିଧା ଉତ୍ତର ଦେବାକୁ ସେ ପ୍ରଥମରେ ଇତସ୍ତତଃ କଲା; ତା ପରେ କଥା ଏଡ଼ାଇ ଏଡ଼ାଇ କହିଲା, ମୃତ୍ୟୁ ପରେ ଯେଉଁ ଜୀବନ ଅଛି ତାହା ଲାଭ କରିବାକୁ ସମସ୍ତେ ଚାହାଁନ୍ତେ ଯଦି ଜାଣନ୍ତେ ଯେ ସେ ଜୀବନ ବର୍ତ୍ତମାନ ଜୀବନଠାରୁ ଉତ୍କୃଷ୍ଟତର ।’

 

‘ମୃତ୍ୟୁ ପରେ ଜୀବନ ଉତ୍କୃଷ୍ଟତର ହୁଏ, ଯଦି ବର୍ତ୍ତମାନର ଜୀବନ ଉପଯୁକ୍ତ ରୂପେ ଯାପନ କରା ହୋଇଥାଏ । ତୁମେ କଣ ତୁମର ଜୀବନ ଏଯାବତ୍ ଉପଯୁକ୍ତରୂପେ ଯାପନ କରିଛି-?’’

 

ମାର୍କସ୍‌ର ମନ ଭିତରେ ନିଜ ଜୀବନର ଶତସହସ୍ର ଲଜ୍ଜାଜନକ ଘଟଣାର ସ୍ମୃତି ନିମିଷକ ମଧ୍ୟରେ ଜାଗି ଉଠିଲା, ମର୍ସିୟାର ଜିଜ୍ଞାସୁ ଦୃଷ୍ଟି ସମ୍ମୁଖରେ ସେ ଅବନତ ମସ୍ତକ ହୋଇ ରହିଲା । ସେ କଣ ଉପଯୁକ୍ତ ରୂପେ ନିଜ ଜୀବନଯାପନ କରିଛି ? ସେ ଜୀବନରେ ଯେ ସମସ୍ତ ଅଭିଜ୍ଞତା ମଧ୍ୟଦେଇ ଆସିଛି, ତାର ପର୍ଯ୍ୟାଲୋଚନା ପର୍ଯ୍ୟନ୍ତ ତା ନିକଟରେ ବର୍ତ୍ତମାନ ଲଜ୍ଜାକର ମନେ ହେଲା । ସେ ରହି ରହି କହିଲା, “ନା; ତୁମରି ସଂସ୍ପର୍ଶରେ ଆସି ମୁଁ ବୁଝିପାରିଛି, ମୁଁ ଜୀବନକୁ ଉପଯୁକ୍ତରୂପେ ଯାପନ କରି ନାହିଁ । ପାପ ଯେ ପାପ ଏବଂ ତାହା ସେ ଲଜ୍ଜାଜନକ, ତାହା ମୁଁ ଭଲରୂପେ ଜାଣି ନ ଥିଲି ଯେପର୍ଯ୍ୟନ୍ତ ତୁମର ପବିତ୍ର ଚରିତ୍ରର ସଂସ୍ପର୍ଶରେ ଆସି ନ ଥିଲି । ଏ ଅପାର୍ଥିବ ସୌନ୍ଦର୍ଯ୍ୟ ଏ ମଧୁରତା ତୁମେ କେଉଁଠୁ ପାଇଲ; ମର୍ସିୟ। ?’’

 

‘ମୋ ଜୀବନରେ ଯଦି କିଛି ସୁନ୍ଦର, ଯଦି କିଛି ମଧୁର ଥାଏ, ତାହା ସେହି କାଲବରୀରେ କ୍ରୂଶରେ ହତ ପ୍ରଭୁଙ୍କର ପ୍ରସାଦ । ସେ ପ୍ରସାଦ ଯେ ଚାହିଁବ, ସେ ଭୋଗ କରି ପାରିବ ।

 

‘ତୁମେ କଣ ଏହା ବିଶ୍ୱାସ କରୁଛ ?’’

 

‘ମୁଁ ମୋର କାୟମନୋବାକ୍ୟରେ ବିଶ୍ୱାସ କରୁଛି ।’

 

‘ଏହାର ପ୍ରମାଣ କଣ ?’

 

ମର୍ସିୟା ଏହାର ଉତ୍ତରରେ ନିଜ ବକ୍ଷ ଉପର ହସ୍ତ ସ୍ଥାପନ କରି କହିଲା; ଏହାର ପ୍ରମାଣ ଏ ହୃଦୟ ।’

 

‘ରୋମରେ ଅନେକ ଦେବତାର ମୂର୍ତ୍ତି ଅଛି । କିଏ କାଠକୁ ଈଶ୍ୱର ଭାବି ପୂଜା କରୁଛି, କିଏ ପଥରକୁ ଈଶ୍ୱର ଭାବି ପୂଜା କରୁଛି । ଆଉ ତୁମେ, ତୁମେ କଣ ଠିକ୍ ତୁମର ଈଶ୍ୱରଙ୍କୁ ଜାଣ ? ଏ ଭ୍ରାନ୍ତି ନୁହେଁ, ସଂସ୍କାର ନୁହେଁ, ନିଜ ମନର ମାଧୁରୀରେ ଗଢ଼ା କଳ୍ପନା ନୁହେଁ ? ତୁମେ ଏହା ସକାଶେ ମରିବ ?

 

‘‘ମୁଁ ମୋ ପ୍ରଭୁଙ୍କ ସକାଶେ ଆନନ୍ଦରେ ମରିବି ।’’

 

ମାର୍କସ୍ ଜାଣିଲା, ମର୍ସିୟା ଅତ୍ୟୁକ୍ତି କରୁ ନାହିଁ, ଅହଙ୍କାର କରୁ ନାହିଁ; ସେ ଯାହା କହୁଛି, ନିଜ ଅନ୍ତରର ଏ ଦୃଢ଼ ପ୍ରତୀତି ସକାଶେ ସେ ମୃତ୍ୟୁ ବରଣ କରିବାକୁ କୁଣ୍ଠିତ ହେବ ନାହିଁ । କିନ୍ତୁ ମର୍ସିୟାର ମୃତ୍ୟୁ, ଏ ଚିନ୍ତା ତା ପକ୍ଷରେ ଅସହନୀୟ । ସେ ଆବେଗର ସହିତ ଅନୁନୟ କରି କହିଲା, -ମର୍ସିୟା, ଶୁଣ ! ତୁମେ ମରି ପାରିବ ନାହିଁ ! ମୁଁ ତୁମକୁ ମରିବାକୁ ଦେବି ନାହିଁ ! ମୁଁ ତୁମକୁ ଛାଡ଼ି ପାରିବି ନାହିଁ ! ମୁଁ ତୁମକୁ ପ୍ରେମ କରେଁ, ତୁମେ କଣ ଜାଣ ନାହିଁ, ମର୍ସିୟା ?’’

 

‘ତୁମେ ମୋତେ ପୂର୍ବେ ଅନେକଥର ଏ କଥା କହିଛ ଏବଂ ଏଥି ସକାଶେ ମୋର ଦେହ ଆତ୍ମା ସମସ୍ତ ନଷ୍ଟ କରିଥାନ୍ତ ।’

 

‘‘ମୁଁ ତାହା ସ୍ୱୀକାର କରୁଛି । ମୁଁ ସେତେବେଳେ ଜାଣି ନ ଥିଲି ! ସେତେବେଳେ ମୋ ଆଖି ଫିଟି ନ ଥିଲା । ମୁଁ ବର୍ତ୍ତମାନ ଜାଣି ପାରୁଛି, ଏ ପ୍ରେମ ବାସ୍ତବିକ୍ ପ୍ରକୃତ ପ୍ରେମ । ମୁଁ ସେତେବେଳେ ମୋତେ ଯେପରି ତୁମକୁ ମଧ୍ୟ ସେହିପରି ଭୁଲ୍‌ ବୁଝିଥିଲି । ମୋ ମଧ୍ୟରେ ଯେଉଁ ପଶୁ ଥିଲା, ସେ ଆଉ ନାହିଁ, ମଲାଣି, ମନୁଷ୍ୟତ୍ୱ ପ୍ରବୁଦ୍ଧ ହୋଇଛି । ତୁମର ଯେଉଁ ପବିତ୍ରତାକୁ ମୁଁ କଳଙ୍କିତ କରିବାକୁ ଇଚ୍ଛା କରିଥିଲି, ସେହି ପବିତ୍ରତା ମୋତେ ମଧ୍ୟ ପବିତ୍ର ଚରିତ୍ର କରିବାକୁ ଆରମ୍ଭ କଲାଣି । ମର୍ସିୟା, ତୁମ ନିକଟରେ ମୋର ହୃଦୟର ନିବେଦନ, ତୁମେ ବଞ୍ଚ ଏବଂ ତୁମକୁ ବିବାହିତା ଭାର୍ଯ୍ୟାରୂପେ ଲାଭ କରିବାର ସମ୍ମାନ ଏବଂ ଗୌରବ ମୋତେ ପ୍ରଦାନ କର ।’’ ଏହା କହି ମାର୍କସ ପୁଣ୍ୟଶୀଳା ନାରୀ ପ୍ରତି ପୁରୁଷର ଯେତେ ସମ୍ମାନ ପ୍ରଦର୍ଶନ କରିବା ସମ୍ଭବ, ତାହା ପ୍ରଦର୍ଶନ କରି ଏହି ସାମାନ୍ୟ ବାଳିକା ନିକଟରେ ଜାନୁ ଅବନତ କଲା ।

 

ଏହି ସମସ୍ତ କଥା ଏବଂ ଏହି ଦୃଶ୍ୟ ମର୍ସିୟାର ହୃଦୟର ଅନ୍ତଃସ୍ଥଳ ପର୍ଯ୍ୟନ୍ତ କମ୍ପିତ କରିଦେଲା । ସେ ଦେଖିଲା, ଯେଉଁ ପୁରୁଷକୁ ସେ ତାହାର ସମସ୍ତ ହୃଦୟ ସହିତ ପ୍ରେମ କରେ, ସେ ତାହାର ପ୍ରେମପ୍ରାର୍ଥୀ । ଏହି ପ୍ରେମପ୍ରାର୍ଥନାରେ ଛଳନା ନାହିଁ, ଅଛି ହୃଦୟର ଗଭୀର ଶ୍ରଦ୍ଧା ଏବଂ ଐକାନ୍ତିକତା । ସେଥିପାଇଁ ସେ ଯେତେବେଳେ ପୁନର୍ବାର କଥା କହିବାକୁ ଆରମ୍ଭ କଲା, ତାର କଣ୍ଠସ୍ୱର ଆନନ୍ଦର ଆବେଗରେ ଟିକିଏ ଜଡ଼ିତ ହୋଇଗଲା, ଟିକିଏ ଅସ୍ପଷ୍ଟ ଶୁଭିଲା । ସେ ରୁଦ୍ଧଶ୍ୱାସରେ ପଚାରିଲା,–‘ତୁମର ବିବାହିତା ଭାର୍ଯ୍ୟା ? କଣ ସତ ସତ ତୁମର ଭାର୍ଯ୍ୟା ?’

 

‘ସତ୍ୟ ମୋର ଭାର୍ଯ୍ୟା;’ ମୋର ସମାଦୃତା ପତ୍ନୀ । ‘ଓ, ମାର୍କସ୍‍, ମାର୍କସ୍‍ !’ ଏହା ଛଡ଼ା ଆବେଶରେ ମର୍ସିୟାର ଜଡ଼ିତ କଣ୍ଠରୁ ଅନ୍ୟ କିଛି କଥା ବାହାରିଲା ନାହିଁ । ସେ ପ୍ରେମ ସତ୍ୟ, ଯଥାର୍ଥ ଏବଂ ଈଶ୍ୱରାନୁମୋଦିତ, ମାର୍କସ୍‍ର ସେହି ପ୍ରେମ ଯେ ସେ ଲାଭ କରିଛି, ଏହି ଚିନ୍ତା ତାକୁ ସେହି ସମୟ ସକାଶେ ସମସ୍ତ ଭୁଲାଇ ଦେଲା । ମାର୍କସ୍‍କୁ ସେ ତାର ଉଚ୍ଛୃଙ୍ଖଳତା ନିମିତ୍ତ ଅନେକ ଦିନ ଆଗରୁ କ୍ଷମା କରିଥିଲା ।

 

ନିର୍ବନ୍ଧାତିଶୟ ସହକାରେ ମାର୍କସ୍ ପୁନର୍ବାର କହିଲା, ‘ମର୍ସିୟା, ତୁମେ ମୋର ଭାର୍ଯ୍ୟା ହେବ ?’’

 

ଆସ୍ତେ ଆସ୍ତେ ମର୍ସିୟାର ଦୃଷ୍ଟିରୁ ବିହ୍ୱଳଭାବ କଟିଗଲା, ଦୂର ଭବିଷ୍ୟତର ବିମୋହନ ଚିତ୍ର ଦୃଷ୍ଟିପଥରୁ ଉଭେଇଗଲା, ତା ପରିବର୍ତ୍ତରେ ନେତ୍ରପଥାରୁଢ଼ ହେଲା ବର୍ତ୍ତମାନର ବିଭୀଷିକା, କାରାଗାର, ଆସନ୍ନମୃତ୍ୟୁ । ଏହି ପାର୍ଥିବ ଆନନ୍ଦ ଉପଭୋଗ କରିବା ନିମନ୍ତେ ତାକୁ ଯାହା ମୂଲ୍ୟ ସ୍ଵରୂପ ଦେବାକୁ ହେବ, ତାହାରି ଚିନ୍ତା ମନରେ ଉଦୟ ହେଲା । ତା ପରେ କମ୍ପିତ ଅଧରରେ ଚପଳାଚମକ ପରି କ୍ଷଣକାଳ ନିମିତ୍ତ ଟିକିଏ ମୃଦୁହାସ୍ୟରେଖା ଫୁଟି ଉଠିଲା । ଓଃ, ସେ ହାସ୍ୟର କି ମର୍ମନ୍ତୁଦ ବ୍ୟଞ୍ଜନା । ସେ ହାସ୍ୟ ଚପଳାଚମକ ପରି ମାର୍କସ୍ ସମ୍ମୁଖରେ ଉଦ୍‌ଘାଟିତ୍ କରିଦେଲା ମର୍ସିୟାର ଅନ୍ତଃସ୍ଥଳ, ଯାହା ଶ୍ରାବଣ ଆକାଶର ଚକ୍ରବାଳଲମ୍ବୀ ମେଘ ପରି ଦୁଃଖଯାତନା, ଚିନ୍ତାଭାବନାରେ ନିବିଡ଼ ହୋଇ ରହିଅଛି; କିନ୍ତୁ ଯହିଁରେ ହୃଦୟର ଭାର ଲାଘବ କରିବା ସକାଶେ ଅଶ୍ରୁର ଆସାର ନାହିଁ । ମର୍ସିୟା କମ୍ପିତ କଣ୍ଠରେ ପଚାରିଲା,

 

‘ସେଥିପାଇଁ କଣ ମୋତେ ମୋର ଧର୍ମ ଅସ୍ୱୀକାର କରିବାକୁ ହେବ ?’

 

ଏହାର ଉତ୍ତର ଦେବାବେଳେ ମାର୍କସ୍‍ର କଣ୍ଠସ୍ୱରରେ ଯଦିବା ଯଥେଷ୍ଟ ସହାନୁଭୂତିଥିଲା, ତଥାପି ତାକୁ ପ୍ରକୃତ କଥା କହିବାକୁ ହୋଇଥିଲା । ସେ କହିଲା, ‘ତାହା ଅବଶ୍ୟ କରିବାକୁ ହେବ ।’

 

ତାର ଉତ୍ତରରେ ମର୍ସିୟା କେବଳ କହିଲା, ‘ତା କେତେବେଳେ ହେବ ନାହିଁ, ’ କିନ୍ତୁ ମାର୍କସ୍ ତାର କଣ୍ଠସ୍ୱରରୁ ହୃଦୟର ସଂକଳ୍ପର ଦୃଢ଼ତା ବୁଝିପାରିଲା । ତଥାପି ଆଶା ଛାଡ଼ିଲା ନାହିଁ, କହିଲା–

 

‘ଏହା କରିବା ଏକାବେଳକେ ଅସମ୍ଭବ ନୁହେଁ । ଚିନ୍ତା କରି ଦେଖ, ମର୍ସିୟା, ଚିନ୍ତା କରି ଦେଖ ।’

 

‘ଚିନ୍ତା କରି ଦେଖିବାର ଆବଶ୍ୟକତା ନାହିଁ । ଯେତେବେଳ ପର୍ଯ୍ୟନ୍ତ ଦେହରେ ଜୀବନ ଅଛି, ସେତେବେଳ ପର୍ଯ୍ୟନ୍ତ ନିଶ୍ୱାସ ମାରିବା ସକାଶେ ଚିନ୍ତା କରିବାକୁ ହୁଏ ନାହିଁ, ହୃଦୟର ସ୍ପନ୍ଦନକ୍ରିୟା, ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ କାର୍ଯ୍ୟ ଆମ୍ଭମାନଙ୍କର ଚିନ୍ତାକୁ ଅପେକ୍ଷା କରେ ନାହିଁ । ଈଶ୍ୱରଙ୍କ ସୃଷ୍ଟିର ନିୟମ ଏହିପରି । ମୁଁ ସେହିପରି ଚିନ୍ତା ନ କରି ପ୍ରଭୁଙ୍କର ସେବା କରେ-ତାଙ୍କ ନିକଟରେ ବିଶ୍ୱସ୍ତ ରହିବା ସକାଶେ ଚିନ୍ତା କରିବାର ଆବଶ୍ୟକତା ଅନୁଭବ କରେ ନାହିଁ । ସେ ମୋତେ ଏହିପରି ନିର୍ମାଣ କରିଛନ୍ତି । ମୁଁ ଇଚ୍ଛା କଲେ ମଧ୍ୟ ଅନ୍ୟ କୌଣସି ପ୍ରକାର ହୋଇ ପାରିବି ନାହିଁ ।”

 

‘ତୁମେ ଯଦି ମୋତେ ବାସ୍ତବିକ୍ ପ୍ରେମ କର- ‘‘ଶୁଣ ମାର୍କସ୍ । ମୁଁ ଜାଣେ ନାହିଁ ଏହି ପ୍ରେମ କାହିଁକି ମୋ ହୃଦୟରେ ସ୍ଥାନ ପାଇଲା ଏବଂ କେଉଁଠାରୁ ଆସି ସ୍ଥାନ ପାଇଲା, କିନ୍ତୁ ଏତିକି ଜାଣେ, ଯେତେବେଳେ ତୁମକୁ ପ୍ରଥମେ ଦେଖିଲି, ସେହି ପ୍ରଥମ ଦର୍ଶନ ସଙ୍ଗେ ସଙ୍ଗେ ତୁମ ପ୍ରତି ଏ ହୃଦୟରେ ପ୍ରେମ ଜାତ ହେଲା ।’’

 

‘ମର୍ସିୟା’ ! କହି ମାର୍କସ୍ ଏକ ଲମ୍ଫରେ ଆସି ମର୍ସିୟା ନିକଟରେ ଉପସ୍ଥିତ ହେଲା ଏବଂ ପରମୁହୂର୍ତ୍ତରେ ତାକୁ ନିଜର ଆଲିଙ୍ଗନପାଶରେ ସଂଗ୍ରହ କରି ନେଇଥାନ୍ତା କିନ୍ତୁ ମର୍ସିୟା ତାର ଆନନ୍ଦାତିଶଯ୍ୟାରେ ବାଧା ଦେଇ କହିଲା–

 

‘ନା, ନା, ମାର୍କସ୍ ଯେଉଁଠି ଅଛ ସେଇଠି ରହି ଶୁଣ । ଏ ଯେଉଁ ପ୍ରେମ କଥା ମୁଁ କହୁଥିଲି, ସେତେବେଳେ ମୁଁ ଜାଣି ନ ଥିଲି ଏ ପ୍ରେମ କେଉଁଠୁ ଆସିଲା ଏବଂ କିପରି ମୋର ହୃଦୟରେ ସ୍ଥାନ ପାଇଲା ? କିନ୍ତୁ ବର୍ତ୍ତମାନ ମୁଁ ଜାଣୁଛି ଯେ ମୋ ପାଇଁ ନିଜ ପ୍ରାଣ ଦାନ କରିଛନ୍ତି; ମୋର ସେହି ପ୍ରେମମୟ ପ୍ରଭୁ ଏ ପ୍ରେମ ମୋ ହୃଦୟରେ ସ୍ଥାପନ କରିଛନ୍ତି; ଆଉ ମୁଁ ଆନନ୍ଦର ସହିତ ଏହାକୁ ଗ୍ରହଣ କରିଛି । କାରଣ ସେ ମୋତେ ତୁମ ପାଇଁ ଏ ପ୍ରେମ ଦେଇଛନ୍ତି । ତୁମେ କଣ ମନେ କରୁଛ, ସେ ମୋତେ ଏହାକୁ ଦେଇଛନ୍ତି ପ୍ରଲୁବ୍‍ଧ କରିବାକୁ ଯେପରି ମୁଁ ତାଙ୍କୁ ଅସ୍ୱୀକାର କରିବି ? ନା ମାର୍କସ୍, ମୋର ଭଗ୍ନ ଅବସନ ପ୍ରାଣର ଅବଲମ୍ବନ ହେବା ପାଇଁ , ମୋର ନିଃସଙ୍ଗ ଜୀବନର ଗୋପନ ସହଚର ହେବା ପାଇଁ ଏ ପ୍ରେମ ମୋ ନିମନ୍ତେ ମୋ ପ୍ରଭୁଙ୍କର ଦାନ । ଜଗତ ଆସି ପ୍ରାୟ ମୋ ପଛରେ ପଡ଼ିଲାଣି, ମୁଁ ପରଲୋକରେ ପ୍ରବେଶ କରିବା ନିମିତ୍ତ ତାର ଦ୍ୱାରଦେଶରେ ଆସି ପହଞ୍ଚିଲିଣି, ଜଗତରେ ସମସ୍ତ ଚିନ୍ତା, ସମସ୍ତ ବିଷୟ । ପଛରେ ପକାଇ ଆସିଲିଣି, ସେଥିପାଇଁ ତୁମ ପାଖରେ ଏ ପ୍ରଣୟ ସ୍ୱୀକାର କରିବାରେ ମୋର ଆଉ ଲଜ୍ଜା ସଙ୍କୋଚ ନାହିଁ । ମାର୍କସ୍, ମୋ ପ୍ରଭୁଙ୍କ ପରେ ଯଦି ମୁଁ କାହାକୁ ସବୁଠାରୁ ବେଶୀ ପ୍ରେମ କରୁଥାଏ, ତେବେ ସେ ତୁମକୁ ।

 

‘ମାର୍କସ୍ ଉଚ୍ଛ୍ୱାସର ସହିତ କହିଲା, ‘ଆଉ ତୁମେ ବଞ୍ଚିବ ?’

 

‘ମୁଁ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ରହିବି ।’

 

ତୁମେ ବଞ୍ଚିବାକୁ ଚେଷ୍ଟା କରିବ ?

 

ଯେଉଁ ପ୍ରଭୁ ମୋ ପାଇଁ ପ୍ରାଣ ଦେଇଛନ୍ତି; ମୁଁ ତାଙ୍କୁ ଅସ୍ୱୀକାର କରି ପାରିବି ନାହିଁ ।

 

‘‘ମର୍ସିୟା, ତୁମର ଯେଉଁ ଈଶ୍ୱରଙ୍କ ଅସ୍ତିତ୍ୱରେ ତୁମର ଏଡ଼େ ବିଶ୍ୱାସ, ସେହି ଈଶ୍ୱର ନିଶ୍ଚୟ ଆମ ଦୁଇଜଣଙ୍କୁ ପରସ୍ପର ସକାଶେ ନିର୍ମାଣ କରିଛନ୍ତି । ଶୁଣ ! ମୋର ଯାହା ଅଛି, ସେ ସବୁ ଧନସମ୍ପତ୍ତିର ପରିମାଣ ତୁମେ କଳ୍ପନାରେ ସୁଦ୍ଧା କଳନା କରିପାରିବ ନାହିଁ - ମୋର ଧନସମ୍ପତ୍ତି, ମାନମର୍ଯ୍ୟାଦା, ଶକ୍ତି ସାମର୍ଥ୍ୟ ସମସ୍ତ ଅଛି, ଆଉ ଏହି ସବୁ ସକାଶେ ଜଗତ୍ ମୋର କ୍ରୀତଦାସ ହୋଇ ରହିବ, ପଦାନତ ହୋଇ ରହିବ । ନୀରୋ ଲୋକଙ୍କର ବିରାଗଭାଜନ, ଘୃଣାର ପାତ୍ର, ତାର ସିଂହାସନ ଟଳମଳ । ମୋର ଅନେକ ବନ୍ଧୁ ଅଛନ୍ତି, ଯେଉଁମାନେ ଆନନ୍ଦରେ ମୋତେ ସାହାଯ୍ୟ କରିବେ–ରୋମର ସିଂହାସନ ମୋର ହୋଇପାରେ, ଆଉ ସେହି ସିଂହାସନ ଉପରେ ତୁମର ଆସନ ମୋ ନିକଟରେ ହେବ; ଯଦି କେବଳ ତୁମେ ବଞ୍ଚିବାକୁ ସ୍ୱୀକୃତ ହୁଅ । ଏ ମସ୍ତକ ତୁମର ରୋମ ସାମ୍ରାଜ୍ୟର ଅଧୀଶ୍ୱରୀର ମଣିମୟ ମୁକୁଟର ଶୋଭା ବଢ଼ାଇବ, ଯଦି ତୁମେ ବଞ୍ଚିବା ନିମନ୍ତେ ଚେଷ୍ଟା କର ମର୍ସିୟା ।’’

 

‘ମୋର ମୁକୁଟ ଏ ଜଗତରେ ନାହିଁ କି ଜଗତର ନୁହେଁ, ମାର୍କସ୍ ମୁକୁଟ ମୋ ପାଇଁ ସେଠି ଅଛି ।” ମର୍ସିୟା ସ୍ଵର୍ଗ ଆଡ଼କୁ ଦେଖାଇ ଦେଲା । ମାର୍କସ୍‍ର କଥା ଶୁଣି ସେ ଅବଶ୍ୟ ଗଭୀର ଭାବରେ ବିଚଳିତ ହୋଇଥିଲା; କିନ୍ତୁ ସଂକଳ୍ପ ପରିତ୍ୟାଗ କରି ନ ଥିଲା । ହୃଦୟ ତାହାର ସାତ୍ତ୍ୱିକ ଶକ୍ତିସମ୍ପନ୍ନ, କୌଣସି ବିଷୟ ସେ ଶକ୍ତିକୁ ଊଣା କରି ପାରିଲା ନାହିଁ । ମାର୍କସ୍ ତା ଆଖି ଆଗରେ ଉତ୍କୋଚ ରଖିଥିଲା, କିନ୍ତୁ ମାର୍କସ ସହିତ ଜୀବନଧାରଣ, ମାର୍କସ୍‍ର ସ୍ତ୍ରୀ ହେବା, ଏହା ଅପେକ୍ଷା ତା ନିକଟରେ ଅଧିକ ପ୍ରଲୋଭନର ବିଷୟ ଏ ସଂସାରରେ ଆଉ କିଛି ନ ଥିଲା, କିନ୍ତୁ ଏହା ମଧ୍ୟ ପ୍ରଭୁଙ୍କୁ ଅସ୍ୱୀକାର କରାଇବାରେ ସମର୍ଥ ହେଲା ନାହିଁ ।

 

‘ମର୍ସିୟା, ଦୟାକର ! ଅନ୍ତତଃ ମୋ ପ୍ରତି ତୁମର ଯେଉ ପ୍ରେମ ଏବଂ ତୁମ ପ୍ରତି ମୋର ଯେଉଁ ପ୍ରେମ ତାହାରି ସକାଶେ ତୁମର ଏ ଜୀବନକୁ ଅକାଳରେ ଝଡ଼ି ପଡ଼ିବାକୁ ଦିଅ ନାହିଁ ! ମୋ ସକାଶେ ଏବଂ ମୋର ପ୍ରେମ ସକାଶେ ଜୀବନ ରକ୍ଷା କର ! ମୋତେ ଛାଡ଼ି ଯାଅ ନାହିଁ । ଏହା କହି ଏହି ବିଶାଳବପୁ ସୈନିକ ହୃଦୟର ଯନ୍ତ୍ରଣାରେ ସାନ ପିଲା ପରି କାନ୍ଦିବାକୁ ଲାଗିଲା ।

 

ଅପରିସୀମ ପ୍ରେମର ସହିତ ଅତି କୋମଳ କଣ୍ଠରେ ମର୍ସିୟା କହିଲା ‘ମାର୍କସ୍ ତୁମେ ଜାଣ, ମୁଁ ତୁମକୁ ପ୍ରେମ କରେ, କିନ୍ତୁ ମୋତେ ତୁମକୁ ଛାଡ଼ି ଯିବାକୁ ହେବ- ମୋତେ ପ୍ରଭୁଙ୍କର ଇଚ୍ଛା ସାଧନ କରିବାକୁ ହେବ - ତାଙ୍କ ନିକଟକୁ ଯିବାକୁ ହେବ !!

 

କିନ୍ତୁ ସେ ବ୍ୟାକୁଳ ହୋଇ କହିଲା, ‘ମୁଁ ତୁମକୁ ଛାଡ଼ି ବଞ୍ଚି ପାରିବି ନାହିଁ, ମର୍ସିୟା ! ତୁମର ବହୁମୂଲ୍ୟ ଜୀବନ ରକ୍ଷା କରିବା ସକାଶେ ମୁଁ ଅନେକ ଯୁକ୍ତିତର୍କ କରିଛି; ତୁମର ଧର୍ମ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ଅନେକ କଥା କହିଛି; କହିଛି, ସତ, କିନ୍ତୁ ତୁମକୁ ଦେଖିବା ଦିନଠାରୁ ଏ ପ୍ରାଣ କି ଗୋଟାଏ ବିପ୍ଲବ, କି ଗୋଟାଏ କଷ୍ଟକର ଅଥଚ ଅନପେକ୍ଷିତ ପରିବର୍ତ୍ତନର ମଧ୍ୟ ଦେଇଯାଉଛି । ଗଭୀର ରାତ୍ରୀର ନିର୍ଜ୍ଜନ ପ୍ରହରମାନଙ୍କରେ ଏହି ବିନିଦ୍ର ପ୍ରାଣ କି ଏକ ଅଭୂତପୂର୍ବ ଅଭିନବ ସାତ୍ତ୍ୱିକ ଅଭିଜ୍ଞତାର ଆସ୍ୱାଦନ ପାଇଁ ବ୍ୟାକୁଳ ହୋଇଉଠେ, ଅନ୍ୟ ଚିନ୍ତା ଆଣି ପ୍ରାଣକୁ ତୃପ୍ତ କରିବାକୁ ଚେଷ୍ଟା କରେ, କିନ୍ତୁ ସେ ସବୁ ଚିନ୍ତାରେ ପ୍ରାଣ ତୃପ୍ତ ହୁଏ ନାହଁ । କି ଏକ ଅନନୁମେୟ ଭୟରେ ଏ ପ୍ରାଣ ଅସ୍ଥିର, ହୃଦୟ ଅଭୁତ ରକମ ଚିନ୍ତାରେ ଆଲୋଡ଼ିତ, ନାନାପ୍ରକାର ଆଶା ଆକାଂକ୍ଷା ମଧ୍ୟ ମଝିରେ ମଝିରେ ପ୍ରାଣରେ ଦେଖା ଦେଉଛି । ମର୍ସିୟା, ତୁମ୍ଭର ବିଶ୍ୱାସ ଯଦି ସତ୍ୟ ହୁଏ, ତାହାହେଲେ ଏ ଜଗତଟା କଣ ? କେବଳ ଗୋଟାଏ ଚଟିଘର, ଅଳ୍ପ ସମୟ ନିମନ୍ତେ ବିଶ୍ରାମର ସ୍ଥାନ, ଗୋଟିଏ ଅସୀମ ଅନନ୍ତରୁ ବାହାରି ଆଉ ଗୋଟିଏ ଅସୀମ ଅନନ୍ତରେ ପ୍ରବେଶ କରିବା ନିମନ୍ତେ ଗୋଟିଏ ଅତି ସଂକୀର୍ଣ୍ଣ ଯାତ୍ରାପଥ । କିନ୍ତୁ ଏହା କେମିତି ବିଶ୍ୱାସ କରିବି ? କେମିତି ନିଃସନ୍ଦେହରୂପେ ଏହା ଜାଣିବି, ମର୍ସିୟା । ମୋତେ ବିଶ୍ୱାସ କରିବାକୁ ଶିଖାଇ ଦିଅ । ଆଉ ଶିଖାଇ ଦିଅ, ମୁଁ କେମିତି ସଦାବେଳେ ତୁମକୁ ପାଖେ ପାଖେ ରଖି ପାରିବି ।’

 

ମର୍ସିୟା ସେତେବେଳେ ଊର୍ଦ୍ଧ୍ୱମୁଖୀ, ହୃଦୟର ପବିତ୍ରତା ମୁଖମଣ୍ଡଳରେ ପ୍ରତିଭାତ ହୋଇ କି ଏକ ଅପୂର୍ବ ସ୍ୱର୍ଗୀୟ ଜ୍ୟୋତିରେ ତାକୁ, ଉଦ୍ଭାସିତ; କରିଛି; କହିଲା ‘‘କ୍ରୂଶକୁ ଅନାଅ, ଆଉ ପ୍ରାର୍ଥନା କର, ‘‘ପ୍ରଭୁ ମୋର ଏହି ଅବିଶ୍ୱାସର ସମୟରେ ମୋତେ ସାହାଯ୍ୟ କର ।’’

 

ମାର୍କସ୍ ଜଡ଼ିତ କଣ୍ଠରେ ପଚାରିଲା, ‘କିନ୍ତୁ ତୁମକୁ କେମିତି ପାଖେ ପାଖେ ରଖିବି ?’

 

ମର୍ସିୟା ତାର ପ୍ରଭୁଙ୍କ ବାକ୍ୟ ଉଦ୍ଧୃତ କରି ଉତ୍ତର ଦେଲା, ‘‘ତୁମର ଯାହା ଅଛି ସେ ସମସ୍ତ ପରିତ୍ୟାଗ କର; ଆଉ ମୋର ପଛେ ପଛେ ଆସ ।”

 

‘ତୁମର ପଛେ ପଛେ ଯିବି ? କେଉଁଠି କି ?’

 

‘ମୃତ୍ୟୁର ଅପର ପାରକୁ, ସେହି ସୁଖଶାନ୍ତିମୟ ଧାମକୁ, ଯେଉଁଠି ସେ ହସ୍ତ ପ୍ରସାରିତ କରି ଆମ୍ଭମାନଙ୍କ ସକାଶେ ଅପେକ୍ଷା କରୁଛନ୍ତି, ଆମ୍ଭମାନଙ୍କର ପାପ ଦୋଷ ମାର୍ଜନା କରି ଆମ୍ଭମାନଙ୍କୁ ଗ୍ରହଣ କରିବାକୁ ।

 

ମାର୍କସ୍ ନିଜର ଅତୀତ ଜୀବନର ସମସ୍ତ ସୁବିଧା ସୁଯୋଗର ଅପଚୟ, ଉଚ୍ଛୃଙ୍ଖଳ ଯୌବନର ଅପବ୍ୟୟ ସବୁ ସ୍ମରଣ କରି କେତେକ ପରିମାଣରେ ଭୟର ସହିତ ଏବଂ କେତେକ ପରିମାଣରେ ଆଶା ଆକାଂକ୍ଷା ଓ ବିସ୍ମୟର ସହିତ ପଚାରିଲା–

 

“ସେ କଣ ମୋତେ ଗ୍ରହଣ କରିବେ ?’’

 

ଆସ୍ତିକର ବିଶ୍ୱାସ ତାକୁ ଉତ୍ତର ଦେଲା, “ହଁ, ମାର୍କସ୍ ତୁମକୁ ମଧ୍ୟ ଗ୍ରହଣ କରିବେ ।’’

 

ଏହି ସମୟରେ ଆଉ ଥରେ ତୁରୀ ଧ୍ୱନି ହେଲା । ଦ୍ୱାର ଅର୍ଗଳମୁକ୍ତ ହେଲା । ଟିଗେଲିନସ୍ ସହିତ ରକ୍ଷୀଦଳ ଆସି ଉପସ୍ଥିତ ହେଲେ । ମର୍ସିୟାର ଯେଉଁ ଉତ୍ତର ଉପରେ ତାର ସବ ଜୀବନ ମରଣ ନିର୍ଭର କରୁଥିଲା, ତାହାଠାରୁ ସେହି ଉତ୍ତର ଗ୍ରହଣ କରିବାକୁ ନୀରୋ ଟିଗେଲିନସ୍‌କୁ ନିଯୁକ୍ତ କରିଥିଲା । ଟିଗେଲିନସ୍ ଆସିଥିଲା ଜାଣିବାକୁ ତାର ଇଚ୍ଛା କଣ ସେ ବଞ୍ଚିବ, ନା ମରିବ ? ସାମ୍ରାଜ୍ଞୀ ରଙ୍ଗାଳୟରେ ଯେଉଁଠି ତାଙ୍କର ବୃତି-ବେଷ୍ଟିତ ସ୍ଥାନରେ ବସି ଲୋମହର୍ଷଣ ଅଭିନୟ ଦେଖୁଥିଲେ, ସେଠି ମଧ୍ୟ କମ୍ପିତ ବକ୍ଷରେ ବାଳିକାର ଶେଷ ସିଦ୍ଧାନ୍ତ ଶୁଣିବାକୁ ଅପେକ୍ଷା କରୁଥିଲେ । ଭାବୁଥିଲେ, ସେ କଣ ତାର ଧର୍ମ ଅସ୍ୱୀକାର କରି ମାର୍କସ୍ ସକାଶେ ବଞ୍ଚିବ; ନା ଶେଷ ପର୍ଯ୍ୟନ୍ତ ସ୍ଥିର ରହି ମୃତ୍ୟୁକୁ ବରଣ କରିବ ? କଣ ମରିବ ମାର୍କସ୍‍କୁ ମୁକ୍ତ କରି ଯିବାକୁ ?

 

ମର୍ସିୟା ଯେଉଁଠି ଛିଡ଼ା ହୋଇ ପ୍ରଶାନ୍ତ ଭାବରେ ତାର ପ୍ରଶ୍ନର ପ୍ରତୀକ୍ଷା କରୁଥିଲା, ସେ ଆଡ଼କୁ ଟିଗେଲିନସ୍ ଦମ୍ଭର ସହିତ ଏବଂ ଯଥେଷ୍ଟ ଉଦାସୀନତାର ସହିତ ଅଗ୍ରସର ହୋଇ ମାର୍କସ୍‍କୁ କର୍କଶ କଣ୍ଠରେ କହିଲା–

 

‘ପ୍ରିଫେକ୍‍ଟ, ସମୟ ହେଲାଣି । ସିଜର ଏହି ବାଳିକା କଣ ସ୍ଥିର କଲା ଜାଣିବାକୁ ଚାହାଁନ୍ତି । ଏ ବାଳିକା କ୍ରିଟସ୍‍ଙ୍କୁ ଅସ୍ୱୀକାର କରି ବଞ୍ଚିବାକୁ ଚାହେଁ; ନା ତାଙ୍କଠି ଅନୁରକ୍ତ, ରହି ମୃତ୍ୟୁ ବାଞ୍ଚା କରେ ?’ ତା ପରେ, ଅଳ୍ପ ସମୟ ସକାଶେ ଅପେକ୍ଷା କରି କହିଲା–

 

‘ଏହାର ଉତ୍ତର ମୁଁ ଶୀଘ୍ର ଚାହେଁ ।’ ମାର୍କସ୍ ମର୍ସିୟା ଆଡ଼କୁ କାତର ଦୃଷ୍ଟିରେ ଚାହିଁ ଅତି କରୁଣସ୍ୱରରେ ଡାକିଲା,

 

‘ମର୍ସିୟା ।’

 

ମର୍ସିୟା ଅବିକମ୍ପିତ କଣ୍ଠରେ ସ୍ପଷ୍ଟ ଅଥଚ ପ୍ରଶାନ୍ତ ଭାବରେ ଉତ୍ତର ଦେଲା–

 

ମୁଁ ମୋ ପ୍ରଭୁଙ୍କୁ ଛାଡ଼ି ପାରିବି ନାହିଁ, ଅତଏବ ମରିବାକୁ ପ୍ରସ୍ତୁତ ଅଛି ।

 

ତା ଉତ୍ତାରୁ ଯାହାକୁ ସେ ନିଜ ଜୀବନ ଅପେକ୍ଷା ଅଧିକ ପ୍ରେମ କରୁଥିଲା, ସେହି ମାର୍କସ୍ ଆଡ଼କୁ ଅନାଇଲା । ମାର୍କସ ଚିନ୍ତା ତାକୁ ଯେ ବେଶି ରକମ ବିଚଳିତ କରି ଥିଲା, ଏମନ୍ତ ନୁହେଁ । ସେ ବାଷ୍ପରୁଦ୍ଧ କଣ୍ଠରେ କହିଲା,

 

‘ମାର୍କସ, ବିଦାୟ ।’

 

ମୁହୂର୍ତ୍ତକ ସକାଶେ ମାର୍କସ୍ ଉତ୍ତର ଦେଲା ନାହିଁ । ନିଜ ଭିତରେ ସତ୍ୟାସତ୍ୟ କର୍ତ୍ତବ୍ୟାକର୍ତ୍ତବ୍ୟର ନିର୍ଣ୍ଣୟ ନେଇ ଭୀଷଣ ସଂଗ୍ରାମ । ଭାବୁଥିଲା, କଣ କରିବ ? କଣ ମର୍ସିୟାକୁ ଏକୁଟିଆ ମୃତ୍ୟୁର ସମ୍ମୁଖୀନ ହେବାକୁ ଛାଡ଼ିଦେବ ? ଏହି ବୀରାଙ୍ଗନାକୁ ପରିତ୍ୟାଗ କରିବ ତାହାର ଏହି ଅଳ୍ପକ୍ଷଣସ୍ଥାୟୀ ଶେଷ ସଂଗ୍ରାମରେ ? ତାହା ସେ କେତେବେଳେ କରି ପାରିବ ନାହିଁ । କିନ୍ତୁ ତଥାପି ସେ ଆଉ କଣ କରି ପାରେ ? ପୁଣି ଆଉ ଥରେ ମର୍ସିୟା ଆଡ଼କୁ ଅନାଇଲା, ଦେଖିଲା ତାର ପ୍ରୋଜ୍ଜ୍ୱଳକାନ୍ତି, ଅଙ୍ଗ ଘେରି ଅରୁଣର ଭାତି -ଜାଣିଲା, ଏହି କ୍ଷୁଦ୍ର ଜୀବନ ମଧ୍ୟରେ ଆଶାର ଯେଉଁ ବର୍ତ୍ତିକା ଜଳୁଛି, ତାହାରି ଆଲୋକ ତାକୁ ସମସ୍ତ ରୋମର ନାସ୍ତିକତାର ଅମା ଅନ୍ଧାରରେ ଉଜ୍ଜ୍ୱଳ କରି ରଖିଛି । ଅନ୍ତରର ଯେ ଦୃଢ଼ପ୍ରତୀତିରେ ମର୍ସିୟା ଅନୁପ୍ରାଣିତ ମୂହୁର୍ତ୍ତକ ମଧ୍ୟରେ ସେହି ଅନୁପ୍ରାଣନ। ସେ ସମ୍ପୂର୍ଣ୍ଣରୂପେ ଅପଣା ଭିତରେ ଅନୁଭବ କଲା, ଅନ୍ଧକାରମୟ ହୃଦୟ ସେହି ଆଶାର ଆଲୋକରେ ଉଦ୍ଭାସିତ ହେଲା, ମର୍ସିୟାର ବିଶ୍ୱାସ ତାର ନିଜସ୍ୱ ହେଲା; ସନ୍ଦେହର ଅବସାନ ହେଲା, ଅନନୁଭୂତ ଶାନ୍ତିରସରେ ହୃଦୟ ମନପ୍ରାଣ ଆପ୍ଳୁତ ହେଲା । କାରଣ, ସେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ଥିଲା । ସେଥିପାଇଁ କହିଲା–

‘ବିଦାୟ ? ନାଁ, ନା, ବିଦାୟ ନୁହେଁ । ମୃତ୍ୟୁ ଆମ ଦୁହିଁଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ । ମୁଁ ମଧ୍ୟ ପ୍ରସ୍ତୁତ ! ଯଦିବା ଯିବାକୁ ବିଳମ୍ବ ଘଟିଛି, ତଥାପି ସନ୍ଦେହ ଯାଇଛି ଆଲୋକ ମୁଁ ପାଇଛି ।

 

ତା ପରେ ଅଗ୍ରସର ହୋଇ ମର୍ସିୟାର ହସ୍ତକୁ ନିଜ ହସ୍ତରେ ଗ୍ରହଣ କରି ଟିଗେଲିନସ୍ ଆଡ଼କୁ ଅନାଇ କହିଲା–

 

‘ଯାଅ, ସମ୍ରାଟଙ୍କୁ କୁହ, ଖ୍ରୀଷ୍ଟସ୍‍ ଜୟ କରିଛନ୍ତି । ମାର୍କସ୍ ମଧ୍ୟ ଖ୍ରୀଷ୍ଟିୟାନ । ମର୍ସିୟାକୁ ସଯତ୍ନରେ ନିଜର ବକ୍ଷ ଉପରକୁ ଆକର୍ଷଣ କରି ତା ଉପରକୁ ସ୍ଥିର ଦୃଷ୍ଟିରେ ଅନିର୍ବଚନୀୟ ପବିତ୍ର ପ୍ରେମ ବରଷି କହିଲା,

 

‘ହୃଦୟେଶ୍ୱରି ମୋର, ଆସ ।’

 

ମର୍ସିୟା ମଧ୍ୟ ଦୃଷ୍ଟିରେ ସେହିପରି ଆନନ୍ଦବିହ୍ୱଳ ଅପାର୍ଥିବ ପ୍ରେମର ପ୍ରତ୍ୟୁତ୍ତର ପ୍ରଦାନ କରି କହିଲା,

 

‘ସ୍ଵାମିନ୍ !’

 

ମର୍ସିୟାର ସମ୍ମତ ହସ୍ତକୁ ସେହିପରି ଧରି ମାର୍କସ କହିଲା, ‘ମର୍ସିୟା ଆସ, ଏହିପରି ହାତ ଧରାଧରି ହୋଇ ବାସର ଭବନକୁ ଯିବା ଏପରି ବିବାହ କି କାହାର ହୋଇଛି, ଯାହାର ବନ୍ଧନ ଆଉ କେବେ ଛିନ୍ନ ହେବ ନାହିଁ, ଅସୀମ ପ୍ରହେଳିକାପୂର୍ଣ୍ଣ ଅନନ୍ତ ଭବିଷ୍ୟତରେ ସୁଦ୍ଧା ଯେ ବନ୍ଧନ ମୋଚନର ଉପାୟ ରହିବ ନାହିଁ, ଯେ ବନ୍ଧନର ରଜ୍ଜୁ ଏ ଦୁଇ ହୃଦୟ ଯୋଗାଇଛି, ଗଭୀର ଦୁଃଖର ଆଘାତ ଯାହାକୁ ଦୃଢ଼ରୁପେ ନିବଦ୍ଧ କରିଛି, ସମବିଶ୍ୱାସ ଯାହାକୁ ପବିତ୍ର କରିଛି ଧନ୍ୟ କରିଛି, ଏବଂ ପ୍ରଭୃଙ୍କର ଉପସ୍ଥିତି ଯାହାକୁ ମହିମାମଣ୍ଡିତ କରିଛି ଏପରି ବିବାହ କି କାହାରି ହୋଇଛି ?’

 

ତା ପରେ ଉଭୟେ ଉଭୟର ହସ୍ତଧରି ଟିଗେଲିନସ୍‍ର ଆଦେଶ ଅନୁସାରେ କରାକକ୍ଷରୁ ନିଷ୍କାନ୍ତ ହେଲେ । ଯେତେବେଳେ ଆସି ରଙ୍ଗାଳୟର ଦ୍ୱାର ଦେଶରେ ପହଞ୍ଚିଲେ, ମର୍ସିୟା ରଙ୍ଗାଳୟ ଆଡ଼କୁ ହାତ ବଢ଼ାଇ କହିଲା, “ସ୍ଵାମିନ୍, କଣ ଦେଖୁଛ ? ଊର୍ଦ୍ଧ୍ୱରେ ମରଣର ପରପାରରେ ମେଘରଥରେ ଆରୁଢ଼ ଜ୍ୟୋତିର୍ମୟ ଯୀଶୁ ଅପେକ୍ଷା କରି ରହିଛନ୍ତି, ଏହି ସମ୍ମିଳିତ ଜୀବନକୁ ଗ୍ରହଣ କରିବାକୁ, ନା ଏହି ପ୍ରକାଣ୍ଡ ଯଜ୍ଞଶାଳା ଯାହା ରୋମର ପାପଭାର ଲାଘବ କରିବା ପାଇଁ ଅପେକ୍ଷା କରି ରହିଛି ଆମ୍ଭମାନଙ୍କ ଜୀବନର ଏଇ ସ୍ୱେଚ୍ଛାଦତ୍ତ ନୈବେଦ୍ୟକୁ ?

 

ତା ପରେ ସେମାନେ ଅଗ୍ରସର ହେଲେ–ମରଣର ମଧ୍ୟ ଦେଇ ଜୀବନ ଆଡ଼କୁ ।

Image